ହୃଦ୍ଘାତ
ହୃଦ୍ଘାତ | |
---|---|
![]() ହୃଦ୍ଘାତ ଚିତ୍ର (2) ହୃତ୍ପିଣ୍ଡର ସମ୍ମୁଖ କାନ୍ଥ ଶିଖରର ରକ୍ତରୋଧୀ ତନ୍ତୁ ମୃତ୍ୟୁ (1) ବାମ କରୋନାରି ଧମନୀର ଏକ ଶାଖା ବନ୍ଦ ହୋଇଯିବା ଯୋଗୁ ସଂଘଟିତ ହୋଇଛି, ଡାହାଣ କରୋନାରି ଧମନୀ | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | cardiology[*] |
ଆଇସିଡ଼ି-୧୦ | I21.-I22. |
ଆଇସିଡ଼ି-୯-ସିଏମ୍ | 410 |
ରୋଗ ଡାଟାବେସ | 8664 |
ମେଡ଼ିସିନ-ପ୍ଲସ | 000195 |
ଇ-ମେଡ଼ିସିନ | med/1567 emerg/327 ped/2520 |
Patient UK | ହୃଦ୍ଘାତ |
MeSH | D009203 |
ହୃଦ୍ଘାତ (ଇଂରାଜୀରେ ମାୟୋକାର୍ଡ଼ିଆଲ ଇନଫାର୍କସନ ବା ଏମ.ଆଇ. ଅଥବା ଆକ୍ୟୁଟ ମାୟୋକାର୍ଡ଼ିଆଲ ଇନଫାର୍କସନ ବା ଏ.ଏମ.ଆଇ., ବା ହାର୍ଟ ଆଟାକ୍ ଯଥାକ୍ରମେ Myocardial infarction (MI) or acute myocardial infarction (AMI), commonly known as a heart attack), ରୋଗ ହୁଏ ଯେତେବେଳେ ହୃତ୍ପିଣ୍ଡର ଗୋଟିଏ ଅଂଶକୁ ରକ୍ତ ସରବରାହ ବନ୍ଦ ହୋଇ ସେହି ସ୍ଥାନର ହୃତ୍ପିଣ୍ଡ ମାଂସପେଶୀ ମରିଯାଆନ୍ତି । ଏହାର ଅତି ସାଧାରଣ ଲକ୍ଷଣ: ଛାତି ଯନ୍ତ୍ରଣା ବା ଛାତି ବେଆରାମ ଯାହା କାନ୍ଧ, ବାହୁ, ପିଠି ଓ ହନୁ ହାଡ଼ ଆଡ଼କୁ ମାଡ଼ିଯାଏ । ଅଧିକାଂଶ ସମୟରେ ଏହି କଷ୍ଟ ଛାତି ମଝିରେ ବା ବାମ ପାଖରେ ହୁଏ ଓ କିଛି ମିନିଟରୁ ଅଧିକ ସମୟ ଧରି ରହେ । ଅନେକ ସମୟରେ ଏହା ଛାତି ଜ୍ୱଳନ ଭଳି ଲାଗେ । ଅନ୍ୟ ଲକ୍ଷଣ ମଧ୍ୟରେ ଛୋଟ ଶ୍ୱାସକ୍ରିୟା, ଓକାଳ, ଅଚେତ ଅନୁଭବ, ଥଣ୍ଡା ଝାଳ ଓ ଥକ୍କା ଲାଗିବା ଭଳି ଲାଗେ । [୧] ପ୍ରାୟ ୩୦ % ଲୋକଙ୍କର ଅସ୍ୱାଭାବିକ ଲକ୍ଷଣ ଥାଏ,[୨] ପୁରୁଷଙ୍କର ମହିଳାଙ୍କ ଅପେକ୍ଷା ଅଧିକ ଅସ୍ୱାଭାବିକ ଲକ୍ଷଣ ଦେଖାଯାଏ । [୩] ୭୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ୫ % ଲୋକଙ୍କର ସାମାନ୍ୟ ବା କୌଣସି ଲକ୍ଷଣ ନ ଥାଏ ।[୪] ହୃଦ୍ଘାତ ଫଳରେ ହୃଦ୍ପାତ (heart failure), ଅନିୟମିତ ହୃତ ସ୍ପନ୍ଦନ ବା ହୃଦ୍ରୋଧ (cardiac arrest) ହୋଇପାରେ । [୫][୬]
ଅଧିକାଂଶ ହୃଦ୍ଘାତ କରୋନାରୀ ଧମନୀ ରୋଗ ଯୋଗୁ ହୁଏ । [୫] ସଙ୍କଟ ଦାୟକ ଅବସ୍ଥା ମଧ୍ୟରେ ଉଚ୍ଚ ରକ୍ତଚାପ, ଧୂମ୍ରପାନ, ଡାଏବେଟିସ ମେଲିଟସ, ବ୍ୟାୟାମ ଅଭାବ, ମୋଟାପଣ, ରକ୍ତରେ ଅଧିକ କୋଲେଷ୍ଟ୍ରଲ୍, ଦରିଦ୍ର ଖାଦ୍ୟ ଓ ଅତ୍ୟଧିକ ମଦ୍ୟପାନ ମୂଖ୍ୟ ଅଟେ । [୭][୮] ରକ୍ତନଳୀରେ ଜମିଥିବା ଆଥେରୋସ୍କ୍ଲେରୋଟିକ ପ୍ଲେକ ଭାଙ୍ଗିଯାଇ କରୋନାରୀ ଧମନୀକୁ ସମ୍ପୁର୍ଣ୍ଣ ବନ୍ଦ କରିଦେଲେ ଏହି ରୋଗ ହୁଏ । [୫] କ୍ୱଚିତ, କୋକେନ ଖାଇବା ଯୋଗୁ, ମାନସିକ ଚାପ ଯୋଗୁ ଓ ଅତ୍ୟଧିକ ଥଣ୍ଡା ଯୋଗୁ, କରୋନାରି ଧମନୀର ସ୍ପାଜ୍ମ ହୋଇ ଏମ.ଆଇ. ରୋଗ ହୁଏ ।[୯][୧୦] ଇସିଜି, ରକ୍ତ ପରୀକ୍ଷା ଓ କରୋନାରୀ ଆଞ୍ଜିଓଗ୍ରାମ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [୧୧] ଏସଟି ଉତ୍ଥାନ ଇସିଜି ସାହାଯ୍ୟରେ ଜଣାପଡ଼ିଲେ ଏମ ଆଇ ରୋଗ ନିଶ୍ଚିତ କରାଯାଏ । [୨] ସାଧାରଣତଃ ଟ୍ରୋପୋନିନ ଓ ବେଳେ ବେଳେ କ୍ରିଏଟିନ କାଇନେଜ ଏମ.ବି. ଭଳି ରକ୍ତ ପରୀକ୍ଷା କରାଯାଏ । [୧୧]
