କେନ୍ଦୁଝର ଜିଲ୍ଲା

ଉଇକିପିଡ଼ିଆ ରୁ
ଏହି ଲେଖାଟି 'କେନ୍ଦୁଝର ଜିଲ୍ଲା' ବାବଦରେ । 'କେନ୍ଦୁଝର ସହର' ପାଇଁ, କେନ୍ଦୁଝର ପ୍ରସଙ୍ଗଟି ଦେଖନ୍ତୁ ।
କେନ୍ଦୁଝର
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
Coordinates: 21°37′59″N 85°36′00″E / 21.633°N 85.6°E / 21.633; 85.6ଦିଗବାରେଣି: 21°37′59″N 85°36′00″E / 21.633°N 85.6°E / 21.633; 85.6
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଲୋକସଭା କେନ୍ଦୁଝର
ଭାଷା ଓଡ଼ିଆ, ଇଂରାଜୀ
ବିଧାନସଭା ୬ଟି ଆସନ
କ୍ଷେତ୍ରଫଳ
 • ଜିଲ୍ଲା Script error
ଜନସଂଖ୍ୟା (୨୦୧୧)
 • କ୍ରମାଙ୍କ ଓଡ଼ିଶାରେ ଅଷ୍ଟମ (୮/୩୦)
ସମୟ ମଣ୍ଡଳ IST (+୫.୩୦)
ପିନ କୋଡ଼ ୭୫୮xxx
ତାର (ଏସ୍.ଟି.ଡ଼ି) +୦୬୭୬୬
ଗାଡି ପଞ୍ଜୀକରଣ OD-09
ଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ସାହୁ
ୱେବସାଇଟ ମୁଖ୍ୟ ୱେବସାଇଟ

କେନ୍ଦୁଝର ଜିଳ୍ଲା, (କେଉଁଝର ନାମରେ ମଧ୍ୟ ଜଣାଶୁଣା), ଓଡ଼ିଶାର ଏକ ପ୍ରଶାସନିକ ଜିଳ୍ଲା । କେନ୍ଦୁଝର ବା କେନ୍ଦୁଝରଗଡ଼ ଏହାର ସଦର ମହକୁମା ।

ଏହି ଜିଲ୍ଲାର କ୍ଷେତ୍ରଫଳ ୮୨୪୦ ବର୍ଗ କି.ମି. ଅଟେ । ଭୌଗୋଳିକ ଅବସ୍ଥିତି ଅନୁସାରେ ଏହି ଜିଲ୍ଲା ୨୧.୧° ଉ. ରୁ ୨୨.୧୦° ଉ. ଅକ୍ଷାଂଶ ଏବଂ ୮୫.୧୧° ପୂ. ରୁ ୮୬.୨୨° ପୂ. ଦ୍ରାଘିମା ମଧ୍ୟରେ ଅବସ୍ଥିତ । କେନ୍ଦୁଝର ଜିଲ୍ଲାର ପୂର୍ବରେ ମୟୂରଭଞ୍ଜଭଦ୍ରକ, ଦକ୍ଷିଣରେ ଯାଜପୁର, ପଶ୍ଚିମରେ ଢେଙ୍କାନାଳସୁନ୍ଦରଗଡ଼ ଏବଂ ଉତ୍ତରରେ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାମାନ ଅବସ୍ଥିତ ।

ଇତିହାସ[ସମ୍ପାଦନା]

ଉଭୟ ଭୌଗୋଳିକ ଏବଂ ନୃବୈଜ୍ଞାନିକ (Anthropological) ଦୃଷ୍ଟିକୋଣରୁ କେନ୍ଦୁଝର ଜିଲ୍ଲା ଶତାବ୍ଦୀ ଶତାବ୍ଦୀ ଧରି ନିଜର ଏକ ଅନୁପମ ଚିତ୍ର ଆଙ୍କି ଚାଲିଛି ଇତିହାସ ପୃଷ୍ଠାରେ । ତାହା ଅସରନ୍ତି ଖଣିଜ ସମ୍ପଦ ଓ ମନୋରମ ପାହାଡ, ଜଙ୍ଗଲ ପରିପୂର୍ଣ୍ଣ ପ୍ରାକୃତିକ ପରିବେଶ ହେଉ ବା ଶହଶହ ବର୍ଷ ଧରି ଜଙ୍ଗଲରେ ରହୁଥିବା ସରଳ, ନିଷ୍କପଟ ଆଦିବାସୀ ସମ୍ପ୍ରଦାୟ ହେଉ ।

