ବକ୍ସି ଜଗବନ୍ଧୁ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବକ୍ସି ଜଗବନ୍ଧୁ
Buxi Jagabandhu Statue.jpg
ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏ
ଜନ୍ମ ଓ ଜନ୍ମସ୍ଥାନ ୧୭୭୩
ମୃତ୍ୟୁ ୨୪ ଜାନୁଆରୀ ୧୮୨୯(୧୮୨୯-୦୧-୨୪)[୧]
କଟକ
ଜାତୀୟତା  ଭାରତୀୟ
ଜୀବିକା ସେନାପତି
ପ୍ରସିଦ୍ଧି ପାଇକ ବିଦ୍ରୋହ
କଳ୍ପନା ଛକ ସ୍ଥିତ ରାଜ୍ୟ ସଂଗ୍ରହାଳୟ ସାମ୍ନାରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି

ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏ (ତାଙ୍କୁ "ବକ୍ସି ଜଗବନ୍ଧୁ" ଓ "ପାଇକ ବକ୍ସି" ନାମରେ ମଧ୍ୟ ଜଣା) ଖୋର୍ଦ୍ଧା ମହାରାଜାଙ୍କର ସେନାପତି ଓ ବକ୍ସି ଥିଲେ । ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟକାଳରେ ସେ ଥିଲେ ଜଣେ ଯୋଦ୍ଧା । ପାଇକ ବିପ୍ଳବୀ ମାନେ ତାଙ୍କର ନେତୃତ୍ଵରେ ୧୮୧୭ ମସିହାରେ ଫିରିଙ୍ଗି ଶାସନ ବିରୁଦ୍ଧରେ ପାଇକ ବିଦ୍ରୋହ ଆରମ୍ଭ କରିଥିଲେ ।[୨]

ଜୀବନୀ[ସମ୍ପାଦନା]

ବକ୍ସି ଜଗବନ୍ଧୁଙ୍କର ୧୮୦୪ ପୂର୍ବବର୍ତ୍ତୀ ଜୀବନୀ ଏ ପର୍ଯ୍ୟନ୍ତ ଅଜଣା ରହିଛି । କେତେକ ଐତିହାସିକ ମତ ଦିଅନ୍ତି ତାଙ୍କ ଜୀବନ କାଳ ୧୭୮୦ ମସିହାରୁ ୧୮୨୯ ମସିହା ମଧ୍ୟରେ ସୀମାବଦ୍ଧ ଥିଲା ।[୩] ଜଗବନ୍ଧୁ ବିଦ୍ୟାଧର ତାଙ୍କର ପୁର୍ବପୁରୁଷଙ୍କ ଠାରୁ ବଂଶାନୁକ୍ରମେ "ବକ୍ସି" ଉପାଧି ଲାଭ କରି ଖୋର୍ଦ୍ଧା ରାଜାଙ୍କର ସେନାପତି ଭାବେ ଦାୟିତ୍ଵ ବହନ କଲେ, ରାଜାଙ୍କ ପରେ ସେ ଥିଲେ ଦ୍ଵିତୀୟ ଗଣ୍ୟମାନ୍ୟ ବ୍ୟକ୍ତି । ତାଙ୍କ ପରିବାର ପାଇଁ ରାଜାଙ୍କ ଦ୍ଵାରା ଜମି, ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ପତ୍ର ସହ "ରରଙ୍ଗ କିଲ୍ଲା" ର ଜମିଦାରୀ ପ୍ରଦାନ କରାଯାଇ ଥିଲା । ତାଙ୍କର ସେରଗଡ଼ ଓ ବଡ଼ମ୍ବା ରାଜାଙ୍କ ସହିତ ବୈବାହିକ ସମ୍ବନ୍ଧ ଥିଲା । ସୁତରାଂ ସେ ଉଚ୍ଚ ବଂଶଜ ବୋଲି ଅନୁମାନ କରାଯାଏ । ଜଗବନ୍ଧୁ ବିଦ୍ୟାଧର ଭୋଇବଂଶର ପ୍ରଥମ ରାଜା ଗୋବିନ୍ଦ ବିଦ୍ୟାଧରଙ୍କ ମନ୍ତ୍ରୀ ଦନେଇ ବିଦ୍ୟାଧରଙ୍କ ଅଷ୍ଟମ ବଂଶଧର ।[ବିଦ୍ର ୧] ଷ୍ଟାର୍ଲିଂ ସାହେବ ତାଙ୍କର ଓଡ଼ିଶା ଇତିହାସରେ ଗୋଟିଏ କିମ୍ବଦନ୍ତୀ ଉପରେ ଭତ୍ତିି କରି ଲେଖଛିନ୍ତି ଯେ, ଜଗବନ୍ଧୁଙ୍କ ଶାରୀରିକ ଗଠନ ସୁନ୍ଦର ଓ ବଳିଷ୍ଠ ଥିଲା ଏବଂ ସେ ଶକ୍ତିମାନ ପୁରୁଷ ଥିଲେ ।[୩]

