କଟକ
| କଟକ | |
| ରୋପ୍ୟନଗରୀ | |
| — ନଗର — | |
|
|
|
|
|
|
| ଦିଗବାରେଣି | 20.27°N 85.52°E / 20.27°N 85.52°Eଦିଗବାରେଣି: 20.27°N 85.52°E / 20.27°N 85.52°E |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଭାରତର ଜିଲାସବୁ | କଟକ |
| ମ୍ୟୁନିସିପାଲ କମିସନର, କଟକ | ରବିନାରାୟଣ ନନ୍ଦ |
| ମେୟର | ସୌମେନ୍ଦ୍ର ଘୋଷ |
| ଲୋକସଂଖ୍ୟା • ଘନତା |
୯୨୧ (2010[update]) • ୪,୩୮୨.୨୩ /କି.ମି.୨ ( /ବର୍ଗ ମି.) |
| ସରକାରୀ ଭାଷାସବୁ | ଓଡ଼ିଆ |
|---|---|
| ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
| ପରିସୀମା |
୩୯୮ ବର୍ଗ କି.ମି.s ( ବର୍ଗ ମି.) • ୩୬ ମିଟରs ( ଫୁଟ) |
| ବେବସାଇଟ | ସି.ଏମ.ସି. ବେବସାଇଟ |
କଟକ ନଗର କଟକ ଜିଲ୍ଲାର ଏକ ମୁଖ୍ୟ ସହର ଓ ଓଡ଼ିଶାର ସର୍ବପୁରାତନ ସହର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେସମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି ।
୯୮୯ ଖ୍ରୀ.ଅ.ରେ ଗଠିତ[୧][୨] ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ବିଷୟସୂଚୀ |
ଇତିହାସ [ସମ୍ପାଦନା]
କଟକର ମୂଳ ଇତିହାସ କେଶରୀ ବଂଶ ସହ ଜଡ଼ିତ । କେଶରୀ ବଂଶର ରାଜା ନୃପ କେଶରୀଙ୍କ ଦ୍ୱାରା ୯୮୯ ଖ୍ରୀ.ଅ.ରେ ଏକ ସେନା ଛାଉଣି ଭାବରେ କଟକର ପ୍ରତିଷ୍ଠା ହୋଇଥିଲା । ପୁରୀ ଜଗନ୍ନାଥ ମନ୍ଦିରର ମାଦଳା ପାଞ୍ଜିରୁ ଏହାର ପ୍ରମାଣ ମିଳିଥାଏ । ସନ ୧୦୦୬ରେ ରାଜା ମର୍କତ କେଶରୀଙ୍କ ଶାସନ କାଳରେ ମହାନଦୀ ଉପରେ ପଥର ବନ୍ଧ ତିଆରି ହୋଇଥିଲା,[୩] ଆଉ ଲୋକଙ୍କୁ ବନ୍ୟା ଦାଉରୁ ବଞ୍ଚାଇବା ପାଇଁ ଏହି ପଥରବନ୍ଧ ତିଆରି ପଛରେ ଥିଲେ ସେକାଳର କୁଶଳୀ ବିନ୍ଧାଣି ବାଇଧର ମୁଣ୍ଡି (ଲୋକତୁଣ୍ଡରେ ବାଇମୁଣ୍ଡି ନାଆଁରେ ଜଣାଶୁଣା) ।
