ସରସ୍ଵତୀ ପୂଜା

ଉଇକିପିଡ଼ିଆ ରୁ
ସରସ୍ଵତୀ ପୂଜା
ସରସ୍ଵତୀ ପୂଜା
ସରସ୍ଵତୀଙ୍କ ଏକ ପାରମ୍ପରିକ ମୂର୍ତ୍ତି
ନାଆଁ ସରସ୍ଵତୀ ପୂଜା
ପାଳନକାରୀ ଓଡ଼ିଆ
ବିଶେଷତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି
ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ
ତାରିଖ ମାଘ ଶୁକ୍ଳପଞ୍ଚମୀ
୨୦୧୩ ତାରିଖ ୨୮ ଜାନୁଆରୀ
୨୦୧୪ ତାରିଖ ୧୪ ଫେବୃଆରୀ[୧]
ପାଳନ ସବୁ ଉପବାସ, ଉଜାଗର, ପୂଜା
ଅବସ୍ଥାନ ଓଡ଼ିଶା ସହ ଭାରତର ଅନେକ ଶିକ୍ଷାନୁଷ୍ଠାନ

ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ସରସ୍ଵତୀଙ୍କର ପୂଜା ମୁଖ୍ୟତଃ ବିଦ୍ୟାନୁଷ୍ଠାନ ମାନଙ୍କରେ କରାଯାଏ । ମାଘମାସ ଶୁକ୍ଳ ପଞ୍ଚମୀରେ ଆଦ୍ୟାଶକ୍ତି ମା ସରସ୍ଵତୀ ସ୍ଵତନ୍ତ୍ର ରୂପରେ ପୂଜା ପାଇଥାନ୍ତି । ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ଵତୀଙ୍କର ପୂଜା ଓ ଆରାଧନା ଏଇ ଦିନ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ କରାଯାଏ । ଛାତ୍ରଛାତ୍ରୀ ମାନେ ପୂଜାମଣ୍ଡପକୁ ଅତି ମନୋରମ ଭାବେ ସଜାଇ ଥାଆନ୍ତି । ମାତା ସରସ୍ଵତୀଙ୍କର ପୂଜା ଓ ପୁଷ୍ପାଞ୍ଜଳୀ ଦେବା ପର୍ଯ୍ୟନ୍ତ ସେମାନେ ଉପବାସ ରଖିଥାନ୍ତି । ଏଇ ଦିନ ପିଲାମାନେ ଦେବୀ ସରସ୍ଵତୀଙ୍କର ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ସେମାନଙ୍କର ପାଠ୍ୟପୁସ୍ତକ ଓ କଲମ ଆଦିକୁ ମାତାଙ୍କ ପାଖରେ ସମର୍ପଣ କରିଥାନ୍ତି ।

ମା ସରସ୍ଵତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧିଛନ୍ତି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ଵେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ମା ସରସ୍ଵତୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାନ୍ତି । ମା ସରସ୍ଵତୀ ବାଗ୍‌ଦେବୀ ସମସ୍ତଙ୍କୁ ସଦ୍‌ବୁଦ୍ଧି ସହ ସତବଚନର ଆଶୀର୍ବାଦ ଦେଇଥାନ୍ତି ।

ପ୍ରାଚୀନ କାଳରେ ରାଜା ମହାରାଜାମାନେ ଶ୍ରୀ ପଞ୍ଚମୀକୁ 'ରତିକାମ ମହୋତ୍ସବ' ରୂପେ ପାଳନ କରୁଥିଲେ ୤


ବୈଶିଷ୍ଟ୍ୟ[ସମ୍ପାଦନା]

ମାଘ ଶୁକ୍ଳପଞ୍ଚମୀକୁ ଶ୍ରୀପଞ୍ଚମୀ ବା ବସନ୍ତପଞ୍ଚମୀ ଭାବେ ପାଳନ କରାଯାଏ । ଋତୁରାଜ ବସନ୍ତ ମନ୍ଦ ମଳୟରେ ଫୁଲର ସୁରଭି ଭରି ସ୍ଵାଗତ କରେ ବିଦ୍ୟାଦାୟିନୀ ମା' ସରସ୍ଵତୀଙ୍କୁ ମାଘ ଶୁକ୍ଳ ପଞ୍ଚମୀରେ । ଶୁକ୍ଳ ପ୍ରତିପଦା ଠାରୁ ଆରମ୍ଭ ହେଇଥାଏ ଗୁପ୍ତ ନବରାତ୍ର । ଏହି ଗୁପ୍ତ ନବରାତ୍ରରେ ଦୈବୀଶକ୍ତିଙ୍କର ପୂର୍ଣ୍ଣ ପ୍ରଭାବଥାଏ । ମା' ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ଵତୀ ସମ୍ଭୁତା । ମା' ସରସ୍ଵତୀ, ମା' ଲକ୍ଷ୍ମୀ , ମା' କାଳୀ ତିନୋଟି ସ୍ଵରୂପ ଆଦ୍ୟାଶକ୍ତିଙ୍କର । ମାଘ ଶୁକ୍ଳ ପଞ୍ଚମୀରେ ଆଦ୍ୟାଶକ୍ତି ମହାସରସ୍ଵତୀ ସ୍ଵତନ୍ତ୍ର ରୂପରେ ପୂଜା ପାଇଥାନ୍ତି ।

