ସଂକ୍ରାନ୍ତି

ଉଇକିପିଡ଼ିଆ ରୁ

ଜ୍ୟୋତିଷ ତତ୍ତ୍ଵ ଅନୁଯାୟୀ ରବି ସଂକ୍ରମଣକାଳୀନ ଗ୍ରହଚକ୍ର ଅନୁସାରେ ୧୨ଟି ରାଶିଚକ୍ର ରହିଛି ୤ ଏଣୁ ପୃଥିବୀର ବାର୍ଷିକ ଗତି ଦ୍ଵାରା ନିଜ କକ୍ଷପଥରେ ସୂର୍ଯ୍ୟକୁ ପରିକ୍ରମା କରୁଥିବାବେଳେ ବାର ମାସରେ ବିଭିନ୍ନ ଅବସ୍ଥାନରେ ରହି ସୂର୍ଯ୍ୟଙ୍କର ଗୋଟିଏ ରାଶିଚକ୍ର ଅନ୍ୟ ଗୋଟିଏ ରାଶିଚକ୍ରକୁ ସଂକ୍ରମଣ କରୁଥିବା ସମୟକୁ ସଂକ୍ରାନ୍ତି ରୂପେ ଗଣାଯାଉଥିବାରୁ ଏହା ହେଉଛ୍ ଓଡ଼ିଆ ମାସର ଆରମ୍ଭ ବା ପ୍ରଥମ ଦିନ ୤ ପ୍ରତି ମାସାରମ୍ଭରେ ଗୋଟିଏ ସଂକ୍ରାନ୍ତି ପଡ଼ିଲେ ଓଡ଼ିଆ ପଞ୍ଜିକାନୁଯାୟୀ ସୂର୍ଯ୍ୟଙ୍କର ରାଶିଚକ୍ର ନାମାନୁସାରେ ସଂକ୍ରାନ୍ତି ଗୁଡ଼ିକ ପହିଲା ବୈଶାଖ ଅର୍ଥାତ ମେଷ ସଂକ୍ରାନ୍ତିରୁ ଆରମ୍ଭ ହୋଇ ଯଥାକ୍ରମେ ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ ଏହିପରି ବର୍ଷରେ ବାରଟି ସଂକ୍ରାନ୍ତି ପଡ଼ିଥାଏ ୤ ବର୍ଷର ସମସ୍ତ ସୌରମାସ ସଂକ୍ରାନ୍ତ ଅଟେ କିନ୍ତୁ ଅଧିମାସ ବା ମଳମାସ ସଂକ୍ରାନ୍ତି ନୁହେ ୤ ଅର୍ଥାତ ଅଧିମାସରେ ସଂକ୍ରାନ୍ତି ନଥାଏ ୤ ଓଡ଼ିଶାରେ ସଂକ୍ରାନ୍ତିର ନାମକରଣ ପରବର୍ତ୍ତୀ ମାସର ନାମ ଅନୁସାରେ କରାଯାଏ; ଯଥା ଧନୁ ସଂକ୍ରାନ୍ତି, ମକର ସଂକ୍ରାନ୍ତି ୤ ଓଡ଼ିଆରେ ଧନୁ ସଂକ୍ରାନ୍ତି ଧନୁ ମାସର ପ୍ରଥମ ଦିନ ୤ ଧନୁ (ପୌଷ), ମିଥୁନ (ଆଷାଢ଼), କନ୍ୟା (ଆଶ୍ଵିନ) ଓ ମୀନ (ଚୈତ୍ର) ସଂକ୍ରାନ୍ତିକୁ ‘ଷଡ଼ଶୀତି’ ସଂକ୍ରାନ୍ତି କୁହାଯାଏ ୤ ବୃଷ (ଜ୍ୟୈଷ୍ଠ), ବୃଶ୍ଚିକ (ମାର୍ଗଶୀର), ସିଂହ (ଭାଦ୍ର) ଓ କୁମ୍ଭ (ଫଗୁଣ) ସଂକ୍ରାନ୍ତିକୁ ‘ବିଷ୍ଣୁପଦୀ’ ସଂକ୍ରାନ୍ତି କୁହାଯାଏ ୤ ମକର (ମାଘ) ସଂକ୍ରାନ୍ତିକୁ ‘ଉତ୍ତରାୟଣ’ ଓ କକଡ଼ା (ଶ୍ରାବଣ) ସଂକ୍ରାନ୍ତିକୁ ‘ଦକ୍ଷିଣାୟନ’ ସଂକ୍ରାନ୍ତି ବୋଲାଯାଏ ୤ ମେଷ (ବୈଶାଖ) ସଂକ୍ରାନ୍ତିକୁ ‘ମହାବିଷୁବ’ ସଂକ୍ରାନ୍ତି ଓ ତୁଳା (କାର୍ତ୍ତିକ) ସଂକ୍ରାନ୍ତିକୁ ‘ଜଳବିଷୁବ’ ସଂକ୍ରାନ୍ତି ବୋଲାଯାଏ ୤ ଭିନ୍ନ ଭିନ୍ନ ନକ୍ଷତ୍ରରେ ସୂର୍ଯ୍ୟଙ୍କ ସଂକ୍ରମଣ ଘଟିବା ଯୋଗୁଁ ସଂକ୍ରାନ୍ତି ମାନଙ୍କୁ ୭ ଭାଗରେ ବିଭକ୍ତ କରାଯାଇ ଅଛି; ଯଥା: ମନ୍ଦା, ମନ୍ଦାକିନୀ, ଧ୍ଵାକ୍ଷୀ, ଘୋରା, ମହୋଦରୀ, ରାକ୍ଷସୀ ଓ ମିଶ୍ରିତା ସଂକ୍ରାନ୍ତିକୁ ନିରଂଶ ଦିବସ କୁହାଯାଏ, ସେଥିପାଇଁ ଏ ଦିନ ଯାତ୍ରାଦି ଶୁଭକର୍ମ ନିଷିଦ୍ଧ ୤ ସଂକ୍ରାନ୍ତି ଦିନ ସାୟଂସନ୍ଧ୍ୟା ନିଷିଦ୍ଧ ୤ ଶୁକ୍ଳପକ୍ଷ ସପ୍ତମୀ ଦିନ ସଂକ୍ରାନ୍ତି ହେଲେ ତାହାର ନାମ ‘ମହାଜୟା’ ହୁଏ ୤ ଉକ୍ତ ଦିନ ସୂର୍ଯ୍ୟପୂଜା ଓ ଦାନାଦି ପୂଣ୍ୟପ୍ରଦ ୤

  • ଚୈତ୍ରର ଷଡ଼ଶୀତି ସଂକ୍ରାନ୍ତି: ଏହି ଦିନ ଘଣ୍ଟାକର୍ଣ୍ଣ ପୂଜା ହୁଏ ୤
  • ବୈଶାଖର ମହାବିଷୁବ ସଂକ୍ରାନ୍ତି: ଏହା ପଣା ସଂକ୍ରାନ୍ତି ଭାବେ ପରିଚିତ ୤ ଏ ଦିନ ସୂର୍ଯ୍ୟ ବିଷୁବ ରେଖାକୁ ପାରି ହୋଇ ଉତ୍ତର ଆଡ଼କୁ ଅର୍ଥାତ କର୍କଟ କ୍ରାନ୍ତି ଆଡ଼କୁ ଗତି କରନ୍ତି ୤
  • ଜ୍ୟୈଷ୍ଠର ବିଷ୍ଣୁପଦୀ ସଂକ୍ରାନ୍ତି
  • ଆଷାଢ଼ର ଷଡ଼ଶୀତି ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି: ଓଡ଼ିଶାରେ ରଜ ପର୍ବ ଭାବେ ପରିଚିତ ୤
  • ଶ୍ରାବଣ ମାସର ଦକ୍ଷିଣାୟନ ସଂକ୍ରାନ୍ତି: ଏ ଦିନ ସୂର୍ଯ୍ୟ କର୍କଟ କ୍ରାନ୍ତିରୁ ବିଷୁବ ରେଖା ଆଡ଼କୁ ଗତି କରନ୍ତି ୤ ଏହି ଦିନ ଠାରୁ ତିନି ଦିନ ପର୍ଯ୍ୟନ୍ତ ନଦୀ ମାନେ ରଜସ୍ଵଳା ହୁଅନ୍ତି ୤
  • ଭାଦ୍ରବ ମାସର ବିଷ୍ଣୁପଦୀ ସଂକ୍ରାନ୍ତି:
  • ଆଶ୍ୱିନର ଷଡ଼ଶୀତି ସଂକ୍ରାନ୍ତି ବା କନ୍ୟା ସଂକ୍ରାନ୍ତି:
  • କାର୍ତ୍ତିକର ଜଳବିଷୁବ ସଂକ୍ରାନ୍ତି ବା ଗର୍ଭଣା ସଂକ୍ରାନ୍ତି: ଏ ଦିନ ଗର୍ଭଣା ଡାଳ ବା କାଠିକୁ ପୂଜା କରି ଧାନ କ୍ଷେତରେ ପୋତାଯାଏ ୤ ସୂର୍ଯ୍ୟ ବିଷୁବ ରେଖାକୁ ଟପି ଏହି ଦିନ ଦକ୍ଷିଣ ଆଡ଼କୁ ଅର୍ଥାତ ମକର କ୍ରାନ୍ତି ଆଡ଼କୁ ଗତି କରନ୍ତି ୤
  • ମାର୍ଗଶୀରର ବିଷ୍ଣୁପଦୀ ସଂକ୍ରାନ୍ତି:
  • ପୁଷମାସର ଷଡ଼ଶୀତି ସଂକ୍ରାନ୍ତି ବା ଧନୁ ସଂକ୍ରାନ୍ତି: ଏ ଦିନ ଦେବତାଙ୍କୁ ଧନୁମୁଆଁ ଭୋଗ ହୁଏ ଏବଂ ଜଗନ୍ନାଥଙ୍କର ପହିଲି ଭୋଗ ଆରମ୍ଭ ହୁଏ ୤
  • ମାଘ ମାସର ଉତ୍ତରାୟଣ ସଂକ୍ରାନ୍ତି : ଏହି ଦିନ ସୂର୍ଯ୍ୟ ମକର କ୍ରାନ୍ତିରୁ ଉତ୍ତର ଦିଗକୁ ଫେରନ୍ତି ୤ ଦେବତାଙ୍କୁ ମକର ଚାଉଳ ଓ ତିଲୁଆ ଖଜା ଭୋଗ ହୁଏ ୤ ଏହାକୁ ତିଲୁଆ ସଂକ୍ରାନ୍ତି ମଧ୍ୟ କୁହାଯାଏ ୤
  • ଫଗୁଣର ବିଷ୍ଣୁପଦୀ ସଂକ୍ରାନ୍ତି:

[ଏହାକୁ ବଦଳାନ୍ତୁ] ସଂକ୍ରାନ୍ତି ବ୍ରତ

ସଂକ୍ରାନ୍ତିମାନଙ୍କରେ ଆଚରଣୀୟ ନାନାପ୍ରକାର କର୍ମାନୁଷ୍ଠାନ:

  • କାର୍ତ୍ତିକେୟ ବ୍ରତ (ସ୍କନ୍ଦପୁରାଣ):ମାର୍ଗଶୀର ମାସ ସଂକ୍ରନ୍ତିରେ ସ୍ତ୍ରୀମାନେ ପୁତ୍ରଲାଭାର୍ଥ ସନ୍ଧ୍ୟାଠାରୁ ୪ପ୍ରହର ମଧ୍ୟରେ ୪ଥର ସ୍ନାନ କରି କାର୍ତ୍ତିକେୟ ପୂଜା ପୂର୍ବକ କାର୍ତ୍ତିକେୟ ବ୍ରତ କରନ୍ତି ୤
  • ଜଳ ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ): ବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ କରି ଏକ ବର୍ଷ ପର୍ଯ୍ୟନ୍ତ ପ୍ରତି ସଂକ୍ରାନ୍ତିରେ ବ୍ରାହ୍ମଣଙ୍କୁ ଜଳପୂର୍ଣ୍ଣ ଘଟ ଦାନ କରାଯାଏ ୤
  • ଦାନ ସଂକ୍ରାନ୍ତି ବ୍ରତ (ବ୍ରହ୍ମ ପୁରାଣ): ବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ କରି ଏକ ବର୍ଷ ପର୍ଯ୍ୟନ୍ତ ପ୍ରତି ସଂକ୍ରାନ୍ତିରେ ବ୍ରାହ୍ମଣଙ୍କୁ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଦାନ କରାଯାଏ ୤
  • ଦଧି ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ): ଉତ୍ତରାୟଣ ସଂକ୍ରାନ୍ତି ଠାରୁ ଆରମ୍ଭ କରି ଏକ ବର୍ଷ ଦଧି ଓ ଭୋଜ୍ୟ ଦାନ କରାଯାଏ ୤
  • ଅନ୍ନ ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ): ମହାବିଷୁବ ସଂକ୍ରାନ୍ତି ଠାରୁ ୧ବର୍ଷ ପର୍ଯ୍ୟନ୍ତ ଅନ୍ନଦାନ କରାଯାଏ ୤
  • ଫଳ ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ): ମହାବିଷୁବ ସଂକ୍ରାନ୍ତି ଠାରୁ ୧ବର୍ଷ ପର୍ଯ୍ୟନ୍ତ ପ୍ରତି ସଂକ୍ରାନ୍ତିରେ ନିର୍ଦ୍ଦିଷ୍ଟ ଫଳ ପ୍ରଦାନ କରାଯାଏ ୤
  • ମଙ୍ଗଳ ସଂକ୍ରାନ୍ତି ବ୍ରତ : ମଙ୍ଗଳବାର ଦିନ ସଂକ୍ରାନ୍ତି ପଡ଼ିଲେ ମଙ୍ଗଳ ଚଣ୍ଡୀଙ୍କର ପୂଜା କରାଯାଏ ୤
  • ଯମପୁଷ୍କରିଣୀ ବ୍ରତ (ଭବିଷ୍ୟ ପୁରାଣ): ସ୍ତ୍ରୀମାନେ କୌଣସି ସଂକ୍ରାନ୍ତିଠରୁ ଆରମ୍ଭ କରି ପ୍ରତି ସଂକ୍ରାନ୍ତିରେ ୪ବର୍ଷ ପର୍ଯ୍ୟନ୍ତ ଯମପୂଜା ଓ ଦାନ କରନ୍ତି ୤
  • ଧର୍ମଘଟ ବ୍ରତ: ବୈଶାଖ ସଂକ୍ରାନ୍ତିଠାରୁ ଜ୍ୟୈଷ୍ଠ ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ଲେଖାଏଁ ୪ ବର୍ଷ ଜଳପୂର୍ଣ୍ଣ ଘଟ ବ୍ରାହ୍ମଣଙ୍କୁ ଦାନ କରାଯାଏ ୤ ଏହା ଛଡ଼ା ମହାବିଷୁବ ସଂକ୍ରାନ୍ତିରେ ବିଷ୍ଣୁ, ଇଷ୍ଟଦେବତା ଓ ପିତୃମାନଙ୍କ ଉଦ୍ଦେଶ୍ୟରେ ଜଳପୂର୍ଣ୍ଣ ଘଟ ଉତ୍ସର୍ଗ କରିବାକୁ ହୁଏ ୤

[ଏହାକୁ ବଦଳାନ୍ତୁ] ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା