ରାଜେନ୍ଦ୍ର ନାରାୟଣ ସିଂହଦେଓ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ରାଜେନ୍ଦ୍ର ନାରାୟଣ ସିଂହ ଦେଓ
୭ମ ମୁଖ୍ୟମନ୍ତ୍ରୀ, ଓଡ଼ିଶା
ନିର୍ବାଚନ ମଣ୍ଡଳୀ ବଲାଙ୍ଗୀର
In office
୮ ମାର୍ଚ୍ଚ ୧୯୬୭ – ୯ ଜାନୁଆରୀ ୧୯୭୧
ପୂର୍ବ ଅଧିକାରୀ ସଦାଶିବ ତ୍ରିପାଠୀ
ପର ଅଧିକାରୀ ବିଶ୍ଵନାଥ ଦାସ
Personal details
ଜନ୍ମ ୩୧ ମାର୍ଚ୍ଚ ୧୯୧୨(1912-03-31)
ଷଢ଼େଇକଳା, ସିଂହଭୂମ
ମୃତ୍ୟୁ ୨୩ ଫେବୃଆରୀ ୧୯୭୫ (୬୨ ବର୍ଷ)
ମୁମ୍ବାଇ
ଜାତୀୟତା ଭାରତ
ରାଜନୀତିକ ଦଳ ସ୍ଵତନ୍ତ୍ର ପାର୍ଟି
ଜୀବନ ସାଥୀ କୈଳାଶ କୁମାରୀ ଦେବୀ
ସନ୍ତାନ ୨ପୁତ୍ର (ରାଜ ରାଜ ସିଂହ ଦେଓ ଓ ଅନଙ୍ଗ ଉଦୟ ସିଂହ ଦେଓ) ଏବଂ ୪ କନ୍ୟା
ବୃତ୍ତି ରାଜନୀତି
ଧର୍ମ ହିନ୍ଦୁ
As of 21 May, 2010
Source: [୧]

ମହାରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓ, ଛବିଶଟି ଗଡ଼ଜାତ ଭିତରୁ ବଲାଙ୍ଗିର-ପାଟଣା ଗଡ଼ଜାତର ୩୩ତମ ଚୌହାନ ବଂଶୀୟ ରାଜା । ପରବର୍ତ୍ତୀ କାଳରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ମଣ୍ତନ କରିଥିଲେ (୧୯୬୭-୧୯୭୧)[୧]

ରାଜେନ୍ଦ୍ର ନାରାୟଣ ୩୧ ମାର୍ଚ୍ଚ ୧୯୧୨ ମସିହାରେ ଷଢ଼େଇକଳା ରାଜବଂଶରେ ପିତା ଆଦିତ୍ୟ ପ୍ରସାଦ ସିଂହ ଓ ମାଆ ପଦ୍ମିନୀ କୁମାରୀଙ୍କ ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ୧ ଜାନୁଆରୀ ୧୯୨୨ରେ ବଲାଙ୍ଗୀର-ପାଟଣାର ନିଃସନ୍ତାନ ରାଜା ପୃଥ୍ୱୀରାଜ ସିଂହଦେଓ ତାଙ୍କୁ ପାଳିତ ପୁତ୍ର ଭାବେ ଗ୍ରହଣ କରିଥିଲେ । ଆଜମେରର ମେୟ ମହାବିଦ୍ୟାଳୟରୁ ଶିକ୍ଷାଲାଭ କରିବା ପରେ ହଜାରିବାଗ ଓ ମୁଙ୍ଗେରରେ ରାଜ କାର୍ଯ୍ୟ ପରିଚାଳନା ସମ୍ବନ୍ଧୀ ଶିକ୍ଷାପ୍ରାପ୍ତି କରିଥିଲେ । ୨୦ ବର୍ଷ ବୟସରେ ପାତିଆଲା ମହାରାଜଙ୍କର କନ୍ୟା କୈଳାସ କୁମାରୀଙ୍କୁ ବିବାହ କରିଥିଲେ ।

ଶାସନ[ସମ୍ପାଦନା]

ରାଜେନ୍ଦ୍ର ନାରାୟଣ ୩ ଫେବୃଆରୀ ୧୯୩୩ ମସିହାରୁ ରାଜ୍ୟଭାର ଗ୍ରହଣ କରିଥିଲେ ।

ଶିକ୍ଷା ଓ ସାମାଜିକ ବିକାଶ[ସମ୍ପାଦନା]

