ଅଲାରନାଥ ମନ୍ଦିର

ଉଇକିପିଡ଼ିଆ ରୁ
ଅଲାରନାଥ ମନ୍ଦିର
ଅଲାରନାଥ ମନ୍ଦିର ଓଡ଼ିଶାରେ ଅବସ୍ଥିତ ।
ଅଲାରନାଥ ମନ୍ଦିର
ଅଲାରନାଥ ମନ୍ଦିର
ଓଡ଼ିଶାରେ ଅଲାରନାଥ ମନ୍ଦିରର ଅବସ୍ଥାନ
ଦିଗବାରେଣି: 19°47′34.05″N 85°38′42.41″E / 19.7927917°N 85.6451139°E / 19.7927917; 85.6451139
ଅବସ୍ଥାନ
ଦେଶ: ଭାରତ
ରାଜ୍ୟ: ଓଡ଼ିଶା
ଜିଲ୍ଲା: ପୁରୀ
ଅବସ୍ଥାନ: ବ୍ରହ୍ମଗିରି
ତିଆରି ଶୈଳୀ ଓ ଚଳଣି
ମୂଖ୍ୟ ଦେବାଦେବୀ: ଅଲାରନାଥ
ବେବସାଇଟ: http://www.alarnath.in/

ରଥଯାତ୍ରା ପୂର୍ବରୁ ପ୍ରଥମେ ପଡେ ସ୍ନାନଯାତ୍ରା । ଏହି ମହାସ୍ନାନ ପରେ ଶ୍ରୀଜୀଉମାନେ ଲୌକିକ ମତରେ ଭୀଷଣ ଜ୍ୱରରେ ଆକ୍ରାନ୍ତ ହୋଇ ଅଣସର ଘରେ ପଡ଼ିରହନ୍ତି । ଅଣସରର ତାଳତାଟି ଭିତରେ ମହାପ୍ରଭୁଙ୍କ ବଂଶଧର ଭାବେ ପରିଚିତ ଦଇତାପତି ସେବକମାନେ ସେମାନଙ୍କର ସେବାଶୁଶ୍ରୁଷା କରନ୍ତି । ସେହି ସମୟରେ ଭକ୍ତମାନେ ଦୀର୍ଘ ୧୫ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି ନାହିଁ । ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୂଣ୍ୟ ମିଳେ ବୋଲି ପ୍ରବାଦ ରହିଛି ।[୧] ତେଣୁ ଅଣସର ସମୟରେ ଅଲାରନାଥ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ ଲାଗିରହିଥାଏ । ଏହା କୌଣସି ପର୍ଯ୍ୟଟନସ୍ଥଳୀ ନହେଲେ ବି କୃଷ୍ଣଭକ୍ତମାନଙ୍କ ପାଇଁ ଏକ ପ୍ରସିଦ୍ଧ ସ୍ଥାନ । କାରଣ ଭଗବାନ୍ ଅଲାରନାଥ ହେଉଛନ୍ତି ପ୍ରଭୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା । ପୁରୀର ପବିତ୍ର ନରେନ୍ଦ୍ର ପୁଷ୍କରିଣୀଠାରୁ ବାମପାର୍ଶ୍ଵ ପୁରୀ-ସାତପଡ଼ା ରାସ୍ତାରେ ୨୦ କି.ମି ଗଲେ ବ୍ରହ୍ମଗିରିରେ ପହଞ୍ଚିହୁଏ ।[୨] ପାଞ୍ଚ ଏକର ପରିମିତ ଜାଗାରେ କେତକୀ, ବଉଳ ଓ ନାରିକେଳ ଜଙ୍ଗଲ ପରିବେଶ ମଧ୍ୟରେ ୫୦ଫୁଟ ୫ଇଞ୍ଚ ଉଚ୍ଚତା ବିଶିଷ୍ଠ ଶ୍ରୀଅଲାରନାଥଙ୍କ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ଚତୁଃପାର୍ଶ୍ଵରେ ଶ୍ରୀଚୈତନ୍ୟ ମନ୍ଦିର, ଶିବ ମନ୍ଦିର ଓ ବିଭିନ୍ନ ଠାକୁରାଣୀଙ୍କ ମନ୍ଦିର, ନବଗ୍ରହ ପ୍ରସ୍ତର, ନାଟମନ୍ଦିର, ପ୍ରାର୍ଥନା ଗୃହ, ଭୋଗମଣ୍ଡପ, ମୁଖଶାଳା, ତଥା ଯଜ୍ଞ ମଣ୍ଡପ ଅବସ୍ଥିତ ।

