କୃଷ୍ଣ

ଉଇକିପିଡ଼ିଆ ରୁ
କୃଷ୍ଣ

ବଂଶୀ ଧାରୀ କୃଷ୍ଣ
ସଂସ୍କୃତ ଅନୁବାଦ Kṛṣṇa
ଉପାଧି ବିଷ୍ଣୁଙ୍କ ଅବତାର, ସ୍ଵୟଂ ଭଗବାନ
ବାସସ୍ଥାନ ବୃନ୍ଦାବନ, ଗୋକୁଳ, ଦ୍ଵାରକା
ମନ୍ତ୍ର ॐ ନମ ଭଗବତେ ବାସୁଦେବାୟ
ଅସ୍ତ୍ର ସୁଦର୍ଶନ ଚକ୍ର
ସାଥି ରାଧା, ରୁକ୍ମିଣୀ, ସତ୍ୟଭାମା, ଜାମ୍ବବତୀ, ସତ୍ୟା, ଲକ୍ଷ୍ମଣା, କାଳିନ୍ଦୀ, ଭଦ୍ରା, ମିତ୍ରାବିନ୍ଦ ଓ ୧୬୧୦୦ ପତ୍ନୀ
ବାହନ ଗରୁଡ଼
ବାଣୀ ଭାଗବତ ପୁରାଣ, ଭଗବତ ଗୀତା

ଅବତାର ଅର୍ଥ ଅବତୀର୍ଣ୍ଣ ହେବା,ଭକ୍ତ ମାନଙ୍କୁ ଦିବ୍ୟାନନ୍ଦ ପ୍ରଦାନ ନିମିତ୍ତ ଓ ଭଗବତ ଧର୍ମ ଠିକ ସ୍ଥାନରେ ଲାଗି ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ।ଶଙ୍ଖ,ଚକ୍ର,ଗଦା,ପଦ୍ମଧାରୀ ସ୍ଵରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ।ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ସ୍ଵଧାମକୁ ପଠେଇ ପୃଥିବୀର ପାପ ଭାର ଲାଘବ କରିଥିଲେ।ବ୍ରହ୍ମା,ଶଙ୍କର ସନକାଦି ମୂନିଋଷିଙ୍କର ପୂଜ୍ୟ ହୋଇମଧ୍ୟ ସାଧାରଣ ବାଳକ ପରି ଲୀଳା କରୁଥିଲେ।

ମାନବ ଜାତିର ଉନ୍ନତିକଳ୍ପେ ଭଗବାନ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇ ଲୀଳା କରିଥିଲେ।ମହାଭାରତ ଯୁଦ୍ଧକୁ ଏଡେଇବା ପାଇଁ ଶାନ୍ତିର ବାର୍ତ୍ତାନେଇ ଦୁର୍ଯ୍ୟୋଧନ ଙ୍କ ନିକଟକୁ ଗମନ କରିଥିଲେ।ଏଠାରେ ପଂରବ୍ରହ୍ମ ଶ୍ରୀକୃଷ୍ଣ ଶାନ୍ତିଦୂତର ଭୂମିକା ନିଭାଇ ଥିଲେ।ମହାଭାରତ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ରଥର ସାରଥୀହେଇ ରଥକୁ ସୁଚାରୁ ରୂପେ ଚାଳନା କରିଥିଲେ।ଯୁଦ୍ଧର ପ୍ରାରମ୍ଭରେ ନିଜର ଜ୍ଞାତି କୁଟୁମ୍ବମାନଙ୍କୁ ଅବଲୋକନ କରି ଅର୍ଜୁନଙ୍କ ମନରେ ବିଷାଦ ଆସିଥିଲା ଓ ଯୁଦ୍ଧ ନକରିବା ପାଇଁ ଶ୍ରୀକୃଷ୍ଣଙ୍କୁ ମନାକରିଦେଇଥିଲେ। ଏଠାରେ ଭଗବାନ ଗୁରୁ ରୂପରେ ଅବତୀର୍ଣ୍ଣ ହେଇ ଅର୍ଜୁନଙ୍କୁ ଗୀତାଜ୍ଞାନ ପ୍ରଦାନ କରି ଧର୍ମସ୍ଥାପନ ପାଇଁ ଯୁଦ୍ଧ କରିବାଲାଗି ତାଙ୍କୁ ମନେଇବାରେ ସକ୍ଷମ ହେଇଥିଲେ।କୂଟନୀତି ପ୍ରୟୋଗ କରି ପାଣ୍ଡବମାନଙ୍କୁ ଯୁଦ୍ଧରେ ଜିତାଇଥିଲେ।ଏଠାରେ ତାଙ୍କୁ ବିଚକ୍ଷଣ କୂଟନୀତିଜ୍ଞ ରୂପରେ ମାନ୍ୟତା ଦିଆଯାଏ।

ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ନିମିତ୍ତମାତ୍ର କରି ମାନବ ସମାଜକୁ ଯେଉଁ ସାଂଖ୍ୟଯୋଗ,କର୍ମଯୋଗ,ଜ୍ଞାନଯୋଗ ଓ ଭକ୍ତିଯୋଗ ଶିକ୍ଷାପ୍ରଦାନ କରିଛନ୍ତି,ତାହାକୁ ପାଥେୟ କରି ବିଷୟାସକ୍ତ ଅଜ୍ଞାନ ଜୀବ ନିଜର ସାଧାରଣ ଜୀବନରେ ବାସ୍ତବ ସମସ୍ୟାକୁ ଉପଲବ୍ଧି କରି ନିଜକୁ ଉଦ୍ଧାର କରୁଛନ୍ତି।ଏହା ଶ୍ରୀମଦ ଭଗବତ ଗୀତା ନାମରେ ବିଶ୍ଵ ବିଖ୍ୟାତ।ଶ୍ରୀମଦ ଭଗବତ ଗୀତା ବିଶ୍ଵ ସାହିତ୍ୟ ଭଣ୍ଡାରରେ ଏକ ଅନନ୍ୟ ସ୍ଥାନ ଅଧିକାର କରିଛି।ଏଥିରେ ରଚିତ ହେଇଥିବା ଭଗବାନ ଶ୍ରୀକୃଷ୍ଣଙ୍କର ମୁଖନିଃସୃତ ବାଣୀ ଦିବ୍ୟ ଓ ସନାତନ।

ଜନ୍ମ ବୃତ୍ତାନ୍ତ[ସମ୍ପାଦନା]

ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ହିନ୍ଦୁ ମାନଙ୍କର ଏହା ହେଇଛି ଏକ ମୂଖ୍ୟ ପର୍ବ।ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ଵାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ।ତାଙ୍କର ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ।ଯେଉଁ ଦିନ କୃଷ୍ଣଙ୍କର ପରଲୋକ ହେଲା ସେଦିନଠାରୁ କଳି ଯୁଗ ଆରମ୍ଭ ହେଇଛି ଏବଂ ବର୍ତ୍ତମାନ କଳିଭୋଗବ୍ଦ ୫୧୧୩ ଚାଲିଛି।ତେଣୁ ଆଜକୁ ୫୨୩୮ ବର୍ଷ ପୂର୍ବେ ଲୀଳା ପୁରୁଷୋତ୍ତମ ଏହି ଧରାଧାମରେ ଅବତରଣ କରିଥିଲେ।ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହେଇଥିଲା।

ଏହା ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ। ଏଇଦିନ ଲଗ୍ନରେ ରୋହିଣୀ ନକ୍ଷତ୍ର ରହିଥାନ୍ତି। ଏହା ଗ୍ରେଗୋରିଆନ (ଇଂରାଜୀ) କ୍ୟାଲେଣ୍ଡରରେ ସର୍ବଦା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ଭିତରେ ହିଁ ଆସିଥାଏ। ଉତ୍ତର ଭାରତ ଓ ଦକ୍ଷିଣ ଭାରତରେ ଗଣନା ପଦ୍ଧତିର ବୈସମ୍ୟ ଯୋଗୁଁ ଏହାର ପାଳନ ଗୋଟିଏ ଦିନ ଆଗପଛ ହୋଇଥାଏ। ଯେପରିକି ୨୦୧୧ ମସିହାରେ ଉତ୍ତର ଭାରତରେ ଏହା ୨୨ ଅଗଷ୍ଟରେ ପାଳନ କରାଯାଇଥିଲେ ମଧ୍ୟ ଦକ୍ଷିଣ ଭାରତରେ (କେରଳାଦି ରାଜ୍ୟରେ) ୨୧ ଅଗଷ୍ଟରେ ପାଳିତ ହୋଇଥିଲା।ଭାଦ୍ର କୃଷ୍ଣାଷ୍ଟମୀ ଅର୍ଧରାତ୍ର ସମୟରେ ଜନ୍ମାଷ୍ଟମୀ ହିନ୍ଦୁ ଜଗତରେ ପାଳିତ ହୋଇଥାଏ। କିନ୍ତୁ ବିଷ୍ଣୁପୁରାଣରେ କୃଷ୍ଣଙ୍କର ଜନ୍ମ ଶ୍ରାବଣମାସ କୃଷ୍ଣ ଅଷ୍ଟମୀରେ ହୋଇଥିବାର ଉଲ୍ଲେଖ ରହିଛି। ମୁଖ୍ୟଚାନ୍ଦ୍ରମାସ ଓ ଗୌଣ ଚାନ୍ଦ୍ରମାସ ଗଣନା ଏ ପ୍ରଭେଦର କାରଣ ବୋଲି ଅନୁମେୟ।

