ହାଡ଼ି ଦାସ

ଉଇକିପିଡ଼ିଆ ରୁ
Jump to navigation Jump to search
ହାଡ଼ି ଦାସ
ଜନ୍ମ ଓ ଜନ୍ମସ୍ଥାନ୧୭୭୨
ଚମ୍ପାପୁର, ଯାଜପୁର ଜିଲ୍ଲା
ଜାତୀୟତାଭାରତୀୟ
ଜୀବିକାସନ୍ଥକବି, କମାର
ଜୀବନସାଥିପଦ୍ମାବତୀ
ବାପା ବୋଉଚେମେଇ ଓଝା, ଦେବକୀ

ହାଡ଼ିଦାସ (୧୭୭୨-୧୮୩୭),[୧] ଜଣେ ମାଳିକାକାର ଓ ଛତିଆବଟର ପ୍ରତିଷ୍ଠାତା ଭାବରେ ପରିଚିତ । ସେ ଅନେକ ଚଉତିଶା, ସ୍ତୁତି, ଭବିଷ୍ୟ ମାଳିକା, ସ୍ୱରଶାସ୍ତ୍ର, ଜଣାଣ ଓ ରଥଯାତ୍ରା ଗୀତ ଆଦି ରଚନା କରିଯାଇଛନ୍ତି ।[୨]

ହାଡ଼ିଦାସ ୧୭୭୨ ମସିହାରେ, ଯାଜପୁର ଜିଲ୍ଲାର ଛତିଆବଟ ନିକଟସ୍ଥ ଚମ୍ପାପୁର ଗ୍ରାମରେ ମକର ସଂକ୍ରାନ୍ତି ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଚେମେଇ ଓଝା ଓ ମାତାଙ୍କ ନାମ ଦେବକୀ ଥିଲା । ସେ ଖୁବ କମ ବୟସରେ ନିଜ ପିତାମାତଙ୍କୁ ହରାଇଥିଲେ । ପରବର୍ତ୍ତୀ ସମୟରେ, ତାଙ୍କ ଏକମାତ୍ର ଭଉଣୀଙ୍କର ମଧ୍ୟ ତିରୋଧାନ ଘଟିଥିଲା । ସେ ମାତ୍ର ୨୧ ବର୍ଷ ବୟସରେ ବିବାହ କରିଥିଲେ, କିନ୍ତୁ ଅଷ୍ଟମଙ୍ଗଳା ଦିନ ତାଙ୍କ ପତ୍ନୀଙ୍କର ଦେହାନ୍ତ ଘଟିଥିଲା । ତିରିଶ ବର୍ଷ ବୟସରେ ସେ ପଦ୍ମାବତୀଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ ମଧ୍ୟ, ପଦ୍ମାବତୀଙ୍କ ନିଧନ ଯୋଗୁଁ ତାହା କ୍ଷଣସ୍ଥାୟୀ ଥିଲା । ଏହି ଦୁଃଖଦ ପରିସ୍ଥିତିରେ ଥାଇ ମଧ୍ୟ, ସେ ବିପୁଳ ସାହିତ୍ୟ ସର୍ଜନା କରିପାରିଛନ୍ତି ।

ହାଡ଼ିଦାସ, ଛତିଆ ପାହାଡ଼ସ୍ଥିତ ବରଗଛ ମୂଳେ ଛତିଆବଟ ପ୍ରତିଷ୍ଠା କରିଛନ୍ତି । ତାଙ୍କରି ନାମରେ "ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ", ଛତିଆକୁ ନାମିତ କରାଯାଇଛି । [୩]

ବଂଶଲତା[ସମ୍ପାଦନା]


ଚୁଇଁ ଓଝା
ଚେମେଇ ଓଝା
ସନାତନ ଦାସହାଡ଼ି ଦାସସତ୍ୟାନନ୍ଦ ଦାସ
ମନ୍ଦର ଦାସସାଧୁ ଦାସ
ଗୋବିନ୍ଦ ଦାସସିନ ଦାସପଞ୍ଚୁ ଦାସଦିବାକର ଦାସରଘୁବର ଦାସ (ନିଃସନ୍ତାନ)
ନିଧି ଦାସମଧୁ ଦାସଭଗବାନ ଦାସ (ପୋଷ୍ୟପୁତ୍ର)
ମଣି ଦାସହରେକୃଷ୍ଣ ଦାସପରମାନନ୍ଦ ଦାସ
ରାଜକିଶୋର ଦାସଦନୁ ଦାସ (ମୃତ)ରାମଚନ୍ଦ୍ର ଦାସ
ଅମରେଶ୍ୱର ଦାସକୁଳମଣି ଦାସ (ମୃତ)

