କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ

କାର୍ଯ୍ୟକାଳ
୨୯ ନଭେମ୍ବର ୧୯୪୧ – ୨୯ ଜୁନ ୧୯୪୪
ପୂର୍ବ ଅଧିକାରୀ ବିଶ୍ଵନାଥ ଦାସ
ପର ଅଧିକାରୀ ହରେକୃଷ୍ଣ ମହତାବ
କାର୍ଯ୍ୟକାଳ
୧ ଅପ୍ରେଲ ୧୯୩୭ – ୧୯ ଜୁଲାଇ ୧୯୩୭
ପୂର୍ବ ଅଧିକାରୀ ପଦବୀ ତିଆରି କରାଯାଇଥିଲା
ପର ଅଧିକାରୀ ବିଶ୍ଵନାଥ ଦାସ

ଜନ୍ମ ୨୬ ଏପ୍ରିଲ ୧୮୯୨(1892-04-26)
ପାରଳାଖେମୁଣ୍ଡି, ଗଜପତି ଜିଲ୍ଲା
ମୃତ୍ୟୁ ୨୫ ମଇ, ୧୯୭୪ (୮୨ ବର୍ଷ)
ପାରଳାଖେମୁଣ୍ଡି
ଜାତୀୟତା ଭାରତୀୟ
ଜୀବନ ସାଥି ନଳିନୀ ଦେବୀ
ଘର ପାରଳାଖେମୁଣ୍ଡି
ଧର୍ମ ହିନ୍ଦୁ
ବାପା ମା ଗୌରଚନ୍ଦ୍ର ଦେବ (ଦ୍ୱିତୀୟ)
ବିଷ୍ଣୁପ୍ରିୟା ଦେବୀ

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ (୧୮୯୨-୧୯୭୪) ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଜନ୍ମିତ ଜଣେ ଶାସକ ଓ ଭାଷା ଆନ୍ଦୋଳନର ପୁରୋଧା ଥିଲେ ।

ବାଲ୍ୟକାଳ, ଶିକ୍ଷା ଏବଂ ଜୀବନ[ସମ୍ପାଦନା]

ରାଜା ଗୌରଚନ୍ଦ୍ର ଦେବ (ଦ୍ୱିତୀୟ) ଓ ରାଣୀ ବିଷ୍ଣୁପ୍ରିୟା ଦେବୀଙ୍କର ଜ୍ୟେଷ୍ଠ ପୁତ୍ର ରୂପେ କୃଷ୍ଣଚନ୍ଦ୍ର ୧୮୯୨ ମସିହା ଅପ୍ରେଲ ମାସ ୨୬ତାରିଖ, ବୈଶାଖ ମାସ ଅମାବାସ୍ୟା ଦିନ ପାରଳାଖେମୁଣ୍ଡିଠାରେ ଜନ୍ମ ଗ୍ରହଣ କରିଥିଲେ [୧]। ପିତା ଗୌରଚନ୍ଦ୍ର ଗଜପତି ଓ ପିତୃବ୍ୟ ପଦ୍ମନାଭ ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁ ଓ ମି.ଏଡମଣ୍ଡ କ୍ୟାଣ୍ଡଲର ଗୃହଶିକ୍ଷକଙ୍କ ଦାୟିତ୍ଵରେ ସେ ବାଲ୍ୟଶିକ୍ଷା ସମାପ୍ତ କରିଥିଲେ । ପ୍ରାଥମିକ ଶିକ୍ଷା ଶେଷ ହେବା ପରେ ଉଚ୍ଚଶିକ୍ଷା ପାଇଁ ସେ ତତ୍କାଳୀନ ମାନ୍ଦ୍ରାଜ ଗଲେ । ଅଧ୍ୟକ୍ଷ ମରିସନ୍ ସାହେବ ଓ ଅଧ୍ୟାପକ ମି.ଡି.ଲାହେ, ନିଉଲଣ୍ଡନ କଲେଜରେ ତାଙ୍କର ଶିକ୍ଷକ ଥିଲେ । ମାନ୍ଦ୍ରାଜରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କ ପିତା ଗୌରଚନ୍ଦ୍ର ନାରାୟଣ ଦେବଙ୍କର ସ୍ୱର୍ଗବାସ ହୋଇଥିଲା । ନିଉଙ୍ଗଟନ ପ୍ରିନ୍ସ କଲେଜରୁ ପାଠପଢା ଶେଷ ପରେ କୃଷ୍ଣଚନ୍ଦ୍ର ୧୯୧୩ ମସିହାରେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରି ଖରସୁଆଁ ରାଜ୍ୟର ରାଜଜେମା ନଳିନୀ ଦେବୀଙ୍କୁ ବିବାହ କରିଥିଲେ ଓ ଶାସନ ଭାର ଗ୍ରହଣ କରିଥିଲେ ।[୨] ସେ ଦକ୍ଷିଣ ଓଡ଼ିଶାର ପ୍ରଥମ ସ୍ନାତକ ଥିଲେ କୃଷ୍ଣଚନ୍ଦ୍ର ଦେବଙ୍କର ଦୁଇ ଗୋଟି ପୁତ୍ର ଥିଲେ । ପାଟରାଣୀଙ୍କର ଅକାଳ ବିୟୋଗ ଯୋଗୁଁ ବୈବାହିକ ଜୀବନ ତାଙ୍କର ଦୀର୍ଘସ୍ଥାୟୀ ହୋଇ ନଥିଲା । ସେ ଦ୍ଵିତୀୟ ବିବାହ କରିନଥିଲେ । ୨୫ ମଇ ୧୯୭୪ରେ ତାଙ୍କର ପରଲୋକ ହୋଇଥିଲା ।[୩]

ଅବଦାନ[ସମ୍ପାଦନା]

ସେ ରାଜକୀୟ ବିଳାସ ବ୍ୟସନ ଠାରୁ ଦୂରରେ ରହି ଜାତିସେବା ଜନସେବାକୁ ଗୁରୁତ୍ବ ଦେଇଥିଲେ ।

ଶିକ୍ଷାକ୍ଷେତ୍ରରେ ଅବଦାନ[ସମ୍ପାଦନା]

