ନବରାତ୍ର

ଉଇକିପିଡ଼ିଆ ରୁ
ନବରାତ୍ର
{{{holiday_name}}}
ପାଳନକାରୀ ହିନ୍ଦୁ ଧର୍ମାମ୍ବଲମ୍ବୀ
ପ୍ରକାର ଧାର୍ମିକ
ପାଳନ ୯-୧୦ ଦିନ
ଆରମ୍ଭ ଆଶ୍ୱିନ ଶୁକ୍ଳ ପ୍ରତିପଦ
ଶେଷ ଆଶ୍ୱିନ ଶୁକ୍ଳ ନବମୀ
ତାରିଖ ହିନ୍ଦୁ ଚନ୍ଦ୍ର ପଞ୍ଜିକା ଅନୁସାରେ ସ୍ଥିର କରାଯାଇଥାଏ
୨୦୧୪ ତାରିଖ ୧୬ଅକ୍ଟୋବର - ୨୪ଅକ୍ଟୋବର [୧]

ହିନ୍ଦୁ ପରମ୍ପରା ଅନୁଯାୟୀ ବର୍ଷରେ ଦୁଇଥର (ଆଶ୍ୱିନ, ଚୈତ୍ର) ନବରାତ୍ର ପାଳନ କରାଯାଉଥିଲେ ମଧ୍ୟ ଶରତ ଋତୁରେ ପାଳିତ ହେଉଥିବା (ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ) ନବରାତ୍ର ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ୤ ଏହାକୁ ମହାନବରାତ୍ର ବୋଲି କହାଯାଇଥାଏ ୤ ନଅଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ ଏହି ନବରାତ୍ରିର ପ୍ରଥମ ତିନିଦିନରେ ମା’ଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା କାଳୀ ରୂପରେ ପୂଜା କରାଯାଏ ୤ ମଝି ତିନିଦିନରେ ମା’ଙ୍କୁ ଧନଧାନ୍ୟ ତଥା ସମ୍ପଦର ଦେବୀ ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ ୤ ସେହିପରି ଶେଷ ତିନିଦିନରେ ମା’ ବିଦ୍ୟାଦାତ୍ରୀ ସରସ୍ୱତୀ ଭାବେ ପୂଜା ପାଇଥାନ୍ତି ୤ ନବରାତ୍ରିର ଶେଷ ଦିନରେ ବିଜୟା ଦଶମୀ ପାଳିତ ହୋଇଥାଏ ୤

ଦୁର୍ଗା[ସମ୍ପାଦନା]

ମୂଳ ଲେଖା: ଦୁର୍ଗା

ପୁରାଣ ମତେ ଦୁର୍ଗ ରାକ୍ଷସ ବ୍ରହ୍ମାଙ୍କଠାରୁ ବରପ୍ରାପ୍ତ ହୋଇ ଭୀଷଣ ଶକ୍ତିଶାଳୀ ଓ ଅତ୍ୟାଚାରୀ ହୋଇ ଉଠିଲା ୤ ସେ ତ୍ରିଲୋକ ଜିଣିବା ପରେ ଦେବଲୋକ ଯାଇ ଦେବରାଜ ଇନ୍ଦ୍ରଙ୍କୁ ଭୟ ଦେଖାଇଲା୤ ଦେବଗଣ ସମ୍ମିଳିତ ହୋଇ ଲଢ଼ିଲେ, କିନ୍ତୁ ସମସ୍ତ ଦେବ ଆୟୁଧକୁ ବ୍ୟର୍ଥ କରି ଦୁର୍ଗ ଦୈତ୍ୟ ଦେବଗଣଙ୍କୁ ବନ୍ଦୀକରି ନିଜ ଦୁର୍ଗର କାଳକୋଠରୀରେ ବନ୍ଦକରି ନିତ୍ୟ ନିର୍ଯ୍ୟାତନା ଦେବାରେ ଲାଗିଲା ୤ ସବୁ ଦେବତା ଭୀତତ୍ରସ୍ତ ହୋଇ ମହାଶକ୍ତିଙ୍କୁ ପ୍ରାର୍ଥନା କଲେ ୤ ଦୟାରେ ବିଗଳିତ ମା’ ଆବିର୍ଭୂତ ହୋଇ ନିଜ ଅଗ୍ନିଗର୍ଭା ନେତ୍ରରେ ଦୁର୍ଗମର ଦୁର୍ଗ ଧ୍ୱଂସ କରି ଦେବଗଣକୁ ଉଦ୍ଧାର କଲେ ୤ ଯେତେବେଳେ ଦୁର୍ଗ ମା’ଙ୍କୁ ଆକ୍ରମଣ କରିବାକୁ ଆସିଲା ମା’ ସହସ୍ରଭୂଜା ହୋଇ ଅସୁମାରି ଶସ୍ତ୍ର ଧାରଣ କରି ରାକ୍ଷସକୁ ବଧ କଲେ ୤ ସେହିଦିନଠାରୁ ସେ ଦୁର୍ଗ ନାଶକାରି ଦୁର୍ଗା ଭାବେ ପୂଜିତ ହେଲେ ୤ ସିଂହବାହିନୀ ଭାବରେ ସେ ଉଭୟ ସ୍ନେହୀ ଓ ଭୟଙ୍କରୀ ୤ ସିଂହ ଉପରେ ବସି ସେ ଚତୁର୍ଭୁଜା, ଅଷ୍ଟଭୁଜା ବା ଏପରିକି ସହସ୍ରଭୁଜା ମଧ୍ୟ ହୋଇପାରନ୍ତି, କିନ୍ତୁ ସବୁବେଳେ ତାଙ୍କର ଗୋଟିଏ ହାତ ବରଦା ବା ଶାନ୍ତ ମୁଦ୍ରାରେ ଶୋଭିତ ୤ ମା’ ରୂପରେ ସେ ଭକ୍ତ ଓ ଶରଣାଗତମାନଙ୍କ ପାଇଁ ସେ ଅଭୟ, ଦୟା ଓ ବରଦା, କରୁଣାମୟୀ ୤ କିନ୍ତୁ ଦୁରାଚାରୀ, ରାକ୍ଷସ ସ୍ୱଭାବର ବ୍ୟକ୍ତି, ଯେ ଅନ୍ୟମାନଙ୍କୁ କଷ୍ଟ ଦିଅନ୍ତି ସେମାନଙ୍କ ପାଇଁ ସେ ଭୟଙ୍କର ହୋଇପଡ଼ନ୍ତି ୤

