ଓଡ଼ିଶାର ଇତିହାସ

ଉଇକିପିଡ଼ିଆ ରୁ
ଖାରବେଳଙ୍କ ତିଆରି ହାତୀଗୁମ୍ଫାରେ ଥିବା ଶିଳାଲେଖ, ଉଦୟଗିରି

ଓଡ଼ିଶାର ଇତିହାସ ଓଡ଼ିଶାର ଆରମ୍ଭ, ଓଡ଼ିଆ ସଭ୍ୟତାର ସୃଷ୍ଟି ଓ ବିକାଶ, ଭାଷା, ସାହିତ୍ୟ, ପରିବେଶ, ଲୋକଙ୍କର ଜୀବନଯାପନ, ଚଳଣି ଆଦିର କ୍ରମାନୁସାରେ ଥିବା ଘଟଣାସବୁକୁ ନେଇ ଗଠିତ ।

ଧଉଳିରୁ ଦୟାନଦୀର ଦୃଶ୍ୟ
ଗଙ୍ଗ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ଵାରା ତିଆରି କୋଣାର୍କ ସୂର୍ଯ୍ୟ ମନ୍ଦିର, ଏହା ଏକ ବିଶ୍ଵ ଐତିହ୍ୟ ସ୍ଥଳୀ

ସଂକ୍ଷେପରେ[ସମ୍ପାଦନା]

  • ବୈଦିକ ଓଡ଼ିଶା - କୃଷ୍ଣ ଯଜୁର୍ବେଦ ବୌଧାୟନ କଳ୍ପସୂତ୍ର କହେ (ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ), ବୈଦିକ ସଭ୍ୟତା ବାହାରେ କଳିଙ୍ଗ ଥିଲା ଭିନ୍ନ ଏକ ସଭ୍ୟତା (ନା ଆର୍ଯ୍ୟ ନା ଦ୍ରାବିଡ଼)
  • ପୌରାଣିକ ଓଡ଼ିଶା - ମହାଭାରତ କହେ, କଳିଙ୍ଗ କୌରବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲା ।
  • କିମ୍ବଦନ୍ତୀରେ ଓଡ଼ିଶା - ଓଡ଼ିଶାରେ ପ୍ରଚଳିତ ଲୋକକଥା ଅନୁସାରେ ଏଠି କଳା ଓ ବାଣିଜ୍ୟର ସଂସ୍କୃତି ପ୍ରଭାବ ବିସ୍ତାର କରିଥିଲା । ସିଂହଳ(ଶ୍ରୀଲଙ୍କା), ଜାଭା, ସୁମାତେରା, ବାଲି, ବ୍ରହ୍ମଦେଶ (ମିଆଁମାର), ସାମ(ଥାଇଲାଣ୍ଡ), କାମ୍ବୋଡ଼ିଆ, ଅନାମ (ଭିଏତନାମ), ଚୀନ, ଜବନ (ଜାପାନ), କୁକୁଟ (କୋରିଆ), ମକ୍କସିଖ (ମେକ୍ସିକୋ), ମିସର (ଇଜିପ୍ଟ), ସିମିଳି( ଆରବ), ବାବିଲନ(ଇରାକ) ପ୍ରଭୃତି ସ୍ଥାନରେ କଳିଙ୍ଗର ନିର୍ମାଣ-କଳା ଓ ବାଣିଜ୍ୟ-ସଂସ୍କୃତି-ଇତିହାସର ଚିହ୍ନ ଏବେ ବି ଦେଖିବାକୁ ମିଳେ । ସଂମ୍ଭବତଃ ଲୋକତନ୍ତ୍ର ପ୍ରଚଳିତ ଥିଲା ।
  • ଖ୍ରୀ.ପୂ. ୩୬୦-୨୬୦ - ନନ୍ଦ-ସାମ୍ରାଜ୍ୟରେ ଓଡ଼ିଶାର ଏକ ବଡ଼ ଭା ଅନ୍ତର୍ଭୁକ୍ତ ।
  • ଖ୍ରୀ.ପୂ. ୨୬୧ - ପୃଥିବୀ ବିଖ୍ୟାତ କଳିଙ୍ଗ ଯୁଦ୍ଧ
  • ଖ୍ରୀ.ପୂ. ୧ମ ଶତାବ୍ଦୀ - ଚେଦୀ ରାଜବଂଶର ସମ୍ରାଟ ମହାମେଘବାହାନ ଐର ଖାରବେଳଙ୍କ ରାଜତ୍ଵ, କଳିଙ୍ଗର ପରିସୀମା ଆଗଙ୍ଗା-କାବେରୀ, ତଥା ପଶ୍ଚିମ ଓ ମଧ୍ୟ ଭାରତକୁ ବିସ୍ତାରିତ । ଜୈନ ଧର୍ମର ପ୍ରସାର ।
  • ୩ୟ-ଷଷ୍ଠ ଶତାବ୍ଦୀ - ଗୁପ୍ତ-ରାଜବଂଶ, ହର୍ଷବର୍ଦ୍ଧନ, ଦ୍ୱିତୀୟ ପୁଲକେଶୀ,ମାଠର,ଭୌମକର ଇତ୍ୟାଦି ବିଭିନ୍ନ ରାଜାଙ୍କ ଶାସନାଧୀନ
  • ୭୯୫ ଖ୍ରୀ. - କେଶରୀ ରାଜବଂଶ । ଯଯାତି କେଶରୀ କଳିଙ୍ଗ, କୋଶଳ ଓ ଉତ୍କଳକୁ ଏକତ୍ର କଲେ ।[୧] ଯାଜପୁର ରେ ରାଜଧାନୀ ସ୍ଥାପନ ।
  • ୧୦୭୮-୧୪୩୪ ଖ୍ରୀ. - ଗଙ୍ଗ ରାଜବଂଶ । ଅନନ୍ତବର୍ମା ଚୋଳଗଙ୍ଗ ଦେବ ଙ୍କ ରାଜତ୍ୱ ପ୍ରାରମ୍ଭ ।
୧୦୭୮-୧୧୫୦ ଖ୍ରୀ. - ଚୋଳଗଙ୍ଗ ଦେବଙ୍କ ରାଜୁତି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନବୀକରଣ ପ୍ରାରମ୍ଭ | କଟକ ହେଲା ନୂଆ ରାଜଧାନୀ (୧୧୭୦ ଖ୍ରୀ. approx.) |
୧୧୭୦-୧୧୯୮ ଖ୍ରୀ. - ଦ୍ୱିତୀୟ ଅନଙ୍ଗଭୀମଦେବ । ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ।
୧୨୨୯ ଖ୍ରୀ. - ତୃତୀୟ ଅନଙ୍ଗଭୀମଦେବଙ୍କ ଦ୍ୱାରା ବାରବାଟୀ ଦୂର୍ଗ ନିର୍ମିତ ।
୧୨୩୮-୧୨୬୪ ଖ୍ରୀ. - ଲାଙ୍ଗୁଳା ନରସିଂହଦେବ । କୋଣାର୍କ ସୂର୍ଯ୍ୟ-ମନ୍ଦିର ନିର୍ମିତ |
  • ୧୪୩୫-୧୫୪୧ ଖ୍ରୀ. - ଗଜପତି ରାଜବଂଶ । ଆଗଙ୍ଗା-ଗୋଦାବରୀ ସାମ୍ରାଜ୍ୟ ।
୧୪୩୫-୧୪୬୬ ଖ୍ରୀ. - (ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର) କପିଳେନ୍ଦ୍ରଦେବ ।
୧୪୯୭-୧୫୪୧ ଖ୍ରୀ. - ରାଜା ପୁରୁଷୋତ୍ତମଦେବ ଓ ତାଙ୍କପରେ ପ୍ରତାପରୂଦ୍ରଦେବ ।
  • ୧୫୬୮ ଖ୍ରୀ. - ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ଶାସକ ମୁକୁନ୍ଦଦେବ ପରାସ୍ତ । ବଙ୍ଗର ମୁସଲିମ ଶାସକ ସୁଲେମାନ କରାଣୀ ତଥା ତାଙ୍କ ସେନାପତି 'କଳାପାହାଡ଼' ଦ୍ୱାରା ଓଡ଼ିଶା ଅଧିକୃତ ।
  • ୧୫୭୬ ଖ୍ରୀ. - ମୋଗଲମାନଙ୍କର ଓଡ଼ିଶା ଅଧିକାର ।
  • ୧୭୫୧ ଖ୍ରୀ. - ମରହଟ୍ଟାମାନଙ୍କର ଓଡ଼ିଶା ଅଧିକାର ।
  • ୧୮୦୩ ଖ୍ରୀ. - ବ୍ରିଟିଶମାନଙ୍କର ଓଡ଼ିଶା ଅଧିକାର(ଏହା ବ୍ରିଟିଶ ଅଧିକୃତ ଶେଷ ଭାରତୀୟ ରାଜ୍ୟ) ।
  • ୧୯୧୨ ଖ୍ରୀ. - ବିହାର-ଓଡ଼ିଶା ବଙ୍ଗରୁ ଅଲଗା ପ୍ରାନ୍ତ ଭାବେ ଗଠିତ ।
  • ୧୯୩୬ ଖ୍ରୀ. - ସ୍ୱତନ୍ତ୍ର ଓଡ଼ିଶା ପ୍ରାନ୍ତ ଗଠିତ । ଭାଷା ଭିତ୍ତିରେ ଗଠିତ ପ୍ରଥମ ଭାରତୀୟ ରାଜ୍ୟ ।
  • ୧୯୪୮ ଖ୍ରୀ. - ଭୁବନେଶ୍ୱର ନୂତନ ରାଜଧାନୀ (ଏପ୍ରିଲ୍ ୧୩) ।
  • ୧୯୫୦ ଖ୍ରୀ. - ସ୍ୱାଧୀନ ଭାରତରେ ଏକ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା-ପ୍ରାପ୍ତ ।

୭ ମ ଶତାବ୍ଦୀ[ସମ୍ପାଦନା]

୭ ମ ଶତାବ୍ଦୀ କାଳରେ ଓଡ଼ିଶାର ନିଜର ଶାସକ ମାନେ ସ୍ୱାଧୀନ ଥିଲେ । ସେତେବେଳେ ଗଙ୍ଗ ବଂଶର ରାଜାମାନେ ଓଡ଼ିଶାରେ ଶାସନ କରୁଥିଲେ , ୭୯୫ ଖ୍ରୀଷ୍ଟାବ୍ଦରେ ୨ୟ ଯଯାତି (ମହାସିବ ଗୁପ୍ତ) ସିଂହାସନ ଆରୋହଣ କରିଥିଲେ । ଓଡ଼ିଶା ଇତିହାସରେ ଏହାକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଇଥାଏ । ସେ ସମ୍ରାଟ ଖାରବେଳଦେଇ ଅନୁପ୍ରାଣିତ ହୋଇ କଳିଙ୍ଗ, କାରଗୋଡ଼ା, ଉତ୍କଳ ଓ କୋଶଳ ଏହି ଚାରିଗୋଟି ଭୂଖଣ୍ଡକୁ ମିଶାଇ ବିଶାଳ ସାମ୍ରାଜ୍ୟ ଗଠନ କରିଥିଲେ । ଓଡ଼ିଶାରେ ଏହି ରାଜବଂଶର ଶାସନ ଖ୍ରୀ. ୩୫୦ରୁ ଆରମ୍ଭ କରି ସୋମ ବଂଶର ଶେଷ ପର୍ଯ୍ୟନ୍ତ ଥିଲା । ଏହି ରାଜ୍ୟକୁ ନେଇ ଗଠିତ ବିଶାଳ ଓଡ଼ିଶାରେ ଅନେକ ଜାତି ଓ ଉପଜାତିରେ ବିଭାଜିତ ହୋଇଥିବାରୁ ଏକ ବିଶେଷ ବଣିକ ଜାତି ଜନ୍ମ ହେଲା ଓ ସେମାନେ ସାଧବ ଭାବରେ ପରିଚିତ ହେଲେ । ଏପରିକି ପ୍ରଥମ ଜନ୍ମଜୟ ମହାଭବ ଗୁପ୍ତ ଗୁପ୍ତ (ଖ୍ରୀ. ୮୮୨-୯୨୨)ଙ୍କ ସୋନପୁର ଅଞ୍ଚଳରେ ପ୍ରଚୁର ବଣିକ ସଙ୍ଘ ଥିବାର ପ୍ରମାଣ ମିଳିଥାଏ । କିନ୍ତୁ ୮ ଶତାବ୍ଦୀରେ ପ୍ରଚୁର ସମ୍ବଳ ଯୋଗୁଁ ଏହି ବାହାର ବାଣିଜ୍ୟ ଲୋପ ପାଇଗଲା ।

ବୈଶ୍ୟ, ଶୂଦ୍ର ଜାତିର ଲୋକମାନେ ରାଜ୍ୟର ଅନ୍ତ-ବାଣିଜ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ସେମାନେ ଚାଷୀମାନଙ୍କ ଠାରୁ କୃଷିଜାତ ସାମଗ୍ରୀ ଆଣି ପେସାଗତ ବେପାରୀଙ୍କୁ କୃଷିଜାତ ଓ ଶିଳ୍ପଜାତ ଦ୍ରବ୍ୟ ଯୋଗାଇବାରେ ସାହାଯ୍ୟ କରୁଥିଲେ । ଏହି କିଣା-ବିକାର ମୁଖ୍ୟ ମାଧ୍ୟମ ଥିଲା ସୁନା, ରୂପା, ମୁଦ୍ରା ଓ କଉଡ଼ି । ଏହି ସମୟରେ ବଙ୍ଗୋପସାଗର କୂଳରେ ଚରିତ୍ରପୁର ନାମକ ବନ୍ଦର ଖୁବ ପ୍ରସିଦ୍ଧି ଲାଭ କରିଥିଲ । ଏହି ବନ୍ଦରଟି ଦେଇ ଚୀନ, ଶ୍ରୀଲଙ୍କା, ଜାଭା ଆଦି ସହ କଳିଙ୍ଗର ବେପାର ବଣିଜ ଚାଲୁଥିଲା । ଓଡ଼ିଶାରେ ଗଙ୍ଗବଂଶ ୧୪୩୪ ଯାଏଁ ଥିଲା । ତାହା ପରେ କପିଳେନ୍ଦ୍ରଦେବ, ପ୍ରତାପରୁଦ୍ରଦେବ, ଗୋବିନ୍ଦ ବିଦ୍ୟାଧର, ମୁକୁନ୍ଦ ହରିଚନ୍ଦନ ଓଡ଼ିଶାର ଶାସକ ଥିଲେ ।

ଆଫଗାନ ଓ ମୋଗଲ ଶାସନ[ସମ୍ପାଦନା]

ପରେ ଓଡ଼ିଶା ଆଫଗାନମାନଙ୍କ ହାତକୁ ଆସିଲା ଓ ୧୫୬୮ରେ ଓଡ଼ିଶା ମୋଗଲ ମାନଙ୍କ ଶାସନାଧୀନ ହେଲା । ଏହି ସମୟରେ ୧୭୫୫ ଖ୍ରୀ. ବେଳକୁ ଓଡ଼ିଶାରେ ଅତ୍ୟାଚାର, ଲୁଣ୍ଠନ, ଅରାଜକତା ଆଦି ବହୁ ମାତ୍ରାରେ ବ୍ୟାପୀ ଯାଇଥିଲା । ୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ୧୮୧୭ ଖ୍ରୀ. ରେ ପାଇକ ମାନେ ଇଂରେଜ ବିରୋଧରେ ଲଢ଼େଇ ଆରମ୍ଭ କଲେ । ଇଂରେଜ ମାନେ ନିର୍ମମ ଭାବରେ ଏହି ବିଦ୍ରୋହକୁ ଦମନ କରିଥିଲେ । ୧୮୧୭ରେ ଖୋରଧା ରାଜା ମୁକୁନ୍ଦଦେବ ବନ୍ଦୀ ବେଳେ ମୃତୁ ବରଣ କଲେ ।

ଯଦିଓ ୧୬ଶ ଓ ୧୭ଶ ଶତାବ୍ଦୀରେ ଓଡ଼ିଶାର ବାହାର-ବାଣିଜ୍ୟ ଉନ୍ନତି ସାଧନ କରିଥିଲା, ତଥାପି କେଇ ବର୍ଷର ରାଜନୀତିକ ଅସ୍ଥିରତା ସକାଶେ ଅର୍ଥନୀତିର ପ୍ରଗତି ବାଧା ପାଇଥିଲା ।

ଇଂରେଜ ଶାସନ[ସମ୍ପାଦନା]

୧୮୦୩ ବେଳକୁ ଇଂରେଜ ମାନେ ଓଡ଼ିଶା ଅଧିକାର କଲାବେଳକୁ ଓଡ଼ିଶାର ଏହି ଅର୍ଥନୀତିର ଅଧପତନ ଚରମ ସୀମାରେ ପହଞ୍ଚି ଥିଲା । ଇଂରେଜ ମାନେ ବନିକ ଥିଲେ, ତେଣୁ ଓଡ଼ିଶାକୁ ସେମାନେ ନିଜର କର ଆଦାୟର ମୁଖ୍ୟ ଭାବରେ ଗ୍ରହଣ କରି ୧୮୦୫ ମସିହା ବେଳକୁ ରେଗୁଲେସନ ଆକ୍ଟ (Regulation Act) ଓ ୧୮୦୮ ରେ ଭୂରାଜସ୍ଵ ବନ୍ଦୋବସ୍ତ ପ୍ରଚଳନ କରିଥିଲେ । ୧୮୨୫ ବେଳକୁ ଏକାଧିକ ବନ୍ଦୋବସ୍ତ ପ୍ରଚଳନ ଫଳରେ ଓଡ଼ିଶା ଶିଳ୍ପ ଓ ବାଣିଜ୍ୟର ଧ୍ଵଂସ ସାଧନ ଲକ୍ଷ୍ୟ ରେ ଏଠାରୁ ବିଲାତକୁ କଞ୍ଚାମାଲ ନେଇ ସେଠାରୁ ଓଡ଼ିଶାକୁ କଳ କବଜା ଆମଦାନୀ ବାଣିଜ୍ୟ କାରବାର ଆରମ୍ଭ କରାଯାଇଥିଲା । ଏଠି ସହିତ ଲବଣ କର ଜନସାଧାରଣଙ୍କ ଉପରେ ଲାଗୁ କରାଯାଇଥିଲା ଯାହା ଓଡ଼ିଶାର ସାମାଜିକ ଓ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ଦେଇଥିଲା ।

ଇଂରେଜ ଅମଳରେ ସମଗ୍ର ଭାରତୀୟ ଉପମହାଦେଶରେ ମାରୁଆଡ଼ିଗୁଜୁରାଟୀ ବେପାରୀ ଗୋଷ୍ଠୀର ଅଭୂଦୟ ହୋଇଥିଲା । ସେମାନେ ବିଶେଷ କରି ବଙ୍ଗାଳୀ ଓକିଲ ଓ ଅନ୍ୟ ବୁଦ୍ଧିଜୀବୀଙ୍କ ପ୍ରରୋଚନାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ କଞ୍ଚାମାଲ ସଂଗ୍ରହ କରି ଓଡ଼ିଶାର ଅର୍ଥନୀତିର ବଜାରକୁ ନିୟନ୍ତ୍ରଣ କରୁଥିଲେ । ଏଥିରେ ବିଦେଶୀମାନେ ହିଁ ଲାଭବାନ ହେଉଥିଲେ । [୨]

ଜିଲ୍ଲା ଗଠନ[ସମ୍ପାଦନା]

୧୯୩୬ ମସିହା ଅପ୍ରେଲ ପହିଲା ଦିନ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର ଗଞ୍ଜାମ କୋରାପୁଟ ଓ ସମ୍ବଲପୁରକୁ ନେଇ ୩୨,୬୯୫ ବର୍ଗମାଇଲ ଓ ୮୦ଲକ୍ଷ ୪୩ହଜାର ୬୮୧ ଜନସଂଖ୍ୟା କୁ ନେଇ ନୂତନ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ୧୯୪୮ ମସିହା ଜାନୁଆରୀ ପହିଲା ତାରିଖରେ ୨୩ଟି ଗଡ଼ଜାତର (ଆଠଗଡ଼, ଆଠମଲ୍ଲିକ, କଳାହାଣ୍ଡି, କେନ୍ଦୁଝର, ଖଣ୍ଡପଡ଼ା, ଗାଙ୍ଗପୁର, ଢେଙ୍କାନାଳ, ତାଳଚେର, ତିଗିରିଆ, ଦଶପଲ୍ଲା, ନରସିଂହପୁର, ନୟାଗଡ଼, ନୀଳଗିରି, ପାଟନା, ପାଲଲହଡ଼ା, ବଉଦ, ବଡ଼ମ୍ବା, ବଣାଇ, ବାମଣ୍ଡା, ରଣପୁର, ରେଢ଼ାଖୋଲ, ସୋନପୁର ଓ ହିନ୍ଦୋଳ) ଓଡ଼ିଶା ସହିତ ମିଶ୍ରଣ ହୋଇଥିଲା । ପରେ ମୟୂରଭଞ୍ଜର ଓଡ଼ିଶା ସହ ମିଶ୍ରଣ ହୋଇଥିଲା । ଏହି ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶାର ଲୋକସଂଖ୍ୟା ପହଞ୍ଚିଲା ୧କୋଟି ୪୬ଲକ୍ଷ ୪୫ହଜାର ୯୪୬ରେ ଓ କ୍ଷେତ୍ରଫଳ ହେଲା ୬୦ହଜାର ୧୭୦ ବର୍ଗମାଇଲ । ୧୯୫୦ ଜାନୁଆରୀ ୨୬ତାରିଖରେ ଓଡ଼ିଶାରେ ଆଉ ୭ଟି ଜିଲ୍ଲା ଯୋଗହେଲା ମୋଟ ଜିଲ୍ଲା ସଂଖ୍ୟା ହେଲା ୧୩ । ୧୯୯୩ ଏହି ୧୩ଟି ଜିଲ୍ଲା ପୁନର୍ଗଠିତ ହୋଇ ୩୦ଟି ଜିଲ୍ଲା ହେଲା ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଟୀକା[ସମ୍ପାଦନା]

  1. "History of Orissa". theorissa.com. 2012. http://www.theorissa.com/index.php/about-orissa/history-orissa. Retrieved 5 July 2012. "King Yayati united Kalinga, Kosala and Utkala in 795 AD into a single state and built the Jagannath temple at Puri" 
  2. ଗୋବିନ୍ଦ ପ୍ରସାଦ ଭଟ୍ଟାଚାର୍ଯ୍ୟ. ଅଝାଲ ସିଲାଇ ନିମକ ମହାଲ. ଉନ୍ନୟନୀ (ବାଲେଶ୍ଵର). ୨୦୦୬ ପୃ. ୮୧-୮୨
  • ୩.ଓଡିଶା ନିର୍ବାଚନ ମଣ୍ଡଳି[୧] ମ୍ଯାପ୍,