ରାବଣାନୁଗ୍ରହ

ଉଇକିପିଡ଼ିଆ ରୁ
Jump to navigation Jump to search
ରାବଣାନୁଗ୍ରହ
ରାବଣ ଅନୁଗ୍ରହ
Ravananugraha.JPG
ରାବଣାନୁଗ୍ରହ, ଆନ୍ନାମଲାୟାର୍ ମନ୍ଦିର (ତିରୁବନମଲାଇ)
Affiliationଶୈବ ପୌରାଣିକ କାହାଣୀ
Weaponତ୍ରିଶୂଳ
Consortପାର୍ବତୀ

ରାବଣାନୁଗ୍ରହ ବା ରାବଣାନୁଗ୍ରହ ମୂର୍ତ୍ତି ମହାଦେବ ଶିବଙ୍କ ରାବଣକୁ କ୍ଷମା ଦେବା ବା ଅନୁଗ୍ରହ ଦେଉଥିବା ରୂପର ଏକ ମୂର୍ତ୍ତି ।[୧]) “ରାବଣ” ଓ “ଅନୁଗ୍ରହ” ଶବ୍ଦର ସନ୍ଧିରୁ “ରାବଣାନୁଗ୍ରହ” ଶବ୍ଦର ସୃଷ୍ଟି । ଏହି ମୂର୍ତ୍ତି ବା ରୂପରେ ଶିବ ନିଜ ପତ୍ନୀ ଦେବୀ ପାର୍ବତୀଙ୍କ ସହ କୈଳାସ ପର୍ବତ ଉପରେ ବସିଥିବା ବେଳେ ଲଙ୍କା ଅଧିପତି ରାକ୍ଷସରାଜ ରାବଣ କୈଳାସ ପର୍ବତକୁ ଦୋହଲାଇବାର ଚେଷ୍ଟା କରୁଥାନ୍ତି । ଏହି ପରିପ୍ରକାଶକୁ ରାବଣ କୈଳାସ ପର୍ବତ ଦୋହଲାଇବା ବା ରାବଣ କୈଳାସ ପର୍ବତ ଉଠାଇବା ବୋଲି ମଧ୍ୟ କୁହାଯାଏ । ହିନ୍ଦୁ ଶାସ୍ତ୍ରାନୁସାରେ ଏକଦା ରାବଣ କୈଳାସକୁ ଉଠାଇ ନେବାକୁ ଚେଷ୍ଟା କରିଥିଲେ । ଶିବ ନିଜ ପାଦର ବୁଢ଼ା ଆଙ୍ଗୁଠିରେ କୈଳାସକୁ ଦବାଇ ଦେବାରୁ କୈଳାସ ସ୍ଥିର ରହିଲା ଓ ତାହା ତଳେ ରାବଣ ଚାପି ହୋଇ ରହିଗଲେ । ହଜାର ବର୍ଷ ପାଇଁ ରାବଣ ବନ୍ଦୀ ଅବସ୍ଥାରେ ରହି ଶିବଙ୍କ ଉଦ୍ଦେଶ୍ୟରେ ଗୀତ ଗାଇବାରୁ ଶିବ ପ୍ରସନ୍ନ ହେଲେ । ଅନୁଗ୍ରହ ପ୍ରଦାନ ପୂର୍ବକ ସେ ରାବଣଙ୍କୁ ଚନ୍ଦ୍ରହାସ ଖଡ୍‍ଗ ଓ ଏକ ପୂଜ୍ୟ ଲିଙ୍ଗ ପ୍ରଦାନ କରିଥିଲେ ।

ଗୁପ୍ତ ଯୁଗ (ଖ୍ରୀ. ୩୦୦-୬୦୦) ସମୟରେ ଏହି ଧାରା ଅତ୍ୟନ୍ତ ଲୋକପ୍ରିୟ ଥିଲା ଏବଂ ବହୁ କଳାକୃତିରେ ପ୍ରକାଶିତ ହୋଇଥିଲା ।[୨]