ମନ୍ଦିର[ସମ୍ପାଦନା]

ଐତିହାସିକମାନଙ୍କ ମତରେ ୧୧୨୮ ଖ୍ରୀଷ୍ଟାବ୍ଦରେ ଗଙ୍ଗବଂଶର ଚତୁର୍ଥ ନରପତି ମଦନ ମହାଦେବଙ୍କ ସମୟରେ ଏହି ମନ୍ଦିରଟି ନିର୍ମିତ ହୋଇଥିଲା । ମନ୍ଦିରର ବିମାନ ବା ଗର୍ଭଗୃହର ମଧ୍ୟଭାଗରେ ପ୍ରତିଷ୍ଠିତ ଏକ ପ୍ରସ୍ତର ସିଂହାସନରେ ଚିକ୍‌କଣ କଳା ମୁଗୁନି ପ୍ରସ୍ତର ନିର୍ମିତ ଚତୁର୍ଭୁଜ ବିଶିଷ୍ଟ ଅଲାରନାଥ ବିଗ୍ରହ ଅତ୍ୟନ୍ତ କମନୀୟ । ଦଣ୍ଡାୟମାନ ଭଙ୍ଗୀରେ ଥିବା ଏହି ବିଗ୍ରହଙ୍କର ହସ୍ତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ସୁଶୋଭିତ । ସୂକ୍ଷ୍ମ କରୁକାର୍ଯ୍ୟ ସମ୍ପନ୍ନ ଅଲାରନାଥଙ୍କ ବିଗ୍ରହରେ ଦ୍ରାବିଡ଼ ଶୈଳୀର ଭାସ୍କର୍ଯ୍ୟ ପରିଲକ୍ଷିତ ହୋଇଥାଏ । ଅତ୍ୟନ୍ତ ପ୍ରାଚୀନ ସମୟରୁ ବଂଶାନୁକ୍ରମିକ ଭାବେ ଏଠାକାର ପୂଜକମାନେ ଅଲାରନାଥ ମହାପ୍ରଭୁଙ୍କ ସେବା ସମ୍ପାଦନ କରି ଆସୁଛନ୍ତି ।[୩] ଶ୍ରୀ ଅଲାରନାଥଙ୍କ ବିଗ୍ରହମୂର୍ତ୍ତି କଳାମୁଗୁନି ପଥରରେ ନିର୍ମିତ । ମୂର୍ତ୍ତି ଚାରିପଟେ ତୋରଣ ଅଛି । ତୋରଣ ତଳେ ପାର୍ଶ୍ଵଦେବୀ ଶ୍ରୀଦେବୀ, ଭୂଦେବୀ ବିଦ୍ୟମାନ କରୁଛନ୍ତି । ପଦଯୁଗ ତଳେ ଗରୁଡ଼ ପ୍ରାର୍ଥନାରତ। ଶ୍ରୀ ଜୀଉଙ୍କ ଊର୍ଦ୍ଧ୍ଵ ବାମ ହସ୍ତରେ ଶଙ୍ଖ, ଡାହଣ ହସ୍ତରେ ଚକ୍ରଚିହ୍ନ ଅଛି । ନିମ୍ନ ବାମ ହସ୍ତରେ ଗଦା ଓ ଡାହାଣ ହସ୍ତରେ ପଦ୍ମ ଚିହ୍ନ ବିଦ୍ୟମାନ ।[୪] ଏଣୁ ଶ୍ରୀ ଅଲାରନାଥଙ୍କୁ ଚତୁର୍ଦ୍ଧାମୂର୍ତ୍ତି ନାରାୟଣ କୁହାଯାଏ ।

ପୌରାଣିକ[ସମ୍ପାଦନା]

