ରଥଯାତ୍ରା

ଉଇକିପିଡ଼ିଆ ରୁ
ରଥଯାତ୍ରା
ରଥ ଯାତରା
Rath Yatra Puri 07-11027.jpg
ବଡ଼ଦାଣ୍ଡରେ ତିନିରଥ
ଆରମ୍ଭ ୨୧ ଜୁନ ୨୦୧୨
ସରିବ ୨୯ ଜୁନ ୨୦୧୨
ଘନତା ବାର୍ଷିକ
ଜାଗା ଶ୍ରୀକ୍ଷେତ୍ର
ଦ୍ଵିତୀୟ ଶ୍ରୀକ୍ଷେତ୍ର
ତୁଳସୀକ୍ଷେତ୍ର
ଶୈଳ ଶ୍ରୀକ୍ଷେତ୍ର
ଶାବର ଶ୍ରୀକ୍ଷେତ୍ର
ସ୍ଵର୍ଣ୍ଣକ୍ଷେତ୍ର
ସୁଭଦ୍ରାକ୍ଷେତ୍ର
ଆମେରିକା, ରୁଷିଆ, ମାଲେସିଆ
ଯୋଗଦାନକାରୀ ୧୫ ଲକ୍ଷ
ପ୍ରକାର ପର୍ବ
ପୁରୋଧା ପୁରୀ ଗଜପତି ମହରାଜା
ବେବସାଇଟ ରଥଯାତ୍ରାର ସାଇଟ

ରଥଯାତ୍ରା ଜଗନ୍ନାଥଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହାକି ପୁରୀଠାରେ ଜଗନ୍ନାଥ ମନ୍ଦିରରେ ତଥା ବିଶ୍ଵର ବାକି ଅନେକ ଜାଗାରେ ପାଳନ କରାଯାଏ ।

ପୁରୀର ଜଗନ୍ନାଥ, ବଳଭଦ୍ରସୁଭଦ୍ରା ତିନିଗୋଟି ରଥରେ ପୁଷ୍ୟାନକ୍ଷତ୍ରଯୁକ୍ତ ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ ବିଜେ କରି ଗୁଣ୍ଡିଚା ମନ୍ଦିରକୁ ଯାଇ ସେଠାରେ ସପ୍ତାହକାଳ ଅବସ୍ଥାନ କରି ଦଶମୀ ଦିନ ସେଠାରୁ ବଡ଼ଦେଉଳକୁ ଆସିଥାନ୍ତି । ଗୁଣ୍ଡିଚା ମନ୍ଦିରକୁ ଯିବା ଦିନକୁ "ରଥଯାତ୍ରା" ବା "ଗୁଣ୍ଡିଚା ଯାତ" ଓ ଫେରିବା ଦିନକୁ "ବାହୁଡ଼ା ଯାତ୍ରା ବା ବାହୁଡ଼ା ଯାତ" ବୋଲି କୁହାଯାଏ ।

ପରମ୍ପରା ଅନୁସାରେ ଘୋଷଯାତ୍ରାର ଆଗେ ଆଗେ ବଡ଼ଭାଇ ବଳଭଦ୍ରଙ୍କ ରଥ 'ତାଳଧ୍ଵଜ' ଯାଏ । ତାଙ୍କ ପଛେ ପଛେ ଦେବୀ ସୁଭଦ୍ରାଙ୍କ 'ଦର୍ପଦଳନ' ଓ ସର୍ବଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ 'ନନ୍ଦିଘୋଷ' ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି ।

ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩. ନେତ୍ରୋତ୍ସବ, ୪. ଶ୍ରୀଗୁଣ୍ଡିଚା, ୫. ହେରାପଞ୍ଚମୀ, ୬. ଆଡ଼ପ ପର୍ବ, ୭. ବାହୁଡ଼ାଯାତ୍ରା ଓ ୮. ନୀଳାଦ୍ରିବିଜେ । ପୁନଶ୍ଚ ରଥଯାତ୍ରା ୫ ଭାଗରେ ବିଭକ୍ତ। ଯଥା ୧. ଅନ୍ତର୍ବେଦୀ, ୨. ମହାବେଦୀ ମହୋତ୍ସବ, ୩. ଆଡ଼ପ ଉତ୍ସବ, ୪. ଦକ୍ଷିଣାମୁଖୀ ଉତ୍ସବ ଓ ୫. ନୀଳାଦ୍ରି ବିଜୟ । ଏହାକୁ ‘ଗୁଣ୍ଡିଚା ପଞ୍ଚକ’ କୁହଯାଏ ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ପ୍ରସ୍ତୁତି

ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି ହୋଇଥାଏ । କିନ୍ତୁ ସାରଥି, ଘୋଡ଼ା, ପାର୍ଶ୍ବ ଦେବଦେବୀ, ସଖୀ ଆଦିମୂର୍ତ୍ତି ଗୁଡ଼ିକ ପ୍ରତ୍ୟେକ ନବକଳେବର ବର୍ଷ ନୂତନ ଭାବରେ ନିର୍ମାଣ କରାଯାଇଥାଏ । ସେଗୁଡ଼ିକ ପ୍ରତ୍ୟେକ ରଥଯାତ୍ରା ସମୟରେ ଆବଶ୍ୟକୀୟ ମରାମତି ସହିତ ରଙ୍ଗ କରାଯାଇ ରଥ ଗୁଡ଼ିକରେ ଖଞ୍ଜା ଯାଇଥାଏ । ପ୍ରତିବର୍ଷ ରଥଯାତ୍ରା ପରେ ରଥଗୁଡ଼ିକୁ ଭାଙ୍ଗି ଦିଆଯାଏ ।

ପ୍ରତିବର୍ଷ ପୁରୀ ବଡ଼ଦାଣ୍ଡରେ ଥିବା ଶ୍ରୀନଅର ସମ୍ମୁଖସ୍ତ ରଥଖଳାଠାରେ ଶ୍ରୀଜଗନ୍ନାଥଙ୍କର ଏହି ବିଶ୍ବବିଦିତ ରଥଯାତ୍ରା ନିମନ୍ତେ ତିନିରଥର ନିର୍ମାଣ କାର୍ଯ୍ୟ ସଂପନ୍ନ ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପାରମ୍ପରିକ ବିଧି ଓ ରଥନିର୍ମାଣର ଶାସ୍ତ୍ରସମ୍ମତ ଧାରାକୁ ଲକ୍ଷ୍ୟ କଲେ ବ୍ୟାପାରଟି କେତେ ଜଟିଳ ଅଥଚ କେତେ ସୁସମନ୍ବିତ ତାହା ହୃଦ୍‌ବୋଧ ହୁଏ । ବହୁ ପୁରାତନ କାଳରୁ ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ପାଇଁ ସମୟ ନିର୍ଦ୍ଧାରିତ ହୋଇଛି, ତଦନୁସାରେ ସମସ୍ତ କାର୍ଯ୍ୟ ସୁସଂପନ୍ନ ହୋଇଥାଏ । ଉଦାହରଣ ସ୍ଵରୂପ, ମାଘ ଶୁକ୍ଳ ପଞ୍ଚମୀ ବା ଶ୍ରୀପଞ୍ଚମୀ ଦିନଟି ହେଉଛି ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ କାଠ ଆସିବାର ଶୁଭାରମ୍ଭ ଦିବସ । ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଦିନଟି ହେଉଛି ରଥ ନିର୍ମାଣର ଶୁଭ ଅନୁକୁଳ । ସେହିପରି ରାମନବମୀ ଦିନ ଦ୍ଵିତୀୟ ପର୍ଯ୍ୟାୟ କାଠ ଚିରଟ, ନୃସିଂହ ଚତୁର୍ଦ୍ଦଶୀ ଦିନ ରଥଗୁଜ ନିର୍ମାଣ, ଭଉଁରୀ ଦିନ ଚକ ଡେରା ଓ ସ୍ନାନ ପୂର୍ଣ୍ଣମୀ ଦିନ ରଥର ଚାରି ନାହାକା ଲଗା ହୋଇଥାଏ ।

ରଥ ନିର୍ମାଣର ପରମ୍ପରା ବଡ଼ ନିଆରା, ପ୍ରଥମେ ବଡ଼ଠାକୁରଙ୍କ ରଥ କାମ ଆରମ୍ଭ କରାଯାଉଥିବା ବେଳେ ପ୍ରଥମେ ଦେବୀ ରଥର ଚକ ନିର୍ମାଣ ହୁଏ । ଏହା ପଛରେ ପାରମ୍ପରିକ ମତାମତ ନଥିଲେ ମଧ୍ୟ ବୈଷୟିକ ମତ ରହିଛି । ରଥର ଚକ ଫାସୀ କାଠରେ ନିର୍ମାଣ ହୋଇଥାଏ । ପରମ୍ପରା ଦୃଷ୍ଟିରୁ ଦେବୀରଥର ଚକ ସବୁଠାରୁ ବଡ଼ (୧୨ ଟି ଚକ ମଧ୍ୟରୁ ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ) । ସେଥିପାଇଁ ପ୍ରଥମେ ଦେବୀରଥର ଚକ ନିର୍ମାଣ ପାଇଁ କାଠ ବାହାରେ । ଏହାପରେ ବଡ଼ ଠାକୁରଙ୍କ ରଥ ଚକର ପଇ ନିମନ୍ତେ କାଠ ବାହାରିବା ପରେ ଶେଷରେ ନନ୍ଦିଘୋଷ ରଥ ଚକର ପଇ ପାଇଁ କାଠ ନିଆଯାଏ ।