ବସନ୍ତ ଓ ଶରତ ଋତୁରେ ଦେବୀ ଆରାଧନା କରାଯାଏ ୤ ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନଗଗୌରୀ ବା ନବଦୁର୍ଗା (ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ)ଙ୍କ ପୂଜା ଅନୁଷ୍ଠିତ ହୁଏ ୤

ନବଦୁର୍ଗା[ସମ୍ପାଦନା]

ଶୈଳପୁତ୍ରୀ: ଆଦିଶକ୍ତିର ପ୍ରଥମ ସ୍ଵରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ୤ ପୌରାଣିକ ମତେ ହିମାଳୟଙ୍କ ତପସ୍ୟା ଓ ପ୍ରାର୍ଥନା ଦ୍ଵାରା ପ୍ରସନ୍ନ ହୋଇ ଦେବୀ ତାଙ୍କର କନ୍ୟା ଭାବେ ଜନ୍ମ ନେଇଥିଲେ୤ ଏହିଦିନ ଭକ୍ତ ଓ ସାଧକ ନିଜର ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରିଥାନ୍ତି୤

ବ୍ରହ୍ମଚାରିଣୀ: ବ୍ରହ୍ମଚାରିଣୀ ସ୍ଵରୂପରେ ନବରାତ୍ରର ଦ୍ଵିତୀୟ ଦିବସରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି୤ ମାଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା୤ ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ୤ ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ୤ ଭକ୍ତ ନିଜ ମନକୁ ସ୍ଵାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି୤

ଚିତ୍ରଘଣ୍ଟା: ଏହା ଦେବୀଙ୍କ ଉଗ୍ରରୂପ ୤ ଦେବୀ ଦଶଭୂଜା ଓ ବ୍ୟାଘ୍ର/ ସିଂହ ଉପରେ ବିରାଜମାନ ୤ ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତା ଦେବୀଙ୍କର ମୁଦ୍ରା ଯୁଦ୍ଧାଭିମୁଖୀ୤

କୁଷ୍ମାଣ୍ଡା: ପୌରାଣିକ ମତେ ଦେବୀଙ୍କ ହସରୁ ବ୍ରହ୍ମାଣ୍ଡ ସୃଷ୍ଟି ୤ ଭକ୍ତ ନିଜ ମନକୁ ଅନାହତ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି୤ ଏହି ରୂପରେ ଦେବୀ ଅଷ୍ଟଭୂଜା ଓ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି୤

ସ୍କନ୍ଦମାତା: ନବରାତ୍ର ପଞ୍ଚମ ଦିବସରେ ଦେବୀଙ୍କୁ ଏହି ସ୍ବରୂପରେ ଉପାସନା କରାଯାଏ୤ କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ୤ ଦେବୀ ଚତୁର୍ଭୂଜା ଓ ସିଂହ ଉପରେ ବିରାଜମାନ୤ ଏହି ରୂପରେ ମାତା ପୁତ୍ର ସ୍କନ୍ଦକୁ କୋଳରେ ବସାଇଥାନ୍ତି ୤