ପାଇକ ବିଦ୍ରୋହ[ସମ୍ପାଦନା]

ମୂଳ ଲେଖା: ପାଇକ ବିଦ୍ରୋହ
କଟକର ଧରଣୀଧର ବେହେରାଙ୍କ ଦ୍ୱାରା ଚିତ୍ରିତ ବକ୍ସି ଜଗବନ୍ଧୁ

ଇଂରେଜମାନେ ୧୮୦୪ ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧାର ରାଜା ମୁକୁନ୍ଦ ଦେବଙ୍କୁ ଗାଦିଚ୍ୟୁତ କରି ତାଙ୍କର ରାଜ୍ୟକୁ "ଖାସ୍' କଲେ ଅର୍ଥାତ୍ ପ୍ରତ୍ୟକ୍ଷ ଇଂରେଜ ଶାସନାଧୀନ ଅଞ୍ଚଳ ସହିତ ତାକୁ ମିଶାଇ ଦିଆଗଲା । ପାଇକଙ୍କ ନିଷ୍କର ଜମି ଉପରେ ଉଚ୍ଚ ହାରରେ କର ଧାର୍ଯ୍ୟ ହେଲା । ଫଳରେ ପାଇକମାନେ ତାଙ୍କର ବଂଶାନୁକ୍ରମିକ ନିଷ୍କର ବୃତ୍ତିରୁ ବଞ୍ଚିତ ହେଲେ । ଖୋର୍ଦ୍ଧା ଖାସ୍ ହେବା ପରେ ସେହି ଜମିଦାରୀର ରାଜସ୍ୱ ଅନେକ ପରିମାଣରେ ବୃଦ୍ଧି କରାଯାଇ ଜଣେ ବିଦେଶୀ ଜମିଦାରଙ୍କୁ ପଟ୍ଟା ଦିଆଗଲା । ଅନେକ ସର୍ବସ୍ୱାନ୍ତ ହୋଇ ନିଜର ଘରଦ୍ୱାର ଛାଡ଼ି ନିକଟବର୍ତ୍ତୀ କରଦ ରାଜ୍ୟମାନଙ୍କରେ ଆଶ୍ରୟ ନେଲେ । ଯେଉଁମାନେ ରହିଲେ ସେମାନଙ୍କ ଆର୍ଥିକ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଲା ।

୧୮୧୭ ମସିହାରେ ଇଂରେଜମାନେ ଘୁମୁସର ରାଜା ଧନଞ୍ଜୟ ଭଞ୍ଜଙ୍କୁ ଗୋଟିଏ ହତ୍ୟା ମାମଲା ସମ୍ପର୍କରେ ଗିରଫ କଲେ । ସେହି ଘଟଣାର ପ୍ରତିବାଦରେ ଘୁମୁସରର ୩୦୦/୪୦୦ କନ୍ଧ ବାଣପୁରରେ ପଶି ସରକାରୀ ଖଜଣାଖାନା ଲୁଟ୍ କଲେ ଓ ସରକାରୀ ଦପ୍ତର ସବୁ ଆକ୍ରମଣ କଲେ । କୁହୁଳୁଥିବା ବିଦ୍ରୋହାଗ୍ନି ଜଳି ଉଠିଲା । ଖୋର୍ଦ୍ଧାର ପାଇକମାନେ ଏହି ସୁଯୋଗ ନେଇ ବକ୍ସି ଜଗବନ୍ଧୁଙ୍କର ନେତୃତ୍ୱରେ ଇଂରେଜମାନଙ୍କର ଅନ୍ୟାୟ ନୀତି ଓ ନିର୍ଯାତନା ବିରୁଦ୍ଧରେ ବିଦ୍ରୋହ କଲେ । ଜଗବନ୍ଧୁଙ୍କର ପରମ ଶତ୍ରୁ ଚରଣ ପଟ୍ଟନାୟକ ତାଙ୍କର କ୍ରୋଧାଗ୍ନିର ପ୍ରଥମ ଶିକାର ହେଲେ ।[୩]

ବିଦ୍ରୋହ ଦମନ[ସମ୍ପାଦନା]

ହଠାତ୍ ପାଇକ ବିଦ୍ରୋହ ହେବାରୁ ଇଂରେଜ କର୍ତ୍ତୃପକ୍ଷ ବିବ୍ରତ ହୋଇ ପଡ଼ିଲେ । ପାଇକମାନେ ବାଣପୁର ଓ ଖୋର୍ଦ୍ଧାରେ ଥିବା ସବୁ ସରକାରୀ ଅଫିସ୍ ଭାଙ୍ଗି ଦେଲେ, ଖଜଣାଖାନା ଲୁଟ୍ କଲେ । ପାଇକମାନଙ୍କ ସାଙ୍ଗରେ ଇଂରେଜ ସୈନ୍ୟଙ୍କର ଗଙ୍ଗପଡ଼ା, ବାଳକାଟି, ପିପିଲି ଇତ୍ୟାଦି ସ୍ଥାନମାନଙ୍କରେ ସଂଘର୍ଷ ହୋଇଥିଲା । ତଦ୍ଦ୍ୱାରା ପାଇକମାନଙ୍କର ଗତିରୋଧ ହୋଇ ପାରିଲା ନାହଁ । ପାଇକମାନେ ପୁରୀ ଆଡ଼କୁ ଅଗ୍ରସର ହେଲେ । ପୁରୀରେ ପାଇକମାନେ ଇଂରେଜ ସୈନ୍ୟଙ୍କ ପ୍ରତିରୋଧ କରି ପାରିଲେ ନାହଁ । ଇଂରେଜମାନେ ରାଜା ମୁକୁନ୍ଦ ଦେବଙ୍କୁ ବନ୍ଦୀ କରି କଟକ ଆଣିଲେ । ୧୮୧୭ ମସିହା ଏପି୍ରଲ ମାସ ୧୨ ତାରିଖରେ ସାମରିକ ଆଇନ ପ୍ରବର୍ତ୍ତନ କରାଗଲା । କ୍ରମେ ସେ ଆଇନ ପୁରୀ ଓ ପିପିଲିରେ ପ୍ରବର୍ତ୍ତନ କରାଗଲା । ମେଜର୍ ସାର୍ ଜି. ମାଟିନ୍ଡ଼େଲ୍‌ଙ୍କୁ ସାମରିକ କମିଶନର ରୂପେ ନିଯୁକ୍ତି କରାଗଲା ।[୩] ସେହିବର୍ଷ ଅକ୍ଟୋବର ମାସ ଶେଷ ବେଳକୁ ଇଂରେଜମାନେ ବିଦ୍ରୋହକୁ ସମ୍ପୂର୍ଣ୍ଣ ଭାବରେ ଦମନ କରି ଦେଇଥିଲେ । କିନ୍ତୁ ଇଂରେଜ କର୍ତ୍ତୃପକ୍ଷ ଶାନ୍ତିରେ ନିଃଶ୍ୱାସ ମାରି ପାରିଲେ ନାହଁ । କାରଣ ଜଗବନ୍ଧୁ ବିଦ୍ୟାଧର, କୃଷ୍ଣଚନ୍ଦ୍ର ଭ୍ରମରବର ଓ ସେମାନଙ୍କ ଅନୁଚରମାନେ ଜଙ୍ଗଲରେ ଆତ୍ମଗୋପନ କରି ରହିଲେ । ପୁଣି କେତେବେଳେ ବିଦ୍ରୋହର ନିଆଁ ଜଳି ଉଠିବ ଏହି ଭୟରେ କତ୍ତର୍ପୃକ୍ଷ ସବୁବେଳେ ସତର୍କ ହୋଇ ରହିଥିଲେ ।

ଆତ୍ମସମର୍ପଣ[ସମ୍ପାଦନା]

୧୮୧୮ ମସିହାରୁ ଇଂରେଜ ସୈନ୍ୟ ଓ ଆତ୍ମଗୋପନକାରୀ ପାଇକମାନଙ୍କ ମଧ୍ୟରେ ଲୁଚକାଳି ଖେଳ ଚାଲିଲା । ଶତଚେଷ୍ଟା ସତ୍ତ୍ଵେ ଏପରିକି ଜଗବନ୍ଧୁଙ୍କ ପରିବାରକୁ ବନ୍ଦୀ କରି ରଖିବା ସତ୍ତ୍ଵେ ମଧ୍ୟ ଇଂରେଜମାନେ ବିଦ୍ରୋହୀ ନେତା ଜଗବନ୍ଧୁ, କୃଷ୍ଣଚନ୍ଦ୍ର ଭ୍ରମରବର ଓ ତାଙ୍କର ଅନୁଚରବର୍ଗଙ୍କୁ ଧରି ପାରିଲେ ନାହଁ । ଶେଷରେ ବଡ଼ଲାଟ୍ ନିମ୍ନଲିଖିତ ସର୍ତ୍ତରେ ୧୮୨୨ରେ ଜଗବନ୍ଧୁ ଓ କୃଷ୍ଣଚନ୍ଦ୍ର ଭ୍ରମରବରଙ୍କୁ କ୍ଷମା ଦେବା ବିଷୟ ଘୋଷଣା କଲେ :

  1. ଜଗବନ୍ଧୁ ଓ କୃଷ୍ଣଚନ୍ଦ୍ର ସେମାନଙ୍କର ବଂଶାନୁକ୍ରମିକ ପଦବୀ "ବକ୍ସି' ଓ "ଦେଓ୍ୱାନ୍' ବ୍ୟବହାର କରିବେ ନାହଁ ।
  2. ସେମାନେ କଟକରେ ରହିବେ ଓ ବିନା ଅନୁମତିରେ କଟକ ଛାଡ଼ିବେ ନାହଁ ।
  3. ସେମାନଙ୍କୁ ଯଥାକ୍ରମେ ୧୦୦ ଟଙ୍କା ଓ ୫୦ ଟଙ୍କା ମାସିକ ଭତ୍ତା ଦିଆଯିବ ।