କେଶରୀ ବଂଶ ପରେ କଟକ ୧୨୧୧ ଖ୍ରୀ.ଅ.ରେ ଗଙ୍ଗ ବଂଶଜ ଅନଙ୍ଗଭୀମଦେବଙ୍କ ସାମ୍ରାଜ୍ୟର ରାଜଧାନୀ ରୂପେ ରହିଥିଲା । ଗଙ୍ଗ ବଂଶ ପରେ କ୍ଷମତାରେ ଥିବା ସୂର୍ଯ୍ୟବଂଶଜ ଗଜପତି ରାଜା (୧୪୩୫-୧୫୪୧ ଖ୍ରୀ.ଅ.) ମାନେ ମଧ୍ୟ କଟକକୁ ନିଜ ରାଜଧାନୀର ମାନ୍ୟତା ଦେଇଥିଲେ । ଓଡ଼ିଶାର ଶେଷ ହିନ୍ଦୁ ରାଜା ମୁକୁନ୍ଦଦେବଙ୍କ ଅନ୍ତେ କଟକ ମୁସଲିମ ଓ ମୋଗଲ ମାନଙ୍କ ଅକ୍ତିଆରକୁ ଆସିଥିଲା କଟକ ।
ଅଠର ଦଶକର ମଝି ଆଡକୁ, ପ୍ରାୟ ୧୭୫୦ ବେଳକୁ କଟକ ମରହଟା ମାନଙ୍କ ଅଧୀନକୁ ଆସିଲା । ନାଗପୁରର ମରହଟ୍ଟା ଏବଂ କୋଲକାତା (ତତ୍କାଳୀନ କଲିକତା)ର ଇଂରେଜ ବଣିକ ମାନଙ୍କ ସହ ଗମନାଗମନ ଓ ଯୋଗାଯୋଗ ଲାଗି ଉତ୍ତମ ସ୍ଥାନରେ କଟକ ଅବସ୍ଥିତ ହୋଇଥିବାରୁ ଏହି ସମୟରେ କଟକର ବାଣିଜ୍ୟିକ ପ୍ରତିପତ୍ତି ବୃଦ୍ଧି ପାଇଲା । ୧୮୦୩ରେ ଇଂରେଜ ମାନେ କଟକକୁ ଦଖଲ କଲେ ଏବଂ ୧୮୧୬ରେ ଏହାକୁ ଓଡ଼ିଶା ଡିଭିଜନ୍ର ରାଜଧାନୀ ଘୋଷିତ କରାଗଲା । ଯଦିଓ ସ୍ୱାଧୀନତା ପରବର୍ତ୍ତୀ କାଳରେ ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀରେ ପରିଣତ ହେଲା ତଥାପି ଶାସନତନ୍ତ୍ରରେ ଏଯାବତ୍ କଟକ ନିଜର ଏକ ସ୍ୱତନ୍ତ୍ର ପତିଆରା ବଜାୟ ରଖିଛି ।
କଟକ ଇତିହାସର ମୂକସାକ୍ଷୀ ରୂପେ ଓଡ଼ିଶା ବିଦିତ ପୁରାତନ ବାରବାଟି ଦୁର୍ଗ ଏଯାବତ୍ ସଗର୍ବେ ଦଣ୍ଡାୟମାନ । ଏହି ଦୁର୍ଗର ସମୀପରେ ଅତ୍ୟାଧୁନିକ ସୁବିଧାସୁଯୋଗ ଯୁକ୍ତ ବାରବାଟି ଷ୍ଟାଡିଅମ ରହିଛି । ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ମ୍ୟାଚ୍ମାନ ଏହି ଷ୍ଟାଡିୟମରେ ଖେଳାଯାଇସାରିଛି । ନିକଟ ଅତୀତରେ ଦିବାରାତ୍ରି ଖେଳମାନଙ୍କ ଲାଗି ଏଠାରେ ଫ୍ଲଡ୍ ଲାଇଟ୍ ମଧ୍ୟ ଖଞ୍ଜା ଯାଇଛି । ଲୋକମୁଖରେ କଟକ ’ବାଉନ ବଜାର ତେପନ ଗଳି’ର ସହର ରୂପେ ମଧ୍ୟ ସୁବିଖ୍ୟାତ ।
ସହରଠାରୁ ୧୪ କି.ମି. ଦୂରରେ ବିରିବାଟିଠାରେ ଅବସ୍ଥିତ ପରମହଂସନାଥ ମନ୍ଦିର କଟକର ସର୍ବୋଚ୍ଚ ମନ୍ଦିର । ଏତଦବ୍ୟତୀତ କଟକ ଚଣ୍ଡୀ ମନ୍ଦିର ଓ ଭଟ୍ଟାରିକା ମନ୍ଦିର ମଧ୍ୟ କଟକର ଶୋଭା ବୃଦ୍ଧି କରୁଛନ୍ତି ।
