ବ୍ରଜନାଥ ରଥ

ଉଇକିପିଡ଼ିଆ‌ରୁ
(Brajanath Rathରୁ ଲେଉଟି ଆସିଛି)
ବ୍ରଜନାଥ ରଥ
୧ମ ବାଲେଶ୍ୱର ଉଇକିପିଡ଼ିଆ କର୍ମଶାଳାରେ ବ୍ରଜନାଥ ରଥ
ଜନ୍ମ ଓ ଜନ୍ମସ୍ଥାନ(1936-01-12)୧୨ ଜାନୁଆରୀ ୧୯୩୬
ସୁନହଟ, ବାଲେଶ୍ୱର
ମୃତ୍ୟୁ୩୧ ମଇ ୨୦୧୪(2014-05-31) (ବୟସ ୭୮)
ବୃତ୍ତିଲେଖକ
ଶୈଳୀକବି
ସାହିତ୍ୟ କୃତିସାମାନ୍ୟ ଅସାମାନ୍ୟ
ଜୀବନସାଥୀପୁଷ୍ପଲତା ଦେବୀ

ଦସ୍ତଖତକବି ବ୍ରଜନାଥ ରଥଙ୍କ ଦସ୍ତଖତ

ବ୍ରଜନାଥ ରଥ (୧୨ ଜାନୁଆରୀ ୧୯୩୬ - ୩୧ ମଇ ୨୦୧୪[୧]) ଜଣେ 'ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର' ପ୍ରାପ୍ତ କବି ।[୨]

ଜନ୍ମ ଓ ଜୀବନ[ସମ୍ପାଦନା]

କବି ବ୍ରଜନାଥ ରଥଙ୍କ ଜନ୍ମ ୧୯୩୬ ମସିହା, ଜାନୁଆରୀ ୧୨ ବାଲେଶ୍ୱର ସହରର ସୁନହଟଠାରେ । ତାଙ୍କ ପିତାଙ୍କ ନାମ ବିଶ୍ୱନାଥ ରଥ ଏବଂ ମାତାଙ୍କ ନାମ ତାରାମଣି ଦେବୀ । ଚତୁର୍ଥ ଶ୍ରେଣୀ ଯାଏ ବ୍ରଜନାଥ ଘରେ ପଢ଼ିଥିଲେ । ପଞ୍ଚମ ଶ୍ରେଣୀରେ ତାଙ୍କର ନାମ ଲେଖାହେଲା ତତ୍କାଳୀନ ଭିକ୍ଟୋରିଆ ଜୁବିଲି ମଧ୍ୟ ଇଂରାଜୀ ସ୍କୁଲରେ । ସେହି ସ୍କୁଲରେ ବାପା ଶିକ୍ଷକ ଥିବାରୁ ତାଙ୍କ ଇଛା ଅନୁସାରେ ସେ ବହି, ପତ୍ରପତ୍ରିକା ଆଦି ପଢୁଥିଲେ । ସ୍ୱାଧୀନଭାବେ ଚଳିବାର, ଲେଖିବାର ଓ ନିଜର ମତପ୍ରକାଶ କରିବାର ମାନସିକତା ତାଙ୍କର ତିଆରି ହୋଇଥିଲା ଏଇ ସ୍କୁଲ ଜୀବନରୁ ।

୧୯୪୫ରେ ସୁନହଟ ନିକଟରେ ଜାପାନୀ ବୋମା ପଡ଼ିଥିଲା । ଦ୍ୱିତୀୟ ମହାସମରର ଅସ୍ପଷ୍ଟ ଚିତ୍ର ଓ ନେତାଜୀଙ୍କ ଭାରତରୁ ପଳାୟନ ସହିତ ତାଙ୍କ ସମ୍ପର୍କରେ ବିଭିନ୍ନ ପ୍ରଚାର ବ୍ରଜନାଥଙ୍କ କିଶୋର ମନକୁ ଆନ୍ଦୋଳିତ କରିଥିଲା । ୧୯୪୭- ଅଗଷ୍ଟ ୧୫, ଯେଉଁଦିନ ତ୍ରିରଙ୍ଗା ପତାକା ଉଡ଼ି ଏ ଦେଶ ସ୍ୱାଧୀନ ବୋଲି ଘୋଷିତ ହେଲା, ବାଳକ ବ୍ରଜନାଥ ବି ସମସ୍ତଙ୍କ ସହିତ ତାଳଦେଇ ନିଜ ଘର ଆଗରେ ଉଡ଼େଇଥିଲେ ଜାତୀୟ ପତାକା । ତା ସହିତ କାଗଜରେ ବଡ଼ ବଡ଼ ଅକ୍ଷରରେ ଲେଖା, ସ୍ୱାଧୀନତା ସମ୍ପର୍କିତ ଏକ ସ୍ୱରଚିତ କବିତାକୁ ସେ ଉଡ଼େଇଥିଲେ ସେଇ ପତାକା ସାଙ୍ଗରେ । ତାହାହିଁ କବି ବ୍ରଜନାଥ ରଥଙ୍କ ଲିଖିତ ପ୍ରଥମ କବିତା ।