ଏମ.ଆଇ. ରୋଗ ସନ୍ଦେହ ହେଲେ ତୁରନ୍ତ ଆସ୍ପିରିନ ଦେବା ସର୍ବୋତ୍ତମ ଚିକିତ୍ସା ।[୧୨] ଛାତି ଯନ୍ତ୍ରଣା ଉପଶମ ନିମନ୍ତେ ନାଇଟ୍ରୋଗ୍ଲିସେରିନ କିମ୍ବା ଓପିଅଏଡ଼ ଦିଆଯାଏ କିନ୍ତୁ ମୋଟାମୋଟି ଫଳାଫଳ ଏହାଦ୍ୱାରା ଉନ୍ନତ ହୁଏ ନାହିଁ । [୨][୧୨] ଛୋଟ ଶ୍ୱାସକ୍ରିୟା ହେଉଥିଲେ ବା ଅମ୍ଳଜାନ ସ୍ତର କମ ଥିଲେ ଅଧିକ ଅମ୍ଳଜାନ ଦିଆଯାଏ [୧୨] ଏମ.ଆଇ.ରେ ଏସ.ଟି. ଉପରକୁ ଥିଲେ ରକ୍ତ ପ୍ରବାହ ପୁନଃସ୍ଥାପନ କରିବା ନିମନ୍ତେ ଆଞ୍ଜିଓପ୍ଲାସ୍ଟି କରାଯାଏ ଯେଉଁଥିରେ ଧମନୀ ଖୋଲାଯାଏ ବା ଔଷଧ ଦେଇ ଥ୍ରୋମ୍ବୋଲାଇସିସ କରି ବାଧା ଦୂର କରିଦିଆଯାଏ । [୨] ଏସ.ଟି. ଉପରକୁ ନ ଥାଇ ଏମ.ଆଇ. ରୋଗ ଥିଲେ ହେପାରିନ ଦେଇ ରକ୍ତକୁ ପତଳା କରିଦିଆଯାଏ ଓ ତାହା ସହିତ ଅଧିକ ସଙ୍କଟ ଥିଲେ ଆଞ୍ଜିଓପ୍ଲାସ୍ଟି କରାଯାଏ । [୧୨] ଅନେକ କରୋନାରୀ ଧମନୀରେ ଅବରୋଧ ଓ ଡାଏବେଟିସ ଥିଲେ ଆଞ୍ଜିଓପ୍ଲାସ୍ଟି ନ କରି ବାଇପାସ ଅପରେଶନ କରିବାକୁ ଉପଦେଶ ଦିଆଯାଏ । [୧୩] ଏମ.ଆଇ. ରୋଗ ଚିକିତ୍ସା ପରେ ଜୀବନ ଧାରା ବଦଳେଇବାକୁ ପଡ଼େ, ଦୀର୍ଘକାଳୀନ ଆସ୍ପିରିନ, ବିଟାବ୍ଲକର ଓ ସ୍ଟାଟିନ ଦେବାକୁ ସୁପାରିସ କରାଯାଏ । [୨]
ପ୍ରତି ବର୍ଷ ପୃଥିବୀରେ ଏସ.ଟି. ଉପରକୁ ଥାଇ ଏମ.ଆଇ. ରୋଗ ୩ ନିୟୁତ ଓ ଏସ.ଟି. ଉପରକୁ ନ ଥାଇ ଏମ.ଆଇ. ରୋଗ ୪ ନିୟୁତ ଥାଏ । [୧୪] ଏମ.ଆଇ.ରେ ଏସ.ଟି. ଉପରକୁ ଥିବା ରୋଗ ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ଦୁଇଗୁଣ ଥିବା ଦେଖାଯାଏ । [୧୫] ଆମରିକାରେ ପ୍ରାୟ ଏକ ନିୟୁତ ଲୋକଙ୍କର ପ୍ରତି ବର୍ଷ ଏମ ଆଇ ହୁଏ । [୫] ଏହାଯୋଗୁ ବିକଶିତ ଦେଶମାନଙ୍କରେ ମୃତ୍ୟୁ ହାର ୧୦ % ଥାଏ ।[୨] ପୃଥିବୀରେ କୌଣସି ନିର୍ଦ୍ଦିଷ୍ଟ ବୟସରେ ୧୯୯୦ରୁ ୨୦୧୦ ମସିହା ମଧ୍ୟରେ ଏମ ଆଇ ହାର କମୁଛି । [୧୬]
ହୃଦ୍ମାଂସପେଶୀୟ ରକ୍ତରୋଧୀ ତନ୍ତୁ କ୍ଷୟ (Myocardial infarction) ରୋଗକୁ ଲୋକମାନେ ହୃଦ୍ଘାତ ରୋଗ କହନ୍ତି । ହୃତ୍ପିଣ୍ଡକୁ ରକ୍ତ ସରବରାହ କରୁଥିବା ରକ୍ତ ନଳୀ କୌଣସି କାରଣରୁ ବନ୍ଦ ହୋଇଗଲେ ମାଂସପେଶୀ (ମାୟୋକାର୍ଡିଅମ୍) ରକ୍ତ ନ ପାଇ ମରିଯାଆନ୍ତି । ସାଧାରଣତଃ ଏହି ରକ୍ତ ନଳୀରେ କୋଲେଷ୍ଟେରଲ୍, ଚର୍ବି ଜାତୀୟ ପଦାର୍ଥ ଓ ଶ୍ୱେତ ରକ୍ତ କଣିକା ଜମିଯାଆନ୍ତି । ଏହାକୁ ଆଥେରୋସ୍କ୍ଲେରୋଟିକ (Atherosclerotic plaque) ପ୍ଲେକ କହନ୍ତି । ଜମି ରହିଥିବା ଏହି ପ୍ଲେକ ସ୍ଥାନଚ୍ୟୁତ ହୋଇଗଲେ ସେହି ସ୍ଥାନଠାରୁ ଦୂରରେ ଥିବା ସରୁ ରକ୍ତ ନଳୀ ବନ୍ଦ ହୋଇଯାଏ । ଫଳ ସ୍ୱରୁପ ସେହି ସରୁ ରକ୍ତ ନଳୀ ସରବରାହ କରୁଥିବା ମାଂସପେଶୀ ଅମ୍ଳଜାନ ଅଭାବରୁ (Ischemia) ମରିଯାଆନ୍ତି ।
ଏହି ରୋଗର ମୂଖ୍ୟ ଲକ୍ଷଣ: ଅକସ୍ମାତ ତୀବ୍ର ଯନ୍ତ୍ରଣା ଛାତିରେ, ବାମ ବେକରେ ବା ବାମ ବାହୁରେ ଅନୁଭୁତ ହୁଏ । ଅଣନିଶ୍ୱାସୀ, ବାନ୍ତି ଲାଗିବା, ବାନ୍ତି କରିବା, ଝାଳ ବୋହିବା ଓ ଦୂର୍ଭ୍ୟାଗ୍ୟ ଅଦୃଷ୍ଟ ଭାବି ଉତ୍କଣ୍ଠିତ ହେବା ଏହି ରୋଗର ଅନ୍ୟ ଲକ୍ଷଣ ସମୂହ ଅଟେ[୧୭] । ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା କମ ଅସୁବିଧା ଭୋଗନ୍ତି । ଏମାନେ ସାମାନ୍ୟ ଅଣନିଶ୍ୱସୀ, ବଦହଜମୀ, ଦୁର୍ବଳତା ଓ କ୍ଳାନ୍ତି ଅନୁଭବ କରନ୍ତି[୧୮] । ଅନେକ ରୋଗୀଙ୍କ ନିରବ ଲକ୍ଷଣ ହୁଏ, ଅର୍ଥାତ ଛାତି ଯନ୍ତ୍ରଣା ବା ଅନ୍ୟ କୌଣସି ଅସୁବିଧା ହୁଏ ନାହିଁ[୧୯] ।
ହୃତ୍ପିଣ୍ଡ ମାଂସପେଶୀର ଅବସ୍ଥା ନିର୍ଣ୍ଣୟ କରିବା ନିମନ୍ତେ ବିଭିନ୍ନ ପରୀକ୍ଷା ଯଥା ଇ.ସି.ଜି, ଇକୋକାର୍ଡିଓଗ୍ରାଫି, କାର୍ଡିଆକ ଏମ୍,ଆର,ଆଇ, ଓ କେତେକ ରକ୍ତ ପରୀକ୍ଷା ଆବଶ୍ୟକ ହୁଏ । ସାଧାରଣ ଭାବରେ ବ୍ଲଡ ମାର୍କର୍ (blood markers) ଯଥା କ୍ରିଏଟିନ୍ କାଇନେଜ୍ (creatine kinase-MB (CK-MB) fraction) ଏବଂ ଟ୍ରୋପୋନିନ୍ ସ୍ତର (the troponin levels) ନିର୍ଣ୍ଣୟ କରାଯାଏ । ଏହି ରୋଗ ସନ୍ଦେହ ହେଲେ ତୁରନ୍ତ ଅମ୍ଳଜାନ, ଆସ୍ପିରିନ୍ ଓ ଜିଭତଳ ନାଇଟ୍ରୋଗ୍ଲିସେରିନ୍ ଦରକାର ହୁଏ[୨୦]।
ଇ.ସି.ଜି.ରେ ଏସ୍.ଟି ତରଙ୍ଗ ଉଚ୍ଚରେ ଥିଲେ ଅଧିକାଂଶ କ୍ଷେତ୍ରରେ କରୋନାରୀ ଆଞ୍ଜିଓପ୍ଲାସ୍ଟି (PCI) ବା ଥ୍ରୋମ୍ବୋଲାଇସିସ୍[୨୧] ଚିକିତ୍ସା କରାଯାଉଛି । ଏସ୍.ଟି. ତରଙ୍ଗ ଉର୍ଦ୍ଧ୍ୱଗାମୀ ନ ଥିଲେ ଔଷଧ ଚିକିତ୍ସା କରାଯାଏ, କିନ୍ତୁ ଦରକାର ହେଲେ ଆଞ୍ଜିଓପ୍ଲାସ୍ଟି କରାଯାଏ[୨୨] । ବିଭିନ୍ନ ରକ୍ତ ନଳୀ ସରୁ ବା ବନ୍ଦ ହୋଇଥିଲେ ବାଇପାସ୍ (CABG) ଅପରେଶନ ଆବଶ୍ୟକ ହୁଏ, ଅଧିକ ଆବଶ୍ୟକ ହୁଏ ଯଦି ମଧୁମେହ ରୋଗ ଥାଏ[୨୩][୨୪] । ସାଂଘାତିକ ହୋଇଥିଲେ ପ୍ରଥମରୁ ସିଏବିଜି (CABG) ଅପରେଶନ କରାଯାଏ ନାହିଁ । ଯଦି ପିସିଆଇ (PCI) ଫେଲ ହୁଏ ବା କରିବା ଯୋଗ୍ୟ ନ ହୁଏ ତାହା ହେଲେ ସିଏବିଜି (CABG) କରାଯାଇପାରେଆଧାର ଭୁଲ: ଅବୈଧ <ref>
ଟ୍ୟାଗ;
କୌଣସି ମଧ୍ୟ ବିଷୟବସ୍ତୁ ନଥିବା ଆଧାରର ଏକ ନାମ ଥିବା ଲୋଡ଼ା ।
ପୃଥିବୀରେ ୨୦୦୪ ମସିହାରେ ମୃତ୍ୟୁର ମୂଖ୍ୟ କାରଣ ରୂପେ 'ମାୟୋକାର୍ଡିଆଲ୍ ଇନଫାର୍କ୍ସନ୍ ଯୋଗୁ ଆଞ୍ଜିନା ଓ ହୃଦ୍ରୋଧ' ପରିଚିତ ଥିଲା[୨୫] । ଏହି ରୋଗର ସଙ୍କଟଜନକ ସହଗାମୀ ଅବସ୍ଥା ମଧ୍ୟରେ ଅନ୍ୟ ହୃଦ୍ରୋଗ, ଧୂମ୍ରପାନ, ବୃଦ୍ଧାବସ୍ଥା, ରକ୍ତରେ ଏଲ୍.ଡି.ଏଲ୍. ଓ ଟ୍ରାଇଗ୍ଲିସେରାଇଡ୍ ଅଧିକ ବା ଏଚ୍.ଡି.ଏଲ୍. କମ୍ ଥିଲେ, ମଧୁମେହ, ଉଚ୍ଚ ରକ୍ତଚାପ, ବ୍ୟାୟାମ ବିହୀନ ଅବସ୍ଥା, ପୃଥୁଳତା, ପୁରୁଣା ବୃକକ ରୋଗ, ଅତ୍ୟଧିକ ମଦ୍ୟପାନ, କୋକେନ ଭଳି ନିଷିଦ୍ଧ ଔଷଧ ସେବନ ଓ ଅତ୍ୟଧିକ ଚାପଗ୍ରସ୍ତ ଅନ୍ୟତମ[୨୬][୨୭][୨୮]
ବର୍ଗୀକରଣ[ସମ୍ପାଦନା]
ତୀବ୍ର ମାୟୋକାର୍ଡିଆଲ୍ ଇନ୍ଫାର୍କସନ୍ ନିଦାନ ଅନୁସାରେ ଦୁଇ ଭାଗରେ ବିଭକ୍ତ ।
- ଟ୍ରାନ୍ସମ୍ୟୁରାଲ: ବଡ଼ କରୋନାରୀ ଧମନୀରେ ଆଥେରୋସ୍କ୍ଲେରୋସିସ୍ ଥାଏ । ଏହାକୁ ପୁନଃ ବର୍ଗୀକରଣ କରାଯାଇ ସମ୍ମୁଖ, ପୃଷ୍ଠ, ତଳ ଭାଗ, ପାର୍ଶ୍ୱ ଓ ପରଦା (Septal) ନାମ କରଣ କରାଯାଇଥାଏ । ଟ୍ରାନ୍ସମ୍ୟୁରାଲରେ ଧମନୀ ସମ୍ପୁର୍ଣ୍ଣ ରୁପେ ବନ୍ଦ ହୋଇଯାଇ ଏହା ରକ୍ତ ସରବରାହ କରୁଥିବା ସକଳ ମାଂସପେଶୀ ନଷ୍ଟ କରିଦିଏ । ଇ.ସି.ଜି.ରେ ଏସ୍.ଟି ଉପରକୁ ଥାଏ ଓ କ୍ୟୁ ଦେଖାଯାଏ ।
- ସବଏଣ୍ଡୋକାର୍ଡିଆଲ୍: ବାମ ନିଳୟର ଅନ୍ତଃ ଆସ୍ତରଣ ପାର୍ଶ୍ୱବର୍ତ୍ତୀ ମାଂସପେଶୀ, ମଧ୍ୟ ପରଦା ଓ ପାପିଲାରି ପେଶୀ କ୍ଷତିଗ୍ରସ୍ତ ହୁଏ । ଇ.ସି.ଜି.ରେ ଏସ୍.ଟି ନିମ୍ନଗାମୀ ଦେଖାଯାଏ ।
ଇ.ସି.ଜି ପରିବର୍ତ୍ତନ ଅନୁସାରେ ଏସ୍.ଟି. ଉର୍ଦ୍ଧ୍ୱ ଏମ୍.ଆଇ (ST elevation MI ବା STEMI) ଓ ଏସ୍.ଟି. ଉର୍ଦ୍ଧ୍ୱ ଅନୁପସ୍ଥିତ ଏମ୍.ଆଇ (non-ST elevation MI ବା non-STEMI) । ୨୦୦୭ ମସିହାରେ ସର୍ବସମ୍ମତିକ୍ରମେ ମାୟୋକାର୍ଡିଆଲ୍ ଇନ୍ଫାର୍କସନକୁ ୫ ଭାଗରେ ବିଭକ୍ତ କରାଯାଇଛି ।
- ଟାଇପ ୧ - ସ୍ୱଳ୍ପ ରକ୍ତ ସଞ୍ଚାଳନ ଜନିତ ସ୍ୱତଃ ଇନ୍ଫାର୍କସନ୍ ।
- ଟାଇପ ୨ - ଅଧିକ ଅମ୍ଳଜାନ ଆବଶ୍ୟକତା ବା ସ୍ୱଳ୍ପ ଯୋଗାଣ ଯୋଗୁ ଇନ୍ଫାର୍କସନ୍ । ଏହା *କରୋନାରୀ ଧମନୀରେ ଏମ୍ବୋଲିଜ୍ମ୍, ଆରିଦ୍ମିଆ, ରକ୍ତହୀନତା, ଉଚ୍ଚ/ନିମ୍ନ ରକ୍ତଚାପ ବା *ସଙ୍କୋଚନ ଯୋଗୁ ହୁଏ ।
- ଟାଇପ ୩ - ଆଶାବିହୀନ ଅକସ୍ମାତ ହୃତ୍ପିଣ୍ଡ ମୃତ୍ୟୁ ।
- ଟାଇପ ୪ - ଆଞ୍ଜିଓପ୍ଲାସ୍ଟି ସହ
- ଟାଇପ ୪କ - ପି.ସି.ଆଇ. ସହିତ
- ଟାଇପ ୪ଖ - ସ୍ଟେନ୍ଟ୍ ଥ୍ରୋମ୍ବୋସିସ
- ଟାଇପ ୫ - ସି.ଏ.ବି.ଜି. ସହିତ ।
ଚିହ୍ନ ଓ ଲକ୍ଷଣ[ସମ୍ପାଦନା]
ଏହି ରୋଗରେ ସାଧାରଣତଃ ହଠାତ ଲକ୍ଷଣ ପ୍ରକାଶ ନ ପାଇ କିଛି ମିନିଟ ସମୟ ନିଏ ।[୨୯] ତୀବ୍ର୍ ମାୟୋକାର୍ଡିଆଲ୍ ଇନ୍ଫାର୍କ୍ସନ୍ରେ ଛାତି ଯନ୍ତ୍ରଣା ଏକ ପ୍ରମୁଖ ଲକ୍ଷଣ । ଛାତି ଚିପି ହେବା ଭଳି ଲାଗେ । ହୃତ୍ପିଣ୍ଡ ପେଶୀରେ ସ୍ୱଳ୍ପ ରକ୍ତ ପ୍ରବାହ ଜନିତ ଯନ୍ତ୍ରଣାକୁ ଆଞ୍ଜାଇନା (Angina pectoris) କୁହାଯାଏ । ବାମ ବାହୁ ଦିଗରେ ଯନ୍ତ୍ରଣା ପ୍ରବାହ ମାଡିଯାଏ । ଏହି ପ୍ରବାହ ବେକ, ମୂଖର ନିମ୍ନ ଭାଗ, ଉପର ପେଟ ଓ ପିଠିକୁ ମଧ୍ୟ ବ୍ୟାପି ପାରେ । [୩୦] ଛାତି ଜଳା ପୋଡ଼ା ମଧ୍ୟ ହୋଇପାରେ । ହାତକୁ ମୁଠା କରି ରୋଗୀ ନିଜର ବକ୍ଷାସ୍ଥିକୁ ଚାପି ଧରିବା ଲକ୍ଷଣ ନିର୍ଣ୍ଣୟାତ୍ମକ ବୋଲି ଧରାଯାଉଥିଲା, କିନ୍ତୁ ଅନୁଧ୍ୟାନଦ୍ୱାରା ଏହା ସଠିକ ନୁହେଁ ବୋଲି ଜଣା ଯାଇଛି ।[୩୧]
ହୃତ୍ପିଣ୍ଡର ମାଂସପେଶୀ କ୍ଷତିଗ୍ରସ୍ତ ହେବା ଯୋଗୁ ବାମ ନିଳୟରୁ ରକ୍ତ ବାହାରି ପାରେ ନାହିଁ । ଏହାକୁ ବାମ ନିଳୟ ଫେଲ୍ୟୁଅର (left ventricular failure) କୁହାଯାଏ ଯାହା ଫଳରେ ଫୁସଫୁସ ଫୁଲି (oedema) ଯାଏ । ଏହାର ଅନ୍ୟ ଲକ୍ଷଣ ଗୁଡ଼ିକ: ଅତ୍ୟଧିକ ଝାଳ ବୋହିବା, ଦୂର୍ବଳ ଅନୁଭବ, ମୁଣ୍ଡ ହାଲୁକା ଲାଗିବା, ବାନ୍ତି ଲାଗିବା, ବାନ୍ତି କରିବା ଓ ଛାତି ଧଡ ଧଡ (Palpitation) ଲାଗିବା । ହୃତ୍ପିଣ୍ଡ ମାଂସପେଶୀରେ ରକ୍ତ ଅଭାବ ହେତୁ ସହାନୁଭୁତିକ ସ୍ନାୟୁ ଉତ୍ତେଜିତ ହୋଇ ଅତ୍ୟଧିକ କାଟେକୋଲାମିନ କ୍ଷରଣ କରନ୍ତି । ଏହି କାରଣ ଯୋଗୁ ଲକ୍ଷଣ ସବୁ ପ୍ରକାଶ ପାଏ ।[୩୨] ମସ୍ତିଷ୍କରେ ରକ୍ତ ଅଭାବ ଯୋଗୁ ସକ୍ ହୋଇ ରୋଗୀ ଚେତାଶୁନ୍ୟ ହୋଇଯାଏ, ହ୍ରୁତ୍ପିଣ୍ଡର କମ୍ପନ (Fibrillation) ହୋଇ ମୃତ୍ୟୁ ହୋଇପାରେ ।
ମହିଳା ଓ ବୟସାଧିକ୍ୟ ଲୋକମାନଙ୍କର ଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ ।[୩୩]
ମହିଳାମାନେ ଛୋଟ ଶ୍ୱାସ କ୍ରିୟା ହୁଏ, ଦୂର୍ବଳତା ଓ ଥକ୍କା ଅନୁଭବ ହୁଏ; ପ୍ରକୃତ ଲକ୍ଷଣ ପ୍ରକାଶ ପାଇବାର ୧ ମାସ ପୂର୍ବରୁ ଏହି ଲକ୍ଷଣ ଦେଖାଯାଇପାରେ । ମହିଳାଙ୍କର ପୁରୁଷଙ୍କ ଅପେକ୍ଷା ଅଳ୍ପ ଛାତି ଯନ୍ତ୍ରଣା ହୁଏ ।[୩୪]
ଏକ ଚତୁର୍ଥାଂଶ ମାୟୋକାର୍ଡିଆଲ୍ ଇନ୍ଫାର୍କସନ୍ ରୋଗରେ କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ ।[୩୫][୪] ସମୟ କ୍ରମେ ଏହି ରୋଗଗୁଡ଼ିକ ଇ.ସି.ଜି., ଓ ରକ୍ତ ଏନ୍ଜାଇମ ପରୀକ୍ଷା କଲେ ଧରାପଡେ । ଏହି ନିରବ ଲକ୍ଷଣ ୨୨ରୁ ୬୪% ରୋଗୀଙ୍କର ହୁଏ ।[୪] ଏହା ନିରବ ଲକ୍ଷଣ ମୂଖ୍ୟତଃ ମଧୁମେହ ରୋଗୀଙ୍କର, ଅଧିକ ବୟସର ରୋଗୀଙ୍କର ଓ ହୃତ୍ପିଣ୍ଡ ପ୍ରତିରୋପିତ ହୋଇଥିବା ରୋଗୀଙ୍କର ଦେଖାଯାଏ । ଉଚ୍ଚ କଷ୍ଟ ସହନଶକ୍ତି ଓ ସ୍ନାୟୁ ଦୌର୍ବଲ୍ୟ ହେତୁ ମଧୁମେହ ରୋଗରେ ନିରବ ଲକ୍ଷଣ ପ୍ରକାଶ ପାଏ ।
ହଠାତ ହୃତ୍ପିଣ୍ଡକୁ ରକ୍ତ ସଞ୍ଚାଳନ ବନ୍ଦ ହୋଇଗଲେ ଯେଉଁ ଲକ୍ଷଣ ସମୂହ ପ୍ରକାଶ ପାଏ ସେମାନଙ୍କୁ ଆକ୍ୟୁଟ କରୋନାରୀ ସିଣ୍ଡ୍ରୋମ ନାମ ଦିଆଯାଏ ।
ଏକା ଭଳି ଲକ୍ଷଣ ପ୍ରକାଶ କରୁଥିବା ଅନ୍ୟ ରୋଗ ଗୁଡ଼ିକର ନାମ: ପଲ୍ମୋନାରି ଏମ୍ବୋଲିସ୍ମ (pulmonary embolism), ଆଓର୍ଟିକ ଡିସେକ୍ସନ (aortic dissection), ପେରିକାର୍ଡିଆଲ୍ ଇଫ୍ୟୁଜନ (pericardial effusion), ଟେନ୍ସନ ନେମୋଥୋରାକ୍ସ (tension pneumothorax) ଓ ଏସୋଫେଜିଆଲ୍ ରପ୍ଚର୍ (esophageal rupture).
