ମଣ୍ଡା
ଆରମ୍ଭ | |
---|---|
ଅଲଗା ନାଆଁ | ମଣ୍ଡାପିଠା |
ମୂଳ ଜାଗା | ଭାରତ |
ଖାଇବାର ସବିଶେଷ | |
ବାଢ଼ିବାର ତାତି | ଗରମ/ଥଣ୍ଡା |
ମୂଳ ଉପାଦାନ | ଚାଉଳ ଚୂନା, ଗୁଡ଼, ନଡ଼ିଆ |
ମଣ୍ଡା (ମଣ୍ଡାପିଠା ନାମରେ ମଧ୍ୟ ଜଣା) ଜନ୍ତା ଚାଉଳ ଚୂନା ଏବଂ ଗୁଡ଼ ବା ଚିନି ଓ ନଡ଼ିଆ ପୂର ଦିଆ ବାମ୍ଫରେ ତିଆରି ଏକ ଓଡ଼ିଆ ପିଠା । ଏହା ଓଡ଼ିଶାର ବିଭିନ୍ନ ପର୍ବପର୍ବାଣିରେ ତିଆରି କରାଯାଇଥାଏ । ମାଣବସା ଗୁରୁବାର, କୁମାର ପୁର୍ଣ୍ଣିମା, ଗହ୍ମା/ରାକ୍ଷୀ ପୁର୍ଣ୍ଣିମା, ନୂଆଁ ଖାଇ, ଶାମ୍ବ ଦଶମୀ ଆଦି ପର୍ବପର୍ବାଣି ଏଥିରୁ ଅନ୍ୟତମ । ଏହି ପିଠା ଓଡ଼ିଶାରେ ମୌସୁମୀ ଆରମ୍ଭରେ ଓ ପରେ ତିଆରି କରାଯାଇଥାଏ । ମଣ୍ଡାପିଠା ତିଆରି ପାଇଁ ଅରୁଆ ଚାଉଳକୁ ଭଲ କରି ଗୁଣ୍ଡ କରି ସେଥିରୁ ଚୂନା ତିଆରି କରାଯାଏ । ଏହି ଚୂନାକୁ ଫୁଟିଲା ପାଣିରେ ଅଳ୍ପ ଲୁଣ ସହ ମିଶାଇ, ଜନ୍ତି ଜନ୍ତଣି ତିଆରି କରାଯାଏ । ଗୁଡ଼ ବା ଚିନି, ନଡ଼ିଆ କୋରା ସହ ଗୁଜୁରାତି ଅଳେଇଚ ପକାଇ ପୂର ତିଆରି କରାଯାଏ । ଜନ୍ତଣିକୁ ଓଦା ହାତ କରି ଗୋଲ ଗୋଲ ପିଠା ତିଆରି କରି ସେଥିରେ ନଡ଼ିଆ କୋରା ପୂର ଦେଇ ବଳାଯାଏ । ବଳା ପିଠା ବାମ୍ଫରେ ୧୦-୨୦ ମିନିଟ ସିଝିବା ପରେ ଖାଇବା ଉପଯୋଗୀ ହୋଇଥାଏ ।[୧] ମଣ୍ଡା ପିଠାରେ ଶର୍କରା ଓ ଅନ୍ୟାନ୍ୟ ଖାଦ୍ୟସାର ସହ କିଛି ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ ।[୨]
ଓଡ଼ିଶାର ଉତ୍ତରାଞ୍ଚଳରେ କାକରା ସୁଜିମଣ୍ଡା ଓ ଅନ୍ୟାନ୍ୟ ଅଞ୍ଚଳରେ ଛଣାମଣ୍ଡା ନାମରେ ମଧ୍ୟ ଜଣା ।
ଉପାଦାନ
[ସମ୍ପାଦନା]ତିଆରି ପ୍ରଣାଳୀ
[ସମ୍ପାଦନା]ପ୍ରଥମେ ଫୁଟିଲା ପାଣିରେ ଅଳ୍ପ ଗୁଡ଼/ଚିନି ଏବଂ ସାମାନ୍ୟ ଲୁଣ ମିଶାଇ ଫୁଟାଯାଏ ଓ ସେଥିରେ ଧୀରେ ଧୀରେ ଚାଉଳ ଚୂନା ଗୋଳାଯାଏ । ଏହି ପ୍ରକିୟାକୁ ଜନ୍ତଣି କୁହାଯାଏ । ତା'ପରେ ଅଲଗା ପାତ୍ରରେ ଅଧିକ ପରିମାଣର ଗୁଡ଼ ବା ଚିନି ଗରମ କରି ତାହା ତରଳିଲେ ସେଥିରେ କୋରା ନଡ଼ିଆ ମିଶାଇ କିଛି ସମୟ ଭଜା ଯାଇଥାଏ । ଏହି ଜନ୍ତଣିରୁ ପିଠା ଆକାରରେ ଛୋଟ ଛୋଟ ଗୁଳା ତିଆରି କରାଯାଇ ପିଠା ମଝିରେ ନଡ଼ିଆ ପୂର ପୂରାଇ ଚାରିପାଖ ଜନ୍ତଣିରେ ବନ୍ଦ କରାଯାଇଥାଏ । ଗଢ଼ା ପିଠାକୁ ଫୁଟିଲା ପାଣି ବାମ୍ଫରେ ୧୦-୨୦ ମିନିଟ ରଖାଯାଇଥାଏ । ସାଧାରଣତଃ ଏକ ଦୁଇ ପରସ୍ତିଆ ଧାତବ ପାତ୍ରରେ ବାମ୍ଫ ଦିଆଯାଇଥାଏ । ଏହି ପାତ୍ରର ତଳେ ପାଣି ଫୁଟେ ଓ ବାମ୍ଫ ଉପରକୁ ଉଠେ । ଉପର ପରସ୍ତରେ ପିଠାଗୁଡ଼ିକ ରଖାଯାଏ ଓ ଏହି ପରସ୍ତରେ ଛୋଟ ଛୋଟ କଣାମାନ ଥାଏ । ଏହି କଣାଦେଇ ବାମ୍ଫ ପଶି ପିଠାଗୁଡ଼ିକୁ ସିଝାଇଥାଏ । ବାମ୍ଫକୁ ଅଧିକ ସମୟ ଧରି ରଖିବା ପାଇଁ ପିଠାଗୁଡ଼ିକୁ ଏକ ଓଦା କନାରେ ମଧ୍ୟ ଘୋଡ଼ାଯାଇଥାଏ । କେତେକ କ୍ଷେତ୍ରରେ ଉପର ପରସ୍ତଟି ବାଉଁଶରେ ତିଆରି ପାଚିଆ ଭଳି ମଧ୍ୟ ହୋଇଥାଏ ଏବଂ ପାଣି ଫୁଟା ତଳ ପାତ୍ରଟି ପାଇଁ ମାଟି ଆଟିକା ମଧ୍ୟ ବ୍ୟବହାର କରାଯାଏ ।
-
ମଣ୍ଡାପିଠା ତିଆରି
-
କୁମାର ପୁର୍ଣ୍ଣିମାରେ ତିଆରି ମଣ୍ଡାପିଠା
ଆଧାର
[ସମ୍ପାଦନା]- ↑ Joshi, Dina Krishna (2013). "Samba Dasami in Odishan Culture" (PDF). Odisha Review. LXIX: 55. Archived from the original (PDF) on 2019-12-17.
- ↑ Tewari, Souvik; Shinde, D. B.; Solanke, G. M.; Sachin, V. Maske (2020). "Anti-Oxidant Activities of Different Types of Indigenous Pithas of Odisha" (PDF). Journal of Critical Reviews. 7.