କିମ୍ବଦନ୍ତୀ[ସମ୍ପାଦନା]

ଛତିଆବଟକୁ ନେଇ ପ୍ରଚଳିତ କିମ୍ବଦନ୍ତୀ ହେଉଛି ଏହିଭଳି । ରାଜଦରବାରରେ ରକ୍ଷଣଶୀଳ ବ୍ରାହ୍ମଣମାନଙ୍କ ଅଭିଯୋଗ କ୍ରମେ ଦର୍ପଣୀର ରାଜା ଗୁଲଜାର ହୋସେନ ହାଡ଼ି ଦାସଙ୍କୁ କହିଲେ, "ବ୍ରାହ୍ମଣମାନଙ୍କର ଅଭିଯୋଗ ହେଲା, ଆପଣ ଜାତିଭେଦ ନମାନି ସମସ୍ତ ଜାତିର ଲୋକଙ୍କ ସହ ମିଶି ଖାଇବା ପିଇବା କରୁଛନ୍ତି । ନାମ ଭଜନ କରୁଛନ୍ତି । ଆପଣଙ୍କ ସହ ରହିଛନ୍ତି ବ୍ରାହ୍ମଣ, ତେଲି, ପାଣ, ମାଳି ଓ କଣ୍ଡରା ଆଦି ଜାତିର ଲୋକ । ଏହାଦ୍ୱାରା ହିନ୍ଦୁଧର୍ମ କଳୁଷିତ ହେଉଛି" । ହାଡ଼ି ଦାସେ କହିଲେ, "ମଣିମ। ! ଆପଣ ତ ଜାଣନ୍ତି ଆମର ପୁଣ୍ୟପୀଠ ଶ୍ରୀକ୍ଷେତ୍ର ପୁରୀଠାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଭୋଗକୁ ମହାପ୍ରସାଦ ଭାବରେ ଆଚାଣ୍ଡାଳ ବ୍ରାହ୍ମଣ ସମସ୍ତେ ଜାତି-ବର୍ଣ୍ଣ-ନିର୍ବିଶେଷରେ ସେବା କରନ୍ତି । ମୁଁ ସେଇ ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଣାମ କରି ମୋର ଗୁରୁଭାଇମାନଙ୍କ ସହ ଏକାଠି ବସି ମହାପ୍ରସାଦ ସେବନ କରୁଛି" । ଏହା ଶୁଣି ବ୍ରାହ୍ମଣମାନେ ସ୍ୱର ଉତ୍ତୋଳନ କରି କହିଲେ, "ଖାଲି କହି ଦେଲେ କଥାଟା ସତ ବୋଲି ପ୍ରମାଣିତ ହୋଇଯିବ ନାହିଁ । ଆପଣ ସବୁବେଳେ ମହାପ୍ରସାଦ ସେବନ କରୁଥୁବାର ପ୍ରମାଣ ଦିଅନ୍ତୁ" । ହାଡ଼ି ଦାସେ ନିର୍ବିକାର ଚିତ୍ତରେ ଦୃଢ଼ ଆଧ୍ୟାତ୍ମିକ ଶକ୍ତି ବଳରେ ଉତ୍ତର ଦେଲେ, "ହଁ ମଣିମା ! ଆପଣଙ୍କ ଆଦେଶରେ ମୁଁ ପ୍ରମାଣ ଦେବାକୁ ପ୍ରସ୍ତୁତ" । ହାଡ଼ି ଦାସେ କଂସା, ପିତ୍ତଳ ବା ରସର ବାସନ ବ୍ୟବହାର କରନ୍ତି ନାହିଁ । ସେ ବ୍ୟବହାର କରନ୍ତି କାଠ ତିଆରି ବାସନ । ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି କାଠ ବାସନଟି ଝୁଲାରୁ ବାହାର କରି ତଳେ ରଖିଲେ । ତା’ପରେ ସେ ସେହି ଶୂନ୍ୟ ବାସନଟିକୁ ଶୂନ୍ୟକୁ ଉଠାଇ ଟେକି ଧରି କହିଲେ, "ହେ ଜଗନ୍ନାଥ ମହାପ୍ରଭୁ ! ତୁ ଭକ୍ତରକ୍ଷକ । ତୋ’ ବିନୁ ଅନ୍ୟଗତି ନାହିଁ" । ହାଡି ଦାସଙ୍କ କଥା ଶୁଣି ଜଗନ୍ନାଥ ଭକ୍ତର ମନୋବାଞ୍ଚା ପୂରଣ କଲେ । ଶୁନ୍ୟ ବାସନ ମହାପ୍ରସାଦରେ ପରିପୂର୍ଣ୍ଣ ହୋଇଗଲା । ହାଡ଼ି ଦାସଙ୍କ ଅପୂର୍ବ ମହାତ୍ମ୍ୟ ଦେଖି ରାଜା ଗୁଲଜାର ହୋସେନ୍ ଅତ୍ୟନ୍ତ ମୁଗଧ ହେଲେ ଏବଂ ଛତିଆ ହୁଡି ଉପର ବରଗଛ ତଳ ସାତଗୁଣ୍ଠ ଜମି ନିଷ୍କର ସ୍ୱତ୍ୱ ଭାବରେ ହାଡିଦାସଙ୍କୁ ପ୍ରଦାନ କଲେ । ସେହି ସ୍ଥାନ ଛତିଆ ବଟ ନାମରେ ଖ୍ୟାତ ।[୪]