କଥାର ପୃଷ୍ଠଭୂମି[ସମ୍ପାଦନା]

ରାବଣ ନିଜ ମୁଣ୍ଡର ବୀଣା ଧରି କୈଳାସ ତଳେ ବସିଥିବାର ଚିତ୍ର । କୈଳାସ ଉପରେ ଶିବ ଓ ପାର୍ବତୀ ଉପବିଷ୍ଟ ।

ରାମାୟଣ ମହାକାବ୍ୟର ଉତ୍ତର କାଣ୍ଡରେ କୁହାଯାଇଛି : ଦଶାନନ ଓ ବିଂଶଭୂଜ ପରାକ୍ରମୀ ରାଜା ରାବଣ କୈଳାସ ପର୍ବତ ନିକଟରେ ଧନର ଦେବତା ଓ ସାବତ ଭାଇ କୁବେରଙ୍କ ଅଳକା ନଗରୀକୁ ଜୟ କଲେ ଓ ଏହାର ଲୁଣ୍ଠନ କଲେ । ବିଜୟ ପରେ ରାବଣ କୁବେରଙ୍କଠାରୁ ବଳପୂର୍ବକ ଅଧିକାର କରିଥିବା ପୁଷ୍ପକ ବିମାନରେ ନିଜ ରାଜ୍ୟ ଲଙ୍କାକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ସେ ସମୟରେ ସେ ଏକ ମନୋରମ ସ୍ଥାନ ଦେଖିଲେ ଯାହା ଉପର ଦେଇ ବିମାନ ଉଡ଼ିପାରିଲା ନାହିଁ । ରାବଣ ଶିବଙ୍କ ଅନୁଗାମୀ ଓ ବାହନ ନନ୍ଦୀଙ୍କୁ ଭେଟିଲେ ଓ ପର୍ବତ ଉପର ଦେଇ ବିମାନ ଉଡ଼ିନପାରିବାର କାରଣ ପଚାରିଲେ । ନନ୍ଦୀ ରାବଣଙ୍କୁ ଜଣାଇ ଦେଲେ ଯେ ପ୍ରଭୂ ଶିବଶଙ୍କର ଓ ମାତା ପାର୍ବତୀ କୈଳାସ ଉପରେ ରତିକ୍ରୀଡ଼ା କରୁଥିବାରୁ ଏହା ଉପର ଦେଇ କେହି ଉଡ଼ି ଯାଇ ପାରିବେ ନାହିଁ । ରାବଣ ଏ କଥା ଶୁଣି ଶିବ ଓ ନନ୍ଦୀଙ୍କୁ ତାଚ୍ଛଲ୍ୟ କଲେ । ନିଜ ପ୍ରଭୁଙ୍କ ଅପମାନରେ କ୍ରୋଧିତ ହୋଇ ବାନରମାନଙ୍କ ହାତରେ ନାଶ ଯିବା ପାଇଁ ନନ୍ଦୀ ରାବଣଙ୍କୁ ଅଭିଶାପ ଦେଲେ । ଆଗକୁ ବଢ଼ି ନପାରିବା ଏବଂ ନନ୍ଦୀର ଅଭିଶାପରେ କ୍ରୋଧାନ୍ୱିତ ହୋଇ ରାବଣ କୈଳାସ ପର୍ବତକୁ ଉପାଡ଼ି ଦେବାକୁ ଇଚ୍ଛା କଲେ । ସେ ନିଜର ୨୦ ବାହୁର ବଳ ପ୍ରୟୋଗ କରି କୈଳାସକୁ ଉଠାଇବାକୁ ଲାଗିଲେ । କୈଳାସ ପର୍ବତ ଦୋହଲିବାରୁ ମାତା ପାର୍ବତୀ ଡରରେ ଶିବଙ୍କୁ ଆଲିଙ୍ଗନ କରି ରହିଲେ । କିନ୍ତୁ ଭଗବାନ ଶିବ ସର୍ବଜ୍ଞ ଓ ସେ ରାବଣର କାର୍ଯ୍ୟକଳାପ ଜାଣିପାରିଲେ । ନିଜ ପାଦର ବୁଢ଼ା ଆଙ୍ଗୁଠିରେ ସେ କୈଳାସକୁ ଦବାଇ ଯଥାପୂର୍ବ ସ୍ଥାନରେ ରଖିବା ସହ ଏହା ତଳେ ରାବଣଙ୍କୁ ଦବାଇ ବନ୍ଦୀ କରି ରଖିଲେ । ରାବଣ ଉଚ୍ଚ ସ୍ୱରରେ ବିଳାପ କରିବାକୁ ଲାଗିଲେ । ନିଜ ମନ୍ତ୍ରୀଗଣଙ୍କ ଉପଦେଶ କ୍ରମେ ସେ ହଜାର ବର୍ଷ ଧରି ଶିବଙ୍କ ପାଇଁ ଗୀତ ଓ ମନ୍ତ୍ର ଗାଇଲେ । ଶେଷରେ ଶିବ ପ୍ରସନ୍ନ ହୋଇ ରାବଣଙ୍କୁ କ୍ଷମା ପ୍ରଦାନ କଲେ ଏବଂ ତାଙ୍କୁ ଚନ୍ଦ୍ରହାସ ଖଡ୍‍ଗ ଉପହାର ଦେଲେ । କୈଳାସ ତଳେ ଦବିଯାଇ କାନ୍ଦିଥିବାରୁ ତାଙ୍କର ନାମ “ରାବଣ” ହେଲା ।[୩][୪] ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁଯାୟୀ ଯେ ନିଜେ ଉଚ୍ଚ ସ୍ୱରରେ ରାବ (କ୍ରନ୍ଦନ) କରେ ବା ଯେ ଅନ୍ୟକୁ ଉଚ୍ଚୈଃସ୍ୱରରେ କନ୍ଦାଏ ତାହାକୁ “ରାବଣ” କୁହନ୍ତି ।[୫]

ଏହି କିମ୍ବଦନ୍ତୀର ତାମିଲ ରୂପାନ୍ତରଣରେ କଥିତ ଅଛି ଯେ କୈଳାସ ପର୍ବତ ତଳେ ଦବି ବନ୍ଦୀ ହୋଇଯିବା ପରେ ରାବଣ ନିଜର ଏକ ମୁଣ୍ଡ, ହାତ, ମାସପେଶୀର ରଜ୍ଜୁ କାଟି ସେଥିରେ ଏକ ବୀଣା ପ୍ରସ୍ତୁତ କଲେ ଓ ଶିବଙ୍କ ଉଦ୍ଦେଶ୍ୟରେ ସୁନ୍ଦର ଗୀତ ଗାଇବାରେ ଲାଗିଲେ । ଏଥିରେ ଶିବ ସନ୍ତୁଷ୍ଟ ହୋଇ ରାବଣଙ୍କୁ କ୍ଷମା କଲେ ଓ ଲଙ୍କାରେ ପ୍ରତିଷ୍ଠା କରି ପୂଜା କରିବା ପାଇଁ ଏକ ଶକ୍ତିଶାଳୀ ଶିବଲିଂଗ ପ୍ରଦାନ କଲେ । କିନ୍ତୁ ଶିବ ଏକ ସର୍ତ୍ତ ରଖିଲେ ଯେ ଲିଂଗଟି ଭୂପୃଷ୍ଠରେ ଯେଉଁଠି ଥରେ ରଖାଯିବ, ତାହା ସେଠାରେ ସର୍ବଦା ପାଇଁ ରହିବ । ଶିବଙ୍କ ପୁତ୍ର ଗଣେଶଙ୍କ ସହ ମିଶି ଦେବତାମାନେ ଏକ ଫନ୍ଦି ପାଞ୍ଚିଲେ । ଅସୁବିଧାରେ ପଡ଼ି ରାବଣଙ୍କୁ ଶିବଲିଙ୍ଗଟିକୁ ଆଉ ଜଣେ ବ୍ରାହ୍ମଣଙ୍କୁ ଦେବାକୁ ପଡ଼ିଲା ଯେ କି ଲିଙ୍ଗଟିକୁ ସେହିଠାରେ ତଳେ ରଖିଦେଲେ । ଗୋକର୍ଣ୍ଣାର ମହାବଳେଶ୍ୱର ମନ୍ଦିର କିମ୍ବା ବାଲେଶ୍ୱରର କୁମ୍ଭାରଗଢ଼ି ମଧ୍ୟରୁ କୌଣସି ଏକ ସ୍ଥାନରେ ସେହି ଶିବଲିଙ୍ଗଟିକୁ ରଖାଯାଇଥିବା ବିଶ୍ୱାସ କରାଯାଏ ।[୬]