ନୃବିଜ୍ଞାନୀଙ୍କ ମତରେ ଜିଲ୍ଲାର ପ୍ରକୃତ ଆଦିମ ଅଧିବାସୀ ହେଲେ ଜୁଆଙ୍ଗଭୂୟାଁ ସଂପ୍ରଦାୟର ଲୋକ । ଜୁଆଙ୍ଗମାନଙ୍କ ମତରେ ସେମାନେ ପୃଥିବୀର ସର୍ବପୁରାତନ ଆଦିବାସୀ ସଂପ୍ରଦାୟ ଅଟନ୍ତି । ଆଧୁନିକ ଜୀବନଯାପନର ଶୈଳୀକୁ ଆପଣେଇ ନେଇଥିଲେ ମଧ୍ୟ ଏବେବି କିଛି କିଛି ଆଦିମ ପରମ୍ପରାକୁ ଏମାନେ ବଞ୍ଚାଇ ରଖିଛନ୍ତି ।

୧ ଜାନୁଆରୀ ୧୯୪୮ରେ ଓଡ଼ିଶା ସହିତ ନିଜର ଗଡଜାତ ରାଜ୍ୟମାନଙ୍କର ମିଶ୍ରଣ ପରେ କେଉଁଝର ଓଡ଼ିଶାର ଏକ ସ୍ଵତନ୍ତ୍ର ଜିଲ୍ଲାରୂପେ ପରିଗଣିତ ହେଲା । ପରେ ଏହାର ନାମ ବଦଳାଇ କେନ୍ଦୁଝର ଜିଲ୍ଲା ରଖାଗଲା । ମୂଳରୁହିଁ କେନ୍ଦୁଝରଗଡ଼ ଏହାର ସଦରମହକୁମା ରହି ଆସିଛି ।

ଓଡ଼ିଶା ସହିତ ମିଶିବା ପୂର୍ବରୁ ସଂପୂର୍ଣ୍ଣ କେନ୍ଦୁଝର ଜିଲ୍ଲା ଏକ ଗଡଜାତ ରାଜ୍ୟ ଥିଲା । ଜିଲ୍ଲାର ପ୍ରଥମ ଅବସ୍ଥାର ଇତିହାସ ଏ ଯାଏଁ ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ । ଅନୁମାନ କରାଯାଏ ଯେ ଏହା ପୂର୍ବତନ ଖିଜିଙ୍ଗା ରାଜ୍ୟର ଅଂଶ ଥିଲା, ଯାହାର ମୁଖ୍ୟାଳୟ 'ଖିଜିଙ୍ଗା କୋଟା'ଠାରେ ଥିଲା । ଖିଜିଙ୍ଗା କୋଟା, ଏବେ ଆଧୁନିକ ଖିଚିଂ ନାମରେ ଜଣାଶୁଣା । ୧୨ଶ ଶତାବ୍ଦୀର ମଧ୍ୟଭାଗରେ ଏହା ଏକ ସ୍ଵତନ୍ତ୍ର ରାଜ୍ୟରେ ପରିଣତ ହେଲା, ଯାହାର ରାଜା ହେଲେ ଜ୍ୟୋତି ଭଞ୍ଜ। ସେ ସମୟରେ କେନ୍ଦୁଝର ରାଜ୍ୟ ଆଧୁନିକ କେନ୍ଦୁଝରର କେବଳ ଉତ୍ତର ଭାଗକୁ ନେଇ ଗଠିତ ହୋଇଥିଲା । ୧୫ଶ ଶତାବ୍ଦୀର ଶେଷାର୍ଦ୍ଧରେ ରାଜା ଗୋବିନ୍ଦ ଭଞ୍ଜ ଦକ୍ଷିଣ ଭାଗକୁ ରାଜ୍ୟରେ ମିଶାଇଥିଲେ । ଗୋବିନ୍ଦ ଭଞ୍ଜଙ୍କ ସମୟରେ କେନ୍ଦୁଝର ରାଜ୍ୟ ଉତ୍ତରରେ ସିଂହଭୂମଠାରୁ ଦକ୍ଷିଣରେ ସୁକିନ୍ଦା ଯାଏଁ ଏବଂ ପୂର୍ବରେ ମୟୂରଭଞ୍ଜ ଠାରୁ ପଶ୍ଚିମରେ ବଣାଇ, ପାଲଲହଡା ଓ ଅନୁଗୁଳ ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା । ରାଜା ପ୍ରତାପ ବଳଭଦ୍ର ଭଞ୍ଜଙ୍କ (୧୭୬୪ଖ୍ରୀ.-୧୭୯୨ଖ୍ରୀ.) ସମୟରେ ଟିଲୋଯୁଝପଡ଼ା ଅଞ୍ଚଳ ଦୁଇଟିକୁ କଣ୍ଟାଝରି ଜମିଦାରୀରୁ କିଣାଯାଇ ରାଜ୍ୟରେ ମିଶାଗଲା । ୧୮୦୪ ମସିହାରେ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ଵାରା ରାଜା ଜନାର୍ଦନ ଭଞ୍ଜଙ୍କୁ ଦିଆଯାଇଥିବା ସନନ୍ଦରେ ଏହି ଅଞ୍ଚଳଗୁଡିକ କେନ୍ଦୁଝର ରାଜ୍ୟର ଅଧୀନରେ ଥିବାର ଦର୍ଶାଯାଇଥିଲା । ସେହି ସମୟରୁ ଓଡ଼ିଶା ସହିତ ମିଶିବାଯାଏ କେନ୍ଦୁଝର ରାଜ୍ୟର ସୀମାରେ କୌଣସି ପରିବର୍ତ୍ତନ ହୋଇନଥିଲା । କିନ୍ତୁ, ଓଡ଼ିଶା ସହିତ ମିଶ୍ରଣ ପରେ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ଟିଲୋ (୭.୫୧ ବର୍ଗ କିମି.) ଏବଂ ଯୁଝପଡା (୯.୦୬ ବର୍ଗ କିମି.) ଅଞ୍ଚଳ ଦୁଇଟିକୁ ଯଥାକ୍ରମେ ବାଲେଶ୍ଵରକଟକ ଜିଲ୍ଲାକୁ ହସ୍ତାନ୍ତର କରାଗଲା । ଏହା ବଦଳରେ ବାଲେଶ୍ଵର ଜିଲ୍ଲାର ଆମ୍ବୋ ଅଞ୍ଚଳର କିଛି ଗ୍ରାମ (୧୪.୮୪ ବର୍ଗ କିମି.) କେନ୍ଦୁଝରର ଅଧୀନ କରାଗଲା ।

