ରାମାନନ୍ଦ ରାୟ

ଉଇକିପିଡ଼ିଆ ରୁ
Jump to navigation Jump to search

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକ ଅନ୍ତର୍ଗତ ବେଣ୍ଟପୁର ଗାଁରେ ରାମାନନ୍ଦ ରାୟ ଜନ୍ମଗ୍ରହଣ କରିଥିଲେ । ଭବାନନ୍ଦ ପଟ୍ଟନାୟକଙ୍କ ୫ପୁଅଙ୍କ ମଧ୍ୟରୁ ପ୍ରଥମ ପୁଅ ରାମାନନ୍ଦ ଉତ୍କଳ ସମ୍ରାଟ ପ୍ରତାପରୁଦ୍ର ଦେବଙ୍କ ପ୍ରଶାସକ ଭାବେ ରାଜମହେନ୍ଦ୍ରୀ (ବିଦ୍ୟାନଗରୀ)ରେ ପ୍ରତିନିଧିତ୍ୱ କରୁଥିଲେ । ଓଡ଼ିଆ ଭାଷାର ପ୍ରଥମ ମହିଳା କବି[୧] ମାଧବୀ ଦାସୀ ତାଙ୍କର ସମ୍ପର୍କୀୟ ଭଉଣୀ ।[୨] ରାମାନନ୍ଦ ରାଜନୀତି କରୁଥିଲେ ମଧ୍ୟ ତାଙ୍କର ପ୍ରଗାଢ଼ ଆଧ୍ୟାତ୍ମିକ ଜ୍ଞାନ ରହିଥିଲା । ଶ୍ରୀଚୈତନ୍ୟ ଶ୍ରୀକ୍ଷେତ୍ରରୁ ଦକ୍ଷିଣ ଭାରତ ଯିବା ସମୟରେ ଗୋଦାବରୀ ନଦୀକୂଳରେ ନିତ୍ୟକର୍ମ ସାରି ଘାଟରେ ବସିଥିଲେ । ଏହି ସମୟରେ ସେହି ଘାଟକୁ ସ୍ନାନ କରିବା ପାଇଁ ଆସିଥିବା ରାମାନନ୍ଦ ଶ୍ରୀଚୈତନ୍ୟଙ୍କ ଜ୍ୟୋତିର୍ମୟ ଗୌରକାନ୍ତ ରୂପକୁ ଦେଖି ଆମନ୍ତ୍ରଣ କରିଥିଲେ । ରାମାନନ୍ଦଙ୍କ ନିମନ୍ତ୍ରଣକୁ ରକ୍ଷାକରି ଶ୍ରୀଚୈତନ୍ୟ ଜଣେ ବୈଦିକ ବ୍ରାହ୍ମଣଙ୍କ ଘରେ ୧୦ଦିନ ରହିଥିଲେ । ପ୍ରତ୍ୟେକ ଦିନ ନିଶାରାତ୍ରରେ ରାମାନନ୍ଦ ସାଧରଣ ଲୋକ ବେଶରେ ଚୈତନ୍ୟଙ୍କ ସହ ସାକ୍ଷାତ କରନ୍ତି । ସେହି ସାକ୍ଷାତ ସମୟରେ ଚୈତନ୍ୟଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଚାଲନ୍ତି ରାମାନନ୍ଦ । ଦୁଇ ମହାପୁରୁଷଙ୍କ ମଧ୍ୟରେ ଏହି ୧୦ଦିନର କଥୋପକଥନ ‘ଶ୍ରୀଚୈତନ୍ୟ ଚରିତାମୃତ’ ଗ୍ରନ୍ଥରେ ବର୍ଣ୍ଣିତ ।

ବିଦ୍ୟାନଗରୀରୁ ଚୈତନ୍ୟ ମହାପ୍ରଭୁ ଫେରିବାପରେ ଶ୍ରୀକ୍ଷେତ୍ରରେ ବୈଷ୍ଣବ ଧର୍ମର ପ୍ରଚାର ପାଇଁ ପ୍ରବର୍ତ୍ତାଇଥିଲେ । ଶେଷରେ ରାମାନନ୍ଦ ରାଜକାର୍ଯ୍ୟରୁ ବିରତି ନେଇ ଶ୍ରୀକ୍ଷେତ୍ରକୁ ଫେରିଥିଲେ । ଶ୍ରୀଚୈତନ୍ୟଙ୍କ ଦର୍ଶନ ତଥା ସାନ୍ନିଧ୍ୟ ପ୍ରାପ୍ତିରେ ରାମାନନ୍ଦଙ୍କ ଭୂମିକା ଥିବାରୁ ରାଜା ତାଙ୍କ ପ୍ରତି ସନ୍ତୁଷ୍ଟ ହୋଇ ଶ୍ରୀଜଗନ୍ନାଥଜୀଉଙ୍କ ନାମରେ ନାମିତ ଜଗନ୍ନାଥବଲ୍ଲଭ ମଠକୁ ରାମାନନ୍ଦଙ୍କୁ ଦାନ କରିଥିଲେ । ରାମାନନ୍ଦ ଜଗନ୍ନାଥ ବଲ୍ଲଭ ମଠରେ ଅବସ୍ଥାନ କରି ସଂସ୍କୃତ ଭାଷାରେ ‘ଜଗନ୍ନାଥବଲ୍ଲଭ’ ନାମକ ନାଟକ ରଚନା କରିଥିଲେ । ଉକ୍ତ ନାଟକଟି ରାଧାକୃଷ୍ଣଙ୍କ ପ୍ରେମ ଉପରେ ଆଧାରିତ । ଚୈତନ୍ୟଙ୍କ ମୁଖ୍ୟ ଅନ୍ତରଙ୍ଗ ଭାବରେ ହିଁ ବୈଷ୍ଣବ ଧର୍ମର ପ୍ରଚାର ପାଇଁ ରାମାନନ୍ଦଙ୍କ ଭୂମିକା ଥିଲା ଅନେକ ।

ଆଧାର[ସମ୍ପାଦନା]

  1. Pani, Subas. "Hymns to Jagannatha" (PDF): 34. Retrieved 20 March 2015.
  2. Savitiri Rout (1 January 1972). Women Pioneers In Oriya Literature. Motilal Banarsidass Publishe. pp. 31–. ISBN 978-81-208-2546-8.

ଅଧିକ ତଥ୍ୟ[ସମ୍ପାଦନା]