ବାଲିଯାତ୍ରା

ଉଇକିପିଡ଼ିଆ ରୁ
କଟକ ବାଲିଯାତ୍ରା ର ତୋରଣ

ବାଲିଯାତ୍ରା(ଅଥବା ବୋଇତ ବନ୍ଦାଣ)ଏକ ଓଡ଼ିଆ ପର୍ବ । ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ଵୟଭିତ୍ତିକ ଯାତ୍ରା । ଆଧୁନିକ ଓଡ଼ିଶା ଉପରୋକ୍ତ ରାଷ୍ଟ୍ରଗୁଡିକର ପରିବର୍ତ୍ତିତ ରୂପ । ଏହି ଯାତ୍ରା (ଅକ୍ଟୋବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ । ଆଗ କାଳରେ ସାଧବପୁଅ ମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳ ମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ ।[୧]

ଓଡ଼ିଶାର କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାର ମହାସମାଗମ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆ ମାନେ ଆକାମାବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବ ମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକ ଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ । ବାଲିଯାତ୍ରା ରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମଠୁଙ୍କାପୁରି ଇତ୍ୟାଦି ଖାଦ୍ୟ ବହୁସ୍ଥାନରେ ବିକ୍ରିହୁଏ |

ଇତିହାସ[ସମ୍ପାଦନା]

ଓଡ଼ିଶାର ପୁରପଲ୍ଲୀରେ ବୋଇତ ବନ୍ଦାଣ କାଠ ଓ ସୋଲ ତିଆରି ଡଙ୍ଗା ଭସାଇ ଏହି ଇତିହାସକୁ ମନେପକାଇ ପାଳନ କରାଯାଇଥାଏ । ଏହା ଛଡ଼ା ସୁରତ ଆଦି ସ୍ଥାନରେ ମଧ୍ୟ ଓଡ଼ିଆମାନେ ଏହାକୁ ପାଳନ କରିଥାନ୍ତି ।[୧]

ଇତିହାସ ଓ ମତବାଦ[ସମ୍ପାଦନା]

ବାଲିଯାତ୍ରା କେବେ ଓ କାହିଁକି ଆରମ୍ଭ ହେଇଥିଲା ତାହା ସଠିକ ଭାବରେ ନିର୍ଦ୍ଧାରିତ ହୋଇ ନାହିଁଵ। ନିର୍ଦ୍ଧାରଣ ନୀରବ ରହିବାରୁ ବାଲିଯାତ୍ରାର ଆରମ୍ଭକୁ ନେଇ ଦ୍ଵନ୍ଦ ରହିବା ସ୍ଵାଭାବିକ । ଏହି ଐତିହ୍ୟପୂର୍ଣ୍ଣ ଗଣମହୋତ୍ସବର କାରଣ ସମ୍ବନ୍ଧରେ ଆମର ମହାଜନ ମାନେ ତିନୋଟି ମତ ଉପସ୍ଥାପନ କରି ଆସୁଛନ୍ତି ।

ପ୍ରଥମ ମତ[ସମ୍ପାଦନା]