ସମୟାନୁକ୍ରମରେ ଯେଉଁ ଯେଉଁ ରାଜାମାନେ କେନ୍ଦୁଝରର ଶାସକ ହୋଇଥିଲେ ନିମ୍ନରେ ତାଙ୍କର ତାଲିକା ଦିଆଗଲା ।

  • ଶ୍ରୀ ଜଗନ୍ନାଥ ଭଞ୍ଜ (୧୬୮୮-୧୭୦୦)
  • ଶ୍ରୀ ରଘୁନାଥ ଭଞ୍ଜ (୧୭୦୦-୧୭୧୯)
  • ଶ୍ରୀ ଗୋପୀନାଥ ଭଞ୍ଜ (୧୭୧୯-୧୭୩୬)
  • ଶ୍ରୀ ନରସିଂହ ନାରାୟଣ ଭଞ୍ଜ (୧୭୩୬-୧୭୫୭)
  • ଶ୍ରୀ ଧନେଶ୍ଵର ନାରାୟଣ ଭଞ୍ଜ (୧୭୫୭-୧୭୫୮)
  • ଶ୍ରୀ ଜଗତେଶ୍ଵର ନାରାୟଣ ଭଞ୍ଜ (୧୭୫୮-୧୭୬୨)
  • ଶ୍ରୀ ପ୍ରତାପ ବଳଭଦ୍ର ଭଞ୍ଜ (୧୭୬୪-୧୭୯୨ ଅଥବା ୧୭୬୨-୧୭୯୭)
  • ଶ୍ରୀ ଜନାର୍ଦ୍ଦନ ଭଞ୍ଜ (୧୭୯୪-୧୮୨୫ ଅଥବା ୧୭୯୭-୧୮୩୨)
  • ଶ୍ରୀ ଗଦାଧର ନାରାୟଣ ଭଞ୍ଜଦେଓ (୧୮୨୫-୧୮୬୧ ଅଥବା ୧୮୩୨-୧୮୬୧)
  • ଶ୍ରୀ ଧନୁର୍ଯୟ ନାରାୟଣ ଭଞ୍ଜଦେଓ (୧୮୬୧-୧୯୦୫)
  • ଶ୍ରୀ ଗୋପୀନାଥ ନାରାୟଣ ଭଞ୍ଜଦେଓ (୧୯୦୫-୧୯୨୬)
  • ଶ୍ରୀ ବଳଭଦ୍ର ନାରାୟଣ ଭଞ୍ଜଦେଓ (୧୯୨୬-୧୯୪୮)

ବିପ୍ଳବୀ ଧରଣୀଧରଙ୍କର ବିଖ୍ୟାତ ପ୍ରଜାମେଳି ୧୮୯୧ ମସିହାରେ, ରାଜା ଧନୁର୍ଯୟ ନାରାୟଣ ଭଞ୍ଜଦେଓଙ୍କ ଶାସନକାଳରେ ସଂଘଠିତ ହୋଇଥିଲା । ଏହା କେନ୍ଦୁଝର ଇତିହାସର ଏକ ସ୍ଵର୍ଣ୍ଣାଭ ପୃଷ୍ଠା ।

ଭୂଗୋଳ[ସମ୍ପାଦନା]

