ରେବତୀ (କ୍ଷୁଦ୍ରଗଳ୍ପ)

ଉଇକିପିଡ଼ିଆ‌ରୁ
"ରେବତୀ"
Authorଫକୀର ମୋହନ ସେନାପତି
Countryଭାରତ
Languageଓଡ଼ିଆ
Publication date୧୮୯୮

ରେବତୀ ହେଉଛି ଓଡ଼ିଆ ଗାଳ୍ପିକ ଫକୀର ମୋହନ ସେନାପତିଙ୍କଦ୍ୱାରା ଲିଖିତ ଏବଂ ୧୮୯୮ ମସିହାରେ ପ୍ରକାଶିତ ଏକ କ୍ଷୁଦ୍ରଗଳ୍ପ । ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ଭାବେ ଏହାର ମାନ୍ୟତା ରହିଛି ।[୧][୨] ଲଛମନିଆ ଫକୀରମୋହନଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ହୋଇଥିଲେ ହେଁ ଏହା ଦୁଷ୍ପ୍ରାପ୍ୟ ଥିବାରୁ ଫକୀରମୋହନଙ୍କ ରେବତୀ ହିଁ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭ କରିଛି ।[୩] ୧୮୯୮ ମସିହାରେ ତାଙ୍କ ରଚିତ 'ରେବତୀ' ବହୁତ ଜନପ୍ରିୟତା ଲାଭ କରିଥିଲା[୪] ସମସାମୟିକ ବ୍ୟାବହାରିକ ଓଡ଼ିଆ ଭାଷାରେ ଲିଖିତ ଏହି ଗଳ୍ପଟିରେ ଗୋଟିଏ ଛୋଟ ଝିଅ ରେବତୀର ପାଠ ପଢ଼ିବାର ପ୍ରବଳ ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଗଳ୍ପଟିରେ କଥାବସ୍ତୁକୁ ଜୀବନ୍ତ ଭାବେ ଚିତ୍ରିତ କରାଯାଇଛି ।

କଥାବସ୍ତୁ ଓ ଚରିତ୍ର[ସମ୍ପାଦନା]

କଟକ ଜିଲ୍ଲାର ଏକ ଅଖ୍ୟାତପଲ୍ଲୀ ପାଟପୁର ଗ୍ରାମର କାହାଣୀ । କଥାବସ୍ତୁର ମୁଖ୍ୟ ଚରିତ୍ର ରେବତୀ, ବାପା, ମାଆ ଓ ତାର ବୁଢ଼ୀ ଜେଜେମା ଓ ଗାଁ ସ୍କୁଲ ମାଷ୍ଟର ବାସୁ ।