ନେତ୍ରୋତ୍ସବ ବା ଶ୍ରୀଗୁଣ୍ଡିଚାର ପୂର୍ବଦିନ ରଥଖଳାରୁ ତିନି ରଥକୁ ଟାଣି ନିଆଯାଇ ସିଂହଦ୍ଵାର ସମ୍ମୁଖରେ ଉତ୍ତରମୁଖ କରି ରଖାଯାଏ ୤ ତିନିରଥ ରଥଖଳା ଠାରୁ ଟଣାହୋଇ ଶ୍ରୀମନ୍ଦିର ସମ୍ମୁଖକୁ ଆସିବା ସମୟରେ ପ୍ରଥମେ ନନ୍ଦିଘୋଷ ଟଣାଯାଉଥିବା ବେଳେ ଶ୍ରୀଗୁଣ୍ଡିଚା ଯାତ୍ରାରେ ପ୍ରଥମେ ତାଳଧ୍ଵଜ ଏବଂ ଦକ୍ଷିଣ ମୋଡ଼ ସମୟରେ ପ୍ରଥମେ ଦର୍ପଦଳନ ରଥକୁ ଟଣାଯିବାର ବିଧି ରହିଛି ୤

[ଏହାକୁ ବଦଳାନ୍ତୁ] ତିନି ରଥର ବିଶେଷତା

[ଏହାକୁ ବଦଳାନ୍ତୁ] ନନ୍ଦିଘୋଷ

ନନ୍ଦିଘୋଷ ରଥ, ୨୦୦୭ର ରଥଯାତ୍ରା

'ନନ୍ଦିଘୋଷ' ବା 'ଗରୁଡ଼ଧ୍ଵଜ' ବା 'କପିଳଧ୍ଵଜ' ରଥରେ ଜଗନ୍ନାଥଙ୍କ ସହ ମଦନମୋହନ ବିଜେ କରନ୍ତି ।

  • ମୋଟ ୭୪୨ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ୬ ଇଞ୍ଚ ଅଟେ ।
  • ଏହି ରଥରେ ୧୬ ଟି ଚକ (ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁଷ୍ବସ୍ତି, ଜାଗୃତି, ତୁରୀୟ, ଆମ, ନିର୍ବାଣ) ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ।
  • ସାରଥି: ମାତଳୀ ।
  • ରଥର ଦଉଡ଼ି: ଶଙ୍ଖଚୂଡ଼ ।
  • ପରମ୍ପରା ମୁତାବକ ଧଳାରଙ୍ଗର ଚାରୋଟି ଘୋଡ଼ା (ଶଙ୍ଖ, ବଳାହକ, ଶ୍ଵେତ ଓ ହରିଦ୍ଵାଶ) ସ୍ଥାପନ କରାଯାଏ ।
  • ଏହାର ପତାକା ଗରୁଡ଼ ଚିହ୍ନାଙ୍କିତ ।
  • ଧ୍ଵଜପମୂର୍ତ୍ତି: ପଞ୍ଚମୁଖୀ ହନୁମାନ
  • ନାଲି ଓ ହଳଦିଆ ରଙ୍ଗର କପଡ଼ା ରେ ରଥାବରଣ କରାଯାଏ ।
  • ନନ୍ଦିଘୋଷରେ ହରିହର, ପଣ୍ଡୁ ନୃସିଂହ, ଗିରିଧର, ଷଡ଼ଭୁଜ ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ସପ୍ତଫେଣ ସର୍ପରେ ଆସୀନ ମଧୁସୂଦନ ବା ବିଷ୍ଣୁ, ଲକ୍ଷ୍ମଣ, ପଞ୍ଚମୁଖୀ ମହାବୀର ପାର୍ଶ୍ଵଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

