ନିଶଙ୍କରାୟ ରାଣୀ

ଉଇକିପିଡ଼ିଆ‌ରୁ
ନିଶଙ୍କ ରାୟ ରାଣୀ
ବୃତ୍ତିକବି, ରାଣୀ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସମୟଅଷ୍ଟାଦଶ ବା ଊନବିଂଶ ଶତାବ୍ଦୀ
ସାହିତ୍ୟ କୃତିପଦ୍ମାବତୀଅଭିଳାଷ (ମଧୁମାଳତୀଚରିତ)
ଜୀବନସାଥୀଗୌରଚନ୍ଦ୍ର ନିଶଙ୍କରାୟଦେଉ
ସମ୍ପର୍କୀୟବାସୁଦେବ ଥାଟରାଜ (ପିତା)

ନିଶଙ୍କରାୟ ରାଣୀ ଜଣେ ପ୍ରାଚୀନ ଓଡ଼ିଆ କବି ଓ 'ପଦ୍ମାବତୀ ଅଭିଳାଷ' (ଅନ୍ୟନାମ 'ମଧୁମାଳତୀଚରିତ') କାବ୍ୟର ରଚୟିତା ଅଟନ୍ତି । ପୁରାତନ ଓଡ଼ିଆ ସାହିତ୍ୟର ସ୍ତ୍ରୀକବିମାନଙ୍କ ମଧ୍ୟରୁ ସେ ପ୍ରମୁଖ ଅଟନ୍ତି ।[୧]

ଜୀବନ[ସମ୍ପାଦନା]

ବଂଶାବଳୀ[ସମ୍ପାଦନା]

ଶ୍ରୀକର ଭଞ୍ଜ
ରାମଚନ୍ଦ୍ରଦେଉବାସୁଦେବ ଥାଟରାଜମାତା
ଗୌରଚନ୍ଦ୍ର ନିଶଙ୍କରାୟଦେଉନିଶଙ୍କରାୟ ରାଣୀ


ନିଶଙ୍କରାୟ ରାଣୀ ଗଞ୍ଜାମ ଜିଲ୍ଲାନୁଗତ ଜରଡ଼ାର ବାସୁଦେବ ଥାଟରାଜଙ୍କ କନ୍ୟା ଥିଲେ । ବାସୁଦେବ ନିଜେ ମଧ୍ୟ ସୁନାମଧନ୍ୟ କବି ଥିଲେ । ବୁଢ଼ାଶିଙ୍ଗୀ ରାଜା ଶ୍ରୀ ଗୌରଚନ୍ଦ୍ର ନିଶଙ୍କରାୟଦେଉଙ୍କ ରାଣୀ ଥିଲେ । ଗୌରଚନ୍ଦ୍ର ଶ୍ରୀଖୈମଣ୍ଡି ରଜା ଗଜପତି ଶ୍ରୀରାମଚନ୍ଦ୍ରଦେଉଙ୍କର ପୁ୍ତ୍ର ।[୨] କବି ନିଜ ଗ୍ରନ୍ଥ ପଦ୍ମାବତୀ ଅଭିଳାଷରେ ନିଜର ସମ୍ପୂର୍ଣ୍ଣ ଆତ୍ମ ପରିଚୟ ଦେଇଛନ୍ତି । ଜରଡ଼ା ରାଜବଂଶର ଇଷ୍ଟ ଦେବତା ଦୁର୍ଗାମାଧବଙ୍କ ନାମ ଅନେକ ଥର ତାଙ୍କ ଲେଖାରେ ମିଳେ ।