ରାବଣାନୁଗ୍ରହର ମୂର୍ତ୍ତିରେ ପରିପ୍ରକାଶ[ସମ୍ପାଦନା]

ଏହି ମୂର୍ତ୍ତିରେ ଶିବ ଓ ପାର୍ବତୀ କୈଳାସ ପର୍ବତ ଉପରେ ବସିଥିବାର ଓ ପର୍ବତର ପାଦଦେଶରେ ରାବଣ ଏହାକୁ ଉଠାଇବାକୁ ଚେଷ୍ଟିତ ଥିବା ଦର୍ଶାଯାଇଥାଏ ।

କୈଳାସ ପର୍ବତର ଉପର ପାର୍ଶ୍ୱରେ ଶିବଙ୍କ ଚତୁର୍ଭୂଜ ବା ଦ୍ୱିଭୂଜ ମୂର୍ତ୍ତି ରହିଥାଏ । ଶିବଙ୍କ ବାମ ପାର୍ଶ୍ୱରେ ପାର୍ବତୀ ନିଜ ଦୁଇ ହାତରେ ଶିବଙ୍କୁ ଡରରେ ଆଲିଙ୍ଗନ କରିଥାନ୍ତି ।[୭] ନିଜ ପତ୍ନୀଙ୍କୁ ଆଶ୍ୱସ୍ତ କରୁଥିବା ଶିବଙ୍କ ମୁଖମଣ୍ଡଳ ଶାନ୍ତ ଥାଏ ଓ ସେ ମଧ୍ୟ ନିଜ ପତ୍ନୀଙ୍କୁ ଗୋଟିଏ କିମ୍ବା ଦୁଇ ହାତରେ ଆଲିଙ୍ଗନ କରି ଧରିଥାନ୍ତି ।[୮] ଶିବଙ୍କ ମୁଣ୍ଡରେ ଜଟାର ମୁକୁଟ ଥିବା ବେଳେ ପାର୍ବତୀଙ୍କ ମୁଣ୍ଡର କେଶ ସୁନ୍ଦର ଭାବେ ବିନ୍ୟସ୍ତ ଥାଏ । ଶିବଙ୍କ ଉପର ହାତରେ ତ୍ରିଶୂଳ ଥିବା ବେଳେ ତାଙ୍କ ତଳ ହାତର ଆଙ୍ଗୁଠିଗୁଡ଼ିକ ଅଭୟମୁଦ୍ରାରେ (ଭୟହୀନ ମୁଦ୍ରା) ଥାଏ । ଶିବ-ପାର୍ବତୀ ଏକ ପଦ୍ମ ଉପରେ ବସିଥାନ୍ତି କିମ୍ବା ସେମାନଙ୍କ ପାଦ ଏକ ପଦ୍ମ ଫୁଲ ଉପରେ ରହିଥାଏ । କିଛି ମୂର୍ତ୍ତିରେ ପାର୍ବତୀ ଶିବଙ୍କ ବାମ ଜଙ୍ଘରେ ବସିଥାନ୍ତି । କିଛି ମୂର୍ତ୍ତିରେ ଶିବ ପାର୍ବତୀଙ୍କ ଥୋଡ଼ିକୁ ଆଦର ସହକାରେ ସ୍ପର୍ଶ କରିଥାନ୍ତି ।[୭]

ଏହି ମୂର୍ତ୍ତିରେ କୈଳାସ ପର୍ବତକୁ ଏକ ପଥର ଗଦା ବା ଏକ ବେଦୀ, ମଞ୍ଚ ଆକାରରେ ଦର୍ଶାଯାଇଥାଏ । କିଛି ମୂର୍ତ୍ତିରେ ଏହା ଏକାଧିକ ସ୍ତରବିଶିଷ୍ଟ ହୋଇଥାଏ । ପରବର୍ତ୍ତୀ କାଳର ମୂର୍ତ୍ତିମାନଙ୍କରେ ଆକାଶରେ ଦେବାଦେବୀ, ଭୃତ୍ୟ, ଋଷି, ପଶୁ ପ୍ରଭୃତି ମଧ୍ୟ ପ୍ରଦର୍ଶିତ ହୋଇଛନ୍ତି ।[୭][୮] କିଛି ମୂର୍ତ୍ତିରେ ଶିବଙ୍କ ପରିଚାରକ, ପାର୍ବତୀଙ୍କ ପରିଚାରିକା ଏବଂ ବାମନାକାର ଶିବଗଣ ମଧ୍ୟ ସ୍ଥାନ ପାଇଥାନ୍ତି । ଆକାଶରେ ଅପସରା ଓ ଦେବାଦେବୀ ଉଡ଼ି ଶିବ-ପାର୍ବତୀଙ୍କୁ ପ୍ରଶଂସା କରୁଥିବା କିଛି ମୂର୍ତ୍ତିରେ ଦେଖିବାକୁ ମିଳେ ।[୮] ଅନ୍ୟାନ୍ୟ ଉଲ୍ଲେଖନୀୟ ପରିପ୍ରକାଶ ମଧ୍ୟରେ କୈଳାସ ଉପରେ ଶିବଙ୍କ ବାହନ ନନ୍ଦୀ ଷଣ୍ଢ, ପାର୍ବତୀଙ୍କ ବାହନ ସିଂହ ଓ ଶିବ-ପାର୍ବତୀଙ୍କ ଦୁଇ ପୁତ୍ର ଗଣେଶକାର୍ତ୍ତିକେୟ ଉପସ୍ଥିତ ଥିବା ଅନ୍ୟତମ (ଯଥା – ଏଲୋରା ଗୁମ୍ଫାର ମୂର୍ତ୍ତି)। କିଛି ମୂର୍ତ୍ତିରେ ପର୍ବତ ଦୋହଲିବା ଯୋଗୁଁ ପଶୁ ଓ ଭୃତ୍ୟମାନେ ଡରରେ ଦୌଡ଼ିବା, ରାବଣ ଉପରକୁ ପଥର ଓ ଅସ୍ତ୍ର ଫିଙ୍ଗି ଆକ୍ରମଣ କରିବା ମଧ୍ୟ ଦର୍ଶିତ ହୋଇଅଛି (ଯଥା – କାମ୍ବୋଡ଼ିଆର ବାନ୍ତେ ଶ୍ରାଇ ମନ୍ଦିରର ମୂର୍ତ୍ତି)।[୭]

ରାବଣଙ୍କୁ ଏହି ମୂର୍ତ୍ତିରେ ଦଶ ମୁଖବିଶିଷ୍ଟ (କିଛି ମୂର୍ତ୍ତିରେ କମ୍ ମୁଣ୍ଡ ବିଶିଷ୍ଟ) ଜଣେ ବଳିଷ୍ଠ ପୁରୁଷ ପର୍ବତ ଉଠାଉଥିବା ଭଙ୍ଗୀରେ ଦର୍ଶାଯାଇଥାଏ । କିଛି ମୂର୍ତ୍ତିରେ ରାବଣଙ୍କ ଦଶମ ମୁଣ୍ଡକୁ ଏକ ଗଧ ମୁଣ୍ଡଦ୍ୱାରା ମଧ୍ୟ ଦର୍ଶାଯାଇଥାଏ । କିଛି ଉଦାହରଣରେ ରାବଣଙ୍କ ବାହୁ ସଂଖ୍ୟା ୨୦ ତ ଆଉ କିଛି ମୂର୍ତ୍ତିରେ ଏହା ୨୦ରୁ କମ୍ । ରାବଣଙ୍କ ମୁଖମଣ୍ଡଳରେ ନିରାଶା ବା କଷ୍ଟର ଭାବ ଦର୍ଶାଯାଇଥାଏ । ରାବଣଙ୍କ ଉପର ପଟକୁ ଥିବା ହାତଗୁଡ଼ିକ ପର୍ବତକୁ ଧରିଥିବା ବେଳେ ତଳ ପଟର ହାତ ପାହାଡ଼ ପାଦଦେଶରେ ଭୂମି ଉପରେ ରହିଥାଏ । ଆଣ୍ଠୁ ମାଡ଼ି ନଇଁ ବସିଥିବା ରାବଣଙ୍କ ହାତରେ ଆୟୁଧ ମଧ୍ୟ ରହିପାରେ ।[୭] କିଛି ଚିତ୍ର ବା ମୂର୍ତ୍ତିରେ ରାବଣଙ୍କ ହାତରେ ଶିବଙ୍କ ପ୍ରଦତ୍ତ ଦିବ୍ୟ ଖଡ୍‍ଗ ମଧ୍ୟ ଦେଖାଯାଏ ।[୮] ଢାଲ, ଧନୁତୀର ଓ ବିଜୁଳି ଇତ୍ୟାଦିକୁ ମଧ୍ୟ ରାବଣଙ୍କ ଅସ୍ତ୍ର ପରି ଦର୍ଶାଯାଇଥାଏ । ରାବଣଙ୍କ ଶରୀର ନତ ଅବସ୍ଥାରେ ବା ଆଣ୍ଠୁ ମାଡ଼ି ବସିଥାଏ ।[୭]

ଆଧାର[ସମ୍ପାଦନା]

  1. Dallapiccola, Anna L. (2003). "Ravananugrahamurti". Dictionary of Hindu Lore and Legend. Thames & Hudson. ISBN 978-0-500-51088-9.CS1 maint: ref=harv (link) (subscription required)
  2. Brown, Robert L. (1991). Ganesh: Studies of an Asian God. Albany: State University of New York. p. 181. ISBN 0-7914-0657-1.
  3. Rao pp.217–8
  4. Kala pp.37–8
  5. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ.
  6. Donaldson, Thomas Eugene. Vyas, R. T. (ed.). Studies in Jaina Art and Iconography and Allied Subjects. Abhinav Publications. p. 170.
  7. ୭.୦ ୭.୧ ୭.୨ ୭.୩ ୭.୪ ୭.୫ Kala pp. 38–42
  8. ୮.୦ ୮.୧ ୮.୨ ୮.୩ Rao pp. 218–20

ପୁସ୍ତକ ଆଧାର[ସମ୍ପାଦନା]

  • Kala, Jayantika (1988). Epic Scenes in Indian Plastic Art. Abhinav Publications.
  • Rao, T.A. Gopinatha (1916). Elements of Hindu Iconography. 2: Part I. Madras: Law Printing House. OCLC 630452416.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]