ବ୍ରଜନାଥ ରଥ
ବ୍ରଜନାଥ ରଥ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ସୁନହଟ, ବାଲେଶ୍ୱର | ୧୨ ଜାନୁଆରୀ ୧୯୩୬
ମୃତ୍ୟୁ | ୩୧ ମଇ ୨୦୧୪ | (ବୟସ ୭୮)
ବୃତ୍ତି | ଲେଖକ |
ଶୈଳୀ | କବି |
ସାହିତ୍ୟ କୃତି | ସାମାନ୍ୟ ଅସାମାନ୍ୟ |
ଜୀବନସାଥୀ | ପୁଷ୍ପଲତା ଦେବୀ |
ଦସ୍ତଖତ |
ବ୍ରଜନାଥ ରଥ (୧୨ ଜାନୁଆରୀ ୧୯୩୬ - ୩୧ ମଇ ୨୦୧୪[୧]) ଜଣେ 'ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର' ପ୍ରାପ୍ତ କବି ।[୨]
ଜନ୍ମ ଓ ଜୀବନ
[ସମ୍ପାଦନା]କବି ବ୍ରଜନାଥ ରଥଙ୍କ ଜନ୍ମ ୧୯୩୬ ମସିହା, ଜାନୁଆରୀ ୧୨ ବାଲେଶ୍ୱର ସହରର ସୁନହଟଠାରେ । ତାଙ୍କ ପିତାଙ୍କ ନାମ ବିଶ୍ୱନାଥ ରଥ ଏବଂ ମାତାଙ୍କ ନାମ ତାରାମଣି ଦେବୀ । ଚତୁର୍ଥ ଶ୍ରେଣୀ ଯାଏ ବ୍ରଜନାଥ ଘରେ ପଢ଼ିଥିଲେ । ପଞ୍ଚମ ଶ୍ରେଣୀରେ ତାଙ୍କର ନାମ ଲେଖାହେଲା ତତ୍କାଳୀନ ଭିକ୍ଟୋରିଆ ଜୁବିଲି ମଧ୍ୟ ଇଂରାଜୀ ସ୍କୁଲରେ । ସେହି ସ୍କୁଲରେ ବାପା ଶିକ୍ଷକ ଥିବାରୁ ତାଙ୍କ ଇଛା ଅନୁସାରେ ସେ ବହି, ପତ୍ରପତ୍ରିକା ଆଦି ପଢୁଥିଲେ । ସ୍ୱାଧୀନଭାବେ ଚଳିବାର, ଲେଖିବାର ଓ ନିଜର ମତପ୍ରକାଶ କରିବାର ମାନସିକତା ତାଙ୍କର ତିଆରି ହୋଇଥିଲା ଏଇ ସ୍କୁଲ ଜୀବନରୁ ।
୧୯୪୫ରେ ସୁନହଟ ନିକଟରେ ଜାପାନୀ ବୋମା ପଡ଼ିଥିଲା । ଦ୍ୱିତୀୟ ମହାସମରର ଅସ୍ପଷ୍ଟ ଚିତ୍ର ଓ ନେତାଜୀଙ୍କ ଭାରତରୁ ପଳାୟନ ସହିତ ତାଙ୍କ ସମ୍ପର୍କରେ ବିଭିନ୍ନ ପ୍ରଚାର ବ୍ରଜନାଥଙ୍କ କିଶୋର ମନକୁ ଆନ୍ଦୋଳିତ କରିଥିଲା । ୧୯୪୭- ଅଗଷ୍ଟ ୧୫, ଯେଉଁଦିନ ତ୍ରିରଙ୍ଗା ପତାକା ଉଡ଼ି ଏ ଦେଶ ସ୍ୱାଧୀନ ବୋଲି ଘୋଷିତ ହେଲା, ବାଳକ ବ୍ରଜନାଥ ବି ସମସ୍ତଙ୍କ ସହିତ ତାଳଦେଇ ନିଜ ଘର ଆଗରେ ଉଡ଼େଇଥିଲେ ଜାତୀୟ ପତାକା । ତା ସହିତ କାଗଜରେ ବଡ଼ ବଡ଼ ଅକ୍ଷରରେ ଲେଖା, ସ୍ୱାଧୀନତା ସମ୍ପର୍କିତ ଏକ ସ୍ୱରଚିତ କବିତାକୁ ସେ ଉଡ଼େଇଥିଲେ ସେଇ ପତାକା ସାଙ୍ଗରେ । ତାହାହିଁ କବି ବ୍ରଜନାଥ ରଥଙ୍କ ଲିଖିତ ପ୍ରଥମ କବିତା ।
