ମାଦଳା ପାଞ୍ଜି

ଉଇକିପିଡ଼ିଆ ରୁ

ମାଦଳା ପାଞ୍ଜି ଓଡ଼ିଶାରେ ରାଜତ୍ଵ କରୁଥିବା ବିଭିନ୍ନ ରାଜବଂଶର ଏକ ଇତିହାସ ପୋଥି ତଥା ପୁରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ପାଖରେ ପୂଜିତ । ଖ୍ରୀଷ୍ଟୀୟ ଦ୍ଵାଦଶ ଶତାବ୍ଦୀଠାରୁ ଉନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ଇତିବୃତ୍ତ ଏଥିରୁ ମିଳିଥାଏ । ରାଜା ଓ ମନ୍ଦିରର ଇତିହାସ ଲେଖିବାପାଇଁ ସଙ୍କଳ୍ପ କରିଥିବା ଲିଖନକାରମାନେ ମଝିରେ ମଝିରେ ବିଭିନ୍ନ କିମ୍ବଦନ୍ତୀ ପ୍ରୟୋଗ କରିବାରେ ଗ୍ରନ୍ଥଟି ସାହିତ୍ୟିକ ମର୍ଯ୍ୟାଦା ଲାଭ କରିପାରିଛି । ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶରେ ଉଭୟ ଭାଷା ଓ ଶୈଳୀ ଦୃଷ୍ଟିରୁ ମାଦଳାପାଞ୍ଜିର ସ୍ଥାନ ସ୍ଵତନ୍ତ୍ର ।

ଇତିହାସ[ସମ୍ପାଦନା]

ମାଦଳାପାଞ୍ଜିର ନାମକରଣ ସମ୍ପର୍କରେ ଭିନ୍ନ ଭିନ୍ନ ମତ ମିଳିଥାଏ । ୧୯୧୯ ମସିହାରେ ଐତିହାସିକ ମଦନମୋହନ ଚକ୍ରବର୍ତ୍ତୀ ଲେଖିଥିଲେ ‘ମୁଦଲ ଅର୍ଥ ବନ୍ଦ କରିବା’ । ତାଙ୍କ ମତରେ ମୁଦଲ – ମୁଦଳା – ମାଦଳା ଶବ୍ଦର ଉତ୍ପତ୍ତି ହୋଇଛି । [୧] ୧୯୨୭ ମସିହାରେ ରମାପ୍ରସାଦ ଚନ୍ଦ ‘ଓଡ଼ିଶା ଇତିହାସ’ରେ ମାଦଳା ସମ୍ପର୍କରେ ଲେଖିଥିଲେ ‘ମର୍ଦ୍ଦଳ’ ଜାତୀୟ ଏକ ବାଦ୍ୟ ଶବ୍ଦରୁ ମାଦଳାର ଉତ୍ପତ୍ତି । ତାଙ୍କ ମତରେ ମର୍ଦ୍ଦଳ – ମଦ୍‌ଦଳ – ମଦଳ – ମଦଳା – ମାଦଳା ଏହିପରି ହୋଇଛି । [୨] ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମତରେ ‘ପାଞ୍ଜି’ ଲେଖିସାରିବାପରେ ଲିଖନକାରମାନେ ଏହାକୁ ମର୍ଦ୍ଦଳାକାରରେ ବାନ୍ଧୁଥିଲେ ଏବଂ ମୁଦଦେଇ ଶ୍ରୀମନ୍ଦିରରେ ରଖୁଥିଲେ, ତେଣୁ ଏହାକୁ ମାଦଳାପାଞ୍ଜି କୁହାଯାଏ । [୩] ଅଧ୍ୟାପକ କୃଷ୍ଣଚନ୍ଦ୍ର ଷଢ଼ଙ୍ଗୀଙ୍କ ମତରେ ‘ମଦଳା’ ଆଭିଧାନିକ ଅର୍ଥ ଅପୂର୍ଣ୍ଣ ବା କାନ୍ତିଆ । ଶ୍ରୀଜଗନ୍ନାଥ ଅସମ୍ପୂର୍ଣ୍ଣ ହୋଇଥିବାରୁ ତାଙ୍କୁ ମାଦଳା କୁହାଯାଏ । ମାଦଳାପାଞ୍ଜିକୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଲିଖନ ହୋଇଥିବାରୁ ଏହାକୁ ‘ମାଦଳାପାଞ୍ଜି’ କହିବା ଯଥାର୍ଥ ।[୪]