ଅଲାରନାଥଙ୍କୁ ନେଇ ଆହୁରି ଏକ ପୌରାଣିକ ବିଷୟବସ୍ତୁ ରହିଛି । ସତ୍ୟଯୁଗ ସମୟର କଥା, ଏକଦା ସୃଷ୍ଟିକର୍ତ୍ତା ବ୍ରହ୍ମା ଭଗବାନ୍ ବିଷ୍ଣୁଙ୍କ ଦର୍ଶନ ଲାଭ କରିବା ଲାଗି ଘୋର ତପସ୍ୟା କଲେ । ବ୍ରହ୍ମାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ୍ ବିଷ୍ଣୁ ଚତୁର୍ଭୁଜ ରୂପ ଧାରଣ କରି ତାଙ୍କ ସମ୍ମୁଖରେ ପ୍ରକଟ ହେଲେ ଓ କହିଲେ ମୁଁ ତୁମ ତପସ୍ୟାରେ ସନ୍ତୁଷ୍ଟ । ତୁମେ ମୋର ଏକ ଚତୁର୍ଭୁଜ ମୂର୍ତ୍ତି ନିର୍ମାଣ କରି ଏଠାରେ ପୂଜାର୍ଚ୍ଚନା କର । ଭଗବାନଙ୍କ ଆଜ୍ଞା ପାଳନ କରି ବ୍ରହ୍ମା କଳା ମୁଗୁନି ପଥରରେ ବିଷ୍ଣୁଙ୍କ ଚଳନ୍ତି ପ୍ରତିମା ନିର୍ମାଣ କରି ସେଠାରେ ପୂଜାର୍ଚ୍ଚନା କଲେ । ସେହି ପ୍ରତିମୂର୍ତ୍ତି ସମ୍ପ୍ରତ୍ତି ଅଲାରନାଥ ନାମରେ ସର୍ବତ୍ର ବିଖ୍ୟାତ । ଯେଉଁ ପର୍ବତ ଉପରେ ସେ ତପସ୍ୟା କଲେ ସେହି ସ୍ଥାନଟି ପରବର୍ତ୍ତୀ କାଳରେ ବ୍ରହ୍ମଗିରି ନାମରେ ବିଖ୍ୟାତ ହେଲା । ପରବର୍ତ୍ତୀ ସମୟରେ ସେହି ଅଞ୍ଚଳକୁ ବ୍ରହ୍ମଗିରି ବୋଲି କୁହାଗଲା । ସେହିପରି ଆଉ ଏକ ପୌରାଣିକ କଥା ଯେ, ରାଜା ଇନ୍ଦ୍ରଦ୍ୟୁମ୍ନ ରାଜତ୍ୱ କାଳରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା ଲାଗି ମର୍ତ୍ତ୍ୟଭୂମିକୁ ଆସିଥିଲେ । ସେ ପ୍ରଥମେ ଯେଉଁ ସ୍ଥାନରେ ମର୍ତ୍ତ୍ୟଭୂମିକୁ ଓହ୍ଲାଇଲେ ସେହି ସ୍ଥାନକୁ ପରବର୍ତ୍ତୀ ସମୟରେ ବ୍ରହ୍ମଗିରି ବୋଲି କୁହାଗଲା । ସୃଷ୍ଟିକର୍ତ୍ତା ମର୍ତ୍ତ୍ୟଭୂମିରେ ପାଦ ଦେବା ପରେ ବିଷ୍ଣୁଙ୍କ ପୂଜା କରିଥିଲେ । ଯେଉଁଠାରେ ସେ ବିଷ୍ଣୁଙ୍କ ପୂଜା କରିଥିଲେ ପରବର୍ତ୍ତୀ ସମୟରେ ତାହା ଅଲାରନାଥ ନାମରେ ଖ୍ୟାତି ଅର୍ଜନ କଲା । [୫]

ଇତିହାସ[ସମ୍ପାଦନା]

