କୋଣାର୍କ ସୂର୍ଯ୍ୟ ମନ୍ଦିର

ଉଇକିପିଡ଼ିଆ ରୁ
ସୂର୍ଯ୍ୟ ମନ୍ଦିର, କୋଣାର୍କ*
ଇଉନେସ୍କୋ ସ୍ଥଳୀ

Konark Sun Temple
ରାଜ୍ୟ ଦଳ  ଭାରତ
ପ୍ରକାର ସାଂସ୍କୃତିକ
ନିୟମ i, iii, vi
ଆଧାର 246
ଅଞ୍ଚଳ** ଏସିଆ-ପାସିଫିକ
ଲେଖ ଇତିହାସ
ଲେଖ 1984  (୮ମ ଭାଗ)
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ
** ଇଉନେସ୍କୋ ଦେଇ ବିଭାଗିତ ନାଆଁ

କୋଣାର୍କ ସୂର୍ଯ୍ୟ ମନ୍ଦିର ଭାରତ ଅନ୍ତର୍ଗତ ଓଡ଼ିଶାର ପୁରୀ ଜିଲ୍ଲାରେ ଥିବା ଏକ ପୁରୁଣା ମନୋରମ ମନ୍ଦିର । ଏହା କୋଣାର୍କ ସହରରେ ଅବସ୍ଥିତ l କୋଣାର୍କ ମନ୍ଦିର ହେଉଛି ସ୍ଥାପତ୍ୟ, ବୈଷୟିକ ଜ୍ଞାନ, ଶିଳ୍ପକଳା ଓ ସର୍ବୋପରି ଗୋଟିଏ ଉଚ୍ଚ ଜୀବନାଦର୍ଶର ଅପୂର୍ବ ସମନ୍ଵୟ । ଏପରି ସୃଷ୍ଟି ଖାଲି ଓଡ଼ିଶାରେ ନୁହେଁ, ସାରା ବିଶ୍ଵରେ ସମ୍ଭବ ହୋଇ ପାରିନାହିଁ । ତ୍ରୟୋଦଶ ଶତାବ୍ଦୀରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବ (୧୨୩୮ରୁ ୧୨୫୦ ଖ୍ରୀଷ୍ଟାବ୍ଦ) ଙ୍କଦ୍ୱାରା ନିର୍ମିତ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ । ଏହାକୁ କୃଷ୍ଣ ପାଗୋଡ଼ା (Black Pagoda) ମଧ୍ୟ କୁହାଯାଏ ।[୧][୨] ଏହି ମନ୍ଦିର ହେଉଛି ଗଙ୍ଗ ବଂଶର କଳିଙ୍ଗୀୟ (ଓଡ଼ିଆ) ସ୍ଥାପତ୍ୟ କଳାର ଏକ ନିଦର୍ଶନ । ଏହି ମନ୍ଦିରଟି ଭାରତର କେତୋଟି ବହୁ ପ୍ରସିଦ୍ଧ ମନ୍ଦିର ମାନଙ୍କ ଭିତରୁ ଅନ୍ୟତମ ଏବଂ ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହା ଅନ୍ୟତମ । (ଏନ.ଡି.ଟି.ଭି.ଙ୍କ ଦେଇ ହୋଇଥିବା ସର୍ବେକ୍ଷଣ ଅନୁସାରେ)

ନାମକରଣ[ସମ୍ପାଦନା]

କୋଣାର୍କ ମନ୍ଦିର

ଏହା ମନ୍ଦିରଟି ଗଢିଉଠିଥିଲା ପ୍ରାଚୀ ନଦୀ ଓ ବଙ୍ଗୋପସାଗରର ସଙ୍ଗମ ସ୍ଥଳରେ । ସେ ଯୁଗରେ ଏହା ଏକ ପୋତାଶ୍ରୟୀ ବନ୍ଦର ଥିଲା । ଏହାର ନାମଥିଲା କୋଣଗର l ‘‘କୋଣଗର’’ ନାମାନୁସାରେ ମନ୍ଦିରର ନାମ କୋଣାର୍କ ହୋଇଥିବ ବୋଲି ଅନୁମାନ କରାଯାଏ । କୋଣାର୍କ ଶବ୍ଦକୁ ବିଶ୍ଳେଷଣ କଲେ ଜଣାଯାଏ ଏହା ସଂସ୍କୃତ ଶବ୍ଦ କୋଣ ଓ ଅର୍କର ସଂଯୋଗରୁ ତିଆରି ହୋଇଛି । କୋଣର ମାନେ ହେଲା ଗୋଟିଏ ପାଖ ଅଥବା ଦୁଇଟି ଦିଗ ବା ରେଖାର ମିଳନ ସ୍ଥାନ ଓ ଅର୍କର ଅର୍ଥ ହେଲା ସୂର୍ଯ୍ୟ । ଏହି ମନ୍ଦିରଟି ସୂର୍ଯ୍ୟ ଦେବଙ୍କ ପାଇଁ ନିର୍ମିତ ହୋଇଥିବାରୁ ଜାଗାର ନାମ ତଦନୁସାରେ କୋଣାର୍କ ହୋଇଛି ବୋଲି ମତ ପୋଷଣ କରାଯାଏ ।[୩]

ମନ୍ଦିରର ଆକୃତି ଓ ଗଠନ ଶୈଳୀ[ସମ୍ପାଦନା]

ବିଶ୍ୱ ଐତିହ୍ୟ ପୀଠ ଭାବେ ପରିଚିତ କୋଣାର୍କ ମନ୍ଦିର

କୋଣାର୍କ ମନ୍ଦିର ହିନ୍ଦୁ ମନ୍ଦିର ବାସ୍ତୁକଳା ଅନ୍ତର୍ଗତ କଳିଙ୍ଗୀୟ ଶୈଳୀରେ ନିର୍ମିତ । ଗର୍ଭଗୃହଯୁକ୍ତ ମୁଖ୍ୟ ମନ୍ଦିର ଟି ୨୨୯ ଫୁଟ ଉଚ୍ଚ ଓ ମୁଖଶାଳା ୧୨୮ ଫୁଟ ଉଚ୍ଚ। ୧୩ ଫୁଟ ଉଚ୍ଚ ପଥର ଚଟାଣ ଉପରେ ବିମାନ ଓ ଜଗମୋହନ ରଥ ରୂପରେ ଗଢ଼ା ଯାଇଥିଲା । ସେ ଚଟାଣ ଚାରିପଟେ ୯ଫୁଟ ୯ ଇଞ୍ଚ ଉଚ୍ଚର ୨୪ଟି ଚକ ଓ ସମ୍ମୁଖରେ ସାତଟି ଘୋଡା ଖଞ୍ଜା ଯାଇଥିଲା । ଜଗମୋହନର ଉଚ୍ଚତା ଥିଲା ୧୨୩ ଫୁଟ ଓ ବିମାନର ଉଚ୍ଚତା ଥିଲା ୨୨୫ ଫୁଟ । ଏବେ ବିମାନଟି ପ୍ରାୟ ଧ୍ୱଂସ ହୋଇଯାଇଛି । ବର୍ତ୍ତମାନ ଅଛି ଗର୍ଭଗୃହ ଓ ଦେବସିଂହାସନ। ମୁଖଶାଳାଟି ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲେ ବି କାଳର କରାଳ ଗତିରେ ନାଟ ମନ୍ଦିରର ଓ ଭୋଗ ମଣ୍ଡପର କିଛି ଅଂଶ ମାତ୍ର ସୁରକ୍ଷିତ ରହି ପାରିଛି । ମନ୍ଦିର ବେଢାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୮୫୭ ଓ ୫୪୦ଫୁଟ । ମନ୍ଦିରଟି ପ୍ରାକୃତିକ ପରିବେଶ ଭିତରେ ରହଛି ଓ ଏହାର ଚାରି ପାଖରେ କାଜୁ, ଶିଶୁ ଆଦି ବାଲିଆ ମାଟିରେ ବଢୁଥିବା ଗଛ ରହିଛି । ଆଜି ଯେତିକି ଅଂଶ ବଞ୍ଚି ରହିଛି ସେତିକି ବି ଅତି ବିଶାଳ । ଏହା ହେଉଛି ପ୍ରକୃତରେ ମୁଖ୍ୟ ମନ୍ଦିରରର ମଣ୍ଡପ । ସାମନାରୁ ଠିଆ ହୋଇ ଦେଖିଲେ ମୁଖ୍ୟମନ୍ଦିରର ଭଗ୍ନାବଶେଷ ହିଁ ଦୃଷ୍ଟିଗୋଚର ହୋଇଥାଏ । ମୁଖ୍ୟ ଦେଉଳଟି ପାଖାପାଖି ୨୦୦ ଫୁଟ (୬୦ ମିଟର ) ଉଚ୍ଚ, ଯାହା ଭାରତର ଉଚ୍ଚତମ ମନ୍ଦିର ଥିଲା ବୋଲି ଅନୁମାନ କରାଯାଏ ।[୪]

ନିର୍ମାଣ ସାମଗ୍ରୀ[ସମ୍ପାଦନା]

କୋଣାର୍କ ମନ୍ଦିରରେ ମୁଖ୍ୟତଃ ତିନିପ୍ରକାରର ପଥର ବ୍ୟବହାର କରାଯାଇଥିଲା ।

  1. ମୁଗିନି ପଥର ବା କ୍ଲୋରାଇଟ (Ch।orite) ଶିଳା : ଏହା ବ୍ୟବହୃତ ହୋଇଥିଲା ବିଗ୍ରହ ଗଠନରେ,ଦେବ ସିଂହାସନରେ ଓ ଦୁଆର ବନ୍ଧରେ ।
  2. ଲାଟେରାଇଟ (।aterite)ଶିଳା : ଏହା ବ୍ୟବହୃତ ହୋଇଥିଲା ବେଦୀତଳେ,ସୋପାନଶ୍ରେଣୀରେ ଓ କାନ୍ଥର କିଛି ଅଂଶରେ।
  3. କୋଣ୍ଡାଲାଇଟ୍ (Konda।ite) ଏହା ବାକି ଜାଗାରେ ଉପଯୋଗ କରାଯାଇଥିଲା ।

ଏହାଛଡ଼ା ଏହି ମନ୍ଦିରଟି ବୈଜ୍ଞାନିକ ପ୍ରଣାଳୀରେ ସଶକ୍ତ କରାଯାଇଥିବା ଅକ୍ସିଡାଇଜଡ ଫେରୁଜିନସ ସ୍ୟାଣ୍ଡଷ୍ଟୋନ (oxidized and weathered ferruginous sandstone)ଦ୍ୱାରା ନିର୍ମିତ।

ଗଠନ କାଳ[ସମ୍ପାଦନା]

କୋଣାର୍କ ମନ୍ଦିର କ୍ଷେତ୍ରରେ ଗଠନ କାଳର ସୁନିର୍ଦ୍ଧିଷ୍ଟ ଭୂମିକା ରହିଛି । କାରଣ କୋଣାର୍କ ହିନ୍ଦୁ ମନ୍ଦିର ସ୍ଥାପତ୍ୟର ଶେଷ ନିର୍ଯ୍ୟାସ ଏବଂ ଉଚ୍ଚତମ ବିନ୍ଦୁ । ଷ୍ଟାର୍ଲିଂଙ୍କ ମତ ୧୨୪୧ ଖ୍ରୀ.ଅ । ଆବୁଫଜଲ, ଫର୍ଗୁସନ ଓ ରାଜେନ୍ଦ୍ରଲାଲଙ୍କ ମତ ନବମ ଶତାବ୍ଦୀ । ହଣ୍ଟରଙ୍କ ମତ ୧୨୩୬ ଠାରୁ ୧୨୮୧ ଖ୍ରୀ.ଅ ।

ସ୍ଥାପତ୍ୟ[ସମ୍ପାଦନା]

ନାଟ ମନ୍ଦିର

ସାତଟି ଚପଳ ଚଞ୍ଚଳ ଘୋଡ଼ାଙ୍କ ଦ୍ୱାରା ଟଣା ଯାଉଥିବା ଏକ ବିଶାଳ ରଥାକୃତିରେ ମନ୍ଦିରଟି ନିର୍ମିତ । ଏହାର ସର୍ବାଙ୍ଗରେ କାରୁକାର୍ଯ୍ୟ ଖୋଦେଇ କରା ଯାଇଛି । ଏହି ମନ୍ଦିରର ମୂଳରେ ସୂକ୍ଷ୍କ କାରୁକଳାରେ ଅତି ସୁସଜ୍ଜିତ ୧୨ଟି ଚକ ରହିଛି। [୫] ଏହି ଚକଗୁଡ଼ିକ ହେଉଛି ମନ୍ଦିରର କେତୋଟି ପ୍ରମୁଖ ଆକର୍ଷଣମାନଙ୍କ ଭିତରୁ ଅନ୍ୟତମ । ଏହି ଚକମାନଙ୍କର ଅର ସୂର୍ଯ୍ୟଘଡ଼ିର କାମ କରିଥାଏ । ଏହି ଅରମାନଙ୍କ ଛାଇରୁ ସଠିକ ସମୟ ବାରିହୁଏ । ପିରାମିଡ୍ ଆକାରର ଏହି ମନ୍ଦିରର ଛାତ ପାଖାପାଖି ୩୦ ମିଟର ଉଚ୍ଚ। ଖଜୁରହୋ ମନ୍ଦିର ପରି ଏହି ମନ୍ଦିର ଗାତ୍ରରେ ମଧ୍ୟ କାମକଳାର ବହୁଳ ପ୍ରଦର୍ଶନ ହୋଇଛି । [୬]