ଅନ୍ୟାନ୍ୟ ଧର୍ମପୀଠଙ୍କ ମଧ୍ୟରୁ ମୁସଲମାନଙ୍କ ’କଦ୍ଦମ୍ ରସୁଲ୍’ ଓ ଶିଖ ଧର୍ମର ’ଗୁରୁଦ୍ୱାରା ଦାତନ ସାହେବ’ ଅନ୍ୟତମ । ଏହା ବିଶ୍ୱାସ କରାଯାଏ ଯେ କଦମ ରସୁଲର ମନିଷୀ ମହମ୍ମଦଙ୍କ ପଦଚିହ୍ନ ରହିଛି । ସେହିପରି ଶିଖ ବିଶ୍ୱାସାନୁଯାୟୀ ଶିଖଙ୍କ ପ୍ରଥମ ଧର୍ମଗୁରୁ, ଶ୍ରୀ ଗୁରୁ ନାନକ ଦେବ ନିଜର ପୁରୀ ଯାତ୍ରା କାଳରେ ଏଠାରେ କିଛି ସମୟ ଅବସ୍ଥାନ କରିଥିଲେ ଓ ତାଙ୍କଦ୍ୱାରା ଦାନ୍ତକାଠି ରୂପେ ବ୍ୟବହୃତ ହେବା ପରେ ତାଙ୍କରି ଦ୍ୱାରା ରୋପିତ ଏକ ବୃକ୍ଷ ଏଠାରେ ଏବେ ମଧ୍ୟ ଏଠାରେ ରହିଛି । ଦାନ୍ତକାଠି ଅନୁସାରେ ଏହାର ନାମ ଗୁରୁଦ୍ୱାରା ଦାତନ ସାହିବ ।
ଭୂଗୋଳ [ସମ୍ପାଦନା]
କଟକର ଭୌଗୋଳିକ ଅବସ୍ଥିତି ହେଉଛି ୨୦.୫ ଉ. ୮୫.୮୩ ପୂ. ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୩୭ ମିଟର (୧୨୧ ଫୁଟ୍) । କଟକ ଉତ୍ତରରେ ମହାନଦୀ ଓ ଦକ୍ଷିଣରେ କାଠଯୋଡ଼ି ମଧ୍ୟରେ ଥିବା ତ୍ରିକୋଣଭୂମିରେ ଅବସ୍ଥିତ । କଟକର ଜଳବାୟୁ ଗ୍ରୀଷ୍ମ ଦିନେ ଉଷ୍ମ ଓ ଆର୍ଦ୍ର ଏବଂ ଶୀତ ଦିନେ ଶୀତଳ ଓ ଶୁଷ୍କ । ସହରରେ ଅନୁଭୂତ ସର୍ବୋଚ୍ଚ ତାପମାତ୍ରା ୫୦ ସେ. ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୦ ସେ. । ଗ୍ରୀଷ୍ମର ପ୍ରଭାବ ମାର୍ଚ୍ଚ ଶେଷରୁ ଜୁନ୍ ମଧ୍ୟଭାଗ ଯାଏଁ ଅନୁଭୂତ ହୁଏ । ଜୁନ୍ ମଧ୍ୟଭାଗରୁ ବର୍ଷାଋତୁର ଆରମ୍ଭ । ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟଭାଗ ଯାଏଁ ସର୍ବାଧିକ ବୃଷ୍ଟିପାତ ହୋଇଥାଏ । କଟକର ବାର୍ଷିକ ହାରାହାରି ବୃଷ୍ଟିପାତ ୧୪୪.୩୯ ସେ.ମି. ।
ଶୀତଋତୁ ନଭେମ୍ବରରୁ ଆରମ୍ଭ ହୋଇ ଜାନୁଆରୀ ଆରମ୍ଭ ଯାଏଁ ରହିଥାଏ । ଏହି ସମୟରେ ଶୀତଳ ଉତ୍ତରା ପବନ ବହିବା ସହିତ ଶୀଘ୍ର (୫.୩୦ ଘଟିକା) ସନ୍ଧ୍ୟା ହୋଇଯାଉଥିବାରୁ ଲମ୍ବା ଓ ଥଣ୍ଡା ରାତି ଅନୁଭୂତ ହୁଏ ।
ଜାନୁଆରୀ ମଧ୍ୟରୁ ମାର୍ଚ୍ଚ ମଧ୍ୟଭାଗ ଯାଏଁ ବସନ୍ତ ଋତୁର ପ୍ରଭାବ ଦେଖାଯାଏ ଓ ତାପମାତ୍ରା ସର୍ବୋଚ୍ଚ ୩୩.୪ ସେ. ରୁ ୨୨.୨ ସେ. ମଧ୍ୟରେ ରହେ । କଟକ ଭ୍ରମଣ ଲାଗି ଏହା ସର୍ବୋତ୍କୃଷ୍ଟ ସମୟ ।
୨୦୧୧ ଜନଗଣନା ଅନୁଯାୟୀ କଟକର ମୋଟ ଜନସଂଖ୍ୟା ୬,୦୬,୦୦୭ । କଟକର ହାରାହାରି ସାକ୍ଷରତା ହାର ୯୧.୧୭% । [୪]
