ବିନିକେଇ

ଉଇକିପିଡ଼ିଆ‌ରୁ
ମା’ ବିନିକେୟୀ ଶକ୍ତି ପୀଠର ପ୍ରବେଶଦ୍ୱାର

ବିନିକେୟୀ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡସ୍ଥିତ ଏକ ପ୍ରାକୃତିକ ମନୋହର ପର୍ଯ୍ୟଟନ ସ୍ଥଳୀ । ଏହା ମହାନଦୀ କୂଳରେ ଅବସ୍ତିତ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଯୋଗୁଁ ଏଠାରେ ବାରମାସ ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ । ଏଠାରେ ମା’ ବିନିକେୟୀ ପୂଜା ପାଉଛନ୍ତି । ଦୋଳ ପୂର୍ଣ୍ଣିମାର ଆଠଦିନ ଅର୍ଥାତ ଆଠଦୋଳଠାରୁ ତିନିଦିନ ପର୍ଯ୍ୟନ୍ତ ଏଠାରେ ମା’ ବିନିକେୟୀଙ୍କର ପ୍ରସିଦ୍ଧ ବିନିକେୟୀ ଯାତ୍ରା ଅନୁଷ୍ଠିତ ହୁଏ । ଆଠମଲ୍ଲିକରୁ ପୂର୍ବ ଦିଗକୁ ପଚିଶି କି.ମି. ଗଲେ ଦୋରୁହା ଗ୍ରାମ ଦୃଷ୍ଟିଗୋଚର ହୁଏ । ଏହି ଗ୍ରାମ ନିକଟସ୍ଥ ମହାନଦୀ କୂଳରେ ପଞ୍ଚଧାର ପର୍ବତର ପାଦ ଦେଶରେ ତଥା ସାତକୋଶିଆ ଗଣ୍ଡର ପ୍ରାରମ୍ଭରେ ମା' ବିନିକେୟୀ ଠାକୁରାଣୀ ଏକ ସୁରମ୍ୟ ପରିବେଶରେ ବୃକ୍ଷ ମୂଳରେ ପୂଜା ପାଉଛନ୍ତି ।

ପୌରାଣିକ[ସମ୍ପାଦନା]

ଉକ୍ତ ସ୍ଥାନକୁ ମା’ ବିନିକେୟୀଙ୍କର ଆଗମନ ସମ୍ପର୍କରେ ଏକ ସୁନ୍ଦର କିମ୍ବଦନ୍ତୀ ଅଛି । ଏହି କିମ୍ବଦନ୍ତୀ ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରୁ ବାଣିଜ୍ୟ ଉଦ୍ଦେଶ୍ୟରେ ତଳମୁଣ୍ଡରୁ ଆସିଥିବା ବଣିକମାନେ ସେହି ଅଞ୍ଚଳରୁ ବିନିକେୟୀ ଠାକୁରାଣୀଙ୍କୁ ଚୋରିକରି ନେଇଯାଉଥିଲେ । ସାତକୋଶିଆ ଗଣ୍ଡର ଦୋରୁହା ଗ୍ରାମ ଉପକଣ୍ଠରେ (ଯେଉଁଠି ଦେବୀ ସମ୍ପ୍ରତି ଅବସ୍ଥାପିତା) ମା'ଙ୍କ ଇଚ୍ଛାରେ ଡଙ୍ଗା ଆଗକୁ ନଯିବାରୁ ତାଙ୍କୁ ମହାନଦୀ କୂଳରେ ରଖିଦେଇ ସେମାନେ ଚାଲିଗଲେ । ସେହିଦିନଠାରୁ ମା' ବିନିକେୟୀ ସେଠାରେ ପୂଜା ପାଉଛନ୍ତି ।

ଇତିହାସ[ସମ୍ପାଦନା]

ମା' ବିନିକେୟୀଙ୍କ ମୂର୍ତ୍ତିଟି କେଉଁ ଶତାବ୍ଦୀର ତାହା ସ୍ପଷ୍ଟ ରୂପେ ନିରୂପଣ କରାଯାଇ ନାହିଁ । ତେବେ ଏହାର ଗଠନ ପ୍ରଣାଳୀ ଓ ସ୍ଥାପତ୍ୟରୁ ମୂର୍ତ୍ତିଟି ନବମ ଶତାବ୍ଦୀରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ । ସୁବର୍ଣ୍ଣପୁର ଜିଲ୍ଲାର ବୈଦ୍ୟନାଥସ୍ଥିତ କୋଶଳେଶ୍ୱର ମନ୍ଦିରର କାରୁକାର୍ଯ୍ୟ ସହିତ ଏହାର ଗଠନ ଶୈଳୀର ସାମଞ୍ଜସ୍ୟ ରହିଛି । କୋଶଳେଶ୍ୱର ମନ୍ଦିର ପରାକ୍ରମଶାଳୀ ତେଲୁଗୁଚୋଡ଼ମାନଙ୍କ ରାଜତ୍ୱ କାଳରେ ନିର୍ମାଣ କରାଯାଇଥିଲା । ସେଠାରେ ଥିବା ସ୍ଥାପତ୍ୟଗୁଡିକ ମା' ବିନିକେୟୀଙ୍କ ମୂର୍ତ୍ତିର ଶୈଳୀରେ ନିର୍ମାଣ କରାଯାଇଥିବାର ଅନୁମିତ ହୁଏ । ମା'ଙ୍କ ମୂର୍ତ୍ତିଟି ଦୁଷ୍ଟ ସଂହାର ମୁଦ୍ରାରେ ନିର୍ମିତ । ମା' ବିନିକେୟୀ ତାଙ୍କର ଗୋଟିଏ ପାଦ ଏକ ବାଳକ ଉପରେ ରଖିଥିବାବେଳେ ଅନ୍ୟ ପକ୍ଷରେ କୋଳରେ ଏକ ଶିଶୁକୁ ଆଲିଙ୍ଗନ କରୁଛନ୍ତି । ଏଥିରୁ ତାଙ୍କର ଦୁଷ୍ଟ ସଂହାରଣ ଓ ସନ୍ଥ ପାଳନର ପ୍ରମାଣ ମିଳେ । ଶାନ୍ତ, ସରଳ ଓ ନିରୀହ ଲୋକମାନଙ୍କୁ ଦେବୀ ସ୍ନେହ କରୁଥିବା ବେଳେ ଦୁଷ୍ଟ, ଗର୍ବୀ ଓ ଅହଂକାରୀ ବ୍ୟକ୍ତିମାନଙ୍କ ପ୍ରତି ଦଣ୍ଡବିଧାନ କରନ୍ତି ।

ଅବସ୍ଥିତି[ସମ୍ପାଦନା]

ବିନିକେୟୀର ପ୍ରାକୃତିକ ଦୃଶ୍ୟ

ମା' ବିନିକେୟୀ ଠାକୁରାଣୀଙ୍କ ପୀଠ ଏକ ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ । ସମ୍ମୁଖରେ ମହାନଦୀର ନୀଳ ଜଳରାଶିର ଦୃଶ୍ୟ ଅତୀବ ମନମୁଗ୍ଧକର । ଅନ୍ୟ ପାଶ୍ୱର୍ରେ ଶ୍ୟାମଳ ସମ୍ଭାରର ଅପୂର୍ବ ପ୍ରାକୃତିକ ଦୃଶ୍ୟ ଭକ୍ତର ହୃଦୟକୁ ସ୍ୱର୍ଗୀୟ ଆନନ୍ଦରେ ଉଦ୍ୱେଳିତ କରେ । ବିଶେଷତଃ ସୂର୍ଯେ୍ୟାଦୟ ଓ ସୂର୍ଯ୍ୟାସ୍ତ କାଳରେ ଏହି ସ୍ଥାନଟି ଅନୁପମ ଶୋଭାରେ ମଣ୍ଡିତ ହୋଇଥାଏ । ଗ୍ରୀଷ୍ମ କାଳରେ ଏଠାରେ ସାନ୍ଧ୍ୟ ସମୀରଣ ନିଷ୍ଠୁର ନିଦାଘଜନିତ କ୍ଳାନ୍ତିକୁ ହରଣ କରିନିଏ । ଦେବୀଙ୍କ ପୂଜା ସମୟରେ ଘଣ୍ଟ ଓ ଶଙ୍ଖଧ୍ୱନୀ ଭକ୍ତର ମନରେ ଭାବାନ୍ତର ସୃଷ୍ଟି କରେ । କ୍ଷଣିକ ପାଇଁ ସାଂସାରିକ ମାୟାର ବନ୍ଧନ ଛିନ୍ନ କରି ମନପକ୍ଷୀ ଉଡିଯାଏ ସେହି ଅଜଣା ଅନନ୍ତ ଆକାଶର ଉଦାର ହୃଦୟକୁ । ନୃତ୍ୟରତା ମହାନଦୀର କୂଳେ କୂଳେ ଯେଉଁ ଶୋଭା ସମ୍ପଦ ରହିଛି, ତା' ଭିତରେ ଏ ସ୍ଥାନଟି କ୍ଷୁଦ୍ର ହେଲେ ମଧ୍ୟ ଅନନ୍ୟ । ମହାନଦୀର ଗଭୀର ଜଳରାଶି, ଶ୍ୟାମଘନ ପର୍ବତମାଳାର ତରଙ୍ଗାୟିତ ଭଙ୍ଗୀ, ପକ୍ଷୀମାନଙ୍କ କାକଳି, ନୌବିହାର ସମୟରେ ନାଉରିଆର ମନ ଭୁଲାଣିଆ ସଙ୍ଗୀତ, ସର୍ବୋପରି ମେଘମୁକ୍ତ ଆକାଶର ନୀଳିମା ସବୁ ଯେମିତି ପର୍ଯ୍ୟଟକକୁ ସ୍ତବ୍ଧ କରିଦିଏ । ବର୍ଷର ଅଧିକାଂଶ ସମୟରେ ଏଠାରେ ଅସୁମାରୀ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୁଏ ।

ଆଧାର[ସମ୍ପାଦନା]