ଦୁଆରର ଦୁଇପାଖରେ ମନ୍ଦିରକୁ ଜଗି ରହିଛନ୍ତି ଦୁଇଟି ଦନ୍ତାହାତୀଙ୍କୁ ପଦାନତ କରିଥିବା ଦୁଇଟି ଭୀମକାୟ ସିଂହ । ଏହି ହାତୀଦୁଇଟି ଦୁଇଟି ଶାୟିତ ମଣିଷକୁ ମାଡ଼ି ବସିଥିବାର ଦେଖାଯାଏ । ପ୍ରତ୍ୟେକ ପୁରାତନ ମନ୍ଦିର ପରି ଏଠାରେ ମଧ୍ୟ ମୁଖ୍ୟ ମନ୍ଦିର ପୂର୍ବରୁ ନାଟ ମନ୍ଦିରଟି ରହିଛି, ଯେଉଁଠାରେ କଳାକାରମାନେ ଦେବତାଙ୍କ ଉଦ୍ଦେଶ୍ୟରେ ନୃତ୍ୟ ଗୀତ ପରିବେଷଣ କରିଥାନ୍ତି । ମନ୍ଦିରର ଅତ୍ର ତତ୍ର ସର୍ବତ୍ର ବିବିଧ ଫୁଲ ଓ ଜ୍ୟାମିତିକ ଢାଞ୍ଚାର ନମୁନା ଦେଖିବାକୁ ମିଳେ ।

କୋଣାର୍କର ରଥଚକ

ଏହାଛଡ଼ା ଅନେକ ପ୍ରକାରର ଦେବାଦେବୀ, ଯକ୍ଷ, ଗନ୍ଧର୍ବ, କିନ୍ନର, ନର ସଙ୍ଗୀତ ଶିଳ୍ପୀ, ନଟ, ନଟୀ, ପ୍ରେମୀ ଯୁଗଳ ଓ ଆନନ୍ଦ ଉତ୍ସବମୟ ଗ୍ରାମୀଣ ଜୀବନ, ଯୁଦ୍ଧ ଓ ଶିକାର ଆଦିର ଅସଂଖ୍ୟ ଚିତ୍ରଣ ଏଠାରେ ଦେଖିବାକୁ ମିଳେ । ତା’ ସହିତ କେତେ ଜାତିର ପଶୁ-ପକ୍ଷୀ, ପାଖାପାଖି ଦୁଇହଜାର ଆକର୍ଷକ ଓ ଜିଅଁନ୍ତା ଦିଶୁଥିବା ହାତୀ, ପୌରାଣିକ ଜୀବ, ନାନା ଜାତିର ଲତା ଓ ଜ୍ୟାମିତିକ ଢାଞ୍ଚାରେ ଭରା ଅଳଂକୃତ ଓ ସମ୍ଭ୍ରାନ୍ତ ଓଡ଼ିଆ ସ୍ଥାପତ୍ୟର ଅନେକ କମକୁଟ ଦର୍ଶକକୁ ବିମୋହିତ କରିବା ସହିତ ଏହାର ସଜୀବ ଚିତ୍ରଣ ଏହି ମନ୍ଦିରକୁ ଅନ୍ୟ ମନ୍ଦିରମାନଙ୍କଠାରୁ ପୃଥକ ଓ ଉତ୍କୃଷ୍ଟ ପ୍ରତିପାଦିତ କରେ।

ମନ୍ଦିରରେ ଖୋଦିତ କାମୋତ୍ତେଜକ ଚିତ୍ରପାଇଁ ମଧ୍ୟ କୋଣାର୍କ ପ୍ରସିଦ୍ଧ। ଜୀବନର ଏହି କୋମଳ ଗୋପନ ମାଧୁର୍ଯ୍ୟକୁ ଏତେ ସ୍ପଷ୍ଟ ଭାବରେ ଚିତ୍ରିତ କରିବା ଓଡ଼ିଆ କଳାନୈପୁଣ୍ୟର ଶ୍ରେଷ୍ଠତା ପ୍ରତିପାଦନ କରେ। ମଣିଷ, ମଣିଷୋତ୍ତର, ମଣିଷେତର ସବୁପ୍ରକାର ପ୍ରାଣୀ ମାନଙ୍କର କାମକ୍ରୀଡ଼ାକୁ ଅତି ସଜୀବ ଭାବରେ ମନ୍ଦିରର କାନ୍ଥରେ ଚିତ୍ରିତ କରାଯାଇଛି।

କୋଣାର୍କ ମନ୍ଦିରର ବିସ୍ତୃତାବଲୋକନ

କିମ୍ବଦନ୍ତୀ[ସମ୍ପାଦନା]

ପୌରାଣିକ[ସମ୍ପାଦନା]

ଶ୍ରୀକୃଷ୍ଣଙ୍କ ପୁତ୍ର ସାମ୍ବଙ୍କ ଦ୍ୱାରା ଏହା ନିର୍ମିତ ହୋଇଥିବା ବୋଲି ଜନଶ୍ରୁତି ରହିଛି। ପିତାଙ୍କ ଅଭିଶାପରୁ କୁଷ୍ଠରୋଗାକ୍ରାନ୍ତ ହୋଇ ସାମ୍ବ ଏଠାକୁ ଆସି ୧୨ ବରଷକାଳ କଠୋର ତପସ୍ୟା କରିଥିଲେ। ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ସୂର୍ଯ୍ୟ ଦେବତା ତାଙ୍କୁ ଏହି ରୋଗରୁ ମୁକ୍ତି ଦେଇଥିବାରୁ ତାଙ୍କ ସମ୍ମାନାର୍ଥେ ସେ ଏହି ବିସ୍ମୟକର ମନ୍ଦିର ନିର୍ମାଣ କରିଥିଲେ।

ଐତିହାସିକ[ସମ୍ପାଦନା]

    1. ୧୨୩୮ ଠାରୁ ୧୨୬୪ଖ୍ରୀ.ଅ ମଧ୍ୟରେ ଓଡ଼ିଶାରେ ରାଜା ଲାଙ୍ଗୁଳା ନରସିଂହଦେବ ରାଜତ୍ଵ କରୁଥିଲେ । ସେ ସୂର୍ଯ୍ୟଙ୍କ ପୂଜାପାଇଁ ସୁନ୍ଦର ମନ୍ଦିରଟିଏ ତୋଳେଇବାକୁ ଇଛାକରିଥିଲେ । ରାଜାଙ୍କ ଆଦେଶରେ ରାଜ୍ୟର ଅନେକ କାରୀଗରଙ୍କ ମଧ୍ୟରୁ ୧୨୦୦ ଭଲ ଭଲ କାରୀଗରଙ୍କୁ ବଛାହେଇ ମନ୍ଦିରର କାମ ଆରମ୍ଭ ହୋଇଥିଲା । ମନ୍ଦିର ତିଆରିରେ ମୂଖ୍ୟ କାରିଗର ଥିଲେ ବିଶୁମହାରଣା । ସମୂଦ୍ରକୂଳ ଚନ୍ଦ୍ରଭାଗାନଦୀ ମୂହାଣରେ ମନ୍ଦିରର ଆରମ୍ଭ ହୋଇଥିଲା । ମନ୍ଦିରଟି ତିଆରିହେଲା ଏକ ରଥ ଆକାରରେ । ସେଥିରେ ସାତଟି ପଥର ଘୋଡା ଯୋଖା ହେଲା । ମନ୍ଦିରର ସିଂହାସନରେ ରହିଲା ସୂର୍ଯ୍ୟଙ୍କ ପ୍ରତିମା । ଓଡ଼ିଶାର ୧୨ବର୍ଷର ରାଜସ୍ଵ ଖର୍ଚ୍ଚରେ ମନ୍ଦିରଟି ନିର୍ମାଣ ହେଲା । ମନ୍ଦିରର ମୂଳରୁ ଚୂଳ ଯାଏଁ କାରୂକାର୍ଯ୍ୟ ପୂର୍ଣ୍ଣ ହୋଇ ତିଆରି ହେଲା । କିନ୍ତୁ କାରିଗର ମାନେ ଯେତେ ଥର ମନ୍ଦିରର ଦଧିନଉତିକୁ ବସାଉଥାଆନ୍ତି ତାହା ଖସି ପଡୁଥାଏ । ମୂଖ୍ୟ କାରିଗର ବିଶୁମହାରଣା, ସେ ତାଙ୍କର ସମସ୍ତ ବୁଦ୍ଧି ବିଦ୍ୟା ଖଟାଇ ମଧ୍ୟ ପାରୁନଥାନ୍ତି । ଏଣେ ରାଜା ଅଧିର ହୋଇ ବିଶୁମହାରଣାଙ୍କୁ ଡକାଇ କହିଲେ : ମୁଁ ଆଉ ସାତ ଦିନ ସମୟ ଦେଉଛି ଏହାମଧ୍ୟରେ ଦେଉଳର ମୁଣ୍ଡି ନମାରି ପାରିଲେ ୧୨୦୦ ଶହ କାରିଗରଙ୍କ ମୁଣ୍ଡ କାଟ ହେବ। ବିଶୁ ମହାରଣା ସମସ୍ତ କାରିଗରଙ୍କୁ ରାଜାଙ୍କ ଆଦେଶ ଜଣାଏଦେଲେ । ସମସ୍ତଙ୍କ ମନରେ ଭାଲେଣି ପଡିଲା କିନ୍ତୁ କରିବେ କ'ଣ? ବିଶୁମହାରଣା ଘରୁ ଆସିବା ସମୟରେ ତାଙ୍କର ଗୋଟେ ପୁଅ ହୋଇଥିଲା । ତା ନାଁ ଥିଲା ଧରମା( ଧର୍ମପଦ)। ସେ ବାପାଙ୍କୁ ଦେଖାକରିବାକୁ ଜିଦ୍ କରିବାରୁ ତା ମା ତାକୁ ତାଙ୍କଘର ବାଡ଼ିବରକୋଳି ଦେଇ ପଠେଇଥିଲେ । ଧରମା ଖୋଜି ଖୋଜି ଯାଏ ମନ୍ଦିର ପାଖରେ ପହଞ୍ଚିଲା। ୧୨ ବର୍ଷ ବିତିଯାଏଥିଲେ ମଧ୍ୟ ସେ ପୁଅ କୁ କେବେ ଦେଖି ନ ଥିଲେ । ଘରର ବାଡ଼ିବରକୋଳି ଦେଖି ସେ ପୁଅକୁ ଚିହ୍ନିପାରିଲେ । ବାପାଙ୍କ ମନରେ ଉଦାସ ଦେଖି ଧରମା ସମସ୍ତ କଥା ପଚାରି ବୁଝିଲା । ରାତି ପାହିଲେ ୧୨୦୦ବଢେଇଙ୍କ ମୁଣ୍ଡ କଟା ହେବ । ତା ମନ ବିକଳ ହୋଇ ଉଠିଲା, ସେ କାରିଗରୀ କୂଳର ପିଲା , ମନ୍ଦିରର ଦଧିନଉତି ବସାଇ ମୁଣ୍ଡି ମାରି ପାରିବ ବୋଲି ଧରମାର ସାହସ ହେଲା । ସେ ବାପାଙ୍କଠାରୁ ଅନୁମତି ନେଇ ମନ୍ଦିରର ଚୂଳକୁ ଉଠିଲା ଓ ରାତାରାତି ମାପଚୂପ କରି ଦଧିନଉତି ବସେଇ ଦେଲା। ସକାଳହେବା ଆଗରୁ ଦେଖାଗଲା ମନ୍ଦିର କାମ ଶେଷ। ଏହା ଦେଖି ସମସ୍ତେ ଖୁସି ହୋଇଗଲେ କିନ୍ତୁ ୧୨୦୦ବଢେଇ ଭାବିଲେ ଯାହା ୧୨୦୦ ବଢେଇ କରିପାରିଲେନି ତାହା ଜଣେ ୧୨ ବର୍ଷର ପିଲା କରିଛି ଯଦି ରାଜା ଏହା ଜାଣିଲେ ନିଶ୍ଚୟ ସମସ୍ତଙ୍କ ମୁଣ୍ଡ କାଟ ହେବ। ସମସ୍ତ ବଢେଇ ଏକଥା ବିଶୁମହାରଣା ଙ୍କୁ କହିଲେ, ଏହା ଶୁଣି ଧରମା ଭାବିଲା ଜନ୍ମ ହେଲେ ମୃତ୍ୟୁ ନିଶ୍ଚିନ୍ତ, ତେଣୁ ନିଜର ଜୀବନ ଅପେକ୍ଷା ୧୨୦୦ ବଢେଇଙ୍କ ଜୀବନ ମୁଲ୍ୟବାନ ତେଣୁ ସେ ବାପାଙ୍କୁ ବୁଝେଇ ମନ୍ଦିର ଚୂଳକୁ ଯାଇ ସମୁଦ୍ର ମଧ୍ୟକୁ ଡେଇଁ ପଡ଼ିଲା ।
    2. ନରସିଂହ ଦେବ ମାତ୍ର ୧୮ ବର୍ଷ ବୟସରେ ଦକ୍ଷିଣକୁ ଯୁଦ୍ଧ କରିବାକୁ ଯାଇଥିଲେ ଏବଂ ବିପୁଳ ଧନରତ୍ନ ଧରି ତିନିବର୍ଷ ପରେ ଫେରିଲେ । ପିତା ଅନଙ୍ଗଭୀମ ଦେବ ସେ ଯାଏଁ ସିଂହାସନାରୂଢ଼ । ମାତା ଉପଦେଶ ଦେଲେ , ଯେଉଁ ବିପୁଳ ଅର୍ଥ ସେଥିରେ ଗୋଟିଏ ବିଶାଳ ସୂର୍ଯ୍ୟମନ୍ଦିର ଗଢ଼ । କାରଣ ଓଡିଶାର ଚାରିଟି ବିଶିଷ୍ଟ କ୍ଷେତ୍ର ମଧ୍ୟରୁ ଏକମାତ୍ର ଅର୍କକ୍ଷେତ୍ରରେ ସେ ଯାଏଁ ଉପଯୁକ୍ତ ମନ୍ଦିରଟିଏ ଗଢା ହେଇନଥିଲା । ଅନ୍ୟ ତିନିଟି କ୍ଷେତ୍ର - ପୁରୀ , ଭୁବନେଶ୍ଵର , ଯାଜପୁର । ଉଦ୍ୟୋଗ ଆରମ୍ଭ ହୋଇଗଲା ।ଦୂର ଦୂରାନ୍ତରୁ ପଥର ଆଣିବା ଆରମ୍ଭ ହେଲା । ମନ୍ଦିର ଗଠନ ଆରମ୍ଭ କିନ୍ତୁ ଆଉ ପାଞ୍ଚ ବର୍ଷ ଆଗକୁ । ପ୍ରଥମ ନରସିଂହଦେବ ସେହି ବର୍ଷ ସିଂହାସନ ଆରୋହଣ କଲେ ।
    3. ଆଉ ଗୋଟିଏ ଜନଶ୍ରୁତି , ଏ ମନ୍ଦିର ଗଢା ଶେଷ ହୋଇନଥିଲା । ଏହା ମଧ୍ୟସତ୍ୟ ନୁହେଁ । ବାୟାଚକଡାର ଅନୁଲିପି ମତେ ମନ୍ଦିର ମଧ୍ୟରେ ବିଗ୍ରହ ପ୍ରତିଷ୍ଠା ହେଇଥିଲା ୧୨୫୬ ମାଘ ଶୁକ୍ଳ ସପ୍ତମୀ ରବିବାରରେ(ସେ ସମୟର ଓଡିଆ ପଞ୍ଜିକା ବିଶ୍ଲେଷଣ କରି ଐତିହାସିକ ମାନେ ଇଂରାଜୀ ବର୍ଷଟି ସ୍ଥିର କରିଛନ୍ତି । ବିଗ୍ରହ ସ୍ଥାପିତ ହେବା ପରେ ବହୁବର୍ଷ ଏଠାରେ ପୂଜାର୍ଚ୍ଚନା ହୋଇଛି- ଯାହାର ଚିହ୍ନ ଆଜିମଧ୍ୟ ବହନ କରୁଛି ଦେବ ସିଂହାସନ

ଅବକ୍ଷୟ[ସମ୍ପାଦନା]

ମାଦଳା ପାଞ୍ଜି ମତେ[ସମ୍ପାଦନା]

କୋଣାର୍କ ଦେଉଳରେ ଥିବା ସୂର୍ଯ୍ୟ ଦେବତାଙ୍କର ଏକ ପ୍ରତିମୂର୍ତ୍ତି

ମନ୍ଦିର ଧ୍ୱଂସ ହେବାର କାରଣ ସପକ୍ଷରେ ବହୁ କିମ୍ବଦନ୍ତୀ ପ୍ରଚଳିତ । ମାଦଳା ପାଞ୍ଜିରେ ଲିଖିତ ବୃତ୍ତାନ୍ତ ମତେ ଯବନ କଳାପାହାଡ ଓଡିଶା ଆକ୍ରମଣ କରି ବହୁ ମନ୍ଦିର ଧ୍ୱଂସ କରିଥିଲା । କୋଣାର୍କ ମନ୍ଦିର ଭାଙ୍ଗିବା ସହଜ ନଥିଲା । କାରଣ ଦେଉଳର ବେଧ୨୦ରୁ୨୫ ଫୁଟ ଥିଲା । କଳାପାହାଡ ଏ ମନ୍ଦିରର ଗଠନ ପ୍ରଣାଳି ଜାଣିଥିଲା । ସେ କଳସଟି ସ୍ଥାନଚ୍ୟୁତ କରିଦେବାରୁ କାଳକ୍ରମେ ପ୍ରସ୍ତର ସ୍ତର ବିକ୍ଷିପ୍ତ ହେଲା ଏବଂ କୋଣାର୍କ ଧ୍ୱଂସ ହେଲା ।

କଳା ପାହାଡ଼[ସମ୍ପାଦନା]