[ଏହାକୁ ବଦଳାନ୍ତୁ] ତାଳଧ୍ଵଜ

'ତାଳଧ୍ବଜ' ବା 'ଲଙ୍ଗଳ ଧ୍ଵଜ' ରଥରେ ବଳଭଦ୍ରଙ୍କ ସହ ରାମକୃଷ୍ଣ ବିଜେ କରନ୍ତି।

  • ମୋଟ ୭୩୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ଅଟେ ।
  • ଏହି ରଥରେ ୧୪ ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୬ ଇଞ୍ଚ।
  • ଦଧିନଉତି: ହିରଣ୍ମୟୀ
  • ସାରଥି: ଦାରୁକ ।
  • ରଥର ଦଉଡ଼ି: ବାସୁକୀ |
  • ପରମ୍ପରା ମୁତାବକ କଳା ରଙ୍ଗର ଚାରୋଟି ଘୋଡ଼ା ଘୋଡ଼ା (ଶଙ୍ଖ, ସୁଚିତ୍ର, ଅଙ୍ଗଦ, ମେଘନାଦ) ସ୍ଥାପନ କରାଯାଏ ।
  • ଧ୍ବଜପମୂର୍ତ୍ତି: ଲକ୍ଷ୍ମୀନୃସିଂହ ।
  • ନାଲି ଓ ସବୁଜ ରଙ୍ଗର କପଡ଼ା ରେ ରଥାବରଣ କରାଯାଏ ।
  • ତାଳଧ୍ବଜ ରଥରେ ମହାଦେବ, ବାଇଶିଭୁଜ ନୃସିଂହ, ବଳରାମ, ନୃତ୍ୟ ଗଣପତି, ଲକ୍ଷ୍ମଣଙ୍କୁ ବହନ କରିଥିବା ଅଙ୍ଗଦ, ନାଟାମ୍ବର (ବୃଷଭ ଉପରେ ନୃତ୍ୟରତ ଶିବ), କାର୍ତ୍ତିକେଶ୍ଵର, ମଧୁକୈଟବଙ୍କ ସହ ବିଷ୍ଣୁଙ୍କ ଯୁଦ୍ଧ, ଅନନ୍ତବାସୁଦେବ ପାର୍ଶ୍ଵବଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

[ଏହାକୁ ବଦଳାନ୍ତୁ] ଦର୍ପଦଳନ

'ଦର୍ପଦଳନ' ବା 'ପଦ୍ମଧ୍ଵଜ' ବା 'ଦେବଦଳନ' ରଥରେ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ବିଜେ କରନ୍ତି ।

  • ମୋଟ ୭୧୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୪ଫୁଟ ୬ ଇଞ୍ଚ ଅଟେ ।
  • ଏହି ରଥରେ ୧୨ ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ।
  • ସାରଥି: ଅର୍ଜୁନ ।
  • ରଥର ଦଉଡ଼ି: ସ୍ଵର୍ଣ୍ଣଚୂଡ଼ ।
  • ଧ୍ବଜପମୂର୍ତ୍ତି: ଜୟଦୁର୍ଗା ।
  • ପରମ୍ପରା ମୁତାବକ ନାଲି ଚାରୋଟି ଘୋଡ଼ା (ରୋଚିକା, ମୋଚିକା, ଜିତା, ଅପରାଜିତା) ସ୍ଥାପନ କରାଯାଏ ।
  • ନାଲି ଓ କଳା ରଙ୍ଗର କପଡ଼ା ରେ ରଥାବରଣ କରାଯାଏ ।
  • ଦର୍ପଦଳନରେ ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ(ଶବରୂଢ଼ା ଚତୁର୍ଭୁଜା), ବନଦୁର୍ଗା ବା କଣ୍ଟକାଢ଼ି, କାତ୍ୟାୟନୀ (ଅଷ୍ଟଭୁଜା ଦୁର୍ଗା), ହରଚଣ୍ଡୀ, ରାମଚଣ୍ଡୀ (ଅଷ୍ଟଭୁଜା ଓ ବାମହାତ କାଣି ଆଙ୍ଗୁଠିକୁ ପାଟିରେ ଚୁଚୁମିଛନ୍ତି), ଅଘୋରା ପାର୍ଶ୍ଵଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

ଶ୍ରୀଜଗନ୍ନାଥଙ୍କ ରଥର ୧୬ ଚକ ଷୋଳକଳାର, ବଳଭଦ୍ରଙ୍କର ୧୪ ଚକ ଚତୁର୍ଦ୍ଦଶ ମନ୍ୱନ୍ତରର ଓ ସୁଭଦ୍ରାଙ୍କ ୧୨ ଚକ ବାରମାସର ଦୃଷ୍ଟି ଆକର୍ଷଣ କରିଥାଏ । ତିନି ରଥର ଦଧିନଉତି : ହିରଣ୍ୟଗର୍ଭ, ହିରଣ୍ମୟୀ, ଭୁବନକୋଷ। ଏହି ତିନି ଦଧିନଉତି ଉପରେ ମୋଟ ୯ଟି ପିତଳ କଳସ (ନଭ, ଆକାଶ, ବ୍ୟୋମ, ପରା, ଅପରା, ବୈଖାରୀ, ଚନ୍ଦ୍ର, ସୂର୍ଯ୍ୟ, ବିଦ୍ୟୁତ) ସ୍ଥାପନ କରାଯାଏ ।