ଏହି ଘୋଷଣା ସତ୍ତ୍ଵେ ଜଗବନ୍ଧୁ, କୃଷ୍ଣଚନ୍ଦ୍ର ଓ ତାଙ୍କର ଅନୁଚରମାନେ ଆତ୍ମସମର୍ପଣ କଲେ ନାହଁ, କିନ୍ତୁ ବିଦ୍ରୋହୀମାନଙ୍କ ଅବସ୍ଥା କ୍ରମେ ଶୋଚନୀୟ ହୋଇ ଉଠିଲା । ଇଂରେଜ କର୍ତ୍ତୃପକ୍ଷଙ୍କ ସତର୍କତା ଯୋଗୁଁ ସେମାନେ କୌଣସି ସୂତ୍ରରୁ ସାହାଯ୍ୟ ପାଇ ପାରିଲେ ନାହଁ । ନୟାଗଡ଼ ଓ ଅନ୍ୟାନ୍ୟ ରାଜାମାନଙ୍କୁ ସତର୍କ କରାଇ ଦିଆଗଲା ଯେ, ସେମାନେ ଯଦି କୌଣସି ପ୍ରକାରର ସାହାଯ୍ୟ କରନ୍ତି, ତେବେ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୁତରାଂ ରାଜାମାନେ ମଧ୍ୟ ଭୟରେ ବିଦ୍ରୋହୀମାନଙ୍କୁ ସାହାଯ୍ୟ କଲେ ନାହଁ । ଏପରି ପରିସ୍ଥିତିରେ ବିଦ୍ରୋହୀମାନଙ୍କର ଆତ୍ମସମପର୍ଣ ବ୍ୟତୀତ ଅନ୍ୟ କଛିି ଉପାୟ ରହିଲା ନାହିଁ । ଶେଷରେ ନୟାଗଡ଼ ରାଜା ଓ ତାଙ୍କର ଦେଓ୍ୱାନ୍ ବରଜୁ ପାଇକରାୟ ଜଗବନ୍ଧୁଙ୍କୁ ସରକାରଙ୍କର ସର୍ତ୍ତ ଗ୍ରହଣ କରି ଆତ୍ମସମର୍ପଣ କରିବାକୁ ପ୍ରବର୍ତ୍ତାଇଲେ । ଜଗବନ୍ଧୁ ଅନ୍ୟ ଉପାୟ ନପାଇ ସେହି ସର୍ତ୍ତକୁ ଗ୍ରହଣ କରି ମଇ ମାସ ୨୭ ତାରିଖ ୧୮୨୫ ମସିହାରେ ଆତ୍ମସମର୍ପଣ କଲେ । ତାଙ୍କ ସହ ତାଙ୍କର ୮ ଜଣ ବିଶ୍ଵସ୍ଥ ପାର୍ଶ୍ଵଚର ମଧ୍ୟ ଆତ୍ମସମର୍ପଣ କଲେ । ବକ୍ସି ଜଗବନ୍ଧୁଙ୍କୁ ଇଂରେଜ ସରକାର କଟକସ୍ଥିତ ବକ୍ସି ବଜାରଠାରେ ଗୃହବନ୍ଦୀ କରି ରଖିଲେ । ସେହିଠାରେ ୧୮୨୯ ମସିହା ଜାନୁଆରୀ ୨୪ ତାରିଖରେ ବକ୍ସିଙ୍କର ଜୀବନଦୀପ ନିର୍ବାପିତ ହେଲା ।

ଜଣାଶୁଣା ସଂସ୍କୃତିରେ[ସମ୍ପାଦନା]

ବକ୍ସି ଜଗବନ୍ଧୁଙ୍କ ଜୀବନୀ ଉପରେ ଆଧାର କରି ୨୦୧୬ ମସିହାରେ ଏକ ଓଡ଼ିଆ ସିନେମା ବକ୍ସି ଜଗବନ୍ଧୁ ଦ ଫର ଗଟନ୍ ଲିଜେଣ୍ଡ ତିଆରି ହେବାର ଯୋଜନା ହୋଇଥିଲା । ଏଥିରେ ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିବେ ।[୪][୫]

ଟୀକା[ସମ୍ପାଦନା]

  1. ଶ୍ରୀ ସୁଧାକର ପଟ୍ଟନାୟକ ଜଗବନ୍ଧୁଙ୍କ ବଂଶାବଳୀ ସମ୍ବନ୍ଧରେ ଗୋଟିଏ ପୋଥିରୁ କିଛି ସୂଚନା ପାଇଥିଲେ । ସେହି ପୋଥି ଅନୁସାରେ ଜଗବନ୍ଧୁ ବିଦ୍ୟାଧର ଭୋଇବଂଶର ପ୍ରଥମ ରାଜା ଗୋବିନ୍ଦ ବିଦ୍ୟାଧରଙ୍କ ମନ୍ତ୍ରୀ ଦନେଇ ବିଦ୍ୟାଧରଙ୍କ ଅଷ୍ଟମ ବଂଶଧର । ଜଗବନ୍ଧୁଙ୍କର ପଦବୀ ବିଦ୍ୟାଧର ହୋଇଥିବାରୁ ତାଙ୍କର କେତେକ ଦେଶୀୟ ରାଜାଙ୍କ ସହିତ ବୈବାହିକ ସମ୍ବନ୍ଧ ଥିବାରୁ ଏହି ତଥ୍ୟ ସତ୍ୟ ବୋଲି ମନେ ହୁଏ ।[୩]

ଆଧାର[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]