ଜୟୀ ରାଜଗୁରୁ

ଉଇକିପିଡ଼ିଆ‌ରୁ
ଜୟୀ ରାଜଗୁରୁ
Born
ଜୟକୃଷ୍ଣ ରାଜଗୁରୁ ମହାପାତ୍ର

(1739-10-29)ଅକ୍ଟୋବର ୨୯, ୧୭୩୯
ହରେକୃଷ୍ଣପୁରପୁର, ପୁରୀ
Died୬ ଡିସେମ୍ବର ୧୮୦୬(1806-12-06) (ବୟସ ୬୭)
ମେଦିନୀପୁର
Cause of deathହତ୍ୟା
Nationalityଭାରତୀୟ
Educationଏମାର ମଠ ଓ ଗୋବର୍ଦ୍ଧନ ମଠରୁ ଶିକ୍ଷାଲାଭ
Spouseଅବିବାହିତ[୧]
Parentଚାନ୍ଦ ରାଜଗୁରୁ, ହାରାମଣୀ ଦେବୀ
Relativesଗଦାଧର ରାଜଗୁରୁ ମହାପାତ୍ର (ପିତାମହ, ‘ଗଦାଧର ପଦ୍ଧତି’ ନାମକ ସ୍ମୃତି ଗ୍ରନ୍ଥର ରଚୟିତା ।)

ଜୟକୃଷ୍ଣ ରାଜଗୁରୁ ମହାପାତ୍ର (୨୯ ଅକ୍ଟୋବର ୧୭୩୯ - ୬ ଡିସେମ୍ବର ୧୮୦୬) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଖୋର୍ଦ୍ଧାର ରାଜା ଗଜପତି ମୁକୁନ୍ଦ ଦେବ ଦ୍ୱିତୀୟଙ୍କ ରାଜଦରବାରରେ ରାଜକୀୟ ରାଜଗୁରୁ ହେବା ସହ ରାଜାଙ୍କ ସେନାବାହିନୀର ମୁଖ୍ୟ ସେନାପତି ଓ ରାଜାଙ୍କ ପ୍ରଶାସନିକ ପ୍ରତିନିଧି ମଧ୍ୟ ଥିଲେ ।

ଲିଖିତ ଇତିହାସରେ ଇଂରେଜମାନଙ୍କ ବିରୁଦ୍ଧରେ ସେ ଭାରତର ପ୍ରଥମ ଶହୀଦ ଭାବେ ପରିଚିତ । କିନ୍ତୁ ଏହା ବିବାଦିତ, କାରଣ ତାଙ୍କର ଲଢେଇ ମୁଖ୍ୟତଃ ଇଂରେଜମାନଙ୍କଦ୍ୱାରା ଅଧିକୃତ ସାମନ୍ତ ଅଞ୍ଚଳ ପାଇଁ ଥିଲା । ଓଡ଼ିଶାର କିମ୍ବା ଭାରତର ସ୍ୱାଧୀନତା ପାଇଁ ନଥିଲା ବୋଲି ଅନେକଙ୍କ ମନ୍ତବ୍ୟ । ପରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ତ୍ୱରେ ପାଇକ ବିଦ୍ରୋହକୁ ଇଂରେଜମାନଙ୍କ ବିରୁଦ୍ଧରେ ଓଡ଼ିଆମାନଙ୍କ ପ୍ରଥମ ବିଦ୍ରୋହ ବୋଲି ଅନେକ କ୍ଷେତ୍ରରେ ଗ୍ରହଣ କରାଯାଏ ।

ଜୀବନୀ[ସମ୍ପାଦନା]

ବାଲ୍ୟକାଳ[ସମ୍ପାଦନା]

ଜୟୀ ରାଜଗୁରୁ[୨] ୧୭୩୯ ମସିହା ଅକ୍ଟୋବର ମାସ ୨୯ ତାରିଖ (କାର୍ତ୍ତିକ ଶୁକ୍ଳ ଅଁଳା ନବମୀ) ଦିନ ପୁରୀ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମର ଚାନ୍ଦ ରାଜଗୁରୁ ଓ ହୀରାମଣି ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ ।[୩]

ଶୈଶବ ପରେ ସେ ପୁରୀର ସଂସ୍କୃତ ପଣ୍ଡିତମାନଙ୍କଠାରୁ ସଂସ୍କୃତ ଶିକ୍ଷା କରିଥିଲେ । ଛାତ୍ରାବସ୍ଥାରେ ଉତ୍କଳର ତତ୍କାଳୀନ ରାଜାମାନେ ତାଙ୍କୁ ନିଜର ମନ୍ତ୍ରୀ ଓ ଉପଦେଷ୍ଟା କରିବାପାଇଁ ଚେଷ୍ଟା କରୁଥିଲେ । ପିତା ଚାନ୍ଦ ରାଜଗୁରୁଙ୍କ ଅନ୍ତେ ୧୭୮୦ ମସିହାରେ ୪୧ ବର୍ଷ ବୟସରେ ଜୟୀ ରାଜଗୁରୁଙ୍କୁ ଖୋର୍ଦ୍ଧା ରାଜା ଦିବ୍ୟସିଂହ ଦେବ ଦ୍ୱିତୀୟ ନିଜ ରାଜସଭାରେ ରାଜଗୁରୁ ତଥା ମନ୍ତ୍ରୀ ପଦରେ ନିଯୁକ୍ତ କରିଥିଲେ । ଏହା ପରଠାରୁ ସେ ଜୟୀ ରାଜଗୁରୁ ରୂପେ ପରିଚିତ ହେଲେ । ଦିବ୍ୟସିଂହ ଦେବଙ୍କ ଅନ୍ତେ ତାଙ୍କ ନାବାଳକ ପୁତ୍ର ମୁକୁନ୍ଦଦେବ ଦ୍ୱିତୀୟଙ୍କୁ ସିଂହାସନରେ ବସାଇ ସେ ୧୭୯୮ରେ ପ୍ରକୃତ ରାଜକାର୍ଯ୍ୟ ନିଜ ହାତକୁ ନେଇଥିଲେ ।

କିମ୍ବଦନ୍ତୀ[ସମ୍ପାଦନା]

ଖୋର୍ଦ୍ଧା ରାଜାଙ୍କୁ ଉତ୍କଳର ଶାସକ ଭାବେ ପୂର୍ଣ୍ଣ ପ୍ରତିଷ୍ଠିତ କରିବାପାଇଁ ସେ ଉଦ୍ୟମ ଚଳାଇଥିଲେ । କିନ୍ତୁ ମରହଟ୍ଟାମାନଙ୍କର ଅତ୍ୟାଚାରରେ ପ୍ରଜାମାନଙ୍କ ମନୋବଳ ଭାଙ୍ଗି ପଡ଼ିଥିବା ଦେଖି ସେ ଦୟାନଦୀରେ ଝାସ ଦେଇ ପ୍ରାଣତ୍ୟାଗ କରିବାକୁ ଉଦ୍ୟତ ହେବାରୁ ବରୁଣାଇ ଠାକୁରାଣୀ ତାଙ୍କୁ ରକ୍ଷା କରିଥିଲେ ବୋଲି ଲୋକ ମୁଖରେ ପ୍ରଚଳିତ । ତା’ପରେ ସେ ବହୁବର୍ଷ ସାଧନା କରି ସିଦ୍ଧି ଲାଭ କରିଥିଲେ ବୋଲି କିମ୍ବଦନ୍ତୀ ଶୁଣିବାକୁ ମିଳେ ।

ପାଇକ ବିଦ୍ରୋହ[ସମ୍ପାଦନା]

ଓଡ଼ିଶାରେ ଉତ୍କଳ ରାଜବଂଶର ପ୍ରତିଷ୍ଠା ବଢାଇବା ପାଇଁ ଜୟୀରାଜଗୁରୁ ଉଦ୍ୟମ କରି ବରୁଣାଇଗଡକୁ ସୁଦୃଢ କରିବାକୁ ଲାଗିଲେ। ସେହିଠାରେ ବାସ କରି ଖୋଦ୍ଧାର୍ ଅଞ୍ଚଳରେ ପାଇକ ଜାଗରଣ ପାଇଁ ପ୍ରବଳ ଉଦ୍ୟମ ଆରମ୍ଭ କଲେ। ସେ ପାଇକମାନଙ୍କର ଜାଗରଣ ନିମନ୍ତେ ସମସ୍ତ ପାଇକ ଗ୍ରାମକୁ ପଦବ୍ରଜରେ ଭ୍ରମଣ କରି ସେମାନଙ୍କୁ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ କରି ରଖାଇଥିଲେ। ଜୟୀ ରାଜଗୁରୁ ପାଇକମାନଙ୍କ ମଧ୍ୟରେ ଦେଶ ପାଇଁ ଜାଗରଣ ଭାବନା ସୃଷ୍ଟି କରି ଇଂରେଜମାନଙ୍କ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରିବା ନିମନ୍ତେ ସାଧନା କରିଥିଲେ। ସେ ଅକ୍ଳାନ୍ତ ପରିଶ୍ରମ କରି ପାଇକ ଆଖଡାମାନ ସଂଗଠନ କରି ନିଜେ ସମର ବିଦ୍ୟା ଶିଖାଇଥିଲେ। ତାଙ୍କରି ଉଦ୍ୟମରେ ଓଡ଼ିଶାର ଚାରିଆଡେ ପାଇକ ଜାଗରଣ ଦେଖା ଦେଇଥିଲା। ରୋଡଙ୍ଗର ବକ୍ସି ବିଗମ୍ବର ଭୂୟାଁ, ବାଇସୁନ୍ଦର ପ୍ରମୂଖ ବ୍ୟକ୍ତିମାନେ ଜୟୀ ରାଜଗୁରୁଙ୍କୁ ସାହାଯ୍ୟ କରି ଜାଗରଣର ନେତୃତ୍ତ୍ୱ ନେଇଥିଲେ।

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ[ସମ୍ପାଦନା]

୧୮୦୩ରେ ଇଂରେଜମାନେ ଓଡ଼ିଶାକୁ ଅକ୍ତିଆର କରିବା ପରେ ଖୋରଧା ରାଜାଙ୍କଠାରୁ କର ମାଗିଲେ ଓ ସେମାନଙ୍କ ବଶ୍ୟତା ସ୍ୱୀକାର କରିବାକୁ ଆଦେଶପତ୍ର ପଠାଇଲେ । ଏହା ତାଙ୍କର ସ୍ୱାଭିମାନକୁ ପ୍ରଚଣ୍ଡ ଆଘାତ ଦେଲା । ‘ପଛେ ଜୀବନ ଦେଇ ଦେବା ଇଂରେଜଙ୍କ ଆଗରେ ମୁଣ୍ଡ ନୁଆଁଇବା ନାହିଁ’ ବୋଲି କହି ସେ ପ୍ରତ୍ୟେକ ଘରୁ ଜଣକୁ ସୈନିକ କରି ନିଜ ସେନାବାହିନୀରେ ମିଶାଇଲେ ।

ଓଡ଼ିଶାକୁ ବହିର୍ଶତ୍ରୁ ଆକ୍ରମଣରୁ ରକ୍ଷା କରିବାପାଇଁ ସେ ବରୁଣାଇ ଗଡ଼କୁ ସୁଦୃଢ଼ କରିଥିଲେ। ସେହିଠାରେ ବାସକରି ସେ ଖୋରଧା ଅଞ୍ଚଳରେ ପାଇକ ଜାଗରଣର ଚେଷ୍ଟା କରିଥିଲେ। ଗାଁକୁ ଗାଁ ପାଦରେ ଚାଲି ଚାଲି ସେ ପାଇକମାନଙ୍କୁ ଯୁଦ୍ଧପାଇଁ ପ୍ରସ୍ତୁତ କରାଉଥିଲେ। ସେ ପାଇକ ଆଖଡ଼ାମାନଙ୍କରେ ନିଜ ସମର ଶିକ୍ଷା ଦେଉଥିଲେ। କୁହାଯାଏ ସେ ହିଁ ପ୍ରଥମେ ଇଂରେଜମାନଙ୍କ ବିରୁଦ୍ଧରେ ଗରିଲା ଯୁଦ୍ଧ କୌଶଳ ଆରମ୍ଭ କରିଥିଲେ।