କଲେଜରେ ପଢ଼ିଲାବେଳେ କିଶୋର କୃଷ୍ଣଚନ୍ଦ୍ର ସର୍ବଦା ପାରଳାଖେମୁଣ୍ଡି ଏବଂ ଓଡ଼ିଆ ଜାତିର ଉନ୍ନତି ବିଷୟରେ ଚିନ୍ତା କରୁଥିଲେ । ଏଣେ କୋର୍ଟ ଅଫ ଵର୍ଡସଙ୍କ ପ୍ରରୋଚନାରେ କୃଷ୍ଣଚନ୍ଦ୍ରଙ୍କର ପିତୃବ୍ୟ ପଦ୍ମନାଭ ଗଜପତି ପାରଳାଖେମୁଣ୍ଡିରେ ପ୍ରତିଷ୍ଠା କରିଥିବା ମହାବିଦ୍ୟାଳୟକୁ ଖର୍ଚ୍ଚ କାଟ କରିବା ଆଳରେ ଉଠାଇଦେବାକୁ ମସୁଧା କରିବା ଜାଣି କୃଷ୍ଣଚନ୍ଦ୍ର ଏହାର ଘୋର ବିରୋଧ କରିଥିଲେ । ଫଳରେ ସେହି କଲେଜ ନ ଉଠି ରହିଗଲା । ତାଙ୍କର ବିବାହ ଉତ୍ସବ ପାଳନ ଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ବାରା ସ୍ଥାପିତ ସତ୍ୟବାଦୀ ବନବିଦ୍ୟାଳୟର ଏକ ଛାତ୍ରାବାସ ନିର୍ମାଣ ଲାଗି ପାଞ୍ଚଶହ ଟଙ୍କା ଦାନକରିଥିଲେ । ଏହି ଅର୍ଥ ପାଇବା ପରେ ଗୋପବନ୍ଧୁ ଦାସ କୃଷ୍ଣଚନ୍ଦ୍ରଙ୍କୁ ଆଶୀର୍ବାଦ ଜଣାଇ ଏକ ପତ୍ର ଲେଖିଥିଲେ । ତା'ଛଡା ଓଡ଼ିଆ ସାହିତ୍ୟର ବିକାଶ ଲାଗି ଉତ୍କଳ ସାହିତ୍ୟ ସମାଜକୁ ଏକଶତ ଟଙ୍କା ଦାନ କରିଥିଲେ । ତାଙ୍କ ମତରେ ରାଜ୍ୟ ତଥା ଓଡ଼ିଶାରୁ ଅଜ୍ଞାନ ଅନ୍ଧକାର ଦୂରୀଭୂତ ହୋଇପାରିଲେ ଜନସାଧାରଣଙ୍କ ଆର୍ଥିକ, ମାନସିକ, ସାମୂହିକ ଉନ୍ନତି ସାଧିତ ହୋଇପାରିବ । ଶିକ୍ଷାର ବିକାଶ ପାଇଁ ସେ ଗୁଡ଼ିଏ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ଥାପନ କରିଥିଲେ । ମେଧାବୀ ଛାତ୍ରଙ୍କୁ ବୃତ୍ତି ଏବଂ ଗରିବ ଛାତ୍ରଙ୍କୁ ବିଦ୍ୟାଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ । ମଧୂସୁଦନ ଦାସଙ୍କ ନାରିଶିକ୍ଷା ପ୍ରାଧାନ୍ୟ ପ୍ରତି ଗୁରୁତ୍ବଦେଇ କୃଷ୍ଣଚନ୍ଦ୍ର ପାରଳାଖେମୁଣ୍ଡିରେ ଏକ ବାଳିକା ବିଦ୍ୟାଳୟ ସ୍ଥାପନ କରିଥିଲେ । ସେତେବେଳେ ବାଲ୍ୟବିବାହ ପ୍ରଚଳିତ ଥିଲା ବହୁ ଅପ୍ରାପ୍ତବୟସ୍କା ବାଳିକା ବିବାହ କରି ଅକାଳ ବୈଧବ୍ୟ ଯୋଗୁ ଦୁଃଖରେ କାଳତିପାତ କରୁଥିଲେ । ପାରଳାରେ ସଙ୍ଗୀତଜ୍ଞ ବୃନ୍ଦାବନ ପାଣିଗ୍ରାହୀଙ୍କ ଝିଅ ପାଖ ପଡିଶାର ଝିଅମାନଙ୍କୁ ଡାକି ଆଣି ନିଜ ଘରେ ପାଠ ପଢ଼ାଉଥିବା ଖବର ରାଜା କୃଷ୍ଣଚନ୍ଦ୍ରଙ୍କ କର୍ଣ୍ଣଗୋଚର ହେବାମାତ୍ରେ ସେଥିଲାଗି ସେ ଗୋଟିଏ କୋଠାଘର ଯୋଗାଇ ଦେଇ ସେଠାରେ ବାଳିକା ବିଦ୍ୟାଳୟ ଆରମ୍ଭ କରିଥିଲେ । ପ୍ରତିବର୍ଷ ପାଠପଢ଼ାରେ ଭଲ କରୁଥିବା ଝିଅମାନଙ୍କୁ ସୁନା ଓ ରୂପା ଗହଣା ସହିତ ଶାଢୀ ପୁରସ୍କାର ଦେଉଥିଲେ । ଫଳରେ ବାଳିକା ସଂଖ୍ୟା ବୃଦ୍ଧି ପାଇଲା ଓ କ୍ରମଶଃ ଏହା ପାରଳାଖେମୁଣ୍ଡିର ପ୍ରଥମ ବାଳିକା ଉଚ୍ଚବିଦ୍ୟାଳୟରେ ପରିଣତ ହେଲା । ପିତୃବ୍ୟ ପଦ୍ମନାଭ ଗଜପତିଙ୍କ ନାମରେ ପଦ୍ମନାଭ ଛାତ୍ରବୃତ୍ତି ଫଣ୍ଡ ଗଠନ କରିଥିଲେ । ସେହି ଫଣ୍ଡରୁ କଲେଜରେ ପଢୁଥିବା ଛାତ୍ରମାନଙ୍କ ପାଇଁ ଛାତ୍ରାବାସ ନିର୍ମାଣ କରାଇ ସେମାନଙ୍କ ଲାଗି ମାଗଣାରେ ଖାଇବା ଓ ରହିବାର