ହନୁମାନ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ହନୁମାନ
୧୧ଶ ଶତାବ୍ଦୀର ହନୁମାନ ମୂର୍ତ୍ତି
ମାଙ୍କଡ଼
ସଂସ୍କୃତ ଅନୁବାଦ हनुमान्
ଉପାଧି ରାମଙ୍କ ଭକ୍ତ, ଶିବଙ୍କ ଅବତାର, ବାନର
ମନ୍ତ୍ର ହନୁମାନ ଚାଳିଶା
ଅସ୍ତ୍ର ଗଦା

ପୌରାଣିକ ମତେ ହନୁମାନ ସୁଗ୍ରୀବଙ୍କ ଭଣଜା ଓ ରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଭକ୍ତଭାବେ ପରିଚିତ । ଏହାଙ୍କ ମାତାଙ୍କ ନାମ ଅଞ୍ଜନା; ଏ ବାୟୁଦେବତାଙ୍କ ପୁତ୍ର । ଏ ପ୍ରଥମେ ବାଳିଙ୍କର ସେନାପତି ଥିଲେ, ପରେ ବାଳିଙ୍କର ରାଜ୍ୟରୁ ବିତାଡ଼ନ ପରେ ଏ ସୁଗ୍ରୀବଙ୍କର ପାରିଷଦ ହେଲେ ସୀତାହରଣ ପରେ ରାମଚନ୍ଦ୍ରଙ୍କର ସୁଗ୍ରୀବଙ୍କ ସଙ୍ଗେ ମିତ୍ରତା ହେବାରୁ ଏ ସୀତାଙ୍କୁ ଠାବ କରିବାକୁ ଦୂତରୂପେ ଦକ୍ଷିଣକୁ ଯାଇ ଲଙ୍କାରେ ଅଶୋକବନରେ ସୀତାଙ୍କୁ ଠାବ କରି, ତାଙ୍କୁ ଶ୍ରୀରାମଙ୍କ ସଂବାଦ ଦେଇ, ତାଙ୍କଠାରୁ ଲେଉଟ ସଂବାଦ ଓ ସଂଙ୍କେତ ଆଣି ଶ୍ରୀରାମଙ୍କୁ ଦେଇଥିଲେ । ଏ ନିଜ ଲାଙ୍ଗୁଳରେ କନା ଗୁଡ଼ିଆଇ ତେଲ ଢଳାଇ ତହିଁରେ ନିଆ ଲଗାଇ ଲଙ୍କାକୁ ପୋଡ଼ି ପକାଇ ଥିଲେ ଏ ଅତ୍ୟନ୍ତ ବଳଶାଳୀ ଥିଲେ ଓ ଭାରତବର୍ଷରୁ ଲଙ୍କାକୁ ଡେଇଁଥିଲେ ଲକ୍ଷ୍ମଣଙ୍କ ଶକ୍ତିଭେଦ ହେବାରୁ ଏ ଅମରଔଷଧି ଆଣିବାକୁ ଯାଇ ଗନ୍ଧମାର୍ଦ୍ଦନ ପର୍ବତକୁ ଉପାଡ଼ି ନିଜ ମୁଣ୍ଡରେ ବୋହି ଲଙ୍କାଠାକୁ ଆଣିବାରୁ ଲକ୍ଷ୍ମଣଙ୍କର ପ୍ରାଣରକ୍ଷା ହେଲା । ଏ ରାବଣଙ୍କ ରାକ୍ଷସ ସେନା ସଙ୍ଗେ ଖୁବ୍ ବୀରତା ସହକାରେ ୟୁଦ୍ଧ କରି ଥିଲେ ରାମଚନ୍ଦ୍ର ଦେହ ତ୍ୟାଗ କରିବା ସମଯରେ ଏହାଙ୍କୁ ଅମରବର ଦେଇଥିଲେ । କଥିତ ଅଛି ଯେ, ଲଙ୍କା ପୋଡ଼ିବା ପରେ ହନୁମାନ୍ ନିଜ ଲାଙ୍ଗୁଡ଼ରେ ଜଳୁଥିବା ନିଆଁକୁ ହାତରେ ଓ ଗୋଡ଼ରେ ମଳି ଲିଭାଇ ଦେଇ ସେହି କରତଳକୁ ମୁଁହରେ ବୋଳି ଦେବାରୁ ତାଙ୍କ ମୁହଁ କଳା ପଡ଼ିଗଲା ଓ ତଦବଧି ତାଙ୍କ ବଂଶଧରମାନେ (ହନୁମାଙ୍କଡ଼) ମୁହଁପୋଡ଼ା ବାନ୍ଦର ହେଲେ । ଦ୍ଵାପର ଯୁଗରେ ଭୀମଙ୍କ ସଙ୍ଗେ ଗନ୍ଧମାର୍ଦ୍ଦନ ପର୍ବତରେ ଏହାଙ୍କର ଭେଟ ହୋଇଥିଲା । ହିନ୍ଦୁମାନେ ଏହାଙ୍କୁ 'ମହାବୀର' ଠାକୁର ରୁପରେ ପୁଜା କରନ୍ତି । [୧]

ଜନ୍ମ ବୃତ୍ତାନ୍ତ[ସମ୍ପାଦନା]

ପୌରାଣିକ ମତେ ସତ୍ୟଯୁଗରେ ସମୁଦ୍ର ମନ୍ଥନ ସମୟରେ ସମୁଦ୍ର ଗର୍ଭରୁ ଅମୃତ ବାହାରିଥିଲା । ସେହି ସମୟରେ ଭଗବାନ ଶିବ ବିଷ୍ଣୁଙ୍କର ମାୟାମୋହିନୀ ରୂପରେ ବଶୀଭୂତ ହୋଇଥିଲେ । ଦିନେ ଶିବ ଓ ବିଷ୍ଣୁ ଏକ ସ୍ଵର୍ଗର ପୁଷ୍ପ ଉଦ୍ୟାନରେ ଭ୍ରମଣ କରୁଥିଲେ । ହଠାତ୍‌ ଶିବ ଶଙ୍କରଙ୍କ ସେହି ମାୟାମୋହିନୀ ରୂପକଥା ମନେ ପଡ଼ିଲା, ସେ ବିଷ୍ଣୁଙ୍କୁ କହିଲେ, ତୁମର ମନେଥିବ ସତ୍ୟଯୁଗରେ ତୁମେ ମାୟାମୋହିନୀ ରୂପରେ ଅମୃତ ବଣ୍ଟନ କରୁଥିଲ । ତୁମେ ପୁନର୍ବାର ସେହିରୂପ ଧାରଣ କର ଓ ମୋ ମନସ୍କାମନା ପୂରଣ କର । ସ୍ଵୟଂ ବିଷ୍ଣୁ କହୁଛନ୍ତି ନାରାୟଣ କହୁଛନ୍ତି- ଏହିକଥା । ହେଉ ତାହେଲେ ତୁମର ମନସ୍କାମନା ପୂରଣ ହେଉ କହି ମାୟାମୋହିନୀ ରୂପ ଧାରଣ କଲେ । ଭଗବାନ ଶିବଶଙ୍କର ମାୟାମୋହିନୀଙ୍କ ରୂପରେ ବିଭୋର ହୋଇ ରାସକ୍ରୀଡ଼ା ଆରମ୍ଭ କରିଦେଲେ । ଏହିପରି କିଛିସମୟ ବିତିଗଲା ପରେ ହଠାତ୍‌ ଶିବଶଙ୍କରଙ୍କ ଅଙ୍ଗରୁ ବ୍ରହ୍ମଜ୍ୟୋତି ଖସିଲା । ସେହି ଜ୍ୟୋତିକୁ ପବନ ଦେବତା ଉଡ଼ାଇ ନେଇ ମୁନିଶ୍ରେଷ୍ଠ ଯମଦଗ୍ନିଙ୍କ ହୋମକୁଣ୍ଡ ମଧ୍ୟରେ ଗୋପନରେ ରଖିଲେ । ସତ୍ୟଯୁଗ ପରେ ତ୍ରେତୟା ଯୁଗରେ ଦିନେ ଅଞ୍ଜନା ଭଗବାନ ଶିବଶଙ୍କରଙ୍କୁ ପୁତ୍ର ରୂପରେ ପାଇବା ପାଇଁ ମହାଦେବଙ୍କୁ ଘୋର ତପସ୍ୟା କଲେ । ଅଞ୍ଜନାଙ୍କ ତପତ୍ୟାରେ ପ୍ରସନ୍ନ ହୋଇ କହିଲେ, ଦେବୀ ମୋର ଅଂଶରୂପୀ ଏକ ବାଳକ ଜନ୍ମ ଗ୍ରହଣ କରିବ । ଏହା କହି ମହାଦେବ କୈଳାସ ପର୍ବତକୁ ପ୍ରତ୍ୟାବର୍ତ୍ତନ କଲେ । ଏହି ସମୟରେ ନାରଦ ମୁନି ଆସି କୈଳାସ ପର୍ବତରେ ପହଞ୍ଚି କହିଲେ, ସତ୍ୟଯୁଗ ସମୟରେ ଆପଣ ଭଗବାନ୍‌ ବିଷ୍ଣୁଙ୍କର ମାୟାମୋହିନୀ ରୂପରେ ବିଭୋର ହୋଇ ରାସକ୍ରୀଡ଼ା କରୁଥିବା ସମୟରେ ଆପଣଙ୍କ ଅଙ୍ଗରୁ ଏକ ଜ୍ୟୋତି ନିର୍ଗତ ହୋଇଥିଲା । ସେହି ଜ୍ୟୋତିକୁ ପବନ ଦେବତା ଉଡ଼ାଇ ନେଇ ଯଗଦମ୍ନିଙ୍କ ହୋମକୁଣ୍ଡରେ ଲୁଚାଇ ରଖିଛନ୍ତି । ସେହି ଜ୍ୟୋତିକୁ ଅଞ୍ଜନାଙ୍କ ଅଜାଣତରେ ତାଙ୍କ ଗର୍ଭରେ ଛାଡ଼ି ପାରିବ ତା’ହେଲେ ଆପଣଙ୍କ ଅଂଶରୂପୀ ଏକ ବାଳକ ଜନ୍ମନେବ । ଏହିକଥା ଶୁଣି ମହାଦେବ ପବନ ଦେବତାଙ୍କୁ ସ୍ମରଣ କରି ଆଦେଶ ଦେଲେ ଯଗଦମ୍ନିଙ୍କ ହୋମକୁଣ୍ଡରେ ଲୁଚାଇ ରଖିଥିବା ଜ୍ୟୋତିକୁ ଆଣି ଗୋପନରେ ଅଞ୍ଜନାଙ୍କ ଗର୍ଭରେ ସ୍ଥାପନ କରିବାକୁ । ଅଞ୍ଜନା ଶୟନ କରିଥିବା ସମୟରେ ପବନ ଦେବତା ସେହି ଦିବ୍ୟଜ୍ୟୋତିକୁ ତାଙ୍କ ଗର୍ଭରେ ସ୍ଥାପନ କଲେ । କିଛିଦିନ ପରେ, ଅଞ୍ଜନାଙ୍କର ଏକ ପୁତ୍ର ସନ୍ତାନ ଜାତ ହେଲା । ତାଙ୍କର ନାମକରଣ ହେଲା ହନୁମାନ । ଦିନେ ଅଞ୍ଜନା କାର୍ଯ୍ୟବ୍ୟସ୍ତ ଥିବା ସମୟରେ ହନୁମାନ ଆସି ଭୋକଲାଗିଲାଣି ବୋଲି କହିଲେ । ହନୁମାନ ଏହିକଥା ଦୁଇଥର କହିଲେ, ଯେତେବେଳେ ତୃତୀୟଥର ଏହିକଥା କହିଲେ ଅଞ୍ଜନା ଅତ୍ୟନ୍ତ କ୍ରୋଧାନ୍ଵିତ ହୋଇଗଲେ । ସେହି ସମୟରେ ସୂର୍ଯ୍ୟ ପୂର୍ବଦିଗରେ ଉଦୟ ହେଉଥିଲେ । ମା କ୍ରୋଧିତ ହୋଇ କହିଲେ, ପୂର୍ବଦିଗରେ ଯେଉଁ ଲାଲ୍‌ଫଳ ଦେଖାଯାଉଛି ତାକୁ ଖାଅ । ହନୁମାନ କାଳ ବିଳମ୍ବ ନକରି ସୂର୍ଯ୍ୟଙ୍କୁ ଗିଳିବାକୁ ଉଦ୍ୟତ ହୁଅନ୍ତେ ସୂର୍ଯ୍ୟ ତାଙ୍କର ତାପ ଓ କଳେବର ବୃଦ୍ଧି କଲେ । କିନ୍ତୁ ହନୁମାନ ଏହାକୁ ଭୃକ୍ଷେପ ନକରି ନିଜର କାୟା ବିସ୍ତାର କରି ସୂର୍ଯ୍ୟଙ୍କୁ ଗିଳିଦେଲେ । କିନ୍ତୁ ସୂର୍ଯ୍ୟ ହନୁମାନଙ୍କ ଗଳାରେ ରହିଗଲେ। ଇନ୍ଦ୍ର ଏସବୁ ଦେଖି ଅତ୍ୟନ୍ତ କ୍ରୋଧାନ୍ଵିତ ହୋଇ ବଜ୍ର ପ୍ରହାର କଲେ । ସେହି ସମୟରେ ସୂର୍ଯ୍ୟ ହନୁମାନଙ୍କ ପାଟିରୁ ବାହାରି ଆସିଲେ ଓ ହନୁମାନ ଅଚେତ ହୋଇ ପଡ଼ିଗଲେ । ପବନ ଦେବତା ହନୁମାନଙ୍କୁ ନେଇ ଏକ ଗୁମ୍ଫାକୁ ଚାଲିଯିବା ସହିତ ତ୍ରିଭୂବନକୁ ପବନଶୂନ୍ୟ କରିଦେଲେ । ବାୟୁଶୂନ୍ୟ ହେବାମାତ୍ରେ ତିନିପୁରରେ ହାହାକାର ପଡ଼ିଗଲା । ସବୁ ଦେବାଦେବୀ ଆସି ବିଷ୍ଣୁଙ୍କର ଶରଣାପନ୍ନ ହେଲେ । ସଙ୍ଗେ ସଙ୍ଗେ ବିଷ୍ଣୁ ପବନ ଦେବତାଙ୍କୁ ଡକାଇ, ତିନିପୁର ବାୟୁଶୂନ୍ୟ କାହିଁକି କରିଛ ବୋଲି ପଚାରିଲେ ? ପବନଦେବ କହିଲେ, ହେ ପ୍ରଭୁ ମୋପୁତ୍ର ହନୁମାନର ଜୀବନ ଏବେ ସଂକଟରେ । ଯଦି ମୋପୁତ୍ର ପ୍ରାଣତ୍ୟାଗ କରେ, ମୁଁ ତ୍ରିପୁର ପବନଶୂନ୍ୟ କରିଦେବି । ଭଗବାନ ବିଷ୍ଣୁ ହନୁମାନ ଦେହରେ ପ୍ରାଣ ସଂଚାର ସହିତ ସମସ୍ତ ଦେବତାଙ୍କୁ ବରପ୍ରଦାନ କରିବାକୁ କହିଲେ । ସମସ୍ତ ଦେବତା ହନୁମାନଙ୍କୁ ବର ପ୍ରଦାନକଲେ । ଇନ୍ଦ୍ର ବରଦାନ ଦେଲେ ତୁମଦେହ ବଜ୍ର ହୋଇଯାଉ ଏବଂ କୌଣସି ଅସ୍ତ୍ରଶସ୍ତ୍ର ତୁମଦେହକୁ ସ୍ପର୍ଶ ନକରୁ । ଆଜିଠାରୁ ତୁମନାମ ବଜରଙ୍ଗବାଲି ନାମରେ ଖ୍ୟାତ ହେବ । [୨]

ହନୁମାନ ବାନର କୁଳରେ ଜନ୍ମଗ୍ରହଣ କରିଥିଲେ । ମାତା ଅଞ୍ଜନା ଏକ ଅପ୍‌ସରୀ, ଅଭିଶାପ ପାଇ ପୃଥିବୀପୃଷ୍ଠରେ ଜନ୍ମ ଗ୍ରହଣ କରିଥିଲେ । ସେ ହନୁମାନଙ୍କୁ ଜନ୍ମଦେବା ପରେ ଦେହତ୍ୟାଗ କରି ଅଭିଶାପରୁ ମୁକ୍ତ ହୋଇଥିଲେ । ବାଲ୍ମୀକି ରାମାୟଣ ମତେ କେଶରୀ ହେଉଛନ୍ତି ଦେବଗୁରୁ ବୃହଷ୍ପତିଙ୍କ ପୁତ୍ର ଆଉ ଶ୍ରୀରାମ ଓ ରାବଣଙ୍କ ଯୁଦ୍ଧରେ ଶ୍ରୀରାମ ପକ୍ଷରେ ଯୁଦ୍ଧ କରିଥିଲେ । ଅଞ୍ଜନା ଓ କେଶରୀଙ୍କର ବହୁଦିନ ପର୍ଯ୍ୟନ୍ତ ସନ୍ତାନସନ୍ତତି ନହେବାରୁ ଦୁହେଁ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଭଗବାନ୍‌ ଶିବଙ୍କୁ କଠୋର ତପସ୍ୟା କଲେ । ସେମାନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ମହାଦେବ ବର ପ୍ରଦାନ କଲେ ଯେ, ତୁମ ପୁତ୍ର ମୋ ଅଂଶରେ ଜନ୍ମ ଗ୍ରହଣ କରିବ । ତେଣୁ ହନୁମାନଙ୍କୁ ଶିବଙ୍କର ଅନ୍ୟ ଏକ ଅବତାର ରୂପେ ଗ୍ରହଣ କରାଯାଏ।ହନୁମାନଙ୍କର ଜନ୍ମରେ ପବନଦେବଙ୍କ ଅନେକ ଭୂମିକା ଥିବାରୁ ହନୁମାନଙ୍କୁ ଅନେକ ସମୟରେ ବାୟୁଦେବତାଙ୍କ ପୁତ୍ର ବୋଲି କହାଯାଏ । ଏକନାଥଙ୍କ ଭାବାର୍ଥ ରାମାୟଣର ଏକ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ, ଯେତେ ବେଳେ ଅଞ୍ଜନା ଭଗବାନ ଶିବଙ୍କୁ ପୂଜା କରୁଥିଲେ, ଅଯୋଧ୍ୟାର ସେତେବେଳେ ରାଜା ଦଶରଥ ମଧ୍ୟ ସନ୍ତାନ ପ୍ରାପ୍ତି ପାଇଁ ପୁତ୍ରକାମ ଯଜ୍ଞ କରୁଥିଲେ । ଯଜ୍ଞ ସମ୍ପାଦନ ପରେ ପୁରୋହିତ ଚରୁଅନ୍ନ ରାଜାଙ୍କୁ ପ୍ରଦାନ କରି ତିନିରାଣୀଙ୍କୁ ସେବନ କରିବାକୁ କହିଲେ, ଫଳ ସ୍ଵରୂପ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ଜନ୍ମ ହେଲେ । ଦୈବ ଇଙ୍ଗିତରେ ଏକ କାଉ ଚରୁଅନ୍ନରୁ କିଛି ଝାମ୍ପିନେଇଗଲା, ଉଡୁଥିବା ସମୟରେ ଅଞ୍ଜନା ଯେଉଁ ଜଙ୍ଗଲରେ ଶିବଙ୍କୁ ପ୍ରାର୍ଥନାରେ ନିମଗ୍ନଥିଲେ ସେଠାରେ ପକାଇ ଦେଲା । ପବନ ଦେବତା ସେହି ଚରୁଅନ୍ନକୁ ଅଞ୍ଜନାଙ୍କ ଆଞ୍ଜୁଳିରେ ପକାଇ ଦେଲେ, ତାକୁ ଅଞ୍ଜନା ଖାଇଦେଲେ । ଫଳରେ ହନୁମାନ ତାଙ୍କଠାରୁ ଜନ୍ମହେଲେ ।

ସପ୍ତମୁଖୀ ହନୁମାନ: ପୌରାଣୀକ ମତେ ଇନ୍ଦ୍ରଜିତ ବଧ ନିମିତ୍ତ ସପ୍ତମୁଖ ରୂପ ଧାରଣ କରିଥିଲେ । ହନୁମାନ ନିଜର ବାନର, ନରସିଂହ, ଗରୁଡ଼, ଶୂକର, ଅଶ୍ଵ (ଉଚ୍ଚୈଶ୍ରବା), ଗାଭୀ (କାମଧେନୁ) ଓ ମନୁଷ୍ୟ ମସ୍ତକ- ଏଇ ସପ୍ତ ମସ୍ତକ ଧାରଣ କରି ଇନ୍ଦ୍ରଜିତର ସପ୍ତସ୍ଵର ଆତ୍ମିକ ଯଜ୍ଞ ପଣ୍ଡ କରି ଦେବାରୁ ମହାକାଳୀ ରୁଷ୍ଟ ହୋଇ ପୂଜାସ୍ଥଳୀ ତ୍ୟାଗ କରିବାରୁ ଇନ୍ଦ୍ରଜୀତର ବଧ ସମ୍ଭବ ହୋଇଥିଲା ।

ପଞ୍ଚମୁଖୀ ହନୁମାନ: ପୌରାଣୀକ ମତେ ପାତଳରେ ବାସ କରୁଥିବା ମହୀରାବଣକୁ ବଧ କଲାବେଳେ ପଞ୍ଚମୁଖ ଓ ଦଶହାତ ବିଶିଷ୍ଟ ରୁଦ୍ରାବତାର ରୂପ ଧାରଣ କରିଥିଲେ । ଲକ୍ଷ୍ମଣ ଇନ୍ଦ୍ରଜିତକୁ ମାରିବା ପରେ ମହିରାବଣ, ରାମ ଲକ୍ଷ୍ମଣଙ୍କୁ ଚୋରାଇ ନେଇ ପାତାଳରେ ରଖିଥିଲା । ପରେ ହନୁମାନ ପାତାଳକୁ ଯାଇ ପାଞ୍ଚ ଦିଗରେ ଜଳୁଥିବା ପାଞ୍ଚଟି ଦୀପକୁ ଲିଭାଇବା ପାଇଁ ପଞ୍ଚମୁଖୀ ରୂପ ଧାରଣ କରିଥିଲେ । ଉତ୍ତରରେ ବରାହ, ଦକ୍ଷିଣରେ ନରସିଂହ, ପଶ୍ଚିମରେ ଗରୁଡ଼, ପୂର୍ବରେ ବାନର ଓ ଆକାଶ ଆଡ଼କୁ ହୟଗ୍ରୀବ ମୁଖ ଧାରଣ କରି ସମସ୍ତ ଦୀପକୁ ଏକାସମୟରେ ଲିଭାଇବା ଫଳରେ ମହିରାବଣର ମୃତ୍ୟୁ ହେଇଥିଲା । ମହିରାବଣର ମୃତ୍ୟୁପରେ ସେ ରାମ ଓ ଲକ୍ଷ୍ମଣଙ୍କୁ ଉଦ୍ଧାର କରିଥିଲେ ।[୩]

ଆଧାର[ସମ୍ପାଦନା]

  1. ପ୍ରହରାଜ, ଗୋପାଳ ଚନ୍ଦ୍ର. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. p. ୮୯୩୩. Retrieved 2 April 2015. 
  2. ଡାକ୍ଟର ବିରଞ୍ଜି ନାରାୟଣ ମଲ୍ଲିକ, ଦିନଲିପି
  3. "Significance of Panchamukhi". Dharmashree Pratishtana. http://hanumagiri.com/significance-of-panchamukhi/. Retrieved 2 April 2015. 

ଅଧିକ ତଥ୍ୟ[ସମ୍ପାଦନା]