ମାଧବୀ ଦାସୀ
ମାଧବୀ ଦାସୀ ଦେଈ | |
---|---|
ମୂଳନାମ | ମାଧବୀ ଦାସୀ |
ଜନ୍ମ ଓ ଜନ୍ମସ୍ଥାନ | ମାଧବୀ ପଟ୍ଟନାୟକ ଷୋଡ଼ଶ ଶତାବ୍ଦୀ ବେଣ୍ଟପୁର, ବ୍ରହ୍ମଗିରି, ପୁରୀ |
ବୃତ୍ତି | କବି |
ଭାଷା | ଓଡ଼ିଆ, ବଙ୍ଗଳା, ବ୍ରଜବୋଲି |
ଜାତୀୟତା | ଭାରତୀୟ |
ସମୟ | ଷୋଡ଼ଶ ଶତାବ୍ଦୀ |
ଶୈଳୀ | ଜଣାଣ |
ସାହିତ୍ୟର ଆନ୍ଦୋଳନ | ଭକ୍ତି ଆନ୍ଦୋଳନ |
ସାହିତ୍ୟ କୃତି | ଚକାନୟନ ହେ ଜଗୁଜୀବନ ଶ୍ରୀହରି |
ସମ୍ପର୍କୀୟ | ରାୟ ରାମାନନ୍ଦ, ଶିଖି ମହାନ୍ତି |
ମାଧବୀ ଦାସୀ ବା ମାଧବୀ ଦେଈ (ଜନ୍ମନାମ : ମାଧବୀ ପଟ୍ଟନାୟକ) ଷୋଡ଼ଶ ଶତାବ୍ଦୀର ଭକ୍ତିମାର୍ଗର ଜଣେ କବି ଓ ଓଡ଼ିଆ ଭାଷାର ସବୁଠୁଁ ପ୍ରାଚୀନତମ ମହିଳା କବି ଥିଲେ । ସେ ଓଡ଼ିଆ, ବଙ୍ଗାଳୀ ଓ ବ୍ରଜବୋଲି ଭାଷାଗୁଡ଼ିକରେ ବହୁ ପଦ୍ୟ ରଚନା କରିଥିଲେ । ତାଙ୍କ ରଚନାଗୁଡ଼ିକ ମୁଖ୍ୟତଃ ଭକ୍ତିମୂଳକ ରଚନା ଓ ସେଗୁଡ଼ିକ ଜଗନ୍ନାଥଙ୍କ ନିମନ୍ତେ ଲିଖିତ ।[୧]
ଜନ୍ମ ଓ ଜୀବନ
[ସମ୍ପାଦନା]ମାଧବୀ ଦାସୀ ଷୋଡ଼ଶ ଶତାବ୍ଦୀର ପ୍ରଥମ ଭାଗରେ ପୁରୀର ବେଣ୍ଟପୁର ଗ୍ରାମରେ 'ମାଧବୀ ପଟ୍ଟନାୟକ' ଭାବେ ଏକ କରଣ ଘରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ଚୈତନ୍ୟଙ୍କ ପ୍ରସିଦ୍ଧ ସହଚର ରାୟ ରାମାନନ୍ଦ ପଟ୍ଟନାୟକଙ୍କ ଭଉଣୀ ଥିଲେ । ରାୟ ରାମାନନ୍ଦ ପଟ୍ଟନାୟକ ତତ୍କାଳୀନ ଗଜପତି ପ୍ରତାପରୁଦ୍ର ଦେବଙ୍କ ସଭାରେ ମନ୍ତ୍ରୀ ଥିଲେ । ବାଲ୍ୟ କାଳରେ ସେ ବିଧବା ହୋଇଥିବାରୁ ନିଜ ଭାଇଙ୍କ ସହ ରାୟ ରାମାନନ୍ଦଙ୍କଦ୍ୱାରା ପ୍ରତିପାଳିତ ହୋଇଥିଲେ । ତାଙ୍କ ନିଜ ଭାଇଙ୍କ ନାମ ଶିଖି ମହାନ୍ତି ଥିଲା ।[୩]
ପରେ ମାଧବୀ ଦାସୀ ଚୈତନ୍ୟଙ୍କଠାରୁ ବୈଷ୍ଣବ ଧର୍ମ ଦୀକ୍ଷା ଗ୍ରହଣ କରିଥିଲେ । ଚୈତନ୍ୟଙ୍କ ଅନ୍ୟ ଏକ ଶିଷ୍ୟ ଛୋଟ ହରିଦାସଙ୍କ ସହ ସମ୍ପର୍କ ରଖିବାରୁ ସେ ସାମାଜିକ ଅପଖ୍ୟାତି ପାଇଥିଲେ । ଚେତାବନୀ ପରେ ମଧ୍ୟ ମାଧବୀଙ୍କ ପାଖକୁ ବାରମ୍ବାର ଯିବାରୁ ହରିଦାସ ରାମାନନ୍ଦଙ୍କଠୁଁ ମାଡ଼ ଖାଇଥିଲେ । [୪]ଚୈତନ୍ୟ ମହାପ୍ରଭୁ ଏହା ଜାଣିବା ପରେ ଉଭୟ ମାଧବୀ ଓ ହରିଦାସଙ୍କୁ ନିଜ ବୈଷ୍ଣବ ଧର୍ମରୁ ବାସନ୍ଦ କରିଥିଲେ । ଏହା ପରେ କଳଙ୍କିତ ହୋଇ ହରିଦାସ ନିଜ ଜନ୍ମସ୍ଥାନ ବଙ୍ଗାଳ ଫେରିଯାଇ ସେଠାରେ ଗଙ୍ଗା ନଦୀରେ ବୁଡ଼ି ଜୀବନ ତ୍ୟାଗ କରିଥିଲେ ।