ବ୍ୟବସ୍ଥା ହୋଇଥିଲା । ନିଜ ରାଜ୍ୟରେ ଶିକ୍ଷାର ବିସ୍ତାର ଲାଗି ମୁକ୍ତହସ୍ତ ହୋଇ ପଡ଼ିଥିଲେ କୃଷ୍ଣଚନ୍ଦ୍ର । କଲେଜ ପାଠ ଶେଷ ହେବା ପରେ ଛାତ୍ରମାନଙ୍କୁ ମାସିକ ବୃତ୍ତିଦେଇ ଦେଶର ବିଭିନ୍ନ ପ୍ରଦେଶରେ ଥିବା କୃଷି, ଇଂଜିନିୟରିଂ, ମେଡିକାଲ, ପଶୁଚିକିତ୍ସା ବା ଅନ୍ୟାନ୍ୟ ବୈଷୟିକ ଶିକ୍ଷାୟତନମାନଙ୍କରେ ପଢ଼ିବାକୁ ପଠାଇ ଦିଆଯାଉଥିଲା । ମନ୍ଦ୍ରାଜର ନିଉ ଉଇଂଗଟନ କଲେଜରେ ପଢିଲାବେଳେ ସେଠାକାର ଜଣେ ଅଧ୍ୟାପକ ମିଷ୍ଟର କାମେରାନ ମୋରିସନଙ୍କ ଦ୍ବାରା ରାଜକୁମାର କୃଷ୍ଣଚନ୍ଦ୍ର ପ୍ରଭାବିତ ହୋଇଥିଲେ । ତେଣୁ ସେ ଗାଦିନସୀନ ହେବା ପରେ ପାରଳାଖେମୁଣ୍ଡି କଲେଜ ପରିସରରେ ଷାଠିଏ ହଜାର ଟଙ୍କା ଖର୍ଚ୍ଚ କରି 'ମୋରିସନ ଏକ୍ସଟେନସନ' ନାମରେ ଏକ ବ୍ଲକ ନିର୍ମାଣ କରାଇ ୧୯୧୬ ମସିହାରେ ଅଧ୍ୟାପକ ମୋରିସନ ସାହେବଙ୍କ ଦ୍ବାରା ଉନ୍ମୋଚନ କରାଇଥିଲେ । ମହାରାଜାଙ୍କୁ ଖବର ମିଳିଲା ଯେ ଅର୍ତ୍ତତ୍ରାଣ ମିଶ୍ର ନାମକ ଜଣେ ସଂସ୍କୃତ ପଣ୍ଡିତ ତାଙ୍କ ନିଜର ବସାଘର ପିଣ୍ଡାରେ କେତେଜଣ ଛାତ୍ରଙ୍କୁ ସଂସ୍କୃତ ଶିକ୍ଷା ଦେଉଛନ୍ତି । ସେ ପଣ୍ଡିତ ମହାଶୟଙ୍କୁ ଡକାଇ ଏକ ସଂସ୍କୃତ ଶିକ୍ଷାୟତନ ଖୋଲିବାକୁ ଅନୁରୋଧ କଲେ । ସେଥିଲାଗି କୋଠା ଘର ଯୋଗାଇଦିଆଗଲା ଓ ଛାତ୍ରମାନେ ସେଠାରେ ରହି ସଂସ୍କୃତ ପଢ଼ିଲାବେଳେ ପ୍ରତି ଛାତ୍ରକୁ ମାସକୁ ପାଞ୍ଚ ଟଙ୍କା ଓ ସାତ ମାଣ ଚାଉଳ ଦିଆଯାଉଥିଲା । ସେହି ସମୟରେ ଏହି ସାହାଯ୍ୟ କିଛି କମ ନଥିଲା । ପରବର୍ତ୍ତୀ ସମୟରେ ପାରଳାଖେମୁଣ୍ଡି ସଂସ୍କୃତ କଲେଜ ମାନ୍ଦ୍ରାଜ ବିଶ୍ଵବିଦ୍ୟାଳୟରୁ ସ୍ବୀକୃତିପ୍ରାପ୍ତ ହୋଇଥିଲା । କୃଷ୍ଣଚନ୍ଦ୍ରଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ଓଡ଼ିଶାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିକାଶ ଘଟାଇ ଏକ ବିଶ୍ଵବିଦ୍ୟାଳୟ ସ୍ଥାପନ କରିବା । ଏଥିପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରିଥିଲେ । ଶିକ୍ଷା ବିଭାଗରେ କାର୍ଯ୍ୟରତ ସଚିବ ରେଭେନ୍ସା କଲେଜର ଅଧ୍ୟକ୍ଷ ଏସସି ତ୍ରିପାଠୀଙ୍କ ସମେତ କଟକ ଟ୍ରେନିଂ କଲେଜ ଅଧ୍ୟକ୍ଷ ମହେଶ ଚନ୍ଦ୍ର ପ୍ରଧାନ, ଖାଲ୍ଲିକୋଟ କଲେଜର ଅଧ୍ୟକ୍ଷ ପି ମହାନ୍ତି, ପାରଳାଖେମୁଣ୍ଡି କଲେଜର ଅଧ୍ୟକ୍ଷ ପି ଜଗନ୍ନାଥ ସ୍ଵାମୀ ଓ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କୁ ନେଇ ଏହି କମିଟି ରିପୋର୍ଟ ଦାଖଲ କରିବା ପରେ ଉତ୍କଳ ବିଶ୍ଵବିଦ୍ୟାଳୟ ଗଠନ କରିବାକୁ ନିଷ୍ପତି ନିଆଯାଇଥିଲା ।[୪] ପଣ୍ଡିତ ଗୋପିନାଥ ନନ୍ଦଙ୍କ ସଙ୍କଳିତ 'ଓଡ଼ିଆ ଶବ୍ଦତତ୍ତ୍ଵ ବୋଧ ଅଭିଧାନ' ମୂଦ୍ରଣ କରାଇଥିଲେ ।[୫] ଗବେଷକ ମାନଙ୍କ ପଠନ ନିମନ୍ତେ ନିଜ ରାଜ ଉଆସରେ ଏକ ବିରାଟ ପାଠାଗାରର ସ୍ଥାପନା କରିଥିଲେ ।