ଓଡ଼ିଶାର ଇତିହାସକୁ ମାଦଳାପାଞ୍ଜି ବହନ କଲେହେଁ ଲିଖନକାରମାନେ ବହୁ କିମ୍ବଦନ୍ତୀ ଓ କାହାଣୀ ସଂଯୋଗ କରି ସାହିତ୍ୟିକ ମର୍ଯ୍ୟାଦା ନେଇଛନ୍ତି । ପାଞ୍ଜି ମଧ୍ୟସ୍ଥ କାହାଣୀ ମଧ୍ୟରେ ଚୋଡ଼ଗଙ୍ଗ ଦେବଙ୍କ ସମୟରେ ନିତେଇ ଧୋବଣୀ କଥା ଚୋଡ଼ଗଙ୍ଗ ଦେବଙ୍କ ନିଜ କନ୍ୟା ସହ ଅବୈଧ ପ୍ରେମ ଓ ପ୍ରାୟଶ୍ଚିତ କଥା, ବୌଦ୍ଧଭ୍ରମଣ ଓ ବ୍ରାହ୍ମଣ ପରୀକ୍ଷା କଥା, ଅନଙ୍ଗଭୀମଦେବଙ୍କ ସମୟର ପଶୁପାଳକଥା, ସିବେଇସାମନ୍ତରା ଜାଉଖିଆ କଥା, ଅନ୍ଧଦଇତା ଦାସ କଥା, କପିଳେନ୍ଦ୍ରଙ୍କ ସମୟରେ ନାଗସାପ ପ୍ରସଙ୍ଗ ପ୍ରଧାନ । ଏସବୁ ଗଳ୍ପ ଓଡ଼ିଶାର ପୁରପଲ୍ଲୀରେ ବହୁଳ ପ୍ରଚଳିତ ।

କାହାଣୀ ନମୁନା[ସମ୍ପାଦନା]

ଚୁଡଗଙ୍ଗଙ୍କ ସମ୍ବନ୍ଧରେ[ସମ୍ପାଦନା]

ଏ ରାଜା ବ୍ରାହ୍ମଣମାନଙ୍କୁ ପଚାରିଥିଲେ । ଯଉ ଫଳ ଉପୁଯାଇ ସେ ଫଳ ଖାଇ କି ନଖାଇ । ତହିଁକି ବ୍ରାହ୍ମଣେ ବୋଇଲେ ଯେ ଫଳ ଉପୁଯାଇ ସେ ଫଳ ଖାଇ । ସେଠାରୁ ରାଜା ଝିଅଙ୍କ ସଂଗେ ଅଙ୍ଗସଙ୍ଗ ହେଲେ । ସେ ଝିଅ ଗର୍ଭବାସ ହେଲେ । ତହିଁ ସକାସୁଁ ସେ କଥା ପ୍ରଘଟ ହେଲା ସେଠାରୁ ରାଜା ବ୍ରାହ୍ମଣଙ୍କୁ ପଚାରିଲେ ତହିଁକି ବ୍ରାହ୍ମଣମାନେ କହିଲେ ‘ତୁମ୍ଭେ ଝିଅ ସଂଗେ ଅଙ୍ଗସଙ୍ଗ ହେଲ । ଏକଥା ଗର୍ହିତ ହେଲା । ଏକଥା ଉଚିତ ନୁହଁ । ତହିଁକି ରାଜା ପଚାରିଲେ ଏଥିକି ପ୍ରାଶ୍ଚିତ । ତହିଁକି ବ୍ରାହ୍ମଣ କହିଲେ ‘ଦୁଇ ମାଠିଆ ପାଣି ଘେନି ଚାଲିଯିବ, ତାହା ଗୋଡରୁ ଯେଉଁଠାରେ ରୁଧିର ଜାତ ହେବ ସେଇଠାରେ ଚାରିବାହି ଆୟତନରେ ପୋଖରୀ ଖୋଳାଯିବ । ମଧ୍ୟରେ ଦୀପିଦଣ୍ଡି ହେବ । ତହିଁ ଭିତରେ ସେ ଝିଅ ରହିବ । କାହାରି ମୁଖ ନ ଚାହିଁବ । ଏମନ୍ତ ଯେ ସେ ତାହାଙ୍କ ବିହକ ରହି । ତୁମ୍ଭ ଉପସ୍ଥ କଟାହୋଇ ଦୁମ ହୋଇଯିବ । ତେବେ ସେ ତହିଁରେ ଦୋଷଯିବ । ସେଠାରୁ ସେ ରାଜା ଏହା ଶୁଣି ଝିଅଙ୍କ ହାତରେ କାଖରେ ପାଣି ଦୁଇ ମାଠିଆ ଦେଇ ଚଳାଇଲେ । ଏ ଝିଅଙ୍କୁ ଏ ରୂପେ ଚଳାଇଲା ବେଳକୁ ରାଜ୍ୟଲୋକେ ଶୁଣି ବହୁତ ଉପହାସ କଲେ । ରାଜା ବଡ ସଂକୋଚ ପାଇଲେ ଝିଅକୁ ନଅରକୁ ନେଲେ । ଏ ଉତ୍ତାରୁ ଝିଅଙ୍କୁ ଯେଉଁଯାଏ ବୁଲାଇଲେ ରକତ ଗୋଡରୁ ବହିନଥିଲା । ସୀମାନ୍ତ ଘେନି ପୋଖରୀ ଦିପଦଣ୍ଡି କଲେ । ଦିପଦଣ୍ଡି କରି ଝିଅକୁ ଆଣି ତହିଁରେ ରଖିଲେ । ରାଣୀମାନେ ରାଜାଙ୍କ ମୁଣ୍ଡଛେଚି ମାଇଲେ ସେଇଦିନୁ ପୋଖରୀ କୌଶଲ୍ୟାଗଙ୍ଗ ହୋଇଲା ।

ଏହି କିମ୍ବଦନ୍ତୀରେ ତତ୍‌କାଳୀନ ବ୍ରାହ୍ମଣମାନଙ୍କର କଥା କିପରି ରାଜା ଗ୍ରହଣ କରୁଥିଲେ ଏହା ମାତ୍ର ଉଦାହରଣ । ଏତଦ୍‌ବ୍ୟତୀତ ପାପପୁଣ୍ୟର ବିଚାର ଗଳ୍ପରେ ପରିଲକ୍ଷିତ ହୋଇଥାଏ ।

କପିଳେନ୍ଦ୍ର ଦେବଙ୍କ ସମ୍ବନ୍ଧରେ[ସମ୍ପାଦନା]

ଗଜପତି କପିଳେନ୍ଦ୍ର ଦେବଙ୍କ ବାବଦରେ ପାଞ୍ଜିରେ ବହୁ କାହାଣୀ ଦୃଷ୍ଟିଗୋଚର ହୋଇଥାଏ । ସେଥିମଧ୍ୟରୁ କପିଳା ମୁଣ୍ଡ ଉପରେ ସାପ ଫଣା ଟେକି ଛାଇକୁ ପ୍ରତିରୋଧ କରିବା ଏବଂ ସେ ରାଜା ହେବା କାହାଣୀଟି ହେଉଛି:

କପିଳ ଗଛମୂଳେ ଶୋଇଅଛନ୍ତି ମୁହଁରେ ଖରା ପଡିଲାକୁ ନାଗସାପ ଫଣା ଟେକିଅଛି । ଏମନ୍ତ ଦେଖି କପିଳ କି ବ୍ରାହ୍ମଣ ଉଠାଇ ଦେଖିଲେ କିଛି ଆପଦ ନାହିଁ । ସେ ଦିନୁ ବ୍ରାହ୍ମଣ କପିଳଠାରେ ବଡ ସୁଖ କରିଥାଇ । ଥୋକାଏ ଦିନ ଉତ୍ତାରେ ବ୍ରାହ୍ମଣ ଘରୁ କପିଳ ବାହାର ହୋଇ ତେରାଟିଆଙ୍କ ସଙ୍ଗେ ସାଙ୍ଗ ହୋଇ ଚୋରି କଲେ । ପୁଣି ଥୋକାଏ ଦିନ ଉତ୍ତାରୁ ଭିକାରି ହୋଇ ଶ୍ରୀପୁରୁଷୋତ୍ତମ କ୍ଷେତ୍ରେ ମାଗି ଖାଆନ୍ତି । ଏମନ୍ତରେ ରାଜା ବିମ୍ବଳାଇଙ୍କଠାରେ ଦେଖି ବୋଇଲେ ତୁମ୍ଭେ କି ଲୋକ । କପିଳ କହିଲେ ଆମ୍ଭେ ସୂର୍ଯ୍ୟବଂଶୀ ରାଉତ । ଏଥକୁ ରାଜା କହିଲେ ଆମ୍ଭଠାରେ ଚାକର ରହ । ଏଥକୁ କପିଳ ରାଉତ ଚାକର ରହିଲେ । ଥୋକାଏ ଦିନ ଉତ୍ତାରୁ ପରମେଶ୍ଵର କପିଳ ରାଉତଙ୍କୁ ରାଜା କରି ଆଜ୍ଞା ଦେଲେ ।

ଲିଖନକାର[ସମ୍ପାଦନା]

ମାଦଳାପାଞ୍ଜି ଏକ ସାହିତ୍ୟିକ ସୃଷ୍ଟି ନୁହେଁ ବା ଏହାର ନିର୍ଦ୍ଧିଷ୍ଟ ଲେଖକ ନାହାଁନ୍ତି । ଅଧାପାଠୁଆ ରାଜକର୍ମଚାରୀଙ୍କ ଦ୍ଵାରା ଏହା ଲିଖିତ ହୋଇଆସୁଥିଲା । ଏମାନେ ଲେଖିବା ପାଇଁ ଗଜପତି ରାଜାଙ୍କ ଦ୍ଵାରା ନିଯୁକ୍ତି ପାଇଥିଲେ । ଲିଖନକାରମାନେ ବଂଶାନୁକ୍ରମେ ପାଞ୍ଜି ଲେଖିଆସୁଥିଲେ । ଏମାନେ ତିନିଭାଗରେ ବିଭକ୍ତ ଯଥା

  1. ଦେଉଳକରଣ
  2. ଚଢ଼ାଉକରଣ (ତଢ଼ାଉକରଣ)
  3. କୋଠକରଣ

ଦେଉଳକରଣଙ୍କ ଲିଖିତ ପାଞ୍ଜି ଶ୍ରୀଜଗନ୍ନାଥ ମନ୍ଦିରରେ, ଚଢ଼ାଉକରଣ ଦ୍ଵାରା ଲିଖିତ ପାଞ୍ଜି ରାଜନଅରରେ ଓ କୋଠକରଣଙ୍କ ଦ୍ଵାରା ଲିଖିତ ପାଞ୍ଜି ପାଞ୍ଜିକାର ଗୃହରେ ରହୁଥିଲା । ଅନ୍ୟକେତେକ ଗବେଷକଙ୍କ ମତରେ ଦେଉଳକରଣମାନେ ଶ୍ରୀଜଗନ୍ନାଥ ମନ୍ଦିରର ପର୍ବପର୍ବାଣୀ ତଥା ନୀତି ସଂପର୍କରେ ଲେଖୁଥିଲେ ଓ ଚଢ଼ାଉକରଣମାନେ ଓଡ଼ିଶାର ରାଜାଙ୍କର ରାଜ୍ୟଶାସନ ଓ କୀର୍ତ୍ତିକଳାପର ଧାରାବାହିକ ବିବରଣୀ ଲିପିବଦ୍ଧ କରୁଥିଲେ ।

ସାହିତ୍ୟିକ ବିଭାବ[ସମ୍ପାଦନା]

ମାଦଳାପାଞ୍ଜିକୁ ବିଶ୍ଳେଷଣ କଲେ ଅନେକ କିମ୍ବଦନ୍ତୀ ଓ କାହାଣୀ ମିଳିଥାଏ । କିମ୍ବଦନ୍ତୀ ଓ କାହାଣୀ ସଂଯୋଗରେ ଏହାର ଐତିହାସିକ ମୂଲ୍ୟ କ୍ଷୁର୍ଣ୍ଣ ହେଲେହେଁ ସାହିତ୍ୟିକ କଳାତ୍ମକତା ପରିଲକ୍ଷିତ ହୋଇଥାଏ । ଓଡ଼ିଆ ଗଦ୍ୟ ସାହିତ୍ୟ ବିକାଶରେ ମାଦଳାପାଞ୍ଜିର ସ୍ଥାନ ବିଶେଷ ।

ଡକ୍ଟର ସୁନୀତ କୁମାର ଚାଟାର୍ଜୀଙ୍କ ମତରେ-

ଖୁଟିନାଟି ବ୍ୟାପାରରେ ଭୁଲଭ୍ରାନ୍ତି ଦୋଷତ୍ରୁଟି ଥାକିଲେ ଓ ପାଞ୍ଜିତେ ଅନ୍ତତଃ ମଧ୍ୟଯୁଗର ଉଡିୟା ଗଦ୍ୟର ମୂଲ୍ୟବାନ ନିଦର୍ଶନ ଲିଖିତ ହୋଇଛି ତାହା ସ୍ଵୀକାର କରିତୟେ ।’ ଯଥାର୍ଥରେ ଓଡ଼ିଆ ଗଦ୍ୟ ସାହିତ୍ୟ ବିକାଶ ଆଲୋଚନାରେ ମାଦଳାପାଞ୍ଜି ନିଜର ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । [୫]

ମାଦଳାପାଞ୍ଜିରେ ତିନିପ୍ରକାର ଭାଷା ପରିଲକ୍ଷିତ ହୁଏ । ଯଥା-

  1. ସାଧାରଣ ଭାଷା
  2. ମୁଦଲଭାଷା
  3. ଘୋଷଣାଭାଷା ।

ସାଧାରଣ ଭାଷା ସରଳ ଓ ସୁବୋଧ । ମୁଦଲର ଭାଷା ସଂସ୍କୃତ ଶଦ୍ଦ ବହୁଳ । ଏହାର କାବ୍ୟ ଯଥେଷ୍ଟ ଦୀର୍ଘ ଓ ଜଟିଳ । ଘୋଷଣାଭାଷା କେତେକ କ୍ଷୁଦ୍ର ବାକ୍ୟର ସମ୍ମିଶ୍ରଣ । ଏହା ବ୍ୟତୀତ ପୂଜାବିଧି, ଚିଠି ଓ ପରୱାନାର ଭାଷା ସ୍ଵତନ୍ତ୍ର । ମାଦଳାପାଞ୍ଜି କୌଣସି ନିର୍ଦ୍ଧିଷ୍ଟ ଭାଷା ଶୈଳୀକୁ ଅନୁସରଣ କରିନାହିଁ । ବିଭିନ୍ନ ଲିଖନକାରଙ୍କଦ୍ବାରା ବିଭିନ୍ନ ସମୟରେ ଲିଖନ କରାଯାଇଥିବାରୁ ଏହାର ଭାଷାରେ ଶୈଳୀଗତ ପାର୍ଥକ୍ୟ ପରିଲକ୍ଷିତ ହେବା ସ୍ଵାଭାବିକ । ଅଳଙ୍କାର ସଂଯୋଜନା କ୍ଵଚିତ ପରିଲକ୍ଷିତ ହୋଇଥାଏ ।

ପରବର୍ତ୍ତୀ କାଳରେ ଓଡ଼ିଆ ସାହିତ୍ୟରେ ମାଦଳାପାଞ୍ଜିର ପ୍ରଭାବ ସ୍ପଷ୍ଟ । ବହୁକାବ୍ୟ ନାଟକ ଉପନ୍ୟାସରେ ମାଦଳାପାଞ୍ଜି ବର୍ଣ୍ଣିତ କାହାଣୀକୁ ନେଇ ସୃଷ୍ଟି ହୋଇଛି । ଓଡ଼ିଆ ଲୋକ ସାହିତ୍ୟ ଦିଗରୁ ମାଦଳାପାଞ୍ଜି ସ୍ଵତନ୍ତ୍ର ଆଲୋଚନା ଆବଶ୍ୟକ । ଓଡ଼ିଆ ପୁରପଲ୍ଲୀରେ ଅଦ୍ୟାବିଧି ନିତେଇ ଧୋବଣୀ, କାଉଁରୀ ମନ୍ତ୍ର, ଗୁଣିଗାରେଡି ପ୍ରଭୃତି ଲୋକକଥା ପ୍ରଚଳିତ ।

ପୁରୁଷୋତ୍ତମଙ୍କ ‘କାଞ୍ଚିକାବେରୀ କାବ୍ୟ’ର କଥାବସ୍ତୁ ମାଦଳାପାଞ୍ଜିରୁ ସଂଗୃହୀତ କାଞ୍ଚିରୁ ଗଣେଶ ଶ୍ରୀକ୍ଷେତ୍ର ଆସିବା, ସାନବିପ୍ର ବଡବିପ୍ର କଥା, ମାଣିକ ଗଉଡୁଣୀ କଥା ଓ ଛେରା ପହରା ପ୍ରସଙ୍ଗ ଇତ୍ୟାଦି ଏହି କାବ୍ୟରେ ବର୍ଣ୍ଣିତ । ବଳରାମ ଦାସଙ୍କ ଜଗମୋହନ ଛାନ୍ଦ, ଚକ୍ରପାଣି ପଟ୍ଟନାୟକଙ୍କ ଗୁଣ୍ଡିଚା ଚାମ୍ପୁର କଥାବସ୍ତୁ ଉପରେ ମାଦଳାପାଞ୍ଜିର ପ୍ରଭାବ ପରିଲକ୍ଷିତ ହୋଇଥାଏ । କୃପାସିନ୍ଧୁ ଦାସଙ୍କ ଚତୁର୍ଦ୍ଧାମୂର୍ତ୍ତି, ଜଗନ୍ନାଥ ଦାସଙ୍କ ନିତ୍ୟନୀଳାଦ୍ରି ବିଳାସ ଓ ଦାରୁବ୍ରହ୍ମ ଗୀତାରେ ସେବାଉପାସନା ପ୍ରସଙ୍ଗ, ଇନ୍ଦ୍ରଦ୍ୟୁମ୍ନ ପ୍ରସଙ୍ଗ ପ୍ରଭୃତି ମାଦଳାପାଞ୍ଜିର ଅନୁରୂପ । ମାଗୁଣି ଦାସ, ଦାମୋଦର ଦାସ ଓ ନୀଳାମ୍ବର ଦାସଙ୍କ ଦେଉଳ ତୋଳାରେ ବର୍ଣ୍ଣିତ ଗାଲମାଧବ ପ୍ରସଂଗ ପାଞ୍ଜିର ଅନୁସରଣରେ କରାଯାଇଛି । ସେହିପରି ଚାନ୍ଦଦାସ ଗୋପୀଚନ୍ଦନ କାବ୍ୟରେ ବର୍ଣ୍ଣିତ ରାମଚନ୍ଦ୍ରଦେବଙ୍କ ଅଭିନବ ଇନ୍ଦ୍ରଦ୍ୟୁମ୍ନ ପ୍ରସଙ୍ଗ ପାଞ୍ଜିର ଅନୁରୂପ । ସପ୍ତଦଶ ଶତାଦ୍ଦୀରେ ଜଗନ୍ନାଥ ନାରାୟଣ ଦେବଙ୍କ ଲିଖିତ ଗଙ୍ଗାଯାତ୍ରା ବିବରଣୀରେ ଶ୍ରୀଜଗନ୍ନାଥଙ୍କୁ ପାତାଳି ପାଇଁ ନିଆଯାଇଥିବା ଗତିପଥର ସ୍ଥାନ ବର୍ଣ୍ଣନା ଅବିକଳ ପାଞ୍ଜିରେ କରାଯାଇଛି ।

