ରାମକୃଷ୍ଣ ପରମହଂସ

ଉଇକିପିଡ଼ିଆ ରୁ
Jump to navigation Jump to search
ରାମକୃଷ୍ଣ ପରମହଂସ
ରାମକୃଷ୍ଣ ପରମହଂସ
ଧର୍ମ ହିନ୍ଦୁ
ଜନ୍ମ ତାରିଖ ୧୮ ଫେବୃଆରୀ ୧୮୩୬(1836-02-18)
ଜନ୍ମସ୍ଥାନ କାମାରପୁକୁର
ଜନ୍ମ ନାମ ଗଦାଧର ଚଟ୍ଟପାଧ୍ୟାୟ
ତିରୋଧାନ

୧୬ ଅଗଷ୍ଟ ୧୮୮୬ (୫୦ ବର୍ଷ)

ତିରୋଧାନ ସ୍ଥାନ କାଶୀପୁର ଉଦ୍ୟାନ ବାଟୀ ,କଲିକତା
ଜାତୀୟତା ଭାରତୀୟ
ବାଣୀ ସଂସାର ହେଉଛି ପାଣି, ଆଉ ମନ ହେଉଛି ଦୁଧ । ତାକୁ ଯଦି ପାଣିରେ ଢାଳି ଦେବ , ତା ହେଲେ ଦୁଧ ଓ ପାଣି ମିଶିଯିବ । ଦୁଧକୁ ବସାଇ ସେଥିରୁ ଲହୁଣୀ ବାହାର କରି ସଂସାର - ପାଣିରେ ରଖିଲେ ତାହା ମିଶିବ ନାହିଁ ,ଭାସି ଉଠିବ। [୧]

ରାମକୃଷ୍ଣ ପରମହଂସ(ବଙ୍ଗଳା: ‍‍রামকৃষ্ণ পরমহংস) (୧୮ ଫେବୃଆରୀ,୧୮୩୬-୧୬ ଅଗଷ୍ଟ,୧୮୮୬) ପୂର୍ବନାମ ଗଦାଧର ଚଟ୍ଟୋପାଧ୍ୟାୟ । ଉନବିଂଶ ଶତାବ୍ଦୀର ବିଖ୍ୟାତ ଯୋଗୀ,ଦାର୍ଶନିକ ଓ ହିନ୍ଦୁ ଧର୍ମଗୁରୁ । ତାଙ୍କ ପ୍ରଚାରିତ ଧର୍ମୀୟ ଚିନ୍ତାଧାରାରେ ରାମକୃଷ୍ଣ ମିଶନର ପ୍ରତିଷ୍ଠା କରିଥିଲେ ତାଙ୍କର ପ୍ରଧାନ ଶିଷ୍ୟ ସ୍ୱାମୀ ବିବେକାନନ୍ଦ । ଉନବିଂଶ ଶତାବ୍ଦୀର ହିନ୍ଦୁ ନବଜାଗରଣରେ ଉଭୟଙ୍କର ଦାନ ଅତୁଳନୀୟ ।

ଜୀବନ[ସମ୍ପାଦନା]

ଜନ୍ମ ଓ ପରିବାର[ସମ୍ପାଦନା]

ଶ୍ରୀରାମକୃଷ୍ଣ ହୁଗୁଳୀ ଜିଲ୍ଲାର କାମାରପୁକୁର ଗାଁରେ ଏକ ବ୍ରାହ୍ମଣ ବଂଶରେ ଜନ୍ମଗ୍ରହଣ କରିଥିଲେ । ସେ ଦିନ ଥିଲା ୧୨୪୨ ସାଲର ଛଅ ଫାଲ୍‌ଗୁନ, ବୁଧବାର, ଶୁକ୍ଳ ଦ୍ୱିତୀୟା ତିଥି (୧୮୩୬ ଖ୍ରୀ:ର ଫେବୃଆରୀ ୧୮ ତାରିଖ) । ତାଙ୍କ ପିତାଙ୍କ ନାମ କ୍ଷୁଦିରାମ ଚଟ୍ଟୋପାଧ୍ୟାୟ ଓ ମାତା ଚନ୍ଦ୍ରମଣି ଦେବୀ । [୨]

