ପଲଉ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପଲଉ
Polu.jpg
ଉଇଘୁର୍ ପୋଲୋ
ବାକି ନାମ ପିଲାୱ, ପଲାଓ, ପିଲାଓ, ପୁଲାଓ, ପୁଲାୱ, ପଲଭୁ, ପ୍ଲୋଭ୍, ପୋଲୋ, ପୋଲୁ ଇତ୍ୟାଦି
ପରସା ମୁଖ୍ୟଖାଦ୍ୟ
ଅଞ୍ଚଳ ବା ରାଜ୍ୟ ଦକ୍ଷିଣ ଏସିଆ, ମଧ୍ୟ ଏସିଆ, ଭୁମଧ୍ୟ ସାଗରୀୟ ଅଞ୍ଚଳ, ପୂର୍ବ ଆଫ୍ରିକା
ପରସିବା ଉତ୍ତାପ ଗରମ
ମୁଖ୍ୟ ଉପାଦାନ ଚାଉଳ, ଗୋଟା ମସଲା, ମାଂସ or ମାଛ, ପନିପରିବା, କାଜୁ, କିଶ୍‍ମିଶ୍

Cookbook: ପଲଉ at Wikibooks 

ପଲଉ ଏକ ପ୍ରକାରର ଅନ୍ନ ଜାତୀୟ ଖାଦ୍ୟ ଓ ଗରମ ପାଣିରେ ଚାଉଳକୁ ଶିଝାଇ ଏହା ପ୍ରସ୍ତୁତ କରାଯାଏ ।[୧] କେତେକ ପ୍ରସ୍ତୁତି ପ୍ରଣାଳୀରେ ଚାଉଳକୁ ପ୍ରଥମେ ଟିକେ ତେଲରେ ଭାଜି ତାହା ସୁନେଲି ରଙ୍ଗର ହୋଇଯିବା ପରେ ତାହାକୁ ଗରମପାଣିରେ ଶିଝାଯାଏ । ପଲଉରେ ଭଜା ପିଆଜ, ଅନ୍ୟ ଭଜା ପରିବା, ମସଲା ଆଦି ମଧ୍ୟ ମିଶାଯାଏ । ସ୍ଥାନୀୟ ଲୋକଙ୍କ ପସନ୍ଦ ଅନୁସାରେ ପଲଉରେ ମାଛ, ମାଂସ, ପାସ୍ତା, କାଜୁ, କିଶ୍‍ମିଶ୍ ଆଦି ମଧ୍ୟ ମିଶାଯାଇପାରେ ।

ବଲ୍‍କାନ୍, ଭୁମଧ୍ୟ ସାଗର, କକେଶିୟାନ୍, ମଧ୍ୟ ଓ ଦକ୍ଷିଣ ଏସିଆ, ପୂର୍ବ ଆଫ୍ରିକା, ଦକ୍ଷିଣ ଆମେରିକା ଓ ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜରେ ପଲଉ ଓ ପଲଉ ପରି ଅନେକ ପ୍ରକାରର ଖାଦ୍ୟ ଦେଖିବାକୁ ମିଳେ । ଆଫଗାନିସ୍ତାନ, ଆଜେର୍‍ବାଇଜାନ୍, ଆର୍ମେନିଆ, ଇରାନ, ଉଇଘୁର୍, ଉଜବେକିସ୍ତାନ[୨][୩], କାଜାକିସ୍ତାନ, କିର୍‍ଗିଜସ୍ତାନ, କୁର୍ଦିଶ୍, କ୍ରେଟା, ତାଜିକିସ୍ତାନ[୪], ତୁର୍କୀ, ନେପାଳ, ପାକିସ୍ତାନ, ବଙ୍ଗଳାଦେଶ, ବୁଖାରା ଜିଉ,[୫] ବେଲୁଚିସ୍ତାନ, ଭାରତ ଓ ସ୍ଵାହିଲି ଇତ୍ୟାଦି ଦେଶରେ ଭାରି ଲୋକପ୍ରିୟ ତଥା ସାଧାରଣ ଖାଦ୍ୟ ।

ନାମକରଣ[ସମ୍ପାଦନା]

“ପଲଉ” ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ନାମରେ ବୋଲାଯାଏ । ସଂସ୍କୃତରେ ପୁଲାକ ଶବ୍ଦର ଅର୍ଥ ହେଲା ଭାତର ଗୋଲା । ଏହି ଶବ୍ଦରୁ ହିନ୍ଦୀ ଶବ୍ଦ ପୁଲାଓ ଓ ପର୍ସିୀୟ ଶବ୍ଦ ପୋଲୋ (پلو)ର ସୃଷ୍ଟି । ପୁଣି ପର୍ସୀୟ ଶବ୍ଦରୁ ତୁର୍କୀ ଶବ୍ଦ ପିଲାୱ[୬] ଓ ସେଥିରୁ ଗ୍ରୀକ୍ ଶବ୍ଦ ପିଲାଫି (πιλάφι)ର ଉତ୍ପତ୍ତି ହୋଇଛି । ସଂସ୍କୃତ ଶବ୍ଦ ପୁଲାକ ଏକ ଦ୍ରାବିଡ଼ୀୟ ଶବ୍ଦରୁ ଗୃହୀତ ହୋଇଥାଇପାରେ ।[୭]

ଇତିହାସ[ସମ୍ପାଦନା]

ତାସକେଣ୍ଟରେ ସର୍ବସାଧାରଣଙ୍କ ପାଇଁ ପ୍ରସ୍ତୁତ ହେଉଥିବା ପ୍ଲୋଭ୍ ବା ପଲଉ

ଭାରତୀୟ ମହାକାବ୍ୟ ମହାଭାରତରେ ଭାତ ଓ ମାଂସକୁ ମିଶାଇ ରାନ୍ଧିବାର ଏକ ବର୍ଣ୍ଣନ ରହିଛି । ପ୍ରାଚୀନ ସଂସ୍କୃତ ରଚନା ଯଥା ଯାଜ୍ଞବାଲ୍କ୍ୟ ସ୍ମୃତିରେ ଏକ ବ୍ୟଞ୍ଜନକୁ “ପୁଲାଓ” ବା “ପଲଉ” ବୋଲି ଉଲ୍ଲେଖ କରାଯାଇଛି ।[୮][୯] ମହାନ ଗ୍ରୀକ୍ ସମ୍ରାଟ୍ ଆଲେକ୍‍ଜାଣ୍ଡାର୍ ସୋଗଡୀୟ ରାଜଧାନୀ ମରକନ୍ଦ (ଆଧୁନିକ ସମରକନ୍ଦ) ଅକ୍ତିଆର କରିବା ପରେ ଏକ ରାଜକୀୟ ଭୋଜିର ଆୟୋଜନ ହୋଇଥିଲା ଓ ଏହି ଭୋଜିରେ ଆଲେକ୍‍ଜାଣ୍ଡାର୍‍ଙ୍କୁ ପଲଉ ଓ ଅନ୍ୟାନ୍ୟ ବ୍ୟଞ୍ଜନ ପରଷା ଯାଇଥିଲା ।

ଆଜେର୍‍ବାଇଜାନ୍‍ର ଡାକ ଟିକଟରେ ଶିରିନ୍ ପଲଉ

ଦଶମ ଶତାବ୍ଦୀର ପର୍ସୀୟ ଜ୍ଞାନୀ ଅବୁ ଅଲି ଇବନ୍ ସିନା (ଅବିସେନା) ନିଜର ଚିକିତ୍ସା ଶାସ୍ତ୍ର ସମ୍ଵନ୍ଧୀୟ ପୁସ୍ତକର ଗୋଟିଏ ଅଧ୍ୟାୟରେ ଅନେକ ଅନ୍ନ ବ୍ୟଞ୍ଜନ ଇତ୍ୟାଦି ବିଷୟରେ ବର୍ଣ୍ଣନା କରିଛନ୍ତି । ସେଥିରେ ସେ ଅନେକ ପ୍ରକାରର ପଲଉ, ତାହାର ପ୍ରସ୍ତୁତି ପ୍ରଣାଳୀ, ପଲଉରେ ବ୍ୟବହୃତ ପ୍ରତ୍ୟେକ ଉପାଦାନର ଉପକାରିତା ଓ ଅପକାରିତା ଇତ୍ୟାଦି ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଛନ୍ତି । ତେଣୁ କେହି କେହି ଇବନ୍ ସିନାଙ୍କୁ ଆଧୁନିକ ପଲଉର ଜନକ ବୋଲି ମଧ୍ୟ କୁହନ୍ତି ।

ପର୍ସିଆ, ଆରବ, ତୁର୍କ୍ ଓ ଆର୍ମେନୀୟ ଲୋକଙ୍କ କ୍ରମାଗତ ବ୍ୟବହାର ଓ ନୂତନ ପ୍ରୟୋଗ ଯୋଗୁଁ ପଲଉର ବିବର୍ତ୍ତନ ହୋଇଛି ଓ ଭୁମଧ୍ୟ ସାଗରୀୟ ଅଞ୍ଚଳରେ ଏହା ଖୁବ୍ ପ୍ରସିଦ୍ଧ ହୋଇଛି । ବୁଆରା ଓ ପର୍ସିଆର ଜିଉ ସମ୍ପ୍ରଦାୟର ଲୋକଙ୍କ ଯୋଗୁଁ ପଲଉ ଇସ୍ରାଏଲ୍ ପର୍ଯ୍ୟନ୍ତ ବ୍ୟାପ୍ତି ଲାଭ କରିଥିଲା ।

ମିଳିତ ସୋଭିଏତ୍ ରାଷ୍ଟ୍ରସଂଘ ସମୟରେ ମଧ୍ୟ ଏସିଆର ଏହି ଅନ୍ନ ଜାତୀୟ ଖାଦ୍ୟ ସୋଭିଏତ୍ ଗଣରାଜ୍ୟମନଙ୍କ ଗହଣରେ ପହଞ୍ଚିଥିଲା । ତାହା ପରଠାରୁ ଏହା ସୋଭିଏତ୍ ସମାଜରେ ଏକ ସାଧାରଣ ଖାଦ୍ୟ ଭାବେ ପରିଗଣିତ ହୋଇଆସୁଛି ।

ସ୍ଥାନୀୟ ପ୍ରକାର ଭେଦ[ସମ୍ପାଦନା]

ଭାରତ[ସମ୍ପାଦନା]

ଦହି ଓ ମାଂସକଶା ସହିତ ପଲଉ

ପୁଲାଓ, ପୁଲାୱ, ପଲଉ ଇତ୍ୟାଦି ବିଭିନ୍ନ ନାମରେ ଜଣାଶୁଣା ଏହି ଖାଦ୍ୟ ଭାରତ ଓ ଦକ୍ଷିଣ ଏସିଆରେ ପ୍ରାଚୀନ ସମୟରୁ ଅତି ପରିଚିତ । ପଲଉରେ ଚାଉଳ ସହିତ ମଟର, ବିନ୍‍ସ୍, ଆଳୁ, ଗାଜର, ମାଂସ, ମାଛ, ଚିଙ୍ଗୁଡ଼ି ଏପରି ଅନେକ ଉପାଦାନ ରହିପାରେ । ଭାରତରେ ଲୋକେ ମଧ୍ୟାହ୍ନ ବା ରାତ୍ରି ଭୋଜନ ପାଇଁ କେବେ କେବେ ପଲଉ ଉପଭୋଗ କରନ୍ତି, କିନ୍ତୁ ଭୋଜି ଓ ଉତ୍ସବରେ ପ୍ରାୟତଃ ପଲଉ ରନ୍ଧା ହୋଇଥାଏ । ପଲଉରୁ ବହୁ ପରିମାଣର ଶ୍ଵେତସାର ଓ ସ୍ନେହସାର ମିଳିଥାଏ । ପଲଉ ସହିତ କେହି କେହି ଦହି ବା ରାଇତା ଖାଇବା ପସନ୍ଦ କରନ୍ତି । ବିରିୟାନି ପଲଉ ପରି ଦେଖାଗଲେ ମଧ୍ୟ ଉଭୟଙ୍କ ପ୍ରସ୍ତୁତି ପ୍ରଣାଳୀ ଭିନ୍ନ ଭିନ୍ନ । ବିରିୟାନିରେ ଚାଉଳ ଓ ମାଂସ ପରସ୍ତ ପରସ୍ତ ହୋଇ ମିଶାଗଲା ପରେ ତାହାକୁ ରନ୍ଧାଯାଏ ଓ ଏଥିରେ ଅନେକ ପ୍ରକାରର ମସଲା ମଧ୍ୟ ବ୍ୟବହୃତ ହୁଏ । କିନ୍ତୁ ପଲଉରେ ଅପେକ୍ଷାକୃତ ଭାବେ କମ୍ ମସଲା ପଡ଼େ ଓ ଏଥିରେ ପରସ୍ତ ପରସ୍ତ ଭାବେ ଉପାଦାନ ମିଶାଇବାର ଆବଶ୍ୟକତା ନଥାଏ ।[୧୦]

ଘରରନ୍ଧା ପଲଉ[ସମ୍ପାଦନା]

ପଲଉର ଉପାଦାନ : ଚାଉଳ-୨ କପ୍, ପାଣି-୪ କପ୍, ଗାଜର, କଞ୍ଚା ମଟର, କ୍ୟାପ୍ସିକମ୍ ବା ଶିମଳା ମରିଚ, ତେଜପତ୍ର-୨ଟି, ତେଲ-୪ ଚାମଚ, ଘିଅ-୪ ଚାମଚ, ଲଙ୍କା- ୫, ଡାଲଚିନି-୧, ଅଲେଇଚ-୨ଟା, କାଜୁ-୧୦ରୁ୧୫ଟା, ଅଦା-ଅଳ୍ପ, ଗରମ ମସଲା, ଲୁଣ‌-ସ୍ଵାଦ ଅନୁଯାୟୀ ପ୍ରସ୍ତୁତି ପ୍ରଣାଳୀ : ତେଲ ଓ ଘିଅ ଗରମ ହେଲେ ସେଥିରେ ଅଦା, ଲଙ୍କା, ତେଜପତ୍ର, ଅଳେଇଚ, ଡାଲଚିନି ପକାଇ ଭଜାଯାଏ । ତା’ପରେ କଞ୍ଚା ମଟର, କଟା ଗାଜର, କଟା ବିଟ୍ ଆଦି ପରିବାକୁ ଧୋଇ ସେଥିରେ ମିଶାଇ ଭାଜି ଦିଆଯାଏ । ପରିବା ଭାଜି ହୋଇଗଲେ ସେଥିରେ ଚାଉଳକୁ ୨ରୁ ୩ ମିନିଟ୍ ହାଲୁକାରେ ଭାଜି ଦେଇ ପାଣି ଢାଳି ଦିଆଯାଏ । ପାଣି ଫୁଟି ଗଲେ ସେଥିରେ ଲୁଣ ମିଶାଯାଏ ଓ ଚୁଲିର ଜାଳକୁ କମ୍ କରି ଦିଆଯାଏ । ଶେଷରେ ସେଥିରେ କାଜୁ, ୧ ଚାମଚ ଘିଅ ଓ ଅଳପ ଗରମ ମସଲା ଦେଇ ଚୁଲିକୁ ବନ୍ଦ କରି କିଛି ସମୟ ଛାଡ଼ି ଦିଆଯାଏ ।

ଇରାନ୍[ସମ୍ପାଦନା]

କମାଜ୍, ଚୋବାନ୍ ସାଲାଡ୍ ସହିତ ଆଜେର୍‍ବାଇଜାନୀ ପଲଉ

ପର୍ସିଆରେ ଅନ୍ନ ଜାତୀୟ ଖାଦ୍ୟର ପ୍ରସ୍ତୁତି ସମ୍ଵନ୍ଧୀୟ ଅନେକ ଶବ୍ଦ ରହିଛି ଓ ଏମାନଙ୍କ ମଧ୍ୟରୁ କିଛି ପଡ଼ୋଶୀ ଦେଶମାନଙ୍କରେ କାଳକ୍ରମେ ପ୍ରଚଳିତ ହେଲା । ଯେଉଁ ପଲଉରେ ପ୍ରତିଟି ଦାନା ପୃଥକ୍ ରହିଥାଏ ତାକୁ ପୋଲୋ କୁହାଯାଏ । ପୋଲୋରେ ଦରଶିଝା ଚାଉଳର ପାଣି ନିଗାଡ଼ି ଦେଇ ତାହାକୁ ପୁଣି ଗରମ ପାଣି ବା ଷ୍ଟକ୍ ପାଣିରେ ଶିଝାଯାଏ । ଯେଉଁ ଧଳାଭାତରେ ପ୍ରତି ଦାନା ପୃଥକ୍ ହୋଇ ଦେଖାଯାଏ ତାହାକୁ ଚେଲୋ କୁହନ୍ତି । ଅଠାଳିଆ ବା ଚିକିଟା ଭାତକୁ କାଟେଃ କୁହାଯାଏ । ପରିବା, ମାଂସ ଓ ଚାଉଳକୁ କମ୍ ଜାଳରେ ବହୁ ସମୟ ଧରି ରାନ୍ଧି ଯେଉଁ ଅନ୍ନ ଜାତୀୟ ଖାଦ୍ୟ ପ୍ରସ୍ତୁତ ହୁଏ ତାହାକୁ ତାଜିନେ କୁହନ୍ତି । ଇରାନୀୟ ସମ୍ପ୍ରଦାୟରେ ଏପରି ଚାଉଳ, ପତ୍ର, ପରିବା ପଡ଼ିଥିବା ବିଭିନ୍ନ ଅନ୍ନ ଜାତୀୟ ଖାଦ୍ୟ ଖୁବ୍ ଲୋକପ୍ରିୟ ।

ଇରାନ୍‍ରେ ୪ଟି ଭିନ୍ନ ପ୍ରକାରର ଭାତ ବା ପଲଉ ପ୍ରସ୍ତୁତିର ପ୍ରଣାଳୀ ହେଲା :

  • ଚେଲୋ: ଓଦା ଚାଉଳକୁ ବହୁ ଯତ୍ନର ସହିତ ଦରଶିଝା ଅବସ୍ଥା ପର୍ଯ୍ୟନ୍ତ ଶିଝାଯାଏ ଓ ତାହା ପରେ ପାଣି ନିଗାଡ଼ି ଦିଆଯାଏ । ତାହା ପରେ ଚାଉଳକୁ ପୁଣି ବାମ୍ଫ ଦେଇ ପ୍ରସ୍ତୁତ କରାଯାଏ । ଏହି ପ୍ରକାରର ଭାତ ବା ପଲଉରେ ଚାଉଳର ଦାନା ପୃଥକ୍ ପୃଥକ୍ ହୋଇ ରହିଥାଏ । ହାଣ୍ଡିତଳ ପଟେ ରହିଥିବା ପଲଉରେ ଏକ ସୁନେଲି ରଙ୍ଗ ଦେଖିବାକୁ ମିଳେ ଓ ସେହି ଭାତକୁ ତାଃଦିଗ୍ କୁହାଯାଏ ।
  • ପୋଲୋ: ଏହି ପ୍ରକାରର ପଲଉ ବା ଭାତ ଠିକ୍ ଚେଲୋ ପରି ପ୍ରସ୍ତୁତ କରାଯାଏ । କିନ୍ତୁ ପୋଲୋରେ ଅନ୍ୟ ପରିବା ମଧ୍ୟ ମିଶାଇ ଭାତକୁ ବାମ୍ଫରେ ତିଆରି କରାଯାଏ ।
  • କାଟେଃ: ପାତ୍ରର ପାଣି ସମ୍ପୂର୍ଣ୍ଣ ଭାବେ ଶୁଖିବା ପର୍ଯ୍ୟନ୍ତ ଭାତକୁ ଶିଝାଯାଏ । ଏହା ଉତ୍ତର ଇରାନ୍‍ର ଏକ ପାରମ୍ପରିକ ଖାଦ୍ୟ ।
  • ଡାମି: ଏହାର ପ୍ରସ୍ତୁତି ଶୈଳୀ କାଟେଃ ପରି । ଡାମିରେ ଭାତ ଶିଝି ଆସୁଥିବା ବେଳକୁ ଜାଳ କମ୍ କରିଦିଆଯାଏ ଓ ଏକ କନା ଦ୍ଵାରା ହାଣ୍ଡିକୁ ଘୋଡ଼ାଇ ତା’ ଉପରେ ଘୋଡ଼ଣୀ ରଖି ଦିଆଯାଏ । ଏପରି କଲେ ବାମ୍ଫ ବାହାରି ଯାଇପାରେ ନାହିଁ । ଡାମିର ଶବ୍ଦାର୍ଥ ହେଲା “ଅଳ୍ପ ଜାଳରେ ରନ୍ଧା” ।

ପର୍ସୀୟ ଖାଇବାରେ ପଲଉ ସହିତ ରଃକ୍ଷି ବା ୟହନି ନାମକ ଏକ ସୁପ୍ ମଧ୍ୟ ପରଷାଯାଏ ।

ମଧ୍ୟ ଏସିଆ[ସମ୍ପାଦନା]

ତାସକେଣ୍ଟର ଏକ ଘରେ କଜାନ୍‍ରେ ତିଆରି ହେଉଥିବା ପଲଉ

ମଧ୍ୟ ଏସିଆର ତାଜିକିସ୍ତାନ ଓ ଉଜ୍‍ବେକିସ୍ତାନରେ ପ୍ଲୋଭ୍ (ତାଜିକ୍ ଭାଷାରେ : палав) ଏବଂ ଓଶ୍ ଏପରି ଦୁଇ ପ୍ରକାରର ପଲଉ ତିଆରି ହୋଇଥାଏ । ଓଶ୍‍ର ପ୍ରସ୍ତୁତି ପ୍ରଣାଳୀ ଅନ୍ୟ ଅନ୍ନ ଜାତୀୟ ଖାଦ୍ୟରୁ ଭିନ୍ନ । ଏଥିରେ ଚାଉଳକୁ ଗରମ ବାମ୍ଫରେ ପ୍ରସ୍ତୁତ ନ କରି କମ୍ ଜାଳରେ ଅନ୍ୟ ପନିପରିବା (ଜିର୍ଭାକ୍) ଓ ମାଂସର ଷ୍ଟ୍ୟୁ ସହିତ ଅଧିକ ସମୟ ଯାଏଁ ରନ୍ଧାଯାଏ । ଚାଉଳ ଷ୍ଟ୍ୟୁର ସୁସ୍ଵାଦୁ ପାଣିକୁ ସମ୍ପୂର୍ଣ୍ଣ ରୂପେ ଶୋଷିନିଏ । ରାନ୍ଧିବା ସମୟରେ ପାତ୍ରକୁ ଘୋଡ଼ାଇ ରଖିବା ଦ୍ଵାରା କିଛି ପରିମାଣର ବାମ୍ଫ ମଧ୍ୟ ଚାଉଳକୁ ଶିଝାଇବାରେ ସାହାଯ୍ୟ କରେ । ଖୋଲା ଚୁଲିରେ କଜାନ୍ ବା ଡେଘି ନାମକ ପାତ୍ରରେ ଓଶ୍ ପ୍ରସ୍ତୁତ କରାଯାଏ । ବେଳେବେଳେ ଏହି ପଲଉରେ ସଥାନୀୟ ଭିନ୍ନତା ଦେଖାଦିଏ ।[୧୧] ସାଧାରଣତଃ ମେଣ୍ଢା ମାଂସକୁ ମେଣ୍ଢା ଚର୍ବି ବା ତେଲରେ ରାନ୍ଧି ଓଶ୍ ପଲଉରେ ବ୍ୟବହୃତ ଷ୍ଟ୍ୟୁ ପ୍ରସ୍ତୁତ କରାଯାଏ । ଏହି ଷ୍ଟ୍ୟୁରେ ପିଆଜ, ରସୁଣ, ଗାଜର ଆଦି ମଧ୍ୟ ପଡ଼ିଥାଏ । ପାରମ୍ପରିକ ରୋଷେଇରେ ଅଚିହ୍ନା କୁକୁଡ଼ା ମାଂସ ପଲଉ ବୁଖାରାରୁ ସୃଷ୍ଟି ହୋଇଛି । ଏହି ପଲଉରେ କଳା ଜୀରା, ଧନିଆ, ଲାଲ୍ ଗୋଲ ମରିଚ, ଗୋଲ ମରିଚ, ଗେଣ୍ଡୁ ଫୁଲର କିଛି ଅଂଶ ଇତ୍ୟାଦି ମଧ୍ୟ ମିଶାଯାଏ । ଭାତରେ ଛୋଟ ଖଣ୍ଡ ଅଦା ମଧ୍ୟ ଲୁଚି ରହିଥାଏ । ଏକ ପ୍ରକାରର ମିଠା ପଲଉ ମଧ୍ୟ ବିଶେଷ ଅବସରରେ ରନ୍ଧାଯାଇଥାଏ ।

ତାଜିକିସ୍ତାନର ଜଣେ ଓଶ୍‍ପାଜ୍

ଯଜମାନଙ୍କ ଦ୍ଵାରା ଅତିଥିଙ୍କ ପାଇଁ ବା ମା’ଙ୍କ ଦ୍ଵାରା ଘରେ ଖାଇବା ପାଇଁ ପଲଉ ପ୍ରସ୍ତୁତ କରାଯାଏ । ଓଶ୍‍ପାଜ୍ (ମୁଖ୍ୟ ଓଶ୍ ରୋଷେୟା) ଗୋଟିଏ ବଡ଼ ପାତ୍ରରେ ଏହାକୁ ବିଶେଷ ଅବସରରେ ବା ଉତ୍ସବ ଭୋଜିରେ ବହୁ ଲୋକଙ୍କ ପାଇଁ ତିଆରି କରନ୍ତି । ବାହାଘର ଭୋଜିରେ ଅତିଥିମାନଙ୍କ ପାଇଁ ସକାଳ ପଲଉ ବା ଓଶି ନାହୋର ସକାଳ ୬ଟାରୁ ୯ଟା ମଧ୍ୟରେ ଜଳଖିଆ ଭାବେ ପରଷା ଯାଇଥାଏ ।

ଉଜବେକି ପଲଉ ବର୍ତ୍ତମାନ ସମୟରେ ସୋଭିଏତ ଋଷ ବିଭାଜନରୁ ସୃଷ୍ଟି ହୋଇଥିବା ଦେଶମାନଙ୍କରେ ଜନାଦୃତ ହୋଇଛି ।

ଆଫଗାନିସ୍ଥାନ[ସମ୍ପାଦନା]

ଆଫଗାନିସ୍ଥାନର କାବୁଲି ପଲଉ (ଦାରି : قابلی پلو ) ବସୁମତୀ ଚାଉଳ ଓ ବିଭିନ୍ନ ମାଂସକୁ ତେଲରେ ଭାଜି ପ୍ରସ୍ତୁତ କରାଯାଏ । କାବୁଲି ପଲଉ ମୋଟା ଓ ଅଳ୍ପ ଖାଲୁଆ ପାତ୍ରରେ ରନ୍ଧାଯାଏ । ଭଜା ଗାଜର ଓ କିଶ୍‍ମିଶ୍ ମଧ୍ୟ ସେଥିରେ ମିଶାଯାଏ । ପିସ୍ତା ବାଦାମ, ଆଲ୍‍ମଣ୍ଡ୍, ୱାଲ୍‍ନଟ୍ ଇତ୍ୟାଦିକୁ ଖଣ୍ଡ ଖଣ୍ଡ କରି ସେଥିରେ ପକାଇ ଦିଆଯାଏ । ମାଂସ ଖଣ୍ଡଗୁଡ଼ିକୁ ଭାତରେ ଘୋଡ଼ାଇ ରଖାଯାଏ । ଏହି କାବୁଲି ପଲଉକୁ ସାଉଦି ଆରବରେ ରୋଜ୍ ବୁଖାରି (ଆରବୀ ଭାଷାରେ: رز بخاري ଯାହାର ଅର୍ଥ ହେଲା ବୁଖାରାର ଭାତ) ବୋଲି କୁହାଯାଏ ଓ ଏହା ଆରବ ଦେଶରେ ଖୁବ୍ ଲୋକପ୍ରିୟ ମଧ୍ୟ ।

ପାକିସ୍ତାନ[ସମ୍ପାଦନା]

ପାକିସ୍ତାନରେ ତିଆରି ହେଉଥିବା ପଲଉର ଭାତକୁ ମାଂସ ଶିଝା ପାଣିରେ ଶିଝା ହୁଏ ଓ ଏଥିରେ ମାଂସ ଓ ବିଭିନ୍ନ ମସଲା ପଡ଼େ । ପାକିସ୍ତାନରେ ପଲଉକୁ ପୁଲାଓ (پلاؤ‎) କୁହନ୍ତି ଓ ଏଥିରେ ବସୁମତୀ ଚାଉଳ ଓ ଗୋମାଂସ ମୁଖ୍ୟ ଉପାଦାନ । ପଲଉ ସହିତ ସାଧାରଣତଃ ରାଇତା ମଧ୍ୟ ବଢ଼ାଯାଏ ।

ଆଜେର୍‍ବାଇଜାନ୍[ସମ୍ପାଦନା]

ଆଜେର୍‍ବାଇଜାନୀ ପଲଉର ଚିତ୍ର । ବାମ ପଟେ ଗାରା (ମେଣ୍ଢା ମାଂସ, ଏପ୍ରିକୋଟ୍, ପ୍ଲମ୍) ଓ ଡାହାଣ ପଟେ ହଳଦି ପଡ଼ିଥିବା ପଲଉ ଭାତ

ଆଜେର୍‍ବାଇଜାନୀ ଖାଦ୍ୟରେ ପ୍ରାୟ ୪୦ ପ୍ରକାରର ପଲଉ ରହିଛି ।[୧୨] ପ୍ଲୋଭ୍ ସେମାନଙ୍କ ମଧ୍ୟରେ ସବୁଠାରୁ ପ୍ରଖ୍ୟାତ । ଏଥିରେ କେଶର ଭାତ ସହିତ ପତ୍ର, ଶାଗ ଇତ୍ୟାଦି ପଡ଼ିଥାଏ ଯାହାକି ଉଜ୍‍ବେକୀ ପ୍ଲୋଭ୍‍ଠାରୁ ଯଥେଷ୍ଟ ଭିନ୍ନ । ପାରମ୍ପରିକ ଆଜେର୍‍ବାଇଜାନୀ ପଲଉର ତିନୋଟି ମୁଖ୍ୟ ବିଶେଷତ୍ତ୍ଵ ହେଲା : ପ୍ରଥମ - ଭାତ ଅତି ଗରମ ନ ହୋଇ ଉଷୁମ ହୋଇଥାଏ, ଦ୍ଵିତୀୟତଃ ଛଣା ଯାଇଥିବା ମାଂସ, ମାଛ, ଅଣ୍ଡା ଇତ୍ୟାଦି ପଲଉ ସାଙ୍ଗରେ ଖାଇବା ପାଇଁ ପ୍ରସ୍ତୁତ କରି ରଖାଯାଏ ଓ ତୃତୀୟ – ପଲଉରେ ବିଭିନ୍ନ ବାସ୍ନା ପତ୍ର ପଡ଼ିଥାଏ । ପଲଉ ଖାଇବା ସମୟରେ ମଧ୍ୟ ପଲଉକୁ ଅନ୍ୟ ଉପାଦାନ ସହିତ ମିଶା ଯାଏନାହିଁ ।[୧୩]

ଗ୍ରୀସ୍[ସମ୍ପାଦନା]

ଗ୍ରୀସ୍ ଦେଶରେ ତିଆରି ହେଉଥିବା ପଲଉକୁ ସ୍ଥାନୀୟ ଲୋକେ ପିଲାଫି (πιλάφι) କୁହନ୍ତି । ମାଂସ ଶିଝା ହୋଇଥିବା ପାଣି (ଷ୍ଟକ୍)ରେ ଚାଉଳକୁ ଶିଝାଇ ଏହି ପଲଉ ପ୍ରସ୍ତୁତ କରାଯାଏ । ଏହି ପଲଉ ସୁପ୍ ବା ଜାଉ ପରି ନୁହେଁ ବରଂ ଶୁଖିଲା ଓ ନରମ । ଉତ୍ତର ଗ୍ରୀସ୍‍ର ଖାନପାନରେ ଚୁଲି ଉପରେ ପାତ୍ର ରଖି ପଲଉ ରାନ୍ଧିଲେ ତାହାକୁ ଉତ୍କୃଷ୍ଟ ମାନ୍ୟତା ଦିଆଯାଏନାହିଁ । ତେଣୁ ଓଭେନ୍ ମଧ୍ୟରେ ପଲଉ ପ୍ରସ୍ତୁତ କରାଯାଇଥାଏ । ଗାମୋପିଲାଫୋ ବା ବାହାଘର ପଲଉ କେବଳ ବିଶେଷ ଅବସରରେ ରନ୍ଧାଯାଏ । ମାଂସ ଶିଝା ପାଣିରେ ଭାତ ରନ୍ଧାଯିବା ପରେ ତାହା ଉପରେ ଲେମ୍ଵୁ ଚିପୁଡ଼ି ଦିଆଯାଏ । ଗାମୋପିଲାଫୋକୁ ପଲଉର ନାମ ମିଳିଥିଲେ ମଧ୍ୟ ଏହା ଦେଖିବାକୁ ଓ ଏହାର ପ୍ରସ୍ତୁତି ପ୍ରଣାଳୀ ରିସୋତ୍ତୋ ପରି ।

ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜ[ସମ୍ପାଦନା]

ପୂର୍ବ କ୍ୟାରିବିୟାନ୍ ଓ ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜରେ ଅନେକ ପ୍ରକାରର ପଲଉ ପ୍ରସ୍ତୁତ କରାଯାଏ । ଏଠାକାର ବିଭିନ୍ନ ପଲଉରେ ପିଜନ୍ ପି (Pegion Pea – କାନ୍ଦୁଲ ପରି ଦେଖାଯାଉଥିବା ଏକ ମଟର), କଞ୍ଚା ମଟର, ଫରାସୀ ବିନ୍‍ସ୍, ମକା, ଗାଜର, କଖାରୁ, ମାଂସ ଇତ୍ୟାଦି ଉପାଦାନ ରୂପେ ବ୍ୟବହାର କରାଯାଏ । ମାଂସକୁ ପ୍ରଥମେ ଷ୍ଟ୍ୟୁ ହେବା ପର୍ଯ୍ୟନ୍ତ ରାନ୍ଧିବା ପରେ ପରିବା ଓ ଭାତ ପରେ ମିଶାଯାଏ । କେତେକ ସ୍ଥାନରେ ନଡ଼ିଆ କ୍ଷୀର ଓ ମସଲା ମଧ୍ୟ ମିଶାଯାଇଥାଏ ।

ବ୍ରାଜିଲ୍[ସମ୍ପାଦନା]

ବ୍ରାଜିଲ୍ ପହଞ୍ଚିବା ବେଳକୁ ପଲଉରେ ଅନେକ ପରିବର୍ତ୍ତନ ଘଟିଛି । ଅରୋଜ୍ ପଲଉରୁ ପ୍ରଭାବିତ ବ୍ରାଜିଲ୍‍ର ପଲଉ ଅରୋଜ୍ ଡି ଫ୍ରାଂଗୋ ଦେସ୍ଫିଆଡୋ, ରିସୋତ୍ତୋ ଦି ଫ୍ରାଂଗୋ (ପର୍ତ୍ତୁଗୀଜ୍: [aˈʁoʒ dʒi ˈfɾɐ̃gu dʒisfiˈadu], "କୁକୁଡ଼ା ମାଂସର ଛୋଟ ଟୁକୁଡ଼ା ପଡ଼ିଥିବା ପଲଉ", [ʁiˈzotu], "କୁକୁଡ଼ା ମାଂସ ରିସୋତ୍ତୋ") ନାମରେ ଜଣାଶୁଣା । ଭାତକୁ ଅଳ୍ପ ଭାଜିବା ପରେ ସେଥିରେ ଲୁଣ ପକାଇ ଭାତ ନରମ ହେବା ପର୍ଯ୍ୟନ୍ତ ରନ୍ଧାଯାଏ । ଚାଉଳ ଦାନା ଅଲଗା ଅଲଗା ରହିଥାନ୍ତି । ଗରମ ପାଣି ବା କୁକୁଡ଼ା ଶିଝା ପାଣିରେ ଭାତ ପ୍ରସ୍ତୁତ କରାଯାଏ । ଭାତରେ ପିଆଜ, କଟା ଶିମଳା ଲଙ୍କା, ଛୋଟ କୁକୁଡ଼ା ମାଂସ ଖଣ୍ଡ, କଞ୍ଚା ମଟର, ଟମାଟ ସସ୍, ସୋୟା ଓ ପରିବା ଇତ୍ୟାଦି ମଧ୍ୟ ମିଶାଯାଏ । ମିଠା ମକା, କଟା ଗାଜର, ବ୍ରୋକୋଲି ଫୁଲ, କଟା ବ୍ରୋକୋଲି ଇତ୍ୟାଦି ଅନେକ ପରିବା ଓ ପୁଦିନା ମଧ୍ୟ ବ୍ୟବହୃତ ହୁଏ । ଏହି ପଲଉ ରିସୋତ୍ତୋଠାରୁ ଯଥେଷ୍ଟ ଭିନ୍ନ ଓ ଏତେ ମବୁ ଉପାଦାନ ରହି ମଧ୍ୟ ରିସୋତ୍ତୋ ପରି ଅଠାଳିଆ ନୁହେଁ । ସବୁ ଉପାଦାନ ପଡ଼ିଲା ପରେ ଭାତକୁ ମିନିଟି‍ରୁ ଅଧିକ ଶିଝାଯାଏ ନାହିଁ । ଅରୋଜ୍ ସୁପ୍ରିମୋ ଡି ଫ୍ରାଂଗୋ (ପର୍ତ୍ତୁଗୀଜ୍: [ɐˈʁo s(ː)uˈpɾẽm(i) dʒi ˈfɾɐ̃gu] ନାମକ ଏକ ପଲଉରେ କୁକୁଡ଼ା ମାଂସ ଖଣ୍ଡ ଭାତରେ ନ ପଡ଼ି ପଲଉ ସହିତ ବଢ଼ାଯାଏ ।

ପଲଉ ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Rice Pilaf". Accessed May 2010.
  2. Bruce Kraig, Colleen Taylor Sen. Street Food Around the World: An Encyclopedia of Food and Culture. ABC-CLIO, 2013, p. 384. ISBN 9781598849554
  3. Russell Zanca. Life in a Muslim Uzbek Village: Cotton Farming After Communism CSCA. Cengage Learning, 2010, p. 92–96. ISBN 9780495092810
  4. Marshall Cavendish. World and Its Peoples. Marshall Cavendish, 2006, p. 662. ISBN 9780761475712
  5. Gil Marks. Encyclopedia of Jewish Food. Houghton Mifflin Harcourt, 2010. ISBN 9780544186316
  6. Harper, Douglas. "Pilaf". Online Etymology Dictionary. Retrieved 5 June 2012. 
  7. Oxford English Dictionary, 3rd edition, 2006 s.v. 'pilau'
  8. K. T. Achaya (୧୯୯୪). Indian food: a historical companion. Oxford University Press. p. ୧୧. 
  9. Priti Narain (୧୪ October ୨୦୦୦). The Essential Delhi Cookbook. Penguin Books Limited. p. ୧୧୬. ISBN ୯୭୮-୯୩-୫୧୧୮-୧୧୪-୯. 
  10. Vir Sanghvi. "Biryani Nation". Retrieved 2016-06-03. 
  11. "Uzbek Cuisine Photos: Pilaf". Retrieved 2013-05-23. 
  12. Азербайджанская кухня, (Azerbaijani Cuisine, Ishyg Publ. House, Baku (Russian))
  13. Interview with Jabar Mamedov Archived 2008-12-21 at the Wayback Machine., Head Chef at the "Shirvan Shah" Azerbaijani restaurant in Kiev, 31 January 2005.