Jump to content

ସାରଦା ଦେବୀ

ଉଇକିପିଡ଼ିଆ‌ରୁ
ସାରଦା ଦେବୀ
ସାରଦା ଦେବୀ
ଜନ୍ମ ତାରିଖ(1853-12-22)ଡିସେମ୍ବର ୨୨, ୧୮୫୩


ଜନ୍ମସ୍ଥାନଜୟରାମବାଟୀ
ଜନ୍ମ ନାମସାରଦାମଣୀ
ତିରୋଧାନ୨୦ ଜୁଲାଇ ୧୯୨୦(1920-07-20) (ବୟସ ୬୬)
ତିରୋଧାନ ସ୍ଥାନକଲିକତା

ସାରଦା ଦେବୀ (୨୨ଡିସେମ୍ବର,୧୮୫୩‌‌‌ – ୨୦ ଜୁଲାଇ,୧୯୨୦) ବିଶିଷ୍ଟ ହିନ୍ଦୁ ଧର୍ମଗୁରୁ ରାମକୃଷ୍ଣ ପରମହଂସଙ୍କ ଧର୍ମପତ୍ନୀ ଓ ସାଧନ ସଙ୍ଗିନୀ ଥିଲେ ଏବଂ ରାମକୃଷ୍ଣ ମଠରାମକୃଷ୍ଣ ମିଶନର ସଙ୍ଘଜନନୀ ରୂପେ ପରିଚିତ । ଭକ୍ତଗଣ ତାଙ୍କୁ ଦିବ୍ୟ ଜନନୀ ଓ ଶ୍ରୀଶ୍ରୀ ମା ନାମରେ ଅଭିହିତ କରିଥିଲେ । ରାମକୃଷ୍ଣ ଆନ୍ଦୋଳନର ବିକାଶ ଓ ପ୍ରସାରରେ ତାଙ୍କ ଭୂମିକା ଗୁରୁତ୍ତପୂର୍ଣ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ସାରଦା ଦେବୀ ପଶ୍ଚିମବଙ୍ଗର ବାଙ୍କୁଡା ଜିଲ୍ଲାର ଜୟରାମବାଟୀ ଗ୍ରାମରେ ୧୮୫୩ ଖ୍ରୀଷ୍ଟାବ୍ଦର ୨୨ ଡିସେମ୍ବର ଗୁରୁବାର ଦିନ ଜନ୍ମ ଗ୍ରହଣ କରିଥିଲେ । ପିତା ରାମଚନ୍ଦ୍ର ମୁଖୋପାଧ୍ୟାୟ ଓ ମାତା ଶ୍ୟାମସୁନ୍ଦରୀ ଦେବୀଙ୍କର ସେ ପ୍ରଥମ ସନ୍ତାନ ଥିଲେ ।

ଯାହାଙ୍କୁ କେନ୍ଦ୍ର କରି ଆଜି ଜୟରାମବାଟୀ ଅଗଣିତ ନରନାରୀଙ୍କ ପକ୍ଷେ ପୁଣ୍ୟତୀର୍ଥରେ ପରିଣତ ହୋଇଛି, ସେହି ସାରଦାଦେବୀଙ୍କ ଜୀବନ-କାହାଣୀ ଆମେମାନେ ସଂକ୍ଷେପରେ ଆଲୋଚନା କରିବା । ଜୟରାମବାଟୀ ବଙ୍ଗପ୍ରଦେଶ ବାଁକୁଡ଼ା ଜିଲ୍ଲାର ପୂର୍ବପ୍ରାନ୍ତରେ ତରୁଲତା ସମାକୀର୍ଣ୍ଣ ଗୋଟିଏ କ୍ଷୁଦ୍ର ଗ୍ରାମ । ତିନି ଦିଗରେ ଧାନ କ୍ଷେତ । ଅପର ଦିଗରେ ଆମୋଦର ନଦୀ ସର୍ପିଳ ଗତିରେ ପ୍ରବାହିତ ହୋଇ ଗ୍ରାମଟିକୁ ଶସ୍ୟଶ୍ୟାମଳା କରିଥିଲା । ଗ୍ରାମବାସୀ ସମସ୍ତେ ପ୍ରାୟ ଦରିଦ୍ର, ମାତ୍ର ଧର୍ମପରାୟଣ । ମାଟିଘର-ପଲ୍ଲୀନାରୀଗଣ ପ୍ରଭାତରେ ଉଠି ଭକ୍ତିଭରେ ତୁଳସୀଚଉରା ଗୋବର ଦେଇ ଲିପନ୍ତି; ସଂଧ୍ୟାରେ ଗଳବସ୍ତ୍ର ହୋଇ ସଂଧ୍ୟାଦୀପ ଓ ଧୂପ ଜାଳି ଭୂଲୁଣ୍ଠିତ ହୋଇ ଦେବତାଙ୍କୁ ପ୍ରଣାମ କରନ୍ତି । ରାମଚନ୍ଦ୍ର ମୁଖୋପାଧ୍ୟାୟ ନାମକ ଜନୈକ ବ୍ରାହ୍ମଣ ଏହି ଗ୍ରାମରେ ବାସ କରୁଥିଲେ । ତାଙ୍କର ସହଧର୍ମିଣୀ ଶ୍ୟାମାସୁନ୍ଦରୀ ଦେବୀ ନିକଟବର୍ତ୍ତୀ ଶିହଡ଼ ଗ୍ରାମର କନ୍ୟା ।

ଦିନେ ଦ୍ୱିପ୍ରହର ସମୟରେ ନିଘୋଡ଼ ନିଦରେ ଶୋଇଥିବାବେଳେ ରାମଚନ୍ଦ୍ର ଦେଖିଲେ ଗୋଟିଏ ସର୍ବସୁଲକ୍ଷଣୀ ବାଳିକା ତାଙ୍କର କଣ୍ଠଦେଶକୁ ଦୁଇ ହସ୍ତରେ ବେଷ୍ଟନ କରି କହୁଛି-‘ବାପା, ମୁଁ ତୁମ ଘରକୁ ଆସିଲି ।’ ଆଖି ଖୋଲିଲା ମାତ୍ରେ ସେ ଦେଖିଲେ କେହି କୁଆଡ଼େ ନାହିଁ । ନିଃସନ୍ତାନ ବ୍ରାହ୍ମଣ ବୁଝିପାରିଲେ ଯେ କୌଣସି ଦେବୀ କନ୍ୟା ରୂପରେ ଆସିବେ । ସେହି ସମୟରେ ଶ୍ୟାମାସୁନ୍ଦରୀ ବାପଘର ଗାଁ ଶିହଡ଼କୁ ପାଲା ଶୁଣିବା ପାଇଁ ଯାଇଥାଆନ୍ତି । ଫେରିବା ବାଟରେ ସଂଧ୍ୟା ପରେ ଦେବାଳୟ ନିକଟରେ ଏକ ବିଲ୍ୱବୃକ୍ଷ ତଳେ ବସି ଦେଖିଲେ ନାଲି ଶାଢ଼ୀ ପିନ୍ଧିଥିବା ଗୋଟିଏ ଝିଅ ଗଛରୁ ଓହ୍ଲାଇ ତାଙ୍କର ଗଳାକୁ ଦୁଇ ହାତରେ ଭିଡ଼ି ଧରି କହୁଛି-‘ମା’, ମୁଁ ତୁମ ପାଖକୁ ଆସିଲି ।’ ଶ୍ୟାମାସୁନ୍ଦରୀ ଅନୁଭବ କଲେ ଯେ ଯେପରି ଗୋଟିଏ ବାୟୁ ତାଙ୍କ ଉଦର ମଧ୍ୟରେ ପ୍ରବେଶ କଲା । ସେ ଅଚେତନ ହୋଇ ପଡ଼ିଗଲେ । ତାଙ୍କ ସାଥିରେ ଥିବା ସ୍ତ୍ରୀଲୋକମାନେ ତାଙ୍କୁ ଧରାଧରି କରି ନେଇଗଲେ ।

ଏହି ବ୍ରାହ୍ମଣ ଦମ୍ପତିଙ୍କ ଜ୍ୟେଷ୍ଠା କନ୍ୟାରୂପେ ଶ୍ରୀସାରଦା ଦେବୀ ୧୨୬୦ ସାଲ ପୌଷମାସ ଦି୮ନ ଗୁରୁବାର କୃଷ୍ଣା ସପ୍ତମୀ, ୧୮୫୩ ଖ୍ରୀ. ୨୨ ଡିସେମ୍ବରରେ ଜନ୍ମଗ୍ରହଣ କରିଥିଲେ ।

ତାଙ୍କ ପିତାମାତାଙ୍କର ମହାପ୍ରାଣତା ସମ୍ବନ୍ଧରେ ସାରଦା ଦେବୀଙ୍କ କଥାରୁ ଜଣାଯାଏ- ‘ମୋର ମା’ ଓ ବାପା ଖୁବ୍‌ ଭଲ ଥିଲେ । ବାପା ନୈଷ୍ଠିକ, ପରୋପକାରୀ ଓ ରାମଭକ୍ତ ଥିଲେ । ମା’ଙ୍କର କେତେ ଦୟା ଥିଲା । ଲୋକମାନଙ୍କୁ କେତେ ଖୁଆଉଥିଲେ, କେତେ ଯତ୍ନ କରୁଥିଲେ; କେଡ଼େ ସରଳ ! ସେଥିପାଇଁ ସିନା ଏହି ଘରେ ଜନ୍ମିଛି ।’

ପୂର୍ବରୁ ଦେଖିଥିବା ସ୍ୱପ୍ନ କଥା ସ୍ମରଣ କରି ରାମଚନ୍ଦ୍ର ବୁଝିପାରିଲେ, ‘ଲକ୍ଷ୍ମୀବାର ପୁଣ୍ୟ ସନ୍ଧ୍ୟା ସମୟରେ ସ୍ୱୟଂ ଲକ୍ଷ୍ମୀଠାକୁରାଣୀ ଆସି ତାଙ୍କର ପର୍ଣ୍ଣକୁଟୀରରେ ଆବିର୍ଭୂତା ହୋଇଛନ୍ତି ।’ ତେଣୁ ସେ କନ୍ୟାର ନାମ ଦେଲେ ସାରଦାମଣି-ଡାକନାମ ‘ସାରୁ’ ।

ସାରଦା ଦରିଦ୍ର ବ୍ରାହ୍ମଣ ଦମ୍ପତିଙ୍କ ଅତି ଆଦରର ଜ୍ୟେଷ୍ଠା କନ୍ୟା, ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ପିତାମାତାଙ୍କୁ ନାନା କାର୍ଯ୍ୟରେ ସାହାଯ୍ୟ କରିବାକୁ ଲାଗିଲେ । ବିଲରେ କାମ କରୁଥିବା ମୂଲିଆମାନଙ୍କ ପାଇଁ ମୁଢ଼ି ଆଦି ଦେଇ ଆସିବା, ଗାଈ ଗୋରୁଙ୍କ ପାଇଁ ବେକ ପର୍ଯ୍ୟନ୍ତ ପାଣିରେ ପଶି ଦଳଘାସ କାଟି ଆଣିବା, କପାଗଛରୁ ତୁଳା ତୋଳି ଆଣି ମା’ଙ୍କ ସାଙ୍ଗରେ ମିଶି ପଇତା ପାଇଁ ସୂତା କାଟିବା ଇତ୍ୟାଦି ନାନା କାର୍ଯ୍ୟରେ ସେ ବ୍ୟାପୃତ ରହୁଥିଲେ । କେବେ ପଙ୍ଗପାଳ ଦଳ ଧାନକ୍ଷେତରେ ପଶି ଧାନ ନଷ୍ଟ କରିଦେଲେ ଚାଷୀ ମୂଲିଆଙ୍କ ସହିତ ସାରଦା ନିଜେ ଯାଇ କ୍ଷେତ କ୍ଷେତ ବୁଲି ଧାନଗୁଡ଼ିକ ଗୋଟାଇବାରେ ଲାଗିଯାଆନ୍ତି ।

ବୟସ ତୁଳନାରେ ସାରଦା ଦେବୀ ଟିକିଏ ଗମ୍ଭୀର ପ୍ରକୃତିର ଥିଲେ । ଗାଁରେ ତାଙ୍କର ସମବୟସୀ କୌଣସି ସାଙ୍ଗ ବା ବନ୍ଧୁ ଅସୁସ୍ଥ ହେଲେ ସେମାନଙ୍କର ସେବାଯତ୍ନ କରିବା ମଧ୍ୟ ତାଙ୍କର ଅତି ପ୍ରିୟ କାର୍ଯ୍ୟ ଥିଲା । ସାରଦା ଦେବୀଙ୍କର ମାତୃଭାବ ଯେପରି ଜନ୍ମଗତ, ଶୈଶବରୁ ହିଁ ଏହାର ପ୍ରକାଶ ଘଟିଥିଲା । ଏହା ଛଡ଼ା ଦେବଦେବୀଙ୍କ ମୂର୍ତ୍ତି ଗଢ଼ି ଫୁଲ, ବେଲପତ୍ର ଦେଇ ପୂଜା କରିବାରେ ସେ ପରମ ଆନନ୍ଦ ଲାଭ କରୁଥିଲେ । ଥରେ ଶ୍ରୀଶ୍ରୀଜଗଦ୍ଧାତ୍ରୀଙ୍କ ପ୍ରତିମା ସମ୍ମୁଖରେ ବସି ସାରଦା ଦେବୀ ଗଭୀର ଧ୍ୟାନସ୍ଥ ହୋଇଯାଇଥିଲେ ।

ସାରଦା କିନ୍ତୁ ପାଠ ପଢ଼ିବା ପାଇଁ ଆଦୌ ସୁଯୋଗ ପାଇ ନାହାନ୍ତି । ଏ’କେ ତ ପଲ୍ଲୀଗ୍ରାମର ଝିଅ, ତା ଛଡ଼ା ସେକାଳର ଲୋକମାନଙ୍କର ଧାରଣା ଥିଲା ଯେ ସ୍ତ୍ରୀଲୋକମାନେ ପାଠ ପଢ଼ିଲେ ନାଟକ ନଭେଲ୍‌ ପଢ଼ି ସମୟ କଟାଇବେ, ତେଣୁ ଗୃହକାର୍ଯ୍ୟରେ ଆଦୌ ମନ ଦେବେ ନାହିଁ । ଭାଇମାନେ ଚାଟଶାଳୀରେ ପଢ଼ୁଥିଲେ । ଯେତେବେଳେ ଗୃହ କାର୍ଯରୁ ସାମାନ୍ୟ ଅବସର ପାଉଥିଲେ, ସେତେବେଳେ ସାରଦା ଭାଇମାନଙ୍କ ପାଖରେ ବସି ଟିକିଏ ପଢ଼ୁଥିଲେ । ପଢ଼ାପଢ଼ିରେ ତାଙ୍କର ପ୍ରବଳ ଆଗ୍ରହ ଥିଲା, ପ୍ରଖର ମେଧା ମଧ୍ୟ ଥିଲା; ତେଣୁ ତାଙ୍କର ନିଜ ଚେଷ୍ଟାରେ ଶେଷ ପର୍ଯ୍ୟନ୍ତ ସେ ରାମାୟଣ, ମହାଭାରତ ଆଦି ପୁସ୍ତକ ସବୁ ବେଶ୍‌ ଭଲ ଭାବରେ ପଢ଼ିବାକୁ ଶିଖିଥିଲେ; କିନ୍ତୁ ଲେଖିପାରୁ ନ ଥିଲେ । ଯାତ୍ରା, ପାଲା, କୀର୍ତ୍ତନ ପ୍ରଭୃତି ଶୁଣି ମଧ୍ୟ ବହୁତ ବିଷୟ ଶିକ୍ଷା କରିଥିଲେ । ସେ କୀର୍ତ୍ତନ ଭାରୀ ଭଲ ପାଉଥିଲେ ।

ବିବାହ

[ସମ୍ପାଦନା]

ଛଅ ବର୍ଷରେ ପଦାର୍ପଣ କରିବା ସଙ୍ଗେ ସଙ୍ଗେ ଶ୍ରୀରାମକୃଷ୍ଣଙ୍କ ସହିତ ସାରଦା ଦେବୀଙ୍କର ବିବାହ ହେଲା । ବରର ବୟସ ଚବିଶ ବର୍ଷ । ଏହି ବିବାହର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଇତିହାସ ଅଛି । ଶୁଣାଯାଏ ଦୁଇ ତିନିବର୍ଷ ପୂର୍ବେ ସାରଦାଙ୍କୁ କୋଳରେ ଧରି ଶ୍ୟାମାସୁନ୍ଦରୀ ବାପଘର ଗାଁ ଶିହଡ଼କୁ ପାଲା ଶୁଣିବା ପାଇଁ ଯାଇଥିଲେ । ଶ୍ରୀରାମକୃଷ୍ଣ ମଧ୍ୟ ସେହି ଉପଲକ୍ଷରେ ସେଠାକୁ ଆସିଥିଲେ । ସଙ୍ଗୀତର ଆସର ଭାଙ୍ଗିବା ପରେ ତାଙ୍କର କୌଣସି ଏକ ଆତ୍ମୀୟା ତିନି ଚାରି ବର୍ଷର ଝିଅ ସାରଦାଙ୍କୁ କୋଳରେ ଘେନି ଗେଲ କରୁ କରୁ ପଚାରିଲେ, ‘ଏତେ ଲୋକଙ୍କ ଭିତରୁ ତୁ କାହାକୁ ବାହାହେବୁ ଦେଖେଇ ଦେଲୁ ?’ ସେତେବେଳେ ଶିଶୁ ସାରଦା ହସି ହସି ଛୋଟ ଆଙ୍ଗୁଳି ବଢ଼ାଇ ପାଖରେ ଥିବା ଶ୍ରୀରାମକୃଷ୍ଣଙ୍କୁ ଦେଖାଇଦେଇଥିଲେ ।

ପୁନଶ୍ଚ ପକ୍ଷାନ୍ତରରେ ଜଣାଯାଏ-ଶ୍ରୀରାମକୃଷ୍ଣଙ୍କର ବିବାହ ଉପଯୋଗୀ ମନମୁତାବକ କନ୍ୟା ଖୋଜି ଖୋଜି ନ ମିଳିବାରୁ ଭାବାବସ୍ଥାରେ ଶ୍ରୀରାମକୃଷ୍ଣ ନିଜେ ପାତ୍ରୀର ସନ୍ଧାନ ଦେଇ ଆତ୍ମୀୟମାନଙ୍କୁ କହିଥିଲେ, ‘ଜୟରାମବାଟୀରେ ରାମଚନ୍ଦ୍ର ମୁଖୋପାଧ୍ୟାୟଙ୍କ ଝିଅ ‘କୁଟାବନ୍ଧା’ ହୋଇ ରହିଛି; ସେଠାରେ ଖୋଜି ଦେଖ ।’

ବିବାହ ସମ୍ପନ୍ନ ହୋଇଗଲା । ଏତ ବିବାହ ନୁହେଁ, ଏ ଯେପରି ଶିବପାର୍ବତୀଙ୍କ ମିଳନ । ଦୁଇବର୍ଷ ପରେ ଶ୍ରୀରାମକୃଷ୍ଣ ଦ୍ୱିତୀୟ ଥର ପାଇଁ ଶ୍ୱଶୁରାଳୟ ଜୟରାମବାଟୀକୁ ଆସିଥାଆନ୍ତି । ସେତେବେଳେ ବାଳିକା ସାରଦାଙ୍କୁ କେହି କିଛି ବତେଇ ନ ଦେବା ସତ୍ତ୍ୱେ ସ୍ୱାମୀ ପହଞ୍ଚିବା ମାତ୍ରକେ ସାରଦା ନିଜେ ସ୍ୱାମୀଙ୍କର ପାଦ ଧୋଇଦେଲେ ଏବଂ ନିଜର କେଶ ଓ ପଣତ କାନି ଦେଇ ଶ୍ରୀରାମକୃଷ୍ଣଙ୍କ ପାଦ ପୋଛିଦେଲେ ଓ ତାଙ୍କୁ ପଙ୍ଖାରେ ବିଞ୍ଚିଲେ । ଏହିସବୁ କାର୍ଯ୍ୟ ଦେଖି ପ୍ରତିବେଶୀ ମହିଳାମାନେ ଖୁବ୍‌ ହସ କୌତୁକ କରିଥିଲେ ।

ଏଥର ଶ୍ୱଶୁରଘରକୁ ଯିବାବେଳେ ବରବଧୂ ସବାରି ଚଢ଼ି ଯାଇଥିଲେ । ସବାରିରେ ବସି ଏକ ସଙ୍ଗରେ ଯିବାକୁ କାଳେ ସାରଦାମଣି ବିବାହ ବୋଲି ମନେ କରିପାରନ୍ତି, ତେଣୁ ଶ୍ରୀରାମକୃଷ୍ଣ ତାଙ୍କୁ ଆଗରୁ ବୁଝେଇ ସୁଝେଇ କହି ଦେଇଥିଲେ, ‘ତୁମକୁ ଯଦି କେହି ପଚାରେ ଯେ ତୁମେ କେତେ ବୟସରେ ବାହା ହୋଇଛ, ତୁମେ ପାଞ୍ଚ ବର୍ଷ କହିବ, ସାତ ବର୍ଷ କହିବ ନାହିଁ, ଆଉ ଯଦି କେହି ପଚାରନ୍ତି ଯେ ତୁମକୁ ମୁଁ ଭଲ ପାଏ କି ନାହିଁ, ତେବେ ତୁମେ କହିବ, ମୁଁ ତୁମକୁ ଖୁବ୍‌ ଭଲପାଏ ।’ ସାରଦା ଏ ସମସ୍ତ ଶୁଣି ଖାଲି ମୁଣ୍ଡ ଟୁଙ୍ଗାରୁଥାଆନ୍ତି । ଏହି ଘଟଣାର କିଛିଦିନ ପରେ ଶ୍ରୀରାମକୃଷ୍ଣ ତାଙ୍କର ସାଧନାପୀଠ ଓ କର୍ମସ୍ଥଳ ଦକ୍ଷିଣେଶ୍ୱରକୁ ଫେରିଗଲେ, ଆଉ ସାରଦା ଗଲେ ନିଜ ବାପଘରକୁ !