ରାଜା ହେବା ପରେ ତାଙ୍କର ମୁଖ୍ୟ କାମ ରାଜ୍ୟର ସମସ୍ତ ଜମିର ବନ୍ଦୋବସ୍ତ, ଶିକ୍ଷାର ଉନ୍ନତି ପାଇଁ ଗୁରୁତ୍ୱପ୍ରଦାନ ଓ ଅନେକ ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ଥାପନ। ଟିଟିଲାଗଡ଼ ଉଚ୍ଚ ବିଦ୍ୟାଳୟ ଓ ୧୯୪୪ରେ ବଲାଙ୍ଗୀର ମହାବିଦ୍ୟାଳୟ ଯାହା ପରବର୍ତ୍ତୀ କାଳରେ ରାଜେନ୍ଦ୍ର କଲେଜ ନାମରେ ପରିଚିତ ହୋଇଛି ସେ ଗୁଡ଼ିକ ତାଙ୍କରି ପ୍ରଚେଷ୍ଟା ପ୍ରସୂତ ।

୧୯୪୬ରେ ବଲାଙ୍ଗୀରରେ ଶିକ୍ଷକ ତାଲିମ କେନ୍ଦ୍ର ସ୍ଥାପନ । ମେଧାବୀ ଛାତ୍ର ଓ ହରିଜନ ଛାତ୍ରମାନଙ୍କୁ ସ୍ୱତନ୍ତ୍ର ବୃତ୍ତି ପ୍ରଦାନ । ଅନାଥ ପିଲାମାନଙ୍କର ସମସ୍ତ ଶିକ୍ଷାଭାର ବହନ କରିବା ସହିତ ‘ଅନ୍ନପୂର୍ଣ୍ଣା ଅନାଥାଶ୍ରମ’ ଗଠନ କରିଥିଲେ । ସବର୍ଣ୍ଣ ଅସବର୍ଣ୍ଣର ଭେଦଭାବ ଦୂର କରିବାପାଇଁ ସେ ଗୋଟିଏ ସ୍କୁଲରେ ସବୁ ଜାତିର ପିଲା ପଢ଼ିବେ ବୋଲି ରାଜାଦେଶ ଜାରି କରିବା ସହିତ ହରିଜନ ପିଲାମାନଙ୍କୁ ଉଚ୍ଚ ଜାତିର ସାଙ୍ଗିଆ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ ।

ସଂସ୍କୃତିପ୍ରେମ[ସମ୍ପାଦନା]

କଳାର ଅଭିବୃଦ୍ଧି ପାଇଁ ‘କୋଶଳ କଳାମଣ୍ଡଳ’ ନାମକ ସଂସ୍ଥା ଗଠନ କରିଥିଲେ । ‘ଚତୁରଙ୍ଗ’ ନାମକ ସାହିତ୍ୟ ପତ୍ରିକା ତାଙ୍କରି ପ୍ରଚ୍ଛନ୍ନ ଅନୁଦାନରୁ କଳାମଣ୍ଡଳର ମୁଖପତ୍ର ରୂପେ ପ୍ରକାଶ ପାଇଥିଲା। ଏହା ଛଡା ସେ ‘ଘୋଷଣା’ ନାମକ ପତ୍ରିକା ରାଜ ଦରବାର ତରଫରୁ ପ୍ରକାଶ କରିଥିଲେ। ତାଙ୍କ ରାଜ ଉଆସ ଭିତରେଥିଲା ଏକ ସମୃଦ୍ଧ ପୁସ୍ତକାଳୟ, ଯେଉଁଥିରେ ଭାରତୀୟ ଓ ବିଦେଶୀ ଭାଷାର ଅନେକ ପୁସ୍ତକ ରହିଥିଲା । ତାଙ୍କ ଅନ୍ତେ ରାଜେନ୍ଦ୍ର କଲେଜର ପୁସ୍ତକାଳୟକୁ ଏହି ପୁସ୍ତକଗୁଡ଼ିକ ପ୍ରଦାନ କରାଯାଇଥିଲା ।

ପୁରାତନ ଐତିହ୍ୟର ସୁରକ୍ଷାପାଇଁ ସେ ‘ପ୍ରତ୍ନତତ୍ତ୍ୱ ବିଭାଗ’ ଓ ‘ଐତିହାସିକ ଅନୁସନ୍ଧାନ ସୋସାଇଟି’ ନାମକ ଦୁଇଟି ସଂସ୍ଥା ଗଠନ କରିଥିଲେ। କେଦାରନାଥ ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ରଥଙ୍କ ପରି ଐତିହାସିକ ତାଙ୍କ ପୃଷ୍ଠପୋଷକତା ଲାଭ କରିଥିଲେ ।

