ଛେରାପହଁରା

ଉଇକିପିଡ଼ିଆ ରୁ
Jump to navigation Jump to search

ପୁରୀ ଗଜପତି ମହାରାଜା ରଥଯାତ୍ରାବାହୁଡ଼ା ଯାତ୍ରା ବ୍ୟତୀତ ଦୋଳବେଦୀରେ , ସ୍ନାନବେଦୀରେ ଓ ଚାପଉପରେ ଛେରା ପହଁରା ସେବା କରନ୍ତି । ସେହି ସ୍ଥାନକୁ ସୁନା ପହଁରାରେ ଓଳେଇ ସଫା କରିଥାନ୍ତି । ଶ୍ରୀଗୁଣ୍ଡିଚା ଓ ବାହୁଡା଼ ଯାତ୍ରାର ଅନ୍ୟତମ ମୂଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ତିନି ରଥ ଉପରେ ଛେରାପହଁରା ସେବା । ଏହି ଛେରାପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କ ସମାଗମ ହୋଇଥାଏ ।

ଇତିହାସ[ସମ୍ପାଦନା]

ବିଭିନ୍ନ ପ୍ରାଚୀନ ଗ୍ରନ୍ଥ, କାବ୍ୟ ଇତ୍ୟାଦିରେ ଛେରା ପହଁରା ନୀତି ଯେଉଁ ଭାବରେ ବର୍ଣ୍ଣିତ ହୋଇଛି, ତାହା ଦୀର୍ଘ ଏକ ଶହ ବର୍ଷ ମଧ୍ୟରେ ସେପରି ଭାବରେ ଅନୁଷ୍ଠିତ ହେଉନଥିବା ଜଣାଯାଏ । କେତେକ ଐତିହାସିକ, ପ୍ରାବନ୍ଧିକ ଏବଂ ଗବେଷକମାନଙ୍କ ମତରେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଏହି ଛେରା ପହଁରା ନୀତି ଆରମ୍ଭ ହୋଇଥିଲା। ଆଜକୁ ପ୍ରାୟ ୫୦୦ ବର୍ଷ ପୂର୍ବେ ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ କାଳରେ ପୁରୀ ଗଣାମଲ୍ଲ ସାହି ନିବାସୀ ତତ୍କାଳୀନ ଦେଉଳକରଣ ସେବକ ଗୋବିନ୍ଦ ପଟ୍ଟନାୟକ (ସାନ୍ତରା) କୁଞ୍ଜ ମଠରେ ଦୀକ୍ଷା ଗ୍ରହଣ କରି ଗୋବିନ୍ଦ ଦାସ ବାବାଜୀ ନାମରେ ପରିଚିତ ହେବା ସଙ୍ଗେ ସଙ୍ଗେ ୧୪୫୬ ଶକାବ୍ଦରେ ଶ୍ରୀଚୈତନ୍ୟ ଚକଡା଼ ପୋଥି ରଚନା ଶେଷ କରି ତାହା ପ୍ରତାପରୁଦ୍ର ଦେବଙ୍କୁ ଅର୍ପଣ କରିଥିଲେ।

ପ୍ରତାପରୁଦ୍ର ନୃପଣି ମାର୍ଜନୀ ଧରିଣ
ଛତା ତଳୁ ପହଁରିଲେ ପଥ ନୃପରାଣ
ତାର ଭାବ ଦେଖି ଗୋରା ବୋଲେ ଆଣ୍ଟ କରି
ଯେ ନୋହେ ରାଜନ କୃଷ୍ଣ ପାର୍ଶ୍ୱଦ କିଶୋରୀ
ଧନ୍ୟ ରାଜା ମାର୍ଜନୀର କରେ ସେବା କରେ
ଯେ ଜଗତେ ନାହିଁ କାହିଁ ଅଛି ନୀଳାଚଳେ।

ଏଠାରେ ବର୍ଣ୍ଣିତ ହୋଇଥିବା ଛତାତଳ ଅର୍ଥ ସିଂହଦ୍ୱାରଠାରେ ଅବସ୍ଥିତ ବଡ଼ଛତା ମଠ ଠାରୁ ରଥ ପର୍ଯ୍ୟନ୍ତ । ଏପରିକି ଚୈତନ୍ୟଙ୍କ ତିରୋଧାନର ୮୦ବର୍ଷ ପରେ କୃଷ୍ଣ ଦାସ କବିରାଜ ଗୋସ୍ୱମୀଙ୍କ ପ୍ରଣୀତ ଶ୍ରୀଚୈତନ୍ୟ ଚରିତାମୃତ ଗ୍ରନ୍ଥରେ ଛେରା ପହଁରା ସମ୍ପର୍କରେ ଉଲ୍ଲେଖ ଅଛି ଯେ,