କଳା ଓ ଚଳଣି [ସମ୍ପାଦନା]
ତାରକସି [ସମ୍ପାଦନା]
କଟକ ସୁନା ଓ ରୂପାର ତାରକସି କଳା ପାଇଁ ଜଣାଶୁଣା । ଏଠାକାର ସ୍ଥାନୀୟ କାରିଗର ମାନେ ସାଧବ ମାନଙ୍କ ଅମଳରୁ ପାଖାପାଖି ୫୦୦ ବର୍ଷ ଧରି ଏହି କଳାକୁ ଜୀବିତ ରଖିଛନ୍ତି । ଅତୀତରେ ଓଡ଼ିଶାର ନଦୀ ଓ ସମୁଦ୍ର ପଥରେ ଦକ୍ଷିଣ ଏସିଆର ଇଣ୍ଡୋନେସିଆ ଓ ଅନ୍ୟାନ୍ୟ ଦେଶସମୂହ ସହ ବେପାର ବଣିଜ କାରବାର ପାଇଁ ଓଡ଼ିଶାର ସାଧବମାନେ ଏହି ସୁନା ରୂପାର ଅଳଙ୍କାର ନେଇ କଳିଙ୍ଗରୁ ଯାଉଥିଲେ ।[୫]
ଖାଦ୍ୟପେୟ [ସମ୍ପାଦନା]
ଦହିବରା-ଆଳୁଦମ ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ[୬] ଯାହା ଦହିବରାକୁ ଆଳୁଦମ ଓ ଘୁଗୁନି ସହିତ ମିଶାଇ ତିଆରି କରାଯାଇଥାଏ । କଟକ ସହର ଦହିବରା-ଆଳୁଦମ ପାଇଁ ଖ୍ୟାତିଲାଭ କରିଛି । ଏହା ଏକ ଜଳଖିଆ ଭାବରେଓ ଅନେକ ବିବାହ ତଥା ପୂଜା ପାର୍ବଣ ଓ ଉତ୍ସବ[୭] ରେ ମଧ୍ୟ ଏହା ପରସାଯାଇଥାଏ ।
କଟକର ବିକଳାନନ୍ଦ କର (ଜଣାଶୁଣା ନାମ ବିକଳ କର) ଓ ଅନେକ ଜଣାଶୁଣା ମିଠା କାରିଗର ରସଗୋଲା ଓ ନାନାଦି ଓଡ଼ିଆ ମିଠାକୁ ଦେଶ ବିଦେଶରେ ଲୋକପ୍ରିୟ କରାଇବାରେ ସାହାଯ୍ୟ କରିଛନ୍ତି ।
ପର୍ବପର୍ବାଣୀ [ସମ୍ପାଦନା]
ଓଡ଼ିଆ ସଂସ୍କୃତି ଅନୁଯାୟୀ କଟକରେ ମଧ୍ୟ ବାର ମାସରେ ତେର ପର୍ବ ପାଳିତ ହୁଏ । ତେବେ ଯେଉଁ ପର୍ବଗୁଡିକ ଲାଗି କଟକ ଦୂରଦୂରାନ୍ତରୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ ସେଗୁଡିକ ହେଲା ଦଶହରା ଓ ବାଲିଯାତ୍ରା । ଦଶହରାରେ ଶକ୍ତି ରୂପିଣୀ ଦେବୀ ଦୁର୍ଗାଙ୍କ ପୂଜା କରାଯାଏ । ଦେବୀଙ୍କ ମହିଷମର୍ଦ୍ଦିନୀ ରୂପର ମୃଣ୍ମୟ ପ୍ରତିମାକୁ ନେଇ ସହରସାରା ଅନେକ ମେଢ ତିଆରି ହୋଇଥାଏ । ଦଶହରାର ଆଡ଼ମ୍ବର ବ୍ୟତୀତ କଟକ ମଧ୍ୟ ଚାନ୍ଦି ମେଢ଼ ଲାଗି ପ୍ରସିଦ୍ଧ । ଏହି ଚାନ୍ଦି ମେଢ଼ରେ ବିପୁଳ ପରିମାଣର ସୁନା ଓ ରୂପା ବ୍ୟବହୃତ ହୋଇଥାଏ । ଏହି ମେଢ଼ଗୁଡିକ ତାରକସି କାମର ଅନନ୍ୟ ନମୁନା ।