ମହିଳା ସଶକ୍ତିକରଣ[ସମ୍ପାଦନା]

ନାରୀମାନଙ୍କ ଭିତରେ ଜାଗରଣପାଇଁ ସେ ବଲାଙ୍ଗୀରରେ ଏକ ମହିଳାକ୍ଲବ ସ୍ଥାପନ କରିଥିଲେ। ନାରୀମାନଙ୍କ ପାଇଁ ଚିକିତ୍ସାକୁ ସହଜ ସୁଲଭ କରିବାପାଇଁ ସେ ମାତୃମଙ୍ଗଳ କେନ୍ଦ୍ର ସ୍ଥାପନ କରିଥିଲେ, ଯାହା ତାଙ୍କ ପତ୍ନି କୈଳାଶ କୁମାରୀ ଦେବୀ ଉଦ୍ଘାଟନ କରିଥିଲେ । ମହିଳାମାନଙ୍କୁ ପ୍ରତ୍ୟକ୍ଷ ରାଜନୀତିରେ ଅଂଶଗ୍ରହଣ କରିବାପାଇଁ ସେ ଅନୁପ୍ରେରିତ କରୁଥିଲେ । ତାଙ୍କଦ୍ୱାରା ପ୍ରଭାବିତ ହୋଇ ତାଙ୍କ ଭଉଣୀ ଢେଙ୍କାନାଳର ରାଣୀ ରତ୍ନପ୍ରଭା ଦେବୀ ଓ ତିଗିରିଆ ରାଜମାତା ରାସ ମଞ୍ଜରୀ ଦେବୀ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେଇଥିଲେ ।

ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଧାର[ସମ୍ପାଦନା]

ପ୍ରଜାମାନଙ୍କ ସ୍ୱାସ୍ଥ୍ୟର ସୁବିଧା ପାଇଁ ସେ ଅନେକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରିଥିଲେ । ବଲାଙ୍ଗୀର ଚିକିତ୍ସାକେନ୍ଦ୍ରରେ ପ୍ରଥମ କରି ରଞ୍ଜନ ରଶ୍ମୀ ସ୍ଥାପନ କରାଇଥିଲେ। ସ୍ୱାଧୀନତା ପରେ ଏହା କଟକକୁ ସ୍ଥାନାନ୍ତରିତ ହୋଇ ଯାଇଥିଲା । ସେଠାରେ ଅଭିଜ୍ଞ ଚିକିତ୍ସକଙ୍କୁ ନିୟୋଜିତ କରିବା ସହିତ ବଲାଙ୍ଗୀରରେ ଏକ ଆୟୁର୍ବେଦିକ ଚିକିତ୍ସାଳୟ ମଧ୍ୟ ସ୍ଥାପନା କରାଇଥିଲେ। ରାମକୃଷ୍ଣ ପରମହଂସଙ୍କ ସହଧର୍ମିଣୀ ଶାରଦା ଦେବୀଙ୍କ ନାମ ଅନୁସାରେ ଏହି ଚିକିତ୍ସାଳୟର ନାମ ଶାରଦେଶ୍ୱରୀ ରଖାଯାଇଥିଲା। ବଲାଙ୍ଗୀର ସହରରେ ଏକ ଗୋପାଳନ କେନ୍ଦ୍ର ସ୍ଥାପନ କରିବା ସହିତ ସେଠାରେ ଉନ୍ନତ ଗୋ ମହିଷାଦି ପାଳନର ବ୍ୟବସ୍ଥା କରାଇଥିଲେ ।

ଧାର୍ମିକତା ଓ ସମାଜ ସଂସ୍କାର[ସମ୍ପାଦନା]

ସେ ଜଣେ ଧର୍ମପ୍ରାଣ ମଣିଷ ଥିଲେ। ନିଜ ମାଆ କିଶୋରୀ ମୋହନ ଦେବୀଙ୍କ ସ୍ମୃତିରେ ସେ ରାଜପ୍ରାସାଦ ଭିତରେ ଦୁଇଟି ପୁଷ୍କରିଣୀ ମଝିରେ ନୀଳକଣ୍ଠେଶ୍ୱର ମନ୍ଦିର ଓ ଶ୍ରୀରଘୁନାଥ ମନ୍ଦିର ସ୍ଥାପନ କରାଇଥିଲେ। ସେ ୧୯୩୯ରେ ସାତ ଦିନିଆ ‘ବିଷ୍ଣୁ ମହାଯଜ୍ଞ’ କରାଇଥିଲେ। ପଣ୍ଡିତ ଅର୍ଜ୍ଜୁନ ହୋତାଙ୍କ ପରାମର୍ଶ କ୍ରମେ ସେ ଅନେକ ମନ୍ଦିରରୁ ବଳିପ୍ରଥା ଦୂର କରିବାରେ ସମର୍ଥ ହୋଇଥିଲେ । ୧୯୩୯ରେ ସେ ଗୋଟିଏ ପଣ୍ଡିତ ସମ୍ମିଳନୀ ଡ଼କାଇଥିଲେ ଯେଉଁଥିଲେ ୫୦୦୦ରୁ ଅଧିକ ପଣ୍ଡିତ ଯୋଗ ଦେଇଥିଲେ । ବାଲ୍ୟବିବାହ ପ୍ରଥାର ଉଚ୍ଛେଦ ଓ ବିଧବା ବିବାହ ପ୍ରଚଳନ ପାଇଁ ସେ ଏହାଦ୍ୱାରା ଜନ ଜାଗୃତି ସୃଷ୍ଟି କରିଥିଲେ । ପ୍ରତି ଶନିବାର ଓ ବୁଧବାର ଦିନ ଯେ କେହି ପ୍ରଜା ରାଜପ୍ରାସାଦକୁ ଯାଇ ତାଙ୍କୁ ନିଜ ଦୁଃଖ ଜଣାଇ ପାରୁଥିଲା। ୧୯୩୬ ମସିହାରେ ନିଜ ଜନ୍ମଦିନ ଅବସରରେ ସେ ବେଠି ଓ ବେଗାରି ପ୍ରଥା ପ୍ରଜାମାନଙ୍କ ଉପରୁ ଉଠାଇ ଦେଇଥିଲେ ।

ନିର୍ମଳ ଶାସନ[ସମ୍ପାଦନା]

ବଲାଙ୍ଗୀର ପାଟଣା ଗଡ଼ଜାତରେ ସେ ସମୟରେ ଏକ ସ୍ୱତନ୍ତ୍ର ବିଚାର ବ୍ୟବସ୍ଥା ରହିଥିଲା । ତିନିଜଣ ବିଜ୍ଞ ବିଚାରପତିଙ୍କୁ ନେଇ ବଲାଙ୍ଗୀରରେ ଏକ ଉଚ୍ଚନ୍ୟାୟାଳୟ କାମ କରୁଥିଲା, ଯାହା ସେ ସମୟରେ ଅନ୍ୟ କୌଣସି ପ୍ରାନ୍ତୀୟ ରାଜ୍ୟରେ ବିରଳଥିଲା ।

କୃଷିର ବିକାଶ[ସମ୍ପାଦନା]

୧୯୩୯ ଫେବୃଆରୀ ୨୬ ତାରିଖରୁ ୧୦ ଦିନ ପର୍ଯ୍ୟନ୍ତ କୃଷିଜାତ ପଦାର୍ଥ ଓ ଗୃହପାଳିତ ପଶୁମାନଙ୍କର ଏକ ପ୍ରଦର୍ଶନୀ ବଲାଙ୍ଗୀରରେ ଆୟୋଜନ କରିଥିଲେ। କୃଷିର ଉନ୍ନତି ପାଇଁ ଜଳସେଚନ ବ୍ୟବସ୍ଥାରେ ସୁଧାର କରିବା ସହିତ କୁଟୀର ଶିଳ୍ପର ଉନ୍ନତି ପାଇଁ ଅଭିଜ୍ଞ ଶିଳ୍ପୀ ଓ ତାଲିମଦାତାଙ୍କୁ ଅଣାଇ ସେ ଲୋକମାନଙ୍କୁ ପ୍ରଶିକ୍ଷିତ କରାଇଥିଲେ । କ୍ରୀଡାପ୍ରତି ତାଙ୍କ ପ୍ରେମର ନିଦର୍ଶନ ସ୍ୱରୂପ ‘ରମାଇ ଫୁଟବଲ ଟୁର୍ଣ୍ଣାମେଣ୍ଟ’ ଆୟୋଜନ କରିଥିଲେ । ସେ ନିଜେ ଟାଉନ ଟିମରେ ଖେଳୁଥିଲେ। ଅନ୍ୟମାନଙ୍କ ସହ ମିଶି ଖେଳିବାକୁ ସେ କେବେ କୁଣ୍ଠାବୋଧ କରୁ ନ ଥିଲେ। ପ୍ରଫେସର ସି.ଆର.ଡ଼ି. ନାଇଡ଼ୁ ତାଙ୍କୁ ଯୋଗ ଓ ପ୍ରାଣାୟାମ ଶିକ୍ଷା ଦେଉଥିଲେ।

ପାରଦର୍ଶୀ ବ୍ୟକ୍ତିତ୍ୱ[ସମ୍ପାଦନା]

ତାଙ୍କର ସୁଶାସନ ପାଇଁ ଅନ୍ୟାନ୍ୟ ଗଡ଼ଜାତରେ ପ୍ରଜା ଆନ୍ଦୋଳନ ହୋଇଥିଲା ବେଳେ ତାଙ୍କ ରାଜ୍ୟରେ ଶାନ୍ତି ଥିଲା । ଗଡ଼ଜାତ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କରି ସେ ବଲାଙ୍ଗୀର ଗଡ଼ଜାତକୁ ଓଡ଼ିଶା ରାଜ୍ୟ ସହିତ ମିଶାଇଥିଲେ । ମିଶ୍ରଣ ସମୟରେ ରାଜକୋଷରୁ ଅନ୍ୟ ରାଜାଙ୍କ ପରି ଅର୍ଥ ଆତ୍ମସାତ ନ କରି ବହୁଜନହିତାୟର ଆଦର୍ଶ ନେଇ ସେ ସର୍ବାଧିକ ରାଜସ୍ୱ ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଥିଲେ।

ରାଜନୀତିରେ ଯୋଗଦାନ ଓ ଶେଷ ଜୀବନ[ସମ୍ପାଦନା]

ପରବର୍ତ୍ତୀ କାଳରେ ସେ ବିରୋଧି ଦଳର ନେତା, ଉପମୁଖ୍ୟ ମନ୍ତ୍ରୀ, ଅର୍ଥମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ସାଂସଦରୂପେ ନିଜ ଭୂମିକା ସୁଚାରୁରୂପେ ନିଭାଇଥିଲେ । ସେ କଳାହାଣ୍ଡି-ବଲାଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ[୨] ଓ ୧୯୫୧ରେ ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ [୩] । ୧୯୬୧ରେ ସେ କଣ୍ଟାବାଞ୍ଜି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପୁନଃ ନିର୍ବାଚିତ ହୋଇଥିଲେ[୪] ଏବଂ ୧୯୬୭ରେ ବଲାଙ୍ଗୀର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ [୧] ଏବଂ ୭ ମାର୍ଚ୍ଚ ୧୯୬୭ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସ୍ୱତନ୍ତ୍ରତା ପାର୍ଟି ସହିତ ହରେକୃଷ୍ଣ ମହତାବଙ୍କର ଓଡ଼ିଶା ଜନକଂଗ୍ରେସର ମିଳିତ ସରକାର ସେ ନିଜର ପଦତ୍ୟାଗ (୯ ଜାନୁଆରୀ ୧୯୬୭) ପର୍ଯ୍ୟନ୍ତ ଚଳାଇଥିଲେ ଓ ୧୧ ଜାନୁଆରୀ ୧୯୬୭ରେ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଜାରି ହେଲା। [୫]। ସେ ଜଣେ ଭଲ ବକ୍ତା ଓ ନୀତିସମ୍ପନ୍ନ ନେତା ଥିଲେ । ତାଙ୍କ ଉଦ୍ଦେଶ୍ୟରେ ସାହିତ୍ୟକିତ ସୁରେନ୍ଦ୍ର ମହାନ୍ତି କହିଛନ୍ତି, ‘ସେ ରାଜାମାନଙ୍କ ଭିତରେ ଜଣେ ମନୁଷ୍ୟ ଥିଲେ ଓ ମନୁଷ୍ୟମାନଙ୍କ ଭିତରେ ରାଜା । ୧୯୭୫ ମସିହା ଫେବୃଆରୀ ୨୩ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Bio - Data of Chief Ministers of Orissa" (PDF). Orissa Reference Manual - 2004. pp. 192–3. Retrieved 21 May 2010. 
  2. "Statistical Report on General elections, 1951 to the 1st Lok Sabha, Volume I" (PDF). Election Commission of India website. p. 17. Retrieved 21 May 2010. 
  3. "Statistical Report on General Election, 1957 to the Legislative Assembly of Orissa" (PDF). Election Commission of India website. p. 5. Retrieved 21 May 2010. 
  4. "Statistical Report on General Election, 1961 to the Legislative Assembly of Orissa" (PDF). Election Commission of India website. p. 5. Retrieved 21 May 2010. 
  5. "Brief History of Orissa Legislative Assembly Since 1937". Orissa Legislative Assembly website. Retrieved 21 May 2010. 

ଅଧିକ ତଥ୍ୟ[ସମ୍ପାଦନା]