କାତ୍ୟାୟନୀ: ନବରାତ୍ର ଷଷ୍ଠ ଦିବସରେ ଦେବୀଙ୍କୁ ଏହି ସ୍ବରୂପରେ ଉପାସନା କରାଯାଏ୤ ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ୤ ଭଗବାନକୃଷ୍ଣଙ୍କୁ ପତି ରୂପେ ପାଇବାକୁ ବ୍ରଜଗୋପୀମାନେ ଦେବୀ କାତ୍ୟାୟନୀଙ୍କୁ ଆରାଧନା କରିଥିଲେ ତେଣୁ ବିବାହ ହୋଇପାରୁନଥିବା

କାଳରାତ୍ରୀ: ନବରାତ୍ର ସପ୍ତମ ଦିବସରେ ଦେବୀଙ୍କୁ ଏହି ସ୍ବରୂପରେ ଉପାସନା କରାଯାଏ୤ ଏହା ଦେବୀଙ୍କ ବିକଟାଳ ରୂପ୤ ଏହି ରୂପରେ ତ୍ରୀନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ଚତୁର୍ଭୁଜା ଦେବୀ ଗର୍ଦଭ ଉପରେ ଆରୁଢ ହୋଇ ହାତରେ ଲୌହ ଖଡ୍ଗ ଧାରଣ କରିଥାନ୍ତି୤

ମହାଗୌରୀ: ନବରାତ୍ର ଅଷ୍ଟମ ଦିବସରେ ଦେବୀଙ୍କୁ ଏହି ସ୍ବରୂପରେ ଉପାସନା କରାଯାଏ୤ ଏହା ଦେବୀଙ୍କ ସୌମ୍ୟ ରୂପ ୤ ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ଵେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଓ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି୤

ସିଦ୍ଧିଦାତ୍ରୀ: ନବରାତ୍ରର ନବମ ବା ଶେଷ ଦିବସରେ ଦେବୀଙ୍କୁ ଏହି ସ୍ବରୂପରେ ଉପାସନା କରାଯାଏ୤ ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ଓ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି୤ (କେତେକ ଧର୍ମଗ୍ରନ୍ଥରେ ତାଙ୍କର ବାହାନ ସିଂହ ଭାବେ ଦର୍ଶାଯାଇଥିବା ବେଳେ ସେ ପଦ୍ମ ଉପରେ ଉପବେଶନ କରିଥାନ୍ତି୤) ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ରରେ ନବଦୁର୍ଗା ପୂଜା ସମ୍ପୂର୍ଣ୍ଣ ହୋଇଥାଏ୤

ପୂଜାବିଧି[ସମ୍ପାଦନା]

ନବରାତ୍ର ପୂଜା ନିମନ୍ତେ ପ୍ରଥମେ ପୂଜାବେଦୀରେ ଘଟ ସ୍ଥାପନ କରି ଦେବୀଙ୍କୁ ଆବାହନ କରାଯାଏ୤ ଧାନ କିମ୍ବା ଗହମ ଉପରେ ସ୍ଥାପନ କରାଯାଇଥିବା ଘଟରେ ଦେବୀ ଦୁର୍ଗାଙ୍କ ଛବି କିମ୍ବା ସ୍ଵସ୍ତିକ ଚିହ୍ନ ଅଙ୍କନ କରାଯାଏ୤ ନଅ ଦିନ ପର୍ଯ୍ୟନ୍ତ ପୂଜା ହୋଇ ଶେଷ ଦିନ ଘଟକୁ ବିସର୍ଜନ କରାଯାଏ୤ ଅଷ୍ଟମୀ ବା ନବମୀ ଦିନ ଦଶ ବର୍ଷ ବୟସରୁ ଉଣା ବୟସର ୯ଜଣ କୁମାରୀଙ୍କୁ ଦୁର୍ଗାଙ୍କ୍ର ନଅଗୋଟି ମୂର୍ତ୍ତି, ଯଥା: କୁମାରୀ (କୁମାରିକା), ତ୍ରିମୂର୍ତ୍ତିନୀ (ତ୍ରିମୂର୍ତ୍ତି), କଲ୍ୟାଣୀ (କଳହାଣି), ରୋହିଣୀ, କାଳୀ, ଚଣ୍ଡିକା, ଶଂଭବୀ (ଶାମ୍ଭବୀ), ଦୁର୍ଗା ଓ ସୁଭଦ୍ରା ରୂପେ କଳ୍ପନା କରି ଭୋଜନ ଦିଆଯାଏ୤ [୨]

ଗ୍ୟାଲେରି[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Navratri Dates". http://www.navratrifestival.net/navratri-dates/. Retrieved 12 February 2012. 
  2. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃ:୪୧୩୭

ଅଧିକ ତଥ୍ୟ[ସମ୍ପାଦନା]