ସାକ୍ଷୀଗୋପାଳ ମନ୍ଦିର

ଉଇକିପିଡ଼ିଆ ରୁ
ସାକ୍ଷୀଗୋପାଳ ମନ୍ଦିର
ସାକ୍ଷୀଗୋପାଳ ମନ୍ଦିର is located in ଓଡ଼ିଶା
ସାକ୍ଷୀଗୋପାଳ ମନ୍ଦିର
ସାକ୍ଷୀଗୋପାଳ ମନ୍ଦିର
ଦିଗବାରେଣି: 19°56′43.33″N 85°49′13.68″E / 19.9453694°N 85.8204667°E / 19.9453694; 85.8204667
ଅବସ୍ଥାନ
ଦେଶ: ଭାରତ
ରାଜ୍ୟ: ଓଡ଼ିଶା
ଜିଲ୍ଲା: ପୁରୀ

କିମ୍ବଦନ୍ତୀ[ସମ୍ପାଦନା]

ରାଜା ଉନମାଧବ ଯମୁନା ନଦୀକୂଳରୁ ଆଣିଥିବା ଶ୍ରୀକୃଷ୍ଣଙ୍କ ମଣିବିଗ୍ରହ ସାକ୍ଷାତ ମୂର୍ତ୍ତି ଭାବେ ବୃନ୍ଦାବନରେ ଅଧିଷ୍ଠିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଏହି ମଣିବିଗ୍ରହ ବୃନ୍ଦାବନରୁ କାଞ୍ଚିର ଜଣେ ଶ୍ରୀବତ୍ସ ବ୍ରାହ୍ମଣ ପାଇଁ ସାକ୍ଷୀ ଦେବା ପାଇଁ ଆସି କାଞ୍ଚିରେ ରହି ଆଉ ବୃନ୍ଦାବନ ଫେରିଲେ ନାହିଁ ଓ ସାକ୍ଷୀଗୋପାଳ ନାମରେ ପୂଜା ପାଇଲେ । ପରେ ଓଡ଼ିଶାର ରାଜା ପୁରୁଷୋତ୍ତମଦେବ କାଞ୍ଚି ବିଜୟ କରି ପ୍ରଭୁ ଶ୍ରୀସାକ୍ଷୀଗୋପାଳଙ୍କୁ ପୁରୀକୁ ସଙ୍ଗରେ ନେଇଆସିଲେ । ପୁରୀରୁ କଟକସ୍ଥ ବାରବାଟୀ ଦୁର୍ଗ, ବାରବାଟି ଦୁର୍ଗରୁ ଖୋର୍ଦ୍ଧାସ୍ଥ ରଥିପୁର ଓ ପରେ କନ୍ତଳବାଇକୁ ପ୍ରଭୁଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ଶେଷରେ ପ୍ରଭୁଙ୍କ ମଣିବିଗ୍ରହ ପୁରୀ ଶ୍ରୀମନ୍ଦିରର ଭୋଗମଣ୍ଡପ ନିକଟରେ ସ୍ଥାପିତ ହେଲା । ସାକ୍ଷୀଗୋପାଳ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠିତ ହେବାର ଅଳ୍ପଦିନ ପରେ ରାଜା ରାମଚନ୍ଦ୍ର ଦେବଙ୍କୁ ଶ୍ରୀଜଗନ୍ନାଥଙ୍କ ସ୍ୱପ୍ନାଦେଷ ହେଲା – ସାକ୍ଷୀଗୋପାଳ ଭୋଗବୁହା ବାଟ ପାଖରେ ବସି ଆମର ପିଠା ଆଦି ସମସ୍ତ ମିଷ୍ଟାନ୍ନ ପଦାର୍ଥଗୁଡ଼ିକୁ ଆଗରୁ ଉଚ୍ଛିଷ୍ଟ (ଅଇଁଠା) କରି ଦେଉଛି, ଆମେ ଉପବାସ ରହୁଛି । ରାଜାଙ୍କ ନିଦ ତତକ୍ଷଣାତ ଭାଙ୍ଗିଗଲା, ରାଜା ଭାରି ବ୍ୟସ୍ତ ହୋଇପଡ଼ିଲେ । ରାଜା ଏହିପରି ଅଶ୍ୱସ୍ତିକର ଅବସ୍ଥାରେ ଥିବା ସମୟରେ ବାବା ବ୍ରହ୍ମଚାରୀ ନାମକ ଜଣେ ସନ୍ନ୍ୟାସୀ ରାଜାଙ୍କ ପାଖକୁ ଯାଇ କହିଲେ ହେ ରାଜନ… ପୁରୀଠାରୁ ୧୫ମାଇଲ ଦୂର ବ୍ରାହ୍ମଣ ଶାସନର କେନ୍ଦ୍ରସ୍ଥଳ ପୁଣ୍ୟତୋୟା ରତ୍ନଚିରା ନଦୀ ତୀରବର୍ତ୍ତୀ ଛୁରିଅନା, ବକୁଳ, ତମାଳ, କେତକୀ ଓ ନାରିକେଳ ବୃକ୍ଷ ପରିପୂର୍ଣ୍ଣ ପ୍ରାକୃତିକ ବନରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ସ୍ଥାପନ କର । ଏହି ଧାମ ଠିକ ବୃନ୍ଦାବନ ଧାମ ପରି ।