କାରଣ[ସମ୍ପାଦନା]
ଦୈନନ୍ଦିନ କରୁଥିବା ବ୍ୟାୟାମ ବା ମାନସିକ ଚାପଠାରୁ ଅତ୍ୟଧିକ ବ୍ୟାୟାମ ବା ଅତ୍ୟଧିକ ଚାପ ହେଲେ ଇନ୍ଫାର୍କସନ ହୁଏ । ଏହି କାରଣ ଯୋଗୁ ନାଡି ଚାପ(ନାଡି ଚାପ ବା ପଲ୍ସ ପ୍ରେସର୍: ସିସ୍ଟୋଲିକ୍ ଓ ଡାୟାସ୍ଟୋଲିକ୍ ପ୍ରେସର ମଧ୍ୟରେ ଥିବା ପ୍ରଭେଦ ବା ଡିଫରେନ୍ସ)ଅତ୍ୟଧିକ ହେଲେ ରକ୍ତନଳୀ ପ୍ରସାରିତ ହୋଇଯାଏ, ଫଳତଃ ଆଥେରୋମାଟିକ ପ୍ଲେକ ସ୍ଥାନ ଚ୍ୟୁତ ହୋଇ ସରୁ ରକ୍ତ ନଳୀମାନଙ୍କରେ ରକ୍ତ ସଞ୍ଚାଳନ ବନ୍ଦ କରନ୍ତି ଓ ଇନ୍ଫାର୍କସନ୍ କରାନ୍ତି ।
ନିମୋନିଆ ଭଳି ସାଂଘାତିକ ସଂକ୍ରମଣ ହୃଦ୍ଘାତକୁ ଜନ୍ମ ଦେଇ ପାରେ । ପ୍ଲେକ୍ରେ ନିମୋନିଆ ଜୀବାଣୁ ଦେଖାଯାଉଥିବାରୁ କାଳେ ଏହି ଜୀବାଣୁ ହୃଦ୍ଘାତ ରୋଗରେ କୌଣସି ମତେ ସଂଶ୍ଳିଶ୍ଟ ଥିବ ଭାବି ଆଣ୍ଟିବାୟୋଟିକ୍ ଦିଆଯାଏ । କିନ୍ତୁ ଏହା ଦେବାଦ୍ୱାରା କିଛି ପରିବର୍ତ୍ତନ ଦେଖା ଯାଉନାହିଁ ।
ଏହି ରୋଗ ସକାଳ ୯ଟା ବେଳେ ଆକ୍ରମଣ କରୁଥିବାର ଦେଖାଯାଏ । ସଠିକ୍ ଭାବରେ ଏହାର କୌଣସି କାରଣ ନିର୍ଣ୍ଣୟ କରା ଯାଇନାହିଁ ।
ସଙ୍କଟଜନକ ପ୍ରତିନିଧି[ସମ୍ପାଦନା]
ଏଭଳି ଅନେକ ଅବସ୍ଥା ବା ପ୍ରତିନିଧି (Factors) ଅଛନ୍ତି ଯେଉଁମାନଙ୍କ ଉପସ୍ଥିତି ଯୋଗୁ ହୃଦ୍ଘାତ ସଂଘଟିତ ହୋଇପାରେ । ସେଗୁଡ଼ିକର ଚିଠା ତଳେ ଦିଆଗଲା ।
- ବୟସ
- ଲିଙ୍ଗ: ଋତୁ ରୋଧ ପୂର୍ବରୁ ମହିଳାମାନଙ୍କର ପୁରୁଷଙ୍କ ଅପେକ୍ଷା ଅଧିକ ହୃଦ୍ଘାତ ହୁଏ । କିନ୍ତୁ ଯେ ହେତୁ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଦିନ ବଞ୍ଚନ୍ତି, ତେଣୁ ଏହି ରୋଗ ଯୋଗୁ ମହିଳା ମୃତ୍ୟୁ ସଂଖ୍ୟା ସାମାନ୍ୟ ଅଧିକ ଥାଏ ।
- ମଧୁମେହ, ଉଭୟ ଟାଇପ୍ ୧ ଓ ୨ ।
- ଉଚ୍ଚ ରକ୍ତ ଚାପ
- ଅତ୍ୟଧିକ କୋଲେସ୍ଟେରଲ୍ ବା ରକ୍ତରେ ଅସାଧାରଣ ଲିପିଡ୍ ସ୍ତର ।
- ଧୂମ୍ରପାନ: ନିଜେ ଧୂମପାନ ନ କଲେ ମଧ୍ୟ ଧୂମ୍ରପାନ କରୁଥିବା ବ୍ୟକ୍ତି ପାଖରେ ଥିଲେ ବି ସଙ୍କଟ ରହି ପାରିବ ।
- ଦୂଷିତ ବାୟୁ,କାର୍ବନ୍ ମୋନୋକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍ ଓ ସଲ୍ଫର ଡାଇଅକ୍ସାଇଡ ସଂସ୍ପର୍ଶ । ଓଜୋନ୍ଦ୍ୱାରା ହୁଏ ନାହିଁ ।
- ପାରିବାରିକ ହୃଦ୍ଘାତ ଇତିହାସ ।
- ପୃଥୁଳକାୟ
- କର୍ମହୀନ ଜୀବନ
- ନିମ୍ନ ସାମାଜିକ/ଅର୍ଥନୈତିକ ଅବସ୍ଥା, ଅତ୍ୟଧିକ ଭାବାବେଗ, ବିବାହ ପୂର୍ବ ସହବାସ, ସ୍ୱଳ୍ପ ଆମଦାନୀ ଓ ସ୍ୱଳ୍ପ ଶିକ୍ଷା ଇତ୍ୟାଦି ।
- ମଦ୍ୟପାନ
- ଜନ୍ମ ନିରୋଧ ବଟିକା
ଶାରିରୀକ ନିଦାନ ତତ୍ତ୍ୱ[ସମ୍ପାଦନା]

ସାଧାରଣତଃ କରୋନାରୀ ଧମନୀରେ କୋଲେଷ୍ଟେରଲ୍, ଚର୍ବି ଜାତୀୟ ପଦାର୍ଥ ଓ ଶ୍ୱେତ ରକ୍ତ କଣିକା ଜମିଯାଆନ୍ତି । ଏହାକୁ ଆଥେରୋସ୍କ୍ଲେରୋଟିକ ପ୍ଲେକ୍ କହନ୍ତି । ଏହି ପ୍ଲେକ୍ ବହୁତ ଧୀରେ ଧୀରେ ଗଠିତ ହୁଏ ଓ ବହୁତ ବର୍ଷ ଲାଗେ । ସମୟ କ୍ରମେ ଏହା ଉପରେ ଫାଇବର ଜମି ଯାଏ । ଏହି ପ୍ରକ୍ରିୟା ଫଳରେ ରକ୍ତ ନଳୀ ଭିତରର ବ୍ୟାସ କମି କମି ଯାଏ ଓ ନଳୀ ଛୋଟ ହୋଇଯାଏ । ଏହା ଦୃଢ଼ ସ୍ଥିର ବା ନିଶ୍ଚଳ ରହେ ନାହିଁ । ତାହା ସ୍ଥାନ ଚ୍ୟୁତ ହୋଇ ଗଲେ ତାହା ଉପରେ ରକ୍ତ ଜମାଟ (Thrombus) ବାନ୍ଧିଯାଏ । ଏହି ସ୍ଥାନ ଚ୍ୟୁତ ପ୍ଲେକ୍ ବୋହିଯାଇ ସରୁ ରକ୍ତ ନଳୀକୁ ବନ୍ଦ (block) କରିଦିଏ ଓ ଇନ୍ଫାର୍କ୍ସନ୍ ସୃଷ୍ଟି ହୁଏ ।