ପୂର୍ବ କାଳରେ ଜାଭା, ବାଳି, ସୁମାତ୍ରା ଆଦି ସ୍ଥାନ ମାନଙ୍କୁ ବୋଇତ ନେଇ ବେପାର କରିବାକୁ ଯାଉଥିବା ସାଧବପୁଅ ମାନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ଲାଗି ବାଲିଯାତ୍ରାର ଆୟୋଜନ କରାଯାଏ । ନଭେମ୍ବର ମାସରେ ଆୟୋଜିତ ହେଉଥିବା ବାଲିଯାତ୍ରା ଦେଖିବା ଲାଗି ଏବଂ ବେପାର କରିବା ଲାଗି ଏହି ସମୟରେ କଟକରେ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରୁ ଆସି ଲୋକେ ଭିଡ ଜମାନ୍ତି । ସେହିପରି ଜାନୁଆରୀରେ ପାଳିତ ହେଉଥିବା ମକର ସଂକ୍ରାନ୍ତିରେ ରଙ୍ଗବେରଙ୍ଗର ଗୁଡିରେ ଭରିଯାଇଥିବା ଆକାଶ ଅତ୍ୟନ୍ତ ସୁନ୍ଦର ଦିଶେ । ଏହାଛଡା ଅନ୍ୟାନ୍ୟ ହିନ୍ଦୁ ପର୍ବପର୍ବାଣୀ ମଧ୍ୟ କଟକରେ ବେଶ୍ ଆଡ଼ମ୍ବର ସହ ପାଳିତ ହୁଏ ।
ହିନ୍ଦୁଙ୍କ ବ୍ୟତୀତ କଟକରେ ବସବାସ କରୁଥିବା ମୁସଲମାନ, ଖ୍ରୀଷ୍ଟିଆନ, ଶିଖ ଓ ଅନ୍ୟାନ୍ୟ ଧର୍ମାବଲମ୍ବୀମାନେ ମଧ୍ୟ ନିଜ ନିଜ ଧାର୍ମିକ ପର୍ବ ପାଳନ କରନ୍ତି, ଏଗୁଡିକ ମଧ୍ୟରୁ ଇଦୁଲ ଫିତର, ଇଦୁଲ ଜୁହା, ବଡ଼ଦିନ ଆଦି ପ୍ରଧାନ ।
ଧାର୍ମିକ ପର୍ବ ବ୍ୟତୀତ ସମସ୍ତ ଜାତୀୟ ପର୍ବ ଯଥା ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଆଦିକୁ ମଧ୍ୟ କଟକବାସୀ ବେଶ୍ ନିଷ୍ଠା ସହକାରେ ପାଳନ କରନ୍ତି ।
ଉପଲବ୍ଧ ସେବା [ସମ୍ପାଦନା]
କଟକରେ ଭାରତୀୟ ଡାକବିଭାଗ ବ୍ୟତୀତ ଅନେକ ଘରୋଇ କୋରିୟର ସଂସ୍ଥାମାନ ରହିଛନ୍ତି । ଚିଠିରୁ ଆରମ୍ଭ କରି ଟେଲିଗ୍ରାଫ୍ ଆଦି ସୁବିଧା ସହଜରେ ଉପଲବ୍ଧ । ସରକାରଙ୍କ ପରିଚାଳିତ ଭାରତ ସଞ୍ଚାର ନିଗମ ଛଡା ଏୟାର୍ଟେଲ, ଏୟାର୍ସେଲ୍, ରିଲାଏନ୍ସ, ଟାଟା ଇଣ୍ଡିକମ୍ ଓ ଭୋଡାଫୋନ୍ ପରି ଜାତୀୟ ସଞ୍ଚାର ସଂସ୍ଥାଗୁଡିକଙ୍କ ପକ୍ଷରୁ ଏଠାରେ ଉଭୟ ଲ୍ୟାଣ୍ଡଲାଇନ ଓ ମୋବାଇଲ୍ ସେବା ଉପଲବ୍ଧ । ଭାରତ ସଞ୍ଚାର ନିଗମ ଓ ଓର୍ଟେଲ୍ ଆଦି ସଂସ୍ଥା ବ୍ରଡ୍ବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଇ ଦେଉଛନ୍ତି ।
କଟକର ପ୍ରମୁଖ ଅନୁଷ୍ଠାନମାନଙ୍କ ମଧ୍ୟରୁ ବାରବାଟି ଷ୍ଟାଡିଅମ ଅନ୍ୟତମ, ଯାହାକି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ମାନଙ୍କ ଲାଗି ସୁପ୍ରସିଦ୍ଧ । କଟକର ବିଶ୍ୱପ୍ରସିଦ୍ଧ ରୂପା ତାରକସି କାମ ଲାଗି ଏହାକୁ ମଧ୍ୟ ରୌପ୍ୟ ସହର ନାମରେ ଆଖ୍ୟାୟିତ କରଯାଇଛି । ଏତଦ୍ବ୍ୟତୀତ ଏଠାର ହାତୀଦାନ୍ତର କାମ ମଧ୍ୟ ବେଶ୍ ଚମତ୍କାର ।
ବାରବାଟି ଷ୍ଟାଡିଅମ ନିକଟରେ ଐତିହାସିକ ବାରବାଟି ଦୁର୍ଗର ଭଗ୍ନାବଶେଷ ରହିଛି । ଦୁର୍ଗର ପ୍ରବେଶଦ୍ୱାର ଏଯାବତ୍ ସୁରକ୍ଷିତ ରହିଛି । ବିଗତ କିଛି ସମୟ ଧରି ଭାରତୀୟ ପ୍ରତ୍ନତାତ୍ତ୍ଵିକ ବିଭାଗ (Archaeological Survey of India) ଦ୍ଵାରା ଉତ୍ଖନନ କାର୍ଯ୍ୟ ଚାଲୁ ରହିଛି ।
କଟକର ଚୌଦ୍ଵାରଠାରେ ଦେଶର ସର୍ବବୃହତ୍ ଫେରୋ ଆଲୟ ଉତ୍ପାଦକ ଇମ୍ଫା (IMFA-Indian Metals & Ferro Alloys) ର କାରଖାନା ରହିଛି ।
ଶିକ୍ଷା ଓ ଗବେଷଣା [ସମ୍ପାଦନା]
* ବିଶ୍ଵବିଦ୍ୟାଳୟ ଓ ଶିକ୍ଷା ପରିଷଦ
- କଟକରେ ଜାତୀୟ ସ୍ତରରେ ପ୍ରତିଷ୍ଠିତ ନାନା ଶୈକ୍ଷିକ ଅନୁଷ୍ଠାନ ଯଥା ରେଭେନ୍ସା ବିଶ୍ଵବିଦ୍ୟାଳୟ ରହିଛି । ଦେଶକୁ ଆନେକ ଉଚ୍ଚକୋଟୀର ବୁଦ୍ଧିଜୀବୀ ଓ ପ୍ରଶାସକ ଦେଇଥିବା ରେଭେନ୍ସା ମହାବିଦ୍ୟାଳୟ (ବର୍ତ୍ତମାନ ବିଶ୍ୱବିଦ୍ୟାଳୟ) କଟକର ଏକ ଅନନ୍ୟ ଅଙ୍ଗ । ନୋବେଲ୍ ପୁରସ୍କାର ବିଜେତା ବୈଜ୍ଞାନିକ ସାର୍ ସି ଭି ରମଣ ଏଠାରେ କିଛି କାଳ କାର୍ଯ୍ୟ କରିଥିଲେ । ଏଦଦ୍ବ୍ୟତୀତ ଭାରତର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରୁ ଅନ୍ୟତମ ଓ ବିଶିଷ୍ଟ ନେତା ସୁବାଷ ଚନ୍ଦ୍ର ବୋଷଙ୍କ ବାଲ୍ୟକାଳ କଟକରେ ହିଁ ଅତିବାହିତ ହୋଇଥିଲା । ସେ ଷଷ୍ଠ ଶ୍ରେଣୀ ଯାଏଁ ଏକ ଇଂରାଜୀ ବିଦ୍ୟାଳୟ (ବର୍ତ୍ତମାନର ଷ୍ଟୁଆର୍ଟ୍ ସ୍କୁଲ)ରେ ଅଧ୍ୟୟନ କଲାପରେ ରେଭେନ୍ସା କଲିଜିଏଟ୍ ସ୍କୁଲରେ ଅଧ୍ୟୟନ କରିଥିଲେ ।
*ଗବେଷଣା କେନ୍ଦ୍ର
- କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, ବିଦ୍ୟାଧରପୁର
- କଟକର ସମୀପବର୍ତ୍ତୀ ବିଦ୍ୟାଧରପୁରରେ ଅବସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (Central Rice Research Institute) ସମଗ୍ର ଦକ୍ଷିଣ ଏସିଆର ଏକ ପ୍ରଧାନ ଧାନ ଗବେଷଣା କେନ୍ଦ୍ର ।
* ମହାବିଦ୍ୟାଳୟ
- ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓଡ଼ିଶାର ସର୍ବବୃହତ୍ ଓ ସର୍ବୋନ୍ନତ ଡାକ୍ତରଖାନା ଛଡା ଅନେକ ଇଞ୍ଜିନିୟରିଂ କଲେଜ ମଧ୍ୟ ଏଠାରେ ରହିଛି । କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (ବିଦ୍ୟାଧରପୁର) ପରି ବୈଜ୍ଞାନିକ ଅନୁଷ୍ଠାନ ଏଠାରେ ରହିଛି । ସହର ଉତ୍ତର ଆଡକୁ ଚାରବାଟିଆଠାରେ ଉଡ୍ଡୟନ ଗବେଷଣା କେନ୍ଦ୍ର ସହିତ ସେନାବାହିନୀର ଏକ ବିମାନବନ୍ଦର ରହିଛି । ଏହାର ନିୟନ୍ତ୍ରଣ ଦାୟିତ୍ୱ ଭାରତ ସରକାରଙ୍କ ଗୁଇନ୍ଦା ସଂସ୍ଥା RAW (Research and Analysis Wing) ଉପରେ ନ୍ୟସ୍ତ ।
* ବିଦ୍ୟାଳୟ
- ଷ୍ଟୁଆର୍ଟ ବିଦ୍ୟାଳୟ
- ରେଭେନ୍ସା କଲିଜିଏଟ୍ ବିଦ୍ୟାଳୟ
- ସେକୋଣ୍ଡାରୀ ବୋର୍ଡ ଉଚ୍ଚ ବିଦ୍ୟାଳୟ
ପରିବହନ ଓ ଯୋଗାଯୋଗ [ସମ୍ପାଦନା]
ସଡକପଥରେ କଟକ, କୋଲକାତା ଓ ଚେନ୍ନାଇକୁ ସଂଯୋଗ କରୁଥିବା ୫ ନଂ ଜାତୀୟ ରାଜପଥ ସହ ଉତ୍ତମ ଭାବେ ସଂଯୁକ୍ତ. ରାଜ୍ୟର ପମୁଖ ବାଣିଜ୍ୟିକ କେନ୍ଦ୍ର ହୋଇଥିବାରୁ ଏହା ମଧ୍ୟ ରେଳପଥ ଦ୍ୱାରା ଉତ୍ତମ ରୂପେ ସଂଯୁକ୍ତ । ଓଡ଼ିଶାର ଅନ୍ୟ ଅଞ୍ଚଳ ପରି ଏହା ମଧ୍ୟ ରେଳବାଇର ପୂର୍ବତଟ ରେଳବାଇ ଅନ୍ତର୍ଗତ । ଓଡ଼ିଶାର ଏକମାତ୍ର କାର୍ଯ୍ୟକ୍ଷମ ସିଭିଲ୍ ବିମାନବନ୍ଦର, ବିଜୁ ପଟ୍ଟନାୟକ ବିମାନ ବନ୍ଦର, କଟକଠାରୁ ମାତ୍ର ୨୮ କି.ମି. ଦୂରରେ ଅବସ୍ଥିତ । ବସ୍ ଯୋଗଯୋଗ ହିସାବରେ କଟକର ବାଦାମବାଡ଼ି ବସ ଟର୍ମିନସ୍ ଓଡ଼ିଶାରେ ସର୍ବବୃହତ୍ । ପ୍ରତିଦିନ ଏଠାରୁ ଶହଶହ ବସ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଯାତାୟାତ କରେ । ଦୂରବର୍ତ୍ତୀ ଅଗମ୍ୟ ସ୍ଥାନମାନଙ୍କ ଲାଗି ବସ ପରିବହନ ହିଁ ଏକମାତ୍ର ଉପାୟ । କଟକରେ ଜଳ ପରିବହନର ବିଶେଷ ଚାହିଦା ନଥିଲେ ମଧ୍ୟ ମାଛ ଧରିବା ଓ ଆଞ୍ଚଳିକ ନୌପରିବହନ ଲାଗି ଛୋଟ ଛୋଟ ଡଙ୍ଗାମାନ ମହାନଦୀ ଓ କାଠଯୋଡ଼ିରେ ଚଳାଚଳ କରନ୍ତି । ଇଂରେଜ ଅମଳରେ ତାଳଦଣ୍ଡା କେନାଲ ବ୍ୟାପାରିକ ନୌପରିବହନର ଉତ୍କୃଷ୍ଟ ପନ୍ଥା ବିବେଚିତ ହେଉଥିଲେ ହେଁ ଅଧୁନା ଉନ୍ନତ ଟ୍ରକ ପରିବହନର ପ୍ରଚଳନ ହେତୁ ଏହାର ଆଉ ଚାହିଦା ନାହିଁ । ଏହାଛଡା କଟକର ଚାରବାଟିଆଠାରେ ଭାରତୀୟ ବାୟୁସେନାର ଏକ ବିମାନ ବନ୍ଦର ରହିଛି ।