ଓଡ଼ିଶା ଏକତ୍ରୀକରଣ[ସମ୍ପାଦନା]

ସେସମୟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ବିଭିନ୍ନ ପ୍ରଶାସନିକ ଅଧିନରେ ରହିଥିଲା । ସମସ୍ତ ଓଡ଼ିଆ ଭାଷାଭାଷୀ ଲୋକ ଗୋଟିଏ ଅଞ୍ଚଳରେ ରହିଲେ,ଉନ୍ନତୀ ସମ୍ଭବ ବୋଲି କୃଷ୍ଣଚନ୍ଦ୍ର ଦେବ ହୃଦୟଙ୍ଗମ କରିପାରିଥିଲେ । ତଦନୁସାରେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ କାର୍ଯ୍ୟ କରିବାକୁ ସେ ଶପଥ ଗ୍ରହଣ କରିଥିଲେ । ପାରଳାଖେମୁଣ୍ଡି ଠାରେ ୧୯୧୨ରେ ହୋଇଥିବା ଉତ୍କଳ ସମ୍ମିଳନୀରେ ସେ ଜଣେ ପୁରୋଧା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[୬] ୧୯୧୪ ମସିହା ଡିସେମ୍ବର ୨୭ ଓ ୨୮ ତାରିଖରେ ସେ ଦଶମ ଉତ୍କଳ ସମ୍ମିଳନୀ ପାରଳାଖେମୁଣ୍ଡି ଠାରେ ଆହୂତ କରି ନିଜର କର୍ମକୁଶଳତା ଦେଖାଇଥିଲେ । ସେଠାରେ ପ୍ରଥମଥର ପାଇଁ ସେ ପୂର୍ଣ୍ଣାଙ୍ଗ ସ୍ଵତନ୍ତ୍ର ଓଡ଼ିଶା ଗଠନର ମୂଳଭିତ୍ତି ପକାଇଥିଲେ । ଏହି ସମ୍ମିଳନୀର ପ୍ରାରମ୍ଭରେ କୃଷ୍ଣଚନ୍ଦ୍ର ଗଜପତି ଦୃଢ଼ତାର ସହିତ ପ୍ରସ୍ତାବ ଦେଇ କହିଲେ,"ଓଡ଼ିଆ ଭାଷାଭାଷୀଙ୍କୁ ଏକ ଶାସନାଧୀନ କରିବାପାଇଁ କେବଳ ଦାବି ନ କରି ସମଗ୍ର ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳକୁ ଏକତ୍ରୀତ କରି ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବି କରିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ।" କୃଷ୍ଣଚନ୍ଦ୍ରଙ୍କର ଏଇଭଳି ବଳିଷ୍ଠ ଓ ଅକାଟ୍ୟ ଯୁକ୍ତି ସମ୍ମିଳନୀର ନେତୃବର୍ଗ ଏପରିକି ବୟୋଜ୍ୟୋଷ୍ଠ ନେତା ମଧୁବାବୁଙ୍କୁ ମଧ୍ୟ ଚକିତ କରି ଦେଇଥିଲା ଏବଂ ଗଜପତିଙ୍କର ଏହି ବଜ୍ର ନିର୍ଘୋଷ ନିନାଦ ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ଶଶିଭୂଷଣ ରଥ ଓ ମଧୁସୂଦନ ଦାସ ଇତ୍ୟାଦିଙ୍କ ସମର୍ଥନ ପାଇ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଏକ ପ୍ରସ୍ତାବ ଭାବରେ ଉତ୍କଳ ସମ୍ମିଳନୀରେ ଗୃହୀତ ହେଲା । ୧୯୧୭ ମସିହାରେ ମଣ୍ଟେଗୁ-ଚେମସ୍ ଫୋର୍ଡ କମିଟି ଭାଷାଭିତ୍ତିକ ପ୍ରଦେଶ ଗଠନ ସପକ୍ଷରେ ମତ ପ୍ରକାଶ କରିଥିଲେ । ଏ ସମ୍ପର୍କରେ ଉତ୍କଳର ସଦସ୍ୟଭାବେ କୃଷ୍ଣଚନ୍ଦ୍ର ଦିଲ୍ଲୀଠାରେ ମଣ୍ଟେଗୁଙ୍କ ସହିତ ସାକ୍ଷାତ କରିଥିଲେ । ୧୯୨୨ ମସିହାରେ ବିହାର-ଓଡ଼ିଶା ବ୍ୟବସ୍ଥାପକ ସଭାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରଣ ପାଇଁ ଏକ ସ୍ଵତନ୍ତ୍ର ପ୍ରସ୍ତାବ ଗୃହୀତ ହୋଇଥିଲା । ଫିଲିପ୍ ଡଫ୍ କମିଟି ବିଶାଖାପାଟଣା ଓ ଗଞ୍ଜାମ ଗସ୍ତ ବେଳେ ଗଜପତିଙ୍କ ସହିତ ସାକ୍ଷାତ କରିଥିଲେ । ୧୯୨୭ ମସିହାରେ ଭାରତରେ ଶାସନ ସଂସ୍କାର ପାଇଁ ବ୍ରିଟିଶ୍ ସରକାର ସାଇମନ୍ କମିଶନ୍ ନିଯୁକ୍ତି କରିଥିଲେ । ସମଗ୍ର ଦେଶ ସେତେବେଳେ ସାଇମନ୍ କମିଶନଙ୍କୁ ବାସନ୍ଦ କରିଥିଲେ । କିନ୍ତୁ ଓଡ଼ିଶାର ସ୍ଵାର୍ଥ ନିମନ୍ତେ ଗଜପତି ଅଣ୍ଟାଭିଡ଼ି ସାଇମନ୍ କମିଶନ୍ ଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଆଗେଇ ଆସିଥିଲେ । ଯା'ଫଳରେ ଓଡ଼ିଶା କଥା ବିଚାର କରିବା ପାଇଁ ଅଟଲି ଙ୍କ ଅଧ୍ୟକ୍ଷତାରେ ଏକ ସବ୍ କମିଟି ଗଠନ କରାଗଲା ଓ ସେହି କମିଟି ଓଡ଼ିଶା ପାଇଁ ଅନୁକୂଳ ମତ ପ୍ରକାଶ କଲେ । ପ୍ରଥମ ଗୋଲ ଟେବୁଲ ବୈଠକ (୧୯୩୦-୩୧) ଲଣ୍ଡନଠାରେ ଅନୁଷ୍ଠିତ ହେଲା । ବିହାର ଓ ଓଡ଼ିଶା ସରକାଙ୍କ ତରଫରୁ କୃଷ୍ଣଚନ୍ଦ୍ର ଗଜପତି ମନୋନୀତ ସଭ୍ୟଭାବେ ଗୋଲ ଟେବୁଲ୍ ବୈଠକରେ ଯୋଗ ଦେଇଥିଲେ । [୭][୮]