ପ୍ରଥମ ମତଟି ହେଲା ବୃହତ କଳିଙ୍ଗ ରାଷ୍ଟ୍ରର ସାଧବମାନେ ଏହିଦିନ ବିଦେଶକୁ ବାଣୀଜ୍ୟ କରିବାକୁ ଯାଉଥିଲେ । ଜଳପଥରେ ଯାଉଥିବାରୁ ମହାନଦୀ କୂଳରେ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ଏହି ଯାତ୍ରା ଆରମ୍ଭ ହୋଇଥିଲା । ଚତୁର୍ମାସ୍ୟା ସମାପ୍ତ ବେଳରେ ସାଧବମାନେ ଜଳପଥରେ ବାଣିଜ୍ୟ ପାଇଁ ଯାତ୍ରା କରୁଥିବା ଏହା ଠିକ । ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଉଥିବା କଥା ମଧ୍ୟ ଠିକ, କିନ୍ତୁ ବିଦାୟ ସମ୍ବର୍ଦ୍ଧନା ଜଣାଉଥିବା ପରିବାର, ବନ୍ଧୁବାନ୍ଧବ ଓ ପରିଜନମାନଙ୍କର ବିଦାୟ ହେବାପରେ ସାତଦିନବ୍ୟାପୀ ଉତ୍ସବ ପାଳନ କରିବାକୁ ମାନସିକତା ଥିବ ତ Ị ଛ’ମାସ ପାଇଁ ବିପଦସଙ୍କୁଳ ଜଳପଥରେ ରୋଜଗାର ଉଦ୍ଦେଶ୍ୟରେ ବିଦାୟଦେଇ ମଉଜ ମଜଲିସରେ ମାତିଯିବା ଓଡ଼ିଆ ମାନସିକତା କି ? ଏହା ଏକ ରୁଗ୍ଣ ମାନସିକତା ହୋଇପାରେ । ଯେଉଁ ଜାତି ଏକ ଦୁର୍ଦ୍ଦଷ ଏବଂ ବୈଷୟିକ କଳାରେ ପାରଦର୍ଶୀ ତଥା ଉତ୍କୃଷ୍ଟ କଳାନୈପୁଣ୍ୟରେ ଅଖଣ୍ଡ ଭାରତରେ ପ୍ରସିଦ୍ଧି ଲାଭ କରିଥିଲା, ସେ ଜାତି କଣ ରୁଗ୍ଣ ମାନସିକ ସଂକ୍ରାମଣର ଶିକାର ହୋଇଥିଲା ଯେ ବିଦାୟକାଳୀନ ପରିବେଶକୁ ଉତ୍ସବମୁଖର କରି ଉପଭୋଗ କରୁଥିଲା ?

ଦ୍ଵିତୀୟତଃ କଳିଙ୍ଗର ସାଧବ ଗୋଟିଏ ସ୍ଥାନରୁ ବାଣିଜ୍ୟ କରିବାକୁ ଯାଉନଥିଲା । ଭିନ୍ନ ଭିନ୍ନ ନଦୀଘାଟରୁ ଏବଂ ଓଡ଼ିଶାର ସପ୍ତ ବନ୍ଦରରୁ ଯାଉଥିଲା । ମହାନଦୀ ଘାଟରେ ଯଦି ବିଦାୟ ପରେ ଯାତ୍ରା ଚାଲୁଥିଲା ,ତେବେ ଅନ୍ୟତ୍ର ବି ତାହା ପ୍ରଚଳିତ ହେବା କଥା । କାହିଁ ସେପରି ପ୍ରମାଣ ତ ଦୃଷ୍ଟିଗୋଚର ହେଉନାହିଁ ।

ଦ୍ଵିତୀୟ ମତ[ସମ୍ପାଦନା]

ଦ୍ଵିତୀୟ ମତଟି ହେଲା ଏହିଦିନଟିରେ ବାଣିଜ୍ୟ ବେପାର ସାରି ସାଧବମାନେ ନିଜ ଜନ୍ମମାଟିକୁ ଫେରିଆସୁଥିବାରୁ ସେମାନଙ୍କ ସ୍ଵାଗତ - ସମ୍ବର୍ଦ୍ଧନା ଉପଲକ୍ଷେ ବାଲିଯାତ୍ରା ଅନୁଷ୍ଠିତ ହେଉଥିଲା ।