ପୌରାଣିକ[ସମ୍ପାଦନା]

ଦ୍ଵାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବାଅ ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ।ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର।କଂସ ଦ୍ଵାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ ଜନ୍ମ ଲାଭ କକ୍ଲେ ଶ୍ରୀକୃଷ୍ଣ।ସେ ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ଯ।ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଷୁଳ ନାଶ କରିପାରିବ।ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି।ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ ।ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡିବ,ତେଣୁ ସେଠାରେ ଜନ୍ମ ନେଇଥିବା କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ।ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରତିରେ ବାହାରିଲେ ।ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦୀଶାଳା ଦିବ୍ୟ ଆଲୋକରେ ଆଲୋକିତ ହେଇଗଲା ,ବସୁଦେବ ଙ୍କ ଗୋଡରୁ ବେଡି ଖୋଲିଗଲା ଏବଂ ବନ୍ଦୀଶାଳାର ଦ୍ଵାର ମଧ୍ୟ ଆପେଆପେ ଖୋଲିଗଲା।ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁର ଗଲେ।ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ନିଜର ବିଶାଳ ଫଣା ଢାଙ୍କି ଚାଲିଲେ।ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ।ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ।

ଶ୍ରୀକୃଷ୍ଣଙ୍କ ଅଷ୍ଟ ପଟ୍ଟମହିଷୀ:

  1. ରୁକ୍ମିଣୀ
  2. ସତ୍ୟଭାମା
  3. କାଳିନ୍ଦୀ
  4. ଶୁଚିସ୍ମିତା
  5. ମିତ୍ରବିନ୍ଦା
  6. ଜାମ୍ବବତୀ
  7. ନାଗ୍ନଜିତୀ
  8. ସୁଲକ୍ଷଣା

ଶ୍ରୀଚୈତନ୍ୟଙ୍କ ମତରେ[ସମ୍ପାଦନା]

ଚୈତନ୍ୟଦେବଙ୍କ ଅଚିନ୍ତ୍ୟ ଭେଦାଭାବ ଦର୍ଶନ ମତରେ - ଶ୍ରୀକୃଷ୍ଣ ହେଉଛନ୍ତି ଅଚ୍ୟୁତ । ଅର୍ଥାତ ଜୀବଜଗତର କାହାଠାରୁ ସେ ବିଚ୍ୟୁତ ନୁହନ୍ତି । ଜୀବ ମଧ୍ୟ ଶ୍ରୀକୃଷ୍ଣଙ୍କ ସେବକ ଭାବରେ ନିତ୍ୟ ଦାସ । ହରି ଶରଣାଗତ ଗୃହୀ ତଥା ଗୃହତ୍ୟାଗୀଙ୍କ ପକ୍ଷରେ ନାମ-ଭକ୍ତି, ଏକ ସମୟରେ ପରିବାର ପୋଷଣ ସହିତ ହରି ଭଜନ କରିବାର ସୁଗମ ପନ୍ଥା । ଜୀବଜନ୍ତୁ ମାନେ ଆତ୍ମାରାମ ହୋଇ ମଧ୍ୟ ପ୍ରେମୀ ଭକ୍ତ ଭାବରେ ଶ୍ରୀକୃଷ୍ଣଙ୍କର ସେବାର୍ଚ୍ଚନା କରନ୍ତି । ବ୍ରଜାଙ୍ଗନା ମଧ୍ୟ ଭବବନ୍ଧନମୁକ୍ତ ନିତ୍ୟସିଦ୍ଧା ଥିଲେ । ସେମାନଙ୍କର ଜଡୀୟ ଗୁଣମୟ ଦେହଭାବ ଦୂର ହୋଇଥିଲା ଏବଂ ଯୋଗମାୟାଙ୍କ ଦ୍ଵାରା ସେମାନେ ଲାଭ କରିଥିଲେ ଅପ୍ରାକୃତ ସିଦ୍ଧ ଦେହ । ଶ୍ରୀଚୈତନ୍ୟଙ୍କ ଭାଷାରେ ଅଦୈୟ ଶ୍ରୀଜଗନ୍ନାଥ-ଶ୍ରୀକୃଷ୍ଣ ନୀଳାଚଳରେ ବିଦ୍ୟାମାନ । ତେଣୁ ନୀଳାଚଳ ଧାମ ପୁରୀ ହେଉଛି ମର୍ତ୍ତ୍ୟର ବୈକୁଣ୍ଠ ଧାମ ।

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]