କବିବର ରାଧାନାଥ ରାୟ ‘ପାର୍ବତୀ’ କାବ୍ୟରେ ଚୋଡ଼ଗଙ୍ଗ ଦେବ ଓ କୌଶଲ୍ୟାଙ୍କର ଯେଉଁ ଅବୈଧ ପ୍ରଣୟର ବର୍ଣ୍ଣନା କରିଛନ୍ତି ସେଥିପାଇଁ ସେ ପାଞ୍ଜି ଉପରେ ନିର୍ଭରଶୀଳ । ରାଧାନାଥ ‘ଚିଲିକା’ କାବ୍ୟରେ ରକ୍ତବାହୁ ପ୍ରସଙ୍ଗ ମାଦଳାପାଞ୍ଜିର ଅବଲମ୍ବନରେ ଲିଖିତ ଗଜପତି ପୁରୁଷୋତ୍ତମ ଦେବଙ୍କ ସହ କାଞ୍ଚିରାଜ ଜେମାଙ୍କ ବିବାହ ବିବାଦ ପ୍ରସଙ୍ଗରେ କାଞ୍ଚିଯୁଦ୍ଧରେ ଶ୍ରୀଜଗନ୍ନାଥବଳଭଦ୍ର କଳାଘୋଡ଼ା ଓ ଧଳାଘୋଡ଼ା ଚଢ଼ିଯିବା, ମାଣିକ ଗଉଡୁଣୀଠୁ ଦୁହେଁ ଦହିଖାଇବା ପାଞ୍ଜି ବର୍ଣ୍ଣିତ କହାଣୀ । ପାଞ୍ଜିବର୍ଣ୍ଣିତ କାହାଣୀକୁ ଅନୁସରଣ କରି ରାମଶଙ୍କର ରାୟ ‘କାଞ୍ଚିକାବେରୀ’ ନାଟକ, ଗୋଦାବରୀଶ ମିଶ୍ର ପୁରୁଷୋତ୍ତମ ଦେବଙ୍କ ନାଟକ ଓ କାଳୀ ଚରଣ କାଞ୍ଚିଅଭିଯାନ ନାଟକ ଲିଖିତ ଓ ପାଠକ ଆଦିଙ୍କ ଦ୍ବାରା ଆଦୃତ । ଗୋଦାବରୀଶଙ୍କ ମୁକୁନ୍ଦଦେବ ଓ ଅଶ୍ଵନୀକୁମାର କଳାପାହାଡ ନାଟକରେ ମୂଳ ଘଟଣା ପାଞ୍ଜିକୁ ଅନୁସରଣ କରିଛି । ସୁରେନ୍ଦ୍ର ମହାନ୍ତି ଅତ୍ୟାଧୁନିକ ଯୁଗରେ ‘ନୀଳଶୈଳ’ ଓ ‘ନୀଳାଦ୍ରି ବିଜୟ’ ଉପନ୍ୟାସ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ରଚିତ । ଦ୍ଵିତୀୟ ରାମଚନ୍ଦ୍ରଦେବଙ୍କ ସମୟରେ ମୁସଲମାନ ଆକ୍ରମଣରୁ ଶ୍ରୀଜଗନ୍ନାଥଙ୍କୁ ରକ୍ଷାକରିବା ପାଇଁ ଚିଲିକାରେ ଲୁକାୟିତ ଭାବରେ ରହିବା ଓ ପରେ ରତ୍ନସିଂହାସନରେ ବିଜେହେବାର ଘଟଣାକୁ ନେଇ ଏ ଦୁଇ ଉପନ୍ୟାସ ରଚିତ । ପାଞ୍ଜି ବର୍ଣ୍ଣିତ କିମ୍ବଦନ୍ତୀକୁ ସୁରେନ୍ଦ୍ର ମହାନ୍ତି ବିଷୟବସ୍ତୁ ରୂପେ ଗ୍ରହଣ କରିଛନ୍ତି । ପର୍ଯ୍ୟାଲୋଚନା କଲେ ଜଣାଯାଏ ଆଜିପର୍ଯ୍ୟନ୍ତ ମାଦଳାପାଞ୍ଜି ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗକୁ ପ୍ରଭାବିତ କରିଆସିଛି ।