ବାଣିଜ୍ୟ ବେପାର ସାରି ଦୀର୍ଘଦିନ ପରେ ସ୍ଵଦେଶକୁ ଫେରୁଥିବାରୁ ସମ୍ବର୍ଦ୍ଧନାମୂଳକ ଆନନ୍ଦ ଉଲ୍ଲାସ ଏକ ଯାତ୍ରା ବା ଉତ୍ସବରେ ପରିଣତ ହେବା ଅସମ୍ଭବ ନୁହେଁ,କିନ୍ତୁ ସାଧବମାନଙ୍କ ବାଣିଜ୍ୟ ବେପାରର ଐତିହ୍ୟ ଅନୁଶୀଳନ କଲେ ଜଣାଯାଏ ଯାଉଛି ସେମାନେ ବର୍ଷା ଚାରିମାସ ଯିବାପରେ ଜଳପଥରେ ବିଦେଶ ଯାଉଥିଲେ । ବର୍ଷା ଚାରିମାସ ଆରମ୍ଭ ପୂର୍ବରୁ ନୁହେଁ । କାରଣ ଏହି ଚାରିମାସ ସମୁଦ୍ରର ଜଳପଥ ବିପଦପୂର୍ଣ୍ଣ ରହୁଥିଲା । ତେଣୁ ଏହି ମତଟି ଜନଶ୍ରୁତି ଉପରେ ଆଧାରିତ ହେଲା ପରି ମନେହୁଏ ।

ତୃତୀୟ ମତ[ସମ୍ପାଦନା]

ତୃତୀୟ ମତଟି ହେଲା ମହାନଦୀର ଏହି ଘାଟରେ ଶ୍ରୀଚୈତନ୍ୟ ବିରାଜମାନ କରି ଉଦଣ୍ଡ କୀର୍ତ୍ତନ ସହିତ ଆତ୍ମବିସ୍ମୃତ ହୋଇ ମହାନଦୀର ବାଲିଘାଟ ପର୍ଯ୍ୟନ୍ତ ଗଡିଗଡି ଲୋଟି ଯାଇଥିଲେ । ଯେଉଁଥି ପାଇଁ ଏହି ଘାଟର ନାମ ଗଡ଼ଗଡିଆ ଘାଟ । ସେହି ସ୍ମୃତିକୁ ଧରିରଖିବା ଉଦ୍ଦେଶ୍ୟରେ ଯେଉଁ ପ୍ରାରମ୍ଭିକ ଉତ୍ସବ ଆରମ୍ଭ ହେଇଥିଲା ବା ଆୟୋଜନ ହୋଇଥିଲା ତାହା ହିଁ ବାଲିଯାତ୍ରା ।

ମହାନଦୀର ଏହି ଘାଟରେ ଶ୍ରୀଚୈତନ୍ୟ ଆସିବାବେଳେ ପାର ହୋଇଥିବେ , ଏହା ବିଶ୍ଵାସଯୋଗ୍ୟ ହୋଇନପାରେ ହୁଏତ ଗଜପତି ପ୍ରତାପରୁଦ୍ର ଦେବଙ୍କ ସାନ୍ନିଧ୍ୟରେ ଆସିବାପରେ ଏହି ଘାଟରେ ପାରି ହୋଇଥାଇ ପାରନ୍ତି । ଗଜପତି ପ୍ରତାପରୁଦ୍ର ଦେବଙ୍କ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ହେଲାବେଳକୁ ୧୫୧୮-୧୯ ମସିହା କଥା । ପୁରୀକୁ ଆସିବାର ଆଠ-ନଅବର୍ଷ ପରର କଥା । ତେଣୁ ଆସିବା ସମୟ ଅର୍ଥାତ ୧୫୧୦ ମସିହାରେ ଏହି ଘାଟରେ ସେ ପାରିହେବା ତତ୍କାଳୀନ ସମୟରେ ସମ୍ଭବ ହୋଇନଥିବ ।

