ଛ ମାଣ ଆଠ ଗୁଣ୍ଠ
ଛ ମାଣ ଆଠ ଗୁଣ୍ଠ ହେଉଛି ଫକୀର ମୋହନ ସେନାପତିଙ୍କର ଲିଖିତ ଉପନ୍ୟାସ। ୧୮୯୭ରେ ପ୍ରଥମେ ଏହା ଧାରାବାହିକ ଭାବରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଫକୀର ମୋହନ ଏହାକୁ ଧୂର୍ଜଟି ଛଦ୍ମନାମରେ ପ୍ରକାଶ କରାଇଥିଲେ। ସେତେବେଳର ସାଧାରଣ ଜୀବନ ଉପରେ ଆଧାରିତ ଏହା ଏକ ବାସ୍ତବଧର୍ମୀ ଉପନ୍ୟାସ ଥିଲା। ଏପରିକି କିଛି ଲୋକ ଏହି କାହାଣୀକୁ ସତ ବୋଲି ମଧ୍ୟ ବିଚାର କରୁଥିଲେ।[୧] ୧୯୮୬ରେ ପାର୍ବତୀ ଘୋଷ ଉପନ୍ୟାସକୁ ଆଧାର କରି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଥିଲେ।
ସାରାଂଶ[ସମ୍ପାଦନା]
ଫତେପୁର ଗୋବିନ୍ଦପୁର ଜମିଦାର ରାମଚନ୍ଦ୍ର ମଙ୍ଗରାଜ ଜଣେ ଅତି କୃପଣ ବ୍ୟକ୍ତି। କଳେ ବଳେ କୌଶଳେ ଅନ୍ୟର ସମ୍ପତି ହସ୍ତଗତ କରିବା ପାଇଁ ସେ ଜଣାଶୁଣା। ଗାଆଁର ତନ୍ତୀ ଦମ୍ପତି ଭଗିଆ ଓ ସାରିଆ ନିଜର ପୈତୃକ ସମ୍ପତି ଛ’ ମାଣ ଆଠ ଗୁଣ୍ଠ ଭୋଗ କରନ୍ତି, ଯାହାକୁ ରାମଚନ୍ଦ୍ର ଅକ୍ତିଆର କରିବାକୁ ଚାହାନ୍ତି। ଏଥିପାଇଁ ସେ ଚାକରାଣୀ ଚମ୍ପା, ଗୋବରା ଜେନା ଆଦିଙ୍କ ସହାଯ୍ୟ ନିଅନ୍ତି। ଏପଟେ ଭଗିଆ ଓ ସାରିଆ ନିଃସନ୍ତାନ ହୋଇଥିବାରୁ ଚମ୍ପା ସାରିଆକୁ ଗ୍ରାମଦେବତୀ ବୁଢ଼ୀ ମଙ୍ଗଳାଙ୍କ ମନ୍ଦିର ନିର୍ମାଣ କରିବାକୁ ପ୍ରବର୍ତ୍ତାଉଛି। ଠାକୁରାଣୀ ସନ୍ତୁଷ୍ଟ ହେଲେ ସେମାନଙ୍କୁ ସନ୍ତାନ ଦାନ କରି ପାରନ୍ତି। କିନ୍ତୁ ଏଥିପାଇଁ ପ୍ରଚୁର ଅର୍ଥ ଲୋଡ଼ା। ଚମ୍ପା ସାରିଆକୁ ଛ’ ମାଣ ଆଠ ଗୁଣ୍ଠ ଜମିଦାରଙ୍କ ପାଖରେ ବନ୍ଧା ରଖିବା ପାଇଁ କହୁଛି। ପରେ କିଛି ଆଳ ଦେଖାଇ ଜମିଦାର ସାରିଆର ଗାଈ ନେତୀକୁ ଜବତ କରୁଛନ୍ତି। ଘଟଣାକ୍ରମରେ ସାରିଆର ସନ୍ଦେହଜନକ ମୃତ୍ୟୁ ଜମିଦାରଙ୍କ ବାଡ଼ିରେ ହୁଏ। ଗ୍ରାମବାସୀଙ୍କ ବୟାନ ଅନୁସାରେ ମୁଖ୍ୟ ଅଭିଯୁକ୍ତ ଜମିଦାର ରାମଚନ୍ଦ୍ର ମଙ୍ଗରାଜକୁ ପୁଲିସ ଗିରଫ କରୁଛି। ଏ ଦୁଃଖରେ ସାଆନ୍ତାଣୀଙ୍କର ଅନାହାର ତଥା ସନ୍ନିପାତରେ ମୃତ୍ୟୁ ହେଉଛି। ଜମିଦାରଙ୍କ ଗିରଫ, ସାଆନ୍ତାଣୀଙ୍କ ମୃତ୍ୟୁ ଓ ପିଲାମାନଙ୍କ ଅଯୋଗ୍ୟତା ଦେଖି ଚମ୍ପା ଗୋବିନ୍ଦ ଚାକର ସହ ମିଶି ଜମିଦାରଙ୍କ ମୂଲ୍ୟବାନ ସମ୍ପତି କିଛି ଚୋରି କରି ଖସିଯିବାରେ ସକ୍ଷମ ହେଉଛି। କିନ୍ତୁ କଟକ ଯିବା ରାସ୍ତାରେ ଗୋବିନ୍ଦ ସହିତ ମତାନ୍ତର ହେବାରୁ ଗୋବିନ୍ଦ ଚମ୍ପାକୁ ହତ୍ୟା କରୁଛି। ପରେ ଗୋବିନ୍ଦ ପୁଲିସ ପାଖର ନିଜର ଅପରାଧ ସ୍ୱୀକାର କରୁଛି। ଜମିଦାର ଦଣ୍ଡରୁ ମୁକୁଳିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି, ଏଥିପାଇଁ ପ୍ରବଳ ଅର୍ଥ ଓକିଲ ହସ୍ତଗତ କରୁଛି। କିନ୍ତୁ ଦୁଃଖଦ ଭାବେ ଜମିଦାରଙ୍କୁ ସଜା ହେଉଛି। ସଜା ଶେଷ ହେବା ପରେ ଜମିଦାର ନିଜ ଘରେ ପହଞ୍ଚି ଅସ୍ୱାସ୍ଥ୍ୟ ତଥା ମତିଭ୍ରମରେ ସାରିଆର ଦୂର୍ଗା ରୂପ ଦେଖି ଶେଷ ନିଶ୍ୱାସ ତ୍ୟାଗ କରୁଛନ୍ତି।
ଆଧାର[ସମ୍ପାଦନା]
- ↑ Lua error in ମଡ୍ୟୁଲ:Citation/CS1/Date_validation at line 335: attempt to compare nil with number.