ତାମିଲନାଡୁରୁ ଆସିଥିବା ଆଲବର ସମ୍ପ୍ରଦାୟମାନେ ଏଠାରେ ଚତୁର୍ଦ୍ଧାମୂର୍ତ୍ତୀ ସ୍ଥାପନ କରିଥିଲେ ଏବଂ ଏହି ସମ୍ପ୍ରଦାୟର ବ୍ରାହ୍ମଣମାନେ ପ୍ରଭୁଙ୍କର ପୂଜାର୍ଚ୍ଚନା କରନ୍ତି । ପୁରୁଷୋତ୍ତମ ଚନ୍ଦ୍ରିକାରୁ ଜଣାପଡ଼େ ଅଲବନ୍ଦ ଆଚାର୍ଯ୍ୟ ନାମକ ଏକ ତାନ୍ତ୍ରିକ ବ୍ରାହ୍ମଣ ଅନବସର ସମୟରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସ୍ଵର୍ଗଦ୍ଵାର ନିକଟ ସୋଲାଖିଆ ବଟବୃକ୍ଷରେ ମହୂମାଛି ହୋଇ ଶ୍ରୀମନ୍ଦିରକୁ ଯାଆନ୍ତେ ସେଠାରେ ବାଧାପ୍ରାପ୍ତ ହୋଇ ସମୁଦ୍ରରେ ଝାସ ଦେବାକୁ ଯିବା ସମୟରେ ଏକ ମର୍କଟ ବାଧାଦେବାରୁ ସେ ଶ୍ରୀ ଅଲାରନାଥଙ୍କ ପୀଠରେ ଆସି ପଡ଼ିଲେ l ଅଲବନ୍ଦାରନାଥଙ୍କ ଠାକୁରଙ୍କୁ କାଳକ୍ରମେ ଶ୍ରୀ ଅଲାରନାଥ ଭାବେ ପୂଜା ହେଉଥିବା କୁହାଯାଏ । ଗବେଷକମାନଙ୍କ ମତାନୁଯାୟୀ ‘ଅଲାରନାଥ’ ନାଁଟି ଏକ ଦ୍ରାବିଡ଼ ଶବ୍ଦରୁ ଆସିଛି । ଦ୍ରାବିଡ଼ ଶବ୍ଦ ‘ଆଲୋୟାର’ର ଅର୍ଥ ଭକ୍ତ । ଏଣୁ ଆଲୋୟାରନାଥ ପ୍ରକୃତରେ ଭକ୍ତଙ୍କର ନାଥ । କାଳକ୍ରମେ ଆଲୋୟାରନାଥ ଶବ୍ଦର ଅପଭ୍ରଂଶ ଘଟି ଆଲବନ୍ଦାନାଥ, ଅଲବରନାଥ, ଆଲାଲାନାଥ ଏବଂ ପରିଶେଷରେ ସ୍ଥାନୀୟ ଲୋକମୁଖରେ ଏହା ‘ଅଲାରନାଥ’ ନାମରେ ପ୍ରସିଦ୍ଧି ଲାଭ କରିଛି । ଅପରପକ୍ଷରେ ପୁରୁଷୋତ୍ତମ ଚନ୍ଦ୍ରିକାରେ ହୋଇଥିବା ଉଲ୍ଲେଖ ଅନୁସାରେ ପରମ ତାନ୍ତ୍ରିକ ବାବା ଅଲବନ୍ଦାଚାର୍ଯ୍ୟ ନାମକ ଜଣେ ତନ୍ତ୍ର ସାଧକ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସିଥିବା ସମୟରେ ଅଣସର ହେତୁ ଦର୍ଶନ ପାଇ ପାରି ନ ଥିଲେ । ନିଜର ତନ୍ତ୍ର ସାଧନା ପ୍ରୟୋଗ କରି ସେ ଏକ ଭ୍ରମର ରୂପରେ ଅଣସର ଗୃହକୁ ପ୍ରବେଶ କରିଥିଲେ । ଅଣସର ଗୃହରେ ଏକ ଅଷ୍ଟଦଳ ପଦ୍ମ ଦେଖି ଅଲ୍‌ବନ୍ଦା ପଦ୍ମ ଉପରେ ବସିବାକୁ ଉଦ୍ୟମ କରିବା ବେଳେ ପଦ୍ମର ପାଖୁଡ଼ା ଗୁଡିକ ଜଣେ ଜଣେ ସୁନ୍ଦରୀ ନାରୀରେ ପରିଣତ ହୋଇ ଭ୍ରମରକୁ ଉପହାସ କରିଥିଲେ । ଫଳରେ ଅଲ୍‌ବନ୍ଦାଚାର୍ଯ୍ୟ ଅପମାନ ପୂର୍ବକ ଜଗନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇ ସମୁଦ୍ରରେ ପ୍ରାଣ ବିସର୍ଜନ ନିମନ୍ତେ ଉଦ୍ୟମ ହୁଅନ୍ତେ ହଠାତ୍ ଏକ ବିରାଟକାୟ ମର୍କଟ ତାଙ୍କ ସମ୍ମୁଖରେ ଲମ୍ଫ ପ୍ରଦାନ କରି ଦକ୍ଷିଣ ଦିଗକୁ ଗତି କରିଥିଲା । ଏହା ଭଗବାନଙ୍କ ନିର୍ଦ୍ଦେଶ ଭାବି ସେ ଦକ୍ଷିଣାଭିମୁଖୀ ଦିଗରେ ଯାତ୍ରା କରି ବ୍ରହ୍ମଗିରିସ୍ଥ ଅଲାରନାଥ ପୀଠରେ ପହଞ୍ଚି ସେଠାରେ ଶିଳାରୂପୀ ବିଷ୍ଣୁ ବିଗ୍ରହଙ୍କୁ ଦର୍ଶନ କରି ଭାବ ବିହ୍ୱଳିତ ହୋଇଯାଇଥିଲେ । ସେବେଠାରୁ ଅଲ୍ ବିନ୍ଦାଙ୍କ ପ୍ରଭୁ ବା ନାଥ ଅଲ୍ ବିନ୍ଦାନାଥ ଓ ପରେ ଅପଭ୍ରଂଶ ହୋଇ ଅଲାରନାଥ ନାମରେ ନାମିତ ହୋଇଛନ୍ତି । ଅଲାରନାଥଙ୍କ ମନ୍ଦିରଟି ଏକ ସୂକ୍ଷ୍ମ କାରୁକଳା ବିମଣ୍ଡିତ ପ୍ରାଚୀନ ମନ୍ଦିର ।

