ଚନ୍ଦ୍ରପକ୍ଷର ଏକାଦଶ ଦିବସ - ଚନ୍ଦ୍ରର ଏକାଦଶ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । କୃଷ୍ଣପକ୍ଷର ଏକାଦଶୀକୁ କୃଷ୍ଣା ଏକାଦଶୀ ଓ ଶୁକ୍ଳପକ୍ଷର ଏକାଦଶୀକୁ ଶୁକ୍ଳା ଏକାଦଶୀ କୁହାଯାଇଥାଏ । ଏକାଦଶୀ ତିଥିରେ କେତେକ ବିଶେଷ ନକ୍ଷତ୍ରର ସଂଯୋଗ ଘଟିଲେ ତାହାକୁ ଜୟା-ବିଜୟା-ଜୟନ୍ତୀ ଓ ପାପନାଶିନୀ କହାଯାଏ । ତେବେ ୨୪ ଏକାଦଶୀର ନାମ ରହିଛି । ସେଗୁଡିକ ହେଲା ଉତ୍ପନ୍ନା, ମୋକ୍ଷଦା, ସଫଳା, ପୁତ୍ରଦା, ଷଟ୍ତିଳା, ଜୟା (ଭୌମୀ), ବିଜୟା, ଆମଳକୀ, ପାପମୋଚନୀ, କାମଦା, ବରୁଥିନୀ, ମୋହିନୀ, ଅପରା, ନିର୍ଜଳା ଅଥବା ଭୀମସେନୀ, ଯୋଗିନୀ, ହରିଶୟନୀ (ପଦ୍ମା), କାମିକା (କାମଦା), ପୁତ୍ରଦା, ଅଜା, ପଦ୍ମା (ପୁତ୍ରଦା), ଇନ୍ଦିରା, ପାପଙ୍କୁଶା, ରମ୍ଭା ଓ ପ୍ରବୋଧିନୀ ।
କୃଷ୍ଣ ଓ ଶୁକ୍ଳପକ୍ଷର ଏକାଦଶୀ ତିଥିକୁ ହରିବାସର କୁହାଯାଏ । ବର୍ଷକର ୨୪ଟି ଏକାଦଶୀ ମଧ୍ୟରୁ ୪ଟିକୁ ବଡ଼ଏକାଦଶୀ କୁହାଯାଏ । ହରିଭକ୍ତିବିଳାସ ଗ୍ରନ୍ଥ ମତରେ ଏକାଦଶୀ ଆଠ ପ୍ରକାର
- ଉନ୍ନୀଳନୀ: ଯେଉଁ ଏକାଦଶୀର ୬୦ ଦଣ୍ଡରୁ ଅଧିକ ପର ଦିବସକୁ ଥାଏ ।
- ବ୍ୟଞ୍ଜଳୀ: ଯେଉଁ ଏକାଦଶୀ ୬୦ଦଣ୍ଡରୁ କମି ପର ଦିନକୁ ଥାଏ ।
- ତ୍ରିସ୍ପୃଶା: ସୂର୍ଯ୍ୟ ଉଦୟ କାଳରେ ଏକାଦଶୀ, ତତ୍ପରେ ଦ୍ଵାଦଶୀ ଓ ଅନ୍ତେ ତ୍ରୟୋଦଶୀ ।
- ପକ୍ଷବର୍ଦ୍ଧିନୀ: ଯେଉଁ ଏକାଦଶୀର ପରବର୍ତ୍ତୀ ପୂର୍ଣ୍ଣିମା ବା ଅମାବାସ୍ୟା ୬୦ ଦଣ୍ଡରୁ ଅଧିକ ଥାଏ ।
- ଜୟା: ଯେବେ ଶୁକ୍ଳ ଦ୍ଵାଦଶୀରେ ପୁନର୍ବସୁ ନକ୍ଷତ୍ର ପଡ଼େ ।
- ବିଜୟା: ଯେବେ ଶୁକ୍ଳ ଦ୍ଵାଦଶୀରେ ଶ୍ରବଣାନକ୍ଷତ୍ରଯୁକ୍ତ ହୁଏ ।
- ଜୟନ୍ତୀ: ଯେବେ ଶୁକ୍ଳ ଦ୍ଵାଦଶୀରେ ରୋହିଣୀ ନକ୍ଷତ୍ର ପଡ଼େ ।
- ପାପନାଶନୀ: ଯେବେ ଶୁକ୍ଳ ଦ୍ଵାଦଶୀରେ ପୁଷ୍ୟ ନକ୍ଷତ୍ର ପଡ଼େ ।
ଗୁରୁବାର ଏକାଦଶୀ ପଡ଼ିଲେ ଲକ୍ଷ୍ମୀନାରାୟଣ ବ୍ରତ ଓ ରବିବାର ଏକାଦଶୀ ହେଲେ ରବିନାରାୟଣ ବ୍ରତ କରାଯାଏ ।
ହିନ୍ଦୁମାନଙ୍କର ଏକ ପବିତ୍ର ବ୍ରତ ଏକାଦଶୀ । ସାଧାରଣତଃ ବ୍ରାହ୍ମଣଘରର ବିଧବାମାନେ ଚବିଶ ଏକାଦଶୀ ପାଳିବା ବାଧ୍ୟତାମୂଳକ ଅଟେ । ତା'ଛଡ଼ା ସ୍ମାର୍ତ୍ତ ଓ ପରମାର୍ଥ ଧାର୍ମିକ ଆଚରଣରେ ସମଗ୍ର ଭାରତରେ ଏକାଦଶୀ ଏକ ପ୍ରମୁଖ ସାର୍ବଜନୀନ ବ୍ରତର ମାନ୍ୟତା ପାଇଛି । ଜୀବଦଶାରେ ଜ୍ଞାତସାରରେ ବା ଅଜାଣତରେ କରିଥିବା ପାପକୁ ନଷ୍ଟ କରି ପରଜନ୍ମ ପାଇଁ ପୁଣ୍ୟ ସଞ୍ଚୟ କରିବା ଆମ ଧାର୍ମିକ ପରମ୍ପରାର ମହାନ ଉଦ୍ଦେଶ୍ୟ । ଏଥିପାଇଁ ରହିଛି ନିତ୍ୟ ବ୍ରତ, ନୈମିତ୍ତିକ ବ୍ରତ ଓ କାମ୍ୟ ବ୍ରତ ଆଚରଣ ବ୍ୟବସ୍ଥା । ଶାସ୍ତ୍ରୀୟବିଚାରରେ ଚାନ୍ଦ୍ରାୟଣ ବ୍ରତକୁ ନୈମିତ୍ତିକ ବ୍ରତ କୁହାଯାଏ ଏବଂ ଏହାଦ୍ଵାରା ପୂର୍ବକୃତ ପାପ କ୍ଷୟ ହୁଏ । ଓଷାବ୍ରତ ପରି କାମ୍ୟ ବ୍ରତରେ ସୁଖ ଓ ସୌଭାଗ୍ୟ ପ୍ରାପ୍ତି ହୁଏ । ମାତ୍ର ଏକାଦଶୀ ପରି ନିତ୍ୟ ବ୍ରତରେ ପୁଣ୍ୟ ସଞ୍ଚୟ ହୁଏ । କେତେଗୁଡିଏ ଏକାଦଶୀରେ ଏକଭୁକ୍ତ ବା ବେଳାଏ ଖାଇ ପାଳନ କରାଯାଏ ଅନ୍ୟ କେତେଗୁଡ଼ିକରେ ଅନ୍ନଜଳ ସମ୍ପୂର୍ଣ୍ଣ ତ୍ୟାଗକରାଯିବାର ବିଧି ରହିଛି । ଏକାଦଶୀ ଦିନ ଶରୀର ଓ ମନରେ ଶୁଦ୍ଧ ରହି କ୍ରୀଡା, ନିଦ୍ରା, ମଦ୍ୟପାନ, ପରନିନ୍ଦା, ଅସୂୟା, ଚୋରି, ହିଂସା, ରତି, କ୍ରୋଧ, ଅସତ୍ୟଭାଷଣ ପରି ଏଗାରଟିରୁ ବିରତ ରହିବା ଉଚିତ । ପୁତ୍ରବାନ ଗୃହସ୍ଥ କେବଳ ଶୁକ୍ଳ ଏକାଦଶୀ ଏବଂ ବାନପ୍ରସ୍ଥ ସନ୍ନ୍ୟାସୀ ଓ ବିଧବା ଉଭୟ ଏକାଦଶୀ କରିପାରିବେ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏକାଦଶୀ ପାଳନ ଦ୍ଵାରା ପେଟକୁ ବିଶ୍ରାମ ମିଳେ ଓ ପାକାଗ୍ନିକୁ ସକ୍ରିୟ କରାଏ । ଫଳରେ ଅଜୀର୍ଣ୍ଣ, ଉଦରଶୂଳ, ଅଗ୍ନିମାନ୍ଦ୍ୟ ଆଦି ରୋଗରୁ ରକ୍ଷା ମିଳେ ।
| ଚାନ୍ଦ୍ରମାସ |
ବୈଷ୍ଣବ ମାସ |
ଇଁରାଜୀ ମାସ |
କୃଷ୍ଣପକ୍ଷ ଏକାଦଶୀ ନାମ |
ଶୁକ୍ଳପକ୍ଷ ଏକାଦଶୀ ନାମ |
| ବୈଶାଖ |
ମଧୁସୂଦନ |
ଅପ୍ରେଲ–ମଇ |
ବରୁଥିନୀ ଏକାଦଶୀ |
ମୋହିନୀ ଏକାଦଶୀ |
| ଜ୍ୟୈଷ୍ଠ |
ତ୍ରିବିକ୍ରମ |
ମଇ –ଜୁନ |
ଜଳକ୍ରୀଡ଼ା ଏକାଦଶୀ |
ଦେବବିବାହ/ ପଦ୍ମା ଏକାଦଶୀ |
| ଆଷାଢ଼ |
ବାମନ |
ଜୁନ–ଜୁଲାଇ |
ଖଳିଲାଗି/ ଅଣସର ଏକାଦଶୀ |
ହରିଶୟନ ଏକାଦଶୀ (ବଡ଼) |
| ଶ୍ରାବଣ |
ଶ୍ରୀଧର |
ଜୁଲାଇ–ଅଗଷ୍ଟ |
କାମିକା/ ଅନ୍ନଦାନ/ ଗାନ୍ଧାରୀ ଏକାଦଶୀ |
ଶ୍ରାବଣ ପୁତ୍ରଦା ଏକାଦଶୀ |
| ଭାଦ୍ରବ |
ହୃଶୀକେଶ |
ଅଗଷ୍ଟ–ସେପ୍ଟେମ୍ବର |
କାଳୀୟଦଳନ ଏକାଦଶୀ |
ପାର୍ଶ୍ଵପରିବର୍ତ୍ତନ ଏକାଦଶୀ (ବଡ଼) |
| ଆଶ୍ୱିନ |
ପଦ୍ମନାଭ |
ସେପ୍ଟେମ୍ବର–ଅକ୍ଟୋବର |
ଇନ୍ଦିରା ଏକାଦଶୀ |
ପାପାଙ୍କୁଶା ଏକାଦଶୀ |
| କାର୍ତ୍ତିକ |
ଦାମୋଦର |
ଅକ୍ଟୋବର–ନଭେମ୍ବର |
ରମା ଏକାଦଶୀ |
ଦେବୋତ୍ଥାପନ ଏକାଦଶୀ (ବଡ଼) |
| ମାର୍ଗଶୀର |
କେଶବ |
ନଭେମ୍ବର–ଡିସେମ୍ବର |
ଉତ୍ପନ୍ନା ଏକାଦଶୀ |
ମୋକ୍ଷଦା ଏକାଦଶୀ |
| ପୌଷ |
ନାରାୟଣ |
ଡିସେମ୍ବର–ଜାନୁଆରୀ |
ସଫଳା ଏକାଦଶୀ |
ପୌଷ ପୁତ୍ରଦା ଏକାଦଶୀ |
| ମାଘ |
ମାଧବ |
ଜାନୁଆରୀ–ଫେବୃଆରୀ |
ଷଟ୍ତିଳା ଏକାଦଶୀ |
ଭୀଷ୍ମ ଏକାଦଶୀ
ଭୌମ୍ୟ/ ଭୈମୀ ଏକାଦଶୀ (ବଡ଼) |
| ଫାଲ୍ଗୁନ |
ଗୋବିନ୍ଦ |
ଫେବୃଆରୀ–ମାର୍ଚ୍ଚ |
ପଙ୍କୋଦ୍ଧାର ଏକାଦଶୀ |
ଅଁଳା ଏକାଦଶୀ |
| ଚୈତ୍ର |
ବିଷ୍ଣୁ |
ମାର୍ଚ୍ଚ–ଅପ୍ରେଲ |
ପାପମୋଚନୀ ଏକାଦଶୀ |
କାମଦା ଏକାଦଶୀ |
| ଅଧିମାସ |
- |
- |
ପରମା ଶୁଦ୍ଧ/ ପରମା ଏକାଦଶୀ |
ପଦ୍ମିନୀ ଏକାଦଶୀ |
- ମାଘ କୃଷ୍ଣ ଏକାଦଶୀ: ଓଳାଶୁଣୀ ମେଳା
- ମାଘ ଶୁକ୍ଳ ଏକାଦଶୀ: ଭୌମ୍ୟ ବା ଭୈମୀ ଏକାଦଶୀ: କିମ୍ବଦନ୍ତୀ ଅନୁସାରେ ପାଣ୍ଡବମାନଙ୍କ ବନବାସ ସମୟରେ ଏଠାରେ ଦ୍ରୌପଦୀ ଏହି ଏକାଦଶୀ ବ୍ରତ ରଖିଥିଲେ । ବ୍ରତରେ ବିଷ୍ଣୁଙ୍କ ଦର୍ଶନ ପରେ ଜଳଗ୍ରହଣ କରାଯାଏ, କିନ୍ତୁ ଭୌମ୍ୟାସୁର ବିଷ୍ଣୁଙ୍କୁ ପାତାଳପୁରରେ ଲୁଚାଇ ରଖିଥିବାରୁ ଦ୍ରୌପଦୀ ବିଷ୍ଣୁଙ୍କ ଦର୍ଶନ ପାଇନଥିଲେ । ପାଣ୍ଡବମାନେ ଧ୍ୟାନଯୋଗେ ଏକଥା ଜାଣିବା ପରେ ଭୌମ୍ୟାସୁରକୁ ବଦ୍ଧ କରି ବିଷ୍ଣୁଙ୍କୁ ଉଦ୍ଧାର କରିଥିଲେ ।
- ଏହିଦିନ ନିଆଳି ସ୍ଥିତ ପୌରାଣିକ ମାଧବାନନ୍ଦଜୀଉ ପୀଠରେ ଶତାଧିକ ଶ୍ରଦ୍ଧାଳୁ ପୁଣ୍ୟତୋୟା ପ୍ରାଚୀନଦୀର ପାଣ୍ଡବ ତୀର୍ଥରେ ବୁଡ଼ ପକାଇଥାନ୍ତି ।
- ପାର୍ଶ୍ଵପରିବର୍ତ୍ତନ ଏକାଦଶୀ: ଶୟନ ଏକାଦଶୀର ପରବର୍ତ୍ତୀ ବଡ଼ ଏକାଦଶୀ । ପୌରାଣିକ ମତେ ଏହି ଦିନ ବିଷ୍ଣୁ ଶୋଇଥିବା ଅବସ୍ଥାରେ ବାଆଁପାଖରୁ ଡାହାଣ ପାଖକୁ କଡ଼ ଲେଉଟାନ୍ତି ।
- ଦେବୋତ୍ଥାପନ ଏକାଦଶୀ: ଶ୍ରୀମନ୍ଦିରରେ ରାଧାଦାମୋଦର ବେଶ ଶେଷ । ଚତୁର୍ମାସ୍ୟା ବ୍ରତ ସମାପନ ।
|
ହିନ୍ଦୁ ପର୍ବ
|
|
| ସର୍ବଭାରତୀୟ |
|
|
|
| ଆଞ୍ଚଳିକ |
|
|
| ପବିତ୍ର ଦିନ |
|
|