ରାଜା ଶ୍ରୀରାମଚନ୍ଦ୍ର ଦେବ ବାବା ବ୍ରହ୍ମଚାରୀଙ୍କ ପରାମର୍ଶକୁ ସାକ୍ଷୀଗୋପାଳଙ୍କ ଇଚ୍ଛା ଭାବି ଏହି ପ୍ରାକୃତିକ ବନରେ ପ୍ରଥମେ ସିଦ୍ଧବଳରାମଙ୍କ ନିକଟରେ ଏକ ମନ୍ଦିର ପ୍ରତିଷ୍ଠା କରାଇ ଶ୍ରୀସାକ୍ଷୀଗୋପାଳଙ୍କୁ ସ୍ଥାପନ କରାଇଲେ । ପରବର୍ତ୍ତୀ କାଳରେ ବର୍ତ୍ତମାନର ମନ୍ଦିର ନିର୍ମାଣ କରାଯାଇଅଛି । ଶ୍ରୀକୃଷ୍ଣ ସାକ୍ଷୀଗୋପାଳ ରୂପେ ରହିଲେ ସାକ୍ଷୀଗୋପାଳରେ, ଶ୍ରୀରାଧା ରହିଲେ ବୃନ୍ଦାବନରେ । ପରସ୍ପର ସହିତ ମିଳନ ନ ହେବାରୁ ଉଭୟେ ଭାରି ଅଶ୍ୱସ୍ତି ଅନୁଭବ କଲେ । ସମୟକ୍ରମେ ପ୍ରିୟା ଶ୍ରୀରାଧା ସେବକସାହିସ୍ଥିତ ଶ୍ରୀସାକ୍ଷୀଗୋପାଳଙ୍କ ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରଙ୍କ ଘରେ ମାନବୀ ପ୍ରିୟା ଲକ୍ଷ୍ମୀ ରୂପରେ ଜନ୍ମଲାଭ କଲେ । ପ୍ରଭୁ ସାକ୍ଷୀଗୋପାଳ ନିତ୍ୟ ରାତ୍ରର ତୃତୀୟ ପ୍ରହରରେ ମନ୍ଦିର ଛାଡ଼ି ଆସି ଲକ୍ଷ୍ମୀ ସହ ଲକ୍ଷ୍ମୀଙ୍କ ବାସଭବନରେ ମିଳିତ ହୁଅନ୍ତି । ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ବକୁଳବନରେ ଲକ୍ଷ୍ମୀସହ କେଳି କରନ୍ତି । ଅଧିକାଂଶ ସମୟରେ ପ୍ରଭୁଙ୍କ ବଂଶୀ, ରାତ୍ରପିନ୍ଧା ବସନ, ଚୂଳ ଆଦି ଲକ୍ଷ୍ମୀଙ୍କ ଶୟନ ଶେଜରୁ ମିଳିବାରୁ ରାଜା ବଡ଼ପଣ୍ଡାଙ୍କୁ ଚୋର କହି ନାନା ନିର୍ଯ୍ୟାତନା ଦେଲେ । ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରେ ନିରୁପାୟ ହୋଇ ସାକ୍ଷୀଗୋପାଳଙ୍କର ଶରଣ ପଶିଲେ । ଭକ୍ତବତ୍ସଳ ଭଗବାନ ପ୍ରଭୁ ସାକ୍ଷୀଗୋପାଳ ରାଜାଙ୍କୁ ସ୍ଵପ୍ନରେ କହିଲେ… ହେ ରାଜନ ! ବଡ଼ପଣ୍ଡା ନିର୍ଦୋଷ, ମୋର ପ୍ରିୟା ରାଧା ତାଙ୍କ ଘରେ ଲକ୍ଷ୍ମୀ ରୂପରେ ଜନ୍ମଲାଭ କରିଛି । ତୁ ଯଥାଶୀଘ୍ର ଲକ୍ଷ୍ମୀଙ୍କ ପରି ଏକ ସୁବର୍ଣ୍ଣ ପ୍ରତିମା ଶୀଘ୍ର ନିର୍ମାଣ କରାଇ ମୋ ପାଖରେ ପ୍ରତିଷ୍ଠା କର । ପ୍ରଭୁଙ୍କ ସ୍ଵପ୍ନାଦେଶ ଅନୁସାରେ ରାଜା ଗଡ଼ଜାତ ରଣପୁର ଅଞ୍ଚଳରୁ କେତେକ କୁଶଳୀ କାରିଗର ଅଣାଇ ଲକ୍ଷ୍ମୀଙ୍କ ପରି ଗୋଟିଏ ସୁବର୍ଣ୍ଣ ମୂର୍ତ୍ତି ନିର୍ମାଣ କରାଇଲେ । ମୂର୍ତ୍ତିଟି ନିର୍ମାଣ ଆରମ୍ଭ ଦିନରୁ ଲକ୍ଷ୍ମୀ ରୋଗରେ ଶଯ୍ୟାଶାୟୀ ହେଲେ । ମୂର୍ତ୍ତୀର ଜୀବନ୍ୟାସ ଦିଆହେବା ସମୟରେ ଲକ୍ଷ୍ମୀ ଇହଲୀଳା ସମ୍ବରଣ କରିଥିଲେ । ପ୍ରଭୁ ସାକ୍ଷୀଗୋପାଳଙ୍କ ଇଚ୍ଛାନୁଯାୟୀ ତାଙ୍କର ପ୍ରିୟା ଲକ୍ଷ୍ମୀଙ୍କ ମର ଶରୀରକୁ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ସଂସ୍କାର କରାଯାଇଥିଲା । କିମ୍ବଦନ୍ତୀକୁ ସ୍ମରଣ ରଖିବା ପାଇଁ ପରବର୍ତ୍ତୀ ସମୟରେ ଲକ୍ଷ୍ମୀଙ୍କ ସମାଧି ସ୍ଥଳରେ ଏକ ମହାବୀର ମନ୍ଦିର ପ୍ରତିଷ୍ଠା କରାଗଲା । ଲକ୍ଷ୍ମୀଙ୍କୁ ରାଧିକା ରୂପେ ପାଇ ଶ୍ରୀସାକ୍ଷୀଗୋପାଳଙ୍କ ଦୀର୍ଘ ଦିନର ମନସ୍କାମନା ପୂର୍ଣ୍ଣ ହେଲା । ଠାକୁର ପଶ୍ଚିମାଞ୍ଚଳବାସୀ ହୋଇଥିବାରୁ ଅନ୍ନପ୍ରସାଦ ପରିବର୍ତ୍ତେ ଗହମ ଜାତ ସାମଗ୍ରୀ ଭୋଗ କରାଗଲା । ପଶ୍ଚିମାଞ୍ଚଳ ମହିଳାଙ୍କ ପରି ଦେବୀ ଶ୍ରୀରାଧାଙ୍କ ପିନ୍ଧା ଶାଢ଼ୀ ଦ୍ଵାରା ତାଙ୍କର ପାଦପଦ୍ମ ବର୍ଷସାରା ଘୋଡ଼ାଇ ହୋଇ ରହିଲା । ଏହି ଭଳି କିଛି ଦିନ ଯିବା ପରେ କେତେକ ସେବକ ବିଚାରକଲେ ଠାକୁରାଣୀ ଶ୍ରୀରାଧା ମାନବୀ ପ୍ରିୟା ଲକ୍ଷ୍ମୀ ରୂପେ ଆମ ଓଡ଼ିଶାରେ ଆସି ସତ୍ୟବାଦୀରେ ରହିଲେ କିନ୍ତୁ ଦିନେ ହେଲେତ ଓଡ଼ିଆଣୀ ବେଶ ହେଲେ ନାହିଁ । ପରିଶେଷରେ ସ୍ଥିର ହେଲା ରାଧା ରୂପେ ପୂଜା ପାଉଥିବା ମାନବୀ ପ୍ରିୟା ଲକ୍ଷ୍ମୀଙ୍କ ଜନ୍ମଦିନ କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀ ତିଥିରେ ଓଡ଼ିଆଣୀ ବେଶ ଅନୁଷ୍ଠିତ ହେବ । ବେଶ ସମୟରେ ଠାକୁରାଣୀ କାଣିଆ କଛା ମାରନ୍ତି, ଫଳରେ ବର୍ଷସାରା ଶାଢ଼ୀରେ ଆବୃତ ହୋଇ ରହିଥିବା ଠାକୁରାଣୀଙ୍କ ପାଦପଦ୍ମ ଦ୍ଵୟକୁ ଭକ୍ତମାନେ ଦର୍ଶନ କରିଥାନ୍ତି । ଏହି ଦିନ ଗୋପାଳଙ୍କୁ ଚନ୍ଦନ ଚର୍ଚ୍ଚିତ କରାଯାଇ ମସ୍ତକରେ ସ୍ଵର୍ଣ୍ଣ କିରୀଟ, ହାତରେ ସୁବର୍ଣ୍ଣ ବଂଶୀ ସାଙ୍ଗକୁ ନଟବର ବେଶରେ ଏବଂ ରାଧାଙ୍କୁ ଖଣ୍ଡୁଆ ପାଟବସ୍ତ୍ର ସହ କିରୀଟ, ପାଉଁଜି, ଝୁଣ୍ଟିଆ, କୁଣ୍ଡଳ, ଚାପସରି ସେବତୀ ହାର, ନୋଥ, ଗୁଣା ଏବଂ ଅଁଳା ହାର ଲାଗି କରାଯାଏ ।

ରାଧା ପାଦଦର୍ଶନ[ସମ୍ପାଦନା]

କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀତିଥି ପବିତ୍ର ଅଁଳା ନବମୀ ବା ଧାତ୍ରୀ ନବମୀ ତଥା ଶ୍ରୀରାଧା ପାଦଦର୍ଶନ ଯାତ୍ରା ରୂପେ ସୁପରିଚିତ । ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇଥିବା ମାନବୀ ରାଧାଙ୍କର ପାଦପଦ୍ମଦ୍ୱୟକୁ ବର୍ଷକେ ଥରେ ନବମୀଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି । ଏଥିପାଇଁ ଏହା ଏହି ଦିବସ ରାଧାପାଦ ଦର୍ଶନ ନାମରେ ବିଦିତ । ସାକ୍ଷୀଗୋପାଳର ଏହି ଯାତ୍ରା ପୁରୀ ରଥଯାତ୍ରା ପରେ ଦ୍ଵିତୀୟ ବଡ଼ ଯାତ୍ରା ।

ସାକ୍ଷୀଗୋପାଳଙ୍କ ଲକ୍ଷ୍ମୀନାରାୟଣ ବେଶ[ସମ୍ପାଦନା]

କାର୍ତ୍ତିକ ଶୁକ୍ଳପକ୍ଷ ବଡ଼ ଏକାଦଶୀ ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁର ଶ୍ରୀ ଗୋପାଳଜୀଉ ଓ ଠାକୁରାଣୀ ଶ୍ରୀ ରାଧାରାଣୀଙ୍କର ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ । ବର୍ଷସାରା ଶ୍ରୀଜୀଉଙ୍କୁ ଗହମଜାତ ଦ୍ରବ୍ୟରୁ ପ୍ରସ୍ତୁତ ନୈବେଦ୍ୟ ଲାଗି କରାଯାଏ । କେବଳ ଏହି ଦିନ ସ୍ଥାନୀୟ ମୁଖ୍ୟ ଫସଲ ଧାନରୁ ପ୍ରସ୍ତୁତ ଚୁଡ଼ାରେ ଚୁଡ଼ାଘଷା ପ୍ରସ୍ତୁତ କରାଯାଇ ଭୋଗ ଦିଆଯାଏ । [୧]

ଆଧାର[ସମ୍ପାଦନା]

  1. ସମାଜ (ଖବରକାଗଜ), ୭ନଭେମ୍ବର ୨୦୧୧, ପୃଷ୍ଠା-୩

ଅଧିକ ତଥ୍ୟ[ସମ୍ପାଦନା]