ଜଗନ୍ନାଥ ମନ୍ଦିର
| ଜଗନ୍ନାଥ ମନ୍ଦିର | |
|---|---|
|
|
|
| ଦିଗବାରେଣି: | 19°48′17″N 85°49′6″E / 19.80472°N 85.81833°Eଦିଗବାରେଣି: 19°48′17″N 85°49′6″E / 19.80472°N 85.81833°E |
| Name | |
| ମୂଳ ନାଆଁ: | ଶ୍ରୀ ମନ୍ଦିର , ବଡ଼ ଦେଉଳ |
| ଅବସ୍ଥାନ | |
| ଦେଶ: | ଭାରତ |
| ରାଜ୍ୟ: | ଓଡ଼ିଶା |
| ଅବସ୍ଥାନ: | ପୁରୀ |
| ତିଆରି ଶୈଳୀ ଓ ଚଳଣି | |
| ମୂଖ୍ୟ ଦେବାଦେବୀ: | ଜଗନ୍ନାଥ |
| ଚାରି ଧାମ
ବଦ୍ରୀନାଥ • ରାମେଶ୍ଵରମ ଦ୍ଵାରକା • ପୁରୀ |
|---|
ଜଗନ୍ନାଥ ମନ୍ଦିର ବା ବଡ଼ଦେଉଳ ବା ଶ୍ରୀମନ୍ଦିର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କର ମନ୍ଦିର ।
ମୁଖ୍ୟ ମନ୍ଦିରଟି ପଞ୍ଚରଥ ଶୈଳୀରେ ନିର୍ମିତ ଦେଉଳ । ମନ୍ଦିର ଚାରିପଟେ "ମେଘନାଦ ପାଚେରୀ" (୬୬୫ଫୁଟ ଦୈର୍ଘ୍ୟ, ୬୪୦ଫୁଟ ପ୍ରସ୍ଥ ଓ ୨୦ ରୁ ୨୪ଫୁଟ ଉଚ୍ଚତା ) ରହିଅଛି ।[୧] ମେଘନାଦ ପାଚେରୀ ଭିତର ପଟେ ଆଉଗୋଟିଏ ପାଚେରୀ ‘କୂର୍ମ ପାଚେରୀ’ (୪୨୦ଫୁଟ ଦୈର୍ଘ୍ୟ ଓ ୩୧୫ଫୁଟ ପ୍ରସ୍ଥ) ଅଛି ।[୨] କୂର୍ମପାଚେରୀ ମଧ୍ୟସ୍ଥ ‘କୂର୍ମବେଢ଼ା’ ମଧ୍ୟ ଭାଗରେ ରହିଛି ଶ୍ରୀମନ୍ଦିର ବା ଜଗନ୍ନାଥ ମନ୍ଦିର । ସମଗ୍ର ମନ୍ଦିରଟି ଚାରି ଭାଗରେ ବିଭକ୍ତ:
- ବିମାନ ବା ମୁଖ୍ୟ ମନ୍ଦିର ବା ଗର୍ଭଗୃହ
- ଜଗମୋହନ ବା ମୁଖଶାଳା
- ନାଟମଣ୍ଡପ ଓ
- ଭୋଗମଣ୍ଡପ ।[୩]
ଦେଉଳ ଅଗ୍ରଭାଗରେ ଅଷ୍ଟଧାତୁ ନିର୍ମିତ ‘ନୀଳଚକ୍ର’ ରହିଛି ଓ ନୀଳଚକ୍ର ଉପରେ ଉଡ଼ୁଛି ‘ପତିତ ପାବନ ବାନା’ ।[୪]
ବିଷୟସୂଚୀ |
ଦ୍ଵାର [ସମ୍ପାଦନା]
ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଚାରିଦିଗରେ ଚାରିଗୋଟି ଦ୍ଵାର ଅଛି ଓ ତନ୍ମଧ୍ୟରୁ ପୂର୍ବ ଦିଗର ଦ୍ଵାରଟି ମୁଖ୍ୟ, ଏହାକୁ ସିଂହଦ୍ଵାର କୁହାଯାଏ ।[୫] ଅନ୍ୟ ଦ୍ଵାର ଗୁଡ଼ିକ ହେଲା ବ୍ୟାଘ୍ର ଦ୍ଵାର (ପଶ୍ଚିମ ଦିଗର ଦ୍ଵାର), ହାତୀ ଦ୍ଵାର (ଉତ୍ତର ଦିଗର ଦ୍ଵାର) ଓ ଅଶ୍ଵଦ୍ଵାର (ଦକ୍ଷିଣ ଦିଗର ଦ୍ଵାର) ।[୬] ମୁଖ୍ୟ ମନ୍ଦିର ସାମନାରେ ଜଗମୋହନ ଓ ମଝିରେ ପବିତ୍ର କଳାଘାଟ ଦ୍ଵାର । ନାଟମନ୍ଦିରରୁ ଜଗମୋହନକୁ ଯିବା ବାଟରେ ଥିବା ଦ୍ଵାର ହେଲା ‘ଜୟ-ବିଜୟ’ ଦ୍ଵାର ।ଶ୍ରୀମନ୍ଦିର ଜଗମୋହନରେ ୧୦ଫୁଟ ଉଚ୍ଚତା ବିଶିଷ୍ଟ ଗରୁଡ଼ ସ୍ତମ୍ବ ଅଛି ।[୭]
ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ୩୩ଫୁଟ ୮ଇଞ୍ଚ ଉଚ୍ଚତା (ବେଦୀ: ୬ଫୁଟ, ସ୍ତମ୍ବ: ୨୫ଫୁଟ ୨ଇଞ୍ଚ, ଅରୁଣାସନ: ୨ଫୁଟ ୬ଇଞ୍ଚ) ବିଶିଷ୍ଟ ଅରୁଣସ୍ତମ୍ବ ଅଛି ।[୮] ଅରୁଣସ୍ତମ୍ବକୁ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଅଣାଯାଇ ଏଠାରେ ସ୍ଥାପିତ କରାଯାଇଥିଲା ।[୯]
ବାଇଶି ପାହଚ [ସମ୍ପାଦନା]
ବାଇଶି ପାହଚ ବଉଳମାଳା ମାଙ୍କଡ଼ା ପଥରରେ ତିଆରି । ଭକ୍ତମାନେ ବର୍ଷତମାମ ବାଇଶି ପାହାଚ ବାଟଦେଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ ଶ୍ରୀଜୀଉମାନେ ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ି ବାଇଶି ପାହାଚ ବାଟ ଦେଇ ବଡ଼ଦାଣ୍ଡରେ ଥିବା ରଥକୁ ଆସିଥାନ୍ତି [୧୦] ବାଇଶି ପାହାଚର ଅଧିଷ୍ଠାତ୍ରୀ ଦେବୀଗଣ ହେଲେ ମାୟା, ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ତୃଷ୍ଣା, କ୍ଷାନ୍ତି, ଜାତି, ଲଜ୍ଜା, ଶାନ୍ତି, କାନ୍ତି, ବୃତ୍ତି, ସ୍ମୃତି, ଦୟା, ତୁଷ୍ଟି, ବିକ୍ରୀ, ମାତୃ, ଭ୍ରାନ୍ତି ଓ ପ୍ରଜ୍ଞା ବାଇଶି ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ [୧୧] ବାଇଶି ପାହାଚରେ ଦ୍ଵିତୀୟ ସୋପାନରେ ରହିଛି ଜମଶିଳା ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ବିଶ୍ଵାସ ରହିଛି ବାଇଶିପାହାଚକୁ ଭକ୍ତମାନେ ସମ୍ମାନ ଦେଇଥାନ୍ତି । [୧୨]
ବାଇଶି ପାହାଚର କିମ୍ବଦନ୍ତୀ [ସମ୍ପାଦନା]
କିମ୍ବଦନ୍ତୀ ମତେ ଭାନୁଦେବ ନାମରେ ଜଣେ ନିଃସନ୍ତାନ ରାଜା ଜମ୍ବେଶ୍ଵରଙ୍କୁ ଆରାଧନା କରି ସୁନ୍ଦର ପୁତ୍ର ସନ୍ତାନଟିଏ ଲାଭକଲେ ଜାତକ ତିଆରି କଲାବେଳେ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ ୨୨ବର୍ଷ ପୁତ୍ରର ଅଳ୍ପାୟୁ ବାବଦରେ ଅବଗତ ହୋଇ ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ଵରଙ୍କୁ ଆରାଧନା କଲେ ଜମ୍ବେଶ୍ଵର ରାଜାଙ୍କ ଭକ୍ତି ରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ଭିତରେ ବାଇଶି ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ ରାଜା ବାଇଶି ପାହାଚ ନିର୍ମାଣ କରି ତାଙ୍କ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି ବାଇଶି ପାହାଚରେ ଗଡ଼ାଇ ଦେଇଥିଲେ । ଶ୍ରଦ୍ଧାଳୁମାନେ ସେଥିପାଇଁ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶି ପାହାଚରେ ଗଡ଼ାଇ ଦେଇଥାନ୍ତି
ରତ୍ନସିଂହାସନ [ସମ୍ପାଦନା]
