ଆଜ୍ଞାମାଳ

ଉଇକିପିଡ଼ିଆ ରୁ
Jump to navigation Jump to search

ଆଜ୍ଞାମାଳ ହେଉଛି ଜଗନ୍ନାଥ ମହାପ୍ରଭୁଙ୍କ ନିର୍ଦ୍ଦେଶନାମା । ମହାପ୍ରଭୁଙ୍କ ଅଧର ଚୁମ୍ବନ ମାଳ ହିଁ ବିଶେଷ ଭାବେ ଆଜ୍ଞାମାଳ ରୂପେ ବ୍ୟବହୃତ ହୋଇଥାଏ । ଏହି ମାଳ ପ୍ରଦାନ ପୂର୍ବରୁ କେଉଁ ଉଦ୍ଦେଶ୍ୟରେ କାହାକୁ ଦିଆଯାଉଛି ତାହା ମହାପ୍ରଭୁ ତାଙ୍କ ତରିକାରେ ଜଣାଇ ଦିଆଯାଇଥାଏ । ଏହା ପ୍ରଦାନରେ କେତେକ ବିଧି ଅଛି ଯାହା ଅପ୍ରକାଶ୍ୟ । ଜଗତ ବିଧାୟକ ମଙ୍ଗଳ ଲୀଲାର ବାର୍ତ୍ତା ଦେବା ପାଇଁ ଏହି ଆଜ୍ଞାମାଳ ପରମ୍ପରା ମହାପ୍ରଭୁଙ୍କ ଉପସନାରେ ଅନୁସୃତ ହୋଇ ଆସୁଛି । ସଂସ୍କୃତ ସ୍କନ୍ଦ ପୁରାଣ ଅନୁସାରେ ବିଶ୍ୱାବସୁ ପୂଜା କରୁଥିବା ଶ୍ରୀନୀଳ ମାଧବଙ୍କ ଆଜ୍ଞାମାଳ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ବିଦ୍ୟାପତିଙ୍କୁ ଦିଆଯାଇଥିଲା ।

କେବଳ ଶ୍ରୀମନ୍ଦିରରେ ଏହି ଆଜ୍ଞାମାଳ ମାଧ୍ୟମରେ ଯେଉଁ ଯାନିଯାତ୍ରାମାନ ପାଳନ ହୁଏ ସେଗୁଡ଼ିକ ଲୋକ ହିତ ମୂଳକ । ଲୋକ କଲ୍ୟାଣ ପାଇଁ ୧୫ଟି ବାର୍ତ୍ତା ଏହି ଆଜ୍ଞାମାଳ ପଛରେ ରହିଥିବା ଜଣାଯାଏ । ସେଗୁଡ଼ିକ ହେଲା ସାମାଜିକ ସଂହତି, ଭାତୃଭାବ, ପାରିବାରିକ ସଂହତି, ସାମାଜିକ ମର୍ଯ୍ୟାଦା, ନିରାମୟ ଜୀବନଯାପନ , ସହଯୋଗ, ସାହଚର୍ଯ୍ୟ, ଶାନ୍ତି, ଓ ଆନନ୍ଦ ପ୍ରଦାନ ଇତ୍ୟାଦି । [୧]

ବନଯାଗ ଯାତ୍ରା ବିଧିରେ ଆଜ୍ଞାମାଳ[ସମ୍ପାଦନା]

ନବକଳେବର ଲୀଳାରେ ମହାପ୍ରଭୁଙ୍କ ଦାରୁ ଅନ୍ୱେଷଣ ମଧ୍ୟ ମହାପ୍ରଭୁଙ୍କ ଆଜ୍ଞା ବିନା କରାଯାଏନାହିଁ । ନବକଳେବର ବିଧିରେ ପତିମହାପାତ୍ର ଦାରୁ ଅନ୍ୱେଷଣ ଯାତ୍ରାରେ ଯିବା ପାଇଁ ଶ୍ରୀ ସୁଦର୍ଶନଙ୍କ ବାଡର ବାଡ଼ଗ୍ରାହୀ ପତିମହାପାତ୍ର ସେବକ ରତ୍ନ ସିଂହାସନ ଉପରକୁ ଉଠନ୍ତି । ଗରାବଡୁ ସେବକଙ୍କଠାରୁ ହାତୁଆଣି(ପାଣି) ନିଅନ୍ତି । ତାପରେ ପୂର୍ବରୁ ଲାଗି ହୋଇଥିବା ଚାରିବାଡର ଅଧରଚୁମ୍ବିତ ଆଜ୍ଞାମାଳ ମଧ୍ୟରୁ ପ୍ରଥମେ ବଡଠାକୁର ଶ୍ରୀ ବଳଭଦ୍ରଙ୍କ ବିଗ୍ରହରୁ ଆଣନ୍ତି ଏବଂ ବଡବାଡର ବାଡଗ୍ରାହୀଙ୍କୁ ଆଜ୍ଞାମାଳ ପ୍ରଦାନ କରିଥାନ୍ତି । ପୁଣି ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଲାଗିକରି ମହାପ୍ରଭୁଙ୍କ ବାଡଗ୍ରାହୀଙ୍କୁ ପ୍ରଦାନ କରିଥାନ୍ତି । ତାପରେ ପୁଣି ହାତୁଆଣି ନେଇ ମା ସୁଭଦ୍ରାଙ୍କ ଅଧରମାଳା ମଝିବାଡ଼ର ବାଡ଼ଗ୍ରାହୀ ଦଇତାସେବକଙ୍କୁ ଦେଇଥାନ୍ତି । ଶେଷରେ ପତିମହାପାତ୍ର ନିଜେ ଶ୍ରୀ ସୁଦର୍ଶନଙ୍କଠାରୁ ଆଜ୍ଞାମାଳ ନେଇ ସିଂହାସନ ତଳକୁ ଓହ୍ଲାଇଆସନ୍ତି । ଠାକୁରମାନଙ୍କ ଚାରିଗୋଟି ଆଜ୍ଞାମାଳ ଧରି ପତି ମହାପାତ୍ର ତିନିଜଣ ଦଇତାମୁଖ୍ୟଙ୍କୁ ତିନିଗୋଟି ଆଜ୍ଞାମାଳ ପ୍ରଦାନ କରନ୍ତି ଓ ନିଜେ ସୁଦର୍ଶନଙ୍କ ଆଜ୍ଞାମାଳଟିକୁ ରଖନ୍ତି । ଦଶମୀ ଦିନ ମଧ୍ୟାହ୍ନ ଧୂପପରେ ପତି ମହାପାତ୍ରଙ୍କ ନେତୃତ୍ୱରେ ଦଇତାପତିମାନେ ମନ୍ଦିରକୁ ପ୍ରବେଶ କରି ଜଗମୋହନଠାରେ ଅପେକ୍ଷା କରନ୍ତି । ଏଥି ସହିତ ଜଗନ୍ନାଥଙ୍କ ସୁଦର୍ଶନ ଚକ୍ରଟି ମଧ୍ୟ ଦିଅନ୍ତି । ଅନ୍ୟାନ୍ୟ ବିଧି ସଂପନ୍ନ କରିବାପରେ ଆଜ୍ଞାମାଳ ଧରି ବାଡ଼ଗ୍ରାହୀଙ୍କ ସମେତ ଅନ୍ୟାନ୍ୟ ସମସ୍ତେ ଜଗମୋହନରୁ ବନଯାଗ ଯାତ୍ରା ଆରମ୍ଭ କରିଥାନ୍ତି । ଆଜ୍ଞାମାଳ ମାଧ୍ୟମରେ ନିର୍ଦ୍ଦେଶ ପାଇବାପରେ ଅର୍ଚ୍ଚାବିଗ୍ରହ ଓ ପ୍ରତିନିଧି ମଧ୍ୟରେ କୌଣସି ଫରକ ବିଚାର କରାଯାଏ ନାହିଁ । [୨]

ଆଧାର[ସମ୍ପାଦନା]

  1. ଆଜ୍ଞାମାଳ ରହସ୍ୟ - ଦାରୁଦିଅଁ. ଧରିତ୍ରୀ. 19-july-2016. p. ୧୯୯. Check date values in: |date= (help)
  2. "ଆଜ୍ଞାମାଳ ଓ ଦାରୁବ୍ରହ୍ମ" (PDF). ଉତ୍କଳ ପ୍ରସଙ୍ଗ (ଜୁଲାଇ, ୨୦୧୫): ୪୧-୪୩. Retrieved 15 August 2015.