ରଚନାବଳୀ[ସମ୍ପାଦନା]

  • ଶୂନ୍ୟ କଳ୍ପ ଗୀତା
  • ଭାବନାବର
  • ଶଙ୍ଖନାଭି(ଶ୍ରୀକ୍ଷେତ୍ରର ଗୌରବ ଓ ଜଗନ୍ନାଥ ତତ୍ତ୍ୱ ବର୍ଣ୍ଣିତ)
  • ଲକ୍ଷ୍ମୀଧର ବିଳାସ
  • କାଳଜ୍ଞାନ
  • ହନୁମନ୍ତ ଗୀତା
  • ଅନନ୍ତଗୁପ୍ତ ଟୀକା
  • କ୍ଷେତ୍ର ମହାତମ
  • ଶଙ୍ଖନାଭି ଭଈରୋବ ସ୍ତୁତି
  • ନୀଳମାଧବ ଗୀତା[୫]
  • ବ୍ୟାସବିସେ
  • ସ୍ୱରଶାସ୍ତ୍ର
  • ଗୃହସମ
  • ନିଶ୍ଚଳଜ୍ଞାନ ଗୀତା
  • ତୁସ୍ତ
  • ଅନନ୍ତଗୋଇ
  • ଛନ୍ଦ ଚଉତିଶା
  • କେତକୀଫୁଲ ଚଉତିଶା
  • ଜାମୁଡାଳି ଗୀତ

ଆଧାର[ସମ୍ପାଦନା]

  1. Orissa (India). Orissa District Gazetteers: Sambalpur. Superintendent, Orissa Government Press.
  2. "Chatiabata". http://orissatourismplaces.blogspot.in/. Retrieved 2 September 2015. External link in |website= (help)
  3. http://www.mhdmahavidyalaya.org/
  4. "ଶ୍ରୀ ଜଗନ୍ନାଥ ଓ ହାଡି ଦାସ"
  5. ଧରିତ୍ରୀ ସାହିତ୍ୟାୟନ ଡିସେମ୍ବର ୧୩-୨୬,୨୦୧୪ ପୃଷ୍ଠା ୨ରେ ପ୍ରକାଶିତ ଅରୁନ୍ଧତୀ ଦେବୀଙ୍କ ଲେଖା " ମାଳିକାକାର ହାଡ଼ିଦାସ"