ଶ୍ରୀମନ୍ଦିର ଗର୍ଭଗୃହର ଆକାର ଉଭୟ ଲମ୍ବ ଓ ପ୍ରସ୍ଥରେ ୩୦ ଫୁଟ ଲେଖାଁଏ ଓ ଉଚ୍ଚତା ୪୮ ଫୁଟ । ଗର୍ଭଗୃହରେ ପ୍ରତିଷ୍ଠିତ ରତ୍ନସିଂହାସନ ବା ରତ୍ନବେଦୀ (୧୬ଫୁଟ ଦୈର୍ଘ୍ୟ, ୧୩ଫୁଟ ପ୍ରସ୍ଥ ଓ ୪ଫୁଟ ଉଚ୍ଚତା ) ଉପରେ କାଷ୍ଠ ନିର୍ମିତ କନକ ମୁଣ୍ଡି ରହିଅଛି ।[୧୩] କନକ ମୁଣ୍ଡିର ତଳେ ଏକ ବିରାଟ ଚାନ୍ଦୁଆ ଆବରଣ ହୋଇଛି । ଏହି ରତ୍ନବେଦୀ ଉପରେ ତିନୋଟି କଳା ମୁଗୁନି ପ୍ରସ୍ତରର ଚକା ରହିଛି, ଯାହା ଉପରେ ଚତୁର୍ଦ୍ଧା ଦାରୁମୁର୍ତ୍ତି ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନ ଅଧିଷ୍ଠିତ ହୋଇଛନ୍ତି । ଚତୁର୍ଦ୍ଧା ଦାରୁମୁର୍ତ୍ତିଙ୍କ ସହ ଶ୍ରୀନୀଳମାଧବ ଏବଂ ଧାତବ ବିଗ୍ରହ ଶ୍ରୀଦେବୀ (ଲକ୍ଷ୍ମୀଙ୍କ ସୁବର୍ଣ୍ଣ ମୁର୍ତ୍ତୀ) ଓ ଭୂଦେବୀ (ସରସ୍ଵତୀଙ୍କ ରୌପ୍ୟ ମୁର୍ତ୍ତି) ମଧ୍ୟ ରତ୍ନସିଂହାସନାସୀନ ।[୧୪] ରତ୍ନସିଂହାସନ ଚାରିପଟେ ପରିକ୍ରମା କରିବା ପାଇଁ ବାଟ ଅଛି ।
ପାର୍ଶ୍ଵଦେବତା [ସମ୍ପାଦନା]
ମୁଖ୍ୟ ମନ୍ଦିର ତିନି ଦିଗରେ ରାହା ପାଗରେ ତିନି ମୁଖ୍ୟ ପାର୍ଶ୍ଵଦେବତାଙ୍କୁ ପ୍ରତିଷ୍ଠିତ କରାଯାଇଛି । ତନ୍ମଧ୍ୟରେ ବିମାନର ଉତ୍ତରରେ କଳା ମୁଗୁନି ପ୍ରସ୍ତର ନିର୍ମିତ ବାମନ ବା ତ୍ରିବିକ୍ରମ, ଦକ୍ଷିଣରେ ବରାହ ଓ ପଶ୍ଚିମରେ ନୃସିଂହ ରହିଛନ୍ତି । ଏହି ତିନି ବିଗ୍ରହଙ୍କ ନିମିତ୍ତ ତିନିଗୋଟି ଉଚ୍ଚ ମନ୍ଦିର ମଧ୍ୟ ନିର୍ମିତ ହୋଇଅଛି । ପ୍ରତ୍ନତତ୍ତ୍ଵବିତ୍ମାନେ ପୁରୀ ବଡ଼ଦେଉଳ ସଂଲଗ୍ନ ହୋଇ ତିନି ଦିଗରେ ଥିବା ଏହି ପାର୍ଶ୍ଵ ମନ୍ଦିରଗୁଡ଼ିକ ମୁଖ୍ୟ ମନ୍ଦିରର ଭାରସାମ୍ୟ ରକ୍ଷା କରିବାରେ ସହାୟକ ହେଉଥିବା ପ୍ରକାଶ କରିଥାନ୍ତି । ଏଥିସହ ମନ୍ଦିରରେ ଅଷ୍ଟ ଦିଗପାଳ, ଦଶ ଅବତାର ଓ ଅନ୍ୟ ବହୁ ଦେବ-ଦେବୀଙ୍କ ମୂର୍ତ୍ତି ଦେଖିବାକୁ ମିଳେ । ମୁଖ୍ୟ ମନ୍ଦିର ଭିତର ଓ ବାହାର ବେଢ଼ା ମଧ୍ୟରେ ଛୋଟ ବଡ଼ ପ୍ରାୟ ଶତାଧିକ ମନ୍ଦିର ଅଛି ।
ଭୋଗ ପରମ୍ପରା [ସମ୍ପାଦନା]
ଶ୍ରୀମନ୍ଦିର ରେ ବିରାଜିତ ଶ୍ରୀବିଗ୍ରହ ମାନଙ୍କ ଉଦ୍ଦେଶ୍ୟରେ ନାନାଦି ନୈବେଦ୍ୟ ଭୋଗ ଲାଗି କରାଯାଇଥାଏ । ସେଥି ମଧ୍ୟରୁ ଦୁଇଟି ପ୍ରମୁଖ ନୈବେଦ୍ୟ ହେଉଛି ବଲ୍ଲଭ ଭୋଗ ଓ ସକାଳ ଧୂପ।
ବଲ୍ଲଭ ଭୋଗ [ସମ୍ପାଦନା]
ଏଇ ଭୋଗରେ ପାଗ ଖଇ, ପାଚିଲା କଦଳୀ, ଦହି, ସର, ଖୁଆ, ମଣ୍ଡା, ସେଓ, ଚାଉଳିଆ, ନଡ଼ିଆ ପାତି, କମଳା, ସେପାଟା, କାକୁଡ଼ି ଆଦି ନୈବେଦ୍ୟ ହୋଇଥାଏ।
ସକାଳ ଧୂପ [ସମ୍ପାଦନା]