ପ୍ରାଚୀନ କାଳରେ ରାଜା ମହାରାଜା ମାନେ ଏହି ଦିନକୁ କୌମୁଦୀ ମହୋତ୍ସବ ରୂପେ ପାଳନ କରୁଥିଲେ । ଫୁଲରେ ରାଜଉଆସ ସଜା ହେଉଥିଲା, ଫୁଲର ଦୋଳିରେ ରାଜାରାଣୀ ଦୋଳି ଖେଳୁଥିଲେ , ପ୍ରଜାମାନେ ଆସି ରାଜ ଉଆସରେ ଭୋଜନ କରୁଥିଲେ । ମାଘ ପଞ୍ଚମୀରେ ଗୋପୀମାନେ ମଧ୍ୟ କୃଷ୍ଣଙ୍କ ସହ ରାସ ଉତ୍ସବ ମନାଉଥିଲେ ।

କେତେକ ଅଞ୍ଚଳରେ ପବିତ୍ରତାର ସହ ଉଭୟ ସ୍ଵାମୀ-ସ୍ତ୍ରୀ ମାଘ ଶୁକ୍ଳ ପଞ୍ଚମୀକୁ ପ୍ରେମ ଦିବସ ରୂପେ ପାଳନ କରିଥାନ୍ତି । କାମଦେବରତିଙ୍କୁ ହଳଦିଆ ଫୁଲରେ ପ୍ରତିମା କରି ଦାମ୍ପତ୍ୟ ସୁଖପାଇଁ ପୂଜା କରିଥାନ୍ତି । ଶାସ୍ତ୍ର ଅନୁସାରେ , ଶ୍ରୀପଞ୍ଚମୀ ଦିନ ବିବାହ , ନିର୍ବନ୍ଧ କାର୍ଯ୍ୟ କଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଯେଉଁ ମାନଙ୍କର ବିବାହ ହେଇପାରୁନି , ସେମାନେ ଏହି ସମୟରେ ଶ୍ରଦ୍ଧା ଭକ୍ତିର ସହ ହଳଦୀ ଲଗାଇ ସ୍ନାନକରି ହଳଦିଆ ବସ୍ତ୍ର ପରିଧାନ କରି କୃଷ୍ଣ ଭଗବାନଙ୍କୁ ହଳଦିଆ ବସ୍ତ୍ରରେ ସଜାଇ ହଳଦିଆ ଫୁଲରେ ସଜାହେଇଥିବା ଝୁଲାରେ ଝୁଲାଇ ବସନ୍ତ ଉତ୍ସବ ପାଳନ କଲେ ବିବାହ ସହଜରେ ହୋଇଯାଏ ବୋଲି ବିଶ୍ଵାସ ରହିଛି ।

ପୂଜାବିଧି[ସମ୍ପାଦନା]

ସୂର୍ଯ୍ୟୋଦୟ ପୂର୍ବରୁ ବିଦ୍ୟାର୍ଥୀଗଣ ଉଠି ଫୁଲ ତୋଳନ୍ତି । ଘରକୁ ଫୁଲକୁ ଆଣି ଗାଧୋଇପାଧୋଇ ଉପବାସ କରିବା ସଙ୍ଗେସଙ୍ଗେ ନୂଆ ବସ୍ତ୍ର ପରିଧାନ କରି ଫୁଲରେ ମାଳ ଗୁନ୍ଥି ଦେବୀ ସରସ୍ଵତୀଙ୍କ ପୂଜା କରି ପୁଷ୍ପାଞ୍ଜଳି ଦିଅନ୍ତି । ପୁଷ୍ପମାଳା ସୁଶୋଭିତ ଦେବୀଙ୍କ ମୂର୍ତ୍ତି ଘଣ୍ଟ, ଘଣ୍ଟା ଏବଂ ଶଙ୍ଖ ଆଦି ବାଦ୍ୟ ବାଦନ ମଧ୍ୟରେ ପୂଜିତ ହୁଅନ୍ତି । କୁନ୍ଦପୁଷ୍ପ ଦେବୀ ସରସ୍ଵତୀଙ୍କର ଅତି ପ୍ରିୟ । ଭୋଗ ଭାବେ ଖୈ, ଉଖୁଡା, ନଡିଆ ଆଦି ବଢାଯାଇଥାଏ । ପଞ୍ଚାମୃତ ରୂପରେ ପାଞ୍ଚଟି ସୁମିଷ୍ଟ ମଧୁର ପଦାର୍ଥ ଏକତ୍ର କରି ଦେବୀଙ୍କୁ ପ୍ରଦାନ କରାଯାଏ । ଦେବୀଙ୍କ ଆଗରେ ହୋମ ମଧ୍ୟ କରାଯାଏ । ସରସ୍ଵତୀ ପୂଜା ଦିନ ପୁରାଣ ଗ୍ରନ୍ଥ ସହ ନିଜର ପୁସ୍ତକାଦି ପୂଜା କରିବା ବିଧେୟ । ଏହି ଦିନ ଧଳାବସ୍ତ୍ର, ଧଳାଫୁଲ, ଫଳ ମା'ଙ୍କୁ ଅର୍ପଣ କରାଯାଏ । ସରସ୍ଵତୀ ଯନ୍ତ୍ର ପୂଜା କରନ୍ତୁ । ଲାଲ କାଳିରେ ଲେଖି ଚନ୍ଦନ ଲଗାଇ ଧଳା ଫୁଲ ଚଢାଇ ମା' ଙ୍କୁ ପୂଜା କରାଯାଏ । ମା' ସରସ୍ଵତୀଙ୍କ ଆରାଧନା, ପୂଜାରେ ଦହି, ଧଳା ଫୁଲ, ଚନ୍ଦନ, ଆଖୁ, ଖିରୀ, ଧଳା ବସ୍ତ୍ର, ମୋତି , ରୂପା, ଧଳାମାଳି ଅଳଙ୍କାର ,ଅଦା, ଅଁଳା, ଘିଅ, ନଡିଆ, ଋତୁଫଳ ସ୍ଵରୂପ ବରକୋଳି ଅର୍ପଣ କରାଯାଏ ।

ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀ[ସମ୍ପାଦନା]

ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି ହୁଏ ଓ ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ କରାଯାଏ ।

ପୌରାଣିକ ମତରେ ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର ପୁଷ୍ପ ଆଭରଣ ମଣ୍ଡିତ ପୂର୍ବକ ଫଗୁ ବା ବାଚେରୀ ଖେଳୁଥିବାର ସ୍ମୃତି ସ୍ଵରୂପ ବସନ୍ତ ପଞ୍ଚମୀ ପାଳିତ ହୋଇଥାଏ । ମାଘ ଶୁକ୍ଳ ପଞ୍ଚମୀରେ ଶ୍ରୀଜୀଉମାନଙ୍କର ଘୋଡ଼ବସ୍ତ୍ର କଢ଼ାଯାଇ ‘ଜାମାଲାଗି’ ବସ୍ତ୍ର ପିନ୍ଧାଯାଏ । ଉକ୍ତ ଦିବସରେ ଶ୍ରୀଜୀଉମାନଙ୍କର ସନ୍ଧ୍ୟାଧୂପ ପରେ ସରସ୍ଵତୀ ଦେବୀଙ୍କ ମନ୍ଦିରରେ ମାଦଳାପାଞ୍ଜି ପୂଜା କରାଯାଏ । ଉକ୍ତ ତିଥିରେ ଶ୍ରୀଜଗନ୍ନାଥଙ୍କର ପାରମ୍ପରିକ ରଥଯାତ୍ରାର ରଥ ନିର୍ମାଣ ନିମନ୍ତେ ପ୍ରଥମ କରି ରଥକାଠ ବନବିଭାଗରୁ ଶ୍ରୀକ୍ଷେତ୍ରକୁ ଆସି ରାଜନଅର ସମ୍ମୁଖରେ ତିନିବାଡ଼ର ତିନିରଥ ନିର୍ମାଣ ନିମନ୍ତେ ତିନିଗୋଟି କାଠକୁ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରାଯାଇ ଶୁଭ ଦିଆଯାଇଥାଏ ୤

