ସଂକ୍ରାନ୍ତି

ଉଇକିପିଡ଼ିଆ ରୁ

ଅମାବାସ୍ୟା ଓ ପୂର୍ଣ୍ଣିମାକୁ ଧରି ଚନ୍ଦ୍ରଙ୍କ କ୍ଷୟବୃଦ୍ଧି ସହିତ ଚାନ୍ଦମାନ ଓ ସଂକ୍ରାନ୍ତି କଳାରେ ସୌରମାନ ମାସ ଆମର ପଞ୍ଜିକାରେ ଅନ୍ତର୍ଭୁକ୍ତ । ଅମାବାସ୍ୟା ଓ ପୂର୍ଣ୍ଣିମା ଚନ୍ଦ୍ର ଦର୍ଶନ ଯୋଗୁଁ ପ୍ରତ୍ୟକ୍ଷରେ ଉପଲବ୍ଧ କରିହୁଏ; କିନ୍ତୁ ସୂର୍ଯ୍ୟଙ୍କ ଗତି ଯୋଗୁଁ ଦିନ ରାତି ଏବଂ ଋତୁମାନଙ୍କର ପରିବର୍ତ୍ତନ ହୁଏ । ପ୍ରତି ଇଂରାଜୀ ମାସର ତା୧୩ରିଖ ଠାରୁ ତା୧୫ରିଖ ମଧ୍ୟରେ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗମନ କରିବା ଯୋଗୁଁ ସୂର୍ଯ୍ୟଙ୍କର ସଂକ୍ରମଣ କ୍ରିୟା ବା ସଂକ୍ରାନ୍ତି ହୁଏ । ତେଣୁ ସୂର୍ଯ୍ୟଙ୍କ ଅୟନ କ୍ରମେ ସେହି ସଂକ୍ରାନ୍ତିଗୁଡିକ ନାମିତ ହୋଇଥାନ୍ତି । ଏହିପରି ସୌରମାନ ମାସଗୁଡିକୁ ଇଂରାଜୀ ମାସିକ ପଞ୍ଜିକା ଅନୁସାରେ ଗଣନା କରାଯାଏ । ମେଷ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥିତି ବା ସଂକ୍ରମଣ ମେଷ: ଏପ୍ରିଲ – ମେ, ବୃଷ: ମେ – ଜୁନ, ମିଥୁନ: ଜୁନ – ଜୁଲାଇ, କର୍କଟ: ଜୁଲାଇ – ଅଗଷ୍ଟ, ସିଂହ: ଅଗଷ୍ଟ – ସେପ୍ଟେମ୍ବର, କନ୍ୟା: ସେପ୍ଟେମ୍ବର – ଅକ୍ଟୋବର, ତୁଳା: ଅକ୍ଟୋବର – ନଭେମ୍ବର, ବିଛା: ନଭେମ୍ବର – ଡିସେମ୍ବର, ଧନୁ: ଡିସେମ୍ବର – ଜାନୁୟାରୀ, ମକର: ଜାନୁୟାରୀ – ଫେବୃୟାରୀ, କୁମ୍ଭ: ଫେବୃୟାରୀ – ମାର୍ଚ୍ଚ ଓ ମୀନ: ମାର୍ଚ୍ଚ – ଏପ୍ରିଲ ମାସରେ, ଏହିପରି ଦୁଇଟି ମାସର ଅର୍ଦ୍ଧେକକୁ ନେଇ ଗୋଟିଏ ରାଶି ମାସ ଗୋଟିଏ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ମାସନ୍ତ ପର୍ଯ୍ୟନ୍ତ ଚଳେ । ପୃଥିବୀର ନିଜ କକ୍ଷରେ ଦୈନିକ ପରିଭ୍ରମଣ ବା ଆହ୍ନିକ ଗତି ଏବଂ ସୂର୍ଯ୍ୟଙ୍କର ବିଷ୍ଣୁପଦୀ ସଂକ୍ରମଣ ବା ସଂକ୍ରାନ୍ତି ସଞ୍ଚାର ବିଷୁବ ରେଖାଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଓ ଦକ୍ଷିଣାୟନ ଗତି ସହିତ ସଂପୃକ୍ତ । ସେଇଥିପାଇଁ ପ୍ରତ୍ୟେକ ବର୍ଷର ମାର୍ଚ୍ଚ ୨୧, ଜୁନ ୨୨, ସେପ୍ଟେମ୍ବର ୨୩ ଓ ଡିସେମ୍ବର ୨୨ତାରିଖରେ ପୃଥିବୀରେ ସର୍ବତ୍ର ଦିନରାତି ସମାନ । ମାର୍ଚ୍ଚ ମାସ ତା ୨୧ ରିଖରୁ ଜୁନ ୨୨ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧରେ ବିଷୁବରେଖାଠାରୁ ୨୩ ଡିଗ୍ରୀ ଉତ୍ତରରେ ଅବସ୍ଥିତ କର୍କଟ କ୍ରାନ୍ତି ପର୍ଯ୍ୟନ୍ତ ଯାତ୍ରା କରି ସେପ୍ଟେମ୍ବର ୨୨ତାରିଖରେ ବିଷୁବରେଖାକୁ ଫେରି ଆସନ୍ତି । ପୁଣି ସେପ୍ଟେମ୍ବର ୨୩ତାରିଖରୁ ଡିସେମ୍ବର ୨୨ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଦିଗକୁ ୨୩ ଡିଗ୍ରୀ ମକର କ୍ରାନ୍ତି ପର୍ଯ୍ୟନ୍ତ ଯାତ୍ରା କରି ପୁଣି ଉତ୍ତରାମୁଖୀ ହୋଇ ମାର୍ଚ୍ଚ ୨୧ତାରିଖରେ ବିଷୁବରେଖାକୁ ପ୍ରତ୍ୟାବର୍ତ୍ତନ କରନ୍ତି ।