ଦର୍ଶନୀୟ ସ୍ଥାନ [ସମ୍ପାଦନା]
- ଧବଳେଶ୍ଵର ମନ୍ଦିର
- ବାରବାଟି ଦୁର୍ଗ
- ସିଦ୍ଧେଶ୍ଵର ମନ୍ଦିର
- ଜଗନ୍ନାଥ ମନ୍ଦିର
- ଚଣ୍ଡୀ ମନ୍ଦିର
- ଗଡ଼ଗଡ଼ିଆ ମନ୍ଦିର
- ନରାଜ
- ବିଜୁ ପଟ୍ଟନାୟକ ଉଦ୍ୟାନ
- ଜୋବ୍ରା ପାର୍କ
- ଖାନ ନଗର ପାର୍କ
- ଡିଅର ପାର୍କ
- ଜୋବ୍ରା ପୋଲ
- ମହାନଦୀ ପୋଲ
- ଜୋବ୍ରା ମରିଟାଇମ ମ୍ୟୁଜିଅମ
- ଗୋରା କବର
- ଦେଓଝର
ଆଧାର [ସମ୍ପାଦନା]
- ↑ "Cuttack". orissa.gov.in. 2002. http://orissa.gov.in/tourism/cuttack1.htm. Retrieved 17 December 2012. "Cuttack (or Kataka) was founded by King Nrupa Keshari in 989 A.D."
- ↑ "::Welcome to amazingorissa". amazingorissa.com. http://www.amazingorissa.com/Cuttack.aspx. Retrieved 17 December 2012. "Cuttack was founded by King Nrupa Keshari in 989 A.D."
- ↑ "Cuttack". orissa.gov.in. 2002. http://orissa.gov.in/tourism/cuttack1.htm. Retrieved 18 December 2012. "King Marakata Keshari built the stone revetment on the left bank of the Kathajodi in 1006 A.D. to protect the city from the ravages of floods"
- ↑ City Census 2011
- ↑ http://www.boloji.com/culture/008.htm
- ↑ National Youth Festival: Setting International Standard of Event Management
- ↑ D’nal Lakshmi Puja pulls more crowds, even outsiders
|
|||||||||||||||||||||||
|
||||||||||||||||||||||||||