ଶ୍ରୀମନ୍ଦିରରେ ସରସ୍ଵତୀ ପୂଜା[ସମ୍ପାଦନା]

ଶ୍ରୀମନ୍ଦିରରେ ହିନ୍ଦୁ ମତାନୁଯାୟୀ ସମସ୍ତ ପର୍ବପର୍ବାଣୀ ପାଳିତହୁଏ । ସରସ୍ଵତୀ ପୂଜା ମଧ୍ୟ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ । ନିଜେ ଜଗନ୍ନାଥ ପୌଷମାସ ଶେଷ ହୁଅନ୍ତେ ମାଘ ଶୁକ୍ଳପଞ୍ଚମୀ ତିଥିରୁ ନିଜର ଶୀତବସ୍ତ୍ରକୁ ପରିହାର କରି ଗୈରିକ ବର୍ଣ୍ଣର ବସ୍ତ୍ର ପରିଧାନ କରନ୍ତି । ଶୀତର ପ୍ରକୋପ କମି ଆସିଥିବାରୁ ସାଧାରଣ ଲୋକେ ମଧ୍ୟ ଶୀତବସ୍ତ୍ର ତ୍ୟାଗ କରିଥାନ୍ତି । ଗୈରିକ ବର୍ଣ୍ଣ ବସନ୍ତ ଋତୁର ବର୍ଣ୍ଣ ଏବଂ ବ୍ରହ୍ମଚାରୀଙ୍କର ବସ୍ତ୍ର ଲକ୍ଷଣ । ଭୋଗବିଳାସର ଋତୁ ବସନ୍ତର ଆଗମନରେ ପ୍ରଭୁ ନିଜେ ସମସ୍ତ ବିଳାସ ତ୍ୟାଗକରି ବ୍ରହ୍ମଚାରୀ ବେଶରେ ସମୟ ଅତିବାହିତ କରିବାକୁ ଏବଂ ସଂଯମୀ ହେବାକୁ ଭକ୍ତଙ୍କୁ ଆହ୍ଵାନ ଦେଇଥାନ୍ତି । ଏଇ ସମୟରେ ପ୍ରଭୁଙ୍କର ଖାଦ୍ୟ ମଧ୍ୟ ସାତ୍ତ୍ଵିକ । ତେଣୁ ସେ ନିଜେ ହେଙ୍ଗୁ ଓ ହରଡ ଗୁଣ୍ଡରେ ପ୍ରସ୍ତୁତ ବସନ୍ତ ପିଷ୍ଟକ ଗ୍ରହଣ କରିଥାନ୍ତି । ଶ୍ରୀମନ୍ଦିରରେ ବସନ୍ତ ଉତ୍ସବ ପାଳନ ସହ ଏହି ତିଥିରୁ ବେଣ୍ଟଯାତ୍ରା ଆରମ୍ଭ ହୋଇ ଦୋଳ ଯାଏଁ ଚାଲିଥାଏ । ବେଣ୍ଟଯାତ୍ରା ଠାକୁରଙ୍କର ଶିକାର ଯାତ୍ରା । ବୈଷ୍ଣବ ମତରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଏହା ବନଗମନ ସମୟ । ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରତିନିଥି ଭାବେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ବିଗ୍ରହ ବେଣ୍ଟପୋଖରୀ ପାଖକୁ ଶିକାରରେ ଯାଆନ୍ତି । ବେଣ୍ଟ ପୋଖରୀରେ ମୃଗ ଭାବେ ନଡିଆ ଏବଂ କସ୍ତୁରୀପୁଡିଆ ରଖାଯାଏ । ଠାକୁର ତାକୁ ବାଣ ସଂଯୋଗ କରନ୍ତି ।

ଆଧାର[ସମ୍ପାଦନା]

  1. "Updates on current Hindu religious affairs: Vasant Panchami - 14th or 15th Feb". news.drikpanchang.com. 2013. http://news.drikpanchang.com/2013/01/vasant-panchami-2013-date.html. Retrieved 1 February 2013. "Panchami Tithi is getting over at 09:05 a.m. on 15th February while it starts at 08:19 a.m. on 14th February" 
  1. ବସନ୍ତ ଉତ୍ସବ - ଡ. ଜୟନ୍ତୀ ମହାପାତ୍ର
  2. ଟାଇମ୍ସ ଅଫ୍ ଇଣ୍ଡିଆ