[ଏହାକୁ ବଦଳାନ୍ତୁ] ରଥ ପ୍ରତିଷ୍ଠା

ଶ୍ରୀଗୁଣ୍ଡିଚାଦିନ ସକାଳେ ଅନୁଷ୍ଠିତ ହୁଏ ରଥର ପ୍ରତିଷ୍ଠା ରୀତି ୤ ସକାଳେ ଶ୍ରୀମନ୍ଦିର ପରିସରର ଦକ୍ଷିଣ ପୂର୍ବ କୋଣରେ ଥିବା ଚାହାଁଣି ମଣ୍ଡପ ପାର୍ଶ୍ଵରେ ବ୍ରାହ୍ମଣମାନେ ହୋମ ଜଜ୍ଞାନୁଷ୍ଠାନ କରନ୍ତି ୤ ହୋମରେ ପୂଜା ପାଆନ୍ତି ବିଶ୍ଵକର୍ମାମାନଙ୍କ ଦ୍ଵାରା କାଠରେ ନିର୍ମିତ ଲକ୍ଷ୍ମୀନୃସିଂହ, ହନୁମାନ ଓ ଜୟଦୁର୍ଗା ୤ ହୋମ ଶେଷରେ ନନ୍ଦିଘୋଷରେ ହନୁମାନ, ତାଳଧ୍ଵଜରେ ଲକ୍ଷ୍ମୀନୃସିଂହ ଓ ଦର୍ପଦଳନରେ ଜୟଦୁର୍ଗା ପିତୁଳା ତ୍ରୟଙ୍କୁ ମହାରଣା ମାନେ ଦଧିନଉତି ଶୀର୍ଷରେ ସ୍ଥାପନ କରନ୍ତି ୤ ହୋମର ମନ୍ତ୍ରପୂତ ଜଳ ରଥ ଚାରିପଟେ ସିଞ୍ଚନ କରାଯାଏ ୤

[ଏହାକୁ ବଦଳାନ୍ତୁ] ପହଣ୍ଡି ବିଜେ

ଜଗନ୍ନାଥଙ୍କ ପହଣ୍ଡି

ଶ୍ରୀମନ୍ଦିର ଅଭ୍ୟନ୍ତର ରତ୍ନବେଦୀରୁ ରଥ ଉପର ପର୍ଯ୍ୟନ୍ତ ଶ୍ରୀଜୀଉମାନଙ୍କ ବିଶାଳ ବିଗ୍ରହ ଗୁଡ଼ିକୁ ଟେକି ଟେକି ନେବା ସମ୍ଭବ ନୁହେଁ ୤ ତେଣୁ ଦଇତାପତି ସେବକମାନେ ଦଳବଦ୍ଧ ଭାବରେ ନିଜ ଭିତରେ ସମନ୍ଵୟ ରଖି ଏହି ବିଗ୍ରହ ଗୁଡ଼ିକୁ ନଚେଇ ନଚେଇ, ଝୁଲେଇ ଝୁଲେଇ ଏକପ୍ରକାର ଘୋଷାଡ଼ି ଘୋଷାଡ଼ି ନେଇଥାନ୍ତି ୤ ଏହାକୁ ମନ୍ଦିର ଭାଷାରେ ପହଣ୍ଡି ବିଜେ କୁହାଯାଏ ୤

ବର୍ଷକରେ ଶ୍ରୀଜୀଉମାନେ ଛଅଥର ପହଣ୍ଡି ହୁଅନ୍ତି ୤

  1. ସ୍ନାନଯାତ୍ରା ପାଇଁ ସ୍ନାନବେଦୀକୁ ପହଣ୍ଡିରେ ବିଜେ କରନ୍ତି ।
  2. ସ୍ନାନବେଦୀରୁ ଅଣସରକୁ ପହଣ୍ଡି ହୋଇ ଯାଆନ୍ତି ୤
  3. ଶ୍ରୀଗୁଣ୍ଡିଚା ଦିନ ଅଣସର ପିଣ୍ଡିରୁ ପହଣ୍ଡି ହୋଇ ରଥକୁ ବିଜେ କରନ୍ତି ୤
  4. ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ରଥରୁ ପହଣ୍ଡି ହୋଇ ଆଡ଼ପମଣ୍ଡପକୁ ବିଜେ କରନ୍ତି ୤
  5. ବାହୁଡ଼ାଦିନ ଯଜ୍ଞବେଦୀରୁ ପହଣ୍ଡି ହୋଇ ରଥାରୂଢ଼ ହୁଅନ୍ତି ୤
  6. ନୀଳାଦ୍ରିବିଜେ ଦିନ ରଥରୁ ଓହ୍ଲାଇ ରତ୍ନସିଂହାସନକୁ ପହଣ୍ଡି ବିଜେ କରନ୍ତି ୤