ତବେ ପ୍ରତାପରୁଦ୍ର କରେ ଆପନ ସେବନ
ସୁବର୍ଣ୍ଣ ମାର୍ଜନୀ ଲେୟା କରେ ପଥ ସମ୍ମାର୍ଜନ
ଚନ୍ଦନ ଜଳେତେ କରେନ ପଥ ନିଷିଞ୍ଚବେ
ତୁଚ୍ଛ ସେବା କରେ ବୈସେ ରାଜ ସିଂହାସନେ
ଉତ୍ତମ ହେୟା ରାଜା କରେ ତୁଚ୍ଛ ସେବନ ।

ପଥ କହିଲେ ରାସ୍ତାକୁ ବୁଝାଯାଉଅଛି। ସୁତରାଂ ସେହି ସମୟରେ ଠାକୁରମାନେ ପହଣ୍ଡି ହୋଇ ଆସୁଥିବା ରାସ୍ତାକୁ ସୁବର୍ଣ୍ଣ ମାର୍ଜନୀରେ ଗଜପତିମାନେ ସଫାକରି ଭକ୍ତିଭାବର ପରିଚୟ ଦେଉଥିଲେ । ଇଂରେଜ ପ୍ରଶାସକ ଜନ ବିମସ (୧୮୬୯-୧୮୭୭)ଙ୍କଦ୍ୱାରା ରଚିତ Memories of a Bengal Civilian ପୁସ୍ତକର ୩୨୩ ପୃଷ୍ଠାର ଶେଷଭାଗରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଜଗନ୍ନାଥ ରଥରେ ବସିଯିବାର ବଡ଼ ଉତ୍ସବ ଦିନ ରାଜା ମନ୍ଦିର ଆଗରେ ଥିବା ପାହାଚକୁ ସୁନାର ପହଁରାରେ ଓଳାନ୍ତି । ଏଥିରୁ ଅନୁମିତ ହୁଏ ଯେ, ଗଜପତି ଦିବ୍ୟସିଂହ ଦେବଙ୍କ ପର୍ଯ୍ୟନ୍ତ ଠାକୁରମାନଙ୍କ ପହଣ୍ଡି ବେଳେ ଶ୍ରୀମନ୍ଦିର ଆଗରେ ପାହଚ ଓ ରାସ୍ତକୁ ସୁନା ଖଡି଼କାରେ ଓଳାଇବା ବିଧି ବଳବତ୍ତର ଥିଲା । ମାତ୍ର ତାଙ୍କ ରୁଗ୍ଣ ପୁତ୍ର ରାଜା ମୁକୁନ୍ଦ ଦେବଙ୍କ ସମୟରେ ରଥ ଉପରର ଚତୁଃପାର୍ଶ୍ୱ ଛେରା ପହଁରାର ନୂତନ ବିଧି ବିଧାନ ହୋଇଥିଲା ଏବଂ ଏହି ପ୍ରଥା ଅଦ୍ୟାବଧି ଅନୁସୃତ ହୋଇ ଆସୁଅଛି। [୧୯]

ନାମକରଣ[ସମ୍ପାଦନା]

ଛେରା ଓ ପହଁରା ଦୁଇଟି ଶବ୍ଦର ସମ୍ମିଶ୍ରଣରେ ଛେରା ପହଁରାର ସୃଷ୍ଟି। ଛେରା ଶବ୍ଦର ଅର୍ଥ ତରତଳା , ଯାହାକି ବହଳିଆ ଘୋରା ଚନ୍ଦନକୁ ବୁଝାଏ। ପହଁରା ଶବ୍ଦର ଅର୍ଥ ଓଳାଇବା । [୨୦] ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତ୍ତକ, ଚାମର, ଆଲଟ ସେବା, ପୟମାଳା ଗ୍ରହଣ ଆଦି ଅନ୍ତର୍ଭୁକ୍ତ। ତିନି ରଥ ଉପରେ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ ହୋଇ ରଥାରୁଢ଼ ହେବାପରେ ଏବଂ ଅନ୍ୟାନ୍ୟ ନୀତି ଯଥା ମଦନମୋହନ, ରାମ, କୃଷ୍ଣ ବିଜେ , ସୋଲ, ଚିତା ଲାଗି ରୁନ୍ଧା ଇତ୍ୟାଦି ନୀତି ବଢିବା ପରେ ମୁଖ୍ୟ ବିଗ୍ରହଙ୍କ ମଇଲମ ଓ ମାଳଫୁଲ ଲାଗି ହୋଇଥାଏ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜନୈକ ପଦାଧିକାରୀ, ଶ୍ରୀମନ୍ଦିର କମାଣ୍ଡର, ଆବଶ୍ୟକ ସଂଖ୍ୟକ ପୋଲିସ ଶ୍ରୀନଅର ନିକଟକୁ ଯାଇ ବିଧିବଦ୍ଧ ଭାବରେ ଗଜପତି ମହାରାଜାଙ୍କୁ ଛେରା ପହଁରା ସେବା କରିବା ପାଇଁ ଖବର ପଠାଇଥାନ୍ତି । ଖବର ପାଇ ଗଜପତି ମହାରାଜ ପାରମ୍ପାରିକ ପୋଷାକ ପରିଧାନ କରି ସମ୍ପୂର୍ଣ୍ଣ ରାଜକୀୟ ବେଶରେ ଆସିଥାନ୍ତି । ଉକ୍ତଦିନ ଛେରା ପହଁରା ନୀତି ସରିବା ଯାଏଁ ଗଜପତି ମହାରାଜା ଉପବାସ ରହିବା ସଙ୍ଗେ ସଙ୍ଗେ ଶ୍ରୀନଅରର ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗା ଠାକୁରାଣୀଙ୍କୁ ପ୍ରଣାମ କରି ଶ୍ରୀନଅର ଅଗଣାରେ ରଖାଯାଇଥିବା ହାତୀଦନ୍ତ ଓ ରୌପ୍ୟ ନିର୍ମିତ ତାମଯାନ (ମେହେନା)ରେ ବିଜେ କରିଥାନ୍ତି।