୧୯୪୮ରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ ସେ । ସେହି ସମୟରେ, ବର୍ତ୍ତମାନର ପ୍ରସିଦ୍ଧ କବି ଓ କଥାକାର ମନୋଜ ଦାସ ମଧ୍ୟ ନାମ ଲେଖାଇଥିଲେ । ତାଙ୍କର ପ୍ରକାଶିତ କବିତା 'ଶତାଦ୍ଧୀର ଆର୍ତ୍ତନାଦ ଓ ବିପ୍ଳବୀ ଫକୀରମୋହନ' ପ୍ରଚ୍ଚୋଦିତ କରିଥିଲା ବ୍ରଜନାଥଙ୍କୁ କବିତା ଲେଖିବା ପାଇଁ । ନବମ ଶ୍ରେଣୀରେ ପଢୁଥିଲାବେଳେ (୧୯୫୧), ଡଗର ପତ୍ରିକାରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ କବିତା 'ବ୍ୟର୍ଥତା' । ୧୯୫୨ରେ ସେ ମାଟ୍ରିକ ପାଶ କଲେ । ତାପରେ ନାମ ଲେଖାଇଲେ ଫକୀରମୋହନ କଲେଜରେ । ସେତେବେଳେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଚାଲୁଥାଏ ଫକୀରମୋହନ କଲେଜ । ଫକୀରମୋହନ ସାହିତ୍ୟ ପରିଷଦ ବି ଗଠିତ ହୋଇସାରିଥାଏ । ଅନୁଷ୍ଠାନର ଉତ୍ସବକୁ ଆସୁଥିବା ଓଡ଼ିଶା ଓ ଓଡ଼ିଶା ବାହାରର ବହୁ କବି ଏବଂ ବିଦ୍ୱାନ ପଣ୍ଡିତଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସଂସ୍ପର୍ଶରେ ଆସି ବ୍ରଜନାଥଙ୍କ କାବ୍ୟ-ପ୍ରତିଭା ବିକଶିତ ହୋଇଥିଲା ।

ବ୍ରଜନାଥ, କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା ଫକୀର ମୋହନ ସାହିତ୍ୟ ପରିଷେଦର ସଭାପତି ଭାବରେ କାର୍ଯ୍ୟନିର୍ବାହ କରିଥିଲେ । ନିଜ ପିତା ମାତାଙ୍କ ନାମରେ ବିଶ୍ୱତାରା ଓଡ଼ିଆ ଗବେଷଣାଗାର ମଧ୍ୟ ପ୍ରତିଷ୍ଠା କରିଥିଲେ ।

ସାହିତ୍ୟ ସର୍ଜନା[ସମ୍ପାଦନା]

କବିତା[ସମ୍ପାଦନା]

  • ମରୁଗୋଲାପ(୧୯୬୦)[୩]
  • ନିଜସ୍ୱ ସଂଳାପ(୧୯୬୯)
  • ମରୁଗୋଲାପ ଓ ଅନ୍ୟାନ୍ୟ କବିତା(୧୯୭୨)
  • ନିଃଶଦ୍ଦ ପ୍ରତିବାଦ(୧୯୭୭)
  • ସଭ୍ୟତାର ମୁହଁ(୧୯୭୯)
  • ମନର ମାନଚିତ୍ର(୧୯୮୪)[୪]
  • ହେ ମହାଜୀବନ!(୧୯୯୧)
  • ହଜିଗଲା ଝଡର ସଙ୍ଗୀତ
  • ଲଘୁ ଶତକ(ବ୍ୟଙ୍ଗ କବିତା, ୧୯୯୩)
  • ହେ ମୋର ସ୍ୱଦେଶ!(୧୯୯୭)
  • ଗଡ଼ିଗଡ଼ି ଗଲି ବଲ(ଶିଶୁ କବିତା, ୨୦୦୧)
  • ସ୍ୱନିର୍ବାଚିତ କବିତା(୨୦୦୧)
  • ସମୟର ଶଦ୍ଦଲିପି(୨୦୦୭)[୫]
  • ସାମାନ୍ୟ ଅସାମାନ୍ୟ(୨୦୦୭)[୬]
  • ଏକ ଏକ ଏକପଦୀ(୨୦୦୯)

ଅନୁବାଦ[ସମ୍ପାଦନା]

  • ତସଲିମାଙ୍କ ଶ୍ରେଷ୍ଠ କବିତା
  • ଦୁଃଖିନୀ ଝିଅର ଗୀତ
  • ନିର୍ବାଚିତ କଲାମ
  • ମୋ ପିଲାଦିନ
  • ଅନ୍ନଦା ମଙ୍ଗଳ
  • ଜେଲ ପତ୍ରାବଳୀ

ପୁରସ୍କାର[ସମ୍ପାଦନା]

କବି ବ୍ରଜନାଥ ରଥ
  • ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର, ୨୦୧୨ [୭]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୪ (ମନର ମାନଚିତ୍ର ପାଇଁ) [୮]
  • ଟାଗୋର ସାହିତ୍ୟ ପୁରସ୍କାର (କାବ୍ୟ ସଂକଳନ ସାମାନ୍ୟ ଅସାମାନ୍ୟ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦତ୍ତ)[୯]
  • ସାହିତ୍ୟ ଭାରତୀ ସମ୍ମାନ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ), ୨୦୦୨
  • ଡକ୍ଟରେଟ, ୨୦୧୧(ଫକୀର ମୋହନ ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରଦତ୍ତ)
  • କବି ଶେଖର ଚିନ୍ତାମଣି ପୁରସ୍କାର
  • କବି ଜୟଶଙ୍କର ପ୍ରସାଦ ସାହିତ୍ୟ ସମ୍ମାନ (ରାଷ୍ଟ୍ରୀୟ ହିନ୍ଦୀ ଏକାଡ଼େମୀ)
  • ଭାରତ ଚନ୍ଦ୍ର ନାୟକ ସାହିତ୍ୟ ସମ୍ମାନ (ସମ୍ବଲପୁର ବିଶ୍ୱବିଦ୍ୟାଳୟ)
  • ବିଷୁବ ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି)
  • ଗୋକର୍ଣିକା ପୁରସ୍କାର
  • କବି ସଚ୍ଚି ରାଉତରାୟ ସାହିତ୍ୟ ସମ୍ମାନ (ଭୁବନେଶ୍ୱର ପୁସ୍ତକ ମେଳା)
  • ଶୁଦ୍ରମୁନି ସାହିତ୍ୟ ପୁରସ୍କାର (ସିସୋର ସାହିତ୍ୟ ଏକାଡେମୀ)

ଆଧାର[ସମ୍ପାଦନା]

  1. "Noted Oria poet Brajanath Rath passes away". Hindustan Times. Archived from the original on 31 May 2014. Retrieved 31 May 2014.
  2. [୧] Poet
  3. [୨] The Encyclopaedia Of Indian Literature (Volume Two) (Devraj To Jyoti), Volume 2 By Amaresh Datta Page No. 1592
  4. [୩]
  5. [୪] National Library
  6. [୫] Samanya Asamanya
  7. "Atibadi Jagannath Das Award announced | Odisha Reporter". odishareporter.in. 2013. Retrieved 15 July 2013. poet Brajanath Rath would receive the coveted award for the year 2012
  8. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍ମୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 11 January 2019.
  9. [୬] Archived 2014-03-02 at the Wayback Machine. ଟାଗୋର ସାହିତ୍ୟ ପୁରସ୍କାର