ଅଲାରନାଥ ଓ ଚୈତନ୍ୟ[ସମ୍ପାଦନା]

ସତ୍ୟଯୁଗରେ ମହାପ୍ରଭୁଙ୍କ ଲୀଳା ବ୍ରହ୍ମଗିରିରେ ପ୍ରକଟ ହୋଇଥିଲା । ତେବେ ଅନେକ କାଳ ଧରି ଏହି ଲୀଳା ଗୁପ୍ତ ହୋଇ ରହିବା ପରେ ମହାନ ବୈଷ୍ଣବ ସନ୍ଥ ଚୈତନ୍ୟଙ୍କ ଶ୍ରୀକ୍ଷେତ୍ରକୁ ଆଗମନ ସମୟରେ ଅଲାରନାଥଙ୍କ ମହିମା ପୁନର୍ବାର ଲୋକମୁଖରେ ପ୍ରଚାରିତ ହୋଇଥିଲା । [୬] ଶ୍ରୀ ଚୈତନ୍ୟ ତାଙ୍କ ଜୀବନର ଶେଷ ୧୮ବର୍ଷ ଶ୍ରୀକ୍ଷେତ୍ରରେ କଟାଇଥିଲେ । କାଶୀମିଶ୍ରାଳୟର ଗମ୍ଭୀରା ଘରେ ସେ ଅବସ୍ଥାନ ପୂର୍ବକ ପ୍ରତ୍ୟହ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ନିମିତ୍ତ ଶ୍ରୀମନ୍ଦିରକୁ ଯାଉଥିଲେ । ଅଣସର ସମୟରେ ପ୍ରଭୁଙ୍କର ଦର୍ଶନ ନ ପାଇ ବିରହ ଜ୍ୱାଳାରେ ମିୟମ୍ରାଣ ହୋଇପଡ଼ିଥିଲେ । ପ୍ରଭୁଙ୍କ ନିର୍ଦ୍ଦେଶରେ ସେ ବ୍ରହ୍ମଗିରିସ୍ଥ ଅଲାରନାଥଙ୍କ ପୀଠରେ ପହଞ୍ଚି ନାରାୟଣ ମୂର୍ତ୍ତିଙ୍କୁ ଦର୍ଶନ କରି ଭାବ ବିହ୍ୱଳିତ ହୋଇଯାଇଥିଲେ । ସେଠାରେ ପଡ଼ିଥିବା ଏକ ପ୍ରସ୍ତର ଖଣ୍ଡ ଉପରେ ଦଣ୍ଡବତ ପ୍ରଣିପାତ କରିଥିଲେ । ଶ୍ରୀବିଗ୍ରହଙ୍କ ଦର୍ଶନ ନ ପାଇ ବିରହ ଜ୍ୱାଳାରେ ତାଙ୍କ ଶରୀର ଏତେ ଉତ୍ତପ୍ତ ହୋଇଯାଇଥିଲା ଯେ ଉକ୍ତ ପ୍ରସ୍ତର ଖଣ୍ଡକ ତାଙ୍କ ଶରୀରର ଆକାର ଅନୁଯାୟୀ ତରଳି ଯାଇଥିଲା । ଏବେ ବି ସେହି ପ୍ରସ୍ତର ଖଣ୍ଡିକ ସର୍ବାଙ୍ଗ ଶିଳା ଭାବେ ମନ୍ଦିର ପରିସରରେ ପୂଜିତ ହେଉଛି । ଶ୍ରୀଚୈତନ୍ୟ ପନ୍ଥୀ ଗୌଡ଼ୀୟ ବୈଷ୍ଣବମାନେ ଏହି ପୀଠକୁ ଆଗମନ କରି ପ୍ରଭୁ ଅଲରନାଥଙ୍କୁ ଦର୍ଶନ କରିବା ସହିତ ସେହି ସର୍ବାଙ୍ଗ ଶିଳାକୁ ପ୍ରଣିପାତ କରିଥାନ୍ତି । ସନାତନ ଧର୍ମାବଲମ୍ବୀମାନଙ୍କର ଏକ ପବିତ୍ର ଆଧ୍ୟାତ୍ମିକ ସ୍ଥଳୀ ଭାବେ ଏହା ଅତ୍ୟନ୍ତ ସୁପରିଚିତ । [୭]

ଭୋଗ[ସମ୍ପାଦନା]

ଶ୍ରୀ ମନ୍ଦିର ଭୋଗନୀତି ପରି ଏଠାରେ ମଧ୍ୟ ଭୋଗ ଅନୁଷ୍ଠିତ ହୁଏ । ସକାଳ ୮ଟାରେ ବାଳଭୋଗ, ସକାଳ ଧୂପରେ ଅଣ୍ଡି, ଖେଚେଡ଼ି, ଡାଲି ଓ ତରକାରୀ ଭୋଗ କରାଯାଏ । ମାଧ୍ୟାହ୍ନରେ କ୍ଷୀର ଭୋଗ କରାଯାଇ ପହୁଡ଼ ପଡ଼େ । ରାତିରେ ଦହି ପଖାଳ ଓ ଭଜା ଭୋଗ କରାଯାଏ । ଶ୍ରୀଅଲାରନାଥଙ୍କ କ୍ଷୀରି ଭୋଗ ସବୁଠାରୁ ପ୍ରିୟ । ଶ୍ରୀମନ୍ଦିର ଭଳି ଏଠାରେ ପ୍ରଭୁ ଅଲାରନାଥଙ୍କ ଦୈନଦିନ ଆଳତୀ, ଅବକାଶ, ବଲ୍ଲଭ, ଅନ୍ନଭୋଗ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ପହୁଡ଼ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଥାଏ । ବିଶେଷ କରି ଅଣସର ସମୟରେ ଉକ୍ତ ମନ୍ଦିରରେ ଦ୍ୱାର ଫିଟା, ମଙ୍ଗଳ ଆରତୀ, ଅବକାଶ, ଅଣସର ବେଶ, ଚନ୍ଦନ ତୁଳସୀ ଲାଗି, ବଲ୍ଲଭ ଭୋଗ, ସର୍ବସାଧାରଣ ଦର୍ଶନ, ସକାଳ ଧୂପ, ଦ୍ୱିପହର ଧୂପ (କ୍ଷୀର ଭୋଗ), ଦିବା ପହୁଡ଼, ଚିଆଁ ପହୁଡ଼, ସର୍ବସାଧାରଣ ଦର୍ଶନ, ସନ୍ଧ୍ୟା ଆଳତୀ, ମଇଲମ, ଅଣସର ବେଶ, ସର୍ବସାଧାରଣ ଦର୍ଶନ, ସନ୍ଧ୍ୟା ଧୂପ, ବଡ଼ ସିଂହାର ବେଶ ଓ ତତ୍ପରେ ପହୁଡ଼ ନୀତି ହୋଇ ମନ୍ଦିର ଦ୍ୱାର ବନ୍ଦ ହୋଇଥାଏ । ଅଣସର ସମୟରେ ଭକ୍ତମାନଙ୍କର ପ୍ରବଳ ଜନସମାଗମ ହେତୁ ଅଲାରନାଥଙ୍କ କ୍ଷୀରି ପ୍ରସାଦର ଚାହିଦା ଅତ୍ୟଧିକ ହୋଇଥାଏ । ଏହି ସମୟରେ ପ୍ରତ୍ୟହ ମନ୍ଦିରର ରୋଷଘରେ ୫୦ହଣ୍ଡା କ୍ଷୀରି ପ୍ରସ୍ତୁତ ହୋଇଥାଏ । ଦଶ ସେର କ୍ଷୀରରେ ଏକ ହଣ୍ଡା କ୍ଷୀରି ପ୍ରସ୍ତୁତ ହୁଏ । ଏଥିରେ ଆବଶ୍ୟକ ପରିମାଣର ଚାଉଳ, ଚିନି, ଅଳେଇଚ, ଖିସ୍ ମିସ୍ ଇତ୍ୟାଦି ପକାଯାଏ ।

କ୍ଷୀରିଭୋଗ କିମ୍ବଦନ୍ତୀ[ସମ୍ପାଦନା]

ଅଲାରନାଥଙ୍କ କ୍ଷୀରିଭୋଗ ସମ୍ପର୍କରେ ଏକ ସୁନ୍ଦର କିମ୍ବଦନ୍ତୀ ଏଠାରେ ପ୍ରଚଳିତ । ଏକଦା ସେବା କାର୍ଯ୍ୟରେ ନିୟୋଜିତ ଅଲାରନାଥଙ୍କ ପୂଜକ କାର୍ଯ୍ୟବଶତଃ ଅନ୍ୟ ଗ୍ରାମକୁ କେତେଦିନ ପାଇଁ ଚାଲିଯାଇଥିଲେ । ଯିବା ପୂର୍ବରୁ ସେ ତାଙ୍କର ନାବାଳକ ପୁତ୍ରକୁ ଠାକୁରଙ୍କ ନିକଟରେ କ୍ଷୀରିଭୋଗ କରିବା ପାଇଁ କହି ଯାଇଥିଲେ । ଅଜ୍ଞାନ ବାଳକ ପୂଜା ପଦ୍ଧତି ସମ୍ୱନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ସୁଦ୍ଧା କ୍ଷୀରି ହାଣ୍ଡି ଧରି ଠାକୁରଙ୍କ ପାଖରେ ପହଞ୍ଚି ତାର ଚପଳ ବୁଦ୍ଧି ଓ ଭକ୍ତି ସହକାରେ ଆଖି ବନ୍ଦ କରି ଠାକୁରଙ୍କୁ ଆବାହନ କରିବା ପରେ ଦେଖିଲା ହାଣ୍ଡିରେ କିଛି କ୍ଷୀରି ନାହିଁ । ଘରକୁ ଖାଲି ହାଣ୍ଡି ଧରି ଫେରି ତା’ମା ଆଗରେ ସମସ୍ତ ଘଟଣା କହିଲେ ସୁଦ୍ଧା ମା’ର ବିଶ୍ୱାସ ହେଲା ନାହିଁ । ବିଲେଇ କ୍ଷୀରି ବୋଧହୁଏ ଖାଇ ଦେଇଥିବ କିମ୍ବା ଅନ୍ୟ କୌଣସି ଅଘଟଣ ଘଟିଥିବ, ଏହି ଆଶଙ୍କାରେ ପୁତ୍ରର ମା’ ରାତ୍ରି ସାରା ଶୋଇ ପାରି ନ ଥିଲେ । ତା ପରଦିନ ପୁଅକୁ କ୍ଷୀରି ହାଣ୍ଡି ସହ ପଠାଇ ବାଳକଟିର ମାଆ ଅଲାରନାଥ ବିଗ୍ରହଙ୍କର ପଶ୍ଚାତ୍ ଭାଗରେ ଲୁଚି ରହିଥିଲେ । କ୍ଷୀରି ଖାଇବା ପାଇଁ ବାଳକଟି ଠାକୁରଙ୍କୁ ଆବାହନ କଲା ମାତ୍ରେ, ପ୍ରଭୁ ଅଲାରନାଥ ନଇଁ ପଡ଼ି କ୍ଷୀରି ଖାଉଥିବା ବେଳେ ବାଳକଟିର ମା’ ଭୟରେ ଚିତ୍କାର କରିଥିଲେ । ଗରମ କ୍ଷୀରି ପ୍ରଭୁଙ୍କ ହାତ ଓ ମୁହଁରେ ପଡ଼ି ଫୋଟକା ହୋଇଯାଇଥିଲା । ଅଦ୍ୟାବଧି ଏହାର ସ୍ମୃତି ସ୍ୱରୂପ ସ୍ଥାନୀୟ ପୂଜକମାନେ ବିଗ୍ରହଙ୍କର ମୁହଁରେ ଥିବା ଫୋଟକା ଚିହ୍ନ ଦେଖାଇଥାନ୍ତି । ସ୍ଥାନୀୟ ଅଧିବାସୀଙ୍କ ବିଶ୍ୱାସ ଯେ, ପ୍ରଭୁ ଅଲାରନାଥ ସ୍ୱୟଂ କ୍ଷୀରିକୁ ଏଠାରେ ଆଘ୍ରାଣ କରି ଥାଆନ୍ତି, ଯାହାଫଳରେ କି ଏଠାରେ କ୍ଷୀର ଭୋଗ ଅତ୍ୟନ୍ତ ସୁସ୍ୱାଦୁ ଓ ପ୍ରସାଦ ରୂପେ ଭାରତ ବର୍ଷର ସମସ୍ତ ଭକ୍ତମାନଙ୍କ ଗ୍ରହଣୀୟ ହୋଇଛି । [୮]