ନୀତି ବିଧାନ[ସମ୍ପାଦନା]

ସର୍ବପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରନ୍ତି। ପ୍ରଥମେ ଗରାବଡୁ ସେବକଙ୍କଠାରୁ ହାତୁଆଣି (ରାଜାଙ୍କ ହାତକୁ ଉକ୍ତ ସେବକ ପାଣି ବଢାଇଥାନ୍ତି) ନେଇ ଗଜପତି ପୁଷ୍ପାଞ୍ଜଳି ପ୍ରଦାନ କରିଥାନ୍ତି। ସୁନା କର୍ପୂର ଆଳତିରେ କର୍ପୂର ବସାଇ ଭଣ୍ଡାର ମେକପ ରାଜାଙ୍କ ହସ୍ତକୁ ବଢାଇଥାନ୍ତି । ରାଜା ଠାକୁରଙ୍କ ସମ୍ମୁଖରେ ଆରତି କରି ସୁନା ଚାମର ଆଲଟ ସେବା କରିଥାନ୍ତି। ତତ୍ପରେ ରଥ ଉପରେ ସିଂହାସନ ତଳକୁ ଓହ୍ଲାଇଥାନ୍ତି। ପୂର୍ବରୁ ଦୟଣାମାଳି ଦେଇଥିବା ଶୁକ୍ଳ ଫୁଲ ଭଣ୍ଡାର ମେକାପ ପୂଜା ପିଙ୍ଗଣରେ ଧରିଥାଏ। ଏହି ସମୟରେ ରାଜଗୁରୁ ମୁଦୁଲି ସେବକଙ୍କଠାରୁ ସୁନା ଖଡି଼କା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢାଇଥାନ୍ତି । ଭଣ୍ଡାର ମେକପ ରଥର ଚାରି ପାଖରେ ବୁଲି ଶୁକ୍ଳ ଫୁଲ ଆଗରେ ପକାଉଥିବେ ଓ ଗଜପତି ମହାରାଜା ସୁନା ଖଡିକା ଧରି ରଥ ଚାରି ପାଖେ ପହଁରିଥାନ୍ତି । ଏହା ପରେ ଘଟୁଆରୀ ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନ ପାଣିକୁ ରାଜଗୁରୁ ସଂସ୍କାର କରିବାପରେ ଭଣ୍ଡାର ମେକପ ଗଜପତିଙ୍କ ହସ୍ତକୁ ବଢାଇଥାନ୍ତି। ତତ୍ପରେ ଗଜପତି ଚନ୍ଦନପାଣି ରଥ ଚାରିପଟରେ ଛିଞ୍ଚିଥାନ୍ତି । ଏହି କ୍ରମରେ ବଳଭଦ୍ର, ଜଗନ୍ନାଥସୁଭଦ୍ରାଙ୍କ ରଥ ଉପରେ ଛେରା ପହଁରା ସରିଥାଏ । ଛେରା ପହଁରା ନୀତି ସରିବା ପରେ ତାମଯାନରେ ଗଜପତି ମହାରାଜା ପଟୁଆର ସହ ଶ୍ରୀନଅର ଅଭିମୁଖେ ଯାତ୍ରା କରିଥାନ୍ତି। ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ତଥା ପରମ୍ପରା ଅନୁଯାୟୀ ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ଉକ୍ତ ସେବା ମୁଦିରଥ ସେବକ କରିଥାନ୍ତି। [୨୧] ଏପରିକି ଅତୀତରେ ବହୁବର୍ଷ ଧରି ମୁଦିରଥ ସେବକ ଛେରା ପହଁରା ସେବା କରିଥିବାର ପ୍ରମାଣ ରହିଛି । ଅତୀତରେ ଶ୍ରୀକ୍ଷେତ୍ରରେ ପାଳିତ ରଥଯାତ୍ରାରେ ଗଜପତି