ଦ୍ଵିତୀୟରେ ଏହି ଘାଟ ତ ହଜାର ବର୍ଷର କଟକ ସହରର ଐତିହାସିକ ଘାଟ । ଶ୍ରୀଚୈତନ୍ୟ ଦେବଙ୍କ ଆସିବାର ବହୁ ପୂର୍ବରୁ ସେଠାରେ ଗଜପତିଙ୍କ ବାରବାଟୀ ଗଡ଼ର ଗଡ଼ଚଣ୍ଡୀ ଉପାସିତ ହେଉଥିଲେ ।ଗଡ଼ ମଧ୍ୟରେ ଗଜପତିଙ୍କ ଉପସ୍ୟା କନକଦୁର୍ଗା ଥିଲା ବେଳେ ଘାଟ ନିକଟରେ ପ୍ରାୟସବୁ ଘାଟରେ ଦେବୀପୂଜା ପାଇଲାଭଳି ଗଡ଼ଚଣ୍ଡୀ ପୂଜା ପାଉଥିଲେ । ଅନ୍ୟାନ୍ୟ ଘାଟମାନଙ୍କରେ ଶାବରତନ୍ତ୍ରର ଦେବୀ ଥିବା ବେଳେ ଏହି ଘାଟର ଦେବୀ ଶାକ୍ତତନ୍ତ୍ରର ଥିଲେ । ଗଡ଼ଚଣ୍ଡୀଙ୍କ ପାଖରେ ଏକ ଶିବ ମନ୍ଦିର ଥିଲା,ଏବେ ମଧ୍ୟ ଅଛି । ଉଭୟ ଗଜପତିଙ୍କର ତତ୍ତ୍ଵାବଧାନରେ ଥିଲେ । ଅତଏବ ଏହା ଏକ ଶୈବ ଓ ଶାକ୍ତ ଅଞ୍ଚଳ । ଶ୍ରୀକୃଷ୍ଣ ବା ବିଷ୍ଣୁଙ୍କ ମ୍ନ୍ଦିର ନଥିଲା । ଶ୍ରୀଚୈତନ୍ୟ ତ ଶାକ୍ତ କି ଶୈବ ମତାବଲମ୍ବୀ ନଥିଲେ , ତେଣୁ ସେ ଉଦଣ୍ଡକୀର୍ତ୍ତନ କରିବା ରହସ୍ୟ ଜଣାପଡୁନାହିଁ ।

ଶ୍ରୀଚୈତନ୍ୟ ଆସିବାବେଳେ ଗଡ଼ଘାଟ ଗଜପତିଙ୍କ ସୈନ୍ୟବାହିନୀ ଅକ୍ତିଆରରେ ଥିଲା । ବାରବାଟୀ ଦୁର୍ଗର ବିଶେଷ କରି ଗଡ଼ର ବ୍ୟବହାର ପାଇଁ ସେହି ଗୋଟିଏ ଘାଟର ବ୍ୟବହାର କରାଯାଉଥିଲା । ଅନ୍ୟ ଘାଟ ଗୁଡିକ ସାଧାରଣ ଲୋକଙ୍କ ପାଇଁ ଥିଲା । ରାଜଶାସନ ବ୍ୟବହୃତ ଘାଟରେ ଯଦି ବି ଚୈତନ୍ୟ ଓହ୍ଲାଇଥିଲେ , ସେତେ ବେଳକୁ ସେ ପ୍ରଭୁ ହୋଇନଥିବାରୁ , ରାଜସାନ୍ନିଧ୍ୟ ଲାଭ କରିନଥିବାରୁ ରାଜକର୍ମଚାରୀ ମାନେ ତାଙ୍କ ଉଦଣ୍ଡ ନୃତ୍ୟକୁ କେଉଁ ଦୃଷ୍ଟିରେ ଗ୍ରହଣ କରିଥିଲେ ତାହା ବିଚାରଯୋଗ୍ୟ । କାରଣ କୀର୍ତ୍ତନ ଓ ସଂକୀର୍ତ୍ତନ ଦୁଇଟିଯାକ ଓଡ଼ିଶାର ନିଜସ୍ଵ ଓ ବହୁ ପ୍ରାଚୀନ । ଉଦଣ୍ଡ-କୀର୍ତ୍ତନ ଆମର ନଥିଲା ।

କଟକ ଯଦି ଏକ ବିଷ୍ଣୁ ବା ଶ୍ରୀକୃଷ୍ଣଙ୍କ କ୍ଷେତ୍ର ହୋଇଥାନ୍ତା, ହୁଏତ ସେ ମାଟିରେ ପାଦ ଦେଉଦେଉ ଉଦଣ୍ଡ କୀର୍ତ୍ତନ କରିଥାନ୍ତେ । କଟକ ମୂଳରୁ ସନାତନ ଧାରାର ଅର୍ଦ୍ଧନାରୀଶ୍ଵର ଚେତନାର କ୍ଷେତ୍ର । ଅର୍ଥାତ ଶିବ+ଶକ୍ତିଙ୍କର ସମନ୍ଵୟ କ୍ଷେତ୍ର ।

ଗଡ଼ର ଘାଟ ହୋଇଥିବାରୁ ଗଡ଼ଚଣ୍ଡୀ ସେଠାରେ ବିରାଜିତ ଥିବାରୁ ତାହାର ନାମ ଗଡ଼-ଘାଟ । ପରବର୍ତ୍ତି କାଳରେ ଲୋକଉକ୍ତିରେ ଗଡଗଡିଆ ଘାଟ ପ୍ରସିଦ୍ଧ ହୋଇଛି ବୋଲି ମନେ ହୁଏ ।

ଐତିହାସିକ ତଥ୍ୟ[ସମ୍ପାଦନା]

ମହାରାଜା ଉଦ୍ୟୋତକେଶରୀ ସିଂହଳ ଦେଶ ବିଜୟ କରି ଜଳପଥରେ ଫେରିବାର ସୃତିରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି ବୋଲି ସୂଚନା ମିଳେ । ଏହା ଏକ ଐତିହାସିକ ସତ୍ୟ ହୋଇପାରେ । ମହାରାଜା ଉଦ୍ୟୋତକେଶରୀ ଉତ୍କଳ ଦେଶର ରାଜା ଥିଲେ । ଶିଳଲେଖ ଅନୁଯାୟୀ ସୋମବଂଶୀ ରାଜା ଉଦ୍ୟୋତକେଶରୀ ୧୮ ବର୍ଷ ରାଜତ୍ଵ କରିଥିଲେ । ମହାରାଜା ଉଦ୍ୟୋତକେଶରୀ ଚୋଳରାଜା ମାଧବ ବର୍ମାଙ୍କୁ ପରାଜିତ କରି ସମ୍ପୂର୍ଣ୍ଣ ଦକ୍ଷିଣାପଥ ବିଜୟ କରିବା ପରେ ସିଂହଳ ଆକ୍ରମଣ କରିଥିଲେ । ସିଂହଳରେ ସେତେବେଳେ ରାଜାଥିଲେ ଚିତ୍ରକେୟୁର । ସିଂହଳ ବିଜୟ ପରେ ମଣିମୁକ୍ତା ପ୍ରଭୃତି ଧନରତ୍ନ ସେ ସଙ୍ଗରେ ଆଣିଥିଲେ । ସେ ଜଳପଥରେ ଆସି ମହାନଡି ମୂହାଣ ଦେଇ ନିରାପଦ ସ୍ଥାନ କଟକଦ୍ଵୀପରେ ପହଞ୍ଚି ବିଶ୍ରାମ ନେଇଥିଲେ । ସେତିକି ବେଳେ ଏହି ଯାତ୍ରା ଆରମ୍ଭ ହୋଇଥିବା ସମ୍ଭବ । ଲୋକ ମୁଖରେ ପ୍ରସିଦ୍ଧିଥିଲା ସାଧବ ପୁଅ ବାଲି-ସୁମାତ୍ରା-ବର୍ଣ୍ଣିଓ ଯାଉଥିଲେ ବୋଲି, ସିଂହଳବିଜୟ କରି ଫେରିଲେ ବି ବାଲିରୁ ଫେରିଲେ ବୋଲି ତୁଣ୍ଡରେ ତୁଣ୍ଡକୁ ଯାଇ ବାଲିଯାତ୍ରା ହୋଇଥିବା ସମ୍ଭବ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Oriyas to celebrate Boita Bandana today.[timesofindia.indiatimes.com Times of India].Nov 20, 2010

ଅଧିକ ତଥ୍ୟ[ସମ୍ପାଦନା]