ଚତୁର୍ଦ୍ଦିଗରୁ ସ୍ଥଳଭାଗଦ୍ଵାରା ପରିବେଷ୍ଟିତ ଏହି ଜିଲ୍ଲାର ପୂର୍ବରେ ମୟୂରଭଞ୍ଜ ଓ ଭଦ୍ରକ, ଦକ୍ଷିଣରେ ଯାଜପୁର, ପଶ୍ଚିମରେ ଢେଙ୍କାନାଳ ଓ ସୁନ୍ଦରଗଡ ଏବଂ ଉତ୍ତରରେ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାମାନ ଅବସ୍ଥିତ । ଏହାର ଭୌଗୋଳିକ କ୍ଷେତ୍ରଫଳ ୮୨୪୦ ବର୍ଗ କିମି. ଏବଂ ସମୁଦ୍ର ପତ୍ତନଠାରୁ ହାରାହାରି ଉଚ୍ଚତା ୪୮୦ ମି. ।

୨୧୫ ନଂ ଜାତୀୟ ରାଜପଥ କେନ୍ଦୁଝର ଜିଲ୍ଲାର ଠିକ ମଝାମଝି ଦେଇ ଗତିକରୁଛି ଏବଂ ଏହା ଜିଲ୍ଲାକୁ ଦୁଇଟି ଏକାଭଳି ପ୍ରାକୃତିକ ଅଞ୍ଚଳରେ ବିଭାଜିତ କରେ । ଏହାର ପୂର୍ବପାଖଟି ଆନନ୍ଦପୁର ଅଞ୍ଚଳର ସମତଳ ଭୂମି ଓ ସଦର ସବଡ଼ିଭିଜନର କିଛି ଅଂଶ ଅଧିକାର କରିଛି । ଏହାର ପଶ୍ଚିମଭାଗଟି ଉତ୍ତୁଙ୍ଗ ପର୍ବତଶ୍ରେଣୀ ମାନଙ୍କଦ୍ଵାରା ଆଚ୍ଛାଦିତ । ଏହି ପର୍ବତଶ୍ରେଣୀ ମାନଙ୍କରେ ଓଡ଼ିଶାର କିଛି ଉଚ୍ଚତମ ଶୃଙ୍ଗମାନ ରହିଛି । ସେମାନଙ୍କ ମଧ୍ୟରେ ଗନ୍ଧମାର୍ଦ୍ଦନ (୩୪୭୭ ଫୁଟ), ମାଙ୍କଡନଚା (୩୬୩୯ ଫୁଟ), ଗୋନାସିକା (୩୨୧୯ ଫୁଟ) ଏବଂ ଠାକୁରାଣୀ (୩୦୦୩ ଫୁଟ) ଆଦି ଅନ୍ୟତମ । ଜିଲ୍ଲାର କ୍ଷେତ୍ରଫଳର ପାଖାପାଖି ଅର୍ଦ୍ଧେକ ଅଞ୍ଚଳ (୪୦୪୩ ବର୍ଗ କିମି.) ଜଙ୍ଗଲରେ ଆଚ୍ଛାଦିତ । ଏହି ଜଙ୍ଗଲଗୁଡିକ ମୁଖ୍ୟତଃ ଉତ୍ତର ଗ୍ରୀଷ୍ମମଣ୍ଡଳୀୟ ଆର୍ଦ୍ର, ପର୍ଣ୍ଣମୋଚୀ ବୃକ୍ଷଲତାରେ ପରିପୂର୍ଣ୍ଣ; ସେସବୁ ମଧ୍ୟରେ ଶାଳ, ପିଆଶାଳ, ଅସନ ଆଦି ପ୍ରଧାନ । ବୈତରଣୀ ନଦୀ ଗୋନାସିକା ପାହାଡ଼ରୁ ବାହାରି ପ୍ରଥମେ ଉତ୍ତରକୁ ଗତିକରି ସିଂହଭୂମରେ କିଛିଦୂର ବହିଲାପରେ ଯଥାକ୍ରମେ ଅଳ୍ପବାଟ ପୂର୍ବକୁ ଏବଂ ଶେଷରେ ଦକ୍ଷିଣ-ପୂର୍ବ ଦିଗରେ ଗତିକରି ଆନନ୍ଦପୁରଭଦ୍ରକରେ ପ୍ରବେଶ କରିଛି । ଜିଲ୍ଲାର ଦକ୍ଷିଣାଞ୍ଚଳର କିଛି ଅଂଶରେ ଥିବା କୃଷ୍ଣକାର୍ପାସ ମୃତ୍ତିକାକୁ ଛାଡିଦେଲେ ବାକି ଅଞ୍ଚଳରେ ମୁଖ୍ୟତଃ ଲୋହିତ ମୃତ୍ତିକାହିଁ ମିଳିଥାଏ । କେନ୍ଦୁଝର ଜିଲ୍ଲାରେ ବିପୁଳ ପରିମାଣରେ ଉତ୍ତମ ମାନର ଲୁହାପଥର, ମାଙ୍ଗାନିଜ ଓ କ୍ରୋମାଇଟ ଆଦି ଖଣିଜ ମିଳିଥାଏ ।