ସକାଳ ଧୂପରେ ସାଦା ଅନ୍ନ, ମୁଗ ଖେଚୁଡ଼ି, ଘିଅ ଅନ୍ନ, ଡାଲି, ଡାଲମା, ଶାଗ, ବେସର, ଭଜା, ମହୁର, ଖଟା, ବିଭିନ୍ନ ବିରି ଓ ଅଟା ଜାତୀୟ ପିଠା ଇତ୍ୟାଦି ଲାଗିଥାଏ।ସ୍ଥଳ ବିଶେଷରେ ମାଟି କୁଡୁଆ, ପିତଳ ହାଣ୍ଡିରେ ରନ୍ଧନ କରାଯାଇ ଭୋଗ ବଢାଯାଏ।ପଞ୍ଚୋପଚାର/ଷୋଡ଼ଶପଚାର ମନ୍ତ୍ରରେ ପୂଜା କରାଯାଏ।ଏହି ପୂଜା ଅଷ୍ଟାଦଶାକ୍ଷର ଗୋପାଳ ମନ୍ତ୍ର / ଏକାକ୍ଷରୀ ଭୁବନେଶ୍ଵରୀ ମନ୍ତ୍ର ଏବଂ ଓଁ ନମୋ ଭଗବତେ ବାସୁଦେବାୟ (ଦ୍ଵାଦଶାକ୍ଷର) ମନ୍ତ୍ରରେ ପୂଜା କରାଯାଏ।
ଭୋଗରେ ବ୍ୟବହୃତ ପରିବା [ସମ୍ପାଦନା]
ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଭୋଗରେ ଦେଶୀଆଳୁ, କଖାରୁ, କଞ୍ଚା କଦଳୀ, ପଣସ, ମୂଳା, ପୋଟଳ, ଶିମ୍ବ, କାଙ୍କଡ଼, ଜହ୍ନି, ବାଇଗଣ, ସାରୁ, କନ୍ଦମୂଳ, ଅଦା, ଧନିଆପତ୍ର, ନଡ଼ିଆ ପ୍ରଭୃତି ଡାଲମା ଓ ତରକାରୀ ଇତ୍ୟାଦିରେ ବ୍ୟବହୃତ ହୋଇଥଆଏ । କୋଶଳା, ଲେଉଟିଆ ଓ ଅଗସ୍ତି ଶାଗ ବ୍ୟତିତ ଅନ୍ୟ କୈଣସି ଶାଗ ଭୋଗରେ ବ୍ୟବହାର କରାଯାଏନାହିଁ ।
ମସଲା [ସମ୍ପାଦନା]
ଜିରା, ଗୋଲମରିଚ, ଡାଲଚିନି, ବଡ଼ ଅଳେଇଚ, ହେଙ୍ଗୁ, ପାନମଧୁରୀ, ସୋରିଷ ଇତ୍ୟାଦି ବିଭିନ୍ନ ଭୋଗ ଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ । ଭୋଗ ପ୍ରସ୍ତୁତିରେ କେବଳ ଶୁଦ୍ଧ ଘିଅ ବ୍ୟବହୃତ ହୁଏ ।
ମନ୍ଦିରରେ ନିଷିଦ୍ଧ [ସମ୍ପାଦନା]
- ପରିବା : ବିଲାତି ଆଳୁ,ଟମାଟୋ,ସଜନା ଛୁଇଁ,ଅମୃତଭଣ୍ଡା,ଲାଉ,ଭେଣ୍ଡି,ପିଆଜ,ଝୁଡ଼ଙ୍ଗ,କ୍ୟାପସିକମ,ରସୁଣ,କଞ୍ଚାଲଙ୍କା,ଫୁଲ ଓ ପତ୍ର କୋବି,ବିମ୍,କଲରା,ବିଟ୍,ଗାଜର,ମଟର ଛୁଇଁ,ପିଆଜ ଷଣ୍ଢା ଇତ୍ୟାଦି ନିଷିଦ୍ଧ ଅଟେ।
- ମସଲା : ଲଙ୍କାଗୁଣ୍ଡ,ଗରମ ମସଲା,କଳାଜିରା,କାଜୁ,ଗୁରୁରାତି ନିଷିଦ୍ଧ ଅଟେ।[୧୫]
ଆନନ୍ଦବଜାରଠାରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭକ୍ତମାନେ ଏକାଠି ବସି ମହାପ୍ରସାଦ ସେବନ କରି ଥାଆନ୍ତି ।
ଆଧାର [ସମ୍ପାଦନା]
- ↑ "About Sakhigopal". samsepuja.in. 2012. http://samsepuja.in/about-puri.php. Retrieved 26 June 2012. "The outermost is called 'Meghanad Pacheri' which has a length of 650ft from east to west and breadth of 644ft from north to south direction. The height of Meghanad Pacheri is 20ft and thickness of 6ft"