ସେହି ରକ୍ତ ନଳୀ ଯେଉଁ ମାଂସପେଶୀମାନଙ୍କୁ ରକ୍ତ ଯୋଗାଏ ସେମାନେ ଆଉ ରକ୍ତ ବା ଅମ୍ଳଜାନ ପାଇ ପାରନ୍ତି ନାହିଁ । ଏହି ପ୍ରକ୍ରିୟା ବହୁତ ସମୟ ଧରି ଲାଗି ରହିଲେ ଇସ୍କେମିକ୍ କାସ୍କେଡ୍ ସୃଷ୍ଟି ହୁଏ । ଏମାନଙ୍କର ମୃତ୍ୟୁ ହୁଏ ଯାହାକୁ ନେକ୍ରୋସିସ୍ କହନ୍ତି । ଏହି ତନ୍ତୁ ନଷ୍ଟ ହେବାରେ ଆପୋପ୍ଟୋସିସ୍ ନାମକ ଆଉ ଏକ ପ୍ରକ୍ରିୟା କାମ କରିବା ଜଣାଯାଉଛି ଯେଉଁଥିରେ କିଛି ଜୀବକୋଷ ଆପେ ଆପେ ମରିଯାଆନ୍ତି । ଏହି ମୃତ ତନ୍ତୁ ଉପରେ ଫାଇବର ଜମିଯାଇ ସ୍କାର ସୃଷ୍ଟି ହୁଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ହୃତ୍ପିଣ୍ଡ କୋଷମାନଙ୍କର ପୁନଃ ସୃଷ୍ଟି ହୁଏ ନାହିଁ । ଏହି ସ୍କାର ଫଳରେ ହୃତପିଣ୍ଡର ଗତି ଅନିୟମିତ ହୋଇଯାଏ ଯାହାକୁ ଆରିଦ୍ମିଆ (Arrhythmia) କୁହାଯାଏ । ମାଂସପେଶୀର ମୋଟେଇ (Thickness) କମିଗଲେ ଏହା ଦୁର୍ବଳ ହୋଇଯାଏ ଓ ଆନ୍ୟୁରିଜ୍ମ (aneurism) ହୋଇ ଫାଟିଯିବା ସମ୍ଭାବନା ରହେ ।
ଆଘାତପ୍ରାପ୍ତ ମାଂସପେଶୀ ମାଧ୍ୟମରେ ବୈଦୁତିକ ତରଙ୍ଗ ଯାଇ ନ ପାରିବାରୁ ଅସମରୁପ (Assymetric) ତରଙ୍ଗ ପ୍ରବାହ ସୃଷ୍ଟି ହୁଏ । ଏହା ଫଳରେ ସାଂଘାତିକ ନିଳୟ ଆରିଦ୍ମିଆ ଘଟେ । ଏହା ଯୋଗୁ ମୃତ୍ୟୁ ହୋଇପାରେ । ଏହା ଛଡା ଉପଯୁକ୍ତ ପରିମାଣରେ ରକ୍ତ ଶରୀରକୁ ସରବରାହ ହୋଇ ନ ପାରିବାରୁ ହୃତ୍ପିଣ୍ଡ ଗତି ତୀବ୍ର (Tachycardia) ହୋଇଯାଏ ।
ହୃତ୍ପିଣ୍ଡର ସମ୍ଭାବ୍ୟ ଆରିଦ୍ମିଆକୁ ବନ୍ଦ କରିବା ନିମନ୍ତେ ଡିଫିବ୍ରିଲେଟର୍ ଯନ୍ତ୍ର ବ୍ୟବହାର କରାଯାଏ ।
ରୋଗ ନିର୍ଣ୍ଣୟ[ସମ୍ପାଦନା]
ରୋଗ ନିର୍ଣ୍ଣୟ ନିମନ୍ତେ ରୋଗୀର ଅଭିଯୋଗ, ତାହାର ଶାରୀରିକ ଅବସ୍ଥା, କରୋନାରୀ ଆଞ୍ଜିଓଗ୍ରାମ (Coronary angiogram) ଓ ବିଭିନ୍ନ ମାର୍କର ଆବଶ୍ୟକ ହୁଏ । ଇ.ସି.ଜି.ଦ୍ୱାରା କ୍ଷତିଗ୍ରସ୍ତ ସ୍ଥାନ ନିରୁପିତ ହୁଏ, କରୋନାରୀ ଆଞ୍ଜିଓଗ୍ରାମଦ୍ୱାରା ସରୁ ହୋଇଥିବା ଧମନୀ ସ୍ଥାନ ନିରୁପିତ ହୁଏ । କେତେକ ଇମେଜିଙ୍ଗ ପରୀକ୍ଷା ଯଥା: ସ୍ଟ୍ରେସ୍ ରେଡିଓନ୍ୟୁକ୍ଲାଇଡ୍ ମାୟୋକାର୍ଡିଆଲ୍ ପର୍ଫ୍ୟୁଜନ ଇମେଜ୍ ବା ସ୍ଟ୍ରେସ୍ ଇକୋକାର୍ଡିଓଗ୍ରାଫି ଭଲି ପରୀକ୍ଷା ରୋଗ ପ୍ରମାଣିତ କରେ କିନ୍ତୁ ଏହି ପରୀକ୍ଷା କେବଳ ଉଚ୍ଚ ସଙ୍କଟରେ ଥିବା ରୋଗୀଙ୍କର ବା ସଠିକ ଭାବେ ନିରୁପିତ ହୋଇ ନ ପାରୁଥିବା ସମୟରେ କରାଯାଏ ।
ଆଶୁ ଚିକିତ୍ସା ବିଭାଗରେ ଆନୁସଙ୍ଗିକ ଅବସ୍ଥା ନିରୁପଣ ନିମନ୍ତେ ଛାତି ଏକ୍ସ-ରେ, ଓ ବିଭିନ୍ନ ରକ୍ତ ପରୀକ୍ଷା କରାଯାଏ । କୋଣସି ଲୋକର ଯଦି ଇ.ସି.ଜି. ଠିକ ଅଛି ଓ ବ୍ୟାୟାମ କରିପାରୁଛି ତାହା ହେଲେ କୌଣସି ଇମେଜିଙ୍ଗର ଆବଶ୍ୟକତା ନାହିଁ । ନ୍ୟୁକ୍ଲିଆର୍ ମେଡିସିନରେ ଟେକ୍ନେସିୟମ ସେସ୍ଟାମିବି କିମ୍ବା ଥାଲିଅମ୍-୨୦୧କ୍ଲୋରାଇଡ ବ୍ୟବହାର କରି ସ୍ୱଳ୍ପ ରକ୍ତ ପ୍ରବାହ ସ୍ଥାନ ନିରୁପଣ କରାଯାଏ ।
ଡବ୍ଲ୍ୟୁ.ଏଚ୍.ଓ. ଅନୁସାରେ ହୃଦ୍ରୋଧ ନିର୍ଣ୍ଣୟ ନିମନ୍ତେ ନିମ୍ନଲିଖିତ ଆଧାର ଆବଶ୍ୟକ ।
- ସ୍ଥିରିକୃତ ଛାତି ଯନ୍ତ୍ରଣା ୨୦ ମିନିଟରୁ ଅଧିକ ହେଉଥିବ ।
- କ୍ରମିକ ଇ.ସି.ଜି.ରେ ଦ୍ରଷ୍ଟବ୍ୟ ପରିବର୍ତ୍ତନ ।
- କାର୍ଡିଆକ୍ ବାୟୋମାର୍କର- କ୍ରିଏଟିନ୍ କାଇନେଜ୍-ଏମ୍ ବି ଓ ଟ୍ରୋପୋନିନ୍ର ସ୍ତରର ଉତ୍ଥାନ/ପତନ
ରୋଗ ନିରୋଧ[ସମ୍ପାଦନା]
ବାରମ୍ବାର ହୃଦ୍ଘାତ ସଙ୍କଟକୁ ଏଡେଇବା ନିମନ୍ତେ ରକ୍ତଚାପ ସ୍ଥିର ରଖିବା, ନିଜର ଜୀବନ ଶୈଳୀ ବଦଳେଇବା, ଧୂମପାନ ନ କରିବା, ନିୟମିତ ବ୍ୟାୟାମ କରିବା, ଉପଯୁକ୍ତ ଖାଦ୍ୟ ଖାଇବା ମଦ୍ୟ ପାନ ନ କରିବା ଆବଶ୍ୟକ । କେତେଗୁଡିଏ ଦୀର୍ଘସ୍ଥାୟୀ ବ୍ୟବସ୍ଥା ତଳେ ଉଲ୍ଲେଖ କରାଗଲା ।
- ଆଣ୍ଟିପ୍ଲାଟେଲେଟ୍ ଚିକିତ୍ସା- ପ୍ଲେଟ ଛିଣ୍ଡିଯାଇ ବାରମ୍ବାର ହୃଦ୍ଘାତ ନ ହେବା ନିମନ୍ତେ ଆସ୍ପିରିନ ଓ କ୍ଲୋପିଡୋଗ୍ରେଲ୍ ଔଧଧ ଦୀର୍ଘ ଦିନ ଧରି ଖାଇବାକୁ ହୁଏ ।
- ବିଟା ବ୍ଲକର: ବାମ ନିଳୟ ଅସୁବିଧା ଥିଲେ ମେଟୋପ୍ରୋଲୋଲ୍ ବା କାର୍ଭେଡିଅଲ୍ ଚାଲୁ ରଖିବାକୁ ହୁଏ ।
- ମଧୁମେହ, ଉଚ୍ଚରକ୍ତ ଚାପ, ସମ୍ମୁଖ କାନ୍ଥରେ ଇନ୍ଫାର୍କସନ୍ ଥିଲେ ଏ.ସି.ଇ. ଇନ୍ହିବିଟର ଦିଆଯାଏ ।
- ଇନ୍ଫାର୍କସନ୍ ପରେ ସ୍ଟାଟିନ୍ ଥେରାପି ଦେଲେ ମୃତ୍ୟୁ ହାର କମିଯାଏ । ଏହି ପ୍ଲେକ୍କୁ ସ୍ଥିର ରଖେ ।
- ଏପ୍ଲେନେରୋନ୍ ଓ ସ୍ପାରିନୋଲାକ୍ଟୋନ ଦେଲେ ମୃତ୍ୟୁ ହାର କମିଯାଏ ।
- ଓମେଗା ୩ ଫ୍ୟାଟି ଏସିଡ୍ ଖାଇଲେ କରୋନାରୀ ହୃଦ୍ରୋଗ କମିଯାଏ । ଭେନ୍ଟ୍ରିକୁଲାର ଫିବ୍ରିଲେସନ କମି ଯାଏ ।
ହେପାରିନ ଗୋଟିଏ ଉପକାରୀ ଔଷଧ କିନ୍ତୁ ଏହା ରକ୍ତ ସ୍ରାବକାରୀ ଅଟେ ।
ଉପଚାର[ସମ୍ପାଦନା]
ହୃଦ୍ଘାତ ରୋଗ ତୁରନ୍ତ ଚିକିତ୍ସା ଆବଶ୍ୟକ କରେ । ଚିକିତ୍ସାର ମୂଳ ଲକ୍ଷ ହେଲା- ପାରୁ ପର୍ଯ୍ୟନ୍ତ ହୃତ୍ପିଣ୍ଡର ମାଂସପେଶୀ ନଷ୍ଟ ହେବାରୁ ରକ୍ଷା କର ଓ ଅଧିକ ଜଟୀଳତାରୁ ବଞ୍ଚାଅ । ଏହାକୁ ମନେ ରଖିବା ପାଇଁ ଗୋଟିଏ ସୁନ୍ଦର ବାକ୍ୟ ଅଛି: ସମୟ ହିଁ ମାଂସପେଶୀ । ଅମ୍ଳଜାନ, ଆସ୍ପିରିନ୍ ଓ ନାଇଟ୍ରୋଗ୍ଲିସେରିନ୍ ଔଷଧ ଦିଆଯାଏ । ନାଇଟ୍ରୋଗ୍ଲିସେରିନ୍ କାମ ନ କଲେ ମର୍ଫିନ ଦିଆଯାଏ କିନ୍ତୁ (NSTEMI) ଥିଲେ ମୃତ୍ୟୁ ହାର ବଢେ । ଅତ୍ୟଧିକ ଅମ୍ଳଜାନ ପ୍ରୟୋଗ କଲେ ମୃତ୍ୟୁ ହାର ବଢେ ଓ ନଷ୍ଟ ମାଂସପେଶୀର ଆକାର ବଢେ । (STEMI) ଥିଲେ ପି.ସି.ଆଇ.(P.C.I.)) ଓ ଫିବ୍ରିନୋଲାଇସିସ୍ କରାଯାଏ ।
ପୂର୍ବାନୁମାନ[ସମ୍ପାଦନା]
ଏହି ରୋଗର ପରବର୍ତ୍ତୀ ଅବସ୍ଥା ରୋଗୀର ସ୍ୱାସ୍ଥ୍ୟ, ହୃତପିଣ୍ଡ ପେଶି ନଷ୍ଟର ପରିମାଣ ଓ ଚିକିତ୍ସା ଉପରେ ନିର୍ଭର କରେ । ଆମେରିକାରେ ଚିକିତ୍ସାଳୟ ଅନୁସାରେ ୩୦ ଦିନ ମଧ୍ୟରେ ୧୬.୬%ରୁ ୨୪.୯% ମୃତ୍ୟୁ ମୁଖରେ ପତିତ ହୁଅନ୍ତି । ଉପଲବ୍ଧ ସୁବିଧା, କେତେ ଶୀଘ୍ର ଚିକିତ୍ସା କରାଯାଇଛି, କେତେ ପରିମାଣର ପେଶୀ ନଷ୍ଟ ହୋଇଛି ତାହାରି ଉପରେ ଫଳାଫଳ ନିର୍ଭର କରୁଛି ।
ଜଟିଳତା[ସମ୍ପାଦନା]
ଜଟିଳତା ସଙ୍ଗେ ସଙ୍ଗେ ହୋଇପାରେ ବା ଧୀରେ ଧୀରେ ହୋଇପାରେ । ତୀବ୍ର ଜଟିଳ ହେଲେ ହୃତ୍ପିଣ୍ଡ ରକ୍ତ ସଞ୍ଚାଳନ କରିପାରେ ନାହିଁ । ଆନ୍ୟୁରିଜ୍ମ୍(କାନ୍ଥ ଆଶିଂକ ଫୁଲିଯିବା), ମାଂସପେଶୀ ଫାଟିଯିବା, ମାଇଟ୍ରାଲ ଭଲ୍ଭଠାରେ ରକ୍ତ ପଛକୁ ଯିବା ଓ ଆରିଦ୍ମିଆ ହେବା ଇତ୍ୟାଦି ଜଟୀଳତା ପ୍ରାଣ ଘାତକ ହୁଏ ।
ଧିରେ ଧୀରେ ଜଟୀଳତା ମଧ୍ୟରେ ହୃଦ୍ରୋଧ, ନିଳୟ ଫିବ୍ରିଲାସନ୍ ଓ ସେକଣ୍ଡାରୀ ଇନ୍ଫାର୍କସନ୍ ହୁଏ ।
ଅନୁଶୀଳନ ବିଜ୍ଞାନ[ସମ୍ପାଦନା]
ସ୍ୱଳ୍ପରକ୍ତିମ ହୃତ୍ପିଣ୍ଡ ରୋଗ/ କରୋନାରୀ ଧମନୀ ରୋଗର ହୃଦ୍ମାଂସପେଶୀୟ ରକ୍ତରୋଧୀ ତନ୍ତୁକ୍ଷୟ ଏକ ପ୍ରଧାନ ଲକ୍ଷଣ । ୨୦୦୪ ମସିହାରେ ଡବ୍ଲ୍ୟୁ.ଏଚ.ଓ. ହିସାବ ଅନୁସାରେ ପୃଥିବୀର ସମୁଦାୟ ମୃତ୍ୟୁ ସଂଖ୍ୟାର ୧୨.୨% ଏହି ରୋଗ ଯୋଗୁ ହୁଏ,[୨୫] ବିଶେଷତଃ ଉଚ୍ଚ ଓ ମଧ୍ୟ ବର୍ଗ ଆୟକାରୀ ଲୋକମାନଙ୍କର । ନିମ୍ନ ଆୟକାରୀ ଲୋକଙ୍କର ନିମ୍ନ ଶ୍ୱାସ ସଂକ୍ରମଣ ଯୋଗୁ ହେଉଥିବା ମୃତ୍ୟୁ ସଂଖ୍ୟା ପରେ ଏହି ମୃତ୍ୟୁ ସଂଖ୍ୟା ଦେଖାଯାଏ । ପୃଥିବୀରେ ପ୍ରତି ବର୍ଷ ୩ ନିୟୁତ ଲୋକଙ୍କର (STEMI) ଓ ୪ ନିୟୁତ ଲୋକଙ୍କର (NSTEMI) ହୁଏ ।
ଉଚ୍ଚ ଆୟକାରୀ ଦେଶମାନଙ୍କରେ ଏହି ରୋଗ ଯୋଗୁ ମୃତ୍ୟୁ ସଂଖ୍ୟା କମିବାକୁ ଲାଗିଛି, ତଥାପି ପ୍ରତି ୩ ଜଣରେ ଜଣେ ହୃଦ୍ରୋଗ ଯୋଗୁ ମୃତ୍ୟୁ ବରଣ କରୁଛନ୍ତି । ଭାରତ ଭଳି ବିକାଶଶୀଳ ରାଷ୍ଟ୍ରମାନଙ୍କରେ ମୃତ୍ୟୁ ସଂଖ୍ୟାର ଏହା ଏକ ପ୍ରଧାନ କାରଣ ରୁପେ ବିବେଚିତ ହେଉଛି ।
ଆଇନଗତ[ସମ୍ପାଦନା]
ଆଘାତ ନିମନ୍ତେ ବୀମା ବ୍ୟବସ୍ଥା ଥାଏ । ଇନ୍ଫାର୍କସନ୍ ଏକ ରୋଗ, ଆଘାତ ନୁହେଁ, କିନ୍ତୁ କୌଣସି ପେଶାରେ ଅତ୍ୟଧିକ ଉତ୍ତେଜନା ବା ପରିଶ୍ରମ ସମ୍ଭାବନା ରହିଲେ ଏହି ରୋଗ ହୋଇପାରେ । ସେତେବେଳେ ଏହା ବୀମା ପରିସରକୁ ଆସେ ।
ଗବେଷଣା[ସମ୍ପାଦନା]
ଅଧୁନା ସ୍ଟେମ୍ ଜୀବକୋଷ ପଦ୍ଧତି ପ୍ରୟୋଗ କରି କ୍ଷତିଗ୍ରସ୍ତ ହୃତ୍ପିଣ୍ଡ ମାଂସପେଶୀକୁ ଭରଣା କରିବା ଚେଷ୍ଟା ଚାଲିଛି । ତେବେ ଏହା ପ୍ରାଥମିକ ଅବସ୍ଥାରେ ଅଛି ।