ମାଦଳାପାଞ୍ଜିର ପ୍ରଭାବରେ ଓଡ଼ିଶାରେ ଅନେକ ଗୁଡିଏ ପାଞ୍ଜି ଦେଖାଯାଏ । ଜଗନ୍ନାଥ ମହାପ୍ରଭୁ ଓ ଠାକୁର ରାଜାଙ୍କ ଉପରେ ମାଦଳାପାଞ୍ଜି ରଚିତ ହୋଇଥିବାରୁ ଉତ୍କଳରେ ଏହା ସବୁଠାରେ ସୁପରିଚିତ ସହ ପ୍ରଭାବ ବିସ୍ତାର କରିବା ସ୍ଵାଭାବିକ । ମାଦଳାପାଞ୍ଜିର ଅନୁକରଣରେ ‘କଳାହାଣ୍ଡିମାଦଳା’, ‘କେଉଁଝରମାଦଳା’ ରଚିତ । ଏହା ବ୍ୟତୀତ ଗୋପୀନାଥ ମିଶ୍ରଙ୍କ ପଟିଆ ରାଜାଙ୍କ ବଂଶାବଳୀ, ସୂର୍ଯ୍ୟମଣି ଚ୍ୟାଉ ପଟ୍ଟନାୟକଙ୍କ ‘ଘୁମୁସୁର ଭଟ୍ଟ ବଂଶାବଳୀ’ ପଦ୍ମନ ସିଂହଙ୍କ ‘ନାଗବଂଶ ରଚିତ’ ଫକୀର ଚଇନଙ୍କ ‘ଚଇନଙ୍କ ଚକଡ଼ା’ ମାଦଳାପାଞ୍ଜି ପ୍ରଭାବରେ ରଚିତ ।

ମାଦଳାପାଞ୍ଜିକୁ ସାହିତ୍ୟ ରୂପେ ଗ୍ରହଣ ନକଲେହେଁ ଅତୀତ ଘଟଣାବଳୀର ଲିପିବଦ୍ଧ କରିବାର ପ୍ରଥମ ପ୍ରୟାସ । ଏଥିରେ ଅନେକ ସାହିତ୍ୟିକ କଥାବସ୍ତୁର ଐତିହାସିକ ତଥ୍ୟ ରହିଛି । ପାଞ୍ଜି ବର୍ଣ୍ଣିତ ଅନେକ ଅଦ୍ଭୁତ କାହାଣୀ ମଧ୍ୟ ପାଠକକୁ ଆନନ୍ଦ ପ୍ରଦାନ କରିଥାଏ । ମାଦଳାପାଞ୍ଜି ସମ୍ପର୍କରେ ଏତିକି କୁହାଯାଇପାରେ ପାଞ୍ଜିକାରଗଣ ସାହିତ୍ୟିକ ନହେଲେହେଁ ସେମାନଙ୍କର କଳ୍ପନା ବିଳାସ ଓ କାହାଣୀ ବଖାଣ କଳା ଆଜି ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟିକମାନଙ୍କୁ ପ୍ରଭାବିତ କରିଥିବାରୁ ଏହାର ସାହିତ୍ୟିକ ଅବଦାନକୁ ଅସ୍ଵୀକାର କରାନଯାଇପାରେ । [୬]

ଟୀକା[ସମ୍ପାଦନା]

  1. ମଦନମୋହନ ଚକ୍ରବର୍ତ୍ତୀ (୧୯୧୯)
  2. ଚନ୍ଦ ରମାପ୍ରସାଦ. ଓଡ଼ିଶା ଇତିହାସ (୧୯୨୭)
  3. ମହାନ୍ତି ଆର୍ତ୍ତବଲ୍ଲଭ
  4. କୃଷ୍ଣଚନ୍ଦ୍ର ଷଢ଼ଙ୍ଗୀ
  5. ସୁନୀତ କୁମାର ଚାଟାର୍ଜୀ
  6. ମାୟାଧର ମାନସିଂହ
    ଛିନ୍ନ-ବିଚ୍ଛିନ୍ନ ଭାବରେ ଆମେ ପାଞ୍ଜିର ପୃଷ୍ଠାମାନଙ୍କରୁ ପ୍ରାଚୀନ ଓଡ଼ିଶାର କେତୋଟି ସାମାଜିକ ଚିତ୍ରାବଳୀ ପାଉ ତାହାହିଁ ବୋଧହୁଏ ଏହି ଗ୍ରନ୍ଥର ଏକମାତ୍ର ସାହିତ୍ୟିକ ମୂଲ୍ୟ ।

ଆଧାର[ସମ୍ପାଦନା]