ଶ୍ରୀମନ୍ଦିର ପରମ୍ପରା ମୁତାବକ ପହଣ୍ଡି ଆରମ୍ଭ ପୂର୍ବରୁ ମଙ୍ଗଳାର୍ପଣ କରାଯାଏ ୤ ବଡ଼ଠାକୁରଙ୍କ ମଙ୍ଗଳାର୍ପଣ ମୁଦିରସ୍ତ କରୁଥିବା ବେଳେ ଦେବୀ ସୁଭଦ୍ରାଙ୍କ ମଙ୍ଗଳାର୍ପଣ ପତି ମହାପାତ୍ର ଓ ଶ୍ରୀଜଗନ୍ନାଥଙ୍କ ମଙ୍ଗଳାର୍ପଣ ପୂଜାପଣ୍ଡାମାନେ କରିଥାଆନ୍ତି ୤ ମୁଦିରସ୍ତ ତିନିବାଡ଼ରେ ଡୋରଲାଗି, ପୁଷ୍ପାଞ୍ଜଳି ଓ ତୂଳି ଲାଗି କରିବା ପରେ ପୁଷ୍ପାଞ୍ଜଳି କରାଯାଏ ୤ ଦଇତାପତିମାନେ ନିଜତ ଅଣ୍ଟା ପିଠି ଆଦିକୁ ୩୨ହାତ ଲମ୍ବ ବସ୍ତ୍ରରେ ଗୁଡ଼ାଇ ଠାକୁରମାନଙ୍କ ରୁନ୍ଧା (ବାନ୍ଧିବା) ଫିଟାନ୍ତି ୤ ରୁନ୍ଧା ଫିଟିବାପରେ ବିଜେ କାହାଳୀ ବାଜିଉଠେ ୤ ବିଜେ କାହାଳୀ ବାଜିବାପରେ ପହଣ୍ଡିପାଇଁ ଆଜ୍ଞାମାଳ ମିଳିଥାଏ ଓ ଘଣ୍ଟୁଆ, କାହାଳୀଆ, ବଜନ୍ତରୀ, ଓଲାର, ଛତାର ପ୍ରମୁଖ ସେବକମାନେ ପ୍ରସ୍ତୁତ ହୋଇଯାଆନ୍ତି୤ ବାଜିଉଠେ ଘଣ୍ଟ, ଘଣ୍ଟା, ମର୍ଦ୍ଦଳ, ପଖଜ, କାହାଳୀ ଓ ଆରମ୍ଭ ହୁଏ ପହଣ୍ଡି ବିଜେ ୤ ପହଣ୍ଡି ଆରମ୍ଭ ହେବା ପୂର୍ବରୁ ଛାମୁ ଖୁଣ୍ଟିଆ ସେବକ ‘ମଣିମା ଶ୍ରୀଅଙ୍ଗକୁ ସାବଧାନ’ ବୋଲି ଡାକି ଆଗେ ଚାଲନ୍ତି ୤ ପରମ୍ପରା ଅନୁସାରେ ପ୍ରଥମେ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ହୋଇଥାଏ ୤ ରତ୍ନବେଦୀରୁ ଓହ୍ଲାଇ ସୁଦର୍ଶନ ସାତପାହାଚ ନିକଟରେ ପହଞ୍ଚିବା ପରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କର ରୁନ୍ଧା ଖୋଲାଯାଏ ୤ ବଡ଼ଠାକୁର ଭିତରକାଠ ଅତିକ୍ରମ କରିବା ବେଳକୁ ଦେବୀ ସୁଭଦ୍ରାଙ୍କ ରୁନ୍ଧା ଫିଟାଯାଏ ୤ ବଡ଼ଠାକୁର ସାତପାହାଚ ନିକଟରେ ପହଞ୍ଚିବା ବେଳକୁ ଶ୍ରୀଜଗନ୍ନାଥଙ୍କ ରୁନ୍ଧା ଫିଟାଯାଏ ୤ ଠାକୁରମାନେ ସାତପାହାଚ ନିକଟରେ ପହଞ୍ଚିବା ପରେ ସେଠାରେ ଟାହିଆ ଲାଗି ହୋଇଥାଏ ୤ ପହଣ୍ଡିବେଳେ ପ୍ରଭୁ ସୁଦର୍ଶନଦେବୀ ସୁଭଦ୍ରା କାନ୍ଧରେ ବିଜେ କରୁଥିବା ବେଳେ ବଡ଼ଠାକୁର ବଳଭଦ୍ର ଓ ଶ୍ରୀଜଗନ୍ନାଥ ପହୁଣ୍ଡ ପହୁଣ୍ଡ ଅର୍ଥାତ ଝୁଲି ଝୁଲି ନିଜେ ଚାଲି ଚାଲି ଆସିବା ଭଳି ବିଜେ କରନ୍ତି ୤ ଆଗରେ ଦଇତାପତି, ପୂଜାପଣ୍ଡାମାନେ ଠାକୁରଙ୍କ ପାଟଡୋରକୁ ଧରି ଭିଡ଼ନ୍ତି ଆଉ ପଛପଟେ ସୁଆର, ମହାସୁଆର ମାନେ ପଛ ପାଟଡୋରକୁ ଧରିଥାନ୍ତି ୤ ପ୍ରତିହାରୀମାନେ ପହଣ୍ଡି ସମୟରେ ଶ୍ରୀଅଙ୍ଗର ସୁରକ୍ଷା କରିଥାଆନ୍ତି ୤ ପହଣ୍ଡିବେଳେ କିଏ କେଉଁ ସେବା କରିବ ତାହା ସ୍ବତନ୍ତ୍ର ଭାବେ ଉଲ୍ଲେଖ ରହିଛି ୤ ସେହି ଅନୁସାରେ ସେବକମାନେ ଶ୍ରୀଜୀଉମାନଙ୍କୁ ପହଣ୍ଡି କରି ଆଣନ୍ତି ୤

ଶ୍ରୀଜୀଉମାନଙ୍କ ପହଣ୍ଡି ସମୟରେ ଶ୍ରୀଜଗନ୍ନାଥଶ୍ରୀବଳଭଦ୍ର ଭୂଇଁକୁ ସ୍ପର୍ଶକରି ଯାଉଥିବାବେଳେ ଦେବୀ ସୁଭଦ୍ରାସୁଦର୍ଶନଙ୍କୁ ଦଇତାପତି ମାନେ ଟେକି ଟେକି ନେଇଥାନ୍ତି ୤

ପହଣ୍ଡି ଦୁଇପ୍ରକାର ଯଥା:

  1. ଗୋଟି ପହଣ୍ଡି
ପ୍ରଥମେ ଶ୍ରୀବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ସର୍ବ ଶେଷରେ ଶ୍ରୀଜଗନ୍ନାଥଙ୍କୁ ପୃଥକ ପୃଥକ କରି ପହଣ୍ଡି ବିଜେ କରାଇ ରଥ ଉପରକୁ ନେବା
  1. ଧାଡ଼ି ପହଣ୍ଡି
ସମୟରେ ସ୍ଵଳ୍ପତା ଦୃଷ୍ଟିରେ ଆଗପଛ କରି ପ୍ରଥମେ ଶ୍ରୀବଳଭଦ୍ର ତତ୍ପରେ ଦେବୀ ସୁଭଦ୍ରା ଓ ସର୍ବଶେଷରେ ଶ୍ରୀଜଗନ୍ନାଥଙ୍କୁ ଦେଉଳମଧ୍ୟରୁ ନେଇ ସେମାନଙ୍କୁ ଏକା ଧାଡ଼ିରେ ଚଳାଇ ରଥ ଉପରକୁ ନେବା ୤

[ଏହାକୁ ବଦଳାନ୍ତୁ] ହିନ୍ଦୁ ଜ୍ୟୋତିଷ ମତେ

ହିନ୍ଦୁ ଜ୍ୟୋତିଷିକ ତତ୍ତ୍ଵରେ ଗ୍ରହଜଗତ ନଅଗୋଟି ଗ୍ରହଙ୍କୁ ନେଇ ଗଠିତ, ଯଥା- ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ । ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ମଧ୍ୟ ଜ୍ୟୋତିଷିକ ଦୃଷ୍ଟିକୋଣରୁ ଗୁରୁତ୍ଵପୂର୍ଣ୍ଣ । ଆଷାଢ଼ ମାସର ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ଶ୍ରୀଜଗନ୍ନାଥ ନିଜର ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରଥାରୁଢ଼ ହୋଇ ଶ୍ରୀମନ୍ଦିର ଛାଡ଼ି ଘୋଶଯାତ୍ରାରେ ନବଦିନ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ଆଷାଢ଼ ଶୁକ୍ଳ ତୃତୀୟାଠାରୁ ଆଷାଢ଼ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ପୂଜା ପାଆନ୍ତି ଏବଂ ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ପହଣ୍ଡି ହୋଇ ରଥ ଚଢ଼ି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଶ୍ରୀଜଗନ୍ନାଥଙ୍କ ନବଦିନ ବ୍ୟାପୀ ଘୋଷଯାତ୍ରାସହ ନବଗ୍ରହଙ୍କ ଘନିଷ୍ଟ ସମ୍ପର୍କ ରହିଛି । ଶ୍ରୀଜଗନ୍ନାଥଙ୍କ ଏହି ନବଦିନ ଯାତ୍ରା ସପ୍ତାହର ପ୍ରତ୍ୟେକ ବାରକୁ ଆବୃତ୍ତ କରିଥାଏ । ସପ୍ତାହକର ସାତଦିନ ଗ୍ରହମଣ୍ଡଳର ଗ୍ରହମାନଙ୍କ ନାମରେ ନାମିତ । ରବିଙ୍କ ଉଦ୍ଦେଶ୍ୟରେ ରବିବାର, ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସୋମବାର, ମଙ୍ଗଳଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର, ବୁଧଙ୍କ ଉଦ୍ଦେଶ୍ୟରେ ବୁଧବାର, ଦେବଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଗୁରୁବାର, ଶୁକ୍ରଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଓ ଶନିଙ୍କ ଉଦ୍ଦେଶ୍ୟରେ ଶନିବାର । କିନ୍ତୁ ଅନ୍ୟ ଦୁଇଗ୍ରହ, ଯଥା ରାହୁ ଓ କେତୁ ଛାୟାଗ୍ରହ ହେତୁ ଏମାନଙ୍କର କୌଣସି ସ୍ଵତନ୍ତ୍ର ବାର ନାହିଁ ।