ବାଳିକା ବୟସରେ ମଧ୍ୟ ସାରଦା ଥିଲେ ଯେପରି ମୂର୍ତ୍ତିମତୀ କରୁଣା । ସେହି ମମତା ଆତ୍ମୀୟସ୍ୱଜନମାନଙ୍କ ସୀମାରେଖାକୁ ଅତିକ୍ରମ କରି ପ୍ରବାହିତ ହେଉଥିଲା ଦୁଃଖୀ-ଦରିଦ୍ରମାନଙ୍କ ପ୍ରତି ସେବାରୂପେ । ସାରଦାଙ୍କୁ ଯେତେବେଳେ ୧୧ବର୍ଷ ବୟସ, ସେହି ସମୟରେ ଜୟରାମବାଟୀ ଅଞ୍ଚଳରେ ଥରେ ଭୀଷଣ ଦୁର୍ଭିକ୍ଷ ପଡ଼ିଥିଲା । ଧର୍ମପ୍ରାଣ ରାମଚନ୍ଦ୍ରଙ୍କର କିଛି ଧାନ ସଞ୍ଚିତ ହୋଇ ରହିଥିଲା । ପରିଜନବର୍ଗଙ୍କ କଥା ନ ଭାବି ରାମଚନ୍ଦ୍ର ଅନ୍ନଛତ୍ର ଖୋଲି ଦେଲେ । ବିରି ଡାଲିରେ ହାଣ୍ଡି ହାଣ୍ଡି ଖେଚେଡ଼ି ରନ୍ଧା ହୋଇଥାଏ । ସେହି ଗରମ ଖେଚେଡ଼ି କିପରି ଶୀଘ୍ର ଶୀତଳ ହେବ, ସେଥିପାଇଁ ସାରଦା ନିଜେ ପଙ୍ଖା କରି ଶୀତଳ କରୁଥାନ୍ତି- ‘ଆହାଃ ! ଭୋକଦାଉରେ ଲୋକେ ଖାଇବା ପାଇଁ କିପରି ବିକଳ ହୋଇ ଅନାଇଁ ବସିଛନ୍ତି !’

ଏହି ସମୟରେ ବେଶୀ ଦିନ ପିତ୍ରାଳୟରେ ରହିଥିଲେ ସୁଦ୍ଧା ସାରଦାଦେବୀ କାମାରପୁକୁରକୁ ଦୁଇଥର ଅଳ୍ପଦିନ ପାଇଁ ଆସିଥିଲେ । ସେତେବେଳେ ସେ ନୂଆ ନୂଆ ବୋହୂ ହୋଇ ଆସିଥାଆନ୍ତି । ନୂଆ ଜାଗା, ତେଣୁ ହାଲ୍‌ଦାର ପୋଖରୀକୁ ଏକୁଟିଆ ଗାଧୋଇଯିବାକୁ ତାଙ୍କୁ ଡର ମାଡ଼ୁଥାଏ । ବାଡ଼ିଆଡ଼େ କବାଟ ଖୋଲି ଅତି ସନ୍ତର୍ପଣରେ ଅନାଇଁ ପ୍ରତିଦିନ ଦେଖିବାକୁ ପାଆନ୍ତି-ତାଙ୍କର ସମବୟସୀ ଆଠଟି ଝିଅ ବାଟରେ ଛିଡ଼ା ହୋଇଛନ୍ତି । ସମସ୍ତେ ଗପ କରି କରି ଗାଧୋଇବାକୁ ଯାଆନ୍ତି, ଚାରିଜଣ ଆଗରେ ଓ ଚାରିଜଣ ପଛରେ । ଗାଧୋଇ ସାରି ଘରକୁ ଫେରିଲା ବେଳକୁ ସେମାନଙ୍କୁ ସେ ଆଉ ଦେଖିବାକୁ ପାଆନ୍ତି ନାହିଁ । ବହୁ ଦିନ ପରେ ସେ ଜାଣିପାରିଲେ ଯେ ସେମାନେ ସେହି ଗାଁର ଝିଅ ନୁହନ୍ତି । ସେମାନେ ଦେବୀଙ୍କର ଅଷ୍ଟସଖୀ, ଅଷ୍ଟନାୟିକା-ଲୋକଲୋଚନ ଅଲକ୍ଷ୍ୟରେ ସାରଦାଙ୍କୁ ଅନୁସରଣ କରୁଥାଆନ୍ତି ଓ ତାଙ୍କ ସଙ୍ଗରେ ସବୁବେଳେ ରହୁଥାଆନ୍ତି ।

କ୍ରମେ ସାରଦା ଦେବୀ ଚତୁର୍ଦ୍ଦଶ ବର୍ଷ ବୟସରେ ପଦାର୍ପଣ କଲେ । ଏଥର ସାତବର୍ଷ ପରେ ଶ୍ରୀରାମକୃଷ୍ଣଦେବ କାମାରପୁକୁରକୁ ଆସିଲେ । ତାଙ୍କର ତନ୍ତ୍ରସାଧନାର ଗୁରୁ ଭୈରବୀ ବ୍ରାହ୍ମଣୀ ଓ ଭଣଜା ହୃଦୟ ତାଙ୍କ ସଙ୍ଗରେ ଥାଆନ୍ତି । ଜୟରାମବାଟୀରୁ ସାରଦାଙ୍କୁ ଅଣା ହେଲା । ଏହି ସମୟରେ ପାଞ୍ଚ ଛଅ ମାସ ଏକତ୍ର ରହି ସ୍ୱାମୀଙ୍କ ନିକଟରୁ ସେ ଲୌକିକ ଓ ଆଧ୍ୟାତ୍ମିକ ଅନେକ ଶିକ୍ଷା ଲାଭ କରିଥଲେ । ଶ୍ରୀରାମକୃଷ୍ଣ ତାଙ୍କୁ ଦୀପର ସଳିତା କିପରି ତେଜିବାକୁ ହୁଏ, କାହା ସହିତ କିପରି ବ୍ୟବହାର କରିବାକୁ ହୁଏ ଇତ୍ୟାଦି ବିଷୟରୁ ଆରମ୍ଭ କରି ଭଗବାନଙ୍କର ଧ୍ୟାନ ଧାରଣା କିପରି ଭାବରେ କରିବାକୁ ହୁଏ, ସବୁ ବିଷୟ ଟିକିନିଖି କରି ଶିକ୍ଷା ଦେଇ ଶ୍ରୀସାରଦାଦେବୀଙ୍କ ଜୀବନକୁ ସର୍ବାଙ୍ଗସୁନ୍ଦର କରିଥିଲେ ।

ଦିନେ ମାନବ ଜୀବନର ଉଦ୍ଦେଶ୍ୟ ଓ ଆଧ୍ୟାତ୍ମିକ ସାଧନା ସମ୍ବନ୍ଧରେ ଶ୍ରୀରାମକୃଷ୍ଣ ତାଙ୍କୁ କହିଥିଲେ ଦେଖ, ‘ଜହ୍ନମାମୁଁ ଯେପରି ସମସ୍ତଙ୍କର ମାମୁଁ, ଈଶ୍ୱର ସେହିପରି ସମସ୍ତଙ୍କର ଅତି ଆପଣାର, ଯେ ତାଙ୍କୁ ମନ ପ୍ରାଣ ଦେଇ ଡାକେ ସେ କେବଳ ତାଙ୍କର ଦେଖା ପାଇବ । ତୁମେ ଯଦି ଡାକ ତୁମେ ମଧ୍ୟ ତାଙ୍କର ଦର୍ଶନ ପାଇବ । ଈଶ୍ୱରଲାଭ ହିଁ ମନୁଷ୍ୟ ଜୀବନର ଉଦ୍ଦେଶ୍ୟ, ନତୁବା ଏ ଜୀବନ ବୃଥା ।’ ସ୍ୱାମୀଙ୍କର ଏହି ପ୍ରେମପୂର୍ଣ୍ଣ ଉପଦେଶ ସାରଦାଦେବୀ ମନ୍ତ୍ରବତ୍‌ ଗ୍ରହଣ କରି ସମଗ୍ର ମନପ୍ରାଣ ଦେଇ ସାଧନାରେ ବ୍ରତୀ ହୋଇଥିଲେ । ଦେବ-ସ୍ୱାମୀଙ୍କର ପୂତସଙ୍ଗ ଲାଭ କରି ତାଙ୍କର ଅନ୍ତର ଏକ ଦିବ୍ୟ ଆନନ୍ଦରେ ଭରପୂର ହୋଇଯାଇଥିଲା । ଏହି ବେଳର ସ୍ମୃତି ସେ ପରବର୍ତ୍ତୀ କାଳରେ ତାଙ୍କର ସ୍ତ୍ରୀ-ଭକ୍ତମାନଙ୍କ ଆଗରେ ପ୍ରକାଶ କରି କହିଥିଲେ, ‘ସେତେବେଳେ ମୋର ମନେ ହେଉଥିଲା, ଅନ୍ତର ମଧ୍ୟରେ କେହି ଯେପରି ଗୋଟିଏ ପୂର୍ଣ୍ଣାନନ୍ଦର କଳସ ସ୍ଥାପନ କରି ରଖିଛି ।’

ଆଦର୍ଶ ପତ୍ନୀ

[ସମ୍ପାଦନା]

କେତେକ ମାସ କାମାରପୁକୁରରେ ରହିବା ପରେ ଶ୍ରୀରାମକୃଷ୍ଣ ଦକ୍ଷିଣେଶ୍ୱରକୁ ଫେରିଗଲେ; ସାରଦା ଦେବୀ ମଧ୍ୟ ଶୂନ୍ୟ ପ୍ରାଣରେ ଜୟରାମବାଟୀକୁ ଚାଲିଗଲେ । ଦେବ-ସ୍ୱାମୀଙ୍କ ପୁଣ୍ୟସାନିଧ୍ୟର ମଧୁର ସ୍ମୃତି ତାଙ୍କର ସମସ୍ତ ସତ୍ତାକୁ ଯେପରି ଆଚ୍ଛନ୍ନ କରି ରଖିଥିଲା । ଶୟନେ, ସ୍ୱପନେ, ଜାଗରଣେ ଏକମାତ୍ର ଶ୍ରୀରାମକୃଷ୍ଣଦେବଙ୍କ ଚିନ୍ତାରେ ସେ ବିଭୋର ହୋଇ ରହୁଥିଲେ । ଯେ ତାଙ୍କୁ ଏତେ ଭଲ ପାଉଥିଲେ-ବେଳ ଆସିଲେ ସେ ନିଶ୍ଚୟ ତାଙ୍କୁ ନିଜ ପାଖକୁ ଡାକି ନେବେ-ଏହି ଆଶାରେ ତାଙ୍କର ସୁଦୀର୍ଘ ଚାରିବର୍ଷ କଟିଗଲା । କିନ୍ତୁ ସେ ତ କାହିଁ ଆସୁନାହାନ୍ତି ! ତାଙ୍କର ଆହ୍ୱାନ ଆସୁ ନାହିଁ ! ସାରଦାଙ୍କର ଖବର ବି ତ କେବେ ହେଲେ ନେଇ ନାହାନ୍ତି ! ତାହା ହେଲେ କଅଣ ସେ ଭୁଲିଗଲେ ! ଏହିସବୁ କଥା ଭାଳି ଭାଳି ସାରଦା ସବୁବେଳେ କାନ୍ଦୁଥାଆନ୍ତି ।

ଅନ୍ୟ ପକ୍ଷରେ କ୍ରମେ ଶ୍ରୀରାମକୃଷ୍ଣଙ୍କ ସମ୍ବନ୍ଧରେ ଗାଁ-ସାରା ନାନା କଥା ରଟିବାକୁ ଲାଗିଲା । ସେ କୁଆଡ଼େ ଗୋଟାଏ ଲମ୍ବା ବାଡ଼ି କାନ୍ଧରେ ପକାଇ ଉଲଗ୍ନ ହୋଇ ବୁଲୁଛନ୍ତି । ଗରିବ କାଙ୍ଗାଳିମାନଙ୍କର ଅଇଁଠା ଖାଉଛନ୍ତି; ମେହନ୍ତରଙ୍କ ପରି ପାଇଖାନା ସଫା କରୁଛନ୍ତି-ଏହିପରି କେତେ ପ୍ରକାରର କଥା । ଲୋକେ ଯାହା କହୁଛନ୍ତି, ତାହା ଯଦି ସତ୍ୟ ହୁଏ, ତେବେ ମୋର ତ ଆଉ ତାଙ୍କଠାରୁ ଦୂରରେ ରହିବା ଆଦୌ ଉଚିତ ନୁହେଁ-ସାରଦା ଅଧୀର ହୋଇ ଏହା ଭାବିବାକୁ ଲାଗିଲେ ।

ଦୋଳପୂର୍ଣ୍ଣିମା ସମାଗତ । ଗ୍ରାମର କେତେକ ସ୍ତ୍ରୀ ଲୋକ କଲିକତାରେ ଗଙ୍ଗାସ୍ନାନ କରିବାକୁ ବାହାରିଲେ । ସାରଦା ମଧ୍ୟ ସେମାନଙ୍କ ସହିତ ଯିବାକୁ ଇଚ୍ଛା ପ୍ରକାଶ କରିବାରୁ ରାମଚନ୍ଦ୍ର ତାଙ୍କର ଅଭିପ୍ରାୟ ବୁଝିଲେ ଏବଂ ସଙ୍ଗରେ ନେବାକୁ ରାଜି ହେଲେ ।

ଦୀର୍ଘପଥ-କଣ୍ଟା, ବୁଦା, ଗୋହିରି, ବିଲ ଦେଇ ପାଦଚଲା ବାଟ । ଅନଭ୍ୟସ୍ତ ସାରଦା କ୍ରମାଗତ ଦୁଇଦିନ ଚାଲିବା ପରେ ହଠାତ୍‌ କମ୍ପ ହୋଇ ତାଙ୍କର ଜ୍ୱର ଆସିଲା । ନିରୁପାୟ ହୋଇ ରାମଚନ୍ଦ୍ର ଝିଅକୁ ନେଇ ନିକଟବର୍ତ୍ତୀ ଗୋଟିଏ ଧର୍ମଶାଳାରେ ଆଶ୍ରୟ ନେଲେ । ଜ୍ୱର ପ୍ରକୋପରେ ଓ ମନକଷ୍ଟରେ ସାରଦା ବେହୋସ୍‌ ହୋଇ ଶୋଇପଡ଼ିଲେ । ସେହି ଅବସ୍ଥାରେ ସେ ଦେଖିଲେ କାଳିଆ ହୋଇ ଝିଅଟିଏ ତାଙ୍କ ମୁଣ୍ଡ ପାଖରେ ବସି ତାଙ୍କ ଦେହରେ ଓ ମୁଣ୍ଡରେ ହାତ ବୁଲାଉଛି-ହାତ ଦୁଇଟି ଭାରି ନରମ ଓ ଥଣ୍ଡା । ସେହି କୋମଳ ସ୍ପର୍ଶରେ ତାଙ୍କ ଦେହର ଉତ୍ତାପ ଓ ଯନ୍ତ୍ରଣା ସଙ୍ଗେ ସଙ୍ଗେ ଦୂର ହୋଇଗଲା । ସାରଦା ବିସ୍ମିତ ହୋଇ ସେହି ଝିଅଟିକୁ ପଚାରିଲେ, ‘ଆହା, କିଏ ତମେ ? କେଉଁଠୁ ଆସିଛ କହିଲ ?’ ଝିଅଟି କହିଲା, ‘ଦକ୍ଷିଣେଶ୍ୱରରୁ ଆସିଛି, ମୁଁ ତୁମର ଭଉଣୀ ।’

ସାରଦା କାନ୍ଦି କାନ୍ଦି କହିଲେ, ‘ଆହା ! ତୁମେ ଦକ୍ଷିଣେଶ୍ୱରରୁ ଆସିଛ ? ମୁଁ ତ କେତେ ମନାସିଥିଲି ଦକ୍ଷିଣେଶ୍ୱରକୁ ତାଙ୍କ ପାଖକୁ ଯିବି ବୋଲି, ତାଙ୍କର ସେବାଯତ୍ନ କରିବି ବୋଲି । ଏତେ ଜ୍ୱର ହେଲାଣି; ବୋଧ ହୁଏ ଆଉ ଯିବା ହୋଇପାରିବ ନାହିଁ ।’ ଝିଅଟି କହିଲା, ‘ଇଏ କଅଣ, ତମେ କାନ୍ଦୁଛ ? ତମେ କାନ୍ଦନି, ତମେ ଭଲ ହୋଇ ଦକ୍ଷିଣେଶ୍ୱରକୁ ଯିବ ତାଙ୍କୁ ଦେଖିବ । ତମ ପାଇଁ ତ ମୁଁ ତାଙ୍କୁ ସେଠାରେ ଅଟକାଇ ରଖିଛି ।’

‘ଏଁ, ସତ ନା କଅଣ ?’ -ଏହି କଥା କହୁ କହୁ ଅବସନ୍ନ ହୋଇ ସାରଦା ଶୋଇପଡ଼ିଲେ । ପରଦିନ ସକାଳେ ରାମଚନ୍ଦ୍ର ଦେଖିଲେ ଝିଅର ଜ୍ୱର ଛାଡ଼ିଯାଇଛି-ଦୁର୍ବଳତା ଯାଇନି, ତେଣୁ ସେ ସାରଦାଙ୍କୁ ଧରି ଧରି ଆସ୍ତେ ଆସ୍ତେ ବାଟ ଚାଲିବାକୁ ଲାଗିଲେ । ଖଣ୍ଡେ ବାଟ ଯିବା ପରେ ଅପ୍ରତ୍ୟାଶିତ ଭାବରେ ଗୋଟିଏ ସବାରି ତାଙ୍କୁ ମିଳିଗଲା । ସବାରିରେ ବସି ଯାଉ ଯାଉ ସାରଦାଙ୍କୁ ପୁଣି ଜ୍ୱର ହେଲା । କ୍ରମେ ବାଟ ମଧ୍ୟ ଶେଷ ହୋଇଗଲା । ରାତି ନଅଟା ବେଳକୁ ସେମାନେ ଆସି ଦକ୍ଷିଣେଶ୍ୱରରେ ପହଞ୍ଚିଲେ ।

ସାରଦା ଜ୍ୱର ଦେହରେ ଆସିଛନ୍ତି ଶୁଣି ଶ୍ରୀରାମକୃଷ୍ଣ ବିଶେଷ ଉଦ୍‌ବିଗ୍ନ ହୋଇ ନିଜ କେଠାରୀରେ ତାଙ୍କର ରହିବାର ବ୍ୟବସ୍ଥା କରି ସେବା ଶୁଶ୍ରୁଷା କରିବାକୁ ଲାଗିଲେ । ଆଉ ବାରମ୍ବାର ଦୁଃଖ କରି କହୁଥାଆନ୍ତି ‘ଆହା ! ଏତେ ଦିନ ପରେ ତୁମେ ଆସିଲ ! ଆଉ କଅଣ ମୋର ‘ସେଜୋବାବୁ’ (ମଥୁରବାବୁ) ଅଛନ୍ତି ଯେ ତମର ଯତ୍ନ ନେବେ !’

ନିଜ କୋଠରୀରେ ତିନି-ଚାରିଦିନ ରଖି ଶ୍ରୀରାମକୃଷ୍ଣ ସେବା ଯତ୍ନାଦି ଓ ଔଷଧପତ୍ରଦ୍ୱାରା ପତ୍ନୀଙ୍କୁ ଆରୋଗ୍ୟ କରାଇଲେ ଏବଂ ନହବତ୍‌ରେ ନିଜ ମାଆଙ୍କ ନିକଟରେ ତାଙ୍କର ରହିବାର ବ୍ୟବସ୍ଥା କରିଦେଲେ ।

ସାରଦାମଣି ସ୍ୱାମୀଙ୍କର ଏତେ ଯତ୍ନ ଓ ଆଦର ପାଇ ବୁଝିଲେ ଯେ ତାଙ୍କ ପ୍ରାଣର ଦେବତା ଠିକ୍‌ ଆଗଭଳି ରହିଛନ୍ତି, ଲୋକେ ଯାହା ପ୍ରଚାର କରି କହୁଛନ୍ତି ତାହାସବୁ ମିଥ୍ୟା । ତେଣୁ ସେ ନହବତ୍‌ରେ ରହିଲେ ସୁଦ୍ଧା ଉଲ୍ଲସିତ ପ୍ରାଣରେ ଶାଶୁ ଓ ସ୍ୱାମୀଙ୍କର ସେବାରେ ଦେହ, ମନ, ପ୍ରାଣ ଢାଳିଦେଲେ ।

ଦିନେ ଏକାନ୍ତରେ ଶ୍ରୀରାମକୃଷ୍ଣ ସାରଦାଦେବୀଙ୍କୁ ପଚାରିଲେ ‘ହଇହେ, ତମେ କ’ଣ ମତେ ସଂସାର-ପଥକୁ ଟାଣି ନେବାକୁ ଆସିଛ ?’ ସ୍ନିଗ୍‌ଧ କଣ୍ଠରେ ସାରଦାମଣି ଉତ୍ତର ଦେଲେ, ‘ତୁମକୁ ସଂସାର-ପଥକୁ ଟାଣିନେବି କାହିଁକି ? ମୁଁ ତୁମକୁ ଇଷ୍ଟପଥରେ ସାହାଯ୍ୟ କରିବାକୁ ଆସିଛି ।’ ତାହା ଶୁଣି ଶ୍ରୀରାମକୃଷ୍ଣ ନିଶ୍ଚିନ୍ତ ହେଲେ । ତାଙ୍କର ସମସ୍ତ ନାରୀଙ୍କ ପ୍ରତି ମାତୃଭାବ । ଥରେ ସେ କହିଥିଲେ, ‘ଆମେ ଦୁଇଜଣଯାକ ମା’ଙ୍କର ସଖୀ, ତା ନ ହେଲେ ସ୍ତ୍ରୀକୁ ନେଇ ଆଠମାସ କାଳ ଏକ ସଙ୍ଗରେ ଥିଲି କିପରି ?’

ଦିନେ ସାରଦା ଦେବୀ ଏକାନ୍ତରେ ସ୍ୱାମୀଙ୍କର ପଦସେବା କରୁ କରୁ ପଚାରିଲେ, ‘ମୋତେ ତୁମେ କଅଣ ବୋଲି ଭାବ ?’ ଶ୍ରୀରାମକୃଷ୍ଣ ସ୍ମିତ କଣ୍ଠରେ ଉତ୍ତର ଦେଲେ-‘ମନ୍ଦିରରେ ଯେଉଁ ଭବତାରିଣୀ ମା’, ନହବତ୍‌ରେ ଯେଉଁ ମା’ ମୋତେ ଗର୍ଭରେ ଧାରଣ କରିଥିଲେ, ସେହି ମା’ ଆଜି ପଦସେବା କରୁଅଛନ୍ତି । ମୁଁ ତୁମକୁ ସାକ୍ଷାତ୍‌ ଜଗଦମ୍ବା ବୋଲି ମନେକରେ ।’

ଶ୍ରୀରାମକୃଷ୍ଣ ସାଧନାର ପ୍ରଥମ ଅବସ୍ଥାରେ ସୀତାଦେବୀଙ୍କୁ ଦର୍ଶନ କରିଥିଲେ; ସୀତାଙ୍କ ହାତରେ ଡାଇମଣ୍ଡକଟା ଖଡ଼ୁଥିଲା । ଭଣଜା ହୃଦୟ ନିକଟରେ ତାଙ୍କର କିଛି ଟଙ୍କା ଥିଲା । ସେହି ଟଙ୍କାରେ ସେ ସ୍ତ୍ରୀଙ୍କ ପାଇଁ ସେହିପରି ଖଡୁ ଓ ଅନ୍ୟାନ୍ୟ ଗହଣା ଗଢ଼ାଇ ଦେଲେ ଓ ଭଣଜା ହୃଦୟକୁ କହିଲେ, ‘ବୁଝିଲୁ ହୃଦୟ ! ତାଙ୍କ ସହିତ ମୋର ଏହି ସମ୍ପର୍କ । ସେ ସ୍ୱୟଂ ଲକ୍ଷ୍ମୀ ଠାକୁରାଣୀ; ଗହଣା ପିନ୍ଧିବାକୁ ଭାରି ଭଲ ପାଆନ୍ତି ।’ ଅଳଙ୍କାର ପାଇ ସାରଦାମଣିଙ୍କର କି ଆନନ୍ଦ !

ଦିନେ ରାତିରେ ସାରଦା ଦେବୀ ତାଙ୍କ ପାଖରେ ଘୋର ନିଦରେ ଶୋଇଥା’ନ୍ତି । ଶ୍ରୀରାମକୃଷ୍ଣ ଆପଣା ମନକୁ ପଚାରିଲେ- ‘ମନ ! ଏହାର ନାମ ନାରୀଦେହ । ଏହାକୁ ଗ୍ରହଣ କଲେ ଦେହର ଆନନ୍ଦରେ ଆବଦ୍ଧ ହେବାକୁ ହୁଏ, ସଚ୍ଚିଦାନନ୍ଦ ଈଶ୍ୱରଙ୍କୁ ଲାଭ କରାଯାଇପାରେ ନାହିଁ । ଭାବଘରେ ଚୋରି କର ନାହିଁ, ସତ କୁହ, ଏହାକୁ ଗ୍ରହଣ କରିବାକୁ ଚାହୁଁ ନା ଭଗବାନଙ୍କୁ ଚାହୁଁ ?’ ସଚ୍ଚିଦାନନ୍ଦ ଚିନ୍ତା କରିବା ମାତ୍ରେ ତାଙ୍କ ମନ ସମାଧିରେ ମଗ୍ନ ହୋଇଗଲା, ସଚ୍ଚିଦାନନ୍ଦ-ସାଗରରେ ମଜ୍ଜିଗଲା । ସେହି ରାତିରେ ତାଙ୍କର ଆଉ ସମାଧିଭଙ୍ଗ ହେଲା ନାହିଁ ।

ଜ୍ୟେଷ୍ଠମାସ ଫଳହାରିଣୀ କାଳୀପୂଜା ରାତିରେ ଶ୍ରୀରାମକୃଷ୍ଣ ନିଜ ଘର ଭିତରେ ଗୁପ୍ତଭାବରେ ଶ୍ରୀସାରଦା ଦେବୀଙ୍କୁ ଷୋଡ଼ଶୋପଚାର ସହିତ ଷୋଡ଼ଶୀ ବା ତ୍ରିପୁରସୁନ୍ଦରୀରୂପେ ପୂଜା କରିଥିଲେ । ପୂଜା କରିବା ସମୟରେ ‘ସମାଧିସ୍ଥ ପୂଜକ ସମାଧିସ୍ଥା ସାରଦା ଦେବୀଙ୍କ ସହିତ ଆତ୍ମସ୍ୱରୂପରେ ମିଳିତ ଓ ଏକୀଭୂତ ହୋଇଗଲେ ।’ ପୂଜାନ୍ତେ ଶ୍ରୀରାମକୃଷ୍ଣ ଜପାମାଳି ସହିତ ସମସ୍ତ ସାଧନାର ଫଳ ସାରଦା ଦେବୀଙ୍କ ଚରଣରେ ଅର୍ପଣ କରି ପ୍ରଣାମ କଲେ । ତାଙ୍କର ସବୁସାଧନାର ପରିସମାପ୍ତି ହେଲା ।

ଦକ୍ଷିଣେଶ୍ୱରରେ ଶ୍ରୀସାରଦାଦେବୀଙ୍କୁ ଅତି କଷ୍ଟରେ ରହିବାକୁ ହେଉଥିଲା-ନହବତ୍‌ଖାନାର ତଳମହଲାରେ ଅତି ଅପ୍ରଶସ୍ତ ଓ ସଂକୀର୍ଣ୍ଣ କୋଠରୀରେ-ପାଞ୍ଚଟଙ୍କା ବେତନର ଜଣେ ମନ୍ଦିର ପୂଜକଙ୍କର ସ୍ତ୍ରୀ ସେ; କିନ୍ତୁ ଏପରି କଷ୍ଟ ମଧ୍ୟରେ ରହି ସୁଦ୍ଧା ତାଙ୍କର ତିଳେ ହେଲେ ଅସନ୍ତୋଷ ନ ଥିଲା । ଶାରୀରିକ ଶତ ଅସୁବିଧା ସତ୍ତ୍ୱେ ସେ ଅକ୍ଳାନ୍ତ ଭାବରେ ତାଙ୍କ ଦେବ ସ୍ୱାମୀଙ୍କର ସେବା କରୁଥାଆନ୍ତି । ପତିସେବା ହିଁ ଥିଲା ତାଙ୍କ ଜୀବନର ଶ୍ରେଷ୍ଠ ସାଧନା । ଦକ୍ଷିଣେଶ୍ୱରରେ ସୁଦୀର୍ଘ ପନ୍ଦର ବର୍ଷ କାଳ ଶତ ପ୍ରତିକୂଳ ଅବସ୍ଥା ସତ୍ତ୍ୱେ କାୟମନୋବାକ୍ୟରେ ସେ ଶ୍ରୀରାମକୃଷ୍ଣ ଓ ତାଙ୍କର ଭକ୍ତ ସନ୍ତାନମାନଙ୍କୁ ଆପ୍ରାଣ ସେବା କରି ଗାର୍ହସ୍ଥ୍ୟ ଧର୍ମର ଏକ ନୂତନ ଆଦର୍ଶ ମାନବଜାତି ନିକଟରେ ଉପସ୍ଥାପିତ କରିଥିଲେ ଏବଂ ତତ୍‌ସଙ୍ଗେ ଐଶୀ-ଦାମ୍ପତ୍ୟ ଜୀବନକୁ ଏକ ଉଚ୍ଚପର୍ଯ୍ୟାୟରେ ପ୍ରତିଷ୍ଠିତ କରିଥିଲେ । ସାଂସାରିକ ଯାବତୀୟ କାର୍ଯ୍ୟରେ ରତ ଥାଇ ସୁଦ୍ଧା ସାରଦାଦେବୀ ବହୁତ ଧ୍ୟାନ-ଜପ କରୁଥିଲେ । ଦୀର୍ଘକାଳ ଲକ୍ଷେ ଜପ ସମାପ୍ତ ନ କରି ସେ ଜଳଗ୍ରହଣ କରୁ ନଥିଲେ । ଗଭୀର ରାତିରୁ ଶଯ୍ୟାତ୍ୟାଗ କରି ଜପରେ ବସୁଥିଲେ । ତାଙ୍କ ନିଜ କଥାରୁ ତାଙ୍କ ତପସ୍ୟାରତ ଦିନ ଗୁଡ଼ିକର କିଞ୍ଚିତ୍‌ ଆଭାସ ମିଳେ । ‘ସେତେବେଳେ କିପରି ଦିନସବୁ ଯାଇଛି ! ଜହ୍ନରାତିରେ ଚନ୍ଦ୍ର ଆଡ଼କୁ ଅନାଇଁ ହାତ ଯୋଡ଼ି ତାଙ୍କୁ କେତେ ଥର ଜଣାଇଛି-ତୁମର ଜ୍ୟୋସ୍ନାପରି ମତେ ନିର୍ମଳ କରିଦିଅ । ...ଚନ୍ଦ୍ରରେ ମଧ୍ୟ କଳଙ୍କ ଅଛି, ହେ ଭଗବାନ, ମୋର ମନରେ ଯେପରି କୌଣସି ମାଳିନ୍ୟ ନ ରହେ । ...ମୋ କଥା କଅଣ କହିବି ମା’ ! ମୁଁ ସେତେବେଳେ ଦକ୍ଷିଣେଶ୍ୱରରେ ରାତି ଅଧରୁ ଉଠି ଧ୍ୟାନରେ ବସେ, ମୋର ଆଦୌ ହୋସ୍‌ ନ ଥାଏ । ରାତିରେ କିଏ ବଂଶୀ ବଜାଉଥାଏ, ଶୁଣୁ ଶୁଣୁ ମନ ବ୍ୟାକୁଳ ହୋଇଉଠେ । ମୋର ମନେହୁଏ ସାକ୍ଷାତ୍‌ ଭଗବାନ୍‌ ଯେପରି ବଂଶୀ ବଜାଉଛନ୍ତି । ସଂଗେ ସଂଗେ ମନ ସମାଧିସ୍ଥ ହୋଇଯାଏ ।’

ଦିନ ତମାମ କାମର ଶେଷ ନାହିଁ । ଏହା ଛଡ଼ା ସନ୍ଧ୍ୟା ସମୟରେ ଯେତେବେଳେ ସାରଦାଦେବୀ ତିନି ସେର କି ସାଢ଼େ ତିନି ସେର ଅଟାର ରୁଟି ବେଲିବାକୁ ବସନ୍ତି, ସେତେବେଳେ ହାତ ଆଉ ଚଳେ ନାହିଁ । ତେବେ ସୁଦ୍ଧା ସାନନ୍ଦରେ ଦିନ ପରେ ଦିନ ସେ ସବୁ କରିଯାଆନ୍ତି ।

ତାଙ୍କର ଏହିପରି ଅକ୍ଳାନ୍ତ ଶାରୀରିକ ପରିଶ୍ରମ କଥା ଶ୍ରୀରାମକୃଷ୍ଣ ଜାଣିପାରିଲେ ଏବଂ ତାଙ୍କ ବାଳକ ଭକ୍ତ ଲାଟୁକୁ ଦନେ ଗଙ୍ଗାତୀରରେ ସନ୍ଧ୍ୟାବେଳେ ଧ୍ୟାନ କରୁଥିବାର ଦେଖି କହିଲେ, ‘ଆରେ, ତୁ ଯାହାର ଧ୍ୟାନ କରୁଛୁ, ସେ ତ ସେଠି ଅଟା ଦଳୁଛି ।’ ସେହିଦିନଠାରୁ ଲାଟୁ ଶ୍ରୀଶ୍ରୀମା’ଙ୍କର ଅନେକ କାମରେ ସାହାଯ୍ୟ କରିବାକୁ ଲାଗିଲେ ।

ନିଜ ସମ୍ବନ୍ଧରେ ଶ୍ରୀଶ୍ରୀମା’ ଅନ୍ତିମ ଅବସ୍ଥାରେ ସ୍ତ୍ରୀ ଭକ୍ତମାନଙ୍କୁ କହିଥିଲେ, ‘ମୋର କ’ଣ ତାହାହେଲେ ସବୁ ଅଲୌକିକ ! ଅଶାନ୍ତି ବୋଲି ତ କେବେ କିଛି ଜାଣିଲି ନାହିଁ । ଆଉ ଇଷ୍ଟ ଦର୍ଶନ ! ସେ ତ ହାତମୁଠାରେ । ଥରେ ବସିବା ମାତ୍ରେ ଦର୍ଶନ ହୁଏ । ଦକ୍ଷିଣେଶ୍ୱରରେ ନହବତ୍‌ ଦେଖିଛ ? ଯେଉଁ ଛୋଟିଆ ଘରଟିରେ ରହୁଥିଲି, ପ୍ରଥମେ ପ୍ରଥମେ ଘରକୁ ପଶିଲା ବେଳକୁ ଦୁଆରବନ୍ଧରେ ମୁଣ୍ଡ ବାଜୁଥିଲା । ଦିନେ ମୋ ମୁଣ୍ଡ ଫାଟିଗଲା, କିନ୍ତୁ ତା’ପରେ ଅଭ୍ୟାସ ହୋଇଗଲା । ଦୁଆରମୁହଁକୁ ଆସିଲା ମାତ୍ରେ ମୁଣ୍ଡ ଛାଏଁ ନଇଁ ଆସେ ।’ ଆବଦ୍ଧ ସ୍ଥାନରେ ରହି ରହି ତାଙ୍କ ପାଦରେ ଯେଉଁ ବାତରୋଗ ହେଲା, ତାହା ତାଙ୍କୁ ସାରା ଜୀବନ ବଡ଼ କଷ୍ଟ ଦେଇଥିଲା ।

ଦିନବେଳେ ଠାକୁରଙ୍କ ଘର ଭିତରେ କେହି ନ ଥିଲା ବେଳେ ଶ୍ରୀଶ୍ରୀମା’ କାହାରିକୁ ସାଙ୍ଗରେ ନେଇ ଶ୍ରୀରାମକୃଷ୍ଣଙ୍କ ଖାଦ୍ୟ ସ୍ୱହସ୍ତରେ ବାଢ଼ି ଦେଇଯାଆନ୍ତି । ରାତିରେ ପାଖରେ ବସି ତାଙ୍କୁ ଖୁଆନ୍ତି । ଶ୍ରୀରାମକୃଷ୍ଣଙ୍କ ମନ ଅଳ୍ପକେ ସମାଧିସ୍ଥ ହୋଇଯାଏ । ସେତେବେଳେ ଖାଇବା ପାଇଁ ତାଙ୍କର ଆଉ ମନେ ରହେ ନାହିଁ-ତେଣୁ ଶ୍ରୀଶ୍ରୀମା’ ତାଙ୍କୁ ନାନା ପ୍ରକାର ଭୁଲାଇ ଖୁଆଉଥିଲେ ।

ଜଣେ ଭକ୍ତଙ୍କ ପ୍ରଶ୍ନରେ ଶ୍ରୀରାମକୃଷ୍ଣ ଦିନେ ପରିହାସ କରି କହିଲେ, ‘ପିନ୍ଧିବା ଲୁଗାର ଠିକଣା ନ ଥାଏ, ପୁଣି ବାହା ହେଲି କାହିଁକି ! ...ହଁ ହଁ ବୁଝିଛି; ରାମଲାଲର ଖୁଡ଼ୀ ନ ଥିଲେ କିଏ ଏମିତି ରାନ୍ଧି ଖୁଆନ୍ତା !’

ନହବତ୍‌ର ସେହି ଆବଦ୍ଧ ଘରେ ବରାବର ରହି ରହି ଶ୍ରୀଶ୍ରୀମା’ଙ୍କର ସ୍ୱାସ୍ଥ୍ୟର ଅବନତି ଘଟିଲା । ସେଥିପାଇଁ ଶ୍ରୀରାମକୃଷ୍ଣଙ୍କ ଉତ୍କଣ୍ଠାର ଅନ୍ତ ନ ଥିଲା । ଦିନେ ଶ୍ରୀଶ୍ରୀମା’ଙ୍କ ମୁଣ୍ଡରେ ଯନ୍ତ୍ରଣା ହେଉଥିବାର ଶୁଣି ସେ ଉଦ୍‌ବିଗ୍ନ ଚିତ୍ତରେ ବାରମ୍ବାର ପଚାରୁଥାଆନ୍ତି- ‘ଆରେ ରାମଲାଲ, ତୋ’ ଖୁଡ଼ୀର ମୁଣ୍ଡବିନ୍ଧା କାହିଁକି ହେଲା ?’

ଶ୍ରୀଶ୍ରୀମା’ଙ୍କୁ ଶ୍ରୀରାମକୃଷ୍ଣ ଯେଉଁ ସମ୍ମାନ ଚକ୍ଷୁରେ ଦେଖୁଥିଲେ, ତାହା ସାଧାରଣ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦେଖିବା ବିରଳ । ଦୈନନ୍ଦିନ ବ୍ୟବହାରରେ ମଧ୍ୟ ତାହାର ବ୍ୟତିକ୍ରମ ଘଟୁ ନ ଥିଲା । ଶ୍ରୀଶ୍ରୀମା’ ଖାଇବା ଥାଳି ହାତରେ ଧରି ପ୍ରବେଶ କଲା ମାତ୍ରେ ଶ୍ରୀରାମକୃଷ୍ଣ ‘ମା’ ବ୍ରହ୍ମମୟୀ ! ମା’ ବ୍ରହ୍ମମୟୀ !’ ବୋଲି କହି ଛିଡ଼ା ହୋଇ ଯାଉଥିଲେ ।

ଦିନେ ସନ୍ଧ୍ୟା ହେବାର କିଛି ସମୟ ପରେ ଶ୍ରୀଶ୍ରୀମା’ କୌଣସି କାମରେ ଶ୍ରୀରାମକୃଷ୍ଣଙ୍କ ଘର ଭିତରକୁ ଆସି କାମ ସାରି ଚାଲି ଯାଉଥିଲେ । ଶ୍ରୀରାମକୃଷ୍ଣ ଆଖିବୁଜି ରହିଥିଲେ । ସେହି ଅବସ୍ଥାରେ କହିଲେ, ‘କବାଟ ଆଉଜେଇ ଦେଇ ଯା’ !’ ଉତ୍ତରରେ ଶ୍ରୀଶ୍ରୀମା’ଙ୍କ କଣ୍ଠସ୍ୱର ଶୁଣିବାମାତ୍ରେ ସେ କାତର ହୋଇ କହିବାକୁ ଲାଗିଲେ, ‘ହଇହେ ! ତୁମେ କିଛି ମନେ କରିବ ନାହିଁ । ମୁଁ ଭାବିଥିଲି ଲକ୍ଷ୍ମୀ ଘର ଭିତରକୁ ଆସିଥିଲା, ତେଣୁ କହିଲି-କବାଟ ଆଉଜେଇ ଦେଇ ଯା’ । ତମେ କିଛି ମନେ କରିବ ନାହିଁ । ଶ୍ରୀଶ୍ରୀମା’ ସହଜ କଣ୍ଠରେ କହିଲେ, ‘ଏ କି କଥା,  ଯଦି ତୁମେ କହିଥାଅ, ସେଥିରେ ହେଲା କଅଣ ?’ ଶ୍ରୀରାମକୃଷ୍ଣ ରାତିସାରା ଆଉ ଶୋଇପାରିଲେ ନାହିଁ । ତା’ ପରଦିନ ସକାଳେ ନହବତ୍‌କୁ ଯାଇ କହିଲେ, ‘ବୁଝିଲ, କାଲି ରାତିସାରା ଭାବି ଭାବି ନିଦ ହେଲା ନାହିଁ । କାହିଁକି ଏପରି ରୁକ୍ଷ କଥା ତୁମକୁ କହିଲି ?’

ସେଇଥିପାଇଁ ଶ୍ରୀଶ୍ରୀମା’ ତାଙ୍କ ଭ୍ରାତୃଷ୍ପୁତ୍ରୀ ରାଧୁକୁ ଗର୍ବର ସହିତ କହିଥିଲେ, ‘ଆହା, ସେ (ଶ୍ରୀରାମକୃଷ୍ଣ) ମୋ ସହିତ କିପରି ବ୍ୟବହାର କରୁଥିଲେ ! ଦିନେ ହେଲେ ମୋ ମନରେ କଷ୍ଟ ହେଲାଭଳି କିଛି କହି ନାହାନ୍ତି । ଦେହରେ ଫୁଲଟିଏ ବାଜିଲେ ଯେତିକି କଷ୍ଟ ହୁଏ, ସେତିକି କଷ୍ଟ ମଧ୍ୟ ସେ ମୋତେ କେବେ ହେଲେ ଦେଇ ନାହାନ୍ତି । ଯେଉଁଥିରେ ମୋର ମଙ୍ଗଳ ହେବ, ସେହି ଚିନ୍ତା କେବଳ କରୁଥିଲେ ।’ ଦେହସ୍ପର୍ଶ-ନିରପେକ୍ଷ ଏପରି ଦାମ୍ପତ୍ୟପ୍ରେମ ଜଗତରେ ବିରଳ ।

ଶ୍ରୀରାମକୃଷ୍ଣ ଦେହତ୍ୟାଗ

[ସମ୍ପାଦନା]

୧୮୮୫ ମସିହା ଏପ୍ରିଲ୍‌ମାସ ଶେଷ ଆଡ଼କୁ ଶ୍ରୀରାମକୃଷ୍ଣଙ୍କର ଗଳକ୍ଷତ ରୋଗର ସୂତ୍ରପାତ ହୁଏ । ରୋଗର ଉପଶମ ହେବା ଆଶାରେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ କଲିକତା ସହରର ଶ୍ୟାମପୁକୁରକୁ ଓ ପରେ କାଶୀପୁର ଉଦ୍ୟାନବାଟୀକୁ ଅଣା ହେଲା । ଶ୍ରୀଶ୍ରୀମା’ ଆସି ପୂର୍ବପରି ପତିଙ୍କର ସେବାରେ ଆତ୍ମନିୟୋଗ କଲେ । ଥରେ ନିରୁପାୟ ହୋଇ ଶ୍ରୀଶ୍ରୀମା’ ତାରକେଶ୍ୱର ମହାଦେବଙ୍କଠାରେ ଜଳସ୍ପର୍ଶ ନ କରି ତିନିଦନ ଧାରଣା ଦେଇ ପଡ଼ି ରହିଲେ; କିନ୍ତୁ କୌଣସି ଫଳ ହେଲା ନାହିଁ ।

ଶ୍ରୀରାମକୃଷ୍ଣ ଧୀରେ ଧୀରେ ମହାପ୍ରସ୍ଥାନ ପାଇଁ ପ୍ରସ୍ତୁତ ହେଲେ । ଦେହତ୍ୟାଗର କିଛିଦିନ ପୂର୍ବରୁ ସେ କଲିକତା ଆଡ଼କୁ ଶୀର୍ଣ୍ଣ ହାତ ଖଣ୍ଡିକ ବଢ଼ାଇ ଶ୍ରୀଶ୍ରୀମା’ଙ୍କୁ ସମ୍ବୋଧନ କରି କହିଲେ, ‘ଦେଖୁଛ, ଈଶ୍ୱରଙ୍କୁ ଭୁଲି ମଣିଷଗୁଡ଼ାକ କିପରି ଦୁଃଖ ଭୋଗ କରୁଛନ୍ତି, ପୋକମାଛି ପରି କଲବଲ ହେଉଛନ୍ତି । ତୁମେ ସେମାନଙ୍କୁ ଦେଖିବ ।’

ଶ୍ରୀଶ୍ରୀମା’ ଅବନତ ମୁଖରେ କହିଲେ, ‘ମୁଁ ସ୍ତ୍ରୀଲୋକ, ମୁଁ କଅଣ କରିପାରିବି ?’ ଶ୍ରୀରାମକୃଷ୍ଣ ସ୍ପଷ୍ଟ କଣ୍ଠରେ କହିଲେ, ‘ନା, ତୁମକୁ କରିବାକୁ ହେବ । ମୁଁ ଆଉ କଅଣ କରିଛି । ତା’ଠାରୁ ଅନେକ ବେଶୀ ତୁମକୁ କରିବାକୁ ହେବ । ସମସ୍ତ କାର୍ଯ୍ୟର ଭାର ତୁମ ଉପରେ ରହିଲା ।’

ଏହିପରି ଭାବରେ ଜୀବୋଦ୍ଧାରର ଅସମାପ୍ତ କାର୍ଯ୍ୟର ଭାର ଶ୍ରୀସାରଦାଦେବୀଙ୍କ ଉପରେ ଅର୍ପଣ କରି ୧୮୮୬ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୧୬ ତାରିଖ ରବିବାର ରାତି ପ୍ରାୟ ଗୋଟାଏ ବେଳେ ଇଷ୍ଟନାମ ଉଚ୍ଚାରଣ କରୁ କରୁ ଶ୍ରୀରାମକୃଷ୍ଣ ଧ୍ୟାନସ୍ଥ ହୋଇ ମହାସମାଧି ଲାଭ କଲେ । ଶ୍ରୀଶ୍ରୀମା’ ଏହି ଖବର ଶୁଣିବା ମାତ୍ରେ ଚିତ୍କାର କରି କାନ୍ଦି କାନ୍ଦି କହିଲେ, ‘ମୋର ମା’ କାଳୀ, କୁଆଡ଼େ ଗଲ ଗୋ !’

ଶ୍ରୀରାମକୃଷ୍ଣଙ୍କ ଦେହ ଗଙ୍ଗାନଦୀ କୂଳରେ ଯଥାରୀତି ସତ୍କାର କରାଗଲା । ପରଦିନ ଶୋକାତୁରା ଶ୍ରୀଶ୍ରୀମା’ ବିଧବାବେଶ ଧାରଣ କଲେ । ଦେହର ଅନ୍ୟାନ୍ୟ ଆଭରଣ ତ୍ୟାଗ କରି ଯେତେବେଳେ ହାତର ବାଲାଟି କାଢ଼ିବାକୁ ଯାଉଛନ୍ତି, ସେତେବେଳେ ଶ୍ରୀରାମକୃଷ୍ଣ ତାଙ୍କୁ ଦର୍ଶନ ଦେଇ ହାତରୁ ବାଲା କାଢ଼ିବାକୁ ମନା କଲେ; କହିଲେ, ‘ହଇହେ, ମୁଁ କଅଣ କୁଆଡ଼େ ଯାଇଛି ? ଏ ଯେପରି ଏ ଘର ଆଉ ସେ ଘର । ତୁମେ ନିରାଭରଣା ହୁଅ ନାହିଁ । ତୁମେ ନିରାଭରଣା ହେଲେ ଜଗତର ମହା ଅକଲ୍ୟାଣ ହେବ ।’

ଶ୍ରୀଶ୍ରୀମା’ ହାତରୁ ବାଲା ଓ ଗଳାରୁ ହାରଟି କାଢ଼ିଲେ ନାହିଁ । ସେ ଚିରସୀମନ୍ତିନୀ ହୋଇ ରହିଲେ । କେବଳ ପିନ୍ଧିଥିବା ଶାଢ଼ୀର ଧଡ଼ିଟି ଛିଣ୍ଡାଇ ଦେଇ ସରୁ ଧଡ଼ି କରି ସେହି ଶାଢ଼ୀ ପିନ୍ଧିଲେ । ଅବଶ୍ୟ ସଂପୂର୍ଣ୍ଣରୂପେ ବିଧବାବେଶ ଧାରଣ ନ କରିବା ହେତୁ ଶ୍ରୀଶ୍ରୀମା’ଙ୍କୁ ଜୟରାମବାଟୀ ଓ କାମାରପୁକୁର ଅଞ୍ଚଳରେ ନାନା ପ୍ରକାର ସାମାଜିକ ସମାଲୋଚନା ସହିବାକୁ ପଡ଼ିଥିଲା, ମାତ୍ର ସେ ପତିଙ୍କ ନିର୍ଦ୍ଦେଶକୁ ଯଥାର୍ଥ ମାନି ଚଳିଥିଲେ ।

ଶ୍ରୀରାମକୃଷ୍ଣଙ୍କର ଦେହାବସାନ ପରେ ଶ୍ରୀଶ୍ରୀମା’ ମଧ୍ୟ ଶରୀର ତ୍ୟାଗ କରିବାକୁ ସଂକଳ୍ପ କଲେ । ସେତେବେଳେ ଶ୍ରୀରାମକୃଷ୍ଣ ତାଙ୍କୁ ଦର୍ଶନ ଦେଇ କହିଲେ, ‘ନା, ତୁମକୁ ରହିବାକୁ ହେବ । ଆହୁରି ଅନେକ କାମ ବାକି ଅଛି । ତୁମେ ଯୋଗମାୟା ଆଶ୍ରୟ କରି ଆହୁରି କିଛିଦିନ ପୃଥିବୀରେ ରହ ।’

ତୀର୍ଥ ଯାତ୍ରା

[ସମ୍ପାଦନା]

ମାତ୍ର ଶ୍ରୀରାମକୃଷ୍ଣ ତାଙ୍କ ପ୍ରାଣରେ ଯେଉଁ ଶୂନ୍ୟତା ସୃଷ୍ଟି କରି ଚାଲିଗଲେ, ତାହା ଶ୍ରୀଶ୍ରୀମା’ଙ୍କ ପକ୍ଷରେ କ୍ରମଶଃ ଅସହନୀୟ ହେଲା । ଭକ୍ତଗଣ ପରାମର୍ଶ କରି ତାଙ୍କୁ ଶ୍ରୀବୃନ୍ଦାବନଧାମ ଦର୍ଶନ ପାଇଁ ପଠାଇଲେ । ତାଙ୍କ ସଙ୍ଗରେ ଗଲେ ଯୋଗେନ୍‌, କାଳୀ ଓ ଲାଟୁ ଇତ୍ୟାଦି ବାଳକ ଭକ୍ତମାନେ ଓ ଗୋଲାପ-ମା’, ଲକ୍ଷ୍ମୀ ଦିଦି ଓ ଅନ୍ୟାନ୍ୟ ସ୍ତ୍ରୀ-ଭକ୍ତମାନେ । ବାଟରେ ଦେଓଘର, କାଶୀ, ଅଯୋଧ୍ୟା ଦେଇ ବୃନ୍ଦାବନକୁ ଆସିଲେ ଓ ସେଠାରେ ବଳରାମବାବୁଙ୍କ ‘କାଲାବାବୁ କୁଞ୍ଜ’ରେ ତପସ୍ୟାରତା ହେଲେ । ବ୍ରଜଧାମକୁ ଆସି ଶ୍ରୀଶ୍ରୀମା’ଙ୍କ ମନରେ ଶ୍ରୀରାଧିକାଙ୍କ ମହାବିରହର ଭାବ ଉଦ୍ରେକ ହେଲା । ଅଜସ୍ର ଲୋତକଧାରାରେ ସେ କାନ୍ଦୁଥାଆନ୍ତି । ଶ୍ରୀରାମକୃଷ୍ଣ ଦର୍ଶନ ଦେଇ କହିଲେ, ‘ତୁମେ ଏତେ କାନ୍ଦୁଛ କାହିଁକି ? ମୁଁ କଅଣ କୁଆଡ଼େ ଯାଇଛି ? ଏଇ ତ ମୁଁ ରହିଛି । ଏ ଘରରୁ ସେ ଘରକୁ ଯିବା ଛଡ଼ା ତ ଆଉ କିଛି ନୁହେଁ । ଏବେଠାରୁ ମୁଁ ସୂକ୍ଷ୍ମ ଦେହରେ ତୁମ ଭିତରେ ରହିବି ।’ ଏହାପରେ ଘନ ଘନ ଶ୍ରୀରାମକୃଷ୍ଣଙ୍କର ଦର୍ଶନ ପାଇ ଶ୍ରୀଶ୍ରୀମା’ଙ୍କ ବିରହ-ଯନ୍ତ୍ରଣା ଶାନ୍ତ ହେଲା । ବୃନ୍ଦାବନରେ କେତେଥର ସେ ଏପରି ଗଭୀର ଧ୍ୟାନରେ ମଗ୍ନା ହୋଇଥିଲେ ଯେ ତାଙ୍କର ବାହ୍ୟ ଚେତନା ଫେରାଇ ଆଣିବା ପାଇଁ ତାଙ୍କ କାନରେ ବାରମ୍ବାର ଭଗବାନଙ୍କର ବିଭିନ୍ନ ନାମ ଶୁଣାଇବାକୁ ପଡ଼ିଥିଲା ।

ସେହି ସମୟରେ ଶ୍ରୀଶ୍ରୀମା’ ପ୍ରାୟ ବର୍ଷେକାଳ ବୃନ୍ଦାବନରେ କଠୋର ତପଶ୍ଚର୍ଯ୍ୟାରେ କଟାଇଥିଲେ । ସେ ସେବକ ସଙ୍ଗିନୀମାନଙ୍କୁ ନେଇ ସେଠାକାର ବିଭିନ୍ନ ମନ୍ଦିରାଦି ଦର୍ଶନ କଲେ ଏବଂ ବୃନ୍ଦାବନ ପରିକ୍ରମା କଲେ । ବୃନ୍ଦାବନକୁ ଯିବାର କେତେଦିନ ପରେ ପୁଣି ଶ୍ରୀରାମକୃଷ୍ଣ ମା’ଙ୍କୁ ଦର୍ଶନ ଦେଇ କହିଲେ, ‘ମୁ ଯୋଗେନ୍‌କୁ ମନ୍ତ୍ରଦୀକ୍ଷା ଦେଇ ନାହିଁ; ତୁମେ ତାହାକୁ ମନ୍ତ୍ର ଦିଅ ।’ କି ମନ୍ତ୍ର ଦେବାକୁ ହେବ ତାହା ମଧ୍ୟ କହିଦେଲେ । ସେତେବେଳେ କିନ୍ତୁ ମା’ ଶୋକରେ ମୁହ୍ୟମାନା ହୋଇ ରହିଥିଲେ । ତେଣୁ ଶ୍ରୀରାମକୃଷ୍ଣ ତାହା ବୁଝିପାରି ଲାଗି ଲାଗି ତିନିଦିନ ତାହାଙ୍କୁ ଦର୍ଶନ ଦେଇ ଯୋଗେନ୍‌କୁ ଦୀକ୍ଷା ଦେବା କଥା କହିଲେ । ତା’ପରେ ଶ୍ରୀଶ୍ରୀମା’ ଦୀକ୍ଷା ଦେବା ସମ୍ବନ୍ଧରେ ମନ ସ୍ଥିର କଲେ । ଦିନେ ଶ୍ରୀରାମକୃଷ୍ଣଙ୍କର ଛବି ଓ ଦେହାବଶେଷ ରକ୍ଷିତ ଫରୁଆକୁ ପୂଜା କରୁଥିବା ସମୟରେ ତାଙ୍କର ଗଭୀର ଭାବାବେଶ ହେଲା । ସେହି ଅବସ୍ଥାରେ ସେ ଯୋଗେନ୍‌ଙ୍କୁ ମନ୍ତ୍ରଦୀକ୍ଷା ଦେଲେ ।

ଶ୍ରୀଶ୍ରୀମା’ ସାରଦା ଏହି ଭାବରେ ଶ୍ରୀରାମକୃଷ୍ଣଙ୍କଦ୍ୱାରା ଆଦିଷ୍ଟ ହୋଇ ଜୀବତ୍ରାଣ କାର୍ଯ୍ୟରେ ବ୍ରତୀ ହେଲେ । ଅମୃତ-ଗଙ୍ଗାର ପୂତଧାରା ପରି ଶ୍ରୀଶ୍ରୀମା’ଙ୍କ କୃପାବାରି କାଳକ୍ରମେ ଶତ ଶତ ପ୍ରାଣକୁ ସଞ୍ଜୀବିତ କରିଥିଲା । ଜୀବନର ଶେଷଦିନ ପର୍ଯ୍ୟନ୍ତ ସେ ଜୀବୋଦ୍ଧାର କରିଯାଇଛନ୍ତି ।

ବୃନ୍ଦାବନରୁ ଶ୍ରୀଶ୍ରୀମା’ ଭକ୍ତମାନଙ୍କୁ ନେଇ ହିମାଳୟ ପାଦ ଦେଶରେ ଅବସ୍ଥିତ ହରିଦ୍ୱାରକୁ ଯାଇ ବ୍ରହ୍ମକୁଣ୍ଡର ପବିତ୍ର ଜଳରେ ଶ୍ରୀରାମକୃଷ୍ଣଙ୍କ କେଶର କିୟଦଂଶ ଓ ନଖ ବିସର୍ଜନ ଦେଲେ । ତା’ପରେ ଜୟପୁର, ଆଜ୍‌ମୀର ପ୍ରଭୃତି ତୀର୍ଥଦର୍ଶନ କରି କ୍ରମେ ତୀର୍ଥରାଜ ପ୍ରୟାଗକୁ ଆସି ଗଙ୍ଗାଯମୁନା ସଙ୍ଗମରେ ଶ୍ରୀରାମକୃଷ୍ଣଙ୍କ କେଶ ବିସର୍ଜନ ଦେଲେ ଓ ସଙ୍ଗମରେ ସ୍ନାନ କରି କାମରାପୁକୁରସ୍ଥ ଶୂନ୍ୟ ଘରକୁ ଫେରି ଆସିଲେ ।

ଶ୍ରୀରାମକୃଷ୍ଣ ଦେହତ୍ୟାଗ ପୂର୍ବରୁ ଦିନେ ଶ୍ରୀଶ୍ରୀମା’ଙ୍କୁ କହିଥିଲେ, ‘କାମାରପୁକୁରର ଭିଟା ଏକାବେଳକେ ଛାଡ଼ି ଆସିବ ନାହିଁ । ସେଠାରେ ରହିବ, ଶାଗ ବୁଣିବ, ଶାଗଭାତ ଖାଇବ ଓ ହରିନାମ କରିବ ।’ ଆଦର୍ଶ ସାତ୍ତ୍ୱିକ ଜୀବନଯାପନ କରିବା ପାଇଁ କି ସୁନ୍ଦର ନିର୍ଦ୍ଦେଶ ! ଆଉଥରେ ମଧ୍ୟ ସେ ମା’ଙ୍କୁ କହିଥିଲେ, ‘ଶୁଣ, କାହାରି ନିକଟରେ ହାତ ପତାଇବ ନାହିଁ, ଯେତେ ପାର ମୁକ୍ତହସ୍ତ ହେବ ।’ ଅର୍ଥାତ୍‌ କାହାରି ନିକଟରେ ପ୍ରାର୍ଥୀ ହେବ ନାହିଁ, ଯେତେ ପାର ଦାନ କରି ଯିବ । ଅପରିଗ୍ରହିତା ଧର୍ମଲାଭର ସହାୟକ । ଶ୍ରୀଶ୍ରୀମା’ ଜୀବନର ଶେଷଦିନ ପର୍ଯ୍ୟନ୍ତ ପତିଙ୍କର ଉକ୍ତ ନିର୍ଦ୍ଦେଶ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ । କାମାରପୁକୁରରେ ଏପରି ଦିନ ବିତିଛି, ଯେତେବେଳେ ସେ ବିନାଲୁଣରେ ଶାଗପଖାଳ ଖାଇ ଦିନ କଟାଇଛନ୍ତି । କାହାରି ନିକଟରେ ନିଜର ଅଭାବ କଥା କେବେ ହେଲେ ପ୍ରକାଶ କରି ନାହାନ୍ତି ।

କାମାରପୁକୁରରେ ଶ୍ରୀଶ୍ରୀମା’ କୃଚ୍ଛ୍ରସାଧନରେ ଦିନାତିପାତ କରୁଥିବା ଜାଣିପାରି ଭକ୍ତଗଣ ତାଙ୍କୁ କଲିକତାକୁ ଆଣି ଗଙ୍ଗାକୂଳସ୍ଥ ବେଲୁଡ଼ ଓ ଘୁସୁଡ଼ି ପ୍ରଭୃତି ସ୍ଥାନରେ ଘରଭଡ଼ା କରି ତାଙ୍କ ରହିବାର ବ୍ୟବସ୍ଥା କଲେ । ଶ୍ରୀଶ୍ରୀମା’ କଠୋର ତପସ୍ୟାରେ ବ୍ରତୀ ହେଲେ । ଏହି ସମୟରେ ସେ ସର୍ବଦା ସମାଧିସ୍ଥ ହୋଇ ରହୁଥିଲେ । ଦିନେ ଗଭୀର ଧ୍ୟାନ କରୁଛନ୍ତି-ଧ୍ୟାନଭଙ୍ଗ ପରେ ସଙ୍ଗିନୀମାନଙ୍କୁ କହିଲେ, ‘ଆଲୋ ଯୋଗେନ୍‌, ମୋର ହାତ କାହିଁ ? ମୋର ଗୋଡ଼ କାହିଁ ?’ ସଂପୂର୍ଣ୍ଣ ଦେହଜ୍ଞାନବିରହିତ ଏହି ଉଚ୍ଚ ସମାଧି ପରେ ମଧ୍ୟ ଅନେକ ସମୟରେ ନାନାପ୍ରକାର ଜ୍ୟୋତି-ସମୁଦ୍ରରେ ତାଙ୍କର ମନ ବିଲୀନ ହୋଇ ରହୁଥାଏ । ଦିନେ ଗଭୀର ଧ୍ୟାନରୁ ବ୍ୟୁତ୍‌ଥିତ ହୋଇ କହିଲେ, ‘ଦେଖିଲି ବହୁ ଦୂରରେ ଥିବା ଏକ ରାଜ୍ୟକୁ ଚାଲିଯାଇଛି-ସେଠାରେ ସମସ୍ତେ ମୋତେ ଭାରି ଭଲ ପାଉଛନ୍ତି । ସେଠାରେ ମୋର କି ରୂପ ! ଶ୍ରୀଠାକୁର ମଧ୍ୟ ରହିଛନ୍ତି-ସେ କେତେ ଆଦର କରି ମୋତେ ତାଙ୍କ ପାଖରେ ବସାଇଲେ-ମୋର କେତେ ଯେ ଆନନ୍ଦ ହେଉଥିଲା କ’ଣ କହିବି ! ସେ ଆନନ୍ଦ ଭାଷାରେ ବ୍ୟକ୍ତ କରିପାରୁ ନାହିଁ । ଯେତେବେଳେ ମନ ତଳକୁ ଖସି ଆସିଲା, ଦେଖିଲି ଦେହଟା ପଡ଼ି ରହିଛି । ଭାବୁଥାଏ କିପରି ତାହା ଭିତରେ ପଶିବି ? କିଛି ସମୟ ପରେ ମୋ ଦେହରେ ଚେତା ଫେରିଆସିଲା ।’

ବେଲୁଡ଼ରେ ଶ୍ରୀଶ୍ରୀମା’ ପଞ୍ଚତପା ସାଧନ କଲେ । ସେଠାରେ ନୀଳାମ୍ବର ମୁଖାର୍ଜିଙ୍କ ଭଡ଼ାଘରେ ତପସ୍ୟା କଲାବେଳେ ଶ୍ରୀଶ୍ରୀମା’ଙ୍କର ଅତି ଆଶ୍ଚର୍ଯ୍ୟଜନକ ଏକ ଦର୍ଶନ ହୋଇଥିଲା । ଉଦ୍ୟାନଗୃହ ସମ୍ମୁଖରେ ଗଙ୍ଗା ପ୍ରବାହିତ । ଶ୍ରୀଶ୍ରୀମା’ ଦେଖିଲେ ଶ୍ରୀଠାକୁର ପାହାଚ ଦେଇ ନଦୀକୁ ଓହ୍ଲାଇଗଲେ ଏବଂ ତତ୍‌କ୍ଷଣାତ୍‌ ତାଙ୍କ ଦେହ ଗଙ୍ଗାବାରି ସହିତ ମିଶିଗଲା । ଶ୍ରୀରାମକୃଷ୍ଣ ଓ ଗଙ୍ଗା ଏକ ହୋଇଗଲେ । ଏଣେ ସ୍ୱାମୀ ବିବେକାନନ୍ଦ ‘ଜୟ ରାମକୃଷ୍ଣ, ଜୟ ରାମକୃଷ୍ଣ’ କହି କହି ସେହି ଗଙ୍ଗାଜଳ ଆଞ୍ଜୁଳା ଆଞ୍ଜୁଳା ନେଇ ଅଗଣିତ ନରନାରୀଙ୍କ ମସ୍ତକ ଉପରେ ଛିଞ୍ଚିବାକୁ ଲାଗିଲେ । ଏବଂ ସେହି ବ୍ରହ୍ମବାରି ସ୍ପର୍ଶରେ ସମସ୍ତେ ମୁକ୍ତ ହେବାକୁ ଲାଗିଲେ । ଏହି ଦିବ୍ୟ ଦର୍ଶନ ଶ୍ରୀଶ୍ରୀମା’ଙ୍କ ମନରେ ଏପରି ଗଭୀର ରେଖାପାତ କରିଥିଲା ଯେ ସେ କେତେଦିନ ଯାଏ ଗଙ୍ଗାରେ ପ୍ରବେଶ କରି ଅବଗାହନ କରିପାରିଲେ ନାହିଁ । କହିଲେ, ‘ଏହା ଶ୍ରୀଠାକୁରଙ୍କ ଦେହ, ଏଥିରେ କିପରି ପାଦ ଦେବି !’