ପର୍ବପର୍ବାଣୀ[ସମ୍ପାଦନା]

ଶ୍ରୀ ଅଲାରନାଥଙ୍କ ବାରମାସରେ ତେର ଯାତ ଅନୁଷ୍ଠିତ ହୁଏ । ଶ୍ରୀ ଜଗନ୍ନାଥଙ୍କ ପରି ଶ୍ରୀ ଅଲାରନାଥଙ୍କର ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ବେଶ କରାଯାଏ । ଅନବସର ସମୟରେ ଅନବସର ବେଶ, ଚନ୍ଦନ ଯାତ୍ରା ସମୟରେ ଚନ୍ଦନ ବେଶ, କାର୍ତ୍ତିକ ମାସରେ ରାଧାଦାମୋଦର ବେଶ, ଦଶହରା ଦିନ ରାଜବେଶ, ବସନ୍ତ ପଞ୍ଚମୀ ଦିନ ଘୋଡ଼ାଲିଗି ବେଶ ଓ ଅନ୍ୟାନ୍ୟ ବେଶ କରାଯାଏ । ସେହିଭଳି ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ଅନବସର ଉତ୍ସବ, ଚିତାଲାଗି ଅମାବାସ୍ୟା, ଗହ୍ମାପୂର୍ଣିମା, କୁମାର ପୂର୍ଣିମା, ବିଜୟା ଦଶମୀ, ଦେବ ଦୀପାବଳୀ, ଧନୁ ସଂକ୍ରାନ୍ତି, ପହିଲି ଭୋଗ, ମକର ସଂକ୍ରାନ୍ତି, ବକୁଳ ଅମାବାସ୍ୟା, ବସନ୍ତ ପଞ୍ଚମୀ, ଦୋଳ ପୂର୍ଣ୍ଣମୀ, ପୁଷ୍ୟାଭିଷେକ, ପଣାସଂକ୍ରାନ୍ତି, ଚନ୍ଦନ ଯାତ୍ରା ଆଦି ଅନୁଷ୍ଠିତ ହୁଏ ।

ଆଧାର[ସମ୍ପାଦନା]

  1. http://www.orissabarta.com/index.php?option=com_content&view=article&id=6871%3Alord-jaganatha-at-alarnath-during-anasara&Itemid=85
  2. http://www.travel.lifeeasy.org/alarnath-temple/
  3. ଭାସ୍କର ମିଶ୍ର ,ପ୍ରମେୟ, ପୃଷ୍ଠା-୯, ସୋମବାର, ୧ଜୁଲାଇ, ୨୦୧୩
  4. "Devotees throng to Alarnath Temple as sick Lord Jagannath in 'Anasara', Orissa District News". orissadiary.com. 2011. http://orissadiary.com/Puri/ShowDistrictNews.asp?id=27333. Retrieved 25 June 2013. "He holds a chakra in his upper right hand, a lotus in his lower right hand, a conch in his upper left hand and a club in his lower left hand" 
  5. ସୂର୍ଯ୍ୟପ୍ରଭା, ପୃଷ୍ଠା-ଇ
  6. ସୁଶାନ୍ତ ଲେଙ୍କା, ସାହାଣ ମେଲା, ପୃଷ୍ଠା- ୬, ୨୬ ଜୁନ ୨୦୧୩, ବୁଧବାର
  7. ଭାସ୍କର ମିଶ୍ର ,ପ୍ରମେୟ, ପୃଷ୍ଠା-୯, ସୋମବାର, ୧ଜୁଲାଇ, ୨୦୧୩
  8. ଭାସ୍କର ମିଶ୍ର ,ପ୍ରମେୟ, ପୃଷ୍ଠା-୯, ସୋମବାର, ୧ଜୁଲାଇ, ୨୦୧୩

ଅଧିକ ତଥ୍ୟ[ସମ୍ପାଦନା]