ବନ୍ଦେ ଉତ୍କଳ ଜନନୀ

ଉଇକିପିଡ଼ିଆ ରୁ

ବନ୍ଦେ ଉତ୍କଳ ଜନନୀ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏକ ଓଡ଼ିଆ ଜାତି ଭକ୍ତି କବିତା । ୧ ଏପ୍ରିଲ ୧୯୩୬ରେ ସ୍ଵତନ୍ତ୍ର ଓଡ଼ିଶା ଗଠନ ପରେ ଏହି କବିତାଟି ରାଜ୍ୟ ଗାନ ଭାବେ ପରିଚିତ ହେଲା ।[୧]

କବିତାର ପଦାବଳୀ[ସମ୍ପାଦନା]

ବନ୍ଦେ ଉତ୍କଳ ଜନନୀ,

ଚାରୁ ହାସ ମୟୀ ଚାରୁ ଭାଷମୟୀ,
ଜନନୀ, ଜନନୀ, ଜନନୀ॥

ପୂତ-ପୟୋଧି-ବିଧୌତ-ଶରୀରା,
ତାଳତମାଳ-ସୁଶୋଭିତ-ତୀରା,
ଶୁଭ୍ର ତଟିନୀକୂଳ-ଶୀକର-ସମୀରା,
ଜନନୀ, ଜନନୀ, ଜନନୀ॥

ଘନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ,
କଳ କଳ ମୁଖରିତ ଚାରୁ ବିହଙ୍ଗେ,
ଜନନୀ, ଜନନୀ, ଜନନୀ॥

ସୁନ୍ଦର ଶାଳୀ-ସୁଶୋଭିତ-କ୍ଷେତ୍ରା,
ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା,
ଯୋଗୀଋଷିଗଣ-ଊଟଜ-ପବିତ୍ରା,
ଜନନୀ, ଜନନୀ, ଜନନୀ॥

ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,
ଚାରୁକଳାବଳୀ-ଶୋଭିତ-ବେଶା,
ପୁଣ୍ୟ ତୀର୍ଥାଚୟ-ପୂର୍ଣ୍ଣ-ପ୍ରଦେଶା
ଜନନୀ, ଜନନୀ, ଜନନୀ॥

ଉତ୍କଳ ଶୂରବର-ଦର୍ପିତ-ଗେହା,
ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,
ବିଶ୍ବଭୂମଣ୍ଡଳ-କୃତବର-ସ୍ନେହା,
ଜନନୀ, ଜନନୀ, ଜନନୀ॥

କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,
ଭୁବନ ବିଘୋଷିତ-କୀର୍ତ୍ତି ଅନିନ୍ଦ୍ୟା,
ଧନ୍ୟେ, ପୂଣ୍ୟେ, ଚିରଶରଣ୍ୟେ,
ଜନନୀ, ଜନନୀ, ଜନନୀ॥

—କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ଆଧାର[ସମ୍ପାଦନା]