୧୮୦୪ରେ ମହାନଦୀ କୂଳରେ ସେ ପ୍ରଥମଥର ଇଂରେଜମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହା ଇଂରେଜମାନଙ୍କୁ ଏକ ଶକ୍ତ ଧକ୍କା ଥିଲା । ଏହାର ପ୍ରତିରୋଧ କରିବାପାଇଁ ସେମାନେ ମାନ୍ଦ୍ରାଜରୁ ଅଧିକ ସୈନ୍ୟ ମଗାଇଲେ। ୧୮୦୪ ଡିସେମ୍ବରକୁ ବରୁଣାଇ ପାହାଡ଼ ନିକଟସ୍ଥ ବରୁଣାଇ ଗଡ଼ରେ ଇଂରେଜ ବାହିନୀର ୭୦୦୦ ଗୁଳି ଗୋଳାରେ ସୁସଜ୍ଜିତ ସୈନ୍ୟ ସହିତ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ କତିପୟ ଖୋରଧା ପାଇକ ଲଢ଼ି ନିଜ ବୀରତ୍ୱର ପ୍ରଦର୍ଶନ କରିଥିଲେ, ଯାହା ଇଂରେଜମାନଙ୍କୁ ହତବମ୍ବ କରିଦେଇଥିଲା । କେତେକ ଖଳ ଦେଶଦ୍ରୋହୀଙ୍କୁ ପ୍ରଲୋଭିତ କରି ସେମାନେ ଜୟୀ ରାଜଗୁରୁଙ୍କୁ ବନ୍ଦୀକଲେ ଓ ଓଡ଼ିଶାର ଶେଷ ସ୍ୱାଧୀନ ଦୁର୍ଗକୁ ଅକ୍ତିଆର କରିନେଲେ ।

ଶେଷ ଜୀବନ[ସମ୍ପାଦନା]

୧୮୦୬ରେ ଜୟୀ ରାଜଗୁରୁଙ୍କୁ ବିଚାରପାଇଁ ମେଦିନୀପୁରକୁ ସ୍ଥାନାନ୍ତରିତ କରି ଦିଆଗଲା । ସେଠାରେ ବିଚାର ପରେ ସେମାନେ ତାଙ୍କୁ ଅମାନୁଷିକ ଭାବେ ଡିସେମ୍ବର ୬ ତାରିଖ ଦିନ ହତ୍ୟା କରିଥିଲେ ।[୪]

ଜୟୀ ରାଜଗୁରୁ ଅତ୍ୟାଚାରୀ ଇଂରେଜମାନଙ୍କ ସାମ୍ନାରେ ନଇଁ ନଥିଲେ, ସେଥିପାଇଁ ଲୋକକଥା ପ୍ରଚଳିତ ଅଛି ଯେ, ‘ଜଇଆ ପଛେ ଜୀବନ ଦେଲା ନୁଆଁଇ ନାହିଁ ମଥା ।’

ଆଧାର[ସମ୍ପାଦନା]

  1. "Great People in Ordinary Life: February 2012". sourceofmyinspirations.blogspot.in. 2012. Archived from the original on 5 March 2016. Retrieved 16 April 2012. Salutations to the patron saint of Independence struggle in Odisha- "Jayee Rajguru"
  2. Rout, Hemant Kumar (2012). "Villages fight over martyr's death place - The New Indian Express". newindianexpress.com. Archived from the original on 6 May 2014. Retrieved 7 February 2013. historians claim he is actually the first martyr in the country's freedom movement because none was killed by the Britishers before 1806
  3. "Jai Rajguru". orissadiary.com. Archived from the original on 24 January 2013. Retrieved 7 February 2013. Jayee Rajguru was born on October 29, 1739 in an eminent scholarly family in the village Bira Harekrushnapur
  4. "Controversy over Jayee Rajguru's place of assassination | Odisha Reporter". odishareporter.in. 2012. Retrieved 7 February 2013. was assassinated by the British government in a brutal manner on December 6, 1806

ବାହାର ଆଧାର[ସମ୍ପାଦନା]

ଶ୍ରୀ ସଦାଶିବ ରଥଶର୍ମା - ଅମର ଚରିତ - ଜୟୀ ରାଜଗୁରୁ, ନିଉ ଷ୍ଟୁଡେଣ୍ଟସ ଷ୍ଟୋର ଲି.

ଅଧିକ ତଥ୍ୟ[ସମ୍ପାଦନା]