ଏହିପରି ଭାବରେ ବିଭିନ୍ନ ସ୍ଥାନରେ ଦୀର୍ଘକାଳ ତପସ୍ୟାରତ ରହିବା ପରେ ଶ୍ରୀଶ୍ରୀମା’ଙ୍କ ଅନ୍ତରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାର ଦୁର୍ବାର ଆକର୍ଷଣ ଅନୁଭୂତ ହେଲା । ଭକ୍ତମାନେ ତାଙ୍କର ଇଚ୍ଛା ଜାଣିପାରି ଶ୍ରୀଜଗନ୍ନାଥ-କ୍ଷେତ୍ରକୁ ତୀର୍ଥଯାତ୍ରା କରିବା ପାଇଁ ଆୟୋଜନ କରିବାରେ ଲାଗିଲେ ।

ଶ୍ରୀଜଗନ୍ନାଥକ୍ଷେତ୍ରର ଆଧ୍ୟାତ୍ମିକ ପରିବେଶକୁ ଶ୍ରୀଶ୍ରୀମା’ ଏତେ ଉଚ୍ଚଭାବୋଦ୍ଦୀପକ ବୋଲି ମନେ କରୁଥିଲେ ଯେ ସେ ସର୍ବମୋଟ ତିନି ଚାରିଥର ଶ୍ରୀକ୍ଷେତ୍ରକୁ ଆସିଥିଲେ ଏବଂ ପୁରୀକ୍ଷେତ୍ର ଅନ୍ତର୍ଗତ ସାକ୍ଷୀଗୋପାଳ, ଭୁବନେଶ୍ୱର, ଉଦୟଗିରି ଓ ଖଣ୍ଡଗିରି ପ୍ରଭୃତି ଦର୍ଶନ କରିଥିଲେ ଏବଂ ଶ୍ରୀକ୍ଷେତ୍ରକୁ ଯିବା ପଥରେ କଟକ, ବାଲେଶ୍ୱର, ଭଦ୍ରକ ଓ କୋଠାରରେ ବାସ କରିଥିଲେ ।

ଏହାର କେତେବର୍ଷ ପରେ ଶ୍ରୀଶ୍ରୀମା’ ବୃଦ୍ଧା ଗର୍ଭଧାରିଣୀ ଓ ନିକଟ ଆତ୍ମୀୟବର୍ଗଙ୍କୁ ନେଇ କାଶୀ, ବୃନ୍ଦାବନ ଓ ଶ୍ରୀକ୍ଷେତ୍ର ପ୍ରଭୃତି ତୀର୍ଥସ୍ଥାନଗୁଡ଼ିକରେ ତିନିମାସରୁ ଅଧିକ କାଳ ରହିଥିଲେ । ସେ କହୁଥିଲେ, ‘କାହାରି ଋଣ ରଖିବା ଉଚିତ୍‌ ନୁହେଁ । -ମା’ଙ୍କ ପ୍ରତି ସମସ୍ତଙ୍କର କର୍ତ୍ତବ୍ୟ ଅଛି ।’ ଶ୍ରୀଶ୍ରୀମା’ ପିତୃଋଣ, ମାତୃଋଣ, ଦେବଋଣ, ଆତ୍ମୀୟସ୍ୱଜନ, ପ୍ରତିବେଶୀ ଓ ଭକ୍ତ ପ୍ରଭୃତି ସମସ୍ତଙ୍କର ଋଣ ପରିଶୋଧ କରିଯାଇଛନ୍ତି । ସମସ୍ତଙ୍କ ପ୍ରତି କର୍ତ୍ତବ୍ୟପାଳନ କରି ସେ ସମାଜବଦ୍ଧ ମାନବ ସମ୍ମୁଖରେ ଗାର୍ହସ୍ଥ୍ୟ ଧର୍ମର ଏକ ନୂତନ ଆଦର୍ଶ ରଖିଯାଇଛନ୍ତି । ଆଦର୍ଶ କନ୍ୟା, ଭଗ୍ନୀ, ଜାୟା, ପ୍ରତିବେଶିନୀରୂପେ, ମାତା ଓ ଗୁରୁରୂପେ ଏବଂ ଦୟା-କରୁଣା-ସେବା-ସାନ୍ତ୍ୱନାରୂପେ, ସ୍ନେହ-ମମତା-ଭକ୍ତି-ମୁକ୍ତି ଓ କ୍ଷମାରୂପେ ଜଗତ ଶ୍ରୀସାରଦା ଦେବୀଙ୍କୁ ଏ ଯୁଗରେ ପାଇଅଛି ।

ଜଗତ ଜନନୀ

[ସମ୍ପାଦନା]

ଶ୍ରୀରାମକୃଷ୍ଣଙ୍କର ଦେହାବସାନ ପରେ ଶ୍ରୀସାରଦାଦେବୀଙ୍କୁ କେନ୍ଦ୍ରକରି ସମଗ୍ର ଭାରତରେ ଆଧ୍ୟାତ୍ମିକ ଜାଗରଣ ଓ ପ୍ରବଳ ଧର୍ମୀୟ ଆନ୍ଦୋଳନ ରୂପ ନେଇଥିଲା । ଶ୍ରୀଶ୍ରୀମା’ ଯେଉଁଠାକୁ ଯାଉଥିଲେ ଶତ ଶତ ଧର୍ମ-ପିପାସୁ ତାଙ୍କ ନିକଟକୁ ଧର୍ମଲାଭ କରିବା ପାଇଁ ଆସୁଥିଲେ । ସେ ମଧ୍ୟ ଅକ୍ଳାନ୍ତ ଭାବରେ ଜାତି ଧର୍ମ ନିର୍ବିଶେଷରେ ନରନାରୀ, ବୃଦ୍ଧବୃଦ୍ଧା, ବାଳକବାଳିକା, ପାପୀତାପୀ ସମସ୍ତଙ୍କୁ ଧର୍ମଦାନ କରିବାକୁ ଲାଗିଲେ ।

ଦୁର୍ଗମ ଜୟରାମବାଟୀକୁ ଅନେକ ଲୋକ ଯାଇପାରୁ ନଥିଲେ । ତେଣୁ ସ୍ୱାମୀ ସାରଦାନନ୍ଦ ଶ୍ରୀଶ୍ରୀମା’ ରହିବା ପାଇଁ କଲିକତାର ବାଗବଜାରରେ ଗୋଟିଏ ଘର ନିର୍ମାଣ କଲେ । ୧୯୦୯ ମସିହାଠାରୁ ଏହି ଗୃହକୁ କେନ୍ଦ୍ରକରି ସମଗ୍ର ଭାରତ ଓ ଦେଶ ଦେଶାନ୍ତରରୁ ଭକ୍ତବୃନ୍ଦ ଶ୍ରୀଶ୍ରୀମା’ଙ୍କ ଚରଣପ୍ରାନ୍ତରେ ସମବେତ ହେବାକୁ ଲାଗିଲେ । ସେ ମଧ୍ୟ ଶ୍ରୀରାମକୃଷ୍ଣଙ୍କର ଶେଷ ଆଦେଶକୁ ମନରେ ରଖି ଜୀବତ୍ରାଣ କାର୍ଯ୍ୟରେ ସର୍ବତୋଭାବେ ଆତ୍ମନିୟୋଗ କଲେ । ଶ୍ରୀରାମକୃଷ୍ଣଙ୍କର ଭାବଧାରା ପ୍ରଚାର ପାଇଁ ମଝିରେ ମଝିରେ ଓଡ଼ିଶା, ମାନ୍ଦ୍ରାଜ ଓ ଉତ୍ତରପ୍ରଦେଶର ବହୁସ୍ଥାନକୁ ସେ ଯାଇଥିଲେ ଏବଂ ଗୟା, କାଶୀ, ବୃନ୍ଦାବନ, ପୁରୀ, ରାମେଶ୍ୱର ପ୍ରଭୃତି ଅନେକ ତୀର୍ଥ ପର୍ଯ୍ୟଟନ କରିଥିଲେ । ସେ ବକ୍ତୃତା, ଧର୍ମପ୍ରବଚନାଦିଦ୍ୱାରା ଧର୍ମପ୍ରଚାର କରୁ ନ ଥିଲେ । ତାଙ୍କର ଅବସ୍ଥିତି ମାତ୍ରେ ଲୋକଙ୍କ ପ୍ରାଣରେ ଧର୍ମଭାବ ଉଦ୍‌ବୁଦ୍ଧ ହେଉଥିଲା । ସେ ଲଜ୍ଜାପଟାବୃତା ହୋଇ ରହୁଥିଲେ । ସ୍ତ୍ରୀଲୋକଙ୍କ ବ୍ୟତୀତ ଅନ୍ୟମାନଙ୍କ ସହିତ ସେ କେବେ ହେଁ କଥାବାର୍ତ୍ତା କରୁ ନ ଥିଲେ । ଏପରିକି ସ୍ୱାମୀ ବିବେକାନନ୍ଦ ପ୍ରଭୃତି ତାଙ୍କର ସନ୍ନ୍ୟାସୀ ସନ୍ତାନମାନେ ମଧ୍ୟ କେବେ ହେଁ ତାଙ୍କର ଶ୍ରୀମୁଖଦର୍ଶନ କରିବାର ସୁଯୋଗ ପାଇ ନାହାନ୍ତି । ତାଙ୍କର ଶ୍ରୀପାଦପଦ୍ମଦର୍ଶନ ଓ ପ୍ରଣାମ କରିବାରେ ହିଁ ସେମାନଙ୍କର ଅନ୍ତର ତୃପ୍ତ ହେଉଥିଲା ।

ବିବାହର ବହୁବର୍ଷ ବିତିଗଲା ପରେ ମଧ୍ୟ ଶ୍ରୀସାରଦାଦେବୀଙ୍କର ସନ୍ତାନାଦି ହେଉ ନାହିଁ ଦେଖି ତାଙ୍କର ମାତା ଶ୍ୟାମାସୁନ୍ଦରୀ ଥରେ ଜୟରାମବାଟୀରେ ଜାମାତାଙ୍କୁ ଶୁଣାଇ ଦୁଃଖ କରି କହିଲେ, ‘ଏପରି ପାଗଳ ଜୋଇଁ ସହିତ ମୋର ସାରଦାର ବାହାଘର ହେଲା ! ଆହା ! ଘରସଂସାର ତ କଲା ନାହିଁ । ଛୁଆପିଲା ବି ହେଲା ନାହିଁ; ସେ କେବେ ମା’ ଡାକ ଶୁଣିଲା ନାହିଁ ।’ ଶ୍ରୀରାମକୃଷ୍ଣଦେବ ଏହା ଶୁଣି କହିଥିଲେ, ‘ଶାଶୁଠାକୁରାଣୀ ! ସେଥିପାଇଁ ଦୁଃଖ କରନ୍ତୁ ନାହିଁ । ଆପଣଙ୍କ ଝିଅର ଏତେ ସନ୍ତାନ ହେବ ଯେ ଶେଷରେ ଦେଖିବେ ମା’ ମା’ ଡାକରେ ସେ ଅସ୍ଥିର ହୋଇଯିବ ।’ ଶ୍ରୀରାମକୃଷ୍ଣଙ୍କର ଏହି ଭବିଷ୍ୟତବାଣୀ ଅକ୍ଷରେ ଅକ୍ଷରେ ସତ୍ୟ ହୋଇଛି । ଶ୍ରୀସାରଦାଦେବୀ ଯଦି ଗୋଟିଏ ଦୁଇଟି ସନ୍ତାନର ମାଆ ହୋଇଥାଆନ୍ତେ, ତାହାହେଲେ କଅଣ ସେ ଆଜି ବିଶ୍ୱଜନନୀ ହୋଇପାରିଥାଆନ୍ତେ ! ସମସ୍ତେ କ’ଣ ତାଙ୍କର ସ୍ନେହମୟ ଅଭୟ କୋଳରେ ସ୍ଥାନ ପାଇଥାଆନ୍ତେ !!

ଶ୍ରୀଶ୍ରୀମା’ଙ୍କ ମଧ୍ୟରେ ବିଶ୍ୱମାତୃତ୍ୱର ବିକାଶ ସମସ୍ତଙ୍କୁ ଚମତ୍କୃତ କରେ । ଥରେ ସେ କହିଥିଲେ, ‘ମୁଁ ସତ୍‌ଲୋକର ମା’, ଅସତ୍‌ଲୋକର ବି ମା’ ।’ ଆମଜାଦ୍‌ ମିଆଁ ଦୁର୍ଦ୍ଦାନ୍ତ ଚୋର ଓ ଡକାୟତ । ଶ୍ରୀଶ୍ରୀମା’ଙ୍କ କୃପାରେ ତାହାର ଜୀବନରେ ପରିବର୍ତ୍ତନ ଦେଖି ଗାଁର ଲୋକମାନେ କୁହାକୁହି ହେଉଥାଆନ୍ତି, ‘ମା’ଙ୍କ କୃପାରେ ଡକାୟତଗୁଡ଼ାକ ବି ଭକ୍ତ ହୋଇଗଲେ ହୋ !’ ତେଲୋଭେଲୋ ପଡ଼ିଆରେ ଖୁନୀ ଡକାୟତ ସର୍ଦ୍ଦାରକୁ ଶ୍ରୀଶ୍ରୀମା’ କୃପା କରି କାଳୀରୂପେ ଦର୍ଶନ ଦେଇଥିଲେ । ଭକ୍ତ ଡକାୟତ ତାହାର ଡକାୟତି ପେଶା ଛାଡ଼ି ଭକ୍ତ ହୋଇଥିଲା । ଖ୍ରୀଷ୍ଟିଆନ ପାଶ୍ଚାତ୍ୟ ମହିଳା ନିବେଦିତାଙ୍କୁ ଶ୍ରୀଶ୍ରୀମା’, ନିଜ କୋଳକୁ ଟାଣିନେଇ ହିନ୍ଦୁ ସମାଜରେ ସ୍ଥାନ ଦେଲେ । ନିବେଦିତାଙ୍କଦ୍ୱାରା ଆନୀତ ଦ୍ରବ୍ୟଗୁଡ଼ିକୁ ଗ୍ରହଣ କରି, ତାଙ୍କୁ ଦେବସେବାର ଅଧିକାର ଦେଇ ହିନ୍ଦୁଧର୍ମରେ ଦୀକ୍ଷିତ କଲେ ।

ଶ୍ରୀସାରଦାଦେବୀଙ୍କର ଏହି ଐଶୀମାତୃତ୍ୱର ପ୍ରଭାବ ଜାତି, ଧର୍ମ ଓ ଭାଷାର ସୀମାରେଖା ଅତିକ୍ରମ କରି ଆଗେଇ ଚାଲିଛି । ଆଜି ଦେଶଦେଶାନ୍ତରରୁ ଆସୁଥିବା ଅଗଣିତ ନରନାରୀଙ୍କ ଅନ୍ତରରେ ଶ୍ରୀସାରଦାଦେବୀ ମାଆ’ଙ୍କ ଆସନ ଲାଭ କରିଛନ୍ତି । ଏହି ମାତୃତ୍ୱ ନିକଟରେ ଧନୀ, ନିର୍ଦ୍ଧନ, ପଣ୍ଡିତ, ମୂର୍ଖ, ସନ୍ନ୍ୟାସୀ, ଗୃହସ୍ଥ, ହିନ୍ଦୁ, ମୁସଲମାନ-ଏପରିକି ସଜ୍ଜନ, ଦୁର୍ଜନର ଭେଦବିଚାର ନ ଥିଲା । ଯିଏ ଥରେ ମାତ୍ର ତାଙ୍କୁ ମା’ ବୋଲି ଡାକିଛି ସେ ତାକୁ ଅଭୟ କୋଳରେ ସ୍ଥାନ ଦେଇଛନ୍ତି ।

ଜଣେ କୁଳବଧୂ ଅନ୍ୟର ପ୍ରରୋଚନାରେ ପଡ଼ି ପଦସ୍ଖଳିତ ହୋଇଥିଲେ । ପରେ ସେ ନିଜର ଭୁଲ ବୁଝିପାରି ଅନୁତପ୍ତ ହୋଇ ମା’ଙ୍କ ପାଖକୁ ଆସିଲେ ଶ୍ରୀଶ୍ରୀମା’ଙ୍କ ଚରଣତଳେ ଆଶ୍ରୟ-ଶାନ୍ତି ପାଇବା ପାଇଁ । ଶ୍ରୀଶ୍ରୀମା’ଙ୍କ ଚରଣସ୍ପର୍ଶ କରିବାକୁ କୁଣ୍ଠିତା ହୋଇ ମା’ଙ୍କ ରହିବା ଘରର ଦୁଆର ମୁହଁରେ ଠିଆହୋଇ କାନ୍ଦି କାନ୍ଦି ନିଜର ପାପକାହାଣୀ ପ୍ରକାଶ କରି ସେ କହିଲେ, ‘ମା’, ମୋର କଅଣ ଉପାୟ ହେବ ? ଆପଣଙ୍କ ଏହି ପବିତ୍ର ମନ୍ଦିର ମଧ୍ୟରେ ପ୍ରବେଶ କରିବାର ଅଧିକାରରୁ ମୁଁ ବଞ୍ଚିତ, ସେ ଅଧିକାର ପାଇବା ପାଇଁ ମୋର ଯୋଗ୍ୟତା ନାହିଁ ।’ ଏକଥା ଶୁଣି ଶ୍ରୀଶ୍ରୀମା’ଙ୍କ ମନରେ ଭାବାନ୍ତର ଉପସ୍ଥିତ ହେଲା । ସେ ଦୁଇପାହୁଣ୍ଡ ଆଗେଇଯାଇ ମହିଳାଟିକୁ କୁଣ୍ଢାଇ ପକାଇ ଅତି ଆଦର ଓ ସ୍ନେହ ଗଦ୍‌ଗଦ କଣ୍ଠରେ କହିଲେ, ‘ଆସ, ମା’, ଘର ଭିତରକୁ ଆସ । ଯେତେବେଳେ ତୁମେ ନିଜର ଦୋଷ ଉପଲ୍‌ବଧି କରିଛ, ଅନୁତପ୍ତ ହୋଇଛ, ସେଥିରେ ଆଉ ଦୁଃଖ କରିବାର କଅଣ ଅଛି ? ଆସ ମୁଁ ତୁମକୁ ମନ୍ତ୍ର ଦେବି । ଠାକୁରଙ୍କ ଚରଣରେ ସବୁ ଅର୍ପଣ କରିଦିଅ, ଭୟ କଅଣ ?’

ଶ୍ରୀଶ୍ରୀମା’ ସେହି ପତିତାର କାନରେ ତାରକ-ବ୍ରହ୍ମ-ମହାମନ୍ତ୍ର ଶୁଣାଇଲେ । ଥରେ ମା’ କହିଥିଲେ, ‘ମୋର ସନ୍ତାନ ଯଦି ଧୂଳି କାଦୁଅ ବୋଳି ହୋଇଥାଏ, ମୋତେ ତ ପୁଣି ତାକୁ ଧୋଇ ସଫା କରି କୋଳକୁ ନେବାକୁ ହେବ ।’

ଅନ୍ୟ ଏକ ଭକ୍ତର ଉତ୍ତରରେ ଶ୍ରୀଶ୍ରୀମା କହିଥିଲେ ‘ବାବା, ଜାଣ ତ, ଜଗତର ପ୍ରତ୍ୟେକ ପ୍ରାଣୀ ଉପରେ ତାଙ୍କର (ଶ୍ରୀରାମକୃଷ୍ଣଙ୍କର) ମାତୃଭାବ ଥିଲା । ସେଥିପାଇଁ ଜଗତରେ ମାତୃଭାବର ବିକାଶ ପାଇଁ ମୋତେ ଏଥର ରଖିଦେଇ ଯାଇଛନ୍ତି ।’ ଶ୍ରୀସାରଦାଦେବୀଙ୍କ ମଧ୍ୟରେ ଯେଉଁ ମାତୃତ୍ୱର ବିକାଶ ହୋଇଥିଲା, ତାହାର ତୁଳନା ନାହିଁ । ନିବେଦିତା ମଧ୍ୟ ଲେଖିଛନ୍ତି-‘କିଏ ତୁମେ । ମୋର ପ୍ରାର୍ଥନାବେଳେ ମେରୀଙ୍କ ସ୍ଥାନରେ ଆବିର୍ଭୂତା ହୁଅ !!’

ଅଗଣିତ ଭକ୍ତ ଶ୍ରୀଶ୍ରୀମାଙ୍କ ନିକଟରୁ ମନ୍ତ୍ରଦୀକ୍ଷା ପାଇବା ପୂର୍ବରୁ ତାହାଙ୍କୁ ସ୍ୱପ୍ନରେ ବା ଧ୍ୟାନ କଲାବେଳେ ଦେବୀମୂର୍ତ୍ତିରୂପେ ଦର୍ଶନଲାଭ କରୁଥିଲେ । ଜନୈକ ଭାଗ୍ୟବାନ ଦୀକ୍ଷିତ ସନ୍ତାନକୁ ସେ କହିଥିଲେ, ‘ବାବା, ଠାକୁରଙ୍କୁ ଓ ମୋତେ ଅଭେଦ ଭାବରେ ଦେଖିବ, ଆମେ ଦୁଇଜଣ ଏକ ।’ ସେ ସବୁ ସନ୍ତାନମାନଙ୍କ ଭାର ଗ୍ରହଣ କରି କହିଥିଲେ, ‘ମୁଁ ଯଦି ଠାକୁରଙ୍କ ପାଖକୁ ଯାଏ ତେବେ ତୁମ୍ଭେମାନେ ନିଶ୍ଚୟ ଯିବ ।’ କରୁଣାମୟୀ ମା’ ଆଉଥରେ ନିଜ ସମ୍ବନ୍ଧରେ ଇଙ୍ଗିତଦ୍ୱାରା ଜଣାଇଥିଲେ, ‘ଦେଖ ମା’, ଏହି ଶରୀରକୁ (ନିଜର ଦେହକୁ ଦେଖାଇ) ଦେବ-ଶରୀର ଜାଣିବ । ମୁଁ ଥିବା ପର୍ଯ୍ୟନ୍ତ ଏକଥା କେହି ଜାଣିପାରିବେ ନାହିଁ, ପରେ ବୁଝିବେ ।’ ଶ୍ରୀସାରଦାଦେବୀଙ୍କ ମଧ୍ୟରେ ମାନବୀ ଓ ଦେବୀଭାବର ଅପୂର୍ବ ମିଶ୍ରଣ ଜଗତକୁ ସ୍ତମ୍ଭୀଭୂତ କରିଅଛି । ନିବେଦିତା ଲେଖିଛନ୍ତି- ‘ନାରୀର ଆଦର୍ଶ ସମ୍ବନ୍ଧରେ ସାରଦାଦେବୀ ଶ୍ରୀରାମକୃଷ୍ଣଙ୍କର ଶେଷ କଥା ।’

ଶ୍ରୀଶ୍ରୀମା ଥିଲେ ‘ପୁରାତନ’ର ଶେଷ ଅଭିବ୍ୟକ୍ତି ଓ ‘ନୂତନ’ର ସାର୍ଥକ ସୂଚନା । ତାଙ୍କର ଜୀବନ ଉମା, ସୀତା, ସାବିତ୍ରୀ ଓ ଶ୍ରୀରାଧାଙ୍କ ଚରିତ୍ରର ଏକ ଅପୂର୍ବ ସଙ୍ଗମ । ପୁଣି ଗୋପା, ମୀରା ଓ ବିଷ୍ଣୁପ୍ରିୟାଙ୍କ ଜୀବନସାଧନା ମଧ୍ୟ ତାଙ୍କ ଭିତରେ ମୂର୍ତ୍ତ ହୋଇଥିବାର ଦେଖିବାକୁ ମିଳେ । ତାଙ୍କର ଜୀବନକୁ କେନ୍ଦ୍ର କରି ବର୍ତ୍ତମାନ ପୁଣି ସୀତା, ସାବିତ୍ରୀ, ଗାର୍ଗୀ ଓ ମୈତ୍ରେୟୀ ବାହାରିବେ-ଏହା ହିଁ ଥିଲା ସ୍ୱାମୀ ବିବେକାନନ୍ଦଙ୍କ ଭବିଷ୍ୟତ ବାଣୀ ।

ଗୁରୁ ରୂପେ

[ସମ୍ପାଦନା]

କୃପାର ପ୍ଳାବନ ଆସିଥିଲା ଶ୍ରୀସାରଦାଦେବୀଙ୍କ ପ୍ରାଣରେ । ସେହି ତରଙ୍ଗ ନିର୍ବିଚାରରେ ସବୁ କିଛି ଭସାଇ ନେଇଥିଲା । କ୍ରମେ ୧୯୧୮ ମସିହା ସମାଗତ ହେଲା । ଶ୍ରୀଶ୍ରୀମା’ଙ୍କ ମନ ଅନେକ ସମୟରେ ଦିବ୍ୟ ଭାବଭୂମିରେ ଆରୂଢ଼ ହୋଇ ରହୁଥାଏ । ଏଣେ ପ୍ରାୟ ଜ୍ୱର ଲାଗି ରହିଥାଏ, ଦେହ ଅତ୍ୟନ୍ତ ଦୁର୍ବଳ ଓ ଶୀର୍ଣ୍ଣ, ଏବେ ଆହୁରି ଅନେକ ରୋଗ ଦେଖା ଦେଇଛି । ଜନୈକ ଭକ୍ତର ପ୍ରଶ୍ନର ଉତ୍ତରରେ ଶ୍ରୀଶ୍ରୀମା’ କହିଲେ, ‘କେତେ ଲୋକ କେତେ କଅଣ (ପାପ କାମ) କରି ମୋ ପାଖକୁ ଆସନ୍ତି । ସମସ୍ତଙ୍କର ପାପର ଭାର ମୋତେ ବହନ କରିବାକୁ ହେଉଛି । ସେଥିପାଇଁ ତ ମୁଁ ଏପରି ଅସୁସ୍ଥ । ଏ ଦେହ କୌଣସି ପାପ କରି ନାହିଁ । ପାଞ୍ଚବର୍ଷ ବୟସରୁ ଶ୍ରୀଠାକୁରେ ମୋର ହାତ ଧରିଛନ୍ତି ।’ ଏପରି ଅସୁସ୍ଥ ଥାଇ ମଧ୍ୟ ଦୀକ୍ଷା ପ୍ରାର୍ଥୀ କେହି ଆସିଲେ କାହାରିକୁ ସେ ଫେରାଉ ନ ଥିଲେ । ସେବକମାନେ ନିଷେଧ କଲେ ସୁଦ୍ଧା ସେ ଶୁଣୁ ନ ଥିଲେ । କହୁଥିଲେ, ‘ତୁମ୍ଭେମାନେ ସେସବୁ ବିଷୟ କଅଣ ବୁଝିବ ? ଆମମାନଙ୍କର ଏଇଥିପାଇଁ ତ ଏହି ପୃଥିବୀକୁ ଆସିବା । ମୁଁ ତାକୁ ଶ୍ରୀଠାକୁରଙ୍କ ନାମ ଦେବି ।’

ସମସ୍ତେ ତ ଆଉ ମୁକ୍ତିକାମୀ ହୋଇ ଆସନ୍ତି ନାହିଁ । କେତେ ଲୋକ କାମନା ବାସନା ନେଇ ଆସନ୍ତି । ତେଣୁ ସମସ୍ତଙ୍କୁ ଧର୍ମ, ଅର୍ଥ, କାମ, ମୋକ୍ଷ, ଏହି ଚତୁବର୍ଗ ଫଳ ଦେଇ ସେମାନଙ୍କର ମନୋବାଞ୍ଛା ପୂର୍ଣ୍ଣ କରୁଥିଲେ । ଏହି ଦୀକ୍ଷାଦାନ ପ୍ରସଙ୍ଗରେ ସେ ଜନୈକ ଭକ୍ତ ସନ୍ତାନକୁ କହିଥିଲେ, ‘ମୋର ଯାହା କରିବାର କଥା ମୁଁ ତାହା ସେହି ସମୟରେ (ଅର୍ଥାତ୍‌ ଦୀକ୍ଷାଦାନ ସମୟରେ) କରି ଦେଇଛି । ଯଦି ତୁମେ ସଦ୍ୟ ଶାନ୍ତି ଚାହଁ, ତେବେ ସାଧନ ଭଜନ କର । ଦେହାନ୍ତରେ ମୁକ୍ତି ନିଶ୍ଚୟ ହେବ । ଶେଷ ସମୟରେ ଶ୍ରୀଠାକୁର ହାତ ଧରି ନେଇ ଯିବେ ।’

ସାଧନ ଭଜନ ସମ୍ବନ୍ଧରେ ଅନେକ ଦୀକ୍ଷିତ ସନ୍ତାନଙ୍କୁ ମା’ କହିଥିଲେ, ‘ତୁମକୁ କିଛି କରିବାକୁ ହେବ ନାହିଁ । ତୁମ ପାଇଁ ଯାହା କରିବାକୁ ହେବ ତାହା ମୁଁ କରିବି ।’

ଦିନେ କୌଣସି ଏକ ସେବକ ହଠାତ୍‌ ରାତିରେ ନିଦ ଭାଙ୍ଗିବା ମାତ୍ରେ ଦେଖନ୍ତି ଯେ ଶ୍ରୀଶ୍ରୀମା’ ବସି ମାଳି ଜପୁଛନ୍ତି । ଉକ୍ତ ସେବକ ବ୍ୟଗ୍ର ହୋଇ ନିବେଦନ କଲେ, ‘ମା’ ଏତେ ରାତି ହେଲାଣି; ଆପଣ ଶୋଇନାହାନ୍ତି । ଏ ପର୍ଯ୍ୟନ୍ତ ବସି ରହିଛନ୍ତି ?’ ତାହାର ଉତ୍ତରରେ ମା’ ଧୀରେ ଧୀରେ କହିଲେ, ‘ବାପା, ଶୋଇବି କଅଣ ? ମୋ ଆଖିରେ କ’ଣ ନିଦ ଅଛି ? ଏଠାରୁ ଦୀକ୍ଷାର୍ଥୀମାନେ ତ ଦୀକ୍ଷା ନେଇ ଯାଆନ୍ତି, କିନ୍ତୁ କିଛି କରନ୍ତି ନାହିଁ; ତେଣୁ ପିଲାମାନଙ୍କ ପାଇଁ କିଛି କରୁଛି, ଆଉ ଠାକୁରଙ୍କୁ ଜଣାଉଛି, ‘ହେ ଠାକୁର ! ଏମାନଙ୍କ ଇହକାଳ ଓ ପରକାଳର କଲ୍ୟାଣ କର ।’ କେତେ ଲୋକ ଅବା ତାଙ୍କୁ ବାସ୍ତବିକ ଚାହାଁନ୍ତି !’ ଶ୍ରୀଶ୍ରୀମା’ଙ୍କର ସନ୍ତାନମାନଙ୍କ ପାଇଁ କି ଅଶେଷ ବ୍ୟାକୁଳତା ! ସେମାନଙ୍କର କଲ୍ୟାଣ ପାଇଁ ରାତି ରାତି ଧରି ଜପ କରୁଥିଲେ । କାହାରିକୁ କେବେହେଲେ ବିମୁଖ କରୁ ନ ଥିଲେ । ତାଙ୍କର ଅଯାଚିତ କୃପା ବିତରଣ କରିବା ଦେଖି ଲୋକଙ୍କର ମନେ ହେଉଥିଲା ଯେ ସେ ଯେପରି ମାନବଲୀଳା ଶୀଘ୍ର ସମାପ୍ତ କରିବାକୁ ଚାହୁଁଛନ୍ତି । ଅଧିକାଂଶ ସମୟରେ ଶ୍ରୀଶ୍ରୀମା’ ଭାବସ୍ଥ ହୋଇ ରହୁଥିଲେ । ତାଙ୍କର ମନ ଯାବତୀୟ ପାର୍ଥିବ ବିଷୟରୁ ଅଲଗା ହୋଇଯାଉଥିଲା । ସେ ଯେପରି ଠାକୁରଙ୍କ ଆହ୍ୱାନ ଶୁଣିବାକୁ ପାଉଥିଲେ ଓ ମହାପ୍ରସ୍ଥାନ ପାଇଁ ପ୍ରସ୍ତୁତ ହେଉଥିଲେ ।

ଦେହ ତ୍ୟାଗ

[ସମ୍ପାଦନା]

ଶ୍ରୀଶ୍ରୀମା’ଙ୍କର ମ୍ୟାଲେରିଆ ଜ୍ୱର କୌଣସିମତେ ଛାଡ଼ୁନାହିଁ- ସ୍ୱାମୀ ସାରଦାନନ୍ଦଙ୍କ ବିଶେଷ ଅନୁରୋଧରେ ଶ୍ରୀଶ୍ରୀମା’ ୧୩୨୬ ସାଲ ଫାଲଗୁନ ମାସ ୧୫ ତାରିଖରେ କଙ୍କାଳସାର ହୋଇ ଜୟରାମବାଟୀରୁ ବାଗବଜାର ବାସଭବନକୁ ଆସିଲେ । ବଡ଼ ବଡ଼ ଡାକ୍ତର କବିରାଜମାନଙ୍କୁ ଅଣା ହେଲା । ନାନା ପ୍ରକାର ଚିକିତ୍ସା ହେଲା । ଅକ୍ଳାନ୍ତ ସେବା ଚାଲିଲା । ଡାକ୍ତରମାନେ ତାଙ୍କୁ ପରୀକ୍ଷା କରି ମତ ଦେଲେ, ‘ଶ୍ରୀଶ୍ରୀମା’ଙ୍କର କାଲାଜ୍ୱର ହୋଇଛି । ଜୀବନର ଆଶା ଖୁବ୍‌ କମ୍‌ ।’...ରୋଗ ଦିନକୁ ଦିନ ବଢ଼ି ଚାଲିଛି । କ୍ରମେ ରକ୍ତହୀନତା ଯୋଗୁଁ ଗୋଡ଼ ଓ ହାତରେ ଶୋଥ ଦେଖାଗଲା । ପ୍ରତିଦିନ ଦୁଇ ତିନିଥର ଜ୍ୱର ଆସେ । ମା’ ଉତ୍‌ଥାନ-ଶକ୍ତି-ରହିତ ।

କୌଣସି ଚିକିତ୍ସାଦ୍ୱାରା ଫଳ ହେଉ ନାହିଁ ଦେଖି ସ୍ୱାମୀ ସାରଦାନନ୍ଦ ଦୈବୀ ଚିକିତ୍ସା କରିବାରେ ବ୍ରତୀ ହେଲେ । ନାନା ପ୍ରକାର ଶାନ୍ତିସ୍ୱସ୍ତ୍ୟୟନ କରଗଲା । ମନ୍ଦିରମାନଙ୍କରେ ପୂଜାଦି ଅନୁଷ୍ଠିତ ହେଲା । କିନ୍ତୁ ଶ୍ରୀଶ୍ରୀ ମାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଦେଖାଗଲା ନାହିଁ ।

ସମସ୍ତେ ଶୋକରେ ମିୟମ୍ରାଣ ହୋଇ ରହିଥାଆନ୍ତି । ଜନୈକ ସନ୍ନ୍ୟାସୀ ସନ୍ତାନ ଅତ୍ୟନ୍ତ ବ୍ୟାକୁଳ ହୋଇ ଦୁଃଖ କରିବାରୁ, ଶ୍ରୀଶ୍ରୀମା’ କହିଲେ, ‘ହଁ ବାପା, ଖୁବ ଦୁର୍ବଳ ହୋଇ ପଡ଼ିଛି, ମନେ ହେଉଛି, ଏହି ଶରୀରଦ୍ୱାରା ଠାକୁରଙ୍କର ଯାହା କରିବାର ଥିଲା, ତାହା ଶେଷ ହୋଇଛି । ବର୍ତ୍ତମାନ ମନ କେବଳ ତାଙ୍କୁ ଚାହୁଁଛି, ଅନ୍ୟ କିଛି ଆଉ ଭଲ ଲାଗୁ ନାହିଁ । ହେଇ ଦେଖୁନା, ରାଧୁକୁ ଏତେ ଭଲ ପାଉଥିଲି, ବର୍ତ୍ତମାନ ସେ ମୋ ପାଖକୁ ଆସିଲେ ବିରକ୍ତବୋଧ ହେଉଛି । ଠାକୁରେ ତାଙ୍କ କାମ ପାଇଁ ଏତେ କାଳ ଏହି ମନଟାକୁ ନିମ୍ନ ସ୍ତରରେ ରଖିଥିଲେ । ନ ହେଲେ ସେ ଯେତେବେଳେ ଚାଲିଗଲେ ତାପରେ କଅଣ ମୋର ଆଉ ରହିବା ସମ୍ଭବ ହୋଇଥାଆନ୍ତା ?’

ଶ୍ରୀଶ୍ରୀମା’ଙ୍କର ଆସନ୍ନ ବିଚ୍ଛେଦ ବେଦନା-କ୍ଲିଷ୍ଟ ପ୍ରାଣରେ ଜନୈକ ମହିଳା ଭକ୍ତ ସଜଳନୟନ ହୋଇ କହିଲେ, ‘ମା, ଆମମାନଙ୍କର କଅଣ ହେବ ?’

ବ୍ରହ୍ମମୟୀ ଅଭୟ ଦେଇ କହିଲେ, ‘ଭୟ କଅଣ ମା’ ? ତୁମେ ତ ଠାକୁରଙ୍କୁ ଦେଖିଛ ।’ କିଛିକ୍ଷଣ ପରେ କ୍ଷୀଣକଣ୍ଠରେ କହିଲେ, ଗୋଟିଏ କଥା କୁହେ-ଯଦି ଶାନ୍ତି ଚାହଁ ମା’, ତେବେ କାହାରି ଦୋଷ ଦେଖିବ ନାହିଁ, ଦୋଷ ଦେଖିବ ନିଜର । ଜଗତକୁ ନିଜର କରିବାକୁ ଶିଖ । କେହି ପର ନୁହେଁ, ଜଗତ ତୁମର... ।’

ମର୍ତ୍ତବାସୀମାନଙ୍କ ପାଇଁ ଶ୍ରୀଶ୍ରୀମା’ଙ୍କର ଏହି ଶେଷ ଉପଦେଶ । ଏହି ଶେଷ ବାଣୀଟିରେ ଶ୍ରୀଶ୍ରୀମା’ଙ୍କର ସମଗ୍ର ଜୀବନ ଓ ସାଧନା ମୂର୍ତ୍ତ ହୋଇଛି । ଶେଷ ଦୁଇଦିନ ସେ ଗଭୀର ସମାଧିସ୍ଥ ଥିଲେ-ପ୍ରଶାନ୍ତ ଓ ସ୍ଥିର । ସେହି ପ୍ରଶାନ୍ତି ଭଙ୍ଗ କରିବାକୁ କାହାରି ସାହସ ହେଉ ନ ଥିଲା ।

ଶ୍ରୀଶ୍ରୀଠାକୁରଙ୍କ ଅନ୍ତର୍ଦ୍ଧାନ ପରେ ଚଉତିରିଶି ବର୍ଷ କାଳ ତାଙ୍କର ଆଦିଷ୍ଟ କର୍ମ ଆପ୍ରାଣ ସାଧନ କରି ଉଦ୍‌ବୋଧନସ୍ଥିତ ନିଜ ଘରେ ରାତ୍ର ଘ୧-୩୦ମିନିଟ୍‌ ସମୟରେ ମହାସମାଧିଯୋଗେ ୬୬ ବର୍ଷ ୭ ମାସ ବୟସରେ ଶ୍ରୀଶ୍ରୀମା ପରମାରାଧ୍ୟ ଶ୍ରୀରାମକୃଷ୍ଣଙ୍କ ସହିତ ଚିରଦିନ ପାଇଁ ମିଳିତ ହେଲେ । ଛାୟା ପ୍ରବେଶ କଲା କାୟାରେ ।

ସାରଦା ମନ୍ଦିର

[ସମ୍ପାଦନା]

ବେଲୁଡ଼ ମଠରେ ମାଙ୍କ ସମାଧିସ୍ଥାନରେ ଗଢ଼ି ଉଠିଛି ଗୋଟିଏ ସୁନ୍ଦର ମନ୍ଦିର । ଗଙ୍ଗାର ପଶ୍ଚିମ ତୀରରେ ଶ୍ରୀଶ୍ରୀମା ସତେ ଯେପରି ଅଧୀରା ହୋଇ ପ୍ରତୀକ୍ଷା କରି ବସିଛନ୍ତି ଦେଶ-ଦେଶାନ୍ତରରୁ ଆଗତ ତାଙ୍କ ସନ୍ତାନମାନଙ୍କ ପାଇଁ ।

ଶ୍ରୀସାରଦା ଦେବୀଙ୍କ ଉପଦେଶ

[ସମ୍ପାଦନା]

୧. ଭଗବାନଙ୍କୁ ଲାଭକଲେ ଅଧିକ କଅଣ ହୁଏ, କଅଣ ଦୁଇଟା ଶିଙ୍ଗ ବାହାରିବ ? ନା-ମନ ଶୁଦ୍ଧ ହେବ । ଶୁଦ୍ଧ ମନରେ ଜ୍ଞାନ, ଚୈତନ୍ୟ ଓ ଆନନ୍ଦଲାଭ ହେବ । ଭଗବାନଙ୍କ ପ୍ରତି ଭକ୍ତି, ପ୍ରେମ ଓ ଅନୁରାଗ ବଢ଼ିବ । ସର୍ବଦା ତାଙ୍କ ପ୍ରତି ଗୋଟିଏ ଆକର୍ଷଣ ରହିବ ।

୨. ମନ ହେଉଛି ମତ୍ତହସ୍ତୀ ସଦୃଶ । ପବନ ବେଗରେ ଧାଉଁଛି । ତେଣୁ ସର୍ବଦା ବିଚାର କରିବାକୁ ହୁଏ । ଈଶ୍ୱରଲାଭ କରିବା ପାଇଁ ଉଦ୍ୟମ ଆବଶ୍ୟକ ।

୩. ମନ ମଧ୍ୟରେ ଗୋଳମାଳ ରହିଛି । ତାହା ପ୍ରକୃତିର ନିୟମ-ଯେପରି ଅମାବାସ୍ୟା ଓ ପୂର୍ଣ୍ଣିମା । ସେହିପରି ମନ କେତେବେଳେ ଭଲ, ପୁଣି କେତେବେଳେ ମନ୍ଦ ହୋଇଥାଏ ।

୪. ଯେତେବେଳେ କିଛି ଖାଇବ, ତାଙ୍କୁ ନିବେଦନ କରି ପ୍ରସାଦ ଭାବି ଖାଇବ । ତା’ହେଲେ ତୁମର ରକ୍ତ ଶୁଦ୍ଧ ହେବ, ମନ ମଧ୍ୟ ଶୁଦ୍ଧ ହେବ ।

୫. ମନରେ ସବୁ-ମନରେ ଶୁଦ୍ଧ, ପୁଣି ମନରେ ଅଶୁଦ୍ଧ ।

୬. ସଫା କରିବା ଭଲ କାମ । ଠାକୁରେ କହୁଥିଲେ, ‘ରାସ୍ତାଘାଟ, ଦେବାଳୟ ପରିଷ୍କାର କରିବା ଭଲ ।’ ସେଠାରେ କେତେ ସାଧୁଭକ୍ତଙ୍କର ଚରଣ-ଧୂଳି ପଡ଼ିଥାଏ । ସେହି ସ୍ପର୍ଶରେ ମନର ମଇଳା ସଫା ହୋଇଯାଏ ।

୭. ମଣିଷର ମନ ଆଗେ ଦୋଷ କରେ, ତା’ପରେ ସେ ପରର ଦୋଷ ଦେଖେ । ପରର ଦୋଷ ଦେଖିଲେ କାହାର କଅଣ ହେବ ? କେବଳ ନିଜର କ୍ଷତି । ମୋର ଏହି ଅଭ୍ୟାସଟି ପିଲାଦିନରୁ ଥିଲା । କାହାରି ଦୋଷ ମୁଁ ଦେଖିପାରୁ ନ ଥିଲି । ଅନ୍ୟର ଦୋଷ ଦେଖିବା-ଏହି କଥାଟି ମୁଁ ଶିଖି ନାହିଁ । କ୍ଷମା ହିଁ ପରମ ତପସ୍ୟା ।

୮. ତୁମ୍ଭେମାନେ ମାଳି ଜପିବ, ତା’ହେଲେ ସହଜରେ ଚିତ୍ତ ସ୍ଥିର ହେବ ।

୯. ମନ୍ତ୍ରଦ୍ୱାରା ଦେହ ଶୁଦ୍ଧ ହୁଏ, ମନ୍ତ୍ର ଜପ କରି ଲୋକେ ପବିତ୍ର ହୁଅନ୍ତି-ଜପାତ୍‌ ସିଦ୍ଧି, ଜପାତ୍‌ ସିଦ୍ଧି ।

୧୦ ଠାକୁରେ କହୁଥିଲେ, ‘ଯେ ସହେ ସେ ମହାଶୟ । ଯେ ନ ସହେ, ସେ ନାଶ ହୁଏ ।’ (ଅର୍ଥାତ୍‌ ଯେ ସହେ ସେ ମହାଶୟ ସଦୃଶ, ଆଉ ଯେଉଁ ଲୋକ ନ ସହେ, ତାହାର ସବୁ ନଷ୍ଟ ହୋଇଯାଏ ।)

୧୧. ଯାହାର (ଅର୍ଥ) ଅଛି ସେ ମାପୁ (ଦାନ କରୁ); ଯାହାର (କିଛି) ନାହିଁ ସେ ଜପୁ (ଜପ କରୁ) ।

୧୨. କର୍ମ କରିବାକୁ ହେବ । କର୍ମଦ୍ୱାରା କର୍ମ-ବନ୍ଧନରୁ ମୁକ୍ତ ହେବ ଏବଂ ନିଷ୍କାମଭାବ ମନରେ ଆସିବ । ଦଣ୍ଡେ ହେଲେ ସୁଦ୍ଧା କର୍ମ ନ କରି ରହିବା ଉଚିତ୍‌ ନୁହେଁ ।

୧୩. କର୍ମଫଳକୁ କେହି ଏଡ଼େଇ ପାରନ୍ତି ନାହିଁ । ତେବେ ଯଦି ସାଧନ ଭଜନ ଥାଏ, ଯେଉଁଠି ଖଣ୍ଡାରେ ଆଘାତ ହେବା କଥା, ସେଠାରେ କଣ୍ଟାଟିଏ ହୁଏତ ଫୁଟି ଯାଇପାରେ ।

୧୪. ବାସନାରୁ ଶରୀର । ଯେତେବେଳେ ବାସନା ଶେଷ ହେବ ଶରୀର ସେତେବେଳେ ନଷ୍ଟ ହୋଇଯିବ । ସମ୍ପର୍ଣ୍ଣ ବାସନାକ୍ଷୟ ହିଁ ମୁକ୍ତି । ନିର୍ବାସନା ହେବା ପାଇଁ ବାସନା କର ।

୧୫. ଶରୀର ଧାରଣରେ କୌଣସି ସୁଖ ନାହିଁ । ଜଗତ ଦୁଃଖପୂର୍ଣ୍ଣ । କେବଳ ତାଙ୍କର ନାମ ଜପ କରିବାରେ ସୁଖ ଅଛି ।

୧୬. ଦୁଃଖ ବିପଦ ଆସିବ ନାହିଁ-ଏପରି ଭାବିବା ଅନ୍ୟାୟ । ତାହା ନିଶ୍ଚୟ ଆସିବ । କିନ୍ତୁ ଭକ୍ତର ସେଥିରେ କଅଣ ହୁଏ ଜାଣ ? ଦୁଃଖରାଶି ତାହାର ପାଦତଳ ଦେଇ ପାଣିସୁଅ ଗଲା ପରି ଆପଣା ଛାଏଁ ଚାଲିଯାଏ ।

୧୭. ତାଙ୍କ କୃପାବାରି ଯାହା ଉପରେ ବର୍ଷିତ ହୋଇଛି, ସେ କେବଳ ତାଙ୍କୁ ଜାଣିପାରେ ।

୧୮. ସାଧନଭଜନ ଇତ୍ୟାଦି ଯୁବା ବୟସରେ କରି ନିଅ । ଶେଷରେ କଅଣ ଆଉ କରିପାରିବ ? ଯାହା କରିପାରିବ ବର୍ତ୍ତମାନ କରିନିଅ ।

୧୯. ଭଗବାନ ହାତ ଦେଇଛନ୍ତି, ଅଙ୍ଗୁଳି ଦେଇଛନ୍ତି-ଜପ କରି ସେଗୁଡ଼ିକୁ ସାର୍ଥକ କର ।

୨୦. (ଦେବମନ୍ଦିରରେ) ପୂଜା ଅର୍ଚ୍ଚନା ଇତ୍ୟାଦି କରିବା ପାଇଁ କିଛି ନା କିଛି ଖର୍ଚ୍ଚ କରିବାକୁ ପଡ଼େ; ଜପ କରିବାରେ କୌଣସି ଖର୍ଚ୍ଚ ନାହିଁ ।

୨୧. ଯେ ସାଧୁ ହୋଇଛି, ସେ ଭଗବାନଙ୍କୁ ଡାକିବ ନାହିଁ ତ କଅଣ କରିବ ! କିନ୍ତୁ ତାଙ୍କର ଯେତେବେଳେ ଇଚ୍ଛା ହେବ ସେ ଦେଖା ଦେବେ ।

୨୨. ଠାକୁରେ କହୁଥିଲେ, ‘ଯେଉଁମାନେ ମୋତେ ଡାକିବେ, ସେମାନଙ୍କ ନିକଟକୁ ମୋତେ ଅନ୍ତିମ କାଳରେ ଆସିବାକୁ ପଡ଼ିବ’-ଏହା ତାଙ୍କ ନିଜ ମୁଖନିଃସୃତ ବାଣୀ ।

୨୩. ଆହା ! ନିବେଦିତାର କିପରି ଭକ୍ତି ଥିଲା ! ମୋ ପାଇଁ କଅଣ କରିବା ତାହା ଭାବି ସେ ଅସ୍ଥିର । ପ୍ରଣାମ କରି ରୁମାଲଦ୍ୱାରା ଅତି ସନ୍ତର୍ପଣରେ ପାଦଧୂଳି ନେଇ ମୁଣ୍ଡରେ ଲଗାଉଥିଲା । ମୋ ଗୋଡ଼ରେ ହାତ ଦେବାକୁ ମଧ୍ୟ ସେ ସଙ୍କୁଚିତ ହେଉଥାଏ ।

୨୪. ଜାଣିଛି ତ ମା’, ଯେ ସୁପ୍ରାଣୀ, ତା’ ପାଇଁ କାନ୍ଦେ ମହାପ୍ରାଣୀ (ଅନ୍ତରାତ୍ମା) ।

୨୫. ସନ୍ତାନମାନେ ବର୍ତ୍ତମାନ ବୁଝିପାରୁଛନ୍ତି ଯେ ସଂସାର ଅନିତ୍ୟ । ସଂସାର ମଧ୍ୟରେ ଯେପରି ଲିପ୍ତ ହେବାକୁ ନ ପଡ଼େ, ସେଥିପାଇଁ ଚେଷ୍ଟା କର ।

୨୬. ପ୍ରଶ୍ନ-ମା’ , ସ୍ତ୍ରୀଲୋକମାନଙ୍କର ଅଶୁଚି ଅବସ୍ଥାରେ ଠାକୁରଙ୍କୁ ପୂଜା କରିବା ଉଚିତ କି ?

ଉତ୍ତର-ହଁ ମା’, ଉଚିତ ହେବ, ଯଦି ଠାକୁରଙ୍କ ଉପରେ ତୁମର ସେପରି ଭକ୍ତି ଥାଏ । ଏ ବିଷୟରେ ମୁଁ ଠାକୁରଙ୍କୁ ପଚାରିଥିଲି । ଠାକୁରେ କହିଥିଲେ, ‘ପୂଜା ନ କଲେ ଯଦି ମନ ଖରାପ ହୁଏ, ତେବେ ପୂଜା କରିବ, ସେଥିରେ ଦୋଷ ହେବ ନାହିଁ ।’

୨୭. ଥରେ ଜଣେ ସ୍ତ୍ରୀ-ଭକ୍ତଙ୍କୁ ମା କହିଥିଲେ, ‘ଏ ଅବସ୍ଥାରେ (ଅଶୁଚି ଅବସ୍ଥାରେ) କଅଣ ଠାକୁର ଦେବତାଙ୍କ କାମ କରାଯାଏ ?-ତାହା କର ନାହିଁ ।‘

୨୮. ଯଦି ଶାନ୍ତି ଚାହଁ ମା’, ତେବେ କାହାରି ଦୋଷ ଦେଖିବ ନାହିଁ, ଦୋଷ ଦେଖିବ ନିଜର । ଜଗତକୁ ନିଜର କରିବାକୁ ଶିଖ । କେହି ପର ନୁହେଁ, ଜଗତ ତୁମର... ।

୨୯. ସ୍ତ୍ରୀର ସ୍ୱାମୀ ହିଁ ଦେବତା, ସ୍ୱାମୀ ହିଁ ସବୁ । ସତୀ ସ୍ତ୍ରୀ ସ୍ୱାମୀକୁ ସର୍ବାପେକ୍ଷା ଭଲ ପାଇବ ।

୩୦. ସ୍ୱାମୀର ଭଲମନ୍ଦ ପ୍ରତି ଲକ୍ଷ୍ୟ ରଖିବା ଯେପରି ସ୍ତ୍ରୀର କର୍ତ୍ତବ୍ୟ, ସେହିପରି ସ୍ତ୍ରୀର ଧର୍ମରକ୍ଷା କରିବା ସ୍ୱାମୀର କର୍ତ୍ତବ୍ୟ । ଦେଖ ମା’, ସ୍ୱାମୀ ସ୍ତ୍ରୀ, ଏକମତ ହେଲେ ଯାଇ ଧର୍ମଲାଭ ହୁଏ ।

୩୧. ରାସ୍ତାରେ ରଥଟଣା ହେଉଥିଲା । ସେତେବେଳେ ମା କହିଥିଲେ, ‘ସମସ୍ତେ ତ ଜଗନ୍ନାଥ-ଦର୍ଶନ ପାଇଁ ଯାଇପାରନ୍ତି ନାହିଁ । ଯେଉଁମାନେ ଏଠାରେ (ରଥରେ ଠାକୁରଙ୍କୁ) ଦର୍ଶନ କରିବେ, ସେମାନଙ୍କର ମଧ୍ୟ ମୁକ୍ତି ହେବ ।’

୩୨. ଯିଏ ବ୍ୟାକୁଳ ହୋଇ ଡାକିବ, କେବଳ ସେ ତାଙ୍କର ଦେଖା ପାଇବ ।

୩୩. ଆଜି ଅକ୍ଷୟ ତୃତୀୟା ଦିନ, ମୁଁ ତୁମମାନଙ୍କୁ ଆଶୀର୍ବାଦ କରୁଛି, ‘ତୁମମାନଙ୍କର ମୁକ୍ତିଲାଭ ହେଉ ! ଜନ୍ମମୃତ୍ୟୁରେ ବଡ଼ ଯନ୍ତ୍ରଣା, ତୁମମାନଙ୍କୁ ଆଉ ଯେପରି ତାହା ଭୋଗିବାକୁ ନ ହୁଏ ।’

୩୪. ସ୍ତ୍ରୀ-ଲୋକମାନଙ୍କର ଏତେ ରାଗ କରିବା କଅଣ ଭଲ ? ସହିବାକୁ ପଡ଼ିବ । ଶୈଶବରେ ବାପ ମାଆଙ୍କ କୋଳ ଓ ଯୌବନରେ ସ୍ୱାମୀଙ୍କ ଆଶ୍ରୟ ବିନା ସ୍ତ୍ରୀଲୋକମାନଙ୍କୁ କେହି ଆବୁରି ପାରିବେ ନାହିଁ ।

୩୫. ଠାକୁରେ କହୁଥିଲେ, ‘ଜରୁ, ଗୋରୁ, ଧନ, ଏହି ତିନୋଟି ରଖିବ ଆପଣା ବିଦ୍ୟମାନ ।’

୩୬. ଠାକୁରଙ୍କୁ ଓ ମୋତେ ତୁମେମାନେ ଅଭେଦ ଦେଖିବ । ଯିଏ ଯେ କୌଣସି ଭାବରେ ଆମର ଦର୍ଶନ ପାଇବ, ସେହି ଭାବରେ ଧ୍ୟାନ ସ୍ତୁତି କରିବ ।-ଧ୍ୟାନ କରି ସାରିବା ପରେ ପୂଜା ମଧ୍ୟ ଶେଷ ହେବ । ଏହିଠାରୁ (ହୃଦୟରୁ ଆରମ୍ଭ) ଓ ଏହିଠାରେ (ମସ୍ତକରେ) ଶେଷ କରିବ-ଏହା କହି ମା’ ନିଜେ ତାହା ଦେଖାଇ ଦେଲେ ।

୩୭. ମନ୍ତ୍ର ତନ୍ତ୍ର କିଛି ନୁହେଁ ମା’, ଭକ୍ତି ହିଁ ସାର । ଠାକୁରଙ୍କ ମଧ୍ୟରେ ଗୁରୁ ଇଷ୍ଟ ସବୁ ପାଇବ । ସେ ହେଉଛନ୍ତି ସବୁ ।

୩୮. ପ୍ରତିଦିନ ୧୦/୧୫ ହଜାର ଜପ କରିପାରିଲେ ଯାଇ ହେବ । ମୁଁ ନିଜେ ଦେଖିଛି, ବାସ୍ତବିକ ହେବ । ଆଗେ କର, ତା’ପରେ କହିବ । ତେବେ ଟିକିଏ ମନ ଦେଇ କରିବାକୁ ହେବ ।

୩୯. ଧ୍ୟାନଜପର ଗୋଟିଏ ନିୟମିତ ସମୟ ରହିବା ଦରକାର । ସନ୍ଧିବେଳେ ତାଙ୍କୁ ଡାକିବା ଉଚିତ । ରାତି ଯାଉଛି; ଦିନ ଆସୁଛି; ପୁଣି ଦିନ ଯାଉଛି, ରାତି ଆସୁଛି-ଏହି ସମୟ ହେଲା ସନ୍ଧିବେଳ । ଏହିପରି ସମୟରେ ମନ ଶାନ୍ତ ଓ ପବିତ୍ର ଥାଏ ।...ଅସୁସ୍ଥ ହେଲେ କିମ୍ବା କାର୍ଯ୍ୟର ଝନ୍‌ଝଟ ମଧ୍ୟରେ ଥରେ ସ୍ମରଣ କିମ୍ବା ପ୍ରଣାମ କଲେ ମଧ୍ୟ ଚଳିବ ।

୪୦. ଜପ ତପଦ୍ୱାରା କର୍ମବନ୍ଧନ କଟିଯାଏ; କିନ୍ତୁ ପ୍ରେମଭକ୍ତି ବ୍ୟତୀତ ଭଗବାନଙ୍କୁ ପାଇବା ଦୁଷ୍କର ।

୪୧. ଜପ ତପ କଅଣ ଜାଣ ? ଏହାଦ୍ୱାରା ଇନ୍ଦ୍ରିୟ-ସଂଯମ ହୁଏ । ...ଗୋପବାଳକମାନେ କଅଣ କୃଷ୍ଣଙ୍କୁ ଜପଧ୍ୟାନ କରି ପାଇଥିଲେ ? ନା । ସେମାନେ-ଆ-ରେ, ଖା-ରେ, ନେ-ରେ, ଏପରି କହି କୃଷ୍ଣଙ୍କୁ ପାଇଥିଲେ । (ପ୍ରେମର ମାଧ୍ୟମରେ)

୪୨. ଭଗବାନଙ୍କୁ କିଏ ବାନ୍ଧିପାରିଛି କହିଲ ଭଲା ? ସେ ନିଜେ ନିଜେ ଧରା ଦେଇଥିଲେ ବୋଲି ତ ଯଶୋଦା ତାଙ୍କୁ ବାନ୍ଧିପାରିଥିଲେ ।

୪୩. ମଣିଷକୁ ଭଲ ପାଇଲେ ଅନେକ ଦୁଃଖ କଷ୍ଟ ମିଳେ ଓ ମନର ଅଯଥା ଶକ୍ତି ଖର୍ଚ୍ଚ ହୁଏ । ଭଗବାନଙ୍କୁ ଭଲ ପାଇଲେ ଯାଇ ପ୍ରକୃତ ଶାନ୍ତିଲାଭ କରାଯାଏ ।

୪୪. ଯେଉଁମାନେ ସ୍ୱାମୀ, ପିଲାପିଲିଙ୍କୁ ନେଇ ସଂସାରରେ ରହି ସେମାନଙ୍କର ସେବାଯତ୍ନ କରି ଭଗବାନଙ୍କୁ ଡାକିପାରନ୍ତି, ସେମାନେ ନିଶ୍ଚୟ ତାଙ୍କର ଦର୍ଶନ ପାଇବେ ।

୪୫. ସର୍ବଦା ଇଷ୍ଟଚିନ୍ତା କରୁଥିଲେ ଅନିଷ୍ଟ କପରି ହେବ ?

୪୬. ମୋର ପିଲାମାନେ ଯଦି ଧୂଳି କାଦୁଅ ବୋଳି ହୁଅନ୍ତି, ତେବେ ମୋତେ ତ ଧୂଳି କାଦୁଅ ସଫାକରି ତାଙ୍କୁ କୋଳକୁ ନେବାକୁ ହେବ !

୪୭. ପିତୃଗୃହ, ପତିଗୃହ କିମ୍ବା ଅନ୍ୟ ଯେଉଁଠାରେ ଥାଅ ନା କାହିଁକି, ସେବା ହେଉଛି ସ୍ତ୍ରୀଲୋକମାନଙ୍କର ପ୍ରଧାନ କାମ ।

୪୮. କନ୍ୟାରୂପେ, ପତ୍ନୀରୂପେ, ମାତୃରୂପେ ବା ଅନ୍ୟ ଯେ କୌଣସି ଭାବରେ ସେବା କରିବା ହିଁ ହେଉଛି ନାରୀର ଧର୍ମ ।

୪୯. ସ୍ତ୍ରୀଲୋକମାନେ ପଢ଼ାପଢ଼ି କରିବେ, ବିଦ୍ୟାଲାଭ କରିବେ; କିନ୍ତୁ ସେମାନଙ୍କର ଛୁଞ୍ଚିପରି ତୀକ୍ଷଣ୍‌ ବୁଦ୍ଧି ଭଲ ନୁହେଁ । ସେମାନେ ଯଦି ଠକି ଯାଆନ୍ତି, ତାହା ବରଂ ଭଲ, ଜିଣିବା ଦରକାର ନାହିଁ । ସେମାନେ ସରଳ ହେବେ ଓ ପବିତ୍ର ଭାବରେ ରହିବେ ।

୫୦. ପତ୍ନୀ ଥାଉ ଥାଉ ଦ୍ୱିତୀୟ ବିବାହ କରିବା ଉଚିତ ନୁହେଁ । ଏପରି କି ବିପତ୍ନୀକ ମଧ୍ୟ ଦ୍ୱିତୀୟ ବିବାହ ନ କରିବା ଶ୍ରେୟସ୍କର ।

‘ଏକନାରୀ ସଦାବ୍ରତୀ, ଏକାହାରୀ ସଦା ଯତି ।’

୫୧. ଦେଖ ମା’, ଚାପୁଡ଼ାମାଡ଼ ଡରରେ ରାମନାମ ଅନେକ କରନ୍ତି; କିନ୍ତୁ ଶୈଶବରୁ ନିଜର ମନଟିକୁ ଯିଏ ଠାକୁରଙ୍କ ପାଦପଦ୍ମରେ ଅର୍ପଣ କରିପାରେ ସେ ଧନ୍ୟ ।

୫୨. ମୁଁ ଆଉ କଅଣ ଉପଦେଶ ଦେବି ? ଠାକୁରଙ୍କ କଥା ସବୁ ବହିରେ ଲେଖା ହୋଇ ବାହାରିଲାଣି । ତାଙ୍କର ଗୋଟିଏ ମାତ୍ର କଥା ଧାରଣ କରି ଯଦି ଚଳିପାର ତାହେଲେ ସବୁ ହେବ ।

୫୩. ଉପଦେଶ ଗ୍ରହଣ କରିପାରିବ-ଏପରି ଆଧାର କାହିଁ ମା’ ? -ଆଧାର ହେଲା ଅସଲ, ଆଧାର ନ ଥିଲେ କିଛି ହେବ ନାହିଁ ।

୫୪. ତୁମମାନଙ୍କର ଆଉ ଦାୟିତ୍ୱ କଅଣ ? ତୁମ୍ଭେମାନେ ତ ମନ୍ତ୍ରଟି ନେଇ ଖଲାସ, କିନ୍ତୁ ତା’ପରେ ?

୫୫. ହଁ ମା’, ଠାକୁରେ ମଧ୍ୟ ତାହା କହୁଥିଲେ-ଅନ୍ୟର ପାପ ଗ୍ରହଣ କରି ରୋଗ ହୁଏ । ତା’ ନ ହେଲେ ଏହି ଦେହରେ କଅଣ ରୋଗ ହେବା କଥା ?

୫୬. ନୂଆ ଭକ୍ତମାନଙ୍କୁ ଠାକୁର ସେବା କରିବାକୁ ଦେବା ଉଚିତ । କାରଣ ସେମାନଙ୍କର ନବାନୁରାଗ-ସେଥିରେ ସେବା ଭଲ ହୁଏ ।

୫୭. ଚନ୍ଦନ ଭଲ କରି ଘସିବ । ଫୁଲ ବେଲପତ୍ର ଯେପରି ଖଣ୍ଡିଆ ନ ହୁଏ । ଅତି ଯତ୍ନ ସହିତ ଏହିସବୁ କରିବ, ଆଉ ଭୋଗ ଠିକ୍‌ ସମୟରେ ଦେବ ।

୫୮. ଦେଖ ମା’, ସ୍ୱାମୀ ସ୍ତ୍ରୀ ଏକମତ ହେଲେ ଯାଇ ଧର୍ମ ହୁଏ ।

୫୯. ସମସ୍ତେ କୁହନ୍ତି ମୋର ଏତେ ଦୁଃଖ ! ସେମାନେ କହୁଥାନ୍ତି-ଭଗବାନଙ୍କୁ ଏତେ ଡାକିଲି, ତଥାପି ମୋର ଦୁଃଖ ଘୁଞ୍ଚିଲା ନାହିଁ । ଭଗବାନ କିନ୍ତୁ ଦୟାକରି ଆମମାନଙ୍କୁ ଦୁଃଖ ଦେଇଥାଆନ୍ତି ।

୬୦. ଭିକାରୀକୁ ଅନ୍ତତଃ ମୁଠାଏ ଚାଉଳ ଭିକ୍ଷା ଦେବା ଉଚିତ୍‌ । ଯାହାର ଯାହା ପ୍ରାପ୍ୟ, ସେଥିରୁ ତାକୁ ବଞ୍ଚିତ କରିବା ଉଚିତ ନୁହେଁ ।

୬୧. ମୁଁ ତ ଅଶାନ୍ତି ବୋଲି କିଛି ଦେଖିଲି ନାହିଁ । ଆଉ ଇଷ୍ଟଦର୍ଶନ, ସେ ତ ମୋ’ ହାତମୁଠାରେ-ଥରେ ବସିବା ମାତ୍ରେ ତାଙ୍କୁ ଦେଖିବାକୁ ପାଏ ।

୬୨. ଟଙ୍କା ପଇସାରେ କଅଣ ଅଛି ମା’ ? ଠାକୁରେ ତ ଟଙ୍କା ଛୁଇଁପାରୁ ନ ଥିଲେ ।

୬୩. ସ୍ୱାମୀ କୁହ, ପୁତ୍ର କୁହ, ଦେହ କୁହ, ସବୁ ମାୟା; ଏଗୁଡ଼ିକ ବନ୍ଧନ । ଏହି ବନ୍ଧନକୁ ଚ୍ଛିନ୍ନ ନ କରିପାରିଲେ ଏହି ସଂସାରସମୁଦ୍ର ପାର ହୋଇପାରିବ ନାହିଁ, ଅର୍ଥାତ୍‌ ଜୀବ ମୁକ୍ତ ହୋଇପାରିବ ନାହିଁ ।

୬୪. ଭଗବାନ ମଣିଷ ଦେହ ମଧ୍ୟରେ ଅଛନ୍ତି । ଲୋକେ ତାହା ନ ଜାଣି ଘୂରି ଘୂରି ମରୁଛନ୍ତି । ....ଭଗବାନ ହିଁ ସତ୍ୟ, ଆଉ ସବୁ ମିଥ୍ୟା ।

୬୫. (ଶ୍ରୀରାମକୃଷ୍ଣଙ୍କ ସମ୍ବନ୍ଧରେ କହୁଛନ୍ତି) କିପରି ପୁରୁଷ ସେ ଥିଲେ । କି ସଦାନନ୍ଦ ପୁରୁଷ ସେ ଥିଲେ ! କେତେ ଲୋକଙ୍କର ଚୈତନ୍ୟ ହେଲା !

୬୬. ଶ୍ରୀଠାକୁରେ ଭଗବାନଙ୍କ ବିଷୟ ଛଡ଼ା ଆଉ କିଛି କହୁ ନଥିଲେ । ସେ କହୁଥିଲେ, ‘କେବଳ ଭଗବାନ ହିଁ ନିତ୍ୟ, ତାଙ୍କୁ ଡାକିପାରିବା ହିଁ ଯଥାର୍ଥ କାମ ।’

୬୭. ପୂର୍ବଜନ୍ମର କେତେ ସୌଭାଗ୍ୟରୁ ଆମ୍ଭେମାନେ ଏହି ମାନବ ଜନ୍ମ ପାଇଛେ । ଯେତେ ପାର ଭଗବାନଙ୍କୁ ଡାକିଯାଅ । ଖଟିବାକୁ ହେବ, ନ ଖଟିଲେ କଅଣ କିଛି ହେବ ? ସଂସାରରେ କାମଦାମ କରୁଥିବା ବେଳେ ମଧ୍ୟ ଗୋଟିଏ ସମୟ କରି ଭଗବାନଙ୍କୁ ଡାକିବାକୁ ହୁଏ ।

୬୮. ଜପଧ୍ୟାନ କରୁ କରୁ ଦେଖିବ (ଠାକୁରଙ୍କୁ ନିର୍ଦ୍ଦେଶ କରି) ସେ କଥା କହିବେ, ମନ ମଧ୍ୟରେ ଯେଉଁ ବାସନା ଥିବ, ତାହା ପୂର୍ଣ୍ଣ କରିଦେବେ-କି ଅପୂର୍ବ ଶାନ୍ତି ସେତେବେଳେ ପ୍ରାଣରେ ପାଇବ !

୬୯. ସାଧନ କରୁ କରୁ ଦେଖିବ, ମୋ ଅନ୍ତରରେ ଯିଏ, ତୁମ ଅନ୍ତରରେ ମଧ୍ୟ ସିଏ । ନୀଚ ଜାତି ମଣିଷଙ୍କ ଅନ୍ତରରେ ମଧ୍ୟ ସେ ବିରାଜମାନ-ଏହିପରି ଭାବିଲେ ସିନା ଅହଂକାର କଟିବ ।

୭୦. ସେ (ଠାକୁରେ) କହୁଥିଲେ, ‘କର୍ମ କରିବାକୁ ହେବ, ସ୍ତ୍ରୀ ଲୋକମାନଙ୍କର ବସିରହିବା ଉଚିତ ନୁହେଁ । ବସି ରହିଲେ ନାନା ପ୍ରକାର କୁଚିନ୍ତା ପ୍ରବେଶ କରେ ।’

୭୧. ସ୍ତ୍ରୀ ପକ୍ଷରେ ଗୁରୁ ଆଉ ସ୍ୱାମୀ-ତ୍ୟାଗ କରାଯାଏ ନାହିଁ । ବିବାହିତା ସ୍ତ୍ରୀ ଶତ ଦୁଃଖ ପାଇଲେ ସୁଦ୍ଧା ସ୍ୱାମୀର ସେବା କରିବ ।

୭୨. ପତିଙ୍କର ଚିତ୍ତ ଯଦି ପ୍ରକୃତରେ ଭଗବତ୍‌-ଅଭିମୁଖୀ ହୋଇଥାଏ ତେବେ ସାଧ୍ୱୀ ପତ୍ନୀର କର୍ତ୍ତବ୍ୟ ହେଉଛି, ତାହାଙ୍କୁ ସେହି ଧର୍ମପଥରେ ଉତ୍ସାହ ଦେବା ଏବଂ ସେହି ପଥରେ ନିଜର ଜୀବନକୁ ମଧ୍ୟ ପରିଚାଳିତ କରିବା । ଏଥିରେ ଉଭୟଙ୍କର କଲ୍ୟାଣ ହେବ ।

୭୩. ସ୍ତ୍ରୀଲୋକମାନଙ୍କର ପବିତ୍ର ଭାବରେ ରହିବା କଅଣ ସହଜ କଥା ! ସତୀ ସ୍ତ୍ରୀଙ୍କ ସମ୍ମୁଖରେ ମୁନି, ଋଷି, ଦେବତା, ଗନ୍ଧର୍ବ ମଧ୍ୟ ହାତ ଯୋଡ଼ି ସ୍ତବ୍‌ଧ ହୋଇ ରହନ୍ତି ।

୭୪. ସ୍ତ୍ରୀଲୋକମାନଙ୍କର ପାଠ ପଢ଼ି ପଣ୍ଡିତ ହେବା ବଡ଼ କଥା ନୁହେଁ, ରୂପ ମଧ୍ୟ ବଡ଼ କଥା ନୁହେଁ । ସେମାନଙ୍କର ଅସଲ କଥା ପବିତ୍ରତା ।

୭୫. ଠାକୁରେ କହୁଥିଲେ, ‘ଛାୟା କାୟା, ଘଟ-ପଟ ସମାନ ।’

୭୬. ଠାକୁରେ କହୁଥିଲେ, ‘ଲୋକେ ରୋଗ, ଶୋକ, ପାପତାପ ନେଇ, କେତେ ଦୁଷ୍କର୍ମ କରି ଆସି ମୋତେ ଛୁଅଁନ୍ତି, ସେହିସବୁ ଏହି ଦେହରେ ଆଶ୍ରୟ କରିଛି ।’ ଏ କଥା ଠିକ୍‌ ମା’ !

୭୭. (ଠାକୁରେ) ମୋତେ ଦିନେ କହିଲେ, ‘ଦେଖିବ, ଏହାପରେ ଘରେ ଘରେ ମୋର ପୂଜା ହେବ । ଏହାକୁ (ଠାକୁରଙ୍କୁ) ସମସ୍ତେ ମାନିବେ, ତମେ ଚିନ୍ତା କର ନାହିଁ ।’

୭୮. ଶ୍ରୀଠାକୁର ମୋତେ କହିଥିଲେ, ‘ମୋର ଚିନ୍ତା ଯିଏ କରେ, ତାହାର ସାମାନ୍ୟ ଖାଇବା ପିଇବା କଷ୍ଟ ହେବ ନାହିଁ ।’

୭୯. ହରିଦାସୀ (ଜନୈକ ସ୍ତ୍ରୀ-ଭକ୍ତ) ଠାକୁରଙ୍କ ଜନ୍ମସ୍ଥାନର ଧୂଳି ସାଉଁଟି ପାଖରେ ରଖିଥିଲା । ସେ କହିଲା-‘ଏହିଠାରେ ତ ନବଦ୍ୱୀପ, ସ୍ୱୟଂ ଗୌରାଙ୍ଗ ଏଠାକୁ ଆସିଛନ୍ତି; ଆଉ କାହିଁକି ନବଦ୍ୱୀପକୁ ଯିବି ?’ ଆହା କି ବିଶ୍ୱାସ !

୮୦. ବୁଝିଲ ମା’, ମୁଁ କିଛି ନୁହେଁ । ଠାକୁରେ ହିଁ ସବୁ । ତୁମେ ସବୁ ଠାକୁରଙ୍କ ପାଖରେ ଏଇୟା କୁହ (ହାତଯୋଡ଼ି ଠାକୁରଙ୍କୁ ପ୍ରଣାମ କଲେ) ମୋର ଅହଙ୍କାର ଯେପରି ନ ଆସେ ।

୮୧. ହରି ଓ ତାଙ୍କ ପ୍ରସାଦ ମଧ୍ୟରେ କୌଣସି ପ୍ରଭେଦ ନାହିଁ ମନରେ ଏହି ସ୍ଥିର ବିଶ୍ୱାସ ରଖ ।

୮୨. କୌଣସି ଏକ ଭକ୍ତର ଦର୍ଶନାଦି କଥା ଶୁଣି ମା’ ଆନନ୍ଦରେ କହୁଛନ୍ତି, ‘ଆହା! ସେ ଆନନ୍ଦ କଅଣ ଆଉ ପ୍ରତିଦିନ ହୁଏ ମା’ ! ତାହା ସବୁ ସତ୍ୟ, ସବୁ ସତ୍ୟ, କିଛି ମିଥ୍ୟା ନୁହେଁ, ମା’ ! ସେ ହେଉଛନ୍ତି ସବୁ । ସେ ପ୍ରକୃତି, ସେ ପୁରୁଷ । ‘ଓଁ‘ରୁ ସବୁ ବାହାରିଛି ।

୮୩. କୁଳକୁଣ୍ଡଳିନୀ ଜାଗ୍ରତ ନ ହେଲେ ଏପରି ଅନୁଭବ ହୁଏ ନାହିଁ । ଡାହାଣ ଆଡ଼ୁ ଯାହା (ଯେଉଁ ଜାଗରଣ ଅନୁଭବ) ହୁଏ, ତାହା ଠିକ୍‌ । ତା’ପରେ ମନ ଗୁରୁ ହୋଇଯାଏ । ମନସ୍ଥିର କରି ଦୁଇ ମିନିଟ୍‌ ମଧ୍ୟ (ଈଶ୍ୱରଙ୍କୁ) ଡାକିପାରିବା ଭଲ ।

୮୪. ଶ୍ରୀଶ୍ରୀମା’ଙ୍କ ଦେହ ଖୁବ୍‌ ଅସୁସ୍ଥ । ଜନୈକା ମହିଳା ଭକ୍ତ କହିଲେ, ‘ଆଉ କାହାରିକୁ ଦୀକ୍ଷା ଦିଆଯିବ ନାହିଁ । ଲୋକମାନଙ୍କ ପାପଭାର ଭାର ଗ୍ରହଣ କରି ଆପଣଙ୍କର ଏହି ଯନ୍ତ୍ରଣା ହେଉଛି ।’ ଏହା ଶୁଣି ମା’ ମୃଦୁ ହାସ୍ୟ କରି କହିଲେ, ‘କାହିଁକି ମା’, ଠାକୁରେ କଅଣ ଖାଲି ରସଗୋଲା ଖାଇବାକୁ ଆସିଛନ୍ତି ? ’

୮୫. ଜନୈକ ଭକ୍ତ ସାଧନ ଭଜନ କିପରି କରିବାକୁ ହେବ ପ୍ରଶ୍ନ କରିବାରୁ ଶ୍ରୀଶ୍ରୀମା କହିଲେ, ‘ତୁମକୁ କିଛି କରିବାକୁ ହେବ ନାହିଁ ।’ ପୁଣି ଥରେ ଏହିପରି ପ୍ରଶ୍ନର ଉତ୍ତରରେ ମା’ କହିଲେ, ‘ତୁମ ପାଇଁ ଯାହା କରିବାକୁ ହେବ, ତାହା ମୁଁ କରିବି । ତୁମକୁ କିଛି କରିବାକୁ ହେବ ନାହିଁ ।’

୮୬. ଶ୍ରାଦ୍ଧ ଅନ୍ନ ଭୋଜନ କରିବାକୁ ଠାକୁରେ ବିଶେଷ ନିଷେଧ କରୁଥିଲେ । ସେଥିରେ ଭକ୍ତିର ହାନି ହୁଏ । ସବୁ କର୍ମରେ ଯଜ୍ଞେଶ୍ୱର ନାରାୟଣଙ୍କର ଅର୍ଚ୍ଚନା ହୁଏ ସତ, ତେବେ ସେ ଶ୍ରାଦ୍ଧାନ୍ନ ଭୋଜନ କରିବାକୁ ମନା କରୁଥିଲେ । କିନ୍ତୁ ଆତ୍ମୀୟସ୍ୱଜନଙ୍କର ଶ୍ରାଦ୍ଧରେ ନ ଖାଇ ଉପାୟ କଅଣ ?

୮୭. ବନ୍ୟାରେ ଲୋକମାନଙ୍କର ବହୁତ କଷ୍ଟ ହେଉଛି । ଏହା ଶୁଣି ମା କରୁଣସ୍ୱରରେ କହିଲେ, ‘ବାବା ଜଗତର ମଙ୍ଗଳ କର ।’

୮୮. ଜଣେ ଜଣେ ଯେତେବେଳେ ମୋତେ ପ୍ରଣାମ କରନ୍ତି, ସେତେବେଳେ ବିରୁଡ଼ି ଶୁ‘ ମାରିଦେଲା ଭଳି ଯନ୍ତ୍ରଣା ବୋଧହୁଏ । କିନ୍ତୁ ମୁଁ କାହାରିକୁ କିଛି କହେ ନାହିଁ ।

୮୯. ଭୟ କଅଣ ବାବା, ସବୁବେଳେ ଜାଣିବ ଯେ ଠାକୁର ତୁମ ପଛରେ ରହୁଛନ୍ତି । ମୁଁ ରହୁଛି । ମୁଁ ମା’ ରହିଛି । ତେଣୁ ଭୟ କଅଣ ?

୯୦. ଠାକୁରେ ପରା କହିଛନ୍ତି, ‘ଯେଉଁମାନେ ତୁମ ନିକଟକୁ ଆସିବେ, ମୁଁ ଶେଷ ସମୟରେ ଆସି ସେମାନଙ୍କର ହାତ ଧରି ନେଇଯିବି ।’

୯୧. ଯାହାର ଯାହା ଖୁସି କର, ଯେପରି ଖୁସି ସେହିପରି ଭାବରେ ଚଳ । ଠାକୁରଙ୍କୁ କିନ୍ତୁ ଶେଷ ବେଳକୁ ଆସିବାକୁ ହେବ, ତୁମମାନଙ୍କୁ ନେବା ପାଇଁ ।

୯୨. ସୁଯୋଗ ଉପସ୍ଥିତ ହେବା ମାତ୍ରେ ଭଲମନ୍ଦ ସମୟ ଅପେକ୍ଷା ନ କରି ପୁଣ୍ୟ କାର୍ଯ୍ୟ କରି ପକାଇବା ଭଲ ।

୯୩. ଠାକୁରଙ୍କ ପ୍ରତି ଭକ୍ତି ରଖ । ଯେତେବେଳେ କଷ୍ଟ ହେବ, ଠାକୁରଙ୍କୁ ଜଣାଇବ ।

୯୪. ଠାକୁରେ ଏକମାତ୍ର ରକ୍ଷାକର୍ତ୍ତା, ଏହି କଥାଟି ସବୁବେଳେ ମନେ ରଖିବ । ଏହା ଭୁଲିଲେ ଚଳିବ ନାହିଁ ।

୯୫. ଜପଧ୍ୟାନ କରିବ, ସତ୍‌ସଙ୍ଗ ରଖିବ, ଅହଂକାରକୁ କୌଣସିମତେ ମୁଣ୍ଡ ଟେକିବାକୁ ଦେବ ନାହିଁ ।

୯୬. ଯିଏ ଠାକୁରଙ୍କ ଶରଣାଗତ ହୁଏ, ତାକୁ ବ୍ରହ୍ମଶାପ ମଧ୍ୟ କିଛି କରିପାରିବ ନାହିଁ । ମୋର କୌଣସି ଭୟ ନାହିଁ ।

୯୭. ବାବା ! ଠାକୁରେ ଦୟା କରିବେ, ତାହାଙ୍କୁ ଡାକ, ଆଉ ସତ୍‌ସଙ୍ଗ କର, ସାଧନ-ଭଜନ କର । ଠାକୁରଙ୍କୁ ଡାକିଲେ ସବୁ ହେବ ।

୯୮. ଏଠାକୁ (ଠାକୁରଙ୍କ ଆଶ୍ରୟକୁ) ଯିଏ ଆସିଛି, ଯେଉଁମାନେ ମୋର ସନ୍ତାନ, ସେମାନଙ୍କର ମୁକ୍ତି ନିଶ୍ଚୟ । ବିଧିର ସାଧ୍ୟ ନାହିଁ ଯେ ମୋର ସନ୍ତାନମାନଙ୍କୁ ରସାତଳକୁ ପକାଇବ ।

୯୯. ସତ୍‌ସଙ୍ଗ କର, ଭଲ ହେବାକୁ ଚେଷ୍ଟା କର । କ୍ରମେ ସବୁ ହେବ ।

୧୦୦. ଠାକୁରଙ୍କୁ ଡାକ, ମୁଁ ରହିଲି । ତୁମ୍ଭେମାନେ ଏ ଜନ୍ମରେ ମୁକ୍ତ ହୋଇ ରହିଛ, ଜାଣିବ । ଭୟ କଅଣ, ବେଳ ଆସିଲେ ସେ ସବୁ କରିଦେବେ ।

୧୦୧. ଆନ୍ତରିକ ହେଲେ ଶେଷରେ ଏଠାରେ (ଠାକୁରଙ୍କ ଆଶ୍ରୟରେ) ଆସି ପହଞ୍ଚିବ-ଦେଖୁ ନାହଁ, ବର୍ତ୍ତମାନ ତାରକ ବ୍ରହ୍ମନାମର ଚାରିଆଡ଼େ ପ୍ରଚାର ହେଉଛି; ଟିକିଏ ସାର ଥିଲେ କେହି ବାଦ୍‌ ଯିବେ ନାହିଁ । (ଅର୍ଥାତ୍‌ ସମସ୍ତେ ଶାନ୍ତି ପାଇବେ ।)

  1. ସାରଦା ଦେବୀ ଜୀବନୀ ଓ ବାଣୀ, ରାମକୃଷ୍ଣ ମଠ ପ୍ରକାଶିତ |

ଛାଞ୍ଚ:ସ୍ୱାମୀ ବିବେକାନନ୍ଦ