ନଡ଼ିଆ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ନଡ଼ିଆ
Coconut Palm
Cocos nucifera
Cocos nucifera - Köhler–s Medizinal-Pflanzen-187.jpg
Coconut Palm (Cocos nucifera)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Monocots
ଅଶ୍ରେଣୀକୃତ: Commelinids
ଗଣ: Arecales
କୁଳ: Arecaceae
ଉପକୁଳ: Arecoideae
ଗୋଷ୍ଠୀ: Cocoeae
ପ୍ରଜାତି: Cocos
ଜାତି: C. nucifera'
ବାଇନୋମିଆଲ ନାମ
Cocos nucifera
L.

ନଡ଼ିଆ ଗୋଟେ ଫଳର ନାମ ଅଟେ । ଏହା ଶ୍ରୀଫଳ ଭାବେ ମଧ୍ୟ ପରିଚିତ । କୌଣସି କାର୍ଯ୍ୟ ଆରମ୍ଭରୁ ନଡ଼ିଆ ଭଙ୍ଗାଯାଇଥାଏ ଆଉ ଏହାକୁ ଶୁଭ ବୋଲି ଗ୍ରହଣ କରନ୍ତି ।

ନଡ଼ିଆ ସବୁ ଫଳଠାରୁ ଭିନ୍ନ ଅଟେ, କାରଣ କଷିବେଳେ ଏଥିରେ କେବଳ ପାଣି ଥାଏ ଏବଂ ଯେତେବେଳେ ଏହା ଧିରେ ଧିରେ ପାକଳ ହୁଏ, ସେତେବେଳେ ତା ମଧ୍ୟରେ ସେହି ପାଣି ଥାଏ ଓ ଧଳା ରଙ୍ଗର ଏକ ସ୍ତର ତିଆରି ହୋଇଥାଏ ।

ନଡ଼ିଆ

ବର୍ଣ୍ଣନା[ସମ୍ପାଦନା]

ଗଛ[ସମ୍ପାଦନା]

ନଡ଼ିଆ ଗଛଟି ମୁଖ୍ୟତଃ ଲମ୍ବା ହୋଇଥାଏ, ଏହା ପାଖାପାଖି ୩୦ ମିଟର ଯାଏ ଲମ୍ବା ହୋଇଥାଏ । ଏହି ଗଛର ବାହୁଙ୍ଗା ପ୍ରାୟ ୪-୬ମିଟର ଯାଏ ଲମ୍ବ ହୋଇଥାଏ ଏବଂ ପତ୍ରଗୁଡ଼ିକ ପ୍ରାୟ ୬୦ରୁ ୯୦ ସଣ୍ଟିମଟର ଯାଏ ଲମ୍ବ ହୋଇଥାଏ । ଇଚ୍ଚତା ଅମିସାରେ ନଡ଼ିଆ ଗଛଗୁଡ଼ିକୁ ମୁଖ୍ୟତଃ ଡେଙ୍ଗା ଏବଂ ଗେଡ଼ା' ଭାବରେ ଦୁଇ ଭାଗରେ ବିଭକ୍ତ କରାଯାଏ । ଉର୍ବର ମୃତ୍ତିକା ଅଞ୍ଚଳରେ ଥିବା ନଡ଼ିଆ ଗଛ ଗୁଡ଼ିକରେ ବର୍ଷକୁ ପାଖାପାଖି ୭୫ଟି ନଡ଼ିଆ ହୋଇଥାଏ ।[୧] ଠିକ ଭବାରେ ଯତ୍ନ ନେଲେ ନଡ଼ିଆ ଗଛଗୁଡ଼ିକ ୬ରୁ ୧୦ ବର୍ଷ ଭିତରେ ଫଳିଥାଏ ।[୨]

ଫଳ[ସମ୍ପାଦନା]

ନଡ଼ିଆ ଷଢ଼େଇରେ ଆଖି ପରି ଥିବା ଦୁଇଟି କଣା
ନଡ଼ିଆ ଫଟା ସରିବା ପରେ ଷଢ଼େଇ
ନଡ଼ିଆ ଫୁଲ
ନଡ଼ିଆ ଗଛରୁ ନଡ଼ିଆ ଆମଦାନୀ

ଅନ୍ୟାନ୍ୟ ଫଳମାନଙ୍କ ଭଳି ନଡ଼ିଆରେ ମଧ୍ୟ ୩ଟି ସ୍ତର ଥାଏ । ପ୍ରଥମ ସ୍ତରଟି ଉପରି ଭାଗ ଥାଏ, ଯାହାକି କଞ୍ଚାବେଳେ ସବୁଜ ରଙ୍ଗର ଥାଏ ଏବଂ ଧିରେ ଧିରେ ପାକଳ ହେଲା ବେଳକୁ ଧୂଷର ରଙ୍ଗ ହୋଇଯାଇଥାଏ । ଏହି ଉପରି ଭାଗକୁ ଛଡ଼ାଇବା ପରେ ଏହାକୁ ନଡ଼ିଆ କତା ରୂପେ ବ୍ୟବ‌ହାର କାରଯାଏ । ମଝି ସ୍ତରଟି ବ‌ହୁତ ଟାଣ ହୋଇଥାଏ । ଏହାକୁ ଷଢ଼େଇ ଭାବରେ ବ୍ୟବ‌ହାର କରାଯାଏ । ଏହି ସ୍ତର ଉପରେ ୨ଟି ଆଖି ସଦୃଶ କଣା ରହିଥାଏ, ଯାହାକି ଏକ ନରମ ଆବରଣ ଦ୍ୱାରା ବନ୍ଦ ହୋଇଥାଏ । ଏବଂ ଶେଷ ସ୍ତରଟି ହେଉଛି ନଡ଼ିଆର ମୁଖ୍ୟ ଦରକାରୀ ସ୍ତର । ଏହି ସ୍ତରରେ ନଡ଼ିଆର ପାଣି ସମେତ ଧଳା ରଙ୍ଗର ଏକ ସ୍ତର ଥାଏ, ଯାହାକୁ ଆମେ ବିଭିନ୍ନ ଖାଦ୍ୟ ଦ୍ରବ୍ୟ ରୂପେ ବ୍ୟବ‌ହାର କରିଥାଉ । ଏହି ସ୍ତରରେ ଥିବା ନଡ଼ିଆ ମୁଖ୍ୟତଃ ଭଗବାନଙ୍କ ପାଖରେ ଲାଗୁଥିବା ଭୋଗରେ ବ୍ୟବ‌ହାର ହୋଇଥାଏ । ଏଥିରୁ ମଧ୍ୟ ଅନେକ ପ୍ରକାରର ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରାଯାଏ ।

ନଡ଼ିଆ କଞ୍ଚା ଥିବା ବେଳେ ଏହା ପଇଡ଼ ବା ଡାବ ଭାବରେ ଜଣାଯାଏ । ଏହାକୁ ମୁଖତଃ ଉଠାଦୋକାନୀମାନେ ବିକ୍ରି କରନ୍ତି । ଏହି ପଇଡ଼ ପାଣି ଶରୀର ପ୍ରତି ଲାଭଦାୟକ ବୋଲି ଗଣନା କରାଯାଏ ।

ପଇଡ଼

ଚାଷ[ସମ୍ପାଦନା]

ନଡ଼ିଆ ଫଳମାନଙ୍କ ଭିତରେ ଶ୍ରେଷ୍ଠଭାବେ ପରିଗଣିତ ହେଉଥିବାରୁ ଏହାର ଅନ୍ୟନାମ ଶ୍ରୀଫଳ । ନଡ଼ିଆ ଫସଲ ବ୍ୟକ୍ତି ବା ପରିବାରର ଗୋଟିଏ ମୁଖ୍ୟ ଆୟ ନୁହେଁ । କିନ୍ତୁ ସହାୟକ ଆୟ ଭାବରେ ଖୁବ୍ ସହଯୋଗୀ । ପୂର୍ବେ ଏହା ଏକ ଦୀର୍ଘମିଆଦି ଫସଲ ଥିଲା । ଏବେ କିନ୍ତୁ ୫/୭ ବର୍ଷରେ ନଡ଼ିଆ ଗଛରେ ଫଳ ଆସୁଛି । ଗୋଟିଏ ପରିବାରର ୧୦ ଗୋଟି ଗଛ ରହିଲେ ପରିବାର ମାସିକ ଆୟରେ ଅତି କମରେ ହଜାରେ ଟଙ୍କା ଯୋଡ଼ାଯାଇ ପାରିଥାଏ । ଏହି ଗଛ ବଢ଼ାଇବାରେ ଆଦୌ ବା ବିଶେଷ ପରିଶ୍ରମ ନାହିଁ । ସାମାନ୍ୟ ଯତ୍ନରେ ଏହା ବଢ଼ିଥାଏ । କେବଳ ଯାହା ଗଛ ଝାଡ଼ିବା ଓ ଫଳ ପାରିବା(ତୋଳିବା) କାର୍ଯ୍ୟ ପାଇଁ କୁଶଳୀ ଲୋକ ଦରକାର ହୋଇଥାନ୍ତି ।[୩]

ଅନୁକୂଳ ପରିବେଶ[ସମ୍ପାଦନା]

ନଡ଼ିଆ ଗଛଗୁଡ଼ିକୁ ମୁଖ୍ୟତଃ ଶୁଷ୍କ ଜଳବାୟୁରେ ଲଗାଇବା ଭାରି କଷ୍ଟ ହୋଇଥାଏ ଏବଂ ଶୁଷ୍କ ଜଳବାୟୁରେ ନଡ଼ିଆ ଗଛଗୁଡ଼ିକ ଭଲ ଭାବରେ ବଢ଼ିପାରେ ନାହିଁ । ନଡ଼ିଆ ଗଛଗୁଡ଼ିକ ଉତ୍ତମରୂପେ ବଢ଼ିବାକୁ ହେଲେ ଅନବରତ ଜଳସେଚନ ଦରକାର । ଏହି ଗଛଗୁଡ଼ିକୁ ଜଳର ଅଭାବ ହେଲେ ଏହାର ପତ୍ରଗୁଡ଼ିକ ମୁଖ୍ୟତଃ ଭଲଭାବରେ ଖୋଲିପାରେ ନାହିଁ ଏବଂ ଫଳଗୁଡ଼ିକ ବଡ଼ ହୁଏ ନାହିଁ ।[୪]

ଅମଳ[ସମ୍ପାଦନା]

ନଡ଼ିଆ ଗୁଡ଼ିକ ମୁଖ୍ୟତଃ ପାକଳ ହେବା ପରେ ହିଁ ଅମଳ କରାଯାଏ । କିନ୍ତୁ କେବେ କେବେ ପଇଡ଼ ମଧ୍ୟ ତୋଳିବାକୁ ହୋଇଥାଏ । ପଇଡ଼ଗୁଡ଼ିକ ମୁଖ୍ୟତଃ କଞ୍ଚାଥିବା ବେଳେ ଅମଳ କରାଯାଏ । ନଡ଼ିଆ ପାକଳ ହେଲା ପରେ ତାକୁ ଅମଳ କରି କତାକୁ ବାହାର କରାଯାଏ । ଏହା ପରେ ଏହି ନଡ଼ିଆକୁ ବିକ୍ରିପାଇଁ ପଠାଇଦିଆଯାଏ ।

ବ୍ୟବହାର[ସମ୍ପାଦନା]

ନଡ଼ିଆ ଫଳ ଓ ପାଣିର ବ୍ୟବହାର ସହିତ ପ୍ରାଚୀନ ଓଡ଼ିଶାରେ ନଡ଼ିଆ ଗଛ ଗଣ୍ଡିକୁ ପାଣି ବୁହାଇବା ନୋଧା ବା ସେଣାଭାବେ, ପତ୍ରକୁ ଗରୀବର ବିଛଣା ଭାବେ (ଚାଞ୍ଚରା), ନଡ଼ିଆ ଖଡ଼ିକାକୁ ଛାଞ୍ଚୁଣି ଭାବେ, ଏପରିକି ନଡ଼ିଆ ଷଢ଼େଇ, ନଡ଼ିଆ କତାର ବ୍ୟବହାର ଅନେକ ଭାବରେ ହେଉଥିଲା । ଏବେ ତା’ର ଅତ୍ୟାଧୁନିକ ବ୍ୟବହାର ହେବାର ଦେଖାଯାଉଛି । ନଡ଼ିଆ କତା ନଡ଼ିଆ ଖୋଳରୁ ଅନେକ ଅତ୍ୟାଧୁନିକ ବ୍ୟବହାର୍ଯ୍ୟ ଜିନିଷ ପ୍ରସ୍ତୁତ ହୋଇ ବଜାରରେ ମିଳୁଛି ।[୩]

ନଡ଼ିଆ ଏପରି ଏକ ଫଳ ଅନେକ ଦିନ ପର୍ଯ୍ୟନ୍ତ ରହିଥାଏ । ଏଥିରୁ ତେଲ ବାହାର କରାଯାଇଥାଏ । ଏହା ଏକ ପ୍ରମୁଖ ତୈଳବୀଜ (ଫଳ) ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଯଦିଓ କେରଳ ପରି ରାଜ୍ୟରେ ରାନ୍ଧଣାରେ ନଡ଼ିଆ ତେଲର ବ୍ୟବହାର ପ୍ରାୟତଃ ଦେଖାଯାଇଥାଏ ଓଡ଼ିଶାର ରୋଷେଇରେ ଏହାର ବ୍ୟବହାର ଆଦୌ ନାହିଁ କହିଲେ ଚଳେ । କାରଣ ଓଡ଼ିଶାରେ ରାନ୍ଧଣା ତେଲ ଭାବେ ସୋରିଷ, ସୂର୍ଯ୍ୟମୁଖୀ, ବାଦାମ, ଅଳସୀ, ଆଦିର ବ୍ୟବହାର ବେଶୀ, ଯେହେତୁ ଏସବୁର ଆମଦାନୀ ରାଜ୍ୟରେ ଅଧିକ ଥିବାର ଦେଖିବାକୁ ମିଳିଥାଏ ।[୩]

ନଡ଼ିଆ ଚାଷର ପ୍ରାଚୀନତା ନିଶ୍ଚୟ ଉପକୂଳବର୍ତ୍ତୀ ଅଞ୍ଚଳରେ ଗଢ଼ି ଉଠିଥିବା ସଭ୍ୟତା ସହିତ ଯୋଡି ହୋଇରହିଛି । କାରଣ ଓଡ଼ିଶାର ପ୍ରସିଦ୍ଧ ବଇଆ କୋରା, ନଡ଼ିଆ ବ୍ୟତୀରେକେ ପ୍ରସ୍ତୁତ ହୋଇପାରିବ ନାହିଁ । ଏପରିକି ଚିନି ବ୍ୟବହାର ପୂର୍ବରୁ କୋରାର ପ୍ରସ୍ତୁତି ଗୁଡ଼ରେ ହେଉଥିଲା । ଓଡ଼ିଆଣୀଙ୍କ ସମସ୍ତ ପିଠାପଣାରେ ନଡ଼ିଆର ବ୍ୟବହାର ବହୁ ପ୍ରାଚୀନକାଳରୁ ରହି ଆସିଛି ।[୩]

ରୋଷେଇ[ସମ୍ପାଦନା]

ନଡ଼ିଆରୁ ବିଭିନ୍ନ ପ୍ରକାରର ରୋଷେଇ କରାଯାଏ । ନଡ଼ିଆକୁ ବିଭିନ୍ନ ତରକାରୀରେ ବ୍ୟବ‌ହାର କରାଯାଏ । ପ୍ରାୟ ଅନେକ ନିରାମିଷ ଖାଦ୍ୟପେୟରେ ଓଡ଼ିଆ ଘରେ ନଡ଼ିଆର ବ୍ୟବ‌ହାର ଦେଖିବାକୁ ମିଳେ । ନଡ଼ିଆରୁ ପ୍ରସ୍ତୁତ ହେଉଥିବା ନଡ଼ିଆ ଚଟଣି ମଧ୍ୟ ଅନେକ ସ୍ଥାନରେ ଦେଖିବାକୁ ମିଳେ । ନଡ଼ିଆରୁ ପ୍ରସ୍ତୁର ଖିର ମଧ୍ୟ ଅନେକ ତରକାରୀରେ ବ୍ୟବ‌ହାର କରାଯାଏ । ଖିରି, ପିଠା, ମଣ୍ଡା ଆଦିରେ ମଧ୍ୟ ନଡ଼ିଆର ବ୍ୟବ‌ହାର କରାଯାଏ । ନଡ଼ିଆରୁ ପ୍ରସ୍ତୁତ କୋରା ମଧ୍ୟ ଅନେକ ଦେବଦେବୀଙ୍କ ମନ୍ଦିରରେ ପାଖରେ ବିକ୍ରୟ କରାଯାଏ ।

ଦେବାଦେବୀଙ୍କ ପାଖରେ[ସମ୍ପାଦନା]

ହିନ୍ଦୁ ଧର୍ମରେ ସବୁଦେବାଦେବୀଙ୍କୁ ଆବାହନ କରିବାବେଳେ ନଡ଼ିଆର ଆବଶ୍ୟକତା ପଡ଼ିଥାଏ । ପ୍ରତ୍ୟେକ ଦେବାଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରିବାବେଳେ ନଡ଼ିଆ ଭୋଗ ଲଗାଯାଇଥାଏ । କୌଣସି ଶୁଭକାର୍ଯ୍ୟର ପ୍ରାରମ୍ଭ କଲେ ପ୍ରଥମେ ନଡ଼ିଆ ଭଙ୍ଗାଯାଏ । ଭାରତରେ ମନ୍ଦିରରେ ପ୍ରମୁଖ ଦାନ ଭାବରେ ନଡ଼ିଆକୁ ଗ୍ରହଣ କରାଯାଏ । ବିବାହ, ବ୍ରତୋପନୟନ, ପର୍ବପର୍ବାଣୀ, ନୂତନ ଯାନବାହାନ କ୍ରୟବେଳେ ମଧ୍ୟ ଭଗବାନଙ୍କ ପାଖରେ ଶ୍ରୀଫଳ ସମର୍ପଣ କରାଯାଏ । ଯଜ୍ଞବେଳେ କୁଣ୍ଡରେ ନଡ଼ିଆ ପକାଇବାର ବିଧି ମଧ୍ୟ ରହିଛି । ଏହି ପରମ୍ପରା ଆଦି ଯୁଗରୁ ରହିଆସିଛି । ଘର ପ୍ରଙ୍ଗଣରେ କଳସଟିଏ ହେଉ କିମ୍ବା ଦେବତା ମାନଙ୍କ ଉଦେଶ୍ୟରେ କଳସଟିଏ ହେଉ, ତା' ଉପରେ ନଡ଼ିଆଟିଏ ରଖାଯାଇଥାଏ । ସମସ୍ତ କର୍ମ ତ‌ଥା ଆରାଧନାରେ ନଡ଼ିଆ ସ୍ଥାନ ସର୍ବାଗ୍ରେ ।

ଦେବାଦେବୀଙ୍କ ପାଖରେ ଲାଗିହେଉଥିବା ଭୋଗ ମଧ୍ୟରେ ନଡ଼ିଆ ବା ନାରିକେଳ ସର୍ବଦା ବ୍ୟବ‌ହାର ହୋଇଥାଏ । ନଡ଼ିଆରେ ଥିବା ତିନୋଟି ଆଖିକୁ ଶିବଙ୍କ ନୟନତ୍ରୟ ବୋଲି ଗଣାଯାଏ । ନଡ଼ିଆକୁ ଏକ ମନୁଷ୍ୟର ମୁଣ୍ଡ ଭାବରେ ଗ୍ରହଣ କରାଯାଏ ଏବଂ ନଡ଼ିଆ ଭାଙ୍ଗିବାକୁ ଅହଙ୍କାର ଭଙ୍ଗ ବୋଲି କେତେକ ମତ ଦେଇଛନ୍ତି ।[୫]

ଔଷଦୀୟ ଗୁଣ[ସମ୍ପାଦନା]

ନଡ଼ିଆ ପାଣି ଆମ ଶରୀର ପାଇଁ ହିତକାରକ । ନଡ଼ିଆ ପାଣିରେ ଖଣିଜ ଲବଣ ଭରପୂର ହୋଇଥାଏ । ନଡ଼ିଆ ପାଣି ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ । ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ । ଫଳରେ ଶରୀରରେ କୌଣସି ରୋଗ ହେବାର ଆଶଙ୍କା କମ ହୋଇଥାଏ । ଏହା ଆମ ଶରୀରର ମୋଟାପଣକୁ ବି ଦୂର କରିଥାଏ । ନଡ଼ିଆ ପାଣି ପିଇବା ଦ୍ୱାରା ଆମକୁ ବାରମ୍ବାର ଭୋକ ହୋଇ ନ ଥାଏ । ବିଶେଷ କରି ସକାଳେ ନଡ଼ିଆ ପାଣି ପିଇଲେ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ ।

ନଡ଼ିଆ ପାଣି ପିଇଲେ ଗଳଗଣ୍ଡ ଭଳି ମାରାତ୍ମକ ରୋଗ ଭଲ କରିବାରେ ସହାୟକ ହୋଇଥାଏ । ଆମ ଶରୀରରେ ବୃକକକୁ ସୁସ୍ଥ ରଖେ ନଡ଼ିଆ ପାଣି । ନଡ଼ିଆ ପାଣି ପିଇଲେ ୟୁରିନ ଇନଫେକ୍ସନ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା କମ ଥାଏ ।

କିଛି ଲୋକ ନଡ଼ିଆ ପାଣିରେ ଅଣ୍ଡା ଭିତରେ ଥିବା ଧଳାଅଂଶକୁ ମିଶାଇ ପିଇଥାନ୍ତି । କାରଣ ଅଣ୍ଡାର ଧଳାଅଂଶରେ ଅଧିକ ପ୍ରୋଟିନ ଓ କ୍ୟାଲସିୟମ ଭରପୂର ହୋଇ ରହିଥାଏ । ନଡ଼ିଆ ପାଣିରେ ଖଣିଜ ଲବଣ ଥାଏ । ଏହାକୁ ମିଶାଇ ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ । ନଡ଼ିଆ ପାଣି ଆମ ତ୍ୱଚା ମସୃଣ ଓ ଉଜ୍ଜଳ ରଖିଥାଏ ।[୬]

ଅନ୍ୟାନ୍ୟ ବ୍ୟବ‌ହାରମାନ[ସମ୍ପାଦନା]

  • ନଡ଼ିଆ ପତ୍ରରେ ବିଭିନ୍ନପ୍ରକାର ଖେଳନା ପ୍ରସ୍ତୁତ କରି ଛୋଟ ପିଲାମାନେ ଖଳନ୍ତି ।
  • ନଡ଼ିଆ ପତ୍ରରେ ଥିବା କଞ୍ଚିକୁ ବାହାର କରି ଗୁଛା କରି ବାନ୍ଧି ଘର, ଦାଣ୍ଡ ଆଦି ଓଳାଇବା କାର୍ଯ୍ୟରେ ବ୍ୟବ‌ହାର କରନ୍ତି । ଏହାକୁ ପ‌ହଁରା କୁହାଯାଏ ।
  • ନଡ଼ିଆ କତାରେ ରଶି ପ୍ରସ୍ତୁତ କରଯାଏ ।
  • ନଡ଼ିଆ ଷଢ଼େଇକୁ କେନ୍ଦରା ପ୍ରସ୍ତୁତିରେ ବ୍ୟବ‌ହାର କରାଯାଏ ।
  • ନଡ଼ିଆ ଗଛର ଗଣ୍ଡିକୁ ପାଣି ଉଠାଇବାରେ ବ୍ୟବ‌ହାର କରାଯାଏ ।
ନଡ଼ିଆ ପତ୍ରରୁ ପ୍ରସ୍ତୁତ ଖେଳନା

ଆଧାର[ସମ୍ପାଦନା]

  1. T. Pradeepkumar, B. Sumajyothibhaskar, and K.N. Satheesan. (2008). Management of Horticultural Crops (Horticulture Science Series Vol.11, 2nd of 2 Parts). New India Publishing. pp. 539–587. ISBN 978-81-89422-49-3.
  2. "How Long Does It Take for a Coconut Tree to Get Coconuts?". Home Guides - SF Gate. 
  3. ୩.୦ ୩.୧ ୩.୨ ୩.୩ "ଶ୍ରୀହୀନ ଶ୍ରୀଫଳର ଶ୍ରୀକ୍ଷେତ୍ର". ସାମାନ୍ୟ କଥନ. Retrieved 22 July 2016. 
  4. Chan, Edward and Craig R. Elevitch. (April 2006). Cocos nucifera (coconut) (version 2.1). In C.R. Elevitch (Ed.). Species Profiles for Pacific Island Agroforestry. Hōlualoa, Hawai‘i: Permanent Agriculture Resources (PAR).
  5. "Why do we use Coconut in Religious Ceremonies?". Hindu FAQ. Retrieved 22 July 2016. 
  6. "ରୋଗ ପ୍ରତିରୋଧ ଶକ୍ତି ବଢ଼ାଏ ନଡ଼ିଆ ପାଣି". Odisha Reporters. 2 April 2016. http://odishareporter.in/%E0%AC%B0%E0%AD%8B%E0%AC%97-%E0%AC%AA%E0%AD%8D%E0%AC%B0%E0%AC%A4%E0%AC%BF%E0%AC%B0%E0%AD%8B%E0%AC%A7-%E0%AC%B6%E0%AC%95%E0%AD%8D%E0%AC%A4%E0%AC%BF-%E0%AC%AC%E0%AD%9D%E0%AC%BE%E0%AC%8F-%E0%AC%A8/. Retrieved 22 July 2016. 

ବାହାର ତଥ୍ୟ[ସମ୍ପାଦନା]

 
Search Wikimedia Commons
   Wikimedia Commons has media related to: