ରାବଣାନୁଗ୍ରହ
ରାବଣାନୁଗ୍ରହ ରାବଣ ଅନୁଗ୍ରହ | |
---|---|
Affiliation | ଶୈବ ପୌରାଣିକ କାହାଣୀ |
Weapon | ତ୍ରିଶୂଳ |
ସ୍ୱାମୀ/ସ୍ତ୍ରୀ | ପାର୍ବତୀ |
ରାବଣାନୁଗ୍ରହ ବା ରାବଣାନୁଗ୍ରହ ମୂର୍ତ୍ତି ମହାଦେବ ଶିବଙ୍କ ରାବଣକୁ କ୍ଷମା ଦେବା ବା ଅନୁଗ୍ରହ ଦେଉଥିବା ରୂପର ଏକ ମୂର୍ତ୍ତି ।[୧]) “ରାବଣ” ଓ “ଅନୁଗ୍ରହ” ଶବ୍ଦର ସନ୍ଧିରୁ “ରାବଣାନୁଗ୍ରହ” ଶବ୍ଦର ସୃଷ୍ଟି । ଏହି ମୂର୍ତ୍ତି ବା ରୂପରେ ଶିବ ନିଜ ପତ୍ନୀ ଦେବୀ ପାର୍ବତୀଙ୍କ ସହ କୈଳାସ ପର୍ବତ ଉପରେ ବସିଥିବା ବେଳେ ଲଙ୍କା ଅଧିପତି ରାକ୍ଷସରାଜ ରାବଣ କୈଳାସ ପର୍ବତକୁ ଦୋହଲାଇବାର ଚେଷ୍ଟା କରୁଥାନ୍ତି । ଏହି ପରିପ୍ରକାଶକୁ ରାବଣ କୈଳାସ ପର୍ବତ ଦୋହଲାଇବା ବା ରାବଣ କୈଳାସ ପର୍ବତ ଉଠାଇବା ବୋଲି ମଧ୍ୟ କୁହାଯାଏ । ହିନ୍ଦୁ ଶାସ୍ତ୍ରାନୁସାରେ ଏକଦା ରାବଣ କୈଳାସକୁ ଉଠାଇ ନେବାକୁ ଚେଷ୍ଟା କରିଥିଲେ । ଶିବ ନିଜ ପାଦର ବୁଢ଼ା ଆଙ୍ଗୁଠିରେ କୈଳାସକୁ ଦବାଇ ଦେବାରୁ କୈଳାସ ସ୍ଥିର ରହିଲା ଓ ତାହା ତଳେ ରାବଣ ଚାପି ହୋଇ ରହିଗଲେ । ହଜାର ବର୍ଷ ପାଇଁ ରାବଣ ବନ୍ଦୀ ଅବସ୍ଥାରେ ରହି ଶିବଙ୍କ ଉଦ୍ଦେଶ୍ୟରେ ଗୀତ ଗାଇବାରୁ ଶିବ ପ୍ରସନ୍ନ ହେଲେ । ଅନୁଗ୍ରହ ପ୍ରଦାନ ପୂର୍ବକ ସେ ରାବଣଙ୍କୁ ଚନ୍ଦ୍ରହାସ ଖଡ୍ଗ ଓ ଏକ ପୂଜ୍ୟ ଲିଙ୍ଗ ପ୍ରଦାନ କରିଥିଲେ ।
ଗୁପ୍ତ ଯୁଗ (ଖ୍ରୀ. ୩୦୦-୬୦୦) ସମୟରେ ଏହି ଧାରା ଅତ୍ୟନ୍ତ ଲୋକପ୍ରିୟ ଥିଲା ଏବଂ ବହୁ କଳାକୃତିରେ ପ୍ରକାଶିତ ହୋଇଥିଲା ।[୨]
କଥାର ପୃଷ୍ଠଭୂମି
[ସମ୍ପାଦନା]ରାମାୟଣ ମହାକାବ୍ୟର ଉତ୍ତର କାଣ୍ଡରେ କୁହାଯାଇଛି : ଦଶାନନ ଓ ବିଂଶଭୂଜ ପରାକ୍ରମୀ ରାଜା ରାବଣ କୈଳାସ ପର୍ବତ ନିକଟରେ ଧନର ଦେବତା ଓ ସାବତ ଭାଇ କୁବେରଙ୍କ ଅଳକା ନଗରୀକୁ ଜୟ କଲେ ଓ ଏହାର ଲୁଣ୍ଠନ କଲେ । ବିଜୟ ପରେ ରାବଣ କୁବେରଙ୍କଠାରୁ ବଳପୂର୍ବକ ଅଧିକାର କରିଥିବା ପୁଷ୍ପକ ବିମାନରେ ନିଜ ରାଜ୍ୟ ଲଙ୍କାକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ସେ ସମୟରେ ସେ ଏକ ମନୋରମ ସ୍ଥାନ ଦେଖିଲେ ଯାହା ଉପର ଦେଇ ବିମାନ ଉଡ଼ିପାରିଲା ନାହିଁ । ରାବଣ ଶିବଙ୍କ ଅନୁଗାମୀ ଓ ବାହନ ନନ୍ଦୀଙ୍କୁ ଭେଟିଲେ ଓ ପର୍ବତ ଉପର ଦେଇ ବିମାନ ଉଡ଼ିନପାରିବାର କାରଣ ପଚାରିଲେ । ନନ୍ଦୀ ରାବଣଙ୍କୁ ଜଣାଇ ଦେଲେ ଯେ ପ୍ରଭୂ ଶିବଶଙ୍କର ଓ ମାତା ପାର୍ବତୀ କୈଳାସ ଉପରେ ରତିକ୍ରୀଡ଼ା କରୁଥିବାରୁ ଏହା ଉପର ଦେଇ କେହି ଉଡ଼ି ଯାଇ ପାରିବେ ନାହିଁ । ରାବଣ ଏ କଥା ଶୁଣି ଶିବ ଓ ନନ୍ଦୀଙ୍କୁ ତାଚ୍ଛଲ୍ୟ କଲେ । ନିଜ ପ୍ରଭୁଙ୍କ ଅପମାନରେ କ୍ରୋଧିତ ହୋଇ ବାନରମାନଙ୍କ ହାତରେ ନାଶ ଯିବା ପାଇଁ ନନ୍ଦୀ ରାବଣଙ୍କୁ ଅଭିଶାପ ଦେଲେ । ଆଗକୁ ବଢ଼ି ନପାରିବା ଏବଂ ନନ୍ଦୀର ଅଭିଶାପରେ କ୍ରୋଧାନ୍ୱିତ ହୋଇ ରାବଣ କୈଳାସ ପର୍ବତକୁ ଉପାଡ଼ି ଦେବାକୁ ଇଚ୍ଛା କଲେ । ସେ ନିଜର ୨୦ ବାହୁର ବଳ ପ୍ରୟୋଗ କରି କୈଳାସକୁ ଉଠାଇବାକୁ ଲାଗିଲେ । କୈଳାସ ପର୍ବତ ଦୋହଲିବାରୁ ମାତା ପାର୍ବତୀ ଡରରେ ଶିବଙ୍କୁ ଆଲିଙ୍ଗନ କରି ରହିଲେ । କିନ୍ତୁ ଭଗବାନ ଶିବ ସର୍ବଜ୍ଞ ଓ ସେ ରାବଣର କାର୍ଯ୍ୟକଳାପ ଜାଣିପାରିଲେ । ନିଜ ପାଦର ବୁଢ଼ା ଆଙ୍ଗୁଠିରେ ସେ କୈଳାସକୁ ଦବାଇ ଯଥାପୂର୍ବ ସ୍ଥାନରେ ରଖିବା ସହ ଏହା ତଳେ ରାବଣଙ୍କୁ ଦବାଇ ବନ୍ଦୀ କରି ରଖିଲେ । ରାବଣ ଉଚ୍ଚ ସ୍ୱରରେ ବିଳାପ କରିବାକୁ ଲାଗିଲେ । ନିଜ ମନ୍ତ୍ରୀଗଣଙ୍କ ଉପଦେଶ କ୍ରମେ ସେ ହଜାର ବର୍ଷ ଧରି ଶିବଙ୍କ ପାଇଁ ଗୀତ ଓ ମନ୍ତ୍ର ଗାଇଲେ । ଶେଷରେ ଶିବ ପ୍ରସନ୍ନ ହୋଇ ରାବଣଙ୍କୁ କ୍ଷମା ପ୍ରଦାନ କଲେ ଏବଂ ତାଙ୍କୁ ଚନ୍ଦ୍ରହାସ ଖଡ୍ଗ ଉପହାର ଦେଲେ । କୈଳାସ ତଳେ ଦବିଯାଇ କାନ୍ଦିଥିବାରୁ ତାଙ୍କର ନାମ “ରାବଣ” ହେଲା ।