ବିମଳା ଶକ୍ତିପୀଠ

ଉଇକିପିଡ଼ିଆ ରୁ
ଆଦି ଶକ୍ତିପୀଠ

Kalighat1.jpgTaratarini maa.jpgKamakhya Temple.jpgTemple-Jagannath.jpg

କାଳୀଘାଟ • ତାରାତାରିଣୀ
କାମାକ୍ଷା• ବିମଳା

ମା ବିମଳା ଶ୍ରୀମନ୍ଦିର ମଧ୍ୟରେ ଥିବା ଏକ ଶାକ୍ତ ବା କୌଳଭୈରବୀ ଙ୍କ ମନ୍ଦିର । ମୂଳାଷ୍ଟମୀ ଅବସରରେ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ବିମଳାଙ୍କ ଷୋଡ଼ଶ ଦିନାତ୍ମକ ଶାରଦୀୟ ପୂଜା ପାରମ୍ପରିକ ରୀତିମତେ ଆରମ୍ଭ ହୋଇଥାଏ ଓ ଆଶ୍ଵିନ ଶୁକ୍ଳନବମୀ ପର୍ଯ୍ୟନ୍ତ ଚାଲେ । ଏହି ସମୟରେ ମହାସପ୍ତମୀ, ମହାଷ୍ଟମୀ, ମହାନବମୀ ଦିନ ଅର୍ଦ୍ଧରାତ୍ରି ସମୟରେ ଯେତେବେଳେ ମହାନିଶା ସମୟ ଆସିଥାଏ,ତିନି ଦିନ ସେହି ସମୟରେ ପଶୁପ୍ରୋକ୍ଷଣ ବା ବଳିଦାନ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିର ସତ୍ତ୍ଵଲିପି ଅନୁସାରେ ବିମଳାଙ୍କ ଷୋଳଦିନ ପୂଜା ଭିତରେ କୌଣସି ସ୍ତ୍ରୀଲୋକ ମନ୍ଦିର ଭିତରକୁ ଯାଆନ୍ତି ନାହିଁ ।[୧]

ଇତିହାସ ଓ ତାନ୍ତ୍ରିକ ଆଖ୍ୟାନ[ସମ୍ପାଦନା]

ସୋମବଂଶୀ ରାଜତ୍ଵ(ସପ୍ତମ ଶତାବ୍ଦୀ) ସମୟରେ ସମଗ୍ର ଓଡ଼ିଶାରେ ଶକ୍ତି ଉପାସନା ପ୍ରସିଦ୍ଧି ଲାଭ କରିଥିଲା । ଏହି ସମୟରେ ଓଡ଼ିଶା ତନ୍ତ୍ରର ପ୍ରମୁଖ ପୀଠ ଓଡ୍ଡୀୟାନ ଭାବେ ପରିଚିତ ହୋଇସାରିଥିଲା । ଐତିହାସିକ କେଦାରନାଥ ମହାପାତ୍ରଙ୍କ ଅନୁସାରେ ବର୍ତ୍ତମାନର ବିମଳା ମନ୍ଦିର ସେହି ସମୟର ।

ତନ୍ତ୍ର ଆଧାର[ସମ୍ପାଦନା]

ବ୍ରହ୍ମଯାମଳ ତନ୍ତ୍ର ଅନ୍ତର୍ଗତ ଆଦ୍ୟା ସ୍ତୋତ୍ର ଅନୁସାରେ:
"ରାମେଶ୍ୱରୀ ସେତୁବନ୍ଧେ ବିମଳା ପୁରୁଷୋତ୍ତମେ
ବିରଜା ଓଡ୍ର ଦେଶେ ଚ କାମାଖ୍ୟା ନୀଳ ପର୍ବତେ"
ଅର୍ଥାତ୍ ସେତୁବନ୍ଧ ରେ ଦେବୀ ରାମେଶ୍ୱରୀ, ପୁରୁଷୋତ୍ତମ କ୍ଷେତ୍ର ରେ ବିମଳା, ଓଡ୍ର ଦେଶରେ ସେ ବିରଜା, ପୁନଶ୍ଚ ନୀଳପର୍ବତରେ କାମାଖ୍ୟା ରୂପରେ ବିଦିତା । ପୁନଶ୍ଚ ତନ୍ତ୍ର ଚୂଡାମଣି ଅନୁସାରେ ଉତ୍କଳ ଦେଶରେ ହିଁ ସତୀଙ୍କ ନାଭି ପତିତ ହୋଇଥିଲା । ମହାନିର୍ବାଣ ତନ୍ତ୍ର ଅନୁସାରେ ପୁରୀ ଶ୍ରୀମନ୍ଦିର ଭୈରବୀ ଚକ୍ର ର ନକ୍ସା ଆଧାର ରେ ନିର୍ମିତ । ଏଠାରେ "କୁଳୋଡ୍ଡୀଶ ତନ୍ତ୍ର" ର "ବିମଳା ଭୈରବୀ ୟତ୍ର ଜଗନ୍ନାଥସ୍ତୁ ଭୈରବ" ନିୟମ ଅନୁସାରେ ଜଗନ୍ନାଥ ଅଜୈକପାଦ ଭୈରବ, ବଳଭଦ୍ର ଅହିର୍ବୁଧ୍ନ୍ୟ ଶେଷଭୈରବ, ସୁଭଦ୍ରା ଭୁବନେଶ୍ଵରୀ, ମହାଲକ୍ଷ୍ମୀ କମଳାତ୍ମିକା, ସୁଦର୍ଶନ ଏକଲିଙ୍ଗ ଓ ବିମଳା କୌଳେଶ୍ଵରୀ ବା ମହାଭୈରବୀ ଅଟନ୍ତି । [୨] [୩]

ଦେବୀଙ୍କ ପ୍ରକୃତ ସ୍ଵରୂପ[ସମ୍ପାଦନା]

ଦେବୀ ଚତୁର୍ଭୁଜା, ତ୍ରିନେତ୍ରା, ଗଳାରେ ମୁଣ୍ଡମାଳାଧାରିଣୀ ଏବଂ ଅଷ୍ଟଦଳ ପଦ୍ମ ଉପରେ ଦଣ୍ଡାୟମାନା । ସେ ଉପର ଦୁଇଟି ହସ୍ତରେ ନାଗପାଶ, ମତ୍ସ୍ୟକନ୍ୟା ଧାରଣ କରିଛନ୍ତି ଓ ନିମ୍ନ ହସ୍ତ ଦୁଇଟିରେ ଜପମାଳା, ମଦ୍ୟପାତ୍ର ଧାଋଣ କରିଛନ୍ତି । ଦେବୀଙ୍କ ଦୁଇ ପାର୍ଶ୍ଵରେ ଦୁଇଜଣ ଦେବକନ୍ୟା ଓ ନାଗକନ୍ୟା ଠିଆହୋଇଛନ୍ତି । ଏତଦ୍ ବ୍ୟତୀତ ମନ୍ଦିରରେ ସପ୍ତମାତୃକା, ଦଶମହାବିଦ୍ୟା, ଦୁର୍ଗା ଆଦି ମଧ୍ୟ ପୂଜାପାଉଛନ୍ତି । [୪] [୫]

ପୂଜାପଦ୍ଧତି ଓ ନୀତି[ସମ୍ପାଦନା]

ପ୍ରତ୍ୟହ ଦେବୀ ଷୋଡଶଉପଚାରରେ ସକାଳ, ମଧ୍ୟାହ୍ନ ଏବଂ ସାୟଂ କାଳରେ ପୂଜିତା ହୁଅନ୍ତି । ତେବେ ବର୍ଷ ର ସମସ୍ତ ସମୟରେ ଦେବୀ ପରମବୈଷ୍ଣବୀ ଭାବେ ପୂଜା ପାଉଥିଲାବେଳେ ଶରତକାଳିନ ଦୁର୍ଗାପୂଜା ବେଳେ ମା କୌଳାଚାର ତନ୍ତ୍ର ଅନୁସାରେ କୌଳଭୈରବୀ ରୂପେ ପୂଜିତା ହୋଇଥାନ୍ତି ଦେବୀଙ୍କ ସମସ୍ତ ଉତ୍ସବ ମଧ୍ୟରେ ଶାରଦୀୟ ଷୋଡଶ ଦିନାତ୍ମକ ରହସ୍ୟ ଦୁର୍ଗା ପୂଜା ଏବଂ ଶାକ୍ତ ଗୁଣ୍ଡିଚା ପ୍ରସିଦ୍ଧ । ଏହା ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀରୁ ଆରମ୍ଭ ହୋଇ ଶୁକ୍ଲପକ୍ଷ ଦଶମୀ ପର୍ଯ୍ୟନ୍ତ ଚାଲେ । ଏହି ସମୟରେ ସପ୍ତମୀ, ଅଷ୍ଟମୀ, ନବମୀ ଅର୍ଦ୍ଧରାତ୍ରୀ ସମୟରେ ମହାନିଶା ପୂଜା ଅନୁଷ୍ଠିତ ହୋଇଥାଏ ଯେଉଁଥିରେ ଦେବୀଙ୍କ ପାର୍ଶ୍ଵ ରେ ଥିବା ନାଗକନ୍ୟା ଓ ଦେବକନ୍ୟା ତଥା ଚଉଷଠି ଯୋଗିନୀଙ୍କୁ ଛାଗବଳି ଦିଆଯାଇଥାଏ । ଏହିନୀତି ଅର୍ଦ୍ଧରାତ୍ରରେ ପହୁଡ଼ ପଡ଼ିଲାପରେ ହୋଇଥାଏ, ବେଢ଼ାବାହାରେ ବଳି ଦିଆଯାଇ କେବଳ ଛାଗର ମସ୍ତକ ଭିତରକୁ ଅଣାଯାଇଥାଏ । କେବଳ ନିର୍ବାଚିତ କୌଳିକ ବ୍ରାହ୍ମଣ ମାନେ ଏହିନୀତି ସମ୍ପାଦନ କରିଥାନ୍ତି ଓ ଅନ୍ୟ କାହାକୁ ପ୍ରବେଶ ଅନୁମତି ଦିଆଯାଏ ନାହିଁ । ଏହି ଷୋହଳଦିନ ମହିଳାମାନେ ବିମଳାଦେବୀଙ୍କ ମନ୍ଦିରରେ ପ୍ରବେଶ କରନ୍ତି ନାହିଁ । [୬], [୭]

ମହାପ୍ରସାଦ ଓ ଉଚ୍ଛିଷ୍ଟଭୈରବୀ[ସମ୍ପାଦନା]

ପ୍ରତ୍ୟେକଦିନ ମହାପ୍ରଭୁ ଜଗନ୍ନାଥ ତଥା ରତ୍ନସିଂହାସନସ୍ଥ ସପ୍ତାବରଣ ଦିଅଁମାନଙ୍କୁ ନୈବେଦ୍ୟ ଅର୍ପଣ କରାଗଲାପରେ ସେହି ନୈବେଦ୍ୟରୁ ତୁଳସୀ ପତ୍ରମାନ ବାହାର କରିଦିଆଯାଏ, ତହିଁଉତ୍ତାରୁ ଓଡ୍ଡୀୟାନ ବିଧି ଅନୁସାରେ ପଇଡ଼ ପାଣି ଦ୍ଵାରା ସେହି ସଙ୍ଖୁଡ଼ିକୁ ବିମଳାଙ୍କୁ ନିବେଦନ କରାହୁଏ । ତାହାପରେ ହିଁ ଏହି ପ୍ରସାଦ ମହାପ୍ରସାଦ ରୂପେ ପରିଗଣିତ ହୁଏ ତଥା ଭକ୍ତମାନଙ୍କର ଗ୍ରହଣଯୋଗ୍ୟ ହୁଏ । ଏହି ସଙ୍ଖୁଡ଼ି ବା ଆଗରୁ ନିବେଦନ କରାହୋଇଥିବା ନୈବେଦ୍ୟ ଭକ୍ଷଣ କରୁଥିବାରୁ କେହି କେହି ବିମଳାଙ୍କୁ ଉଚ୍ଛିଷ୍ଟଭୈରବୀ କହିଥାନ୍ତି । [୮]

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]