ଜ୍ୟୋତିଷ ତତ୍ତ୍ଵ ଅନୁଯାୟୀ ରବି ସଂକ୍ରମଣକାଳୀନ ଗ୍ରହଚକ୍ର ଅନୁସାରେ ୧୨ଟି ରାଶିଚକ୍ର ରହିଛି । ଏଣୁ ପୃଥିବୀର ବାର୍ଷିକ ଗତି ଦ୍ଵାରା ନିଜ କକ୍ଷପଥରେ ସୂର୍ଯ୍ୟକୁ ପରିକ୍ରମା କରୁଥିବାବେଳେ ବାର ମାସରେ ବିଭିନ୍ନ ଅବସ୍ଥାନରେ ରହି ସୂର୍ଯ୍ୟଙ୍କର ଗୋଟିଏ ରାଶିଚକ୍ର ଅନ୍ୟ ଗୋଟିଏ ରାଶିଚକ୍ରକୁ ସଂକ୍ରମଣ କରୁଥିବା ସମୟକୁ ସଂକ୍ରାନ୍ତି ରୂପେ ଗଣାଯାଉଥିବାରୁ[୧] ଏହା ହେଉଛ୍ ଓଡ଼ିଆ ମାସର ଆରମ୍ଭ ବା ପ୍ରଥମ ଦିନ । ପ୍ରତି ମାସାରମ୍ଭରେ ଗୋଟିଏ ସଂକ୍ରାନ୍ତି ପଡ଼ିଲେ ଓଡ଼ିଆ ପଞ୍ଜିକାନୁଯାୟୀ ସୂର୍ଯ୍ୟଙ୍କର ରାଶିଚକ୍ର ନାମାନୁସାରେ ସଂକ୍ରାନ୍ତି ଗୁଡ଼ିକ ପହିଲା ବୈଶାଖ ଅର୍ଥାତ ମେଷ ସଂକ୍ରାନ୍ତିରୁ ଆରମ୍ଭ ହୋଇ ଯଥାକ୍ରମେ ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ ଏହିପରି ବର୍ଷରେ ବାରଟି ସଂକ୍ରାନ୍ତି ପଡ଼ିଥାଏ । ବର୍ଷର ସମସ୍ତ ସୌରମାସ ସଂକ୍ରାନ୍ତ ଅଟେ କିନ୍ତୁ ଅଧିମାସ ବା ମଳମାସ ସଂକ୍ରାନ୍ତି ନୁହେ । ଅର୍ଥାତ ଅଧିମାସରେ ସଂକ୍ରାନ୍ତି ନଥାଏ । ଭିନ୍ନ ଭିନ୍ନ ନକ୍ଷତ୍ରରେ ସୂର୍ଯ୍ୟଙ୍କ ସଂକ୍ରମଣ ଘଟିବା ଯୋଗୁଁ ସଂକ୍ରାନ୍ତି ମାନଙ୍କୁ ୭ ଭାଗରେ ବିଭକ୍ତ କରାଯାଇ ଅଛି; ଯଥା: ମନ୍ଦା, ମନ୍ଦାକିନୀ, ଧ୍ଵାକ୍ଷୀ, ଘୋରା, ମହୋଦରୀ, ରାକ୍ଷସୀ ଓ ମିଶ୍ରିତା । ସଂକ୍ରାନ୍ତିକୁ ନିରଂଶ ଦିବସ କୁହାଯାଏ, ସେଥିପାଇଁ ଏ ଦିନ ଯାତ୍ରାଦି ଶୁଭକର୍ମ ନିଷିଦ୍ଧ। ସଂକ୍ରାନ୍ତି ଦିନ ସାୟଂସନ୍ଧ୍ୟା ନିଷିଦ୍ଧ ।

ନାମକରଣ[ସମ୍ପାଦନା]

ଓଡ଼ିଶାରେ ସଂକ୍ରାନ୍ତିର ନାମକରଣ ପରବର୍ତ୍ତୀ ମାସର ନାମ ଅନୁସାରେ କରାଯାଏ; ଯଥା ଧନୁ ସଂକ୍ରାନ୍ତି, ମକର ସଂକ୍ରାନ୍ତି । ଓଡ଼ିଆରେ ଧନୁ ସଂକ୍ରାନ୍ତି ଧନୁ ମାସର ପ୍ରଥମ ଦିନ ।

  • ଧନୁ (ପୌଷ), ମିଥୁନ (ଆଷାଢ଼), କନ୍ୟା (ଆଶ୍ଵିନ) ଓ ମୀନ (ଚୈତ୍ର) ସଂକ୍ରାନ୍ତିକୁ ‘ଷଡ଼ଶୀତି’ ସଂକ୍ରାନ୍ତି କୁହାଯାଏ ।
  • ବୃଷ (ଜ୍ୟୈଷ୍ଠ), ବୃଶ୍ଚିକ (ମାର୍ଗଶୀର), ସିଂହ (ଭାଦ୍ର) ଓ କୁମ୍ଭ (ଫଗୁଣ) ସଂକ୍ରାନ୍ତିକୁ ‘ବିଷ୍ଣୁପଦୀ’ ସଂକ୍ରାନ୍ତି କୁହାଯାଏ ।
  • ମକର (ମାଘ) ସଂକ୍ରାନ୍ତିକୁ ‘ଉତ୍ତରାୟଣ’ ଓ କକଡ଼ା (ଶ୍ରାବଣ) ସଂକ୍ରାନ୍ତିକୁ ‘ଦକ୍ଷିଣାୟନ’ ସଂକ୍ରାନ୍ତି ବୋଲାଯାଏ ।
  • ମେଷ (ବୈଶାଖ) ସଂକ୍ରାନ୍ତିକୁ ‘ମହାବିଷୁବ’ ସଂକ୍ରାନ୍ତି ଓ ତୁଳା (କାର୍ତ୍ତିକ) ସଂକ୍ରାନ୍ତିକୁ ‘ଜଳବିଷୁବ’ ସଂକ୍ରାନ୍ତି ବୋଲାଯାଏ ।
  • ଶୁକ୍ଳପକ୍ଷ ସପ୍ତମୀ ଦିନ ସଂକ୍ରାନ୍ତି ହେଲେ ତାହାର ନାମ ‘ମହାଜୟା’ ହୁଏ । ଉକ୍ତ ଦିନ ସୂର୍ଯ୍ୟପୂଜା ଓ ଦାନାଦି ପୂଣ୍ୟପ୍ରଦ ।
  • ଚୈତ୍ରର ଷଡ଼ଶୀତି ସଂକ୍ରାନ୍ତି: ଏହି ଦିନ ଘଣ୍ଟାକର୍ଣ୍ଣ ପୂଜା ହୁଏ।
  • ବୈଶାଖର ମହାବିଷୁବ ସଂକ୍ରାନ୍ତି: ଏହା ପଣା ସଂକ୍ରାନ୍ତି ଭାବେ ପରିଚିତ। ଏ ଦିନ ସୂର୍ଯ୍ୟ ବିଷୁବ ରେଖାକୁ ପାରି ହୋଇ ଉତ୍ତର ଆଡ଼କୁ ଅର୍ଥାତ କର୍କଟ କ୍ରାନ୍ତି ଆଡ଼କୁ ଗତି କରନ୍ତି ।
  • ଜ୍ୟୈଷ୍ଠର ବିଷ୍ଣୁପଦୀ ସଂକ୍ରାନ୍ତି
  • ଆଷାଢ଼ର ଷଡ଼ଶୀତି ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି: ଓଡ଼ିଶାରେ ରଜ ପର୍ବ ଭାବେ ପରିଚିତ ।
  • ଶ୍ରାବଣ ମାସର ଦକ୍ଷିଣାୟନ ସଂକ୍ରାନ୍ତି: ଏ ଦିନ ସୂର୍ଯ୍ୟ କର୍କଟ କ୍ରାନ୍ତିରୁ ବିଷୁବ ରେଖା ଆଡ଼କୁ ଗତି କରନ୍ତି। ଏହି ଦିନ ଠାରୁ ତିନି ଦିନ ପର୍ଯ୍ୟନ୍ତ ନଦୀ ମାନେ ରଜସ୍ଵଳା ହୁଅନ୍ତି ।
  • ଭାଦ୍ରବ ମାସର ବିଷ୍ଣୁପଦୀ ସଂକ୍ରାନ୍ତି:
  • ଆଶ୍ୱିନର ଷଡ଼ଶୀତି ସଂକ୍ରାନ୍ତି ବା କନ୍ୟା ସଂକ୍ରାନ୍ତି:
  • କାର୍ତ୍ତିକର ଜଳବିଷୁବ ସଂକ୍ରାନ୍ତି ବା ଗର୍ଭଣା ସଂକ୍ରାନ୍ତି: ଏ ଦିନ ଗର୍ଭଣା ଡାଳ ବା କାଠିକୁ ପୂଜା କରି ଧାନ କ୍ଷେତରେ ପୋତାଯାଏ । ସୂର୍ଯ୍ୟ ବିଷୁବ ରେଖାକୁ ଟପି ଏହି ଦିନ ଦକ୍ଷିଣ ଆଡ଼କୁ ଅର୍ଥାତ ମକର କ୍ରାନ୍ତି ଆଡ଼କୁ ଗତି କରନ୍ତି।
  • ମାର୍ଗଶୀରର ବିଷ୍ଣୁପଦୀ ସଂକ୍ରାନ୍ତି:
  • ପୁଷମାସର ଷଡ଼ଶୀତି ସଂକ୍ରାନ୍ତି ବା ଧନୁ ସଂକ୍ରାନ୍ତି: ଏ ଦିନ ଦେବତାଙ୍କୁ ଧନୁମୁଆଁ ଭୋଗ ହୁଏ ଏବଂ ଜଗନ୍ନାଥଙ୍କର ପହିଲି ଭୋଗ ଆରମ୍ଭ ହୁଏ ।
  • ମାଘ ମାସର ଉତ୍ତରାୟଣ ସଂକ୍ରାନ୍ତି : ଏହି ଦିନ ସୂର୍ଯ୍ୟ ମକର କ୍ରାନ୍ତିରୁ ଉତ୍ତର ଦିଗକୁ ଫେରନ୍ତି । ଦେବତାଙ୍କୁ ମକର ଚାଉଳ ଓ ତିଲୁଆ ଖଜା ଭୋଗ ହୁଏ । ଏହାକୁ ତିଲୁଆ ସଂକ୍ରାନ୍ତି ମଧ୍ୟ କୁହାଯାଏ ।
  • ଫଗୁଣର ବିଷ୍ଣୁପଦୀ ସଂକ୍ରାନ୍ତି:

ସଂକ୍ରାନ୍ତି ବ୍ରତ[ସମ୍ପାଦନା]

ସଂକ୍ରାନ୍ତିମାନଙ୍କରେ ଆଚରଣୀୟ ନାନାପ୍ରକାର କର୍ମାନୁଷ୍ଠାନ:

  • କାର୍ତ୍ତିକେୟ ବ୍ରତ (ସ୍କନ୍ଦପୁରାଣ):ମାର୍ଗଶୀର ମାସ ସଂକ୍ରନ୍ତିରେ ସ୍ତ୍ରୀମାନେ ପୁତ୍ରଲାଭାର୍ଥ ସନ୍ଧ୍ୟାଠାରୁ ୪ପ୍ରହର ମଧ୍ୟରେ ୪ଥର ସ୍ନାନ କରି କାର୍ତ୍ତିକେୟ ପୂଜା ପୂର୍ବକ କାର୍ତ୍ତିକେୟ ବ୍ରତ କରନ୍ତି ।
  • ଜଳ ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ): ବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ କରି ଏକ ବର୍ଷ ପର୍ଯ୍ୟନ୍ତ ପ୍ରତି ସଂକ୍ରାନ୍ତିରେ ବ୍ରାହ୍ମଣଙ୍କୁ ଜଳପୂର୍ଣ୍ଣ ଘଟ ଦାନ କରାଯାଏ ।
  • ଦାନ ସଂକ୍ରାନ୍ତି ବ୍ରତ (ବ୍ରହ୍ମ ପୁରାଣ): ବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ କରି ଏକ ବର୍ଷ ପର୍ଯ୍ୟନ୍ତ ପ୍ରତି ସଂକ୍ରାନ୍ତିରେ ବ୍ରାହ୍ମଣଙ୍କୁ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଦାନ କରାଯାଏ ।
  • ଦଧି ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ): ଉତ୍ତରାୟଣ ସଂକ୍ରାନ୍ତି ଠାରୁ ଆରମ୍ଭ କରି ଏକ ବର୍ଷ ଦଧି ଓ ଭୋଜ୍ୟ ଦାନ କରାଯାଏ ।
  • ଅନ୍ନ ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ): ମହାବିଷୁବ ସଂକ୍ରାନ୍ତି ଠାରୁ ୧ବର୍ଷ ପର୍ଯ୍ୟନ୍ତ ଅନ୍ନଦାନ କରାଯାଏ ।
  • ଫଳ ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ): ମହାବିଷୁବ ସଂକ୍ରାନ୍ତି ଠାରୁ ୧ବର୍ଷ ପର୍ଯ୍ୟନ୍ତ ପ୍ରତି ସଂକ୍ରାନ୍ତିରେ ନିର୍ଦ୍ଦିଷ୍ଟ ଫଳ ପ୍ରଦାନ କରାଯାଏ ।
  • ମଙ୍ଗଳ ସଂକ୍ରାନ୍ତି ବ୍ରତ : ମଙ୍ଗଳବାର ଦିନ ସଂକ୍ରାନ୍ତି ପଡ଼ିଲେ ମଙ୍ଗଳ ଚଣ୍ଡୀଙ୍କର ପୂଜା କରାଯାଏ ।
  • ଯମପୁଷ୍କରିଣୀ ବ୍ରତ (ଭବିଷ୍ୟ ପୁରାଣ): ସ୍ତ୍ରୀମାନେ କୌଣସି ସଂକ୍ରାନ୍ତିଠରୁ ଆରମ୍ଭ କରି ପ୍ରତି ସଂକ୍ରାନ୍ତିରେ ୪ବର୍ଷ ପର୍ଯ୍ୟନ୍ତ ଯମପୂଜା ଓ ଦାନ କରନ୍ତି ।
  • ଧର୍ମଘଟ ବ୍ରତ: ବୈଶାଖ ସଂକ୍ରାନ୍ତିଠାରୁ ଜ୍ୟୈଷ୍ଠ ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ଲେଖାଏଁ ୪ ବର୍ଷ ଜଳପୂର୍ଣ୍ଣ ଘଟ ବ୍ରାହ୍ମଣଙ୍କୁ ଦାନ କରାଯାଏ । ଏହା ଛଡ଼ା ମହାବିଷୁବ ସଂକ୍ରାନ୍ତିରେ ବିଷ୍ଣୁ, ଇଷ୍ଟଦେବତା ଓ ପିତୃମାନଙ୍କ ଉଦ୍ଦେଶ୍ୟରେ ଜଳପୂର୍ଣ୍ଣ ଘଟ ଉତ୍ସର୍ଗ କରିବାକୁ ହୁଏ ।

ଆଧାର[ସମ୍ପାଦନା]

  1. "Festivals, Annual Festival - Makar Sankranti (Uttarayan)". swaminarayan.org. 2004. http://www.swaminarayan.org/festivals/uttarayan/index.htm. Retrieved 25 December 2012. "Sankranti means the entry of the sun from one zodiac to another."