ଆଧାର[ସମ୍ପାଦନା]
- ↑ "What Are the Signs and Symptoms of Coronary Heart Disease?". www.nhlbi.nih.gov/. September 29, 2014. Retrieved 23 February 2015.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୪.୦ ୪.୧ ୪.୨ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୫.୦ ୫.୧ ୫.୨ ୫.୩ "What Is a Heart Attack?". www.nhlbi.nih.gov/. December 17, 2013. Retrieved 24 February 2015.
- ↑ "Heart Attack or Sudden Cardiac Arrest: How Are They Different?". www.heart.org/. Jul 30, 2014. Retrieved 24 February 2015.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Mendis, Shanthi; Puska,, Pekka; Norrving, Bo (2011). Global atlas on cardiovascular disease prevention and control (PDF) (1st ed.). Geneva: World Health Organization in collaboration with the World Heart Federation and the World Stroke Organization. pp. 3–18. ISBN 9789241564373.
{{cite book}}
: CS1 maint: extra punctuation (link) - ↑ "What Causes a Heart Attack?". www.nhlbi.nih.gov. December 17, 2013. Retrieved 24 February 2015.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୧୧.୦ ୧୧.୧ "How Is a Heart Attack Diagnosed?". www.nhlbi.nih.gov/. December 17, 2013. Retrieved 24 February 2015.
- ↑ ୧୨.୦ ୧୨.୧ ୧୨.୨ ୧୨.୩ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.[dead link]
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୨୫.୦ ୨୫.୧ World Health Organization (2008). The Global Burden of Disease: 2004 Update. Geneva: World Health Organization. ISBN 92-4-156371-0.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ National Heart, Lung and Blood Institute. Heart Attack Warning Signs. Retrieved November 22, 2006.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
ବାହାର ଲିଙ୍କ[ସମ୍ପାଦନା]
ହୃଦ୍ଘାତ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
![]() |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ |
![]() |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ |
![]() |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ |
![]() |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ |
![]() |
ଉଇକିକଥାରୁ ଢଗଢମାଳି ଓ କଥାମାନ |
![]() |
ଉଇକିଉତ୍ସରୁ ମୂଳାଧାର ଲେଖାମାନ |
![]() |
ଉଇକିପୋଥିରେ ପଢ଼ାବହିମାନ |
- Cardiac disorders – Open Directory Project
- American Heart Association's Heart Attack web site — Information and resources for preventing, recognizing and treating a heart attack.
- TIMI Score for UA/NSTEMI and STEMI
- HEART Score for Major Cardiac Events