[୩] କେତେଜଣ ଗବେଷକଙ୍କ ମତରେ ଏହା ଚୈତନ୍ୟ ଓ ଅତିବଡ଼ି ଜଗନ୍ନାଥଙ୍କ ଦାସଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଓ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଥିବା ଶତ୍ରୁତାର ସୂଚକ । [୪]
ଧାର୍ମିକ ବିଶ୍ୱାସ ଓ ବୈଷ୍ଣବ ଧର୍ମ ଦୀକ୍ଷା
[ସମ୍ପାଦନା]ପିତୃସ୍ଥାନୀୟ ଭବାନନ୍ଦ ରାୟଙ୍କ କହିବାରୁ ମାଧବୀ ଛୋଟବେଳୁଁ ଅନେକ ଧର୍ମଶାସ୍ତ୍ର ପଢ଼ିଥିଲେ । କିନ୍ତୁ ଗଭୀର ଧର୍ମତତ୍ତ୍ୱ ଓ ଜଟିଳ ଚର୍ଚ୍ଚାରେ ତାଙ୍କ ମନ ଲାଗିନଥିଲା । ତାଙ୍କର ନିଜସ୍ୱ ଧର୍ମ ଥିଲା ଜଗନ୍ନାଥଙ୍କ ପ୍ରତି ନିଃସ୍ୱାର୍ଥ ଭକ୍ତି, ଯାହା ତାଙ୍କ ରଚନାଗୁଡ଼ିକରେ ସ୍ପଷ୍ଟ ଭାବେ ଲକ୍ଷ୍ୟ କରାଯାଇପାରେ ।
ଚୈତନ୍ୟ ମହାପ୍ରଭୁଙ୍କ ଓଡ଼ିଶାରେ ଆଗମନ ପରେ ରାଧାକୃଷ୍ଣ ପ୍ରେମ ତତ୍ତ୍ୱ ପ୍ରଚଳିତ ହେଲା । ଚୈତନ୍ୟ ସନ୍ନ୍ୟାସୀ ହୋଇଥିବାରୁ ନାରୀ ମୁଖ ଦେଖୁନଥିଲେ । ହୋଇଥିବାରୁ ଚୈତନ୍ୟ ତାଙ୍କୁ ସମ୍ପୂର୍ଣ୍ଣ ଶିଷ୍ୟା ଭାବେ ଗ୍ରହଣ କରିଲେ ନାହିଁ । ପରେ ଚୈତନ୍ୟ ମହାପ୍ରଭୁଙ୍କଦ୍ୱାରା ମାଧବୀ ନିଜ ଭାଇ ଶିଖିଙ୍କ ସଙ୍ଗେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇଥିଲେ, କିନ୍ତୁ ନାରୀ ହୋଇଥିବାରୁ ସେ ଅର୍ଦ୍ଧ-ଶିଷ୍ୟା ବୋଲି ଗୃହୀତ ହେଲେ । ଏହି କାରଣରୁ ବୈଷ୍ଣବ ଧର୍ମର ନାରୀ ବିରୋଧରେ ଏହି ଭାବନା ବିଷୟରେ ନିଜ ରଚନାରେ ଲେଖିଛନ୍ତି ଓ ସ୍ଥାନେ ସ୍ଥାନେ ନିଜ ନାରୀ ଜନ୍ମକୁ ଧିକ୍କାର ମଧ୍ୟ କରିଛନ୍ତି । [୩] ଚୈତନ୍ୟଙ୍କ ସହ ସଂସ୍ପର୍ଶରେ ଆସିବାଦ୍ୱାରା ତାଙ୍କର ମତବାଦ ଓ ଚର୍ଚ୍ଚା ରହିତ ସରଳ ଭକ୍ତିର ମାନସିକତା ଆହୁରି ଦୃଢ଼ ହୋଇଥିଲା ।[୨]
ବୈଷ୍ଣବ ଧର୍ମରେ ଦୀକ୍ଷାଗ୍ରହଣ କରିବା ପରେ ପରେ ମାଧବୀ ନିଜ କରଣ କୁଳସଜ୍ଞା ପଟ୍ଟନାୟକ ସ୍ଥାନରେ ଦାସୀ ପ୍ରୟୋଗ କରିଥିଲେ । ତାଙ୍କ ପ୍ରସିଦ୍ଧ ରଚନା 'କଲହ କରିୟା ଛଲା'ର ଭଣିତା ପଦରେ ଅଛି-