- ↑ "Lord Jagannath:Inside the temple of the lord, Jagannath Puri, Jagannath Temple,Orissa | orissa.oriyaonline.com". orissa.oriyaonline.com. 2012. http://www.orissa.oriyaonline.com/inside_the_temple.html?page=2. Retrieved 26 June 2012. "and kurma Bedha (the inner wall) or the inner enclosure of the Jagannath temple i"
- ↑ "Jagannath Temple, India - 7 wonders". 7wonders.org. 2012. http://www.7wonders.org/wonders/asia/india/puri/jagannath-temple.aspx. Retrieved 2 July 2012. "The temple is divided into four chambers: Bhogmandir, Natamandir, Jagamohana and Deul"
- ↑ "Architecture of Jagannath Temple, Jagannath Puri Architecture, Puri Jagannath Temple India.". orissatourism.org. 2012. http://www.orissatourism.org/jagannath-temple/architecture-of-temple.html. Retrieved 2 July 2012. "wheel on top of the Jagannath Temple made of an alloy of eight metals (asta-dhatu). It is called the Nila Chakra (Blue Wheel)"
- ↑ {{cite web |url= http://devoteecare.fullorissa.com/about-temple/ |title=About Temple - Devotee Care Center |first= |last=
- ↑ "Puri Sri Jagannath temple tour & accommodation". go2india.in. 2012. http://www.go2india.in/orissa/puri.php. Retrieved 2 July 2012. "Main Gate the Singh Dwar or Lion Gate ( Eastern gate ) Dharma Dwar Dakhina Dwar ( south gate or Horse gate ), Kudia Hanuman temple is there ( Kamana Gate ) Paschima Dwar ( west gate or tiger gate ) , Artha Dwar ( Money gate) Uttar Dwar ( North gate, elephant gate ), Mokya Dyar"
- ↑ "Jagannath Puri". vanamaliashram.org. 2010. http://www.vanamaliashram.org/Jagannath%20Puri.html. Retrieved 5 October 2012. "This is where the 'Garuda Stambha' is located."
- ↑ "Lord Jagannath temple". amazingorissa.com. 2012. http://www.amazingorissa.com/Jagannathtemple.aspx. Retrieved 5 October 2012. "The height of this pillar or Stambha is 33ft and 8 inches."
- ↑ "Introduction about Sun Temple, Konarak - Archaeological Survey of India". asi.nic.in. 2012. http://asi.nic.in/asi_monu_whs_konark_intro.asp. Retrieved 5 October 2012. "The Marathas during the 18th century removed the Aruna-stambha made of chlorite and placed it in front of the Puri temple."
- ↑ "Thousands watch annual Ratha Yatra festival". mid-day.com. 2012. http://www.mid-day.com/news/2012/jun/210612-Thousands-watch-annual-Ratha-Yatra-festival.htm. Retrieved 26 June 2012. "The three deities were taken out of the 'Ratna Sinhasana' down 22 steps, known as 'Baisi Pahacha'"
- ↑ "Rites before Jagannath temple for salvation of forefathers". odisha.in. 2012. http://www.odisha.in/news/158/ARTICLE/1796/2007-11-10.html. Retrieved 26 June 2012. "candles show the departed souls light to the heaven, through the Baisi Pahacha"
- ↑ "Places Within The Temple Compound | Holy Dham". holydham.com. 2012. http://holydham.com/places-within-the-temple-compound/. Retrieved 26 June 2012. "Great respect is given to these steps"
- ↑ "JAGANNATH TEMPLE, SANCTUARIES, MANDAPS OF LORD JAGANNATH TEMPLE PURI". jagannath.orissaculture.com. 2009. http://jagannath.orissaculture.com/Jagannath%20Temple/Sanctuary.htm. Retrieved 26 June 2012. "the 4 icons are installed on a raised platform known as Ratnabedi or Mahabedi (16'.0' long X 13'.0' wide X 4'.0' high)"
- ↑ "Deities In Lord Jagannath Temple - Jagannath Temple". jagannathtemplepuri.com. 2012. http://www.jagannathtemplepuri.com/article/id/711/deities-in-lord-jagannath-temple. Retrieved 26 June 2012. "along with Balabhadra, Subhadra, Sudarshan, Madhaba, Sridevi and Bhudevi on the Ratnabedi or the bejewelled platform."
- ↑ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଶେଷାଙ୍କ,୨୪ ଜୁନ ୨୦୧୨
ଅଧିକ ତଥ୍ୟ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: ଜଗନ୍ନାଥ ମନ୍ଦିର ଉପରେ ମାଧ୍ୟମ ରହିଅଛି |
| ଉଇକିପିଡ଼ିଆ କମନସରେ: Lord Jagannath ଉପରେ ମାଧ୍ୟମ ରହିଅଛି |
| ଉଇକିପିଡ଼ିଆ କମନସରେ: Rath Yatra ଉପରେ ମାଧ୍ୟମ ରହିଅଛି |
| ଉଇକିପିଡ଼ିଆ କମନସରେ: Chariot Festival Puri ଉପରେ ମାଧ୍ୟମ ରହିଅଛି |
- Jagannath Dham Puri (Official Website of the temple)
- ଜଗନ୍ନାଥ ମନ୍ଦିରର ନିଜସ୍ଵ ପୃଷ୍ଠା
- ଓଡ଼ିଆରେ ଜଗନ୍ନାଥ ମନ୍ଦିର ବିଷୟରେ
|
|||||||||||||||||
|
|||||||||||||||||
|
|||||||||||||||||