କେନ୍ଦୁଝର ଜିଲ୍ଲାର ଅସନପାଟ ଅଞ୍ଚଳରେ ପୃଥିବୀର ଅନ୍ୟତମ ସର୍ବପୁରାତନ ଶିଳା ରହିଛି, ଯାହାର କ୍ଷେତ୍ରଫଳ ପାଖାପାଖି ୧୦୦ ବର୍ଗ କିମି. ଅଟେ । ଏହି ଶିଳା ପ୍ରାୟ ୩୮୦ କୋଟି ବର୍ଷ ପୁରୁଣା ଅଟେ । ଏହି ଜିଲ୍ଲାରେ ଓଡ଼ିଶାରେ ଥିବା ଶିଳାଲେଖ ମାନଙ୍କ ମଧ୍ୟରେ ସର୍ବପୁରାତନ ଶିଳାଲେଖ ମିଳିଥାଏ, ପ୍ରତ୍ନତାତ୍ଵିକ ମତରେ ଏହା ଗୁପ୍ତ ଯୁଗର ଶିଳାଲେଖ ବୋଲି ପ୍ରମାଣ ମିଳେ ।[୧] ଘଟଗାଁ ନିକଟସ୍ଥ ସୀତାବିଂଜିଠାରେ ରାବଣଛାୟା ଗୁମ୍ଫା କାନ୍ଥରେ ୫ମ ଶତାବ୍ଦୀର ଚିତ୍ରକଳା ଦେଖିବାକୁ ମିଳିଥାଏ ।

କେନ୍ଦୁଝର ଜିଲ୍ଲା ବିପୁଳ ପରିମାଣରେ ଉଚ୍ଚମାନର ଖଣିଜ ସମ୍ପଦ ଦ୍ଵାରା ପରିପୂର୍ଣ୍ଣ ଏବଂ ଏହାର ୩୦%ରୁ ଅଧିକ ଭୂମି ଘନ ଜଙ୍ଗଲ ଦ୍ଵାରା ଆଚ୍ଛାଦିତ । ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ହୋଇ ମଧ୍ୟ ଏହି ଜିଲ୍ଲା ଏଯାବତ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଅବସ୍ଥାରେ ଅଛି ।

ସ୍ଥଳରୂପ[ସମ୍ପାଦନା]

ଆକାରରେ କେନ୍ଦୁଝର ଜିଲ୍ଲା ଉତ୍ତରରୁ ଦକ୍ଷିଣକୁ ଲମ୍ବ ଭାବରେ ବ୍ୟାପ୍ତ । ଉତ୍ତରରୁ ଦକ୍ଷିଣ ଯାଏ ଏହାର ସର୍ବାଧିକ ଲମ୍ବ ହେଉଛି ୧୪୫ କିମି. ଏବଂ ପୂର୍ବରୁ ପଶ୍ଚିମକୁ ଏହାର ହାରାହାରି ଓସାର ହେଉଛି ୬୫ କିମି. । ଭୌଗୋଳିକ ବିଷମତା ଦୃଷ୍ଟିରୁ ଏ ଜିଲ୍ଲାକୁ ମୂଳତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ; ଉପର କେନ୍ଦୁଝର ଏବଂ ତଳ କେନ୍ଦୁଝର । ତଳ କେନ୍ଦୁଝର ସମତଳଭୂମି ଓ ନଦୀ ଉପତ୍ୟକା ମାନଙ୍କୁ ନେଇ ଗଠିତ ହୋଇଥିଲାବେଳେ ଉପର କେନ୍ଦୁଝର ପାର୍ବତ୍ୟଭୂମିରେ ପରିପୂର୍ଣ୍ଣ । ଜିଲ୍ଲାର ଭୂମିରୂପ ସାଧାରଣତଃ ଉତ୍ତରରୁ ଦକ୍ଷିଣକୁ ଢାଲୁ । ନିମ୍ନଭୂମିରୁ ଖୁବ ତୀଖ ଏବଂ ଢାଲୁ ଲାଗୁଥିଲେ ମଧ୍ୟ ଏଠାରେ ଥିବା ପାହାଡ ମାନଙ୍କର ଶିଖରଭାଗ ଚାରଣଭୂମି ଏବଂ ଛୋଟ ଚାଷଜମି ଭାବରେ ବ୍ୟବହାର କରିହେଲା ଭଳି ଯଥେଷ୍ଟ ସମତଳ । ଜିଲ୍ଲାର ମଧ୍ୟଭାଗର ଉଚ୍ଚତା ସମୁଦ୍ରପତ୍ତନଠାରୁ ହାରାହାରି ୫୦୦ ମିଟର । ମଝିରେ ମଝିରେ ଥିବା ଛୋଟ ଛୋଟ ପାହାଡଗୁଡିକ ଏ ଅଞ୍ଚଳରେ ଜଳବିଭାଜିକାର କାମ କରେ ।

ଜଳବାୟୁ[ସମ୍ପାଦନା]