ରେବତୀ ହେଉଛି ୧୦ ବର୍ଷ ବୟସର ଏକ ଗରୀବ କିନ୍ତୁ ବୁଦ୍ଧିମତି ଝିଅ । ତତ୍କାଳୀନ ଓଡ଼ିଶାର ଏକ ପଛୁଆ ଅଞ୍ଚଳର ଝିଅ ସେ । ଭଗବତ ଗୀତାର ପଂକ୍ତି ଗାଇବା ସହ ଭଲ ଭଜନ ଗାଇ ଜାଣେ ସେ । ତେବେ ତତ୍କାଳୀନ ରକ୍ଷଣଶୀଳ ସମାଜରେ ପାଠ ପଢ଼ିବାର ଦୁର୍ବାର ଇଚ୍ଛା ଏ ଝିଅ ମଧ୍ୟରେ ଜାଗି ଉଠିଛି । ସେ ପାଠ ପଢ଼ିବାକୁ ଚାହିଁଛି । ତତ୍କାଳୀନ ସମୟରେ ସମାଜରେ ଝିଅଙ୍କ ଭାଗ୍ୟରେ ପାଠ ପଢ଼ିବା ଜୁଟୁ ନ ଥିଲା , ବରଂ ଝିଅମାନଙ୍କୁ ଘର କାମ ସମ୍ଭାଳିବା ଦାୟୀତ୍ତ୍ୱ ଯେପରିକି ରୋଷେଇ କରିବା, ପିଠାପଣା କରିବା, ସିଲେଇ କରିବା, ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ସହାୟତା କରିବା ତଥା ଅନ୍ୟାନ୍ୟ ଘରକରଣା କାମ କରିବାକୁ କୁହାଯାଉଥିଲା । ଉନବିଂଶ ଶତାବ୍ଦୀର ଏକ ରକ୍ଷଣଶୀଳ ପରିବାରର ମୁରବୀ, ରେବତୀର ପିତା ଶ୍ୟାମବନ୍ଧୁ । ନିଷ୍ପାପ ରେବତୀର ପାଠ ପଢ଼ିବାର ଇଛାକୁ ଗ୍ରାମର କିଛି ରକ୍ଷଣଶୀଳ ଲୋକଙ୍କ ସହଜରେ ଗ୍ରହଣ କରିପାରି ନ ଥିଲେ । ଘରେ ଓ ବାହାରେ ଏଥିପାଇଁ ରେବତୀକୁ ବହୁ ଘାତ ପ୍ରତିଘାତର ସାମନା କରିବାକୁ ପଡିଥିଲା । ବୁଢ଼ୀ ଜେଜେମା ଏହାର ଘୋର ବିରୋଧ କରିଥିଲେ ମଧ୍ୟ ପିତ ଶ୍ୟାମବନ୍ଧୁ ବହୁ କଷ୍ଟରେ ରେବତୀକୁ ଗାଆଁ ମାଇନର ସ୍କୁଲକୁ ପଠାଇବାକୁ ରାଜି ହୋଇଥିଲେ । ପିତା ଶ୍ୟାମବନ୍ଧୁ ପୁରୁଣାକାଳିଆ ଲୋକ ହେଲେ ମଧ୍ୟ ଶିକ୍ଷାର ମହତ୍ତ୍ୱ ବେଶ ବୁଝି ପାରିଥିଲେ । ନାରୀ ଶିକ୍ଷା କ୍ଷେତ୍ରରେ ଆମ ସମାଜର ନାରୀ ଯେ ଅବହେଳିତ ସେ କଥା ସେ ଅନୁଭବ କରି ପାରୁଥିଲେ । ଏକଥା ବି ଜାଣିଥିଲେ ଯେ ନାରୀଟିଏ ଶିକ୍ଷିତା ହେଲେ ସାରା ପରିବାର ଶିକ୍ଷିତ ହେବାକୁ ଆଦୌ ଡେରି ହେବ ନାହିଁ । ତେବେ ରେବତୀର ଜେଜେମା ତଥା ସାଇ ପଡୋଶୀ ଏକଥାର ଘୋର ବିରୋଧ କରିଥିଲେ । କହିଲେ, ଝିଅ ପିଲାଟା; ପାଠଶାଠ କଣ ? ପିଠାପଣା ଶିଖୁ, ଝୋଟିଦିଆ ଶିଖୁ, ଘରକରଣା ଶିଖୁ । ସବୁ ଘାତ ପ୍ରତିଘାତ ସତ୍ତ୍ୱେ ରେବତୀ ଗାଁ ସ୍କୁଲ ଶିକ୍ଷକଙ୍କ ଭରସାରେ ସ୍କୁଲ ଯିବାକୁ ଜିଦ କରେ । ଦୁର୍ଭାଗ୍ୟକୁ ଗାଁରେ ମହାମାରୀ ବ୍ୟାପେ । ମହାମାରୀରେ ଅନେକ ଧନ ଜୀବନ ନଷ୍ଟ ହୁଏ । ହେଲେ ଜେଜେମା ବୁଢ଼ୀ ରେବତୀର ପାଠ ପଢ଼ିବା ଜିଦ୍ ହିଁ ଏସବୁ ଦୁର୍ଭାଗ୍ୟର ଏକ ମାତ୍ର କାରଣ ଭାବି ସମ୍ପିବାକୁ ଲାଗେ । ଏକ ଋଢୀବାଦୀ ପରିବାରରେ ରେବତୀର ପାଠ ପଢ଼ିବାର ଇଛା କେବଳ ଇଛାରେ ରହିଯାଏ । ଏତେ ସବୁ ଘଟଣା ଦୁର୍ଘଟଣାକୁ ନେଇ ରଚିତ ଏହି କାହଣୀ ବାସ୍ତବରେ ନାରୀ ଶିକ୍ଷାର ଜାଗରଣ ଦିଗରେ ଏକ ମହାନ ରୂପକ ଭାବେ ଆଜି ବି ସ୍ଥାନ ବଜାୟ ରଖିଛି । ଫକିର ମୋହନଙ୍କ ଏହି କାହଣୀ ଆଜି ବି ଆମ ପାଇଁ ମହତ୍ତ୍ୱପୂର୍ଣ୍ଣ । ଫକୀର ମୋହନଙ୍କ ସଂସ୍କାରବାଦୀ ମନୋଭାବର ଏହା ଏକ ନିଛକ ପ୍ରତିଫଳନ । ଏହି କାହାଣୀ ମହିଳା ଶିକ୍ଷା ଓ ମୁକ୍ତି ଆନ୍ଦୋଳନର ଏକ ରୂପକ । କାହାଣୀରେ ଫକୀର ମୋହନଙ୍କ ନାରୀ ସୁଧାରବାଦି ମନୋଭାବର ପରିଚୟ ଦିଏ ।[୫]

