ଦେବ ସ୍ନାନ ପୂର୍ଣ୍ଣିମା
| ଦେବ ସ୍ନାନ ପୂର୍ଣ୍ଣିମା | |
|---|---|
ସ୍ନାନମଣ୍ଡପରେ (ବାମରୁ) ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ, ମଦନମୋହନ ଓ ସୁଦର୍ଶନ |
|
| ନାଆଁ | ସ୍ନାନ ପୂର୍ଣ୍ଣିମା |
| ପାଳନକାରୀ | ଓଡ଼ିଆ |
| ବିଶେଷତା | ଜଗନ୍ନାଥଙ୍କର ଜନ୍ମଦିନ |
| ତାରିଖ | ଜ୍ୟେଷ୍ଠ ପୂର୍ଣ୍ଣିମା (ମଇ-ଜୁନ) |
| ଅବସ୍ଥାନ | ସବୁ ଜଗନ୍ନାଥ ମନ୍ଦିର |
ଦେବ ସ୍ନାନ ପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମା ଜଗନ୍ନାଥ ମନ୍ଦିରରେ ପାଳନ କରାଯାଉଥିବା ଏକ ବିଧି । ଏଇ ଦିନରେ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ପାରମ୍ପରିକ ରୀତିରେ, ବେଦଧ୍ୱନି ପୂର୍ବକ, ୧୦୮ କଳସୀ ଜଳରେ ସ୍ନାନ କରାଯାଏ। ଏହା ପରେ ଦିଅଁମାନଙ୍କର ଗଜାନନ ବେଶ ଧାରଣ କରିଥାନ୍ତି । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ୧୦୮ ପୂର୍ଣ୍ଣକୁମ୍ଭରେ ଗାଧୋଇ ଦିଆଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥ ଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି ।[୧]
ଉପଚାର ବିଧି [ସମ୍ପାଦନା]
ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନପରି ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଦ୍ଵିପ୍ରହରଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ଵଳ୍ପସମୟ ପାଇଁ ପହୁଡ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ l ଏହିଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି l ପ୍ରଭୁଙ୍କର ଛେନାପଟା ଓ ବାହୁଟିନାଗି ହୁଏ l ରତ୍ନସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ l ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କୁ ସେବକ ମାନେ ସମୂହ ଭାବରେ ମିଶି ପହଣ୍ଡି କରାଇ ସାତ ପାହଚ ପାଖକୁ ଆଣନ୍ତି l ସାତ ପାହଚ ପାଖରେ ଫୁଲରେ ତିଆରି ବଡ଼ ଟାହିଆରେ ମଣ୍ଡିତ କରାଯାଏ l ଏହି ସାତପାହଚ ଉପରେ ଟାହ୍ୟାନାଗି ହେବାପରେ ଦ୍ଵିତୀୟ ମଙ୍ଗଳାର୍ପଣ ହୁଏ l ତା ପରେ ବନ୍ଦାପନା ଓ ପରେ ପରେ ରାଘବଦାସ ମଠରୁ ଆସିଥିବା ଘଷା ନାଗି କରାଯାଏ l ତା ପରେ ପନ୍ତି ଖାଇ ଖାଇ ଠାକୁରମାନେ ସ୍ନାନବେଦିକୁ ଯାଇ ନିଜର ଆସ୍ଥାନ ଉପରେ ଅବସ୍ଥାନ କରନ୍ତି l ସୁଆର ବଡୁ ଅମ୍ଭୂଣିଆ ପାଣି ଛିଞ୍ଚନ୍ତି l ଗରାବଡୁ ସୁବର୍ଣ୍ଣକଳସ ଧରି ଶିତଳାଦେବୀଙ୍କ ସମ୍ମୁଖସ୍ଥ ଓ ବର୍ଷତମାମ ଅପବ୍ୟବହୃତ ହୋଇ ରହିଥିବା ସ୍ଵର୍ଣ୍ଣକୂପରୁ ଜଳ ଆଣନ୍ତି l ଶ୍ରୀଜୀଉ ମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ l ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ l ଏହାକୁ "ପ୍ରତ୍ୟେକ୍ଷ ଅବକାଶ" କହନ୍ତି l ପ୍ରଭୁଙ୍କୁ ଏହି ଦିନ ହାତୀବେଶ କରାଯାଏ l ଏହି ଦିନ ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଇ ବେଶ କରାଯାଏ l ଗୋପାଳତୀର୍ଥ ମଠ ଦ୍ଵାରା ପ୍ରଦତ୍ତ ଶ୍ରୀବଳଭଦ୍ରଙ୍କୁ ହାତୀବେଶ ଓ ଶୁଦର୍ଶନଙ୍କୁ ଚକ୍ର ନାଗି କରାଯାଏ l ଏହି ଦିନ ତିନି ଧୂପ ବଦଳରେ ଗୋଟିଏ ଧୂପ ଦିଆଯାଏ l
ତାପରେ ଠାକୁର ମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି । ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁର ମାନେ ବିଜେ କରିବାପରେ ତାଟି ବନ୍ଧାଯାଏ ଓ ପଟିମୂର୍ତି ସ୍ଥାପନା କରାଯାଏ । ତାପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମା ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦିର୍ଘ ୧୫ ଦିନ ଧରି ଜ୍ଵରରେ ପଡ଼ନ୍ତି । ଏହାକୁ ଅଣସର କୁହାଯାଏ । ଏହି ୧୫ ଦିନ ଭକ୍ତମାନେ ଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ । ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥ ଙ୍କୁ ଦର୍ଶନ କରନ୍ତି ।
ଆଧାର [ସମ୍ପାଦନା]
|
|||||||||||||||||||||||||||||||||