୧୯୪୮ରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ ସେ । ସେହି ସମୟରେ, ବର୍ତ୍ତମାନର ପ୍ରସିଦ୍ଧ କବି ଓ କଥାକାର ମନୋଜ ଦାସ ମଧ୍ୟ ନାମ ଲେଖାଇଥିଲେ । ତାଙ୍କର ପ୍ରକାଶିତ କବିତା 'ଶତାଦ୍ଧୀର ଆର୍ତ୍ତନାଦ ଓ ବିପ୍ଳବୀ ଫକୀରମୋହନ' ପ୍ରଚ୍ଚୋଦିତ କରିଥିଲା ବ୍ରଜନାଥଙ୍କୁ କବିତା ଲେଖିବା ପାଇଁ । ନବମ ଶ୍ରେଣୀରେ ପଢୁଥିଲାବେଳେ (୧୯୫୧), ଡଗର ପତ୍ରିକାରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ କବିତା 'ବ୍ୟର୍ଥତା' । ୧୯୫୨ରେ ସେ ମାଟ୍ରିକ ପାଶ କଲେ । ତାପରେ ନାମ ଲେଖାଇଲେ ଫକୀରମୋହନ କଲେଜରେ । ସେତେବେଳେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଚାଲୁଥାଏ ଫକୀରମୋହନ କଲେଜ । ଫକୀରମୋହନ ସାହିତ୍ୟ ପରିଷଦ ବି ଗଠିତ ହୋଇସାରିଥାଏ । ଅନୁଷ୍ଠାନର ଉତ୍ସବକୁ ଆସୁଥିବା ଓଡ଼ିଶା ଓ ଓଡ଼ିଶା ବାହାରର ବହୁ କବି ଏବଂ ବିଦ୍ୱାନ ପଣ୍ଡିତଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସଂସ୍ପର୍ଶରେ ଆସି ବ୍ରଜନାଥଙ୍କ କାବ୍ୟ-ପ୍ରତିଭା ବିକଶିତ ହୋଇଥିଲା ।
ବ୍ରଜନାଥ, କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା ଫକୀର ମୋହନ ସାହିତ୍ୟ ପରିଷେଦର ସଭାପତି ଭାବରେ କାର୍ଯ୍ୟନିର୍ବାହ କରିଥିଲେ । ନିଜ ପିତା ମାତାଙ୍କ ନାମରେ ବିଶ୍ୱତାରା ଓଡ଼ିଆ ଗବେଷଣାଗାର ମଧ୍ୟ ପ୍ରତିଷ୍ଠା କରିଥିଲେ ।
ରଚନାବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- ମରୁଗୋଲାପ(୧୯୬୦)[୩]
- ନିଜସ୍ୱ ସଂଳାପ(୧୯୬୯)
- ମରୁଗୋଲାପ ଓ ଅନ୍ୟାନ୍ୟ କବିତା(୧୯୭୨)
- ନିଃଶଦ୍ଦ ପ୍ରତିବାଦ(୧୯୭୭)
- ସଭ୍ୟତାର ମୁହଁ(୧୯୭୯)
- ମନର ମାନଚିତ୍ର(୧୯୮୪)[୪]
- ହେ ମହାଜୀବନ!(୧୯୯୧)
- ହଜିଗଲା ଝଡର ସଙ୍ଗୀତ
- ଲଘୁ ଶତକ(ବ୍ୟଙ୍ଗ କବିତା, ୧୯୯୩)
- ହେ ମୋର ସ୍ୱଦେଶ!(୧୯୯୭)
- ଗଡ଼ିଗଡ଼ି ଗଲି ବଲ(ଶିଶୁ କବିତା, ୨୦୦୧)
- ସ୍ୱନିର୍ବାଚିତ କବିତା(୨୦୦୧)
- ସମୟର ଶଦ୍ଦଲିପି(୨୦୦୭)[୫]
- ସାମାନ୍ୟ ଅସାମାନ୍ୟ(୨୦୦୭)[୬]
- ଏକ ଏକ ଏକପଦୀ(୨୦୦୯)
ଅନୁବାଦ
[ସମ୍ପାଦନା]- ତସଲିମାଙ୍କ ଶ୍ରେଷ୍ଠ କବିତା
- ଦୁଃଖିନୀ ଝିଅର ଗୀତ
- ନିର୍ବାଚିତ କଲାମ
- ମୋ ପିଲାଦିନ
- ଅନ୍ନଦା ମଙ୍ଗଳ
- ଜେଲ ପତ୍ରାବଳୀ
ପୁରସ୍କାର
[ସମ୍ପାଦନା]- ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର, ୨୦୧୨ [୭]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୪ (ମନର ମାନଚିତ୍ର ପାଇଁ) [୮]
- ଟାଗୋର ସାହିତ୍ୟ ପୁରସ୍କାର (କାବ୍ୟ ସଂକଳନ ସାମାନ୍ୟ ଅସାମାନ୍ୟ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦତ୍ତ)[୯]
- ସାହିତ୍ୟ ଭାରତୀ ସମ୍ମାନ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ), ୨୦୦୨
- ଡକ୍ଟରେଟ, ୨୦୧୧(ଫକୀର ମୋହନ ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରଦତ୍ତ)
- କବି ଶେଖର ଚିନ୍ତାମଣି ପୁରସ୍କାର
- କବି ଜୟଶଙ୍କର ପ୍ରସାଦ ସାହିତ୍ୟ ସମ୍ମାନ (ରାଷ୍ଟ୍ରୀୟ ହିନ୍ଦୀ ଏକାଡ଼େମୀ)
- ଭାରତ ଚନ୍ଦ୍ର ନାୟକ ସାହିତ୍ୟ ସମ୍ମାନ (ସମ୍ବଲପୁର ବିଶ୍ୱବିଦ୍ୟାଳୟ)
- ବିଷୁବ ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି)
- ଗୋକର୍ଣିକା ପୁରସ୍କାର
- କବି ସଚ୍ଚି ରାଉତରାୟ ସାହିତ୍ୟ ସମ୍ମାନ (ଭୁବନେଶ୍ୱର ପୁସ୍ତକ ମେଳା)
- ଶୁଦ୍ରମୁନି ସାହିତ୍ୟ ପୁରସ୍କାର (ସିସୋର ସାହିତ୍ୟ ଏକାଡେମୀ)
ଆଧାର
[ସମ୍ପାଦନା]- ↑ "Noted Oria poet Brajanath Rath passes away". Hindustan Times. Archived from the original on 31 May 2014. Retrieved 31 May 2014.
- ↑ [୧] Poet
- ↑ [୨] The Encyclopaedia Of Indian Literature (Volume Two) (Devraj To Jyoti), Volume 2 By Amaresh Datta Page No. 1592
- ↑ [୩]
- ↑ [୪] National Library
- ↑ [୫] Samanya Asamanya
- ↑ "Atibadi Jagannath Das Award announced | Odisha Reporter". odishareporter.in. 2013. Retrieved 15 July 2013.
poet Brajanath Rath would receive the coveted award for the year 2012
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍ମୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 11 January 2019.
- ↑ [୬] Archived 2014-03-02 at the Wayback Machine. ଟାଗୋର ସାହିତ୍ୟ ପୁରସ୍କାର