ଗୁଣ୍ଡିଚା ମନ୍ଦିରରେ ଶ୍ରୀଜଗନ୍ନାଥ ସାତଦିନ ରହନ୍ତି ଏବଂ ସପ୍ତାହର ପ୍ରତ୍ୟେକ ବାରକୁ ଆବୃତ୍ତ କରନ୍ତି । ଆଷାଢ଼ ମାସର ତୃତୀୟା ତିଥି ଯେଉଁଦିନ ପଡ଼ିବ ସେହିଦିନ ଶ୍ରୀଜଗନ୍ନାଥ ସେହିବାରର ପ୍ରତୀକଗ୍ରହ ରୂପେ ପୁଜା ପାଆନ୍ତି । ମନେକର ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥି ଘୋଷଯାତ୍ରା ଦିନ ରବିବାର ହେଲେ ତୃତୀୟା ସୋମବାର ହେବ ଏବଂ ତୃତୀୟାଠାରୁ ଶ୍ରୀଜଗନ୍ନାଥ ଆଗାମୀ ରବିବାର ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପ୍ରତ୍ୟେକ ଗ୍ରହଙ୍କ ନିର୍ଦ୍ଧିଷ୍ଟ ସେହି ଗ୍ରହଙ୍କ ସ୍ଵରୂପ ଭାବରେ ଗୁଣ୍ଡିଚା ମନ୍ଦିରରେ ପୂଜା ପାଆନ୍ତି । ସୋମବାର ଦିନ ଚନ୍ଦ୍ରଙ୍କ ସ୍ଵରୂପ, ମଙ୍ଗଳବାର ଦିନ ମଙ୍ଗଳଙ୍କ ସ୍ଵରୂପ, ବୁଧବାର ଦିନ ବୁଧଙ୍କ ସ୍ଵରୂପ, ଗୁରୁବାର ଦିନ ବୃହସ୍ପତିଙ୍କ ସ୍ଵରୂପ, ଶୁକ୍ରବାର ଦିନ ଶୁକ୍ରଙ୍କ ସ୍ଵରୂପ, ଶନିବାର ଦିନ ଶନିଙ୍କ ସ୍ଵରୂପ ଓ ରବିବାର ଦିନ ରବିଙ୍କ ସ୍ଵରୂପ ଭାବରେ ପୂଜା ପାଆନ୍ତି । କିନ୍ତୁ ରାହୁ ଓ କେତୁ ଏ ଦୁଇ ଗ୍ରହଙ୍କ ସ୍ଵତନ୍ତ୍ର ବାର ନଥିବା ହେତୁ ପ୍ରଥମ ଗୁଣ୍ଡିଚା ଘୋଷଯାତ୍ରା ଓ ଶେଷ ବାହୁଡ଼ା ଏ ଦୁଇ ଦିବସକୁ ରାହୁ ଓ କେତୁଙ୍କ ପାଇଁ ନିର୍ଦ୍ଦିଷ୍ଟ ବୋଲି ନିର୍ଣ୍ଣୟ କରାହୁଏ । ଏକସପ୍ତାହ ବ୍ୟାପି ଗୁଣ୍ଡିଚାରେ ରହଣୀ କାଳ ଚନ୍ଦ୍ରଙ୍କଠାରୁ ଆରମ୍ଭ କରି ରବିଙ୍କ ପର୍ଯ୍ୟନ୍ତ ସପ୍ତଗ୍ରହକୁ ସୂଚେଇଲା ଭଳି ଦୁଇ ଯାତ୍ରାକୁ ସାଙ୍କେତିକ ଭାବରେ ରାହୁ ଓ କେତୁଙ୍କୁ ସୂଚାଇ ନବଦିନ ବ୍ୟାପି ଯାତ୍ରା ନବଗ୍ରହକୁ ସମ୍ପୂର୍ଣ୍ଣ କରେ ।

[ଏହାକୁ ବଦଳାନ୍ତୁ] ପର୍ବ

ପୁରୀ ରଥଯାତ୍ରାର ଛବି, ଅଙ୍କନ ଜେମ୍ସ ଫର୍ଗୁସନ (ଚିତ୍ରକର)

[ଏହାକୁ ବଦଳାନ୍ତୁ] ଦ୍ରଷ୍ଟବ୍ୟ

[ଏହାକୁ ବଦଳାନ୍ତୁ] ବାହାର ଆଧାର


ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା