କଟକ ଜିଲ୍ଲା

ଉଇକିପିଡ଼ିଆ ରୁ
କଟକ
—  ଜିଲ୍ଲା  —
ଓଡ଼ିଶାରେ ଅବସ୍ଥାନ
ଦିଗବାରେଣି: 20°27′58″N 85°49′59″E / 20.466°N 85.833°E / 20.466; 85.833ଦିଗବାରେଣି: 20°27′58″N 85°49′59″E / 20.466°N 85.833°E / 20.466; 85.833
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଲୋକସଭା କଟକ, ଜଗତସିଂହପୁର
ଭାଷା ଓଡ଼ିଆ , ଇଂରାଜୀ
ବିଧାନସଭା ୯ଟି ଆସନ
କ୍ଷେତ୍ରଫଳ
 - ଜିଲ୍ଲା ୩,୯୩୨ କି.ମି. (୧,୫୧୮.୨ ବ. ମି.)
ଲୋକସଂଖ୍ୟା (୨୦୧୧)
 - ଜିଲ୍ଲା
  • ଅନୁପାତ ୯୫୫ / (ପୁରୁଷ/ନାରୀ)
  • ଅନୁପାତ ୯୧୩ / (ପୁଅ/ଝିଅ)
 ମୋଟ ସାକ୍ଷରତା ହାର ୮୪.୨୦%
   • ପୁରୁଷ ୯୦.୫୧%
   • ନାରୀ ୭୭.୬୪%
 - ସ୍ଥାନାଙ୍କ ଓଡ଼ିଶାରେ ଦ୍ୱିତୀୟ (୨/୩୦)
 - ଘନତା ୬୬୬/କି.ମି. (୧,୭୨୪.୯/ମାଇଲ)
 ନଗର
 ଗାଆଁ
 - ୬ ବର୍ଷରୁ କମ ଶିଶୁ
ସମୟ ମଣ୍ଡଳ IST (+୫.୩୦)
ଡାକ କୋଡ଼ (ପିନ୍) ୭୫୩ xxx
ତାର (ଏସ୍.ଟି.ଡ଼ି) ୦୬୭x
ଗାଡ଼ି କୋଡ଼ OD-05
ଜିଲ୍ଲାପାଳ ଗିରିଶ ଏସ. ଏନ.
ୱେବସାଇଟ ମୁଖ୍ୟ ୱେବସାଇଟ

କଟକ ଭାରତର ଓଡ଼ିଶାର ପୂର୍ବପଟେ ଥିବା ଏକ ପ୍ରଶାସନିକ ଜିଲ୍ଲା ।

ଇତିହାସ[ସମ୍ପାଦନା]

କଟକର ମୂଳ ଇତିହାସ କେଶରୀ ବଂଶ ସହ ଜୋଡ଼ା । କେଶରୀ ବଂଶର ରାଜା ନୃପ କେଶରୀଙ୍କ ଦ୍ଵାରା ୯୮୯ ଖ୍ରୀ.ଅ.ରେ[୧][୨] ଏକ ସେନା ଛାଉଣି ଭାବରେ କଟକର ପ୍ରତିଷ୍ଠା ହୋ‍ଇଥିଲା । ପୁରୀ ଜଗନ୍ନାଥ ମନ୍ଦିରର ମାଦଳା ପାଞ୍ଜିରୁ ଏହାର ପ୍ରମାଣ ମିଳିଥାଏ । ସନ ୧୦୦୬ ରେ ରାଜା ମର୍କତ କେଶରୀଙ୍କ ଶାସନ କାଳରେ ମହାନଦୀ ଉପରେ ପଥର ବନ୍ଧ ତିଆରି ହୋଇଥିଲା, ଆଉ ଲୋକଙ୍କୁ ବନ୍ୟା ଦାଉରୁ ବଞ୍ଚାଇବା ପାଇଁ ଏହି ପଥରବନ୍ଧ ତିଆରି ପଛରେ ଥିଲେ ସେକାଳର କୁଶଳୀ ବିନ୍ଧାଣି ବାଇଧର ମୁଣ୍ଡି (ଲୋକତୁଣ୍ଡରେ ବାଇମୁଣ୍ଡି ନାଆଁରେ ଜଣାଶୁଣା) ।

କେଶରୀ ବଂଶ ପରେ କଟକ ୧୨୧୧ ଖ୍ରୀ.ଅ.ରେ ଗଙ୍ଗ ବଂଶଜ ଅନଙ୍ଗଭୀମଦେବଙ୍କ ସାମ୍ରାଜ୍ୟର ରାଜଧାନୀ ରୂପେ ରହିଥିଲା । ଗଙ୍ଗ ବଂଶ ପରେ କ୍ଷମତାରେ ଥିବା ସୂର୍ଯ୍ୟବଂଶଜ ଗଜପତି ରାଜା (୧୪୩୫-୧୫୪୧ ଖ୍ରୀ.ଅ.) ମାନେ ମଧ୍ୟ କଟକକୁ ନିଜ ରାଜଧାନୀର ମାନ୍ୟତା ଦେଇଥିଲେ । ଓଡ଼ିଶାର ଶେଷ ହିନ୍ଦୁ ରାଜା ମୁକୁନ୍ଦଦେବଙ୍କ ଅନ୍ତେ କଟକ ମୁସଲିମ ଓ ମୋଗଲ ମାନଙ୍କ ଅକ୍ତିଆରକୁ ‍ଆସିଥିଲା କଟକ ।

ଅଠର ଦଶକର ମଝି ଆଡ଼କୁ, ପ୍ରାୟ ୧୭୫୦ ବେଳକୁ କଟକ ମରହଟ୍ଟା ମାନଙ୍କ ଅଧୀନକୁ ଆସିଲା । ନାଗପୁରର ମରହଟ୍ଟା ଏବଂ କୋଲକାତା (ତତ୍କାଳୀନ କଲିକତା)ର ଇଂରେଜ ବଣିକ ମାନଙ୍କ ସହ ଗମନାଗମନ ଓ ଯୋଗାଯୋଗ ଲାଗି ଉତ୍ତମ ସ୍ଥାନରେ କଟକ ଅବସ୍ଥିତ ହୋ‍ଇଥିବାରୁ ଏହି ସମୟରେ କଟକର ବାଣିଜ୍ୟିକ ପ୍ରତିପତ୍ତି ବୃଦ୍ଧି ପାଇଲା | ୧୮୦୩ରେ ଇଂରେଜ ମାନେ କଟକକୁ ଦଖଲ କଲେ ଏବଂ ୧୮୧୬ରେ ଏହାକୁ ଓଡ଼ିଶା ଡିଭିଜନ୍‍ର ରାଜଧାନୀ ଘୋଷିତ କରାଗଲା । ଯଦିଓ ସ୍ବାଧୀନତା ପରବର୍ତ୍ତୀ କାଳରେ ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀରେ ପରିଣତ ହେଲା ତଥାପି ଶାସନତନ୍ତ୍ରରେ ଏଯାବତ୍ କଟକ ନିଜର ଏକ ସ୍ୱତନ୍ତ୍ର ପତିଆରା ବଜାୟ ରଖିଛି |

କଟକ ଇତିହାସର ମୂକସାକ୍ଷୀ ରୂପେ ଓଡ଼ିଶା ବିଦିତ ପୁରାତନ ବାରବାଟି ଦୁର୍ଗ ଏଯାବତ୍ ସଗର୍ବେ ଦଣ୍ଡାୟମାନ । ଏହି ଦୁର୍ଗର ସମୀପରେ ଅତ୍ୟାଧୁନିକ ସୁବିଧାସୁଯୋଗ ଯୁକ୍ତ ବାରବାଟି ଷ୍ଟାଡିଅମ ରହିଛି । ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ମ୍ୟାଚ୍‍ମାନ ଏହି ଷ୍ଟାଡିୟମ୍‍ରେ ଖେଳାଯାଇସାରିଛି । ନିକଟ ଅତୀତରେ ଦିବାରାତ୍ରି ଖେଳମାନଙ୍କ ଲାଗି ଏଠାରେ ଫ୍ଲଡ୍ ଲାଇଟ୍ ମଧ୍ୟ ଖଞ୍ଜା ଯାଇଛି । ଲୋକମୁଖରେ କଟକ ’ବାଉନ ବଜାର ତେପନ ଗଳି’ର ସହର ରୂପେ ମଧ୍ୟ ସୁବିଖ୍ୟାତ ।

ସହରଠାରୁ ୧୪ କି.ମି. ଦୂରରେ ବିରିବାତିଠାରେ ଅବସ୍ଥିତ ପରମହଂସନାଥ ମନ୍ଦିର କଟକର ସର୍ବୋଚ୍ଚ ମନ୍ଦିର । ଏତଦ୍‍ବ୍ୟତୀତ କଟକ ଚଣ୍ଡୀ ମନ୍ଦିରଭଟ୍ଟାରିକା ମନ୍ଦିର ମଧ୍ୟ କଟକର ଶୋଭା ବୃଦ୍ଧି କରୁଛନ୍ତି ।

ଅନ୍ୟାନ୍ୟ ଧର୍ମପୀଠଙ୍କ ମଧ୍ୟରୁ ମୁସ୍‍ଲିମ୍‍ ମାନଙ୍କ ’କଦ୍ଦମ୍ ରସୁଲ’ ଓ ଶିଖ୍‍ଙ୍କ "ଗୁରୁଦ୍ୱାରା ଦାତନ୍ ସାହେବ" ଅନ୍ୟତମ । ଏହା ବିଶ୍ୱାସ କରାଯାଏ ଯେ କଦମ୍ ରସୁଲ୍‍ରେ ମନିଷୀ ମହମ୍ମଦଙ୍କ ପଦଚିହ୍ନ ରହିଛି । ସେହିପରି ଶିଖ୍ ବିଶ୍ଵାସ ଅନୁଯାୟୀ ଶିଖ୍‍ଙ୍କ ପ୍ରଥମ ଧର୍ମଗୁରୁ, ଶ୍ରୀ ଗୁରୁ ନାନକ ଦେବ ନିଜର ପୁରୀ ଯାତ୍ରା କାଳରେ ଏଠାରେ କିଛି ସମୟ ଅବସ୍ଥାନ କରିଥିଲେ ଓ ତାଙ୍କଦ୍ବାରା ଦାନ୍ତକାଠି ରୂପେ ବ୍ୟବହୃତ ହେବା ପରେ ତାଙ୍କରି ଦ୍ଵାରା ରୋପିତ ଏକ ବୃକ୍ଷ ଏଠାରେ ଏବେ ମଧ୍ୟ ଏଠାରେ ରହିଛି । ଦାନ୍ତକାଠି ଅନୁସାରେ ଏହାର ନାମ ଗୁରୁଦ୍ୱାରା ଦାତନ୍ ସାହିବ୍ ।

ଭୂଗୋଳ[ସମ୍ପାଦନା]

କାଠଯୋଡ଼ି ନଦୀ

କଟକ ଜିଲ୍ଲାର ଭୌଗୋଳିକ ଅବସ୍ଥିତି ହେଉଛି ୨୦.୩ରୁ ୨୦.୪୦ ଉ. ୮୪.୫୮ରୁ ୮୬.୨୦ ପୂ. ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୩୭ ମିଟର (୧୨୧ ଫୁଟ୍)[୩] । କଟକ ଉତ୍ତରରେ ମହାନଦୀ ଓ ଦକ୍ଷିଣରେ କାଠଯୋଡ଼ି ମଧ୍ୟରେ ଥିବା ତ୍ରିକୋଣଭୂମିରେ ଅବସ୍ଥିତ । କଟକର ଜଳବାୟୁ ଗ୍ରୀଷ୍ମ ଦିନେ ଉଷ୍ମ ଓ ଆର୍ଦ୍ର ଏବଂ ଶୀତ ଦିନେ ଶୀତଳ ଓ ଶୁଷ୍କ । ସହରରେ ଅନୁଭୂତ ସର୍ବୋଚ୍ଚ ତାପମାତ୍ରା ୫୦ ସେ. ହୋ‍ଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୦ ସେ. । ଗ୍ରୀଷ୍ମର ପ୍ରଭାବ ମାର୍ଚ୍ଚ ଶେଷରୁ ନେଇ ଜୁନ୍ ମଧ୍ୟଭାଗ ଯାଏଁ ଅନୁଭୂତ ହୁଏ. ଜୁନ୍ ମଧ୍ୟଭାଗରୁ ବର୍ଷାଋତୁର ଆରମ୍ଭ । ସେପ୍‍ଟେମ୍ବରରୁ ଅକ୍‍ଟୋବର ମଧ୍ୟଭାଗ ଯାଏଁ ସର୍ବାଧିକ ବୃଷ୍ଟିପାତ ହୋ‍ଇଥାଏ । କଟକର ବାର୍ଷିକ ହାରାହାରି ବୃଷ୍ଟିପାତ ୧୪୪.୩୯ ସେ.ମି. ।

ଶୀତଋତୁ ନଭେମ୍ବରରୁ ଆରମ୍ଭ ହୋ‍ଇ ଜାନୁଆରୀ ଆରମ୍ଭ ଯାଏଁ ରହିଥାଏ । ଏହି ସମୟରେ ଶୀତଳ ଉତ୍ତରା ପବନ ବହିବା ସହିତ ଶୀଘ୍ର (୫.୩୦ ଘଟିକା) ସନ୍ଧ୍ୟା ହୋ‍ଇଯାଉଥିବାରୁ ଲମ୍ବା ଓ ଥଣ୍ଡା ରାତି ଅନୁଭୂତ ହୁଏ ।

ଜାନୁଆରୀ ମଧ୍ୟରୁ ମାର୍ଚ୍ଚ ମଧ୍ୟଭାଗ ଯାଏଁ ବସନ୍ତ ଋତୁର ପ୍ରଭାବ ଦେଖାଯାଏ ଓ ତାପମାତ୍ରା ସର୍ବୋଚ୍ଚ ୩୩.୪ ସେ. ରୁ ୨୨.୨ ସେ. ମଧ୍ୟରେ ରହେ. କଟକ ଭ୍ରମଣ ଲାଗି ଏହା ସର୍ବୋତ୍କୃଷ୍ଟ ସମୟ ।

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା [୪] ଅନୁସାରେ, କଟକ ଜିଲ୍ଲାର ମୋଟ ଲୋକସଂଖ୍ୟା ୨୬,୧୮,୭୦୮ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୮,୮୬,୯୨୬ ଓ ସହରାଞ୍ଚଳରେ ୭,୩୧,୭୮୨ ଲୋକ ବାସ କରନ୍ତି [୫]

  • ପୁରୁଷ: ୧୩୩୯୧୫୩
  • ମହିଳା: ୧୨୭୯୫୫୫
  • ଛ ବର୍ଷରୁ କମ: ୨୫୧୧୫୨
  • ସାକ୍ଷରତା ହାର: ୮୪.୨୦%
    • ପୁରୁଷ: ୯୦.୫୧%
    • ମହିଳା: ୭୭.୬୪%
କଟକ ପିଠାପୁର

ପ୍ରଶାସନିକ ବିଭାଗ[ସମ୍ପାଦନା]

  • ଉପଖଣ୍ଡ (ସବ୍ ଡିଭିଜନ): (୩)
  • ତହସିଲ: (୧୧):
  • ବ୍ଳକ: (୧୪):
  • ଗ୍ରାମ ପଞ୍ଚାୟତ: ୩୪୨
  • ଗ୍ରାମ: ୧,୯୫୦
  • ସହର: ୮
    • ମହାନଗର ନିଗମ:୧: କଟକ
    • ପୌରପାଳିକା:୨:
    • ବିଜ୍ଞାପିତ ଅଞ୍ଚଳ ପରିଷଦ:୨:

ଉପଲବ୍ଧ ସେବା[ସମ୍ପାଦନା]

କଟକର ପ୍ରମୁଖ ଅନୁଷ୍ଠାନମାନଙ୍କ ମଧ୍ୟରୁ ବାରବାଟି ଷ୍ଟାଡିଅମ ଅନ୍ୟତମ, ଯାହାକି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‍ମାନଙ୍କ ଲାଗି ସୁପ୍ରସିଦ୍ଧ । କଟକର ବିଶ୍ୱପ୍ରସିଦ୍ଧ ରୂପା ତାରକସୀ କାମ ଲାଗି ଏହାକୁ ମଧ୍ୟ ରୌପ୍ୟ ସହର ନାମରେ ଆଖ୍ୟାୟିତ କରଯାଇଛି । ଏତଦ୍‍ବ୍ୟତୀତ ଏଠାର ହାତୀଦାନ୍ତର କାମ ମଧ୍ୟ ବେଶ୍ ଚମତ୍କାର. କଟକରେ ଜାତୀୟ ସ୍ତରରେ ପ୍ରତିଷ୍ଠିତ ନାନା ଶୈ‍କ୍ଷିକ ଅନୁଷ୍ଠାନ ଯଥା ରେଭେନ୍ସା ବିଶ୍ଵବିଦ୍ୟାଳୟ ରହିଛି । କଟକର ସମୀପବର୍ତ୍ତୀ ବିଦ୍ୟାଧରପୁରରେ ଅବସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (Central Rice Research Institute) ସମଗ୍ର ଦକ୍ଷିଣ ଏସିଆର ଏକ ପ୍ରଧାନ ଧାନ ଗବେଷଣା କେନ୍ଦ୍ର । ଶ୍ରୀ ରାମଚନ୍ଦ୍ର ଭଞ୍ଜ (SCB) ମେଡିକାଲ୍ କଲେଜ ଓ ହସ୍‍ପିଟାଲ ଓଡ଼ିଶାର ସର୍ବବୃହତ୍ ଓ ସର୍ବୋନ୍ନତ ଡାକ୍ତରଖାନା ।

ବାରବାଟି ଷ୍ଟାଡିଅମ ନିକଟରେ ପୁରାତନ ବାରବାଟି ଦୁର୍ଗର ଭଗ୍ନାବଶେଷ ରହିଛି । ଦୁର୍ଗର ପ୍ରବେଶଦ୍ୱାର ଏଯାବତ୍ ସୁରକ୍ଷିତ ରହିଛି । ବିଗତ କିଛି ସମୟ ଧରି ଭାରତୀୟ ପ୍ରତ୍ନତାତ୍ତ୍ଵିକ ବିଭାଗ (Archaeological Survey of India) ଦ୍ଵାରା ଉତ୍‍ଖନନ କାର୍ଯ୍ୟ ଚାଲୁ ରହିଛି|

କଟକର ଚୌଦ୍ୱାରଠାରେ ଦେଶର ସର୍ବବୃହତ୍ ଫେରୋ ଆଲୟ ଉତ୍ପାଦକ ଇମ୍ଫା (IMFA-Indian Metals & Ferro Alloys) ର କାରଖାନା ରହିଛି |

ଦେଶକୁ ଆନେକ ଉଚ୍ଚକୋଟୀର ବୁଦ୍ଧିଜୀବୀ ଓ ପ୍ରଶାସକ ଦେଇଥିବା ରେଭେନ୍ସା ମହାବିଦ୍ୟାଳୟ (ବର୍ତ୍ତମାନ ବିଶ୍ୱବିଦ୍ୟାଳୟ) କଟକର ଏକ ଅନନ୍ୟ ଅଙ୍ଗ | ନୋବେଲ୍ ପୁରସ୍କାର ବିଜେତା ବୈଜ୍ଞାନିକ ସାର୍ ସି ଭି ରମଣ ଏଠାରେ କିଛି କାଳ କାର୍ଯ୍ୟ କରିଥିଲେ | ଏଦଦ୍‍ବ୍ୟତୀତ ଭାରତର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରୁ ଅନ୍ୟତମ ଓ ବିଶିଷ୍ଟ ନେତା ସୁବାଷ ଚନ୍ଦ୍ର ବୋଷଙ୍କ ବାଲ୍ୟକାଳ କଟକରେ ହିଁ ଅତିବାହିତ ହୋ‍ଇଥିଲା | ସେ ଷଷ୍ଠ ଶ୍ରେଣୀ ଯାଏଁ ଏକ ଇଂରାଜୀ ବିଦ୍ୟାଳୟ (ବର୍ତ୍ତମାନର ଷ୍ଟୁଆର୍ଟ୍ ସ୍କୁଲ)ରେ ଅଧ୍ୟୟନ କଲାପରେ ରେଭେନ୍ସା କଲିଜିଏଟ୍ ସ୍କୁଲରେ ଅଧ୍ୟୟନ କରିଥିଲେ |

ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଛଡା ଅନେକ ଇଞ୍ଜିନିୟରିଂ କଲେଜ ମଧ୍ୟ ଏଠାରେ ରହିଛି | ବାରବାଟି ଦୁର୍ଗ ପରି ଐତିହାସିକ ସ୍ଥାନ ଓ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (ବିଦ୍ୟାଧରପୁର) ପରି ବୈଜ୍ଞାନିକ ଅନୁଷ୍ଠାନ ଏଠାରେ ରହିଛି | ସହର ଉତ୍ତର ଆଡକୁ ଚାରବାଟିଆଠାରେ ଉଡ୍ଡୟନ ଗବେଷଣା କେନ୍ଦ୍ର ସହିତ ସେନାବାହିନୀର ଏକ ବିମାନବନ୍ଦର ରହିଛି | ଏହାର ନିୟନ୍ତ୍ରଣ ଦାୟିତ୍ୱ ଭାରତ ସରକାରଙ୍କ ଗୁଇନ୍ଦା ସଂସ୍ଥା RAW (Research and Analysis Wing) ଉପରେ ନ୍ୟସ୍ତ|

ଶିକ୍ଷା ଓ ଗବେଷଣା[ସମ୍ପାଦନା]

ପରିବହନ ଓ ଯୋଗାଯୋଗ[ସମ୍ପାଦନା]

ସଡକପଥରେ କଟକ, କୋଲକାତା ଓ ଚେନ୍ନାଇକୁ ସଂଯୋଗ କରୁଥିବା ୫ ନଂ ଜାତୀୟ ରାଜପଥ ସହ ଉତ୍ତମ ଭାବେ ସଂଯୁକ୍ତ । ରାଜ୍ୟର ପମୁଖ ବାଣିଜ୍ୟିକ କେନ୍ଦ୍ର ହୋ‍ଇଥିବାରୁ ଏହା ମଧ୍ୟ ରେଳପଥ ଦ୍ୱାରା ଉତ୍ତମ ରୂପେ ସଂଯୁକ୍ତ । ଓଡ଼ିଶାର ଅନ୍ୟ ଅଞ୍ଚଳ ପରି ଏହା ମଧ୍ୟ ରେଳବାଇର ପୂର୍ବତଟ ରେଳବାଇ ଅନ୍ତର୍ଗତ । ଓଡ଼ିଶାର ଏକମାତ୍ର କାର୍ଯ୍ୟକ୍ଷମ ସିଭିଲ୍ ବିମାନବନ୍ଦର, ବିଜୁ ପଟ୍ଟନାୟକ ବିମାନ ବନ୍ଦର, କଟକଠାରୁ ମାତ୍ର ୨୮ କି.ମି. ଦୂରରେ ଅବସ୍ଥିତ । ବସ୍ ଯୋଗଯୋଗ ହିସାବରେ କଟକର ବାଦାମବାଡି ବସ୍ ଟର୍ମିନସ୍ ଓଡ଼ିଶାରେ ସର୍ବବୃହତ୍ । ପ୍ରତିଦିନ ଏଠାରୁ ଶହଶହ ବସ୍ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଯାତାୟାତ କରେ । ଦୂରବର୍ତ୍ତୀ ଅଗମ୍ୟ ସ୍ଥାନମାନଙ୍କ ଲାଗି ବସ୍ ପରିବହନ ହିଁ ଏକମାତ୍ର ଉପାୟ । କଟକରେ ଜଳ ପରିବହନର ବିଶେଷ ଚାହିଦା ନଥିଲେ ମଧ୍ୟ ମାଛ ଧରିବା ଓ ଆଞ୍ଚଳିକ ନୌପରିବହନ ଲାଗି ଛୋଟ ଛୋଟ ଡଙ୍ଗାମାନ ମହାନଦୀ ଓ କାଠଯୋଡିରେ ଚଳାଚଳ କରନ୍ତି । ଇଂରେଜ ଅମଳରେ ତାଳଦଣ୍ଡା କେନାଲ ବ୍ୟାପାରିକ ନୌପରିବହନର ଉତ୍କୃଷ୍ଟ ପନ୍ଥା ବିବେଚିତ ହେଉଥିଲେ ହେଁ ଅଧୁନା ଉନ୍ନତ ଟ୍ରକ ପରିବହନର ପ୍ରଚଳନ ହେତୁ ଏହାର ଆଉ ଚାହିଦା ନାହିଁ । ଏହାଛଡା କଟକର ଚାରବାଟିଆଠାରେ ଭାରତୀୟ ବାୟୁସେନାର ଏକ ବିମାନ ବନ୍ଦର ରହିଛି ।

କଟକରେ ଭାରତୀୟ ଡାକବିଭାଗ ବ୍ୟତୀତ ଅନେକ ଘରୋ‍ଇ କୋରିୟର ସଂସ୍ଥାମାନ ରହିଛନ୍ତି । ଚିଠିରୁ ଆରମ୍ଭ କରି ଟେଲିଗ୍ରାଫ୍ ଆଦି ସୁବିଧା ସହଜରେ ଉପଲବ୍ଧ । ସରକାରଙ୍କ ପରିଚାଳିତ ଭାରତ ସଞ୍ଚାର ନିଗମ ଛଡା ଏୟାରଟେଲ, ଏୟାରସେଲ୍, ରିଲାଏନ୍ସ, ଟାଟା ଇଣ୍ଡିକମ୍ ଓ ଭୋଡାଫୋନ୍ ପରି ଜାତୀୟ ସଞ୍ଚାର ସଂସ୍ଥାଗୁଡିକଙ୍କ ପକ୍ଷରୁ ଏଠାରେ ଉଭୟ ଲ୍ୟାଣ୍ଡଲାଇନ ଓ ମୋବାଇଲ୍ ସେବା ଉପଲବ୍ଧ । ଭାରତ ସଞ୍ଚାର ନିଗମ ଓ ଓରଟେଲ୍ ଆଦି ସଂସ୍ଥା ବ୍ରଡ୍‍ବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଇ ଦେଉଛନ୍ତି ।

ପର୍ବପର୍ବାଣୀ[ସମ୍ପାଦନା]

କଟକ ଚଣ୍ଡୀ

ଓଡିଆ ସଂସ୍କୃତି ଅନୁଯାୟୀ କଟକରେ ମଧ୍ୟ ’ବାର ମାସରେ ତେର ପର୍ବ’ ପାଳିତ ହୁଏ । ତେବେ ଯେଉଁ ଦୁଇଟି ପର୍ବର ସବୁଠାରୁ ଅଧିକ ପ୍ରସିଦ୍ଧି ଆଛି ସେ ହେଲା କଟକର ଦଶହରାବାଲିଯାତ୍ରା । ଦଶହରାରେ ଶକ୍ତି ରୂପିଣୀ ଦେବୀ ଦୁର୍ଗାଙ୍କ ପୂଜା କରାଯାଏ। ଦେବୀଙ୍କ ମହିଷମର୍ଦ୍ଦିନୀ ରୂପର ମୃଣ୍ମୟ ପ୍ରତିମାକୁ ନେଇ ସହରସାରା ଅନେକ ମେଢ ତିଆରି ହୋ‍ଇଥାଏ । ଦଶହରାର ଆଡ଼ମ୍ବର ବ୍ୟତୀତ କଟକ ମଧ୍ୟ ଚାନ୍ଦି ମେଢ଼ ଲାଗି ପ୍ରସିଦ୍ଧ। ଏହି ଚାନ୍ଦି ମେଢ଼ରେ ବିପୁଳ ପରିମାଣର ସୁନା ଓ ରୂପା ବ୍ୟବହୃତ ହୋ‍ଇଥାଏ। ଏହି ମେଢ଼ଗୁଡିକ ତାରକସୀ କାମର ଅନନ୍ୟ ନମୁନା।

ପୂର୍ବ କାଳରେ ଜାଭା, ବାଳି, ସୁମାତ୍ରା ଆଦି ସ୍ଥାନ ମାନଙ୍କୁ ବୋ‍ଇତ ନେଇ ବେପାର କରିବାକୁ ଯାଉଥିବା ସାଧବପୁଅ ମାନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ଲାଗି ବାଲିଯାତ୍ରାର ଆୟୋଜନ କରାଯାଏ । ନଭେମ୍ବର ମାସରେ ଆୟୋଜିତ ହେଉଥିବା ବାଲିଯାତ୍ରା ଦେଖିବା ଲାଗି ଏବଂ ବେପାର କରିବା ଲାଗି ଏହି ସମୟରେ କଟକରେ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରୁ ଆସି ଲୋକେ ଭିଡ଼ ଜମାନ୍ତି । ସେହିପରି ଜାନୁଆରୀରେ ପାଳିତ ହେଉଥିବା ମକର ସଂକ୍ରାନ୍ତିରେ ରଙ୍ଗବେରଙ୍ଗର ଗୁଡ଼ିରେ ଭରିଯାଇଥିବା ଆକାଶ ଅତ୍ୟନ୍ତ ସୁନ୍ଦର ଦିଶେ। ଏହାଛଡା ଅନ୍ୟାନ୍ୟ ହିନ୍ଦୁ ପର୍ବପର୍ବାଣୀ ମଧ୍ୟ କଟକରେ ବେଶ୍ ଆଡମ୍ବର ସହ ପାଳିତ ହୁଏ ।

ହିନ୍ଦୁଙ୍କ ବ୍ୟତୀତ କଟକରେ ବସବାସ କରୁଥିବା ମୁସ୍‍ଲିମ୍, ଖ୍ରୀଷ୍ଟିଆନ, ଶିଖ୍ ଓ ଅନ୍ୟାନ୍ୟ ଧର୍ମାବଲମ୍ବୀମାନେ ମଧ୍ୟ ନିଜ ନିଜ ଧାର୍ମିକ ପର୍ବ ପାଳନ କରନ୍ତି। ଏଗୁଡିକ ମଧ୍ୟରୁ ଇଦୁଲ ଫିତର, ଇଦୁଲ ଜୁହା, ବଡ଼ଦିନ ଆଦି ପ୍ରଧାନ । ଧାର୍ମିକ ପର୍ବ ବ୍ୟତୀତ ସମସ୍ତ ଜାତୀୟ ପର୍ବ ଯଥା ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଆଦିକୁ ମଧ୍ୟ କଟକବାସୀ ବେଶ୍ ନିଷ୍ଠା ସହକାରେ ପାଳନ କରନ୍ତି ।

ଏହାଛଡା ବିଭିନ୍ନ ଅନ୍ତର୍ଜାତୀୟ ଦିବସ ଓ ପାଶ୍ଚାତ୍ୟ ପର୍ବମାନ ମଧ୍ୟ ଆଜିର ଯୁବଗୋଷ୍ଠୀ ମଧ୍ୟରେ ବେଶ୍ ଲୋକପ୍ରିୟ। ଏଗୁଡିକ ମଧ୍ୟରୁ ଭାଲେଣ୍ଟାଇନ୍ସ ଡେ ବିଶେଷ ଉଲ୍ଲେଖଯୋଗ୍ୟ।

ଆଧାର[ସମ୍ପାଦନା]

  1. "Cuttack". orissa.gov.in. 2002. http://orissa.gov.in/tourism/cuttack1.htm. Retrieved 17 December 2012. "Cuttack (or Kataka) was founded by King Nrupa Keshari in 989 A.D." 
  2. ":Welcome to amazingorissa". amazingorissa.com. http://www.amazingorissa.com/Cuttack.aspx. Retrieved 17 December 2012. "Cuttack was founded by King Nrupa Keshari in 989 A.D." 
  3. Administrative Set-up, Cuttack
  4. Census 2011: Odisha: Provisional Population Totals
  5. Census 2011: Odisha: Rural Urban Distribution

ଅଧିକ ତଥ୍ୟ[ସମ୍ପାଦନା]