ଜିଲ୍ଲାର ଜଳବାୟୁ ସାଧାରଣତଃ ଗ୍ରୀଷ୍ମକାଳରେ ଅତ୍ୟଧିକ ଗରମ ଏବଂ ଶୀତରେ ଅତ୍ୟଧିକ ଶୀତଳ ହୋଇଥାଏ । ଗ୍ରୀଷ୍ମ ସମୟରେ ଜିଲ୍ଲାର ଜଳବାୟୁ ସାଧାରଣତଃ ଅତ୍ୟଧିକ ଆର୍ଦ୍ର ଏବଂ ଉଷ୍ଣ ରହେ । ଏହି ସମୟରେ ଜିଲ୍ଲାର ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ସେ. ଟପିଯାଇଥାଏ । ସାଧାରଣତଃ ମାର୍ଚ୍ଚ ମାସରୁ ଗ୍ରୀଷ୍ମ ଋତୁର ପ୍ରଭାବ ଅନୁଭୂତ ହୁଏ, କିନ୍ତୁ ମଇ ମାସରେ ଏହା ସର୍ବାଧିକ ହୋଇଥାଏ । ଶୀତକାଳରେ ଜିଲ୍ଲାର ଜଳବାୟୁ ଶୀତଳ ଏବଂ ଶୁଷ୍କ ରହିଥାଏ । ଏହି ସମୟରେ ସର୍ବନିମ୍ନ ତାପମାତ୍ରା ସାଧାରଣତଃ ୧୧.୭ ଡିଗ୍ରୀ ସେ. ରହିଥାଏ, କେବେକେବେ ଏହା ୭ ଡିଗ୍ରୀ ସେ. ଯାଏ ଖସି ଆସିଥାଏ । ଜିଲ୍ଲାରେ ବାର୍ଷିକ ହାରାହାରି ୧୫୩୪.୫ ମି.ମି. ବୃଷ୍ଟିପାତ ହୋଇଥାଏ ।

ଲୋକବାକ[ସମ୍ପାଦନା]

୨୦୧୧ ଜନଗଣନା [୨] ଅନୁସାରେ କେନ୍ଦୁଝର ଜିଲ୍ଲାର ମୋଟ ଜନସଂଖ୍ୟା ୧୮,୦୨,୭୭୭ ।ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୫,୪୯,୬୭୧ ଓ ସହରାଞ୍ଚଳରେ ୨,୫୩,୧୦୬ ଲୋକ ବାସ କରନ୍ତି ।[୩]

  • ପୁରୁଷ: ୯,୦୭,୧୩୫
  • ମହିଳା: ୮,୯୫,୬୪୨
    • ଛ ବର୍ଷରୁ କମ: ୨,୫୩,୪୧୮
  • ସାକ୍ଷରତା ହାର ୬୯.୦୦%
    • ପୁରୁଷ: ୭୯.୨୨%
    • ମହିଳା: ୫୮.୭୦%

ସମୁଦାୟ ଜନସଂଖ୍ୟାର ୪୪.୫% ହେଉଛନ୍ତି ଆଦିବାସୀ ଏବଂ ୧୧.୬୨% ହେଉଛନ୍ତି ହରିଜନ

ଆଦିବାସୀ[ସମ୍ପାଦନା]

୧୯୮୧ ଜନଗଣନାରେ କେନ୍ଦୁଝର ଜିଲ୍ଲାର ଆଦିବାସୀ ଲୋକସଂଖ୍ୟା ୪,୯୯,୬୫୭ ଥିଲା ଏବଂ ୧୯୯୧ ଜନଗଣନା ବେଳକୁ ତାହା ୧୧.୯୦% ହାରରେ ବଢି ୫,୯୫,୧୮୪ ରେ ପହଞ୍ଚିଥିଲା । ୧୯୯୧ ଜନଗଣନା ଅନୁସାରେ ଜିଲ୍ଲାରେ ମୋଟ ୪୬ ପ୍ରକାରର ଆଦିବାସୀ ସଂପ୍ରଦାୟ ବାସକରନ୍ତି । ସେମାନଙ୍କ ମଧ୍ୟରୁ ପ୍ରଧାନ ସଂପ୍ରଦାୟ ଗୁଡିକ ମଧ୍ୟରେ ବାଥୁଡି, ଭୂୟାଁ, ଭୂମିଜ, ଗଣ୍ଡ, ହୋ, ଜୁଆଙ୍ଗ, ଖରୱାର, କିସାନ, କୋଲ୍ହ,, କୋରା, ମୁଣ୍ଡା, ଓରାଓଁ, ସାନ୍ତାଳ, ସାଓରା, ଶବର ସାଉଁତି ଆଦି ଅନ୍ତର୍ଭୂକ୍ତ । ଏହି ୧୬ଟି ସଂପ୍ରଦାୟ ସମସ୍ତ ଆଦିବାସୀ ଜନସଂଖ୍ୟାର ୯୬.୧୨% ଅଧିକାର କରନ୍ତି । ଏମାନଙ୍କ ମଧ୍ୟରେ ଥିବା ଜୁଆଙ୍ଗ ସଂପ୍ରଦାୟ ନିଜକୁ ସବୁଠାରୁ ଆଦିମ ଅଧିବାସୀ ବୋଲି ଦାବୀ କରନ୍ତି । ଆଦିବାସୀ ସଂପ୍ରଦାୟ ଗୁଡିକର ଘନତ୍ଵ କେନ୍ଦୁଝର ସବଡ଼ିଭିଜନରେ ସର୍ବାଧିକ ହୋଇଥିବାବେଳେ ଆନନ୍ଦପୁରରେ ସର୍ବନିମ୍ନ ଅଟେ । ଏମାନଙ୍କର ମୁଖ୍ୟ ପେଶା ହେଉଛି କୃଷି । ଆଜିକାଲି ଏମାନଙ୍କ ମଧ୍ୟରୁ ଅନେକ ଖଣି-ଖାଦାନ ମାନଙ୍କରେ କାମକରୁଛନ୍ତି ।

୧୯୯୧ରେ କେନ୍ଦୁଝରର ଆଦିବାସୀ ମାନଙ୍କର ସାକ୍ଷରତା ହାର ୨୪.୮୯ ଥିଲା ଯାହାକି ସେବେକାର ରାଜ୍ୟ ଆଦିବାସୀ ସାକ୍ଷରତା ହାରଠାରୁ (୨୨.୩୧%) ଅଧିକ । ଶିକ୍ଷା ଓ ଗମନାଗମନର ପ୍ରସାର ଫଳରେ ଏହି ଆଦିବାସୀ ଲୋକଙ୍କର ଚାଲିଚଳନ, ବ୍ୟବହାର, ପ୍ରଥା ଇତ୍ୟାଦିରେ ପ୍ରଭୂତ ପରିବର୍ତ୍ତନ ଘଟିଛି ।

ଭାଷା[ସମ୍ପାଦନା]

କେନ୍ଦୁଝର ଜିଲ୍ଲାର ମୁଖ୍ୟ ଭାଷା ହେଲା ଓଡ଼ିଆ । ଅନ୍ୟ ଭାଷା ମଧ୍ୟରେ ଭୁଂଜିଆ ଭାଷାରେ ପାଖାପାଖି ୭୦୦୦ ଭୁଂଜିଆ ଆଦିବାସୀ କଥାବାର୍ତ୍ତା କରନ୍ତି ।

ପ୍ରଶାସନିକ ବ୍ୟବସ୍ଥା[ସମ୍ପାଦନା]

ଜିଲ୍ଲାକୁ ପ୍ରଶାସନିକ ଏବଂ ସାମାଜିକ ସୁପରିଚାଳନା ଦୃଷ୍ଟିରୁ କେତେଗୁଡିଏ ପ୍ରଶାସନିକ ବିଭାଗରେ ବିଭକ୍ତ କରାଯାଇଛି । ତା’ ବ୍ୟତୀତ କେତେକ ସରକାରୀ ଓ ବେସରକାରୀ ସଂସ୍ଥା ସହିତ ଜନମଙ୍ଗଳ ପ୍ରକଳ୍ପ ମାନ ପ୍ରତିଷ୍ଠା କରାଯାଇଛି । ସେସବୁର ବିବରଣୀ ନିମ୍ନରେ ଦିଆଗଲା ।

ପ୍ରଶାସନିକ ବିଭାଗ[ସମ୍ପାଦନା]

ସାଧାରଣ ସେବା[ସମ୍ପାଦନା]

  • କୋଷାଗାର/ଉପ-କୋଷାଗାର (Treasury)- ୭ଟି
  • ରାଜସ୍ୱ ମଣ୍ଡଳ- ୫୦ଟି
  • ଥାନା-୨୪ଟି
  • ପୋଲିସ ଫାଣ୍ଡି- ୧୦ଟି
  • ନିଆଁ ଲିଭା କେନ୍ଦ୍ର- ୫ଟି
  • ଜଳସେଚନ ପ୍ରକଳ୍ପ- (ବୃହତ୍-୧ଟି, ମଧ୍ୟମ-୨ଟି, କ୍ଷୁଦ୍ର-୧୫୧ଟି )

ଜନସ୍ୱାସ୍ଥ୍ୟ ବିଭାଗ[ସମ୍ପାଦନା]