ଜରଡ଼ାଦେଶ ଅଧୀଶ ସେ ବୀର ଧୀର । କବିପଣେ ଦୂତୀ ସରସ୍ୱତୀକୁମର ।।
ସିଦ୍ଧ ବିଦ୍ୟାଉପାସନୀରେ ପଣ୍ଡିତ । ବାସୁଦେବ ଥାଟ ନରପତି ମୋ ତାତ ।।
ବାକବଂଶାବିସମ୍ଭବ ପୀୟୂଷକର । ଶ୍ରୀଖୈମଣ୍ଡି ମହାରାଜ୍ୟେ ଯେ ଅଧୀଶ୍ୱର ।।
ବୀରାଧିବୀର ଶ୍ରୀଗଜପତି ନୃପତି । ଭୂପକୁଳଦୀପ ଯେ ପ୍ରତାପୀ ପତି ।।
ତାହାଙ୍କ ଅଂଶୁ ଉତ୍ପତ୍ତି ଖ୍ୟାତି ମୋ ପ୍ରିୟ । ଶ୍ରୀରାମଚନ୍ଦ୍ରଦେଉଙ୍କର ଯେ ତନୟ ।।
ବୁଢ଼ାଶିଙ୍ଗୀଦେଶ ଦୂତୀ ତ୍ରିଦଶାଳୟ । ଶକ୍ର ସମେ ତହିଁ କରିଛନ୍ତି ବିଜୟ ।।
ରୂପେ କାମ ଧୀବନ୍ତେ ଯେ ଗୀଷ୍ପତି ସରି । ଦିଶେ ଦିଶେ ଯାହାଙ୍କ ଯଶ ପ୍ରସରି ।।
ଦୟାଶୀଳ ଦାତା ବଳୀ ସମରେ ଯେଉଁ । ଭୀମ୍ପରାକ୍ରମ ପରେନ୍ଦୁରାହୁ ।।
ସଦା ସର୍ବତ୍ର ସେ ବିଚକ୍ଷଣ ସମାଜେ । ଶ୍ରୀବାଳକାଦେବୀଙ୍କର ବରପୁତ୍ର ଯେ ।।
ନାମ ଶ୍ରୀଗଉରଚନ୍ଦ୍ର ନିଶଙ୍କରାୟ । ଦେଉ ପଦ ଯାହାଙ୍କ ଯେ ସୁଗୁଣମୟ ।।
ଅଟଇ ମୁଁ ତାଙ୍କର ସୁପ୍ରିୟ ଜାୟା । ଶ୍ରୀଦୁର୍ଗାମାଧବ ମୋତେ କରନ୍ତେ ଦୟା ।।
ପଦ୍ମାବତୀଅଭିଳାଷ ନାମେ ପ୍ରବନ୍ଧ । ପ୍ରକାଶ କଲି ଏ ଅଠତିରିଶ ଛାନ୍ଦ ।।

— ଅଠତିରିଶ ଛାନ୍ଦ, ପଦ୍ମାବତୀଅଭିଳାଷ

ନିଶଙ୍କରାୟ ରାଣୀଙ୍କ ମାତା ବୋଧ ହୁଏ ଘୁମୁସର ରାଜା ଶ୍ରୀକର ଭଞ୍ଜଙ୍କ କନ୍ୟା ଥିଲା ଏହା ଅନୁମାନ କରାଯାଇଛି ।[୧] ଏହା ମଧ୍ୟ କବିଙ୍କ ନିଜ ଲେଖାରୁ । ଶ୍ରୀକର ଭଞ୍ଜ ସୂର୍ଯ୍ୟବଂଶ ବା ଦିବାକର ବଂଶରେ ଜନ୍ମ ହୋଇଥିବା ମଧ୍ୟ କବି ଲେଖିଛନ୍ତି ।

ସମୟ ନିରୂପଣ[ସମ୍ପାଦନା]

ଶ୍ରୀକର ଭଞ୍ଜ ୧୭୮୮ ଖ୍ରୀଷ୍ଟାବ୍ଦରେ ଘୁମୁସର ସିଂହାସନାରୂଢ଼ ହୋଇଥିଲେ । ଏଣୁ ନିଶଙ୍କରାୟ ରାଣୀ ଅଷ୍ଟାଦଶ ବା ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଜନ୍ମଗ୍ରହଣ କରିଥିବା ସମ୍ଭବ ।[୧][୩]

ମହେଶ ସଙ୍ଗ ଗଉରୀ ଯୁଗଳ ପାଦ ସୁମରି ଭଣଇ ନୃପତିମନୋହାରୀ ।
ଜରଡ଼ାରାଜ୍ୟ ଭୂପତି ମୁ ତ ଥାଟ ନରପତି ମୁଁ ତାଙ୍କ ପ୍ରିୟ କୁମାରୀ ହେ ।।
ସାଧୁଜନେ । ସ୍ତିରୀବୁଦ୍ଧି ନୁହଇ ସୁମତି ।
ଦିବାକରବଂଶ ଶ୍ରୀକର ଭଞ୍ଜ ନରେନ୍ଦ୍ର କେବଳ ତାହାଙ୍କ ଅଂଶୁ ଖ୍ୟାତି ହେ ।।

— ପଦ୍ମାବତୀଅଭିଳାଷ

କବିଙ୍କ ବାଲ୍ୟଜୀବନ[ସମ୍ପାଦନା]

ନିଜ ପିତା ଗୌରଚନ୍ଦ୍ର ନିଶଙ୍କରାୟଙ୍କ ସହ ରାଣୀଙ୍କ ମତାନ୍ତର ଘଟିଥିଲା ବା ସେ ଅଳ୍ପ ବୟସରେ କୌଣସି ବିପଦରେ ପଡ଼ିଥିଲେ । ଏହା ବିଷୟରେ କବି କରୁଣ ରସରେ ନିଜ କାବ୍ୟରେ ଲେଖିଅଛନ୍ତି ଯେ ସେ ଦୈବବଶତଃ ଅଳ୍ପବୟସରେ ପାଠ ପଢ଼ିପାରିନଥିଲେ । ସ୍ୱଦେଶରେ ଥିଲେ ପାଟରାଣୀ ହୋଇଥାନ୍ତେ କିନ୍ତୁ ଲାଜରେ ବା ଅପଖ୍ୟାତିରେ ବଞ୍ଚିବା ବର୍ଣ୍ଣନା ରହିଛି ।[୨]

ସହଜେ ଅବଳା କର୍ମେ ହେଲି ହୀନ । ସୁବୁଦ୍ଧି ନୋହେ ନାହିଁ ପାଠ ପଠନ ।।
ବିହି ଆଣି କଲା ମତେ ଏତେ ହଟ । ସ୍ୱଦେଶରେ ଥିଲେ ହୋଇଥାନ୍ତି ପାଟ ।।
ଏକାନ୍ତେ ଦିବା ରଜନୀ ତ ସରମ । ତେଣୁ ବାଳ ବୋଧନେ ମନ ଦେଇ ।।
କହଇ ମଧୁମାଳତୀକଥା ରସ । ସାଧୁଜନେ ନ ଧରିବା ଦୋଷାଦୋଷ ।।

— ପଦ୍ମାବତୀଅଭିଳାଷ

କବିଙ୍କ ସ୍ୱାମୀ ନିଶଙ୍କରାୟଦେଉ ବୁଢ଼ାଶିଙ୍ଗୀର ରାଜବଂଶରୁ ଥିଲେ । ବୁଢ଼ାଶିଙ୍ଗୀର ରାଜାମାନେ ରାମମତାବଲମ୍ବୀ । ସେମାନଙ୍କ ଇଷ୍ଟଦେବତା ସୀତାରାମ ଅଟନ୍ତି ।

ପଦ୍ମାବତୀଅଭିଳାଷ[ସମ୍ପାଦନା]

ପଦ୍ମାବତୀଅଭିଳାଷ ଗ୍ରନ୍ଥର ଅନ୍ୟ ନାମ ମଧୁମାଳତୀଚରିତ । ଗ୍ରନ୍ଥଟିର ଭାଷା ଶୁଦ୍ଧ ଓ ପ୍ରାଞ୍ଜଳ ଅଟେ ।

ଗ୍ରନ୍ଥ ରଚନା କାଳରେ କବି ପିତାଙ୍କ ଘରଠାରେ ଥିଲାପରି ସୂଚିତ ହୁଏ ।[୧] ଅନେକ ସ୍ଥାନରେ ଜରଡ଼ା ରାଜବଂଶର ଇଷ୍ଟ ଦେବତା ଦୁର୍ଗାମାଧବଙ୍କ ସ୍ତୁତି ପରିଲକ୍ଷିତ ହୁଏ । ନିଶଙ୍କରାୟ ରାଣୀଙ୍କ ପିତା ନିଜେ ସୁନାଧନ୍ୟ କବିଥିବାରୁ ସେ ତାଙ୍କ ପ୍ରସାଦରୁ କବିତା ରଚନା କରୁଛନ୍ତି ଏହା ମଧ୍ୟ ଲେଖାହୋଇଛି ।

ବାସୁଦେବଥାଟନୃପ ମୋର ତାତ । କବିପଣେ ଦୂତୀ ସରସ୍ୱତୀସୁତ ।।
ତାଙ୍କ ପାଦରଜ ପ୍ରସାଦରୁ ମୁହିଁ । ମଧୁମାଳତୀ ଚରିତ ବଖାଣଇ ।।

— ପଦ୍ମାବତୀଅଭିଳାଷ

ସାଧାରଣତଃ ଗ୍ରନ୍ଥ ରଚନା ଆରମ୍ଭରେ ଇଷ୍ଟଦେବତାଙ୍କ ଆରାଧାନ ସ୍ଥାନ ପାଏ । କିନ୍ତୁ ପଦ୍ମାବତୀଅଭିଳାଷରେ ଗ୍ରନ୍ଥ ଆରମ୍ଭରେ ସରସ୍ୱତୀଙ୍କ ବନ୍ଦନା ହୋଇଛି ଏବଂ ଗ୍ରନ୍ଥ ଅନ୍ତରେ ଇଷ୍ଟଦେବତା ସୀତାରାମଙ୍କ ବନ୍ଦନା ହୋଇଛି । ଏହା ସଙ୍ଗେ ସେ ବାଲ୍ୟକାଳରେ ପାଠ ନ ପଢ଼ିଥିବା କଥା ମଧ୍ୟ ବାରମ୍ବାର ଲେଖିଅଛନ୍ତି । ପୁଣି ସେହି କାଳରେ ନାରୀମାନେ କିପରି ରାଜଗୃହ ଭିତରେ ସୀମିତ ହୋଇ ଜୀବନ ଯାପନ କରୁଥିଲେ ତାହା ମଧ୍ୟ ପରିଲକ୍ଷିତ ହୁଏ ।[୨]

ରାମ କୃଷ୍ଣ ହରି ହୃଦରେ ସୁମରି ରଜନୀ ପୁଆଇଲେ ।
ନିଶି ଶେଷେ ପୁଣି ରାମ ଭଜିଲେ ।
ସେ ରାମଙ୍କୁ ଈଶ କରିଣ ନରେଶକାନ୍ତା ଏ ରସେ ଭଣିଲେ । ହେ ସୁଜନେ ।
କିଛି କରି ନାହିଁ ପାଠ ପଠନ । ସ୍ତିରୀ ସ୍ୱଭାବେ ଅଟେ କର୍ମହୀନ ।
ରାଜଗୃହେ ବନ୍ଦୀପ୍ରାୟ ହୋଇ ଧନ୍ଦି ଜଞ୍ଜାଳ ଜାଲେ ହେ । ସୁଜନେ ।

— ପଦ୍ମାବତୀଅଭିଳାଷ

ଇଷ୍ଟଦେବତାଙ୍କଠୁଁ ସରସ୍ୱତୀଙ୍କ ପ୍ରତି ଅଧିକ ଆଗ୍ରହ ଥିବା ଏଥିରୁ ପ୍ରତିପାଦିତ ହୁଏ ।[୧] ଠିକ ଏହି ଶୈଳୀରେ କାହାଣୀର ମୁଖ୍ୟ ଚରିତ୍ର ମଧୁଙ୍କୁ ମାଳତୀଙ୍କ ଗର୍ଭରୁ ରାମନବମୀ ଦିନ ନୁହେଁ ବରଂ ମାଘ ଶୁକ୍ଳ ପଞ୍ଚମୀ ବା ବସନ୍ତ ପଞ୍ଚମୀ ଦିନ କବି ଜନ୍ମ କରାଇଅଛନ୍ତି ।

ତାହା ଦେଖି ସକଳ ପ୍ରିୟସଖୀ କରନ୍ତି ପ୍ରସବ ବିଧି ।
ବିଶେଷରେ ମାଘ ଶୁକ୍ଳ ପଞ୍ଚମୀ ମଙ୍ଗଳବାର ଅବଧି ସେ ।
ବେନି ଘଡ଼ି ରଜନୀ । ରାଜାନନ୍ଦ ଜାତି ଅବନୀ ସେ ।

— ପଦ୍ମାବତୀଅଭିଳାଷ

ଗ୍ରନ୍ଥ ଅଗ୍ରସର ହେଲାପରେ ଶୀତକାଳ ବର୍ଣ୍ଣନା ସମୟରେ ମଧ୍ୟ କେବଳ ବସନ୍ତପଞ୍ଚମୀର ବର୍ଣ୍ଣନା ଦେଖାଯାଏ ।

ମାଘ ଶୁକ୍ଳ ପଞ୍ଚମୀ ଦିବସରେ । ସରସ୍ୱତୀଙ୍କି ପୂଜିଲେ କୁମରେ ।।
ଶାରଦାଙ୍କ ବନ୍ଦନା ଗୀତମାନ । ଚାଟଶାଳରେ ଗାଇଲେ ନନ୍ଦନ ।।

— ପଦ୍ମାବତୀଅଭିଳାଷ

ରାଜବାଟୀର ସ୍ତ୍ରୀମାନେ ଉନ୍ନତ ଧରଣର ସାହିତ୍ୟ ଶିକ୍ଷା କରୁଥିଲେ । ନିଶଙ୍କରାୟ ରାଣୀ ମଧ୍ୟ ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀ ଉତ୍ତମରୂପେ ଜାଣିଥିଲେ ଏହା ତାଙ୍କ ଗ୍ରନ୍ଥରୁ ପ୍ରମାଣିତ ହୁଏ । ସେ ନିଜ କାବ୍ୟରେ ସରୋବର ବର୍ଣ୍ଣନା କରି ରାମକେରୀ ରାଗରେ ଭଞ୍ଜୀୟ ଶୈଳୀରେ ଲେଖିଛନ୍ତି । ଏପରି ଅନେକ ସ୍ଥଳରେ ତାଙ୍କ ଲେଖା ଉପେନ୍ଦ୍ର ଭଞ୍ଜଙ୍କ ଅନୁକରଣରେ ଲେଖାଯାଇଥିବା ସ୍ପଷ୍ଟ ଭାବେ ଦେଖାଯାଏ ।[୧]

ସମଗ୍ର ଗ୍ରନ୍ଥଟିରେ ଅନ୍ୟାନ୍ୟ ବର୍ଣ୍ଣନା ଅପେକ୍ଷା ପଦ୍ମାବତୀଙ୍କ ବିବାହ ପ୍ରସଙ୍ଗ ଅତି ଦୀର୍ଘ । ରାଜବାଟୀରେ ବିଭାବେଳେ ଅଧିବାସ କୋଇଲିବୁଡ଼ଠାରୁ ଅଷ୍ଟମଙ୍ଗଳା ପର୍ଯ୍ୟନ୍ତ ସମସ୍ତ ବିଧିବିଧାନ ବର୍ଣ୍ଣନା ଦେଖାଯାଏ । ଏହି ସବୁ କବି ନିଜ ଅନୁଭୂତିରୁ ଲେଖିଥିବା ସମ୍ଭବ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ଶ୍ୟାମସୁନ୍ଦର ରାଜଗୁରୁ - ଉତ୍କଳ ସାହିତ୍ୟ, ସପ୍ତମ ଭାଗ, ଅଷ୍ଟମ ସଂଖ୍ୟା, ୧୩୧୦-୧୩୧୧ ସାଲ, ପୃ ୨୩୨-୨୩୬ । ୧୯୦୪, ଉତ୍କଳ ସାହିତ୍ୟ ପ୍ରେସ, କଟକରେ ମୁଦ୍ରିତ ।
  2. ୨.୦ ୨.୧ ୨.୨ ନିଶଙ୍କରାୟ ରାଣୀ - ପଦ୍ମାବତୀଅଭିଳାଷ (ମଧୁମାଳତୀଚରିତ)
  3. ଜିଲ୍ଲା ମାନୁଆଲ, ଗଞ୍ଜାମ ।