ସୁଦର୍ଶନ

ଉଇକିପିଡ଼ିଆ ରୁ

ବିଷ୍ଣୁ ଦକ୍ଷିଣ ହସ୍ତରେ ଧାରଣ କରୁଥିବା ଗୋଟିଏ ଅସ୍ତ୍ରର ନାମ ସୁଦର୍ଶନ ।[୧] ହିନ୍ଦୁ ଧର୍ମବିଶ୍ଵାସ ଅନୁସାରେ, ମହାଦେବଙ୍କ ଆଦେଶ ଅନୁସାରେ ବିଶ୍ୱକର୍ମା ସବୁ ଦେବତାଙ୍କ ତେଜରୁ ସାର ଗ୍ରହଣ ପୂର୍ବକ ଏ ଚକ୍ର ତିଆରି କରି ମହାଦେବଙ୍କୁ ଦେଇଥିଲେ । ଦୈତ୍ୟମାନଙ୍କ ବିନାଶାର୍ଥ ମହାଦେବ ବିଷ୍ଣୁଙ୍କୁ ଏହି ଚକ୍ର ଅର୍ପଣ କରିଥିଲେ ୤ ଏହାର ଅରର ସଂଖ୍ୟା ବାର । ଏହା ଷଟ୍‌କୋଣ ଓ ବଳୟତ୍ରୟ ସଂଯୁତ ୤ ବିଷ୍ଣୁ ମନ୍ଦିରର ଚୁଡ଼ାରେ ଏହି ଚକ୍ରର ଧାତୁମୟ ପ୍ରତିକୃତି ରଖାଯାଏ । ପୁରୀର ବଡ଼ଦେଉଳରେ ଚତୁର୍ଦ୍ଧାମୂର୍ତ୍ତୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଚକ୍ର ବିରାଜିତ ଅଛନ୍ତି । ଚତୁର୍ଭୁଜ ବିଷ୍ଣୁ ଗୋଟିଏ ହାତରେ ସର୍ବଦା ଏହି ଚକ୍ରକୁ ଧାରଣ କରନ୍ତି ଏବଂ ଏହାଦ୍ଵାରା ଦୁଷ୍ଟ ଦଳନ ଓ ଶିଷ୍ଟ ପାଳନ କରନ୍ତି ।

ପୌରାଣିକ ମତ[ସମ୍ପାଦନା]

ତିନି ଯୁଗରେ ସୁଦର୍ଶନ ଚକ୍ର ଗୋଲାକାର ହୋଇଥିଲେ ହେଁ କଳିଯୁଗରେ ସ୍ତମ୍ଭାକାର ରୂପେ ବିରାଜିତ ୤ ଏହା ପଛରେ ଥିବା ପୌରାଣିକ ମତଟି ହେଲା: ସୁଦର୍ଶନ ଦୂତ ରୂପେ ବା କାର୍ଯ୍ୟନିର୍ବାହୀ ରୂପେ ପ୍ରଭୁଙ୍କ ସବୁ କାର୍ଯ୍ୟ ତୁଲାଉଥିବାରୁ ତାଙ୍କ ମନରେ ଅହଙ୍କାର ଜାତ ହେଲା ୤ ପ୍ରଭୁ ଏହା ଜାଣିପାରି ସୁଦର୍ଶନଙ୍କର ଅହଙ୍କାର ବିନାଶ ପାଇଁ କଦଳୀବନରେ ତପସ୍ୟା କରୁଥିବା ହନୁମାନଙ୍କୁ ଡାକି ଆଣିବା ପାଇଁ ସୁଦର୍ଶନଙ୍କୁ ପଠାଇଲେ୤ ଅହଙ୍କାର ବଶତଃ ସୁଦର୍ଶନ ଗଲାବେଳେ କଦଳୀବନର ପତ୍ର ସବୁ କାଟି କାଟି ଯାଇ ସେଠାରେ ଅଭୟ ମୁଦ୍ରାରେ ତପସ୍ୟାରେ ବସିଥିବା ହନୁମାନଙ୍କୁ ପ୍ରଭୁଙ୍କ ବାର୍ତ୍ତା ଜଣାଇଲେ । ହନୁମାନ ସବୁ ଜାଣିପାରି କହିଲେ ମୁଁ ଚିରଞ୍ଜିବୀ ହେଲେ ମଧ୍ୟ ବୃଦ୍ଧାବସ୍ଥା ଯୋଗୁଁ ଶୀଘ୍ର ଯାଇପାରିବି ନାହିଁ, ଏଣୁ ତୁମେ ଆଗରେ ଚାଲ ମୁଁ ପଛେ ପଛେ ପହଞ୍ଚିବି ୤ ସୁଦର୍ଶନ ଏହାଶୁଣି ଅହଙ୍କାରରେ ପୂର୍ବାପେକ୍ଷା ଦୁଇଗୁଣ ବେଗରେ ଯାଇ ପହଞ୍ଚିବା ବେଳକୁ ହନୁମାନ ସିଂହଦ୍ଵାରରେ ଅପେକ୍ଷା କରିଛନ୍ତି ୤ ସୁଦର୍ଶନ ବିସ୍ମିତ ହୋଇ ପଚାରିଲେ, ତୁମ୍ଭେ ବୃଦ୍ଧ ହେତୁ ଶିଘ୍ର ଆସିପାରିବ ନାହିଁ ବୋଲି କହୁଥିଲ, ଏତେ ଶୀଘ୍ର ମୋ ପୂର୍ବରୁ କିପରି ପହଞ୍ଚିଲ? ହନୁମାନ ଉତ୍ତରଦେଲେ, ମୁଁ ପିତା ପବନଦେବଙ୍କୁ ସ୍ମରଣ କରିବାରୁ ସେ ମତେ ଏଠାରେ ପହଞ୍ଚାଇଲେ ୤ ମୁଁ ବୃଦ୍ଧ ହୋଇପାରେ କିନ୍ତୁ ପିତା ପବନଦେବ ବୃଦ୍ଧ ନୁହଁନ୍ତି, କାରଣ ଦେବତାମାନେ ବୃଦ୍ଧ ହୁଅନ୍ତି ନାହିଁ, ସର୍ବଦା ଯୁବକ ଅବସ୍ଥାରେ ଥାଆନ୍ତି ୤ ହନୁମାନଙ୍କ ଶକ୍ତି ପରିକ୍ଷା ପାଇଁ ସୁଦର୍ଶନ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରିଦ୍ଵାରରେ ଚାରୋଟି ସୁଦର୍ଶନ ରୂପେ ବାଟ ଓଗାଳିଲେ ୤ ଏହା ଦେଖି ହନୁମାନ ପ୍ରଭୁ ରାମଙ୍କୁ ସ୍ମରଣ କରି ଚାରି ହାତରେ ଚାରୋଟି ସୁଦର୍ଶନଙ୍କୁ ଆଣି ଗିଳିଦେଇ ପ୍ରଭୁଙ୍କ ପାଖରେ ପହଞ୍ଚିଲେ ୤ ପ୍ରଭୁ ହନୁମାନଙ୍କୁ ଏକାକୀ ଦେଖି ସୁଦର୍ଶନଙ୍କ କଥା ପଚାରିଲେ ୤ ହନୁମାନ କହିଲେ, ପ୍ରଭୁ ଆପଣ ସବୁ ଜାଣନ୍ତି, ଆପଣ ତାଙ୍କୁ ଯେପରି ଚାରୋଟି ରୂପ ଦେଲେ, ମତେ ସେପରି ଚାରୋଟି ହାତ ଦେଲେ, ଚାରିଦ୍ଵାରରେ ସେ ମୋ ପଥରୋଧ କରିବାରୁ ମୁଁ ତାଙ୍କୁ ଗିଳିଦେଇଛି । ପ୍ରଭୁଙ୍କ ଦର୍ଶନରେ ମୁଁ କୌଣସି ବାଧା ମାନେ ନାହିଁ ୤ ତତ୍ପରେ ପ୍ରଭୁଙ୍କ ଆଦେଶ ମୁତାବକ ହନୁମାନ ସୁଦର୍ଶନଙ୍କୁ ବାନ୍ତି କଲେ, କିନ୍ତୁ ଚାରୋଟିଯାକ ସୁଦର୍ଶନ ଏକ ସ୍ତମ୍ଭାକାର ହୋଇ ତଳେ ପଡ଼ିଲେ ୤ ଉଭୟଙ୍କ ଅହଙ୍କାର ପାଇଁ ପ୍ରଭୁ ଦଣ୍ଡବିଧାନ କଲେ । ସୁଦର୍ଶନ ସେହି ସ୍ତମ୍ଭାକାର ରୂପେ ଦକ୍ଷିଣପାର୍ଶ୍ଵ ପରିବର୍ତ୍ତେ ବାମପାର୍ଶ୍ଵରେ ରହିଲେ । ହନୁମାନ ତପସ୍ଵୀ ହନୁମାନ ନାମରେ ଆଠହାତଯୁକ୍ତ ପ୍ରଶସ୍ତ ମୁଦ୍ରାରେ ଉତ୍ତର(ହସ୍ତି) ଦ୍ଵାର ଜଗି ରହିଲେ ।

ଆଧାର[ସମ୍ପାଦନା]