ଧ୍ୱଂସର ମୂଳକାରଣ ହେଉଛି ବଙ୍ଗୀୟ ସୁଲତାନ ସୁଲେମାନ କରାଣୀର ସେନାଧ୍ୟକ୍ଷ ରୁଦ୍ରନାରାୟଣ ଯିଏ କଳାପାହାଡ଼ ନାମରେ କୁଖ୍ୟାତ। କେହି କେହି କହନ୍ତି, କଳା ପାହାଡ଼ ଆଗରୁ ହିନ୍ଦୁ ଥିଲା। [୭] ପରେ ପରେ ସେ ଇସଲାମ ଧର୍ମ ଗ୍ରହଣ କରିଥିଲା। [୮] ଶେଖ କବୀର ବତିନିଙ୍କ ଅଫସାନା-ଈ-ଶାହାନ ଅନୁସାରେ [୯] ସେ ଜଣେ ବତିନି(ଆଫଗାନର ପଠାଣ) ଲୋକ । ଓଡ଼ିଶା ଇତିହାସ ଅନୁସାରେ ୧୫୦୮ ଖ୍ରୀଷ୍ଟାବ୍ଦରେ କଳା ପାହାଡ଼ ଓଡ଼ିଶା ଆକ୍ରମଣ କରିଥିଲା ଓ କୋଣାର୍କ ମନ୍ଦିର ସମେତ ଓଡ଼ିଶାର ଅନେକ ମନ୍ଦିରକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲା। ପୁରୀ ଜଗନ୍ନାତ ମନ୍ଦିରରର ମାଦଳାପାଞ୍ଜିରେ ୧୫୬୮ ଖ୍ରୀଷ୍ଟାବ୍ଦରେ କଳାପାହାଡ଼ କେମିତି ଓଡ଼ିଶା ଆକ୍ରମଣ କରିଥିଲା ତାହା ବର୍ଣ୍ଣନା କରା ଯାଇଅଛି । ୨୦ ଫୁଟରୁ ୨୫ ଫୁଟର ପାଚେରୀ ଯୁକ୍ତ ଅନେକ ଓଡ଼ିଆ ମନ୍ଦିର ଓ ମନ୍ଦିରସ୍ଥ ଦେବାଦେବୀଙ୍କୁ ସେ ଧ୍ୱଂସ କରିଥିଲା। କୌଣସି ଉପାୟରେ ସେ କୋଣାର୍କ ମନ୍ଦିରର ଦଧିନଉତିକୁ ସ୍ଥାନାନ୍ତରିତ କରିବାରେ ସଫଳ ହେବାରୁ ପୁରା ଦେଉଳଟି ଭାଙ୍ଗି ପଡ଼ିଲା। ମନ୍ଦିର ମୁଖଶାଳାର ଚୂଡ଼ାରେ ଅନେକ ପଥର ପଡ଼ିବାରୁ ତାହା ମଧ୍ୟ କେତେକାଂଶରେ ଭାଙ୍ଗି ଯାଇଥିଲା । ତା ସହିତ କଳାପାହାଡ଼ ମନ୍ଦିରର ଅନେକ ମୂର୍ତ୍ତି ଓ ପାର୍ଶ୍ୱ ଦେଉଳକୁ ମଧ୍ୟ ଧ୍ୱଂସ କରିଦେଇଥିଲା।

୧୫୬୮ ଖ୍ରୀଷ୍ଟାବ୍ଦରେ ଓଡ଼ିଶାରେ ମୁସଲମାନ ରାଜତ୍ୱ ଆରମ୍ଭ ହେଲା । ସେତେବେଳେ ହିନ୍ଦୁ ମନ୍ଦିରମାନଙ୍କୁ ଧ୍ୱଂସ କରିବାପାଇଁ ନିରନ୍ତର ଚେଷ୍ଟା କରାଯାଉଥିଲା । ଏପରିକି ପ୍ରଭୁ ଜଗନ୍ନାଥଙ୍କୁ ବଞ୍ଚାଇବାପାଇଁ ପଣ୍ଡାମାନେ ତାଙ୍କୁ ଲୁଚାଇ ଏକ ଗୋପନ ସ୍ଥାନକୁ ନେଇ ଯାଇଥିଲେ । ଏମିତିକି କୁହାଯାଏ ଯେ, କୋଣାର୍କର ପଣ୍ଡାମାନେ ଅଧିଷ୍ଠିତ ଦେବତା ସୂର୍ଯ୍ୟକୁ ନେଇଯାଇ ବାଲି ତଳେ ପୋତି ଅନେକ ବର୍ଷ ପର୍ଯ୍ୟନ୍ତ ରଖିଥିଲେ । ପରେ ପରେ ଏହା ପୁରୀକୁ ନିଆଗଲା ଓ ଜଗନ୍ନାଥ ମନ୍ଦିର ବେଢ଼ାରେ ଥିବା ଇନ୍ଦ୍ରଙ୍କ ମନ୍ଦିରରେ ସ୍ଥାପିତ କରାଗଲା । ଆଉ କେହି କେହି ମତ ଦିଅନ୍ତି, କୋଣାର୍କ ମନ୍ଦିରରେ ଅନୁସୃତ ପୂଜାବିଧି ଆଜି ମଧ୍ୟ ଅଜ୍ଞାତ । ଆଉ କେହି କେହି କହନ୍ତି, କୋଣାର୍କରେ ଅଧ୍ୟୁଷିତ ସୂର୍ଯ୍ୟଦେବତାଙ୍କ ମୂର୍ତ୍ତି ଏବେ ଦିଲ୍ଲୀର ଜାତୀୟ ସଂଗ୍ରହାଳୟରେ ରହିଛି ।

ସୂର୍ଯ୍ୟଦେବତାଙ୍କ ମୂର୍ତ୍ତିକୁ ସ୍ଥାନାନ୍ତରିତ କରିନେବାପରେ ଏଠାରେ ସୂର୍ଯ୍ୟପୂଜା ବନ୍ଦ ହୋଇଯାଇଥିଲା । ଏହା ଫଳରେ ଏଠାକୁ କେହି ତୀର୍ଥ ଯାତ୍ରୀ ଆସିଲେ ନାହିଁ । ସମୟକ୍ରମେ ବହିର୍ଶତ୍ରୁ ଆକ୍ରମଣରୁ କୋଣାର୍କ ବନ୍ଦର ମଧ୍ୟ ବନ୍ଦ ହୋଇଗଲା । କିନ୍ତୁ ଦିନ ଥିଲା ଯେତେବେଳେ କୋଣାର୍କ ସହର ଥିଲା ସୂର୍ଯ୍ୟ ପୂଜାର ଗୌରବଶାଳୀ ପରମ୍ପରା ବହନ କରୁଥିବା ଉତ୍କଳୀୟ ନୌବାଣିଜ୍ୟର ବିଖ୍ୟାତ କେନ୍ଦ୍ରସ୍ଥଳୀ। ଧିରେ ଧରେ ଜନ ସମାଗମ କମି ଯିବାରୁ ଏହା ଜଙ୍ଗଲାବୃତ ହୋଇ ରହି ଯାଇଥିଲା । ୧୬୨୬ ଖ୍ରୀଷ୍ଟାବ୍ଦରେ ଖୋର୍ଧାର ତତ୍କାଳୀନ ରାଜା ନରସିଂହଦେବ (ପୁରୁଷୋତ୍ତମ ଦେବଙ୍କର ପୁତ୍ର) ସୂର୍ଯ୍ୟଦେବତାଙ୍କ ମୂର୍ତ୍ତି, ଅନ୍ୟ ଦୁଇଟି ଭ୍ରାମ୍ୟମାଣ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମୂର୍ତ୍ତି ସହିତ ପୁରୀକୁ ନେଇ ଯାଇଥିଲେ। ଏବେ ସେହି ମୂର୍ତ୍ତିମାନେ ଜଗନ୍ନାଥ ମନ୍ଦିର ବେଢାରେ ଥିବା ଏକ ମନ୍ଦିରରେ ପୂଜା ପାଉଛନ୍ତି । କୋଣାର୍କ ମନ୍ଦିର ମୁଖଶାଳାରେ ଏକ ବିଶାଳ ଶିଳାଖଣ୍ଡରେ ନିର୍ମିତ ଏକ ନବଗ୍ରହ ମୂର୍ତ୍ତି ରହିଥିଲା । ଖୋର୍ଧାର ତତ୍କାଳୀନ ରାଜା ଏହାକୁ ସ୍ଥାନାନ୍ତରିତ କରିଥିଲେ। ସେ ଏହାକୁ ବ୍ୟବହାର କରି ପୁରୀ ଜଗନ୍ନାଥ ମନ୍ଦିରରରେ ଖଞ୍ଜିଥିଲେ । ମରାଠା ଶାସନ କାଳରେ ପୁରୀ ଶ୍ରୀମନ୍ଦିରର ବେଢାର କିଛି ଅଂଶ କୋଣାର୍କରୁ ନିଆ ଯାଇଥିବା ପଥରରେ ତିଆରି କରାଯାଇଥିଲା । କୁହାଯାଏ ଯେ, ସବୁ ମନ୍ଦିର ଭିତରୁ କୋଣାର୍କ ମନ୍ଦିରର ନାଟ ମନ୍ଦିର ଅନେକ ଦିନ ପର୍ଯ୍ୟନ୍ତ ଯଥାବତ୍ ତିଷ୍ଠି ରହିଥିଲା। ପରେ ପରେ ଏହାକୁ ଭାଙ୍ଗି ଦିଆ ଯାଇଥିଲା, କାରଣ ମରାଠାମାନେ ଏହାକୁ ଏକ ଅନାବଶ୍ୟକ ସଂରଚନା ବୋଲି ଜ୍ଞାନ କରିଥିଲେ। ୧୭୭୯ରେ ଜଣେ ମରାଠା ସାଧୁ ଏଠାକାର ଅରୁଣ ଖମ୍ବକୁ ନେଇ ପୁରୀ ଶ୍ରୀମନ୍ଦିରର ସିଂହଦ୍ୱାର ସାମନାରେ ସ୍ଥାପନ କରାଇଥିଲେ । ତେଣୁ ଅଷ୍ଟାଦଶ ଶତାବ୍ଦୀର ଶେଷ ଆଡ଼କୁ କୋଣାର୍କ ନିଜର ସମସ୍ତ ଗୌରବ ହରାଇ ସାରିଥିଲା ଓ ଧିରେ ଧିରେ ଏହା ପରିତ୍ୟକ୍ତ ହୋଇ ଜଙ୍ଗଲ ଓ ବାଲିରେ ଲୁପ୍ତ ହୋଇ ହିଂସ୍ର ଜନ୍ତୁ ଓ ଦସ୍ୟୁମାନଙ୍କର ଆଡ୍ଡାସ୍ଥଳୀ ହୋଇ ଯାଇଥିଲା । କୁହାଯାଏ ଯେ, ସ୍ଥାନୀୟ ଲୋକମାନେ ବି ଦିନ ଦି ପହରେ ଏଠାକୁ ଯିବାକୁ ଡରୁଥିଲେ ।

ଚୁମ୍ବକ ଓ ଭାସମାନ ମୂର୍ତ୍ତି[ସମ୍ପାଦନା]

ସ୍ଥାନୀୟ ଲୋକ ଓ ପଥପ୍ରଦର୍ଶକମାନେ କହିବା ଅନୁସାରେ କୋଣାର୍କ ମନ୍ଦିରର ପ୍ରତି ଦୁଇଟି ପଥର ଭିତରେ ଗୋଟିଏ ଲେଖାଏଁ ଲୁହା ପ୍ଲେଟ ଦିଆ ଯାଇଥିଲା (ଯାହା ଆଜି ବି ଦେଖିବାକୁ ମିଳେ) । ଦେଉଳକୁ ଲୁହା ବିମ୍ ଦେଇ ମଜବୁତ କରା ଯାଇଥିଲା । ଦଧିନଉତି ବା ମନ୍ଦିର ଚୂଡ଼ାରେ ୫୨ ମେଟ୍ରିକ ଟନର ଏକ ବିଶାଳ ଚୁମ୍ବକ ଖଞ୍ଜା ଯାଇଥିଲା ଯାହାକୁ ବାରଶହ ବଢେଇ କରି ପାରି ନଥିଲେ, ତାହା ବାରବର୍ଷର ଶିଳ୍ପୀପୁତ୍ର ଧରମା କରି ଦେଖାଇଥିଲା । ଏହି ଚୁମ୍ବକ କାରଣରୁ ଦେଉଳଟି ସମୁଦ୍ର କୂଳର ପ୍ରତିକୂଳତାରେ ପ୍ରଭାବିତ ନ ହୋଇ ମଜବୁତ ହୋଇ ଠିଆ ହୋଇ ପାରିଥିଲା । ମୁଖ୍ୟ ପ୍ରତିମା କୌଣସି ସିଂହାସନରେ ବସି ନ ଥିଲେ। ଖଞ୍ଜା ଯାଇଥିବା ଅନେକ ଚୁମ୍ବକର ଶକ୍ତି ବଳରେ ଏହା ଶୂନ୍ୟରେ ଭାସମାନ ଥିଲେ । ମନ୍ଦିରକୁ ଏମିତି ଭାବରେ ନିର୍ମାଣ କରା ଯାଇଥିଲା ଯେପରିକି ସୂର୍ଯ୍ୟଙ୍କର ପ୍ରଥମ କିରଣ ନାଟମନ୍ଦିର ଦେଇ ଗର୍ଭଗୃହସ୍ଥ ମୁଖ୍ୟ ପ୍ରତିମାଙ୍କ ନାଭିରେ ସଂଯୁକ୍ତ ହୀରାରେ ପ୍ରତିଫଳିତ ହେଉଥିଲା। ଏହା ସକାଳୁ ସକାଳୁ ଅଳ୍ପ କେଇ ମିନିଟ ପାଇଁ ଦେଖିବାକୁ ମିଳୁଥିଲା। ପରବର୍ତ୍ତୀ କାଳରେ କେନ୍ଦ୍ରରେ ଖଞ୍ଜାଯାଇଥିବା ଚୁମ୍ବକକୁ ଇଂରେଜ ମାନେ ବାହାର କରି ନେଇ ଯାଇଥିଲେ ।

ଆଉ ଏକ ଜନଶ୍ରୁତି ଶୁଣିବାକୁ ମିଳେ ଯେ, ଏହି ଚୁମ୍ବର ଶକ୍ତି ଏତେ ପ୍ରବଳ ଥିଲା ଯେ, ସମୁଦ୍ରରେ ଯାଉଥିବା ଜାହାଜଗୁଡ଼ିକରେ ଥିବା କମ୍ପାସ ଏହାଦ୍ୱାରା ପ୍ରଭାବିତ ହେଉଥିଲା। ପର୍ତ୍ତୁଗୀଜମାନେ ନିଜ ଜାହାଜର ସୁରକ୍ଷା ପାଇଁ କେନ୍ଦ୍ରସ୍ଥ ଚୁମ୍ବକ ଯାହା ଦେଉଳର ଅନ୍ୟାନ୍ୟ ଚୁମ୍ବକକୁ ସନ୍ତୁଳିତ କରି ରଖିଥିଲା ତାକୁ ବାହାର କରି ନେଇ ଯିବାଦ୍ୱାରା ଭାରସାମ୍ୟ ହରାଇ ଗର୍ଭଗୃହ ଧ୍ୱଂସପ୍ରାପ୍ତ ହୋଇଯାଇଥିଲା।

କୋଣାର୍କ ସମ୍ବନ୍ଧରେ ମନ୍ତବ୍ୟ[ସମ୍ପାଦନା]

ରାତିରେ ରୂପସୀ କୋଣାର୍କ

ମନ୍ଦିରର କଳାନୈପୁଣ୍ୟକୁ ଦେଖି ଅନେକ କବି ଏହାର ପ୍ରଶଂସା ନ କରି ରହି ପାରି ନାହାନ୍ତି। ନୋବେଲ ପୁରସ୍କାର ପ୍ରାପ୍ତ କବି ରବୀନ୍ଦ୍ରନାଥ ଠାକୁର କହିଛନ୍ତି, ‘‘ଏଠାରେ ପଥର ମଣିଷଠାରୁ ଅଧିକ କଥା କହେ।’’

Here the language of stone surpasses the language of man.

ପ୍ରଖ୍ୟାତ ହିନ୍ଦୁସ୍ତାନୀ ଗାୟିକା ସୁନନ୍ଦା ପଟ୍ଟନାୟକ କୋଣାର୍କ ଉପରେ ଏକ ସୁନ୍ଦର ଇଂରାଜୀ କବିତା ଲେଖିଛନ୍ତି। ଏହାର ଓଡ଼ିଆ ଅନୁବାଦ ନିମ୍ନରେ ଦିଆଗଲା।[୧୦]

କୋଣାର୍କ

ସେଇଠି ଠିଆ ହେଇଚି
କୋଣାର୍କ।


ରକ୍ତସ୍ନାତ ଗୋଟେ ମନ୍ଦିର
ଧରମାର
ଅଧାଭଙ୍ଗା, ମସ୍ତକହୀନ
ତଥାପି ସୁନ୍ଦର, ତଥାପି ଅନନ୍ୟ।


ପ୍ରତ୍ୟେକଟି ଭଙ୍ଗା ପଥର ଭିତରୁ
ଭାସି ଆସେ ମନ୍ତ୍ର
ଜଣେ ସନ୍ନ୍ୟାସୀର । ସେ ବସିଥାଏ
ଆଲୋକିତ ଭଗ୍ନ କାୟା ଉପରେ
ଅବହେଳିତ, ପରାସ୍ତ
ତଥାପି ତ ପୃଥିବୀର ସୁନ୍ଦରତମ ସତ୍ୟ।


ଚନ୍ଦ୍ରଭାଗା ନଦୀ
ସାଇତି ରଖେ ଧରମାର ନୀରବ ଲୁହ
ତା’ ଗର୍ଭରେ ଶୋଇଛି
ମଣିଷ ପଣିଆର ଅଧିକାର, ନ୍ୟାୟ ବଞ୍ଚିତ
ଦୁର୍ବଳ, କ୍ଷଣଭଙ୍ଗୁର ସମୟ।


କଳିଙ୍ଗର ପ୍ରାଚୀନ ଗୌରବ
ଆଦି କୀଟ-ଦଂଶିତ ପୋଥି
ଅବିଶ୍ୱସ୍ତ ଦାୟାଦଙ୍କ ଦୟାରେ ପଡ଼ିଥିବା
ଅବହେଳିତ ଅବିଶିଷ୍ଟ କିଛି


ତା’ର ଶିଳ୍ପୀଙ୍କୁ କହୁଚି ତଥାପି -
ଏଇଠି ମୁଁ ଅଛି।
ତମେ ଫେରି ଆସିବା
ଅପେକ୍ଷାରେ।
ପୁନର୍ଜନ୍ମ ଯାଏଁ.....

ରୂପସୀ କୋଣାର୍କର ଆଉକିଛି ରୂପସଜ୍ଜା[ସମ୍ପାଦନା]

ଆହୁରି ପଢ଼ନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Temples & Monuments". theorissa.com. 2012. http://www.theorissa.com/index.php/temples-monuments. Retrieved 5 July 2012. "The temple known as the Black Pagoda is one of the unrivalled architectural marvels of ancient India, the UNESCO world heritage sites." 
  2. title= ସରକାରୀ ୱେବସାଇଟ
  3. http://www.indiaprofile.com/monuments-temples/india-monuments.htm
  4. http://www.flonnet.com/stories/20080620251206600.htm Benoy K. Behl, "Tallest of them all", Frontline, Jun. 07-20, 2008
  5. Let's go: India & Nepal, 2004 By Let's Go, Inc, page 462
  6. India Rises in the West By Ranganathan Magadi, page 63
  7. http://www.mukto-mona.com/Articles/kamrun_nahar/Racial_Origin.pdf Racial Origin of the Muslim Population and their Social Stratification under Bengal Sultanate By Kamrun Nahar
  8. The Cult of Jagannātha By Kanhu Charan Mishra, Published 1971
  9. http://orissagov.nic.in/e-magazine/orissareview/jun2004/englishpdf/gloom.pdf K.S. Behera, "Gloom and Bloom: The Case of Jagannatha Temples in Midnapore District"
  10. ଓଡ଼ିଆ ପତ୍ରିକା ସଚିତ୍ର ‘‘ବିଜୟା’’ ମାର୍ଚ୍ଚ ୨୦୦୮ – ଅନୁବାଦ ଶ୍ରୀ ସୁନିଲ କୁମାର ପୃଷ୍ଟି ପୃଷ୍ଠା:୧୩

ବାହାର ତଥ୍ୟ[ସମ୍ପାଦନା]