କାର୍ତ୍ତିକ ପୂର୍ଣ୍ଣିମା

ଉଇକିପିଡ଼ିଆ ରୁ
କାର୍ତ୍ତିକ ପୂର୍ଣ୍ଣିମା
କାର୍ତ୍ତିକ ପୂର୍ଣ୍ଣିମା
କାର୍ତ୍ତିକ ପୂର୍ଣ୍ଣମାରେ ଡଙ୍ଗାବସା
ଅନ୍ୟ ନାଆଁ ଦେବ ଦୀପାବଳି, ରାସ ପୂର୍ଣ୍ଣିମା
ପାଳନକାରୀ ହିନ୍ଦୁଧର୍ମାବଲମ୍ବୀ, ଜୈନଧର୍ମାବଲମ୍ବୀ
ପ୍ରକାର Hindu
ପାଳନ ସବୁ ପୂଜା, ଡଙ୍ଗାଭସା
ତାରିଖ କାର୍ତ୍ତିକ ପୂର୍ଣ୍ଣିମା
୨୦୧୪ ତାରିଖ ୧୭ନଭେମ୍ବର (ରବିବାର)[୧]

କାର୍ତ୍ତିକ ପୂର୍ଣ୍ଣମା, ରାସ ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ ‌। ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତପ୍ରୋତ ଭାବେ ଜଡିତ । ଅପର ପକ୍ଷରେ ଐତିହାସିକ ଦୃଷ୍ଟିକୋଣରୁ ମଧ୍ୟ ଏହା କମ୍ ଗୁରୁତ୍ଵପୂର୍ଣ୍ଣ ନୁହେଁ । ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ଏତେ ନିବିଡ ଭାବରେ ସଂପୃକ୍ତ ଯେ ଏହି ଦିବସର ଗୁରୁତ୍ଵକୁ ବାଦ ଦେଲେ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ସମ୍ପର୍କରେ ଚିନ୍ତା ବି କରାଯାଇ ପାରେ ନାହିଁ । ଅତଏବ ଧର୍ମଗତ ତଥା ଐତିହାସିକ ଉଭୟ ଦୃଷ୍ଟିକୋଣରୁ ଏହାର ମୂଲ୍ୟବୋଧ ଅତୀବ ବୈଶିଷ୍ଟ୍ୟ ପରିପୂର୍ଣ୍ଣ ।

ବିଶ୍ଵଜନନୀ କରୁଣାମୟୀ ମା ଦୁର୍ଗାଙ୍କ ଶାରଦୀୟ ବନ୍ଦନା ପରେପରେ ଚନ୍ଦ୍ର ଏବଂ ମା କାଳୀଙ୍କ ଆରାଧନା ଅତ୍ୟନ୍ତ ଆଡମ୍ବର ସହକାରେ ସମାହିତ ହୁଏ । ଏହା ପରେପରେ ହେମନ୍ତ ପ୍ରକୃତିର ମେଘମୁକ୍ତ ଆକାଶ ତଳେ ଧରଣୀ ରାଣୀ ପାର୍ବତୀ ନନ୍ଦନ କାର୍ତ୍ତିକେୟଙ୍କ ବନ୍ଦନାରେ ଆତ୍ମବିସ୍ମୃତ ହୋଇ ଉଠେ । ଦେବ ସେନାପତି ଚିର କୁମାର କାର୍ତ୍ତିକେୟଙ୍କ ଆରାଧନା ଏହି ମାସରେ ଅତ୍ୟନ୍ତ ଉତ୍ସାହର ସହିତ ସମ୍ପାଦିତ ହୁଏ ଓଡ଼ିଶାର ପୁରପଲ୍ଲୀରେ ।

ବୈଶିଷ୍ଟ୍ୟ[ସମ୍ପାଦନା]

ଓଡ଼ିଶାର ଆଦିକବି ଶୂଦ୍ରମୁନି ସାରଳା ଦାସ ରଚିତ ମହାଭାରତର ଆଦିପର୍ବରେ କାର୍ତ୍ତିକ ମାସର ପବିତ୍ରତା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଏହିପର୍ବରେ ବର୍ଣ୍ଣିତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋଜରାଜଭୀଷ୍ମଙ୍କ ଗଙ୍ଗାସ୍ନାନ ଯାତ୍ରା ପ୍ରସଙ୍ଗରୁ ଜଣାଯାଏ ଯେ,କାର୍ତ୍ତିକ ମାସରେ ମୃତ୍ୟୁବରଣ କଲେ ବୈକୁଣ୍ଠ ପ୍ରାପ୍ତି ହୁଏ । ପୁନଶ୍ଚ କାର୍ତ୍ତିକ ଏକ ଧର୍ମ ମାସ ରୂପେ ମଧ୍ୟ ପରିଚିତ । ଏହି ମାସରେ ବୟସ୍କ ତଥା ଧର୍ମପ୍ରାଣ ଆବାଳ- ବୃଦ୍ଧ- ବନିତା ପ୍ରତ୍ୟହ ପ୍ରାତଃକାଳରେ ସ୍ନାନ ସମାପନ ପୂର୍ବକ ଦେବ ଦର୍ଶନ ଏବଂ ନଗର ସଂକୀର୍ତ୍ତନରେ ଆତ୍ମବିଭୋର ହୋଇ ଉଠୁଥିବାର ଦେଖାଯାଏ । ପୂର୍ଣ୍ଣିମା ପାଞ୍ଚଦିନ ପଞ୍ଚକ ପର୍ବ ବା ମହାପଞ୍ଚକ ନାମରେ ପରିଚିତ । ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର ପୂର୍ବକ ଶ୍ରଦ୍ଧା ଭାବନା ତଥା ଧର୍ମୀୟ ମନୋଭାବରେ ଦେବତାଙ୍କୁ ପୂଜା କରିଥାନ୍ତି । କୁହାଯାଏ ଯେ ଏହି ପାଞ୍ଚଦିନକାଳ ବଗ ମଧ୍ୟ ଆମିଷ ସ୍ପର୍ଶ କରେ ନାହିଁ । ସେ ଯାହା ହେଉନା କାହିଁକି ଏହି ମାସର ଶୁକ୍ଳପକ୍ଷ ଏକାଦଶୀ ବା ବଡ ଏକାଦଶୀ ଠାରୁ ପୂର୍ଣ୍ଣମୀ ପାଞ୍ଚଦିନ ଧରି ଅନୁଷ୍ଠିତ ମହାପଞ୍ଚକ ହିନ୍ଦୁମାନଙ୍କ ପାଇଁ ଧର୍ମଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ପିଣ୍ଡ ପ୍ରଦାନ ଓଡ଼ିଶାରେ ସଂପ୍ରତି ପ୍ରଚଳିତ ନାହିଁ ସତ୍ୟ, ମାତ୍ର ବ୍ରତ ପାଳନ ଏବେ ବି ଓଡ଼ିଆ ପରମ୍ପରାରେ ଅନୁସୃତ । ଏହି ଦିନ ମହିଳାମାନେ ରାଇ- ଦାମୋଦର ବ୍ରତର ଉଦ୍ ଯାପନ କରିଥାନ୍ତି । ବିଧବାମାନଙ୍କ ପକ୍ଷରେ ଏହି ମାସଟି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ I ସେମାନେ ହବିଷ୍ୟ ପାଳନ ପୂର୍ବକ ପ୍ରତ୍ୟହ ସନ୍ଧ୍ୟାରେ ଆକାଶଦୀପ ପ୍ରଜ୍ଜଳନ କରିଥାନ୍ତି । ପ୍ରତ୍ୟେକ ଦିନ ପ୍ରତ୍ୟୁଷରୁ ଶଯ୍ୟାତ୍ୟାଗକରି ସ୍ନାନ କରି ସେମାନେ ଦେବଦେବୀ ଦର୍ଶନ ପାଇଁ ଯାଆନ୍ତି ଏବଂ ଦେବାଳୟରୁ ଫେରିବା ପରେ କାର୍ତ୍ତିକ ମାହାତ୍ମ୍ୟ ପାଠ ବା ଶ୍ରବଣରେ ମନଦିଅନ୍ତି । ତୁଳସୀ ବୃକ୍ଷକୁ ଏହିମାସରେ ଅତ୍ୟନ୍ତ ଭକ୍ତି ସହକାରେ ଆରାଧନା କରାଯାଏ ।

କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତୀ ରହିଛି ଯେ ରାକ୍ଷସ ଜଳନ୍ଧର ନିଜ ସତୀ ସ୍ଵାଧୀ ପତ୍ନୀ ତୁଳସୀଙ୍କ ପାତିବ୍ରତ୍ୟ ବଳରେ ବଳୀୟାନ ହୋଇ ଉଠିଥିଲା ଏବଂ ବୃନ୍ଦାବତୀଙ୍କ ସତୀତ୍ଵ ଅମ୍ଳାନ ରହିଥିବା ପର୍ଯ୍ୟନ୍ତ ଦେବତାମାନେ ବହୁ ଚେଷ୍ଟା ସତ୍ତ୍ଵେ ଜଳନ୍ଧର କୌଣସି ଅନିଷ୍ଟ କରିପାରି ନଥିଲେ ।

ବିଶେଷତା[ସମ୍ପାଦନା]

ଆକାଶଦୀପ ପ୍ରତିଷ୍ଠା ପବିତ୍ର କାର୍ତ୍ତିକ କୃତ୍ୟର ଆଉ ଏକ ମହତ୍ତ୍ଵପୂର୍ଣ୍ଣ ଅବଦାନ । କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ । ପ୍ରେତପୁରୁଷ ତଥା ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମ ପଥକୁ ଆଲୋକିତ କରିବା ସକାଶେ ଉଚ୍ଚ ସ୍ଥାନରେ ଏହି ପ୍ରଦୀପ ପ୍ରଜ୍ଜଳନ ବିଧି ପ୍ରଚଳିତ । ତେଣୁ ପ୍ରାୟତଃ ପ୍ରତ୍ୟେକ ଗ୍ରାମରେ ଏକ ଉଚ୍ଚ ବାଉଁଶ ଖୁଣ୍ଟ ଉପରେ ପ୍ରତି ସନ୍ଧ୍ୟାରେ ଆକାଶଦୀପ ରଖାଯାଉଥାଏ । ପୂର୍ଣ୍ଣିମା ଅବକାଶରେ କଦଳୀପଟୁଆ ନିର୍ମିତ ଡଙ୍ଗା ଭସାଇବାର ବିଧି ପ୍ରଚଳିତ। ସେ ଦିନ ପ୍ରତ୍ୟୁଷରୁ ଆବାଳ- ବୃଦ୍ଧା- ବନିତା ନଦୀ ବା ପୁଷ୍କରଣୀରେ ବୁଡ ପକାଇ କଦଳୀ ବାହୁଙ୍ଗା ବା ସୋଲ ତିଆରି ଖେଳଣା ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ସେସବୁ ଭସାଇ ଦିଅନ୍ତି । ଏହି ସମୟରେ ସମସ୍ତେ ଉତ୍ ଫୁଲ୍ଲିତ ଚିତ୍ତରେ ଗାନ କରନ୍ତି ' ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର ।’ ଏହି ଅବସରରେ ପ୍ରତ୍ୟେକ ପୁଣ୍ୟ ଅର୍ଜନ ସକାଶେ ମନାସ କରିଥାନ୍ତି । ବିଶ୍ଵାସ ରହିଛି ଯେ ଏହିଦିନ ପ୍ରତ୍ୟୁଷରୁ ସ୍ନାନପୂର୍ବକ ଦେବଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ । ଆଷାଢ଼, କାର୍ତ୍ତିକ, ମାଘବୈଶାଖ- ଏଇ ଚାରିମାସ ହେଉଛି ସୂର୍ଯ୍ୟଙ୍କର ଅୟନାନ୍ତ କାଳ । ସମ୍ଭବତଃ ଏହି ଅୟନାନ୍ତ ଦିବସମାନଙ୍କରେ ସୌରଦେବଙ୍କ ଉପାସନା କରାଯାଏ । ପୌରାଣିକ ଅନୁଧ୍ୟାନରୁ ଏହି ଚାରିମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ ଏବଂ ଦେବଦେବୀଙ୍କ ଉପାସନା ସକାଶେ ଅତ୍ୟନ୍ତ ଅନୁକୂଳ । ତେଣୁ ଏହି ଚାରିମାସର ଆଦ୍ୟବର୍ଣ୍ଣ ‘ ଆ କା ମା ବୈ ’ ଜନଜୀବନକୁ ଯେ ପ୍ରଭାବିତ କରୁ ନ ଥିବ ତାହା କୁହାଯାଇ ନପାରେ । ହୁଏତ ଗଙ୍ଗା ବା ଲକ୍ଷ୍ମୀନାରାୟଣ ଉପାସନା କରିବା ଛଳରେ ଓଡ଼ିଶାର ନରନାରୀ ଜଳରେ ସ୍ଵଦେଶ ସଂସ୍କୃତିର ପ୍ରତୀକ ଉପାସନା ସାମଗ୍ରୀ ତାମ୍ବୁଳ, ଅକ୍ଷତ ଓ ତିଳ ନିକ୍ଷେପ ପୂର୍ବକ ପ୍ରତିଦାନ ସ୍ଵରୂପ ଦେବତାଙ୍କ ଠାରୁ ପୁଣ୍ୟ କାମନା କରିଥାନ୍ତି I ଏହି ଅବକାଶରେ ଶ୍ୟାମଦେଶ (ଥାଇଲ୍ୟାଣ୍ଡ )ରେ କଦଳୀପଟୁଆ ନିର୍ମିତ ଛୋଟଛୋଟ ଡଙ୍ଗା ଭସାଇବା ପରମ୍ପରା ଏବେ ମଧ୍ୟ ପ୍ରଚଳିତ I ଏହି ପୂର୍ଣ୍ଣିମା ଅବକାଶରେ ପ୍ରାଚୀନ ଉତ୍କଳର ରାଜଧାନୀ ଐତିହାସିକ କଟକନଗରୀ ଉପକଣ୍ଠସ୍ଥ ବାରବାଟୀ ଦୁର୍ଗ ନିକଟବର୍ତ୍ତୀ ପଡ଼ିଆରେ ଅନୁଷ୍ଠିତ ବାଲିଯାତ୍ରାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏହା ଓଡ଼ିଶାର ଏକ ପ୍ରଧାନ ଉତ୍ସବ । ଉତ୍କଳର ବିଲୁପ୍ତ ନୌପରମ୍ପରା ସହିତ ଏହାର ସଂପୃକ୍ତି ବହୁଭାବରେ ସ୍ଵୀକୃତ । କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ଦିବସ ନାମରେ ମଧ୍ୟ ଖ୍ୟାତ । ବହୁ ପୁରାକାଳରୁ ଏହି ଉତ୍ସବ ପାଳିତ ହୋଇଆସୁଛି ।[୨]

ଆଧାର[ସମ୍ପାଦନା]

  1. "2013 Hindu Festivals Calendar for India". drikpanchang.com. 2013. http://www.drikpanchang.com/calendars/hindu/hinducalendar.html. Retrieved 1 February 2013. "17 Sunday Kartik Purnima" 
  2. ସମାଜ, ପୃଷ୍ଠା- ୭, ୧୮- ୨୪.୧୧.୧୨

ବାହାର ତଥ୍ୟ[ସମ୍ପାଦନା]