କୁମାର ପୂର୍ଣ୍ଣିମା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କୁମାର ପୂର୍ଣ୍ଣିମା
କୁମାର ପୂର୍ଣ୍ଣିମାରେ ଚଉରା ଓ ଚନ୍ଦ୍ର ପୂଜା ।
ଅନ୍ୟ ନାମ କୁମାରୋତ୍ସବ, କୋଜାଗର ପୂର୍ଣ୍ଣିମା
ପାଳନକାରୀ ହିନ୍ଦୁ
ପ୍ରକାର ଭାରତୀୟ ହିନ୍ଦୁ
ଆରମ୍ଭ ଆଶ୍ଵିନ ପୂର୍ଣ୍ଣିମା
ତାରିଖ Q2724482ଛାଞ୍ଚ:Infobox holiday/wd
୨୦୧୬ ତାରିଖ ଅକ୍ଟୋବର ୧୫
୨୦୧୭ ତାରିଖ date missing (please add)
ସମ୍ପର୍କିତ ଲକ୍ଷ୍ମୀ ପୂଜା

କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ଜଗନ୍ମାତା ମା’ ଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ବା କୋଜାଗାର ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ । ଏହି ଦିନ ଓଡ଼ିଶାବାସୀ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟକାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି । ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି । ତେବେ ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ, ଗୁଜରାଟ ଭଳି ଭାରତର ଅନ୍ୟାନ୍ୟ ରାଜ୍ୟରେ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରିଥାନ୍ତି । ଏହି ଦିନ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥିତିରେ ଥାଏ ଏବଂ ଚନ୍ଦ୍ର କିରଣ ମଣିଷର ସ୍ୱାସ୍ଥ୍ୟ ଓ ଚିନ୍ତାଧାରା ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହି ଦିନଟିକୁ ଭାରତର ବିଭିନ୍ନ ପ୍ରାନ୍ତରେ ଖୁବ୍ ଆଡ଼ମ୍ବର ସ‌ହକାରେ ପାଳନ କରାଯାଇଥାଏ ।[୧]

ବିଧି[ସମ୍ପାଦନା]

ଓଡ଼ିଶାରେ କୁମାର ପୂର୍ଣ୍ଣିମା[ସମ୍ପାଦନା]

ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନ‌ଙ୍କର ପର୍ବ ରୂପେ ବିବେଚନା କରାଯାଏ । ଏହି ଦିନ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସ‌ହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । ଏହା ସ‌ହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି । ପୁରାଣରେ କଥିତ ଅଛି ଯେ ତୁଳସୀ ଦେବୀ ଜଣେ ପରମ ପତିବ୍ରତା ନାରୀ ଥିଲେ । ତାଙ୍କର ପତିବ୍ରତା ଗୁଣ ଯୋଗୁଁ ହିଁ ତାଙ୍କୁ ବୃକ୍ଷ ରୂପରେ ପୂଜା ପାଇବାର ବର ମିଳିଥିଲା । ଯୁଗେ ଯୁଗେ କୁମାରୀମାନେ ଉତ୍ତମ ବର ପାଇବା ପାଇଁ ଓ ବିବାହିତା ନାରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି ପାଇଁ ଚଉରା ପୂଜା କରି ଆସିଛନ୍ତି । ତେଣୁ କୁମାର ପୂର୍ଣିମାରେ ମଧ୍ୟ ଚଉରା ପୂଜା କରାଯାଇଥାଏ । ସେହିପରି ଭଗବାନ ଶିବଙ୍କର ପୁଅ କାର୍ତ୍ତିକେୟ ଈଶ୍ୱରମାନଙ୍କ ମଧ୍ୟରେ ସବୁଠାରୁ ସୁନ୍ଦର ବୋଲି ପୁରାଣରେ କଥିତ ଅଛି । ସେ ଏହି ଦିନ ତାଡ଼କାସୁର ସ‌ହିତ ଯୁଦ୍ଧ ଆରମ୍ଭ କରିଥିଲେ । ତାଡ଼କାସୁରକୁ ପରାଜିତ କରିଥିବାରୁ ତାଙ୍କୁ ଯୁଦ୍ଧର ଦେବତା ଭାବେ ମଧ୍ୟ ଜଣାଯାଏ । ତେବେ ଏହି ପର୍ବରେ କାର୍ତ୍ତିକେୟଙ୍କ ପାଇଁ କୌଣସି ବିଶେଷ ପୂଜା ବିଧି ନାହିଁ ।

ଏହି ଦିନ ଘରର କୁମାରୀମାନେ ଭୋର୍‌ରୁ ଉଠି ସ୍ନାନାଦି ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ଏହାପରେ ସେମାନେ ଆଞ୍ଜୁଳାରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏହି ବିଧିକୁ ଆଞ୍ଜୁଳା ଟେକା ବିଧି କୁହାଯାଏ । ତେବେ ଓଡ଼ିଶାର କେତେକ ଅଞ୍ଚଳରେ ଏହି ଆଞ୍ଜୁଳା ଟେକା ବିଧି ପାଳନ କରାଯାଏ ନାହିଁ । ଏହି ପର୍ବରେ କୁମାରୀମାନେ ଦିନସାରା ଉପବାସ କରିଥାନ୍ତି । ଏହିଦିନ କୁମାରୀ ତ‌ଥା ବିବାହିତା ମହିଳାମାନେ ପାଦରେ ଅଳତା ଲଗାଇଥାନ୍ତି । ଅଳତା ହେଉଛି ଭାରତୀୟ ପରମ୍ପରାରେ ଅହିସୁଲକ୍ଷଣୀ ହେବାର ପ୍ରତୀକ । ପ୍ରତ୍ୟକ ପୂଜା ପର୍ବରେ ଭାରତୀୟ ନାରୀମାନେ ଅଳତା ଲଗାଇ ନିଜ ଜୀବନସାଥୀର ଦୀର୍ଘ ଜୀବନ କାମନା କରିଥାନ୍ତି । ସନ୍ଧ୍ୟା ସମୟରେ କୁମାରୀମାନେ ପୁଣି ନୂତନ ବସ୍ତ୍ର ପରିଧାନ କରି ଚନ୍ଦ୍ର ଓ ଚଉରାଙ୍କୁ ପୂଜା କରିଥାନ୍ତି । କୁମାର ପୂର୍ଣ୍ଣିମାର କିଛିଦିନ ପୂର୍ବରୁ ଚଉରାକୁ ଭଲ ଭାବରେ ସଫା କରି ରଙ୍ଗ କରାଯାଇଥାଏ । କୁମାର ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଚଉରା ଆଗରେ ମୁରୂଜରେ ବିଭିନ୍ନ ପ୍ରକାର ଚିତ୍ର କରାଯାଇଥାଏ ଓ ଚଉରାକୁ ଫୁଲ ଓ ସିନ୍ଦୁରରେ ସଜାଯାଇଥାଏ । ଚଉରାକୁ ସଜାଇବାରେ ମୁଖ୍ୟତଃ କଇଁ ଫୁଲ ବ୍ୟବ‌ହାର କରାଯାଇଥାଏ । ଚନ୍ଦ୍ର ଉଦୟ ହେଲେ କଇଁ ଫୁଟିଥାଏ । ଏହି ପର୍ବରେ ଚନ୍ଦ୍ରଙ୍କ ପୂଜା କରାଯାଉଥିବାରୁ ଏଥିରେ କଇଁ ଫୁଲ ବିଶେଷ ଭାବରେ ବ୍ୟବ‌ହୃତ ହୋଇଥାଏ । ଏହି ଦିନ ତୁଳସୀ ଗଛରେ ନାଲି ଶଙ୍ଖା ଓ ସାଲୁ କନା ସ‌ହ ନୂଆ ବସ୍ତ୍ରଟିଏ ମଧ୍ୟ ଦିଆଯାଇଥାଏ । ଚଉରା ଆଗରେ ପିଢ଼ାରେ ଗୁଆ ରଖି ତା' ଉପରେ ଦୁବ ଘାସ, ଫୁଲ, ବରକୋଳି ପତ୍ର ଦେଇ ସଜାଯାଇଥାଏ । ଚଉରା ପାଖରେ ସ୍ଥାପନ କରାଯାଇଥିବା କଳସରେ ମଧ୍ୟ ଆମ୍ବଡାଳ, ଗୁଆ, ସିନ୍ଦୁର, ଚନ୍ଦନ ଇତ୍ୟାଦି ଦେଇ ଅନୁରୂପ ଭାବେ ସଜାଯାଇଥାଏ । ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦ‌ହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ । ଏହି ପର୍ବରେ ତିଆରି କରାଯାଉଥିବା ମଣ୍ଡା ପିଠା ଓଡ଼ିଶାର ମୁଖ୍ୟ ଆକର୍ଷଣମାନ‌ଙ୍କ ମଧ୍ୟରୁ ଅନ୍ୟତମ । ପୂଜା ସମୟରେ ଚାନ୍ଦ ଚକଟା ଓ ମଣ୍ଡା ପିଠା ଭୋଗ ଚଉରା ଏବଂ ଚନ୍ଦ୍ରଙ୍କୁ ଅର୍ପଣ କରି ସେମାନ‌ଙ୍କୁ ଶଙ୍ଖ ଓ ହୁଳହୁଳି ସ‌ହ ଦୀପରେ ବନ୍ଦାଇ ଦିଆଯାଏ । ଯେଉଁ ଘରେ କୌଣସି କୁମାରୀ କନ୍ୟା ନ ଥାନ୍ତି, ସେ ଘରେ ବିବାହିତା ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି କାମନା କରି ଚଉରା ଓ ଚନ୍ଦ୍ର ପୂଜା କରିଥାନ୍ତି । ପୂଜା ସରିଲା ପରେ ଭୋଗ ଖାଇ କୁମାରୀ କନ୍ୟାମାନେ ନିଜର ସାରା ଦିନର ଉପବାସ ଭାଙ୍ଗିଥାନ୍ତି । ଗାଁ ଗ‌ହଳିର ଝିଅମାନେ

                                                                                                        କୁଆଁର ପୁନେଇ ଜ‌ହ୍ନ ଗୋ ଫୁଲ ବଉଳ ବେଣୀ,
                                                                                                                  କୁଆଁରୀ ଝିଅଙ୍କ ଅପୂର୍ବ ଆନ‌ନ୍ଦ
                                                                                                        ପୁଚି ଖେଳିବାକୁ ମନ ଗୋ ଫୁଲ ବଉଳ ବେଣୀ...

ଗୀତ ଗାଇ ପୁଚି ଖେଳିଥାନ୍ତି । ପୁଅମାନେ ପଶା ଓ ତାସ୍ ଖେଳି ମନୋରଞ୍ଜନ କରିଥାନ୍ତି । କେତେକ ଅଞ୍ଚଳରେ ଏହି ଦିନ ଘରର ଜ୍ୱାଇଁମାନ‌ଙ୍କୁ ମଧ୍ୟ ବିଭିନ୍ନ ପ୍ରକାରର ଉପହାର ଦିଆଯାଇଥାଏ । ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମାଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ କୁମାରୀ କନ୍ୟାମାନେ ଏକାଠି ହୋଇ ଜହ୍ନି ଓଷା କରନ୍ତି । ଏହି ଓଷାର ଉଦ୍‌ଯାପନ କୁମାର ପୂର୍ଣ୍ଣିମା ଦିନ ହୋଇଥାଏ ।

କୁମାର ପୂର୍ଣ୍ଣିମାରେ ଚାନ୍ଦ ବନ୍ଦେଇବା ପାଇଁ ଥାଳିରେ ସଜାଯାଇଥିବା ମଣ୍ଡା, ଖଇଭୋଗ ଏବଂ ୭ଖଣ୍ଡ ଘିଅବଳିତା ।

ଗଜଲକ୍ଷ୍ମୀ ପୂଜା[ସମ୍ପାଦନା]

କୁମାର ପୂର୍ଣ୍ଣିମା ଦିନ‌କୁ ଲକ୍ଷ୍ମୀଙ୍କର ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ । ଏହି ଦିନ ସମୃଦ୍ଧିର ଦେବୀ ଲକ୍ଷ୍ମୀଙ୍କୁ ଗଜ ବାହନ ସ‌ହ ପୂଜା କରାଯାଇଥାଏ । ସାଧାରଣତଃ ଗଜଲକ୍ଷ୍ମୀଙ୍କୁ ଦିନଟିଏ ପାଇଁ ହିଁ ପୂଜା କରାଯାଇଥାଏ । କିନ୍ତୁ କେତେକ ସ୍ଥାନରେ ଏହି ପୂଜା ୭/୧୦ ଦିନ ଧରି କରାଯାଇଥାଏ । ଏହି ପୂଜା ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁନ୍ଦର ଲକ୍ଷ୍ମୀ ମେଢ଼ମାନ ତିଆରି ହୋଇଥାଏ ।[୨]

ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା[ସମ୍ପାଦନା]

ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ । ଏଠାରେ ଏହି ପୂଜା କୁମାର ପୂର୍ଣ୍ଣିମା (ହିନ୍ଦୁ କ୍ୟାଲେଣ୍ଡର୍ ଅନୁସାରେ ଆଶ୍ୱିନ ଶୁକ୍ଳ ପକ୍ଷର ୧୫ତମ ଦିନ) ଦିନ ଠାରୁ ଆରମ୍ଭ ହୋଇ ୧୧ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଢେଙ୍କାନାଳରେ ଏହି ପୂଜା ପ୍ରଥମ ଥର ପାଇଁ ୧୯୨୩ ମସିହାରେ କୁଞ୍ଜସାହୁ ଛକ (ବର୍ତ୍ତମାନର ଗଣେଶ ବଜାର)ଠାରେ ଆରମ୍ଭ ହୋଇଥିଲା । ଢେଙ୍କାନାଳର କଲେଜ୍ ରୋଡ଼୍‌ଠାରୁ ଆରମ୍ଭ କରି କୋରିହାଁ ଛକ (ପ୍ରାୟ ୭ କିଲୋମିଟର) ଯାଏଁ ରାସ୍ତାର ଦୁଇ କଡ଼ରେ ଅନେକ ଲକ୍ଷ୍ମୀ ମେଢ଼ ତିଆରି ହୋଇଥାଏ । ଏହି ପୂଜା ଅବସରରେ ସମ୍ପୂର୍ଣ୍ଣ ସ‌ହର ବିଭିନ୍ନ ପ୍ରକାର ଆଲୋକ ମାଳାରେ ସୁସଜ୍ଜିତ ହୋଇଥାଏ । ଏହି ଅବସରରେ ଜିଲ୍ଲା ପ୍ରଶାସନଦ୍ୱାରା ପଲ୍ଲୀଶ୍ରୀ ମେଳା ମଧ୍ୟ ଆୟୋଜିତ ହୋଇଥାଏ ।[୨]

ଅନ୍ୟାନ୍ୟ ସ୍ଥାନରେ କୁମାର ପୂର୍ଣ୍ଣିମା[ସମ୍ପାଦନା]

ଓଡ଼ିଶା ବ୍ୟତୀତ ଏହି ପର୍ବ ଭାରତର ମହାରାଷ୍ଟ୍ର, ପଶ୍ଚିମ ବଙ୍ଗମିଥିଳାରେ ମଧ୍ୟ ପାଳନ କରାଯାଏ । ତେବେ ଏହି ସ୍ଥାନ‌ଗୁଡ଼ିକରେ କୁମାର ପୂର୍ଣ୍ଣିମା ଶରତ ପୂର୍ଣ୍ଣିମା ନାମରେ ଜଣାଶୁଣା । ଏହି ଦିନ ରାତିରେ ଦେବୀ ଲକ୍ଷ୍ମୀ ଘର ଘର ବୁଲିଥା'ନ୍ତି ଏବଂ ଯେଉଁମାନେ ରାତିସାରା ଜାଗ୍ରତ ରୁହନ୍ତି କେବଳ ସେମାନ‌ଙ୍କ ଉପରେ ହିଁ କୃପା କରିଥାନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ଏହି ଦିନ ରାତିରେ ଲୋକମାନେ ଗୀତ ଗାଇ କିମ୍ବା ବିଭିନ୍ନ ପ୍ରକାରର ଖେଳ ଖେଳି ରାତିସାରା ନିଜକୁ ଉଜାଗର ରଖିଥାନ୍ତି । ଆହୁରି ମଧ୍ୟ ଏହି ଦିନ ଲୋକେ କଠିନ ଖାଦ୍ୟ ନ ଖାଇ କେବଳ ତରଳ ଖାଦ୍ୟ, ଯଥା ନଡ଼ିଆ ପାଣି, କ୍ଷୀର ଇତ୍ୟାଦି ଖାଇଥାନ୍ତି । କ୍ଷୀରକୁ ବ‌ହଳିଆ ହେଲା ପର୍ଯ୍ୟନ୍ତ ଫୁଟାଯାଇଥାଏ । ଏହା ପରେ ଏଥିରେ କାଜୁ, ପେସ୍ତା ବାଦାମ ଇତ୍ୟାଦି ପକାଇ ପାନୀୟ ରୂପେ ଗ୍ରହଣ କରାଯାଇଥାଏ । କେତେକ ଲୋକ ଏହି ଦିନ ରାତିରେ ଥଣ୍ଡା କ୍ଷୀର ଓ ଚୁଡ଼ା ମଧ୍ୟ ଖାଇଥାନ୍ତି । ମରାଠୀମାନ‌ଙ୍କ ପାଇଁ ଏହା ଏକ ବିଶେଷ ପର୍ବ । ଏହି ପର୍ବରେ ଘରର ଜ୍ୟେଷ୍ଠ ସନ୍ତାନ‌କୁ ବିଭିନ୍ନ ପ୍ରକାରର ଉପ‌ହାର ଦିଆଯାଇଥାଏ ।

ଗୁଜରାଟର ପଶ୍ଚିମାଞ୍ଚଳରେ ଏହି ପୂର୍ଣ୍ଣିମାକୁ ଶରଦ୍ ପୁନମ୍ କୁହାଯାଏ । ଏହି ଦିନ ରାତି ସାରା ସେଠାକାର ଲୋକମାନେ ଗରବାଦାଣ୍ଡିଆ ଖେଳିଥାନ୍ତି ।

ପଶ୍ଚିମ ବଙ୍ଗରେ ଏହି ପର୍ବକୁ ଲୋଖୀ ପୂଜୋ କୁହାଯାଏ ଏବଂ ଏହି ଦିନ ମା' ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଅତି ଆଡ଼ମ୍ବରରେ କରାଯାଇଥାଏ ।

ମିଥିଳାରେ ଏହି ପର୍ବ କୋଜାଗରାହ ନାମରେ ଜଣାଶୁଣା । ଏହି ଦିନ ସକାଳୁ ଘରର ଅଗଣାକୁ ଭଲ ଭାବରେ ଧୋଇ ପରିଷ୍କାର କରାଯାଇ ସେଠାରେ ଚିତା ପକାଯାଇଥାଏ । ତା'ପରେ ଘରେ ଥିବା ସମସ୍ତ ଦେବାଦେବୀଙ୍କ ମୂର୍ତ୍ତୀ ତ‌ଥା ଫଟୋକୁ ଭଲ ଭାବରେ ସଫା କରି ଅଗଣାରେ ସ୍ଥାପନ କରାଯାଇଥାଏ । ତା'ପରେ ଠାକୁରଙ୍କୁ ପାନ, ଗୁଆ ଇତ୍ୟାଦିଦ୍ୱାରା ପୂଜା କରାଯାଏ । ଠାକୁରଙ୍କୁ ଭୋଗ ରୂପେ ଖିରୀବତାଶା (ଏକ ପ୍ରକାର ମିଷ୍ଟାନ୍ନ) ଅର୍ପଣ କରାଯାଇଥାଏ । ଦେବାଦେବୀମାନ‌ଙ୍କୁ ପୂର୍ଣ୍ଣିମାର ଚନ୍ଦ୍ର କିରଣରେ ଗାଧୋଇଦେବା ପାଇଁ ରାତି ସାରା ଅଗଣାରେ ରଖାଯାଇଥାଏ । ଏହି ପୂର୍ଣ୍ଣିମାର ଚନ୍ଦ୍ର କିରଣ‌କୁ ଅମ୍ରିତ୍ ବର୍ଖା (ଅମୃତ ବର୍ଷା) କୁହାଯାଏ । ନବବିବାହିତ ଦମ୍ପତିମାନ‌ଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ଏହି ଦିନ ଘରର ନବ‌ବିବାହିତ ବଧୂ ସମ୍ପୂର୍ଣ୍ଣ ଘରକୁ ଝୋଟି ଓ ଚିତାଦ୍ୱାରା ସଜାଇଥାଏ । ନବବିବାହିତ ବର, ବଧୂ ଓ ଦିଅରମାନେ ଏହି ଦିନ ରାତି ସାରା ବିଭିନ୍ନ ପ୍ରକାରର ଖେଳ ଖେଳିଥାନ୍ତି । ଏହି ଦିନ ସମସ୍ତେ ପାନ, ଗୁଆ ଓ ମିଠା ବାଣ୍ଟିଥା'ନ୍ତି । ଏହି ଦିନ ବଧୂର ବାପଘରୁ ତା'ର ଶାଶୁଘରକୁ ଚାଉଳ, ଦୁବ ଘାସ, ଗୁଆ, ପାନ, ନଡ଼ିଆ, କଦଳୀ, କାଜୁ, ପେସ୍ତା ବାଦାମ, ପଇତା ସୂତା, ଲବଙ୍ଗ, ଗୁଜୁରାତି, ରୌପ୍ୟ ମୁଦ୍ରା କିମ୍ବା ରୂପାରେ ତିଆରି ମାଛ କିମ୍ବା ରୂପାରେ ତିଆରି କଇଁଛ, ଦ‌ହି, ବିଭିନ୍ନ ପ୍ରକାରର ମିଷ୍ଟାନ୍ନ, ସମସ୍ତଙ୍କ ପାଇଁ ନୂତନ ବସ୍ତ୍ର ଓ ମିଥିଳାର ପଟ୍ଟଚିତ୍ର ଇତ୍ୟାଦି ଭାର ହିସାବରେ ପଠାଯାଇଥାଏ ।

ମିଥିଳାରେ ପ୍ରଚଳିତ ଏକ କିମ୍ବଦନ୍ତୀ ଅନୁସାରେ ଲକ୍ଷ୍ମୀଅଲକ୍ଷ୍ମୀ ଦୁଇ ଭଉଣୀ । ଲକ୍ଷ୍ମୀ ମିଠା ଖାଇବାକୁ ଭଲ ପାଆନ୍ତି ଓ ସୌଭାଗ୍ୟ ଆଣନ୍ତି । କିନ୍ତୁ ଅଲକ୍ଷ୍ମୀ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି ଓ ଦୁର୍ଭାଗ୍ୟ ଆଣନ୍ତି । ତେଣୁ ଏହି ଦିନ କିଛି ମସଲାଯୁକ୍ତ ଖାଦ୍ୟ ଘର ବାହାରେ ରଖିଦିଆଯାଇଥାଏ । ଯାହା ଫଳରେ ଅଲକ୍ଷ୍ମୀ ସେହି ସବୁ ଖାଦ୍ୟ ନେଇ ଘର ବାହାରକୁ ଚାଲିଯିବେ । ସେହିପରି ଅଳ୍ପ କିଛି ମିଷ୍ଟାନ୍ନ ଘର ବାହାରେ ରଖାଯାଏ ଏବଂ ଅଧିକ ପରିମାଣରେ ମିଷ୍ଟାନ୍ନ ଘର ଭିତରେ ରଖାଯାଇଥାଏ । ଯାହା ଫଳରେ ଲକ୍ଷ୍ମୀ ମିଠା ଖାଇବା ପାଇଁ ଘର ଭିତରକୁ ଆସିବେ ଓ ଘର ଭିତରେ ହିଁ ରହିଯିବେ । ମିଥିଳାର କେତେକ ଅଞ୍ଚଳରେ ଏହି ଦିନ ଠାରୁ କାଳୀ ପୂଜା ଆରମ୍ଭ ହୋଇ ଦୀପାବଳୀ ପର୍ଯ୍ୟନ୍ତ ଚାଲେ ଓ ଦୀପାବଳୀରେ ନିଶା ପୂଜା ସ‌ହ ଏହାର ଉଦ୍‌ଯାପନ ହୋଇଥାଏ ।

ଏହି ଦିନ ରାତିରେ ଚୁଡ଼ା ସ‌ହ କ୍ଷୀର ଖାଇବା ପଛରେ ଏକ ଆୟୁର୍ବେଦିକ କାରଣ ରହିଛି । ଏହି ପର୍ବ ଶରତ ଋତୁରେ ପଡ଼ିଥାଏ । ଗ୍ରୀଷ୍ମ ଋତୁର ଶେଷ ସମୟ ଓ ଶୀତ ଋତୁର ଆରମ୍ଭ ସମୟକୁ ଶରତ ଋତୁ କୁହାଯାଏ । ଏହି ଋତୁ ଦୁଇ ମାସ ଧରି ରହିଥାଏ । ଏହି ଋତୁରେ ଦିନ ଉଷୁମ ରହୁଥିଲା ବେଳେ ରାତିରେ ଶୀତ ଅନୁଭୂତ ହୋଇଥାଏ । ଏହି ସମୟରେ ଋତୁ ପରିବର୍ତ୍ତନ ଯୋଗୁଁ ବାତ ଦୋଷ, ପିତ୍ତ ଦୋଷ ଓ କଫ ଦୋଷ ହେବାର ସମ୍ଭାବନା ଅଧିକ ଥାଏ । ତେଣୁ ରାତିରେ ଚୁଡ଼ା ସ‌ହ କ୍ଷୀର ଖାଇବାଦ୍ୱାରା ଏହି ସବୁ ଦୋଷ ହେବାର ସମ୍ଭାବନା କମିଯାଇଥାଏ ।

ବିଶ୍ୱାସ ଅଛି ଯେ, ଏହି ଦିନ ରାତିରେ ଲକ୍ଷ୍ମୀ ଆକାଶରେ "କୋ ଜାଗର୍ତି ?" କ‌ହି କ‌ହି ବୁଲନ୍ତି ଓ ଯିଏ ରାତି ସାରା ଉଜାଗର ରହିଥାଏ ତା' ଉପରେ କୃପା କରିଥାନ୍ତି । ସଂସ୍କୃତ ବାକ୍ୟ "କୋ ଜାଗର୍ତି ?"ର ଅର୍ଥ "କିଏ ଜାଗ୍ରତ ଅଛି ?" । ତେଣୁ ଏହି ପର୍ବକୁ କୋଜାଗରି ପୁନମ୍ ମଧ୍ୟ କୁହାଯାଏ ।

ପିଠାପଣା[ସମ୍ପାଦନା]

କୁମାର ପୂର୍ଣ୍ଣିମା ଦିନ ଚଉରା ଓ ଚନ୍ଦ୍ରଙ୍କୁ ଭୋଗ ଦେବା ପାଇଁ ଓଡ଼ିଶାର ଘରେ ଘରେ ଖଇ, ନଡ଼ିଆ, କଦଳୀ, ଛେନା, ଦ‌ହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ । ସେହିପରି ଓଡ଼ିଶାର ଜଣାଶୁଣା ପିଠାମାନ‌ଙ୍କ ମଧ୍ୟରେ ଅନ୍ୟତମ ମଣ୍ଡାପିଠା ମଧ୍ୟ ଏହି ଦିନ ଏକ ବିଶେଷ ଭୋଗ ଭାବରେ ତିଆରି କରାଯାଇଥାଏ । ଭୋଗରେ ଲାଗୁଥିବା ମଣ୍ଡା ପିଠାଗୁଡ଼ିକ ମଧ୍ୟରୁ ଗୋଟିଏ ପିଠା ଆକାରରେ ଅନ୍ୟ ପିଠାମାନ‌ଙ୍କଠାରୁ ବଡ଼ ଥାଏ । ଏହି ପିଠାଟିକୁ ଚାନ୍ଦ ମଣ୍ଡା କୁହାଯାଏ । ଭୋଗ ହୋଇସାରିଲା ପରେ ପରିବାରର ଲୋକେ ଉଭୟ ଚାନ୍ଦ ଚକଟା ଓ ମଣ୍ଡା ପିଠାକୁ ଖାଇଥାନ୍ତି । ଓଡ଼ିଶାର କେତେକ ଅଞ୍ଚଳରେ କେବଳ କୁମାରୀ କନ୍ୟାମାନେ ହିଁ ଚାନ୍ଦ ମଣ୍ଡାଟିକୁ ଖାଇଥାନ୍ତି । ଚାନ୍ଦ ଚକଟା ଓ ମଣ୍ଡା ପିଠା ବ୍ୟତୀତ ଏହି ଦିନ ଘରେ ଘରେ ଖିରୀ-ପୁରୀ ଇତ୍ୟାଦି ମଧ୍ୟ ରନ୍ଧାଯାଇଥାଏ । ନିଜ ଘରେ ହୋଇଥିବା ପିଠା ପଣାକୁ ଏହି ଦିନ ଲୋକେ ସାଇ-ପଡ଼ିଶାରେ ବାଣ୍ଟିଥାନ୍ତି ।

ଆଧାର[ସମ୍ପାଦନା]

  1. ସମାଜ, ପୃଷ୍ଠା- ୭, ଅକ୍ଟୋବର୨୮ - ନଭେମ୍ବର୩,୨୦୧୨
  2. ୨.୦ ୨.୧ "Gajalakshmi Puja in Odisha" (PDF). Retrieved 9 October 2016. 

ଅଧିକ ତଥ୍ୟ[ସମ୍ପାଦନା]