ବୈଠକରେ ଓଡ଼ିଶାର ଦାବୀ ଉତ୍‌ଥାପନ କରି ଏକ ଐତିହାସିକ ଭାଷଣ ଦେଇ ବ୍ରିଟିଶ ସରକାରଙ୍କର ଦୃଷ୍ଟି ଆକର୍ଷଣ କରି କହିଥିଲେ,"ଆମେ ଚାହୁଁ ଭାଷା ଓ ଜାତି ସୂତ୍ରରେ ପ୍ରଦେଶ ଗଠନ । ଏକ କୋଟି ଓଡ଼ିଆଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଅନୁମତି ନଦେଇ ଆପଣମାନେ ଭାରତରେ ନୂତନ ଶାସନ ସଂସ୍କାର କରିପାରିବେ ନାହିଁ ।" ଏହି ମନୀଷୀଙ୍କ ଯୁକ୍ତିଯୁକ୍ତ ବକ୍ତବ୍ୟ ଶୁଣି ଗୋଲ ଟେବୁଲ୍ ବୈଠକରେ ଉପସ୍ଥିତ ବ୍ରିଟିଶ ସରକାରଙ୍କର ପ୍ରତିନିଧିମାନେ ସ୍ତବ୍ଧ ହୋଇଯାଇଥିଲେ ।

ବିଲାତ ସରକାର ୧୯୩୧ ମସିହାରେ ଓଡ଼ନେଲ କମିଟି ବସାଇଲେ ଓ ଏହି କମିଟି ମୂଖ୍ୟତଃ ତିନୋଟି ବିଷୟ ପ୍ରତି ଧ୍ୟାନ ଦେଇଥିଲେ । ତନ୍ମଧ୍ୟରୁ ଗୋଟିଏ ଥିଲା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସୀମା ନିର୍ଦ୍ଧାରଣ । ୧୯୩୨ ମସିହାରେ ଓଡ଼ନେଲ କମିଟି ରିପୋର୍ଟ ପ୍ରକାଶ ପାଇଲା । ଫିଲିପ୍ ଡଫ୍ କମିଟିର ଅନୁମୋଦନ ଲାଭକରି ୧୯୩୩ ମସିହାରେ ଏହି ବିଷୟ ଶ୍ଵେତପତ୍ରରେ ପ୍ରକାଶ ପାଇଲା । ଏହି ଶ୍ଵେତପତ୍ର ନୈରାଶ୍ୟଜନକ ଥିଲା । କାରଣ ପାରଳାଖେମୁଣ୍ଡି ଓ ଜୟପୁର ଜମିଦାରୀ ଏଥିରୁ ବାଦ୍ ପଡ଼ିଥିଲା । ମଧୁବାବୁଙ୍କ ନିବେଦନ କ୍ରମେ କୃଷ୍ଣଚନ୍ଦ୍ର ଜଏଣ୍ଟ ସିଲେକ୍ଟ କମିଟି ଆଗରେ ଏହି କଥା ଉପସ୍ଥାପନା କରିବା ନିମନ୍ତେ ବିଲାତ ଯାଇ ୧୯୩୪ରେ ପାରଳାଖେମୁଣ୍ଡିର ଓଡ଼ିଶାରେ ମିଶ୍ରଣ ପାଇଁ ଜଏଣ୍ଟ ପାର୍ଲାମେଣ୍ଟାରି କମିଟିଠାରେ ଆବେଦନ କରିଥିଲେ । ଏହି କମିଟିର ଅଧ୍ୟକ୍ଷ ଲର୍ଡ଼ ଲିନ୍‌ଲିଥ୍‌ଗୋଙ୍କୁ ପ୍ରଭାବିତ କରିପାରିଥିଲେ । ପରେ ଭାରତର ବଡ଼ଲାଟ ଲର୍ଡ଼ ଉଇଲିଂଡ଼ନ୍‌ଙ୍କୁ ପ୍ରଭାବିତ କରି ଓଡ଼ିଶା ସହିତ ପାରଳାଖେମୁଣ୍ଡି ଓ ଜୟପୁରକୁ ମିଶାଇବା ପାଇଁ ରାଜି କରାଇ ପାରିଥିଲେ । ତାଙ୍କଦେଇ ଲେଖା ମେମୋରେଣ୍ଡମରେ ଓଡ଼ିଶା ସହିତ ପାରଳାଖେମୁଣ୍ଡିର ମିଶ୍ରଣ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ପାଇଁ ସ୍ପଷ୍ଟ ଦାବିକୁ ଅଗ୍ରାଧିକାର ଦେଇ ଇଂରେଜ ସରକାର ଏହାକୁ ଓଡ଼ିଶା ଅନ୍ତର୍ଗତ କରିଥିଲେ ଓ ୧୯୩୬ ଏପ୍ରିଲ ପହିଲାରେ ଏହି ଦାବି ଓ ଉତ୍କଳ ସମ୍ମିଳନୀର ଦାବି ଫଳରେ ୬ ଗୋଟି ଜିଲ୍ଲାକୁ ନେଇ ଓଡ଼ିଶା ଏକ ସ୍ଵତନ୍ତ୍ର ପ୍ରଦେଶ ରୂପେ ମାନ୍ୟତା ଲାଭ କଲା ।

ସ୍ଵତନ୍ତ୍ର ପ୍ରଦେଶ ଗଠନ ପାଇଁ ସେ ତିନିଥର ଲଣ୍ଡନ ଯାଇଥିଲେ । ଶୁଣାଯାଏ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସ୍ଵତନ୍ତ୍ର ଉତ୍କଳ ଗଠନ ନେଇ ବାରମ୍ବାର ଲଣ୍ଡନ ଯିବାଫଳରେ ସେ ଅର୍ଥନୈତିକ ଚାପରେ ପଡ଼ି ରାଜପ୍ରସାଦର ବହୁ ମୂଲ୍ୟବାନ ଅଳଙ୍କାର ପ୍ରଜାଙ୍କ ମଙ୍ଗଳପାଇଁ ବିକ୍ରି କରିଥିଲେ ।

ଅନ୍ୟାନ୍ୟ[ସମ୍ପାଦନା]

ନିଜ ଶାସନ କାଳରେ ସେ ନିଜ ରାଜ୍ୟ ଭିତର ଦେଇ ନୂଆପଡ଼ା-ପାରଳାଖେମୁଣ୍ଡି ରେଳପଥକୁ ଗୁଣୁପୁର ଯାଏ ସମ୍ପ୍ରସାରିତ କରିଥିଲେ । କୃଷି ଓ ଶିଳ୍ପ ପାଇଁ ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲା ଧାନ କଳ, ତେଲ କଳ ଏବଂ ଲୁହା କାରଖାନା ବସାଇଥିଲେ । ।[୯]

ରାଜନୀତି[ସମ୍ପାଦନା]

୧୯୧୩ ମସିହାରେ ରାଜ୍ୟାଭିଷେକ ପରେ ସେ ପାଞ୍ଚୋଟି କାର୍ଯ୍ୟ କରିବା ପାଇଁ ଶପଥ ଗ୍ରହଣ କରିଥିଲେ ଓ ପରବର୍ତ୍ତୀ ଜୀବନରେ ଏହି ସର୍ତ୍ତ ଗୁଡ଼ିକ ପାଳନ କରିଥିଲେ ।

  1. ପିତାଙ୍କ ସଂରକ୍ଷିତ ରାଜକୋଷ (୨୫ ଲକ୍ଷ ଟଙ୍କାରୁ ନିଜ ସୁଖ ସ୍ଵାଚ୍ଛନ୍ଦ୍ୟ ନିମନ୍ତେ ଖର୍ଚ୍ଚ କରିବେ ନାହିଁ । ସେହି ଗଚ୍ଛିତ ଧନ କେବଳ ଦେଶୋପକାରରେ ଲାଗିବ ।
  2. ପୂର୍ବପୁରୁଷଙ୍କ ଦ୍ଵାରା ନିର୍ମିତ କୀର୍ତ୍ତିମାଳାର ଉନ୍ନତି ସାଧନ,
  3. ପ୍ରଜାମଙ୍ଗଳ ନିମନ୍ତେ ଲୋକହିତକର କାର୍ଯ୍ୟ କରିବା,
  4. ପଦବ୍ରଜରେ ଯାଇ ବ୍ରହ୍ମକପାଳରେ ପିତା ଓ ପ୍ରପିତାମହଙ୍କୁ ପିଣ୍ଡ ଦେବେ ଓ
  5. ସ୍କଟଲ୍ୟାଣ୍ଡର ବନାନୀ ମଧ୍ୟରେ ପଶୁ ଶିକାର କରିବେ ।

ବ୍ରିଟିଶ ପର୍ଲ୍ୟାମେଣ୍ଟରେ ୧୯୩୫ ମସିହା ଭାରତ ଆଇନ ସଂଶୋଧନ ହୋଇ ସମଗ୍ର ଭାରତୀୟ ଉପମହାଦେଶକୁ ୧୧ଟି ପ୍ରଦେଶରେ ବିଭକ୍ତ କରାଗଲା । ପ୍ରତି ପ୍ରଦେଶର ବିଧାନସଭା ପାଇଁ ନିର୍ବାଚନ ହେଲା । ଓଡ଼ିଶା ବିଧାନସଭାରେ ୬୦ ଟି ଆସନରୁ ୩୬ ଟି ଆସନ କଂଗ୍ରେସ ଦଳ ହାତରେ ଥିବା ସ୍ଥଳେ କୃଷ୍ଣଚନ୍ଦ୍ରଙ୍କ ଦେଇ ଗଠିତ ଓଡ଼ିଶା ଜାତୀୟ ଦଳ ହାତରେ ୨୪ ଟି ଆସନ ଥିଲା । ତେଣୁ ସଂଖ୍ୟା ଗରିଷ୍ଠ କଂଗ୍ରେସ ଦଳ ମନ୍ତ୍ରିମଣ୍ଡଳ ଗଠନ କରିବା କଥା ମାତ୍ର ତତ୍କାଲିନ ରାଜ୍ୟପାଳମାନଙ୍କ ସ୍ବତନ୍ତ୍ର କ୍ଷମତାକୁ ବିରୋଧ କରି କୌଣସି ରାଜ୍ୟରେ କଂଗ୍ରେସ ଦଳ କୌଣସି ରାଜ୍ୟରେ ଶାସନ ଦାୟିତ୍ଵ ନେଲେ ନାହିଁ । ତେଣୁ ଓଡ଼ିଶାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ଓଡ଼ିଶାର ଶିକ୍ଷାମନ୍ତ୍ରୀ ଭାବେ ରହିଲେ ପଣ୍ଡିତ ଗୋଦାବରୀଶ ମିଶ୍ର[୧୦]

ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଠିକ ବର୍ଷକ ପରେ ଅର୍ଥାତ ୧୯୩୭ ମସିହା ଏପ୍ରିଲ୍ ମାସ ୧ ତାରିଖରେ ଓଡ଼ିଶାର ପ୍ରଥମ ଗଭର୍ଣ୍ଣର ସାର୍ ଜନ ଅଷ୍ଟିନ ହବାକ ଗଜପତି କୃଷ୍ଣଚନ୍ଦ୍ର ଦେବଙ୍କୁ ନେତା ରୂପେ ନିର୍ବାଚିତ କରି ପ୍ରଥମ ମନ୍ତ୍ରିମଣ୍ଡଳ ଗଠନ କରିବାପାଇଁ ନିମନ୍ତ୍ରଣ କଲେ । ତେଣୁ ଗୋରାଚାନ୍ଦ ପଟ୍ଟନାୟକ ଓ ଲତିଫୁର ରହମାନଙ୍କୁ ସଦସ୍ୟ ଭାବରେ ନେଇ ମନ୍ତ୍ରିମଣ୍ଡଳ ଗଠନ କରି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୧୯୩୭ ମସିହା ଏପ୍ରିଲ ପହିଲାରୁ ଜୁଲାଇ ମାସ ଅଠର ତାରିଖ ପର୍ଯ୍ୟନ୍ତ ଶାସନ କାର୍ଯ୍ୟ ପରିଚାଳନା କଲେ ଏବଂ ପରେ ୧୯୪୧ ମସିହା ନଭେମ୍ବର ମାସ ଠାରୁ ୧୯୪୪ ମସିହା ଜୁନ ମାସ ପର୍ଯ୍ୟନ୍ତ ତୃତୀୟ ମନ୍ତ୍ରିମଣ୍ଡଳରେ ପୁନର୍ବାର ପ୍ରଧାନମନ୍ତ୍ରୀ ରୂପେ ଯୋଗଦେଇ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ।

ଭାଷା ଆନ୍ଦୋଳନରେ ଭୂମିକା[ସମ୍ପାଦନା]

କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚଶିକ୍ଷାର ସୁବିଧା ପାଇଁ କଲେଜ ପ୍ରତିଷ୍ଠା କରିବା ସଙ୍ଗେସଙ୍ଗେ ଗରିବ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ବ୍ୟବସ୍ଥା ମଧ୍ୟ କରିଥିଲେ । ମହାରାଜାଙ୍କ ମନ୍ତ୍ରୀତ୍ଵ ଥିବାଯାଏ ତାଙ୍କର ମାସିକ ଦରମା ଓ ଗସ୍ତଖର୍ଚ୍ଚ ସବୁ ଉତ୍କଳ ବିଶ୍ଵବିଦ୍ୟାଳୟକୁ ଦାନ କରୁଥିଲେ । ପଣ୍ଡିତ ଗୋପୀନାଥ ନନ୍ଦଙ୍କ "ଓଡ଼ିଆ ଶବ୍ଦତତ୍ତ୍ଵବୋଧ ଅଭିଧାନ"ର ମୁଦ୍ରଣ ଖର୍ଚ୍ଚ, ଗୋପାଳକୃଷ୍ଣ ପଦ୍ୟାବଳୀର ପ୍ରକାଶନ, ଜଗବନ୍ଧୁ ସିଂହଙ୍କ "ପ୍ରାଚୀନ ଉତ୍କଳ" ପ୍ରକାଶନ, ସିଂହଭୂମି ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରସାର ଓ ପ୍ରଚାର ,"ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ୫ମ ଖଣ୍ଡ" ର ମୁଦ୍ରଣ ଓ ବହୁ କାବ୍ୟର ପ୍ରକାଶନ ପାଇଁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦେଇ ଗଜପତି ନିଜକୁ ଜଣେ ସାହିତ୍ୟାନୁରାଗୀ ଭାବରେ ପରିଚୟ ଦେଇଥିଲେ । ସେ ତତ୍‌କାଳୀନ ଓଡ଼ିଶାର କୃଷକମାନଙ୍କ ଉନ୍ନତି ପାଇଁ ପାରଳାଖେମୁଣ୍ଡିରେ ଆଦର୍ଶ କୃଷି ଫାର୍ମ ଓ କଟକଠାରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠାର ପ୍ରାରମ୍ଭିକ କାର୍ଯ୍ୟ ମଧ୍ୟ ତାଙ୍କ ସମୟରେ ଆରମ୍ଭ ହୋଇଥିଲା । ସେ ପାରଳାଖେମୁଣ୍ଡିଠାରେ ମଧ୍ୟ ଏକ ଛୋଟ ଇସ୍ପାତ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରି ତାହାକୁ ଟାଟା କମ୍ପାନୀ ସହିତ ଚୁକ୍ତି କରିଥିଲେ । ଓଡ଼ିଶାରେ କଳା ଓ ସଂସ୍କୃତିର ପ୍ରସାର ଓ ପ୍ରଚାର ପାଇଁ ତାଙ୍କର ଅବଦାନ ଅତୁଳନୀୟ । ବିଶେଷ କରି ଲଳିତକଳା, ସାହିତ୍ୟ, ସଙ୍ଗୀତ, ରାଗ ରାଗିଣୀ, ଗୋଟିପୁଅ ନାଚ ବା ଗାନ୍ଧର୍ବ ବିଦ୍ୟାରେ ମହାରାଜାଙ୍କ ଜନ୍ମସ୍ଥାନ ପାରଳାଖେମୁଣ୍ଡି ଥିଲା ଚିରପ୍ରସିଦ୍ଧ । ଯାହାକି ସହରର ଅବସ୍ଥିତି ସାହିତ୍ୟ ସଙ୍ଗୀତର ଏକ କ୍ଷୁଦ୍ର ସଂସ୍କରଣ ବୋଲି ମନେହୁଏ । ଘୁମୁସରର ରାଜା ଧନଞ୍ଜୟ ଭଞ୍ଜ ନାତି ଉପେନ୍ଦ୍ର ଭଞ୍ଜଙ୍କୁ କଥା ଛଳରେ କହିଥିଲେ -

"ଗଣିତରେ ଖଣ୍ଡପଡା ସଂସ୍କୃତରେ ନୟାଗଡ଼
କ୍ଷତ୍ରିୟରେ ଘୁମୁସର
ଧରାକୋଟ ରାଜନୀତି,
ଗନ୍ଧର୍ବବିଦ୍ୟାରେ ପାରଳାଖେମୁଣ୍ଡି
ମନେରଖିଥିବୁ ନାତି ।"

ସଦସ୍ୟତା[ସମ୍ପାଦନା]

ମାଡ୍ରାସର ଜଷ୍ଟିସ ପାର୍ଟିର ସେ ଜଣେ ସଭ୍ୟ ଭାବରେ କାମ କରୁଥିଲେ । ଏଥି ସହିତ ରୟାଲ ଆଗ୍ରିକଲଚରାଲ କମିସନର ସଭ୍ୟ ଭାବରେ ୧୯୨୭ରୁ କାମ କରୁଥିଲେ ।[୧୧] ୧୯୪୭ରୁ ୧୯୫୦ ଯାଏଁ ସେ ଭାରତୀୟ ସମ୍ବିଧାନ ସଭାର ସଦସ୍ୟ ଥିଲେ ।[୧୨] ଏହା ସହିତ ସେ ରୟାଲ ସୋସାଇଟି ଅଫ ଆର୍ଟସ ଓ ରୟାଲ ଏସିଆଟିକ ସୋସାଇଟି, ଲଣ୍ଡନ ଓ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ଵବିଦ୍ୟାଳୟର ଆଜୀବନ ସଭ୍ୟ ମଧ୍ୟ ଥିଲେ ।

  • ଉତ୍କଳ ସମ୍ମିଳନୀ, ଓଡ଼ିଶା
  • ରୟାଲ ଆଗ୍ରିକଲଚରାଲ କମିସନ
  • ଜଷ୍ଟିସ ପାର୍ଟି, ମାନ୍ଦ୍ରାଜ
  • ରୟାଲ ସୋସାଇଟି ଅଫ ଆର୍ଟସ, ଲଣ୍ଡନ
  • ରୟାଲ ଏସିଆଟିକ ସୋସାଇଟି, ଲଣ୍ଡନ
  • ଆଜୀବନ ସଭ୍ୟ, ଉତ୍କଳ ବିଶ୍ଵବିଦ୍ୟାଳୟ, ଭୁବନେଶ୍ୱର
  • ଭାରତୀୟ ସମ୍ବିଧାନ ସଭା (୧୯୪୭ରୁ ୧୯୫୦)

ମାନ ସମ୍ମାନ ଓ ପଦପଦବୀ[ସମ୍ପାଦନା]

୧୯୩୨ରେ ତାଙ୍କୁ ଓଡ଼ିଶା ସରକାର "ମହାରାଜା" ଉପାଧିରେ ଭୂଷିତ କରିଥିଲେ । ସେହି ବର୍ଷ ବ୍ରିଟିଶ ସରକାର ତାଙ୍କୁ କେସିଆଇଇ ଉପାଧି ମଧ୍ୟ ଦେଇଥିଲେ । ତାଙ୍କୁ ଉତ୍କଳ ବିଶ୍ଵବିଦ୍ୟାଳୟ ତରଫରୁ LL. D ରେ ଭୂଷିତ କରାଯାଇଥିଲେ । ପରବର୍ତ୍ତୀ ସମୟରେ ଅର୍ଥାତ ଗାନ୍ଧୀ ଜୟନ୍ତୀ ୧୯୯୨ ରେ ବିଜୁ ପଟ୍ଟନାୟକଙ୍କ ସମୟରେ ପାରଳାଖେମୁଣ୍ଡି ମହାରାଜାଙ୍କ ନାମରେ ଗଜପତି ଜିଲ୍ଲା ଭାବରେ ନାମିତ ହେଲା ।[୧୩] ୧୯୧୬ରେ ସେ ସରକାରଙ୍କ ଦେଇ ସେନା-ବଳର କମିସନର ପଦରେ ନିଯୁକ୍ତ ହୋଇଥିଲେ ।[୧୪] ସ୍ଵାଧୀନତା ପରବର୍ତ୍ତୀ କାଳରେ ୧୯୫୪ ମସିହାରେ ସେ ହିନ୍ଦୁସ୍ଥାନ୍ ଷ୍ଟିଲ୍ ଲିମିଟେଡ୍‌ର ନିର୍ଦ୍ଦେଶକ ରୂପେ କେନ୍ଦ୍ର ସରକାରଙ୍କ ଦ୍ଵାରା ମନୋନୀତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ପ୍ରତ୍ୟକ୍ଷ ବିବାଦମାନ ରାଜନୀତିରୁ ଅପସରି ଯାଇ କୃଷି ଓ ଶିଳ୍ପର ଉନ୍ନତି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ।


ଆଧାର[ସମ୍ପାଦନା]

  1. ପାରଳାଖେମୁଣ୍ଡିର ମହାରାଜା ଗଜପତି ନାରାୟଣ ଦେବ
  2. "Eminent Persons -123orissa.com". 123orissa.com. 2012. http://www.123orissa.com/person/person.asp?sno=11&cat=f. Retrieved 3 July 2012. "he was sworn in as the King of Paralakhemundi in the year 1913." 
  3. "Odisha Files: Jobs | Education | Politics | Tourism | Events: Maharaja Shri Krushna Chandra Gajapati Narayan Deo". odishafiles.com. 2013. http://www.odishafiles.com/2012/11/maharaja-shri-krushna-chandra-gajapati.html. Retrieved 21 May 2013. "He breathed last on 25th of May 1974." 
  4. ମହାନ୍ତି, ଗୁରୁପ୍ରସାଦ (୨୫/୫/୨୦୧୫). "ଶିକ୍ଷାପ୍ରେମୀ ମହାରାଜା କୃଷ୍ଣଚନ୍ଦ୍ର". ଧରିତ୍ରୀ. http://www.dharitri.com/Berhampur/250515/p6.htm. Retrieved ୨୫/୫/୨୦୧୫. 
  5. http://sambadepaper.com/epapermain.aspx?edcode=10&eddate=5/25/2015%2012:00:00%20AM&querypage=2#
  6. "talentodisha.com the complete odisha or Orissa Talet Information". talentodisha.com. 2012. http://www.talentodisha.com/odisha-orissa-information-directory/great-odiya/shri-krushna-chandra-gajapati/print.html?tmpl=component. Retrieved 3 July 2012. "He took the leadership for formation of the Swatantra Utkal Pradesh and shouldered the responsibility in conducting the 10th Utkal Sameelani at Paralakhemundi in the year 1912" 
  7. "History of Orissa". theorissa.com. 2012. http://www.theorissa.com/index.php/about-orissa/history-orissa. Retrieved 5 July 2012. "Krushna Chandra Gajapati Narayan Dev, Maharaja of Paralakhemundi, represented Odisha in the Round Table Conference" 
  8. "Gajapati Maharaja Krushna Chandra Dev in India". india9.com. 2012. http://www.india9.com/i9show/Gajapati-Maharaja-Krushna-Chandra-Dev-16198.htm. Retrieved 3 July 2012. "He took part in the Round Table Conference held in 1931 and 1933 and placed a demand for the creation of a separate state of Orissa." 
  9. http://sambadepaper.com/Details.aspx?id=166713&boxid=335772
  10. ମହାନ୍ତି, ଗୁରୁପ୍ରସାଦ (୨୫/୫/୨୦୧୫). "ଶିକ୍ଷାପ୍ରେମୀ ମହାରାଜା କୃଷ୍ଣଚନ୍ଦ୍ର". ଧରିତ୍ରୀ. http://www.dharitri.com/Berhampur/250515/p6.htm. Retrieved ୨୫/୫/୨୦୧୫. 
  11. "Gajapati Maharaja Krushna Chandra Dev". orissadiary.com. 2012. http://orissadiary.com/personality/freedom_fighter/KrushnaChandraDev.asp. Retrieved 5 July 2012. "He was a member of old Madras Legislative Council, a member of royal commission of Agriculture and a member of Orissa Legislative Assembly" 
  12. "Rajya Sabha". rajyasabha.nic.in. 2012. http://rajyasabha.nic.in/rsnew/constituent_assembly/constituent_assembly.asp. Retrieved 5 July 2012. "Krishna Chandra Gajapati Narayana Deo of Parlakimedi" 
  13. "Gajapati District Profile :: Bridging the Digital Gap". gajapati.nic.in. 2012. http://gajapati.nic.in/DistProfile.htm. Retrieved 5 July 2012. "Gajapati district has been named after Maharaja Sri Krushna Chandra Gajapati Narayan Deo" 
  14. "MAHARAJA SHRI KRUSHNA CHANDRA GAJAPATI NARAYAN DEO". talentodisha.com. 2012. http://www.talentodisha.com/vacancy/item/127-maharaja-shri-krushna-chandra-gajapati-narayan-deo.html. Retrieved 5 July 2012. "In 1916, he was nominated by the Government to hold the post of Honorary Commissioner of the Land-Force of the Defence of India" 

ଅଧିକ ତଥ୍ୟ[ସମ୍ପାଦନା]

  • The Makers of Modern Orissa. Orissa Review. April 2011. pp. 11-12