ଯୋଗ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Yogi sitting in a garden

An article related to
'ହିନ୍ଦୁ ଧର୍ମ

HinduismOm symbol.svg

Hinduଇତିହାସ

Portal:HinduismHinduSwastika.svg

Hinduism Portal
Hindu Mythology Portal

ଯୋଗ (ଇଂରାଜୀ:Yoga ( /ˈjɡə/; ସଂସ୍କୃତ: योग, Listen) ପ୍ରାଚୀନ ଭାରତ ରେ ପ୍ରାୟ ୬୦୦୦ ବର୍ଷ ପୂର୍ବେ ବିକଶିତ ହୋଇଥିବା ଶରୀର,ମନ ଓ ଆତ୍ମାକୁ ସଂଯମ କରିବାର ଏକ ଆଧ୍ୟାତ୍ମିକ ପଦ୍ଧତି । ଯୋଗର ଅନେକ ଅନେକ ଶାଖା ଓ ଅଭ୍ୟାସ ରହିଛି । ଏହାର ହିନ୍ଦୁଧର୍ମ, ବୌଦ୍ଧଧର୍ମଜୈନଧର୍ମ ରେ ବିଭିନ୍ନ ସାଧନା ମାର୍ଗ ରହିଛି । ଯୋଗର ବହୁ ଶାଖା ମଧ୍ୟରେ ରାଜଯୋଗ ଓ ହଠଯୋଗ ବିଶେଷ ପ୍ରସିଦ୍ଧ ।

ପତଞ୍ଜଳିଙ୍କୁ ଶେଷନାଗଙ୍କର ଅବତାର ବୋଲି କୁହାଯାଏ

ପ୍ରାକ୍ ବୈଦିକ ଯୁଗରୁ ଯୋଗର ଉତ୍ପତ୍ତି ବୋଲି ଗ୍ରହଣ କରାଯାଏ । ସିନ୍ଧୁ ଉପତ୍ୟକା ସଭ୍ୟତା ରୁ ମିଳିଥିବା ମୁଦ୍ରାରେ ଯୋଗାସନରେ ସ୍ଥିତ ପଶୁପତିଙ୍କ ଛବି ଯୋଗର ପ୍ରାଚୀନତା ପ୍ରତିପାଦନ କରେ । ଋକ ବେଦରେ ମଧ୍ୟ ଯୋଗର ଉଲ୍ଲେଖ ମିଳିଥାଏ । ବିଭିନ୍ନ ଉପନିଷଦରେ ଥିବା ବର୍ଣ୍ଣନା ଅନୁଯାୟୀ ଯୋଗର ବ୍ୟବହାର ବହୁ ପୁରାତନ । ବୌଦ୍ଧସୂତ୍ର ମାନଙ୍କରେ ମଧ୍ୟ ଯୋଗର ଉଲ୍ଲେଖ ରହିଛି । ତେବେ, ପତଞ୍ଜଳିଙ୍କ ଯୋଗସୂତ୍ର ଯୋଗ ସମ୍ବନ୍ଧରେ ପ୍ରଥମ ଗ୍ରନ୍ଥ, ଯାହା ଯୋଗର ମାନସିକ ଓ ଦାର୍ଶନିକ ବାଖ୍ୟା କରିଥାଏ । ବୈଦିକ ଷଡଦର୍ଶନ ମଧ୍ୟରୁ ଯୋଗ ଅନ୍ୟତମ, ଯାହା ପତଞ୍ଜଳୀଙ୍କ ଯୋଗସୂତ୍ର ଉପରେ ଆଧାରିତ । ଯୋଗର ବିଭିନ୍ନ ମାର୍ଗ ସମ୍ପର୍କରେ ଭଗବତ୍ ଗୀତା ରେ ବିସ୍ତୃତ ବର୍ଣ୍ଣନା ରହିଛି ।

ଯୋଗ ମୁଦ୍ରାରେ ବୁଦ୍ଧ

ଯୋଗ ହେଉଛି ସାଧନାର ଅନ୍ତର୍ଚେତନାର ବିକାଶ ଓ ମହାଚେତନା ସଙ୍ଗରେ ମିଳନର ପ୍ରକ୍ରିୟା । ଯୋଗର ଆକ୍ଷରିକ ଅର୍ଥ ହେଉଛି ମହାଚେତନା ପରମାତ୍ମା ସହିତ ଅନ୍ତର୍ଚେତନା ଜୀବାତ୍ମାର ମିଶ୍ରଣ ।

ଯୋଗ ଶବ୍ଦର ଉତ୍ପତ୍ତି[ସମ୍ପାଦନା]

ଯୋଗ ଶବ୍ଦ ସଂସ୍କୃତ "ଯୁଜ୍" ଧାତୂରୁ ଆସିଅଛି, ଯାହାର ଅର୍ଥ : "ଏକତ୍ର କରିବା, ଯୁକ୍ତ କରିବା ବା ଯୁକ୍ତ ଅବସ୍ଥା" ଅଟେ । ଆଧ୍ୟାତ୍ମିକ ଅର୍ଥରେ ଏହା ଜୀବାତ୍ମା ଓ ପରମାତ୍ମାଙ୍କ ମିଳନକୁ ବୁଝାଏ । ଯୋଗ ଶବ୍ଦର ଆହୁରି ଅନେକ ଅର୍ଥ ରହିଛି, ଯଦିଓ ଏକ ଆଧ୍ୟାତ୍ମିକ, ମାନସିକ, ଶାରୀରିକ ଶୃଙ୍ଖଳା ଭାବରେ ଏହାର "ଯୁକ୍ତ" ଅର୍ଥକୁ ବୁଝାଯାଏ ।

ଯୋଗର ନାନାଦି ଶାଖା[ସମ୍ପାଦନା]

ଯୋଗର ପ୍ରୟୋଗ ଓ ମାର୍ଗକୁ ନେଇ ଅନେକ ଶାଖା ରହିଛି । ସବୁ ଶାଖା ମୁଖ୍ୟତଃ ଯୋଗର ମୂଳ ନିୟମ ଗୁଡିକ, ଏକାଗ୍ରତା ଓ ମାନସିକ ନିୟନ୍ତ୍ରଣ ଉପରେ ଆଧାରିତ । ଯୋଗର ନିମ୍ନସ୍ଥ ମୁଖ୍ୟ ଶାଖା ସବୁ ବର୍ତ୍ତମାନ ମଧ୍ୟ ରହିଛି ।

  • ରାଜ ଯୋଗ
  • ହଠ ଯୋଗ
  • ଲୟ ଯୋଗ
  • କୁଣ୍ଡଳିନୀ ଯୋଗ
  • କର୍ମ ଯୋଗ
  • ଜ୍ଞାନ ଯୋଗ
  • ଭକ୍ତି ଯୋଗ ଇତ୍ୟାଦି

ରାଜ ଯୋଗ[ସମ୍ପାଦନା]

ମହର୍ଷି ପତଞ୍ଜଳି ପ୍ରଣୀତ ଯୋଗସୂତ୍ର ଉପରେ ଆଧାରିତ ଯୋଗକୁ ରାଜଯୋଗ କୁହାଯାଏ । ଏହି ଗ୍ରନ୍ଥ ଖୀ.ପୂ. ପ୍ରଥମ ଶତାବ୍ଦୀ ରେ ପ୍ରଣୀତ ହୋଇଥିବା ଅନୁମାନ କରାଯାଏ । ଏହି ଗ୍ରନ୍ଥରେ ଯୋଗର ନାନାଦି ଦାର୍ଶନିକ ଓ ଆଧ୍ୟାତ୍ମିକ ବାଖ୍ୟା ରହିଛି । ଏହି ଗ୍ରନ୍ଥରେ ଅଷ୍ଟାଙ୍ଗ ଯୋଗ ସାଧନ - ଯମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି ର ବର୍ଣ୍ଣନା ରହିଛି । ଜଣେ ସାଧକ ସାଧନା ଦ୍ବାରା ଏହି ଯୋଗାଙ୍ଗ, ବା ଯୋଗର ଅଙ୍ଗ ମାନଙ୍କୁ ଅଭ୍ୟାସ କରି ଶେଷରେ କୈବଲ୍ୟ ପ୍ରାପ୍ତ ହୋଇଥାଏ ।

ଯମ[ସମ୍ପାଦନା]

ଯୋଗର ପ୍ରଥମ ଅଙ୍ଗ ହେଉଛି ଯମ । ଏହା ହେଉଛି ଇନ୍ଦ୍ରିୟମାନଙ୍କର ସଂଯମ, ଆମର ଯେଉଁ ପଞ୍ଚଇନ୍ଦ୍ରିୟ ଯଥା- ଶବ୍ଦ (କାନ), ସ୍ପର୍ଶ (ଚର୍ମ), ରୂ (ଚକ୍ଷୁ), ରସ (ଜିହ୍ୱା) ଓ ଗନ୍ଧ (ନାକ) ଅଛି, ସେମାନଙ୍କର ଉଚିତ ବିବେକାନୁମୋଦିତ ବ୍ୟବହାର । ଏଣୁ ସାଧକର ଦରବାର ଶୁଦ୍ଧ ବୁଦ୍ଧି, ସଂକଳ୍ପିତ ମନ ଓ ସଂଯତ ଇନ୍ଦ୍ରିୟ । ଯମର ବିଭିନ୍ନ ବିଭାଗ ହେଉଛି ଅହିଂସା, ସତ୍ୟ, ଆସ୍ତେୟ, ବ୍ରହ୍ମଚର୍ଯ୍ୟ ଓ ଅପରିଗ୍ରହ । ଅହିଂସା କେବଳ କାହାପ୍ରତି ଶାରୀରିକ ଆଘାତ ନ କରିବା ନୁହେଁ, ବଚନରେ କାହାକୁ ଆଘାତଦେବା ଓ ମନରେ କାହାର ଅନିଷ୍ଟ ଚିନ୍ତା ନ କରିବା । ସତ୍ୟାଚରଣ ମଧ୍ୟ ଚିନ୍ତା ବଚନ ଓ କର୍ମରେ କରିବାକୁ ପଡିବ । ଆସ୍ତେୟ ହେଉଛି ଯାହା ନିଜର ନୁହେଁ ତାହାକୁ ଗ୍ରହଣ ନ କରିବା । ଅର୍ଥାତ ଅନ୍ୟର ଜିନିଷ ପ୍ରତି ଲୋଭ ନ କରିବା । ଅପରିଗ୍ରହ ହେଉଛି ଆବୋରି ନ ଧରିବା, ଅନାସକ୍ତ ଭାବ । ଏହି ଦୁଇ ଜୀବନ ପ୍ରଣାଳୀ ହେଉଛି ଯେତିକି ଦରକାର ସେତିକି ସଂଗ୍ରହ କରିବା ଓ ଯଦି ସଂଗୃହୀତ ଦ୍ରବ୍ୟରୁ କିଛି ବଳେ ତାହାକୁ ଅନ୍ୟକୁ ବିତରଣ କରିବା । ବ୍ରହ୍ମଚର୍ଯ୍ୟର ଆକ୍ଷରିକ ଅର୍ଥ ହେଉଛି ଯେ ବ୍ରହ୍ମରେ ଚାରଣ କରନ୍ତି - ସର୍ବଦା ଈଶ୍ୱରଙ୍କୁ ସ୍ମରଣ କରନ୍ତି ଓ କାମନାକୁ ଭଗବତ ଅଭିମୁଖୀ କରାଇ ସମସ୍ତ କାର୍ଯ୍ୟ, ଭାବନା ଓ ବାକ୍ୟ ତାଙ୍କୁ ଅର୍ପଣ କରନ୍ତି ।

ନିୟମ[ସମ୍ପାଦନା]

ଯୋଗର ଦ୍ୱିତୀୟ ଅଙ୍ଗ ନିୟମ ହେଉଛି ଶୃଙ୍ଖଳା ଓ ଭକ୍ତି ମାଧ୍ୟମରେ ବ୍ୟକ୍ତିଗତ ଜୀବନ ଅତିବାହିତ କରିବା । ଏହାର ବିଭାଗମାନ ତପଃ, ଈଶ୍ୱର ପ୍ରଣିଧାନ, ସ୍ୱାଧ୍ୟାୟ, ଶୌଚ ଓ ସନ୍ତୋଷ ।

  • ତପ ହେଉଛି ସତ୍ୟାନୁଶୀଳନ ଓ ଏହି ପଥରେ ଅଗ୍ରସର ହେବା । ଏହା ତିନି ପ୍ରକାର (ଗୀତା ଅଧ୍ୟାୟ-୧୭, ଶ୍ଳୋକ-୧୪, ୧୫, ୧୬) ଶାରୀରିକ, ବାଚିକ ଓ ମାନସିକ ।

ଶାରୀରିକ ତପ - (କ) ଦେବତା, ବ୍ରାହ୍ମଣ, ଗୁରୁ ଓ ମହାପୁରଷଙ୍କୁ ପୂଜା ଓ ଯଥୋଚିତ ସମ୍ମାନ । (ଖ) ବାହ୍ୟ ଓ ଅନ୍ତକରଣର ଶୁଦ୍ଧତା । କାରଣ ଦେହୋଦେବାଳୟ ପ୍ରୋକ୍ତୋଜୀବୋ ଦେବ ସନାତନଃ । ଦେହ ହେଉଛି ଦେବାଳୟ ଓ ଏହା ମଧ୍ୟରେ ବାସ କରୁଥିବା ଜୀବାତ୍ମା ହେଉଛନ୍ତି ଦେବତା । (ଗ) ବ୍ୟବହାରରେ ଶାଳୀନତା (ସଦାଚାର) (ଘ) ବ୍ରହ୍ମଚର୍ଯ୍ୟ (ଙ) ଅହିଂସା ବାଚିକ ତପ ୫ ପ୍ରକାର । (କ) କାହାପ୍ରତି ଉତ୍ତେଜନାପୂର୍ବକ ବାକ୍ୟ ନ କହିବା । (ଖ) ସତ୍ୟ (ଗ) ପ୍ରାୟ (ଘ) ଅନ୍ୟର ମଂଗଳ ନିମିତ୍ତ (ଙ) ଶାସ୍ତ୍ରାନୁମୋଦିତ ବାକ୍ୟ ବହିବ । ମାନସିକ ତପ ୫ ପâକାର - (କ) ମନ ସର୍ବଦା ପâସନ୍ନ ରହିବା (ଖ) ମୌନତା ଯଥା ସମ୍ଭବ ଅବଲମ୍ବନ କରିବା (ଗ) ସୌମ୍ୟଭା ରହିବା (ଘ) ଆତ୍ମାରେ ନିଗ୍ରହ ରହିବା (ଙ) ଭାବାନାଶୁଦ୍ଧ ହେବା ।

  • ଈଶ୍ୱର ପ୍ରଣିଧାନ ହେଉଛି ଈଶ୍ୱରଙ୍କୁ ପ୍ରାଧାନ୍ୟ ଦେବା ଓ ତାଙ୍କଠାରେ ଚିନ୍ତା, କର୍ମ ଓ ବଚନ ସମର୍ପଣ କରିବା । ଯଦି ଆମେ ସ୍ରଷ୍ଟାଙ୍କର ପ୍ରିୟ ହୋଇପାରିଲେ ତେବେ ସୃଷ୍ଟି (ଜଗତ) ଆମ ନିମିତ୍ତ ଅନୁକୂଳ ହୋଇପାରିବ ।
  • ସ୍ୱାଧ୍ୟାୟ ହେଉଛି ଆଧ୍ୟାତ୍ମିକ ଶାସ୍ତ୍ରର ପଠନ ଓ ଏହାକୁ ମନରେ ଅନୁଶୀଳନ । ତାହାହେଲେ କାର୍ଯ୍ୟର ସତକର୍ମ ପ୍ରତିଫଳିତ ହେବ ।
  • ଶୌଚ - ବାହ୍ୟଶୁଚି (ଶରୀର) ଓ ଅନ୍ତଃଶୁଚି (ମନ, ବୁଦ୍ଧି, ଆତ୍ମା) । ଶରୀରକୁ ଜଳଦ୍ୱାରା, ମନକୁ ସତ୍ୟବଚନ ଦ୍ୱାରା, ବୁଦ୍ଧିକୁ ବେଦଜ୍ଞାନ ଦ୍ୱାରା ଓ ଆତ୍ମାକୁ ତପଦ୍ୱାରା ଶୁଦ୍ଧ କରିଥାଏ ।

ସନ୍ତୋଷ ହେଉଛି ମନର ଏକ ଅବସ୍ଥା ଯାହା ସାଧନା ମାଧ୍ୟମରେ ଆସେ । ଆତ୍ମସନ୍ତୋଷ ବିନା ସାଧନାରେ ଅଗâଗତି ହୋଇପାରିବନାହିଁ । ଆତ୍ମବିଶ୍ୱାସ ରହିଲେ ଆତ୍ମସନ୍ତୋଷ ହେବ ଏବଂ ଆତ୍ମ ସନ୍ତୋଷରୁ ଆତ୍ମତ୍ୟାଗ ଓ ତା'ପରେ ଆତ୍ମସାକ୍ଷାତକାର ହୋଇପାରିବ । ଏଣୁ ପ୍ରଥମେ ସାଧକର ନିଜ ଉପରେ ବିଶ୍ୱାସ ରହିବା ଦରକାର । ଯାହାକିଛି ଅତୀତରେ ହୋଇଯାଇଛି, ବର୍ତ୍ତମାନ ହେଉଛି ଅଥବା ଭବିଷ୍ୟତରେ ହେବ, ସେଥିପ୍ରତି କୌଣସି ସୁଖଦୁଃଖ ଭାବ ନରଖି ତାହା ଭଗବାନଙ୍କର ନିଜପ୍ରତି କରୁଣା ଭାବି ସାଧକ ଅଗ୍ରସର ହେବା ଦରକାର । ହତାଶଭାବ ହେଉଛି ଭଗବାନଙ୍କ ବିରୋଧରେ ଅପରାଧ । ସନ୍ତୋଷ ରହିଲେ ହତାଶଭାବ ଦୂରେଇଥାଏ ।

ଆସନ[ସମ୍ପାଦନା]

ଯୋଗର ତୃତୀୟ ଅଙ୍ଗ ହେଉଛି ଆସନ । ପତଞ୍ଜଳୀଙ୍କ ଅନୁସାରେ ଏହି ପ୍ରକିୟା ଯୋଗୀ କୁ ସ୍ଥିର ଓ ସୁଖରେ ବସିବାକୁ ସାହାଯ୍ୟ କରେ ।

ପ୍ରାଣାୟମ[ସମ୍ପାଦନା]

ଚତୁର୍ଥ ଅଙ୍ଗ ହେଉଛି ପ୍ରାଣାୟମ ଏହା କେବଳ ଶ୍ୱାସକ୍ରିୟାରେ ଏକ ବ୍ୟାୟାମ ନୁହେଁ । ଏହା ନିଜର ଭାବକୁ ଦୃଢ କରେ ଓ ମନକୁ ନିୟନ୍ତ୍ରଣକୁ ଆଣେ । ମନ ଉପରେ ସକାରାତ୍ମକ ପ୍ରଭାବ ବିସ୍ତାର କରେ । ଏହା ପ୍ରାଣଶକ୍ତି ନିୟନ୍ତ୍ରଣର ବିଶେଷ କୌଶଳ, ଯାହା ଦ୍ୱାରା ମନ ଇନ୍ଦ୍ରିୟ ମାନଙ୍କ ଠାରୁ ମୁକ୍ତ ହୋଇ, ଅନ୍ତର୍ମୁଖୀ ହୁଏ ।

ପ୍ରତ୍ୟାହାର[ସମ୍ପାଦନା]

ପଞ୍ଚମ ଅଙ୍ଗ ହେଉଛି ପ୍ରତ୍ୟାହାର । ପ୍ରତ୍ୟାହାରର ଆକ୍ଷରିକ ଅର୍ଥ ହେଲା ପ୍ରତି (ନୁହେଁ) + ଆହାର (ଖାଦ୍ୟ) ଯାହା ଶରୀର ମନ ଓ ଆତ୍ମାର ଉପଯୁକ୍ତ ଖାଦ୍ୟ ନୁହେଁ ତାହାକୁ ଗ୍ରହଣ ନକରିବା । ଏହା ବିଶେଷତଃ ଇନ୍ଦ୍ରିୟ ବାସନାର ତ୍ୟାଗ ଉପରେ ପ୍ରତିଷ୍ଠିତ । କାରଣ ତ୍ୟାଗ ଦ୍ୱାରା ହିଁ ଅମୃତତ୍ୱ ପ୍ରାପ୍ତ ହୋଇପାରିବ । ଏହି ଇନ୍ଦ୍ରିୟ ନିଗ୍ରହ ତିନୋଟି ସୋପାନ ଦେଇ ଅତିକ୍ରମ କରାହୁଏ । ଶମ, ଦମ, ଉପରତି । ଶମ ହେଉଛି ଇନ୍ଦ୍ରିୟମାନଙ୍କର ନିବାରଣ । ଉଚିତ ମାର୍ଗରେ ପରିଚାଳିତ କରିବାକୁ ପ୍ରବର୍ତ୍ତାଇବା, ଦମ ଇନ୍ଦ୍ରିୟ ନିୟନ୍ତ୍ରଣ ଓ ଉପରତି ନିରାକରଣ । ଇନ୍ଦ୍ରିୟ ନିରାକରଣ ଅର୍ଥ ସାଧକ ଦେଖିକରି ଦେଖିାରିବେ ନାହିଁ । ଶୁଣି ମଧ୍ୟ ଶୁଣି ପାରିବେ ନାହିଁ ଇତ୍ୟାଦି ।

ଧାରଣା[ସମ୍ପାଦନା]

ଷଷ୍ଠ ଅଙ୍ଗ ହେଉଛି ଧାରଣା । ଏହା ଏକାଗ୍ରତା କୁ ବୁଝାଏ । ବିକ୍ଷିପ୍ତ ମନକୁ କୌଣସି ଏକ ବସ୍ତୁ ଉପରେ କେନ୍ଦ୍ରିତ କରିବାକୁ ଧାରଣା କୁହାଯାଏ ।

ଧ୍ୟାନ[ସମ୍ପାଦନା]

ସପ୍ତମ ଅଙ୍ଗ ଧ୍ୟାନ ଅଟେ । ଏକ ବିଷୟବସ୍ତୁର ଜ୍ଞାନ ନିରନ୍ତର ଏକଭାବେ ପ୍ରବାହିତ ହେଲେ ତାହାକୁ ଧ୍ୟାନ କୁହାଯାଏ । ଏହି ଅବସ୍ଥାରେ କେବଳ ବିଷୟ ବସ୍ତୁର ଜ୍ଞାନ ରହେ ।

ସମାଧି[ସମ୍ପାଦନା]

ସମାଧି ଅବସ୍ଥା ହେଉଛି ଯୋଗର ଉଚ୍ଚତମ ଅବସ୍ଥା । ଯଦି ମନ ଏକ ରୂପ ଉପରେ ନିବିଷ୍ଟ ରହେ ତାକୁ କହନ୍ତି ସମ୍ପ୍ରଜ୍ଞାତ ସମାଧି ଓ ନିରାକାର ଉପରେ ମନ ନିବିଷ୍ଟ ହେଲେ ଅସମ୍ପ୍ରଜ୍ଞାତ ସମାଧି କୁହାଯାଏ । ଯୋଗର ଅନ୍ତିମ ଲକ୍ଷ୍ୟ - ମୁକ୍ତି ।[୧]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ମହାନ୍ତି, ସଦାନନ୍ଦ (୨୧ ଜୁନ ୨୦୧୫). "ଯୋଗ ଏକ ଉନ୍ନତ ଜୀବନ ଶୈଳୀ". ସମାଜ. http://samajaepaper.com/epaper/svww_index1.php. Retrieved 21 June 2015. 

ବାହାର ତଥ୍ୟ[ସମ୍ପାଦନା]