ବାଲୁଙ୍କେଶ୍ୱର ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search
ବାଲୁଙ୍କେଶ୍ୱର ମନ୍ଦିର
ଭୌଗୋଳିକ ଅବସ୍ଥିତି
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଯାଜପୁର
ସ୍ଥାନକଷବା - ଷାଠିବାଟି

ବାଲୁଙ୍କେଶ୍ୱର ମନ୍ଦିର ଓଡ଼ିଶାର ଯାଜପୁର ଜିଲ୍ଲାର ଥିବା କଷବା-ଷାଠିବାଟିରେ ଅବସ୍ଥିତ ଏକ ପୁରାତନ ଶିବ ମନ୍ଦିର । ଏଠାରେ ବାଲୁଙ୍କେଶ୍ୱର ପୂଜା ପାଇଥାନ୍ତି । ଆଗରୁ କଷବାଷାଠିବାଟିରେ ବହୁଥିବା ଜୁଣେଇ ନଦୀର ଶୁଖିଲା ଶଯ୍ୟାରେ ଏହି ମନ୍ଦିରଟି ସ୍ଥାପନ ହୋଇଥିଲା । ଏହା ଏକାଦଶ ଶତାବ୍ଦୀରେ ସ୍ଥାପିତ ହୋଇଥିଲା । ଯାଜପୁରର କଇଆଁଗୋଲା ରାସ୍ତାର ମଙ୍ଗଳପୁରଠାରୁ ବଡକୁଆଁଲ ରାସ୍ତାରେ ୧.୫ କି.ମି.ଗଲେ ଥାଲକୁଡ଼ି ପଞ୍ଚାୟତର କଷବା ଏବଂ ପାଲଟପୁର ପଞ୍ଚାୟତର ଷାଠିବାଟିରେ ବାଲୁଙ୍କେଶ୍ୱର ମନ୍ଦିର ରହିଛି । [୧]

କିମ୍ବଦନ୍ତୀ[ସମ୍ପାଦନା]

ଜୁଣେଇ ନଦୀ ପୋତି ହୋଇଯିବା ପରେ ଏହାର ବାଲୁକା ଶଯ୍ୟାରୁ ବାଲୁଙ୍କେଶ୍ୱର ଆବିର୍ଭାବ ହୋଇଥିଲେ ବୋଲି ବିଶ୍ୱାସ କରାଯାଏ । ବାଲିରୁ ଆବିର୍ଭାବ ହୋଇଥିବାରୁ ତାଙ୍କ ନାମ ବାଲୁଙ୍କେଶ୍ୱର ହୋଇଥିବା ଜଣାଯାଏ । ବାଲୁଙ୍କେଶ୍ୱର ଭକ୍ତଙ୍କ ଇଚ୍ଛାପୂରଣ କରୁଥିବା ବିଶ୍ୱାସ ରହିଛି ।[୧]

ଇତିହାସ[ସମ୍ପାଦନା]

ଏକାଦଶ ଶତାବ୍ଦୀରେ ବୈତରଣୀ ନଦୀର ଶାଖା ଜୁଣେଇ ନଦୀ ଶଯ୍ୟା ଉପରେ ବାଲୁଙ୍କେଶ୍ୱର ମନ୍ଦିର ସ୍ଥାପିତ ହୋଇଥିଲା । ପ୍ରଥମେ ବାଲୁଙ୍କେଶ୍ୱର ଏକ ଚାଳଘରେ ଅବସ୍ଥାନ କରୁଥିଲେ । ୨ଟି ମୌଜାର ବିଜେସ୍ଥଳ କଷବାଷାଠିବାଟିର ସୀମା ମଧ୍ୟରେ ଏହା ଅବସ୍ଥିତ । ସାତଶେଣିଆ କାଠ ଓ କଦଳୀ କାନ୍ଦିରେ କାଠ ଖଞ୍ଜି ଏହି ଘର ତିଆରି ହୋଇଥିଲା । ସେହି ଘରେ ବାଲୁଙ୍କେଶ୍ୱରଙ୍କ ପୂଜା ହେଉଥିଲା । ଓଡ଼ିଶାର ଜମିଦାରୀ ଶାସନ ଉଚ୍ଛେଦ ପରେ ବ୍ରାହ୍ମଣମାନେ ତାଙ୍କ ପୂଜା କରୁଥିଲେ । ଝିଙ୍ଗାରପୁର ଜମିଦାରୀ ଅଧୀନରେ ଷାଠିବାଟି ଥିଲା । ପରେ ଜମିଦାରୀ ଉଚ୍ଛେଦ ହେବା ପରେ ଥାଲକୁଡ଼ିର ଜମିଦାର ଫକିର ଚରଣ ସାହୁଙ୍କ ହାତକୁ ଷାଠିବାଟି ଆସିଲା । ଥାଲକୁଡ଼ି କଷବାର ପରିବାରଗଣ ଶ୍ରୀଚରଣ ପଣ୍ଡା, ଚାଉଳିଆର କାମଦେବ ପଣ୍ଡାଙ୍କ ପରିବାର, ବିଲସାହିର ବଳରାମ ପଣ୍ଡା ଏବଂ ବିଶ୍ୱନାଥ ପଣ୍ଡାଙ୍କ ପରିବାର ବାଲୁଙ୍କେଶ୍ୱରଙ୍କ ପୂଜା କରିଆସୁଥିଲେ । ଜୁଣେଇ ନଦୀ ଅଧୁନା ପୋତି ହୋଇଯାଇଛି । ବାଲୁଙ୍କେଶ୍ୱର ବିଜେସ୍ଥଳୀରେ ୧୪ ଡେସିମିଲ ଜମି ଥିଲା । ପରେ ଏହା ଜବରଦଖଲ ଯୋଗୁ ସଙ୍କୁଚିତ ହୋଇଯାଇଛି । ବର୍ତ୍ତମାନର ମନ୍ଦିରଟି କଷବା ଷାଠିବାଟି ଏବଂ ଆଖପାଖ ଜନସାଧାରଣଙ୍କ ସହଯୋଗରେ ହୋଇଥିଲା । ଧନୀପୁର ଜମିଦାରୀ ଥିବାବେଳେ କଷବାରେ ଜମିଦାରଙ୍କର ସିରସ୍ତା ଏବଂ ପ୍ରଜାମାନଙ୍କ ମନୋରଞ୍ଜନ ନିମନ୍ତେ ମନ୍ଦିର ନିକଟରେଏକ ମଠ ଓ ଭାଗବତ ଗାଦି ଥିଲା । [୧]

ପୂଜା-ବିଧି[ସମ୍ପାଦନା]

ଏଠାରେ ଜାଗର ଅମାବାସ୍ୟାରେ ଅଖଣ୍ଡ ନାମ ସଂକୀର୍ତ୍ତନ ହୋଇଥାଏ । ମନ୍ଦିରଟି ପ୍ରତିଷ୍ଠା ହୋଇନଥିବାରୁ ମହାଦୀପ ମନ୍ଦିର ଉପରକୁ ନ ଉଠାଇ ଏକ କଦଳୀ ଗଛରେ ଦିଆଯାଉଛି । ଏଠାରେ ପ୍ରତିବର୍ଷ ଭାଗବତ ସପ୍ତାହ ଅନୁଷ୍ଠିତ ହୋଇଥାଏ । ଏହି ଦେବଦେବୀଙ୍କ ପୂଜା ବେଳେ ବାଲୁଙ୍କେଶ୍ୱରଙ୍କୁ କ୍ଷୀର, ମହୁ, ବେଲ ପତ୍ରରେ ଅଭିଷେକ କରାଯାଏ । ନିତି ବାଲୁଙ୍କେଶ୍ୱରଙ୍କ ସକାଳ ମଙ୍ଗଳାଳତି, ମଧ୍ୟାହ୍ଣ ନୀତିି, ସନ୍ଧ୍ୟା ଆରତି ଓ ରାତ୍ରୀ ନୀତିି ସମାପନ ହେବା ପରେ ପହୁଡ଼ ପଡିଥାଏ । ଆଖପାଖର ବିଭିନ୍ନ ଗାଁରୁ ଭକ୍ତମାନେ ବାଲୁଙ୍କେଶ୍ୱରଙ୍କୁ ଅଭିଷେକ କରିଥାନ୍ତି । [୧]

ପାର୍ଶ୍ୱଦେବତା[ସମ୍ପାଦନା]

ମନ୍ଦିର ପରିସର ମଧ୍ୟରେ ବାଲୁଙ୍କେଶ୍ୱରଙ୍କ ଡାହାଣକୁ ହନୁମାନ, ତାଙ୍କ ପାଖକୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଓ ତାଙ୍କ ପାଖରେ ମଙ୍ଗଳା, ବାମ ପାଖରେ ଦୁର୍ଗା ପୂଜାପାଉଛନ୍ତି । ଏହା ବ୍ୟତିତ ଅନତି ଦୂରରେ କଷବା ଗ୍ରାମରେ ମା' ବୁଢ଼ୀଜାଗୁଳେଈ ପୂଜା ପାଉଛନ୍ତି । [୧]

ଅଧିକ ପଠନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ନାୟକ, ଜୟପ୍ରକାଶ (୩୧ ଅଗଷ୍ଟ ୨୦୧୪). "ଭକ୍ତର ମନସ୍କାମନା ପୂରଣ କରନ୍ତି ବାବା ବାଲୁଙ୍କେଶ୍ୱର ମହାଦେବ". ସମାଜ. Retrieved ୧୨ ଅକ୍ଟୋବର ୨୦୧୪. Check date values in: |accessdate=, |date= (help)