ମହାରାଜାମାନେ ଛେରା ପହଁରା ନିମିତ୍ତ ବହୁ ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ବାହାରୁଥିଲେ । ପୂର୍ବେ ଖୋର୍ଦ୍ଧା ତଥା ପୁରୀ ଗଜପତି ମହାରାଜାମାନେ ଏକାଧିକ ହସ୍ତୀ ଗୃହପାଳିତ ପଶୁ ରୂପେ ପାଳନ କରୁଥିଲେ । ରଥଯାତ୍ରା ଅବସରରେ ଗଜପତି ମହାରାଜାମାନେ ରଥରେ ଛେରା ପହଁରା ସେବା କରିବା ସମୟରେ ସୁସଜ୍ଜିତ ହସ୍ତୀ ମଧ୍ୟ ଶୋଭାଯାତ୍ରାର ଅଗ୍ରଭାଗରେ ରହୁଥିଲେ, ଯାହାକି ଅତ୍ୟନ୍ତ ମନମୁଗ୍ଧକର ଦୃଶ୍ୟ ଅଟେ। ପୂର୍ବ ପରମ୍ପରାକୁ ରକ୍ଷାକରି ପୁରୀ ଗଜପତି ମହାରାଜାଙ୍କଦ୍ୱାରା ପ୍ରତିପାଳିତ ପ୍ରାୟ ଚାରି ପାଞ୍ଚଗୋଟି ହସ୍ତୀ ମଧ୍ୟରୁ କ୍ରମେ କ୍ରମେ କ୍ଷୟହୋଇ ଶେଷକୁ ମାତ୍ର ଦୁଇଗୋଟି ହସ୍ତୀ ଥିଲେ । ତନ୍ମଧ୍ୟରୁ ଗଙ୍ଗାରାମ ନାମକ ଏକ ହସ୍ତୀକୁ ଗଜପତି ମହାରାଜ ବୀରକିଶୋର ଦେବ (ଖ୍ରୀ.ଅ. ୧୯୫୬-୧୯୭୦)ଙ୍କ ସମୟରେ ମସ୍ତିଷ୍କ ବିକୃତି ଯୋଗୁଁ ମାରି ଦିଆଯାଇଥିଲା ଏବଂ ମୋତି ନାମକ ଶେଷ ହସ୍ତୀଟିର ଏକ ଆକସ୍ମିକ ଦୁର୍ଘଟଣା ବଶତଃ ୧୯୭୭ ମସିହାରେ ମୃତ୍ୟୁ ହୋଇଯାଇଥିଲା । ଅପରପକ୍ଷରେ ହସ୍ତୀ ପାଳନ ବହୁ ବ୍ୟୟ ସାପେକ୍ଷ ହେଉଥିବାରୁ ଗଜପତିଙ୍କ ବଂଶରେ ହସ୍ତୀ ପାଳନ ପରମ୍ପରାରେ ପୂର୍ଣ୍ଣଛେଦ ପଡିଲା । ବିଗତ କିଛିଦିନ ଧରି ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ଛେରା ପହଁରା ଶୋଭାଯାତ୍ରାରେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ନନ୍ଦନକାନନରୁ ଏକ ହସ୍ତୀ ଅଣାଯାଉଥିଲା । କିନ୍ତୁ କେତେକ ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ନନ୍ଦନକାନନ କର୍ତ୍ତୃପକ୍ଷ ଆଉ ହସ୍ତୀ ଯୋଗାଉ ନାହାନ୍ତି । ୨୦୦୧ ଏବଂ ୨୦୦୨ ମସିହାରେ ବାରଣାସୀର ଜୈନକ ହାତୀ ବ୍ୟବସାୟୀ ଦୁଇଟି ହସ୍ତୀକୁ ପୁରୀକୁ ଆଣି ରଥଯାତ୍ରାରେ ଅଂଶଗ୍ରହଣ କରି ଫେରି ଯାଉଥିବା ଜଣାଯାଏ । ସମ୍ପ୍ରତି କେତେକ ଅସୁବିଧା କାରଣବଶତଃ ପାଞ୍ଚ ବର୍ଷ ଧରି ଛେରା ପହଁରା ନିମିତ୍ତ ହସ୍ତୀ ଯୋଗଦାନ କରୁନାହାନ୍ତି ।

