ଅନନ୍ତଶୟନ, ଭୀମକୁଣ୍ଡ

Coordinates: 20°56′00″N 85°17′00″E / 20.933301°N 85.283273°E / 20.933301; 85.283273
ଉଇକିପିଡ଼ିଆ‌ରୁ

ବିଷ୍ଣୁଙ୍କର ଅନନ୍ତଶୟନ ମୂର୍ତ୍ତି ଅନୁଗୋଳଠାରୁ ପ୍ରାୟ ୩୦କି.ମି ଦୂରରେ କଣିହାଁ ନିକଟରେ ବ୍ରାହ୍ମଣୀ ନଦୀ ତଟରେ ଭୀମକୁଣ୍ଡଠାରେ ବିରାଜିତ । ବ୍ରାହ୍ମଣୀ ତଟଠାରୁ ଦକ୍ଷିଣରେ ଏକ କିଲୋମିଟର ଦୂରତାରେ ଏହି ବିଶାଳ ଶାୟିତ ବିଷ୍ଣୁପ୍ରତିମାଟି ସପ୍ତମ-ଅଷ୍ଟମ ଶତାବ୍ଦୀରେ ନିର୍ମାଣ କରାଯଇଥିଲା ବୋଲି ପ୍ରତ୍ନତତ୍ତ୍ୱବବିଦଙ୍କ ମତ । ଏହି ରମଣୀୟ ବିଶାଳକାୟ ଶାୟିତ ବିଷ୍ଣୁପ୍ରତିମାଟି ଭାରତର ଦ୍ୱିତୀୟ ବୃହତମ ପ୍ରତିମା । କର୍ଣ୍ଣାଟକର ଗୋମଟେଶ୍ୱରଠାରେ ଭାରତର ସର୍ବୋଚ୍ଚ ପ୍ରତିମା ବିଦ୍ୟମାନ, ଯାହାର ଉଚ୍ଚତା ୫୭ ଫୁଟ ।[୧] ଗୋମଟେଶ୍ୱର ମୂର୍ତ୍ତି ଦଣ୍ଡାୟମାନ ଅବସ୍ଥାରେ ଥିବାବେଳେ ଭୀମକୁଣ୍ଡ ମୂର୍ତ୍ତି ଶାୟିତ ଅବସ୍ଥାରେ ବିରାଜିତ । ପ୍ରାକୃତିକ ପ୍ରସ୍ତର ଉପରେ ଶୟନଭଙ୍ଗୀରେ ବିରାଜିତ ଏହି ମୂର୍ତ୍ତି ସମ୍ପ୍ରତି କଣିହାଁର ଜାତୀୟ ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର (ଏନଟିପିସି) ଅଞ୍ଚଳ ମଧ୍ୟରେ ରହିଛି । ପୂର୍ବରୁ ମୂର୍ତ୍ତିଟି ଧାନବିଲ ମଧ୍ୟରେ ଥିଲା ।

ମୂର୍ତ୍ତି[ସମ୍ପାଦନା]

ଦକ୍ଷିଣ ପାର୍ଶ୍ୱ ମାଡ଼ି ଶାୟିତ ଅବସ୍ଥାରେ ଥିବା ଏହି ମୂର୍ତ୍ତିଟିର ଲମ୍ବ ୪୧ ଫୁଟ ୬ ଇଞ୍ଚ । ମୂର୍ତ୍ତିଟିର ବାମସ୍କନ୍ଧଠାରୁ ଦକ୍ଷିଣସ୍କନ୍ଧର ପ୍ରସ୍ଥ ୮ ଫୁଟ । ବାମ ହସ୍ତର ଦୈର୍ଘ୍ୟ ୧୨ ଫୁଟ । ଆଣ୍ଠୁଠାରୁ ଗୋଡ଼ର ଲମ୍ବ ୧୧ ଫୁଟ । ପାଦର ଲମ୍ବ ୪ ଫୁଟ ୪ ଇଞ୍ଚ ।ମୂର୍ତ୍ତିଟିର ବାମଦୁଇ ହସ୍ତରେ ଚକ୍ର ଓ ଗଦା ରହିଛି । ଗଦାର ଲମ୍ବ ୫ ଫୁଟ ଓ ଚକ୍ରର ବ୍ୟାସ ୪ ଫୁଟ । ମୂର୍ତ୍ତିଟି ଦକ୍ଷିଣ ପାର୍ଶ୍ୱ ମାଡି ଶାୟିତ ଅବସ୍ଥାରେ ଥିବାରୁ ଦକ୍ଷିଣ ହସ୍ତଦ୍ୱୟର ଆୟୂଧ ନିର୍ମାଣ କରାଯାଇନାହିଁ । ମୂର୍ତ୍ତିଟି ବିଶାଳକାୟ ହେଇଥିଲେ ହେଁ ଏହାର ଖୋଦେଇରେ ଏକ ସ୍ୱାଭାବିକ ସୌକୁମାର୍ଯ୍ୟ ପରିଲକ୍ଷିତ ହେଇଥାଏ ।

ଇତିହାସ[ସମ୍ପାଦନା]

ଭାସ୍କର୍ଯ୍ୟଶୈଳୀରୁ ଏହି ବିଷ୍ଣୁମୂର୍ତ୍ତି ଅଷ୍ଟମ ବା ନବମ ଶତାବ୍ଦୀ ଖୋଦିତ ହେଇଥିବା ଅନୁମାନ କରାଯାଏ ।[୨] ବ୍ରାହ୍ମଣୀ ପାର୍ବତ୍ୟ ଉପତ୍ୟକାର ଏହି ବିଷ୍ଣୁ ମୂର୍ତ୍ତି କେବେ କାହାଦ୍ୱାରା ନିର୍ମିତ ହେଲା ଜଣାପଡ଼ିନାହିଁ । କେବଳ ନିକଟ ଗ୍ରାମମାନଙ୍କରୁ ମିଳିଥିବା ତାମ୍ରପତ୍ର ପାଠରୁ ଉପଲବ୍ଧ ହୁଏ ଭୌମକର, ଶୁଳ୍କୀ ଓ ତୁଙ୍ଗ ରାଜାମାନେ ବହୁ ବୈଦିକ ଓ ବୈଷ୍ଣବ ବ୍ରାହ୍ମଣଙ୍କୁ ଏହି ଅଞ୍ଚଳରେ ଭୂମି ଦାନ କରିଥିଲେ । ଖଡ୍ଗତୁଙ୍ଗଙ୍କର ରାକାସବାହାଳ ତାମ୍ରପତ୍ରରୁ ଜଣାଯାଏ ଯେ, ସେ ଜନୈକ ବୈଷ୍ଣବ ମତବାଦୀ ବ୍ରାହ୍ମଣଙ୍କୁ ଦକ୍ଷିଣବାହାଳୀ ଗ୍ରାମ ଦାନ କରିଥିଲେ । ସେହି ଗ୍ରାମ ବର୍ତ୍ତମାନର ସାଉଥବଲଣ୍ଡା ନାମରେ ପରିଚିତ । ଭୌମକର ରାଜା ଶାନ୍ତିକର ଦେବ ଅନ୍ୟଜଣେ ବୈଷ୍ଣବ ମତବାଦୀ ବ୍ରାହ୍ମଣ ବାମନଭଟ୍ଟଙ୍କୁ ତାଳଚେର ନିକଟ କାକୁରଗ୍ରାମ ଦାନ ଦେଇଥିଲେ । ଏଥିରୁ ହୃଦବୋଧ ହୁଏ, ବ୍ରାହ୍ମଣୀ ପାର୍ବତ୍ୟ ଉପତ୍ୟକାରେ ବହୁ ବୈଦିକ ଓ ବୈଷ୍ଣବ ମତାବଲମ୍ବୀ ସପ୍ତମ-ଅଷ୍ଟମ ଶତାବ୍ଦୀରେ ନିବାସ କରୁଥିଲେ । ସେହି ବ୍ରାହ୍ମଣମାନଙ୍କ ଆନୁକୂଲ୍ୟରେ ବ୍ରାହ୍ମଣୀ ତଟରେ ପୌରାଣୀକ କଳ୍ପନାରେ ଏହି ମୂର୍ତ୍ତି ନିର୍ମାଣ କରାଯାଇଥିଲା ବୋଲି ଅନୁମିତ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2012-01-11. Retrieved 2012-07-08. {{cite web}}: Cite has empty unknown parameter: |1= (help)
  2. http://www.orissagateway.com/features/Arts_and_Architecture/Architecture/Archeological_Sites/Bhimakhand/[permanent dead link]

20°56′00″N 85°17′00″E / 20.933301°N 85.283273°E / 20.933301; 85.283273