ସଂସ୍କାରବାଦୀ ଫକୀରମୋହନ ସେନାପତି ତତ୍କାଳୀନ ସମାଜରେ ପ୍ରଚଳିତ ନାନା କୁସଂସ୍କାର ଓ ଅନ୍ଧବିଶ୍ୱାସ ପ୍ରତି ଇଙ୍ଗିତ ପ୍ରଦାନ କରି ତାଙ୍କ ଗଳ୍ପ ଉପନ୍ୟାସ ରଚନା କରିଥିଲେ ତାଙ୍କର ପ୍ରଥମ ଗଳ୍ପ ‘ରେବତୀ’ରେ ମଧ୍ୟ ଏହା ସୁସ୍ପଷ୍ଟ[୬] ରେବତୀ ଗଳ୍ପ ପରବର୍ତ୍ତୀ ସମୟରେ ଅନେକ ଓଡ଼ିଆ ଲେଖକ ଓ ଗାଳ୍ପିକଙ୍କୁ ନାରୀ ଶିକ୍ଷା ଓ ଅନ୍ଧବିଶ୍ୱାସକୁ ନେଇ ଅନେକ ଗଳ୍ପ ଓ ନାଟକ ଲେଖିବା ପାଇଁ ପ୍ରେରଣା ପ୍ରଦାନ କରିଛି ।[୭]

ଆଧାର[ସମ୍ପାଦନା]

  1. History of Oriya Literature: Dr. Mansinha, Mayadhar; Published by Sahitya Akademy, Delhi
  2. Fakir Mohan Samiksha: Mohanty, Surendra, Published by New Students Store, Binode Behari, Cuttack
  3. "ଓଡ଼ିଆ ଭାଷାର ରକ୍ଷାକବଚ". Dharitri.com (in ଇଂରାଜୀ). Retrieved 17 December 2018.
  4. "ଯୁଗଜନ୍ମା ବ୍ୟାସକବି ଫକୀରମୋହନ ସେନାପତି". www.aahwaan.com (in ଇଂରାଜୀ). Retrieved 17 December 2018.
  5. "Values of Women in the Literature ofFakir Mohan Senapati" (PDF). magazines.odisha.gov.in. Retrieved 17 December 2018.
  6. "ଫକୀର ମୋହନଙ୍କ ପ୍ରଥମ ଗଳ୍ପ 'ରେବତୀ'ରେ ଲୋକ ସାହିତ୍ୟିକ ଉପାଦାନ - ରମେଶ ଚନ୍ଦ୍ର ଦାସ | Odia Bhasha Ebam Sahitya". www.odiasahitya.com. Retrieved 17 December 2018.
  7. “Album”-Short Stories Collection by Jagadish Mohanty, Published by Grantha Mandir, Binode Behari, Cuttack

ବାହାର ଆଧାର[ସମ୍ପାଦନା]