ଅପରୂପ ପ୍ରେମେ ବିଷାଦିତ ଅନ୍ତର
କହତହି ମାଧବୀ ଦାସ ।
ରଚନା
[ସମ୍ପାଦନା]ମାଧବୀ ଦାସୀଙ୍କ ରଚନା ଓଡ଼ିଆ, ବଙ୍ଗାଳୀ ଓ ବ୍ରଜବୋଲି - ଏହି ତିନିଗୋଟି ଭାଷାରେ ପ୍ରାପ୍ତ ହୋଇଛି । ସେ ପଞ୍ଚସଖାଙ୍କ ସମସାମୟିକ ଥିଲେ ଓ ତାଙ୍କ କାଳରେ ଏମିତି ଏକାଧିକ ଭାଷାରେ ରଚନା କରିବା ପ୍ରଚଳିତ ଥିଲା । ତାଙ୍କର ରଚନାଗୁଡ଼ିକ ମୁଖ୍ୟତଃ ଭକ୍ତିମାର୍ଗର ଧାରା ସହ ସାମଞ୍ଜସ୍ୟ ଦେଖାଏ । ମୁଖ୍ୟତଃ ଜଗନ୍ନାଥଙ୍କୁ କେନ୍ଦ୍ରିତ କରି ସେ ଅନେକ ଜଣାଣ ଓ ଭଜନ ରଚନା କରିଥିଲେ । ତାଙ୍କ କବିତାଗୁଡ଼ିକରୁ ପୁରାଣରେ ତାଙ୍କ ଦକ୍ଷତା ଦେଖିହୁଏ । ଏହା ଛଡ଼ା ସେ କେତେଗୋଟି କୀର୍ତ୍ତନ ମଧ୍ୟ ରଚନା କରିଥିବା ଦେଖାଯାଏ । ତାଙ୍କର କେତୋଟି ବଙ୍ଗାଳୀ ରଚନା ପଦ କଳ୍ପତରୁ ନାମକ ଗ୍ରନ୍ଥରେ ସ୍ଥାନିତ ହୋଇଛି । ତାଙ୍କ ରଚନାଗୁଡ଼ି ମୁଖ୍ୟତଃ ଅଲଗା ଅଲଗା ସ୍ୱୟଂସମ୍ପୂର୍ଣ୍ଣ କ୍ଷୁଦ୍ରଗୀତ ଭାବେ ଦେଖାଯାଏ । ଏହା ଛଡ଼ା ତାଙ୍କ ଲିଖିତ କୌଣସି ସମ୍ପୂର୍ଣ୍ଣ କାବ୍ୟ ବା ସଂକଳନ ଏଯାବତ୍ ମିଳିନାହିଁ ।[୨]
ଚୈତନ୍ୟ ମହାପ୍ରଭୁଙ୍କ ଶିଷ୍ୟା ହୋଇଥିବାରୁ ମାଧବୀଙ୍କ ରଚନାରେ ତାଙ୍କ ବିଷୟରେ ଅନେକ ତଥ୍ୟ ମିଳେ । ସେ ଚୈତନ୍ୟ ମହାପ୍ରଭୁଙ୍କୁ ଶ୍ରୀକୃଷ୍ଣଙ୍କ ମାନବ ଅବତାର ଭାବେ ଦେଖୁଥିଲେ ଏହାର ମଧ୍ୟ ପ୍ରମାଣ ମିଳେ ।
ସଙ୍ଗୀତ ଦୃଷ୍ଟିରୁ ମାଧବୀଙ୍କ ରଚନାରେ ବରାଡ଼ି, ବିହଗଡ଼ା ଇତ୍ଯାଦୀ ରାଗଗୁଡ଼ିକର ଉଲ୍ଲେଖ ରହିଛି ।[୫]
- ଚକାନୟନ ହେ ଜଗୁଜୀବନ ଶ୍ରୀହରି
- ଶ୍ରୀନନ୍ଦନନ୍ଦନ ସେ ଜଗବନ୍ଦନ
- ରାଧାମାଧବ ବିଳସଇ
- କଳହ କରିୟା ଛଳା
ଆଧାର
[ସମ୍ପାଦନା]- ↑ ଡଃ କୃଷ୍ଣଚରଣ ସାହୁ - ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଓଡ଼ିଶା ସାହିତ୍ଯ ଏକାଡ଼େମୀ, ଭୁବନେଶ୍ୱର, ୧୯୮୧
- ↑ ୨.୦ ୨.୧ ୨.୨ Hymns to Jagannatha : Madhavi Dasi, Srimandir
- ↑ ୩.୦ ୩.୧ ୩.୨ Savitri Rout - Women Pioneers in Oriya Literature, Page 32
- ↑ ୪.୦ ୪.୧ ଶୋଧଗଙ୍ଗା
- ↑ ଡଃ ଜାନକୀବଲ୍ଲଭ ମହାନ୍ତି, ବୈଷ୍ଣବ ପଦାବଳୀ - ଓଡ଼ିଶା ବୁକ୍ ଷ୍ଟୋର, ୧୯୮୦