  • ଜିଲ୍ଲା ମୁଖ୍ୟ ଡାକ୍ତରଖାନା- ୧ଟି (କେନ୍ଦୁଝର)
  • ଉପ-ବିଭାଗୀୟ ମୁଖ୍ୟ ଡାକ୍ତରଖାନା (SDH)- ୪ଟି
  • ଉନ୍ନତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (UGPHC)- ୧ଟି (ଘଟଗାଁ)
  • ବ୍ଲକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC)-୩ଟି
  • ସାମୁଦାୟିକ ସ୍ଵାସ୍ଥ୍ୟକେନ୍ଦ୍ର (CHC)- ୯ଟି
  • ନୂତନ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର (PHC New)- ୬୪ଟି
  • ଉପ କେନ୍ଦ୍ର (ସ୍ଵାସ୍ଥ୍ୟ)- ୩୧୬ଟି
  • ଆଶା କେନ୍ଦ୍ର- ୧୮୯୨ଟି
  • ଏ.ଏନ.ଏମ. କେନ୍ଦ୍ର- ୩୫୧ଟି (୨୩ଟି ଖାଲି ଅଛି)

ଶିକ୍ଷା ବିଭାଗ[ସମ୍ପାଦନା]

  • ଅଙ୍ଗନବାଡି କେନ୍ଦ୍ର- ୨୩୪୦ଟି
  • ପ୍ରାଥମିକ ବିଦ୍ୟାଳୟ- ୧୬୮୮ଟି
  • ଆଦିବାସୀ/ହରିଜନ ପ୍ରାଥମିକ ବିଦ୍ୟାଳୟ – ୫୮ଟି
  • ଉଚ୍ଚ/ମଧ୍ୟ ଇଂରାଜୀ ବିଦ୍ୟାଳୟ- ୮୭୬ଟି
  • ଉଚ୍ଚ ବିଦ୍ୟାଳୟ- ୫୮ଟି
  • ମହାବିଦ୍ୟାଳୟ (ବିଶ୍ୱବିଦ୍ୟାଳୟ ସ୍ଵୀକୃତି ପ୍ରାପ୍ତ )- (ସାଧାରଣ-୨୭ଟି, ବୈଷୟିକ-୨ଟି )
  • ଇଞ୍ଜିନିୟରିଂ ମହାବିଦ୍ୟାଳୟ- ୧ଟି (ଓଡ଼ିଶା ସ୍କୁଲ ଅଫ ମାଇନିଂ ଇଞ୍ଜିନିୟରିଂ, କେନ୍ଦୁଝର)

ଅର୍ଥନୀତି[ସମ୍ପାଦନା]

ପଞ୍ଚାୟତି ରାଜ ମନ୍ତ୍ରଣାଳୟ ୨୦୦୬ ମସିହାରେ କେନ୍ଦୁଝର ଜିଲ୍ଲାକୁ ଦେଶର ୨୫୦ଟି ଅନଗ୍ରସର ଜିଲ୍ଲା ମଧ୍ୟରେ ସ୍ଥାନିତ କରିଥିଲେ । ଅନଗ୍ରସର କ୍ଷେତ୍ର ଅନୁଦାନ ନିଧି କାର୍ଯ୍ୟକ୍ରମ (BRGF) ଜରିଆରେ ଓଡ଼ିଶାର ଯେଉଁ ୧୯ଟି ଜିଲ୍ଲାକୁ ଆର୍ଥିକ ଅନୁଦାନ ମିଳୁଛି ସେମାନଙ୍କ ମଧ୍ୟରୁ ଏହା ଗୋଟିଏ ।

ଜଙ୍ଗଲ ଓ ପଶୁପକ୍ଷୀ[ସମ୍ପାଦନା]

ଜଙ୍ଗଲ[ସମ୍ପାଦନା]

୦୧.୦୪.୯୬ର ଜଙ୍ଗଲ ଶ୍ରେଣୀବିଭାଗ ଅନୁସାରେ

ଶ୍ରେଣୀବିଭାଗ ବର୍ଗ କି.ମି.ରେ ଆୟତନ
ସଂରକ୍ଷିତ ଜଙ୍ଗଲ ୧୮,୩୩,୦୨
ଅଣ-ଚିହ୍ନିତ ସଂରକ୍ଷିତ ଜଙ୍ଗଲ ୬,୪୮,୪୧
ଅନୁପଯୁକ୍ତ ସଂରକ୍ଷିତ ଜଙ୍ଗଲ ୪୩.୪୧
ଅନୁପଯୁକ୍ତ ଜଙ୍ଗଲ ୦.୨୪
ସର୍ବମୋଟ ୨୫,୨୫,୦୮

ପର୍ଯ୍ୟଟନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Barbil, Orissa". indianetzone.com. 2012. http://www.indianetzone.com/6/barbil.htm. Retrieved 12 July 2012. "one of the oldest rocks of the world, approximately 38,000 millions year old spreading over an area of 100 square km at Asanpat. It also has the oldest stone writing found in Orissa presumably belonging to the Gupta period" 
  2. Census 2011: Odisha: Provisional Population Totals
  3. Census 2011: Odisha: Rural Urban Distribution

ଅଧିକ ତଥ୍ୟ[ସମ୍ପାଦନା]