[୩][୪] ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁଯାୟୀ ଯେ ନିଜେ ଉଚ୍ଚ ସ୍ୱରରେ ରାବ (କ୍ରନ୍ଦନ) କରେ ବା ଯେ ଅନ୍ୟକୁ ଉଚ୍ଚୈଃସ୍ୱରରେ କନ୍ଦାଏ ତାହାକୁ “ରାବଣ” କୁହନ୍ତି ।[୫]
ଏହି କିମ୍ବଦନ୍ତୀର ତାମିଲ ରୂପାନ୍ତରଣରେ କଥିତ ଅଛି ଯେ କୈଳାସ ପର୍ବତ ତଳେ ଦବି ବନ୍ଦୀ ହୋଇଯିବା ପରେ ରାବଣ ନିଜର ଏକ ମୁଣ୍ଡ, ହାତ, ମାସପେଶୀର ରଜ୍ଜୁ କାଟି ସେଥିରେ ଏକ ବୀଣା ପ୍ରସ୍ତୁତ କଲେ ଓ ଶିବଙ୍କ ଉଦ୍ଦେଶ୍ୟରେ ସୁନ୍ଦର ଗୀତ ଗାଇବାରେ ଲାଗିଲେ । ଏଥିରେ ଶିବ ସନ୍ତୁଷ୍ଟ ହୋଇ ରାବଣଙ୍କୁ କ୍ଷମା କଲେ ଓ ଲଙ୍କାରେ ପ୍ରତିଷ୍ଠା କରି ପୂଜା କରିବା ପାଇଁ ଏକ ଶକ୍ତିଶାଳୀ ଶିବଲିଂଗ ପ୍ରଦାନ କଲେ । କିନ୍ତୁ ଶିବ ଏକ ସର୍ତ୍ତ ରଖିଲେ ଯେ ଲିଂଗଟି ଭୂପୃଷ୍ଠରେ ଯେଉଁଠି ଥରେ ରଖାଯିବ, ତାହା ସେଠାରେ ସର୍ବଦା ପାଇଁ ରହିବ । ଶିବଙ୍କ ପୁତ୍ର ଗଣେଶଙ୍କ ସହ ମିଶି ଦେବତାମାନେ ଏକ ଫନ୍ଦି ପାଞ୍ଚିଲେ । ଅସୁବିଧାରେ ପଡ଼ି ରାବଣଙ୍କୁ ଶିବଲିଙ୍ଗଟିକୁ ଆଉ ଜଣେ ବ୍ରାହ୍ମଣଙ୍କୁ ଦେବାକୁ ପଡ଼ିଲା ଯେ କି ଲିଙ୍ଗଟିକୁ ସେହିଠାରେ ତଳେ ରଖିଦେଲେ । ଗୋକର୍ଣ୍ଣାର ମହାବଳେଶ୍ୱର ମନ୍ଦିର କିମ୍ବା ବାଲେଶ୍ୱରର କୁମ୍ଭାରଗଢ଼ି ମଧ୍ୟରୁ କୌଣସି ଏକ ସ୍ଥାନରେ ସେହି ଶିବଲିଙ୍ଗଟିକୁ ରଖାଯାଇଥିବା ବିଶ୍ୱାସ କରାଯାଏ ।[୬]
ରାବଣାନୁଗ୍ରହର ମୂର୍ତ୍ତିରେ ପରିପ୍ରକାଶ
[ସମ୍ପାଦନା]-
କାମ୍ବୋଡ଼ିଆର ବାନ୍ତେ ଶ୍ରାଇ ମନ୍ଦିରରେ ରାବଣାନୁଗ୍ରହ ମୂର୍ତ୍ତି
-
ଏଲୋରା ଗୁମ୍ଫା ନମ୍ବର ୨୧ରେ ରାବଣାନୁଗ୍ରହ ପ୍ରତିମୂର୍ତ୍ତି
-
ମଦୁରାଇର ଏକ ମନ୍ଦିରରେ ରାବଣାନୁଗ୍ରହ ମୂର୍ତ୍ତି
-
ବେଳୁର୍ ଚନ୍ନକେଶବ ମନ୍ଦିରରେ ରାବଣାନୁଗ୍ରହ ମୂର୍ତ୍ତି
-
ପଟ୍ଟାଡ଼କ୍କାଲରେ ରାବଣାନୁଗ୍ରହ ମୂର୍ତ୍ତି
-
ଏଲୋରା ଗୁମ୍ଫା ନମ୍ବର ୨୯ରେ ରାବଣାନୁଗ୍ରହ ପ୍ରତିମୂର୍ତ୍ତି
-
ଏଲୋରା ଗୁମ୍ଫାସ୍ଥିତ କୈଳାସ ମନ୍ଦିରରେ ରାବଣାନୁଗ୍ରହ ପ୍ରତିମୂର୍ତ୍ତି
-
ହାଲେବିଡ଼ୁ ମନ୍ଦିରର ରାବଣାନୁଗ୍ରହ ମୂର୍ତ୍ତି
-
ଏଲିଫ୍ୟାଣ୍ଟା ଗୁମ୍ଫାର ରାବଣାନୁଗ୍ରହ ମୂର୍ତ୍ତି
-
ଦିଲ୍ଲୀର ସିରି ଫୋର୍ଟ ସଂଗ୍ରହାଳୟରେ ଥିବା ଏକ ରାବଣାନୁଗ୍ରହ ମୂର୍ତ୍ତି
-
ଓହାଇଓ କ୍ଲିଭ୍ଲ୍ୟାଣ୍ଡ ସଂଗ୍ରହାଳୟରେ ଥିବା ଏକ ରାବଣାନୁଗ୍ରହ ମୂର୍ତ୍ତି । ମୂଳ ମୂର୍ତ୍ତିଟି ମଧ୍ୟପ୍ରଦେଶର ଏକ ମନ୍ଦିରର ।
-
ମଥୁରାର ସଂଗ୍ରହାଳୟରେ ଥିବା ଗୁପ୍ତ ଯୁଗର ଏକ ରାବଣାନୁଗ୍ରହ ମୂର୍ତ୍ତି
ଏହି ମୂର୍ତ୍ତିରେ ଶିବ ଓ ପାର୍ବତୀ କୈଳାସ ପର୍ବତ ଉପରେ ବସିଥିବାର ଓ ପର୍ବତର ପାଦଦେଶରେ ରାବଣ ଏହାକୁ ଉଠାଇବାକୁ ଚେଷ୍ଟିତ ଥିବା ଦର୍ଶାଯାଇଥାଏ ।
କୈଳାସ ପର୍ବତର ଉପର ପାର୍ଶ୍ୱରେ ଶିବଙ୍କ ଚତୁର୍ଭୂଜ ବା ଦ୍ୱିଭୂଜ ମୂର୍ତ୍ତି ରହିଥାଏ । ଶିବଙ୍କ ବାମ ପାର୍ଶ୍ୱରେ ପାର୍ବତୀ ନିଜ ଦୁଇ ହାତରେ ଶିବଙ୍କୁ ଡରରେ ଆଲିଙ୍ଗନ କରିଥାନ୍ତି ।[୭] ନିଜ ପତ୍ନୀଙ୍କୁ ଆଶ୍ୱସ୍ତ କରୁଥିବା ଶିବଙ୍କ ମୁଖମଣ୍ଡଳ ଶାନ୍ତ ଥାଏ ଓ ସେ ମଧ୍ୟ ନିଜ ପତ୍ନୀଙ୍କୁ ଗୋଟିଏ କିମ୍ବା ଦୁଇ ହାତରେ ଆଲିଙ୍ଗନ କରି ଧରିଥାନ୍ତି ।[୮] ଶିବଙ୍କ ମୁଣ୍ଡରେ ଜଟାର ମୁକୁଟ ଥିବା ବେଳେ ପାର୍ବତୀଙ୍କ ମୁଣ୍ଡର କେଶ ସୁନ୍ଦର ଭାବେ ବିନ୍ୟସ୍ତ ଥାଏ । ଶିବଙ୍କ ଉପର ହାତରେ ତ୍ରିଶୂଳ ଥିବା ବେଳେ ତାଙ୍କ ତଳ ହାତର ଆଙ୍ଗୁଠିଗୁଡ଼ିକ ଅଭୟମୁଦ୍ରାରେ (ଭୟହୀନ ମୁଦ୍ରା) ଥାଏ । ଶିବ-ପାର୍ବତୀ ଏକ ପଦ୍ମ ଉପରେ ବସିଥାନ୍ତି କିମ୍ବା ସେମାନଙ୍କ ପାଦ ଏକ ପଦ୍ମ ଫୁଲ ଉପରେ ରହିଥାଏ । କିଛି ମୂର୍ତ୍ତିରେ ପାର୍ବତୀ ଶିବଙ୍କ ବାମ ଜଙ୍ଘରେ ବସିଥାନ୍ତି । କିଛି ମୂର୍ତ୍ତିରେ ଶିବ ପାର୍ବତୀଙ୍କ ଥୋଡ଼ିକୁ ଆଦର ସହକାରେ ସ୍ପର୍ଶ କରିଥାନ୍ତି ।[୭]
ଏହି ମୂର୍ତ୍ତିରେ କୈଳାସ ପର୍ବତକୁ ଏକ ପଥର ଗଦା ବା ଏକ ବେଦୀ, ମଞ୍ଚ ଆକାରରେ ଦର୍ଶାଯାଇଥାଏ । କିଛି ମୂର୍ତ୍ତିରେ ଏହା ଏକାଧିକ ସ୍ତରବିଶିଷ୍ଟ ହୋଇଥାଏ । ପରବର୍ତ୍ତୀ କାଳର ମୂର୍ତ୍ତିମାନଙ୍କରେ ଆକାଶରେ ଦେବାଦେବୀ, ଭୃତ୍ୟ, ଋଷି, ପଶୁ ପ୍ରଭୃତି ମଧ୍ୟ ପ୍ରଦର୍ଶିତ ହୋଇଛନ୍ତି ।[୭][୮] କିଛି ମୂର୍ତ୍ତିରେ ଶିବଙ୍କ ପରିଚାରକ, ପାର୍ବତୀଙ୍କ ପରିଚାରିକା ଏବଂ ବାମନାକାର ଶିବଗଣ ମଧ୍ୟ ସ୍ଥାନ ପାଇଥାନ୍ତି । ଆକାଶରେ ଅପସରା ଓ ଦେବାଦେବୀ ଉଡ଼ି ଶିବ-ପାର୍ବତୀଙ୍କୁ ପ୍ରଶଂସା କରୁଥିବା କିଛି ମୂର୍ତ୍ତିରେ ଦେଖିବାକୁ ମିଳେ ।[୮] ଅନ୍ୟାନ୍ୟ ଉଲ୍ଲେଖନୀୟ ପରିପ୍ରକାଶ ମଧ୍ୟରେ କୈଳାସ ଉପରେ ଶିବଙ୍କ ବାହନ ନନ୍ଦୀ ଷଣ୍ଢ, ପାର୍ବତୀଙ୍କ ବାହନ ସିଂହ ଓ ଶିବ-ପାର୍ବତୀଙ୍କ ଦୁଇ ପୁତ୍ର ଗଣେଶ ଓ କାର୍ତ୍ତିକେୟ ଉପସ୍ଥିତ ଥିବା ଅନ୍ୟତମ (ଯଥା – ଏଲୋରା ଗୁମ୍ଫାର ମୂର୍ତ୍ତି)। କିଛି ମୂର୍ତ୍ତିରେ ପର୍ବତ ଦୋହଲିବା ଯୋଗୁଁ ପଶୁ ଓ ଭୃତ୍ୟମାନେ ଡରରେ ଦୌଡ଼ିବା, ରାବଣ ଉପରକୁ ପଥର ଓ ଅସ୍ତ୍ର ଫିଙ୍ଗି ଆକ୍ରମଣ କରିବା ମଧ୍ୟ ଦର୍ଶିତ ହୋଇଛି (ଯଥା – କାମ୍ବୋଡ଼ିଆର ବାନ୍ତେ ଶ୍ରାଇ ମନ୍ଦିରର ମୂର୍ତ୍ତି)।[୭]
ରାବଣଙ୍କୁ ଏହି ମୂର୍ତ୍ତିରେ ଦଶ ମୁଖବିଶିଷ୍ଟ (କିଛି ମୂର୍ତ୍ତିରେ କମ୍ ମୁଣ୍ଡ ବିଶିଷ୍ଟ) ଜଣେ ବଳିଷ୍ଠ ପୁରୁଷ ପର୍ବତ ଉଠାଉଥିବା ଭଙ୍ଗୀରେ ଦର୍ଶାଯାଇଥାଏ । କିଛି ମୂର୍ତ୍ତିରେ ରାବଣଙ୍କ ଦଶମ ମୁଣ୍ଡକୁ ଏକ ଗଧ ମୁଣ୍ଡଦ୍ୱାରା ମଧ୍ୟ ଦର୍ଶାଯାଇଥାଏ । କିଛି ଉଦାହରଣରେ ରାବଣଙ୍କ ବାହୁ ସଂଖ୍ୟା ୨୦ ତ ଆଉ କିଛି ମୂର୍ତ୍ତିରେ ଏହା ୨୦ରୁ କମ୍ । ରାବଣଙ୍କ ମୁଖମଣ୍ଡଳରେ ନିରାଶା ବା କଷ୍ଟର ଭାବ ଦର୍ଶାଯାଇଥାଏ । ରାବଣଙ୍କ ଉପର ପଟକୁ ଥିବା ହାତଗୁଡ଼ିକ ପର୍ବତକୁ ଧରିଥିବା ବେଳେ ତଳ ପଟର ହାତ ପାହାଡ଼ ପାଦଦେଶରେ ଭୂମି ଉପରେ ରହିଥାଏ । ଆଣ୍ଠୁ ମାଡ଼ି ନଇଁ ବସିଥିବା ରାବଣଙ୍କ ହାତରେ ଆୟୁଧ ମଧ୍ୟ ରହିପାରେ ।[୭] କିଛି ଚିତ୍ର ବା ମୂର୍ତ୍ତିରେ ରାବଣଙ୍କ ହାତରେ ଶିବଙ୍କ ପ୍ରଦତ୍ତ ଦିବ୍ୟ ଖଡ୍ଗ ମଧ୍ୟ ଦେଖାଯାଏ ।[୮] ଢାଲ, ଧନୁତୀର ଓ ବିଜୁଳି ଇତ୍ୟାଦିକୁ ମଧ୍ୟ ରାବଣଙ୍କ ଅସ୍ତ୍ର ପରି ଦର୍ଶାଯାଇଥାଏ । ରାବଣଙ୍କ ଶରୀର ନତ ଅବସ୍ଥାରେ ବା ଆଣ୍ଠୁ ମାଡ଼ି ବସିଥାଏ ।[୭]
ଆଧାର
[ସମ୍ପାଦନା]- ↑ Dallapiccola, Anna L. (2003). "Ravananugrahamurti". Dictionary of Hindu Lore and Legend. Thames & Hudson. ISBN 978-0-500-51088-9.
{{cite book}}
: Invalid|ref=harv
(help) (subscription required) - ↑ Brown, Robert L. (1991). Ganesh: Studies of an Asian God. Albany: State University of New York. p. 181. ISBN 0-7914-0657-1.
- ↑ Rao pp.217–8
- ↑ Kala pp.37–8
- ↑ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ.
- ↑ Donaldson, Thomas Eugene. Vyas, R. T. (ed.). Studies in Jaina Art and Iconography and Allied Subjects. Abhinav Publications. p. 170.
- ↑ ୭.୦ ୭.୧ ୭.୨ ୭.୩ ୭.୪ ୭.୫ Kala pp. 38–42
- ↑ ୮.୦ ୮.୧ ୮.୨ ୮.୩ Rao pp. 218–20
ପୁସ୍ତକ ଆଧାର
[ସମ୍ପାଦନା]- Kala, Jayantika (1988). Epic Scenes in Indian Plastic Art. Abhinav Publications.
- Rao, T.A. Gopinatha (1916). Elements of Hindu Iconography. Vol. 2: Part I. Madras: Law Printing House. OCLC 630452416.