ବ୍ୟବହୃତ ସଜ[ସମ୍ପାଦନା]

ଏହି ସେବାରେ ଫୁଲ, ଚନ୍ଦନ, ପାଣି, ସୁନା ଖଡ଼ିକା ବା ସୁନା ପହଁରା ଆଦି ।

ଛେରା ପହଁରା କରିନଥିଲେ ଗଜପତି[ସମ୍ପାଦନା]

ରଥ ଚକଡା଼ରେ ଛେରା ପହଁରା ସମ୍ପର୍କୀୟ ଏକ ବିବରଣୀ ମିଳୁଅଛି । ଯଥା : ଶ୍ରୀରାମଚନ୍ଦ୍ର ଦେବ ମୋଗଲ ହେବାରୁ ରାମଚନ୍ଦ୍ର ବଡ଼ଜେନା ରାଉତ ରାଜୁତିରେ ମୁନିମ ଖାଁ ଡରରେ ପାଲରେ ପଡି ମୋଗଲ ବୋଲାଇଲେ । ଶକବତ୍ସରେ ୧୫୦୮ରେ ରଥଯାତ୍ରାରେ ରାଜାଥାଇ ମୋଗଲ ହୋଇଯିବାରୁ ଛେରା ପହଁରା କରିବା ନୋହିଲା ମୁଦିରଥ (ମୁଦ୍ର ହସ୍ତ) ଶାଢୀ଼ ନଥିବାରୁ ଛେରା ପହଁରା ଦାମୋଦର ଚମ୍ପତିରାୟ ଛେରା ପହଁରା କରିବା କଥା ଉଠିଲା । ମାତ୍ର ପରିଶେଷରେ ଭିତରଚ୍ଛ ନାରୟଣ ମହାପାତ୍ର ଛେରା ପହଁରା କଲେ ।୧୯୦୩ ମସିହା, ଶ୍ରୀବିଗ୍ରହଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ସରିଥାଏ । ସିଂହଦ୍ୱାରରେ ତିନି ରଥ ଅପେକ୍ଷା କରି ରହିଥାନ୍ତି । ପ୍ରଥମେ ବିଜେ କରିଥଲେ ଶ୍ରୀସୁଦର୍ଶନ । ତା’ପରେ ବଡ଼ ଠାକୁର ଶ୍ରୀବଳଭଦ୍ରର ସେବକଙ୍କ ଗହଣରେ ପହଣ୍ଡି ହୋଇ ଆସୁଥଲେ । ସାଙ୍ଗରେ ଥିଲେ ଗଜପତି ମହାରାଜା ମୁକୁନ୍ଦଦେବ (ତୃତୀୟ) । ହେଲେ ହାତରେ ନଥିଲେ ସୁବର୍ଣ୍ଣ ଝାଡ଼ୁ କି ସେ ପହଁରାଉନଥିଲେ ବଡ଼ଠାକୁରଙ୍କ ପଥକୁ । ଛେରାପହଁରା ରାଜାଙ୍କର ନିଜସ୍ୱ ସେବା ହୋଇଥବା ବେଳେ ସେଥର ସେବା କରୁଥଲେ ମୁଦିରସ୍ତ। ସେତେବେଳେ ମ୍ୟାନେଜରଙ୍କ ପରାମର୍ଶରେ ସେ ସୁବର୍ଣ୍ଣ ଝାଡୁ ଧରି ଛେରାପହଁରା କରିଥଲେ । ସେହିବର୍ଷ ଥିଲା ତାଙ୍କର ଶେଷ ଛେରାପହଁରା ବୋଲି ବର୍ଣ୍ଣନା ରହିଛି ପ୍ରାଚୀନ ଉତ୍କଳ ପତ୍ରିକାରେ । ସେଥରେ ଲେଖା ରହିଛି, ଗଜପତି ଛେରାପହଁରା କରିବା କଥା । ମାତ୍ର ତୃତୀୟ ମୁକୁନ୍ଦଦେବ ସେଥୁରୁ ଦୂରେଇ ରହୁଥଲେ । ଇତିହାସରୁ ଜଣାଯାଇଛି ୧୮୮୮ ମସିହାରେ ରାଜଗାଦିରେ ଅଧିଷ୍ଠିତ ହୋଇଥଲେ । ସେହିବର୍ଷ ମାଆଙ୍କ ସହ ଯାଇ ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କ ଦର୍ଶନ କରି ଥିଲେ । କିନ୍ତୁ ସେ ରଥଯାତ୍ରାରେ ଆସି ନଥିଲେ । ୧୮୯୩ ମସିହାରେ ପଡ଼ିଥୁଲା ନବକଳେବର । ସେ ବର୍ଷ ସେ ସ୍ନାନ ପୂର୍ଣ୍ଣମୀରେ ସ୍ନାନବେଦୀରେ ଛେରାପହଁରା କରିଥିଲେ । ମାତ୍ର ସେହି ବର୍ଷ ନବକଳେବର ହୋଇ ନଥିଲା, କେବଳ ଉପର ଲୁଗା ପରିବର୍ତ୍ତନ କରାଯାଇଥଲା । ସେଥର ରଥରେ ମଧ୍ୟ ମୁକୁନ୍ଦ ଦେବ ଛେରାପହଁରା କଲେନାହିଁ । ୧୯୧୭ରେ ସେ ଗାଦିଚ୍ୟୁତ ହେବା ପର୍ଯ୍ୟନ୍ତ ଛେରାପହଁରା କରି ନଥିଲେ । ଏହା ପରେ ରାଜଗାଦିରେ ବସିଥଲେ ଗଜପତି ବୀରକିଶୋର ଦେବ । ଶ୍ରୀମନ୍ଦିର ରେକର୍ଡ ଓ ଇତିହାସର ତଥ୍ୟ ଅନୁଯାୟୀ ଗଜପତି ବୀରକିଶୋର ଦେବ ବହୁବର୍ଷ ଧରି ଛେରାପହଁରା କରି ନଥିଲେ । ଅନେକ ସମୟରେ ମୁଦିରସ୍ତ ହିଁ ଛେରାପହଁରା କରୁଥଲେ । ସେମିତି ଶ୍ରୀବିଗ୍ରହଙ୍କର ପ୍ରତିବର୍ଷ ରଥଯାତ୍ରା ହେଉଥାଏ । ଗଜପତିଙ୍କୁ ଛେରାପହଁରା କରୁଥବା ଦେଖିବା ପାଇଁ ଭକ୍ତମାନେ ଚାହିଁଥାନ୍ତି । ହେଲେ ଆସନ୍ତି ନାହିଁ ଗଜପତି ମହାରାଜା କି କରନ୍ତି ନାହିଁ ଛେରାପହଁରା । ଏମିତି ଅନେକ ବର୍ଷ ଗଜପତିଙ୍କୁ ଛେରାପହଁରା କରୁଥିବାର ଭକ୍ତମାନେ ଦେଖିନାହାନ୍ତି । ଇତିହାସର ତଥ୍ୟ ଅନୁଯାୟୀ ମୁକୁନ୍ଦ ଦେବ (୩ୟ) ୧୮ ବର୍ଷ, ଦିବ୍ୟସିଂହ ଦେବ ୫ ବର୍ଷ ଓ ବୀରକିଶୋର ଦେବ ୧୮ ବର୍ଷ ମୋଟ ୪୧ ବର୍ଷ ଗଜପତିମାନେ ରଥଯାତ୍ରା ଏବଂ ସ୍ନାନଯାତ୍ରାରେ ଛେରାପହଁରା କରିନାହାନ୍ତି । ଏହି ସମୟରେ ଗଜପତିଙ୍କ ପ୍ରତିନିଧି ଭାବେ ଜଣାଶୁଣା ମୁଦିରସ୍ତ ହିଁ କରିଥାନ୍ତି ଛେରାପହଁରା । ୧୭ ଶହ ମସିହା ମଧ୍ୟଭାଗର କଥା, ଭୋଇ ବଂଶର ରାଜା ବୀରକିଶୋର ଦେବ ପାରଳାର ରାଜା ଜଗନ୍ନାଥ ନାରୟଣଙ୍କ ସହ ଯୁଦ୍ଧ କରିଥୁଲେ । ଏହି ଯୁଦ୍ଧରେ ବୀରକିଶୋର ଦେବ ପରାସ୍ତ ହେବା ପରେ ନିଜର ସୁରକ୍ଷା ପାଇଁ ମରହଟ୍ଟା ସୁବେଦାର ସିଓ ଭଟ୍ଟ ସାଠେଙ୍କ ଶରଣାପନ୍ନ ହୋଇଥିଲେ । ମରହଟ୍ଟାମାନେ ବୀରକିଶୋର ଦେବଙ୍କୁ ଶରଣ ଦେଇଥଲେ ଏକ ସର୍ତ୍ତରେ,ମରହଟ୍ଟା ବୀରକିଶୋର ଦେବଙ୍କ ପାଇଁ ପାରଳା ରାଜାଙ୍କ ସହ ଯୁଦ୍ଧ କରିବେ । ମରହଟ୍ଟାମାନେ ଯୁଦ୍ଧରେ ପାରଳା ରାଜାଙ୍କୁ ପରାସ୍ତ କଲେ । ଏହା ପରେ ସର୍ତ୍ତ ମୁତାବକ ଗଜପତି ବୀରକିଶୋର ଦେବ ମରହଟ୍ଟାମାନଙ୍କୁ ଯୁଦ୍ଧଖର୍ଚ୍ଚ ଦେବାର ଥିଲା । ମାତ୍ର ଗଜପତି ମରହଟ୍ଟାଙ୍କୁ ସେହି ସର୍ତ୍ତ ମୁତାବକ ଯୁଦ୍ଧ ଖର୍ଚ୍ଚ ଦେଇପାରି ନଥିଲେ । ଫଳରେ ମରହଟ୍ଟାମାନେ ଗଜପତିଙ୍କ ଶାସନାଧୀନ ଥିବା ବିଭିନ୍ନ ପ୍ରଗଣା ସହ ପୁରୁଷୋତ୍ତମ କ୍ଷେତ୍ର ଓ ୧୪ ଗଡ଼ଜାତ ରiଜ୍ୟ ଜୋରଜବରଦସ୍ତି ଦଖଲ କରି ନେଇଥଲେ । ୧୭୭୯ ବେଳକୁ, ବୀରକିଶୋର ଦେବ ପାଗଳପ୍ରାୟ ହୋଇଗଲେ । ୧୭୯୩ ମସିହା ପର୍ଯ୍ୟନ୍ତ ଅର୍ଥାତ ୧୪ ବର୍ଷ ପାଗଳ ହୋଇ ରହିଥିବା ଗଜପତିଙ୍କର ରଥଯାତ୍ରା ସହ ସମ୍ପର୍କ ରହି ନଅଲା । ମୋଟାମୋଟି ସେ ତାଙ୍କ ଶାସନ କାଳରେ ୧୮ ବର୍ଷ ଧରି ରଥଯାତ୍ରାରେ ଛେରାପହଁରା କରିନଥିଲେ ଓ ଠାକୁରଙ୍କ ରୀତିନୀତିଠାରୁ ଦୂରେଇ ରହିଥିଲେ । ବୀରକିଶୋର ଦେବଙ୍କ ନାତି ଦିବ୍ୟସିଂହ ଦେବ ୧୭୯୩ରେ ଗଜପତି ହେଲେ । ସେତେବେଳକୁ ରାଜ୍ୟ ମରହଟ୍ଟାମାନଙ୍କ ଦଖଲରେ ରହିଥିଲା । ଦିବ୍ୟସିଂହ ଦେବ ରାଜା ହେଇ ମରହଟ୍ଟାଙ୍କଠାରୁ ରାଜ୍ୟ ଫେରାଇ ଆଣିଥଲେ । ଅବଶ୍ୟ ରାଜ୍ୟ ଫେରି ପାଇବା ପାଇଁ ମରହଟ୍ଟାମାନଙ୍କୁ କଥା ଦେଇଥଲେ, ଗଜପତି ବର୍ଷକୁ ୧୦ ହଜାର ଟଙ୍କା ପେଚକସ (ମରହଟ୍ଟା ଶବ୍ଦ-ଭଡ଼ା ସୁତ୍ରେ) ଦେବେ । ରାଜ୍ୟ ଶାସନ ସିନା ହାତକୁ ନେଲେ, ହେଲେ ରାଜସ୍ୱ ଆୟ ନ ଆସିବାରୁ ଦିବ୍ୟସିଂହ ଦେବ ପେଚକସ ଦେଇପାରିଲେ ନାହିଁ । ଫଳରେ ୫ ବର୍ଷ ଧରି ମରହଟ୍ଟାଙ୍କ ସହ ତାଙ୍କର ବିବାଦ ଦେଖାଦେଲା । ସେହି ସମୟରେ ଅର୍ଥାତ ୧୭୯୩ରୁ ୧୭୯୮ ଦିବ୍ୟସିଂହ ଦେବ ଛେରାପହଁରା କରିନଥିଲେ । ୧୭୯୮ରେ ମୁକୁନ୍ଦ ଦେବ (ଦ୍ୱିତୀୟ) ଗଜପତି ହେଲେ । ରାଜଗାଦିରେ ବସିବାଠାରୁ ଅର୍ଥାତ ୧୭୯୮ରୁ ତାଙ୍କ ଅମଳରେ ବିଶୃଙ୍ଖଳା ଲାଗି ରହିଲା । ଗୋଟିଏ ପଟେ ମରହଟ୍ଟା, ଅନ୍ୟପଟେ ବ୍ରିଟିଶର ଚାପରେ ରହିଥିଲେ ଗଜପତି । ଏହି ଗଜପତିଙ୍କ ସମୟରେ ଦ୍ୱିତୀୟ ମରହଟ୍ଟା ସମର ମଧ୍ୟ ହୋଇଥଲା । ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ଏହା ପରେ ଇଂରେଜମାନଙ୍କ ସହ ଜୟୀ ରାଜଗୁରୁ ଯୁଦ୍ଧ କରିଥଲେ । ୧୮୦୫ ଇଂରେଜମାନେ ଜୟୀ ରାଜଗୁରୁଙ୍କୁ ଫାଶୀ ଦେଇଥୁଲେ । ଏହା ଭିତରେ ୮ ବର୍ଷ ଧରି ଗଜପତିଙ୍କର ଛେରାପହଁରା କରିବାର ସୁଯୋଗ ନଥିଲେ । ଜୟୀ ରାଜଗୁରୁଙ୍କ ଫାଶୀ ପରେ ମୁକୁନ୍ଦଦେବଙ୍କୁ ବାରବାଟୀ ଜେଲରୁ ଖଲାସ କରାଗଲ। । ମାତ୍ର ସେ ରାଜଗiଦିରେ ବସିପାରିଲେ ନାହିଁ । ଏଣେତେଣେ ବୁଲାବୁଲି କରି ଲୁଚି ଶେଷରେ ଆଠଗଡ଼ ରାଜାଙ୍କ ଆଶ୍ରୟରେ ରହିଲେ । ଏହି ସମୟରେ ବକ୍ସି ଜଗବନ୍ଧୁଙ୍କ ବିଦ୍ରୋହ ଆରମ୍ଭ ହେଲା । ପୁଣି ମୁକୁନ୍ଦ ଦେବ ବାରବାଟୀରେ ବନ୍ଦୀ ହୋଇ ରହିଲେ । ୧୮୧୭ ମସିହାରେ ବାରବାଟୀର ବନ୍ଦୀଗୃହରେ ତାଙ୍କର ଦେହାନ୍ତ ହେଲା । ସେ ୧୮ ବର୍ଷ ଧରି ରଥରେ ଛେରା ପହଁରା କରିପାରି ନଥିଲେ । ଏହି ଭଳି ଭାବେ ୧୯୧୭ ପର୍ଯ୍ୟନ୍ତ ଅନେକ ସମୟରେ ଗଜପତି ମହାରଜା ଛେରାପହଁର। ଭଳି ମହାପ୍ରଭୁଙ୍କ ସେବାରୁ ଦୂରେଇ ରହିଲେ । ଏହା ପରେ ବର୍ଭମାନର ଗଜପତି ଦିବ୍ୟସିଂହ ଦେବଙ୍କ ବାପ। ବୀରକିଶୋର ଦେବ ଗଜପତି ହୋଇଥଲେ । ତାଙ୍କ ସମୟରେ ମଧ୍ୟ ବିଗ୍ରହଙ୍କ ଛେରାପହଁରାରେ ଗଜପତିଙ୍କ ସମ୍ପୃକ୍ତି ବହୁତ କମ ରହିଥୁଲା । ହେଲେ ବର୍ଭମାନର ଗଜପତି ରiଜ ଦିବ୍ୟସିଂହ ଦେବ ୧୯୭oରେ ସିଂହାସନ ଆରୋହଣ କରିବା ପରେ ୧୯୭୧ ମସିହା ରଥଯାତ୍ରାଠାରୁ ଛେରାପହଁରା ସେବାରେ ସାମିଲ ହେଉଛନ୍ତି । ମାତ୍ର ୧୯୭୬ ରଥଯାତ୍ରାରେ ଗଜପତି ପହଞ୍ଚିପାରି ନଥିବାରୁ ଛେରାପହଁରା କରିଥଲେ ପଦ୍ମନାମ ମୁଦିରସ୍ତ । ସେହିପରି ୨୦୦୮ ମସିହା ସ୍ନାନଯାତ୍ରାରେ ଗଜପତି ଛେରାପହଁରା କରି ପାରି ନଥିଲେ । ତାଙ୍କ ଆନୁପସ୍ଥିତିରେ ଛେରାପହଁରା କରିଥିଲେ ମୁଦିରସ୍ତ ଲେ।କନାଥ । ଏହା ବ୍ୟତିତ ନିୟମିତ ରଥଯାତ୍ରା ଓ ସ୍ନାନଯାତ୍ରରେ ଛୋରା ପହଁରା କରୁଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ ।(୪ ର୍ଥ)।[୧]

ଆଧାର[ସମ୍ପାଦନା]

  1. ଛେରା ପହଁରା କରିନଥିଲେ ଗଜପତି. କଟକ: ଅଶିର୍ବାଦ ପ୍ରକାଶନ. 28 August 2015. pp. ୩୮, ୩୯.