କ୍ଷୁଦିରାମ ଅତି ନିଷ୍ଠାବାନ, ତେଜସ୍ୱୀ, ଦେବଦେବୀଙ୍କ ପ୍ରତି ଭକ୍ତିପରାୟଣ, ସତ୍ୟବାଦୀ ଓ ସଦାଚାରୀ ବ୍ରାହ୍ମଣ ଥିଲେ । ତାଙ୍କର ବିଶ୍ୱାସ ଥିଲା ଜ୍ୱଳନ୍ତ । ଶୀତଳା ଦେବୀ ବାଳିକା ରୂପରେ ଆସି ପ୍ରତ୍ୟୁଷରେ ପୂଜାଫୁଲ ତୋଳିବାରେ କ୍ଷୁଦିରାମଙ୍କୁ ସାହାଯ୍ୟ କରୁଥିଲେ । ଚନ୍ଦ୍ରମଣି ଦେବୀ ସରଳତା ଓ ଦୟାର ପ୍ରତିମୂର୍ତ୍ତି ଥିଲେ । ତାଙ୍କର ପୂର୍ବ ବାସସ୍ଥାନ ଥିଲା ଦେରେ ଗାଁରେ, କାମାରପୁକୁରଠାରୁ ତିନି ମାଇଲ ଦୂରରେ । ସେହି ଗ୍ରାମର ଜମିଦାରଙ୍କ ପକ୍ଷରେ ମିଥ୍ୟା ସାକ୍ଷ୍ୟ ନ ଦେବା ଫଳରେ, ଚାଳିଶ ବର୍ଷ ବୟସରେ କ୍ଷୁଦିରାମଙ୍କୁ ସ୍ୱଜନବର୍ଗଙ୍କ ସହ ପୈତୃକ ବାସସ୍ଥାନ ଛାଡ଼ି କାମାରପୁକୁରରେ ଏକ ବନ୍ଧୁଙ୍କ ଦାନ ସ୍ୱରୂପ ସାମାନ୍ୟ ଏକ କୁଟୀରରେ ଆଶ୍ରୟ ନେବାକୁ ପଡ଼ିଥିଲା ।

ଥରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବା ଲାଗି ସେ ଗୟାତୀର୍ଥକୁ ଯାଇଥିଲେ । ନାରାୟଣ ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, ‘କ୍ଷୁଦିରାମ, ତୁମର ଭକ୍ତିରେ ମୁଁ ସନ୍ତୁଷ୍ଟ ହୋଇଛି । ତୁମର ସେବା ଗ୍ରହଣ କରିବା ପାଇଁ ତୁମର ପୁତ୍ର ରୂପେ ମୁଁ ଜନ୍ମ ନେବି । କ୍ଷୁଦିରାମ କାନ୍ଦି ପକାଇ କହିଲେ, ‘ମୁଁ ଯେ ବଡ଼ ଗରୀବ! ଆପଣଙ୍କର ସେବା ମୁଁ କରିପାରିବ ତ ପ୍ରଭୁ?’ ସେହି ଜ୍ୟୋତିର୍ମୟ ପୁରୁଷ ସ୍ନେହବିଗଳିତ କଣ୍ଠରେ କହିଲେ, ‘ଭୟ କର ନାହିଁ ବ୍ରାହ୍ମଣ! ତୁମେ ଯେଉଁ ଭାବରେ ମୋର ସେବା କରନା କାହିଁକି, ସେଥିରେ ମୁଁ ତୁପ୍ତ ହେବି ।’

ଏଣେ ତାଙ୍କ ଗୃହରେ ଚନ୍ଦ୍ରମଣି ଦେବୀଙ୍କର ନାନା ପ୍ରକାର ଦିବ୍ୟ ଦର୍ଶନ ଓ ଅନୁଭୂତି ହେବାକୁ ଲାଗିଲା । ସେ ଅନୁଭବ କଲେ ଯେ ଏକ ପ୍ରକାଣ୍ଡ ଜ୍ୟୋତି ସତେ ଯେମିତି ତାଙ୍କ ଉଦରରେ ପ୍ରବେଶ କରିଛି । ଯଥା ସମୟରେ ଶ୍ରୀରାମକୃଷ୍ଣଙ୍କର ଜନ୍ମ ହେଲା । ସ୍ୱପ୍ନକଥା ମନେ ପକାଇ କ୍ଷୁଦିରାମ ନବଜାତକର ନାମ ଗଦାଧର ରଖିଲେ ।

ପଞ୍ଚମ ବର୍ଷରେ ବିଦ୍ୟାରମ୍ଭ କରାଇ କ୍ଷୁଦିରାମ ଗଦାଧରଙ୍କୁ ଗ୍ରାମ ପାଠଶାଳାରେ ନାମ ଲେଖାଇ ଦେଲେ । ପଢ଼ାପଢ଼ି ବେଶୀ ଦୂର ଅଗ୍ରସର ହେଲା ନାହିଁ । ପାଠଶାଳାରେ ଅଙ୍କ ପାଠଟା ଗଦାଧରଙ୍କର ବୋଧଗମ୍ୟ ହେଲା ନାହିଁ । ସପ୍ତମ ବର୍ଷରେ ପିତାଙ୍କ ମୃତ୍ୟୁପରେ ଗଦାଧର ମା’ଙ୍କୁ ଗୃହ କର୍ମରେ ସାହାଯ୍ୟ କରିବାକୁ ଲାଗିଲେ । ସେ ଗୃହଦେବତାଙ୍କ ସେବାରେ ମଧ୍ୟ ବହୁ ସମୟ କଟାଉଥିଲେ । ଏଗାର ବର୍ଷ ବୟସରେ ଉପନୟନ ପରେ ସେ ଗୃହଦେବତା ରଘୁବୀରଙ୍କ ପୂଜାର ଭାର ଗ୍ରହଣ କଲେ । ଫୁଲ ତୋଳି ମାଳ ଗୁନ୍ଥୁଥିଲେ ଏବଂ ନିତ୍ୟ ପୂଜା-ଅର୍ଚ୍ଚନାଦି କରୁଥିଲେ । ଅତି ଅଳ୍ପ ବୟସରୁ ଶ୍ରୀରାମକୃଷ୍ଣଙ୍କର ଭଗବଦ୍‌ଭାବର ଆବେଶ ହେବାକୁ ଲାଗିଲା । ଯେତେବେଳେ ତାଙ୍କୁ ମାତ୍ର ସାତ ବର୍ଷ ବୟସ, ଦିନେ ସକାଳେ ଅଣ୍ଟିରେ ମୁଢ଼ି ଧରି ଖାଇ ଖାଇ ଚାଲିଛନ୍ତି ବିଲର ହିଡ଼ବାଟରେ । ଆକାଶରେ କଳା ମେଘର ବିସ୍ତାର ତଳେ ଉଡ୍‌ଡୀୟମାନ ବଗଙ୍କର ସ୍ୱଚ୍ଛନ୍ଦ ଗତି ଦେଖୁ ଦେଖୁ ଅପୂର୍ବ ଭାବର ଆବେଶରେ ସେ ଅଜ୍ଞାନ ହୋଇ ପଡ଼ିଗଲେ । ବାଟୋଇ ଲୋକେ ଦେଖିପାରି ତାଙ୍କୁ ଆଣି ଘରେ ପହଞ୍ଚାଇ ଦେଇଗଲେ ।

ଆଉ ଦିନେ ଗାଁର ସ୍ତ୍ରୀ-ଭକ୍ତଗଣଙ୍କ ସହିତ ଗଦାଧର ନିକଟବର୍ତ୍ତୀ ଆନୁଡ଼ଗ୍ରାମର ଜାଗ୍ରତା ଦେବୀ ବିଶାଳାକ୍ଷୀଙ୍କ ଦର୍ଶନ ପାଇଁ ଯାଉଥିଲେ । ସେତେବେଳେ ଅକସ୍ମାତ୍‌ ଅନ୍ତର ଭିତରେ ଏକ ଅଦ୍ଭୁତ ଜ୍ୟୋତି ଦର୍ଶନ କରି ଦେବୀଙ୍କର ଆବେଶରେ ସେ ବାହ୍ୟଜ୍ଞାନ ହରାଇ ବସିଲେ । ଲୋକେ କହିଲେ ମୂର୍ଚ୍ଛା । ଏହାକୁ ପୁଅର ବେମାରି ମନେ କରି ଚନ୍ଦ୍ରମଣି ଦେବୀ ବହୁ ଗୁଣିଗାରଡ଼ି ଚିକିତ୍ସା ପ୍ରଭୃତି କରାଇଥିଲେ । ଗଦାଧର କିନ୍ତୁ କହିଥିଲେ-ତାଙ୍କର ଅନ୍ତର ଦିବ୍ୟାନନ୍ଦରେ ଭରି ଉଠିଥିଲା ।

ଶ୍ରୀରାମକୃଷ୍ଣ ପିଲାଦିନେ ଗଦାଇ ନାମରେ ପରିଚିତ ଥିଲେ । ସେ ଅତି ସୁନ୍ଦର ଗୀତ ଗାଇ ପାରୁଥିଲେ । ତାଙ୍କର ସୁମଧୁର କଣ୍ଠସ୍ୱର ସହିତ ପ୍ରବଳ ସ୍ମୃତିଶକ୍ତି ମଧ୍ୟ ରହିଥିଲା । ତେଣୁ ଥରଟିଏ ମାତ୍ର ଯାତ୍ରା ବା ପାଲା ଗୀତ ଶୁଣି ସେଥିରୁ ଅଧିକାଂଶ ଗୀତ ଗାଇପାରୁଥିଲେ ଏବଂ ସମଗ୍ର ଯାତ୍ରା ଅଭିନୟ କରି ସମସ୍ତଙ୍କୁ ଆନନ୍ଦ ଦେଉଥିଲେ । ଏହି ସଦାନନ୍ଦ ବାଳକକୁ ପଡ଼ିଶାର ଆବାଳବୃଦ୍ଧବନିତା ସମସ୍ତେ ଅତ୍ୟନ୍ତ ଭଲ ପାଉଥିଲେ ।

ଘର ନିକଟରେ ଲାହାବାବୁଙ୍କର ଅତିଥିଶାଳାରେ ବହୁ ସାଧୁସମାଗମ ହେଉଥିଲା । ଶ୍ରୀରାମକୃଷ୍ଣ ସେଠାରେ ସାଧୁମାନଙ୍କର ସେବା ଯତ୍ନ କରୁଥିଲେ, ସେମାନଙ୍କର ମୁହଁରୁ ବହୁ ଧର୍ମକଥା ତନ୍ମୟ ହୋଇ ଶୁଣୁଥିଲେ । କଥକମାନଙ୍କର ପୁରାଣପାଠ ଶୁଣି ସେ ସବୁ କଣ୍ଠସ୍ଥ କରି ପକାଉଥିଲେ । ଏହିପରି ରାମାୟଣ, ମହାଭାରତ, ଶ୍ରୀମଦ୍‌ଭାଗବତର କଥାସବୁ ତାଙ୍କର ହୃଦୟଙ୍ଗମ ହୋଇଗଲା । ତାଙ୍କର ସୁଲଳିତ କଣ୍ଠରୁ ଏହିସବୁ ଧର୍ମଗ୍ରନ୍ଥ ପାଠ ଓ ବ୍ୟାଖ୍ୟା ଶୁଣି ଗ୍ରାମର ସ୍ତ୍ରୀ ପୁରୁଷ ସଭିଏଁ ମୁଗ୍‌ଧ ହୋଇ ଯାଉଥିଲେ ।

ପିଲାଦିନୁ ଶ୍ରୀରାମକୃଷ୍ଣଙ୍କର ଉଚ୍ଚନୀଚ ବୋଧ ନ ଥିଲା । ନିମ୍ନ ଜାତିର ଲୋକଙ୍କ ଘରକୁ ଯାଇ ମଧ୍ୟ ସେ ପ୍ରହ୍ଲାଦଚରିତ, ଧ୍ରୁବଚରିତ ବା ରାମାୟଣ ପାଠ କରି ଆନନ୍ଦ ବିତରଣ କରୁଥିଲେ ।

କଲିକତା ଆଗମନ[ସମ୍ପାଦନା]

ଘରେ ରହି ଗଦାଇର ପାଠ ହେଉ ନାହିଁ ଦେଖି ତାଙ୍କୁ ବଡ଼ଭାଇ ରାମକୁମାର କଲିକତା ଝାମାପୁକୁରସ୍ଥିତ ତାଙ୍କ ଟୋଲକୁ ପଢ଼ିବା ପାଇଁ ନେଇ ଗଲେ । ସେତେବେଳେ ତାଙ୍କ ବୟସ ସତର ବର୍ଷ । କିନ୍ତୁ ପାଠ ପଢ଼ାରେ ତାଙ୍କର ସେପରି ଉତ୍ସାହ ଦେଖାଗଲା ନାହିଁ । ବାଲ୍ୟକାଳରୁ ଧର୍ମସମ୍ବନ୍ଧୀୟ ବିଷୟ ଛଡ଼ା ଅନ୍ୟ କେଉଁ ପାଠରେ ତାଙ୍କର ମନ ଲାଗୁ ନ ଥିଲା । ପଢ଼ାପଢ଼ିରେ ତାଙ୍କର ଔଦାସୀନ୍ୟ ରାମକୁମାରଙ୍କୁ ବିଶେଷ ଚିନ୍ତିତ କଲା । ବଡ଼ଭାଇଙ୍କ ପ୍ରଶ୍ନରେ ଶ୍ରୀରାମକୃଷ୍ଣ ସହଜ କଣ୍ଠରେ ଉତ୍ତର ଦେଲେ, ‘ଏ ସବୁ ଚାଉଳ-କଦଳୀ ବନ୍ଧା ବିଦ୍ୟା ମୁଁ ଶିଖିବି ନାହିଁ । ମୁଁ ଏପରି ବିଦ୍ୟା ଅର୍ଜନ କରିବାକୁ ଚାହେଁ, ଯେଉଁଥିରେ ଯଥାର୍ଥ ଜ୍ଞାନ ଲାଭ କରି ମାନବଜୀବନ ସାର୍ଥକ ହେବ ।’ କଲିକତା ଆସି ଶ୍ରୀରାମକୃଷ୍ଣ ଝାମାପୁକୁର ଓ ଅନ୍ୟାନ୍ୟ ସ୍ଥାନରେ କେତେ ଦିନ ପୂଜା ଅର୍ଚ୍ଚନା ମଧ୍ୟ କରିଥିଲେ ।

ରାଣୀ ରାସମଣି ବହୁ ଅର୍ଥବ୍ୟୟରେ ଗଙ୍ଗାକୂଳବର୍ତ୍ତୀ ଦକ୍ଷିଣେଶ୍ୱରରେ ବିଭିନ୍ନ ମନ୍ଦିର ନିର୍ମାଣ କରି ଶ୍ରୀରାଧାଗୋବିନ୍ଦ ଓ ମା’କାଳୀଙ୍କ ବିଗ୍ରହ ସ୍ଥାପନ କଲେ । ୧୨୬୨ ସାଲର ଜ୍ୟେଷ୍ଠ ୧୮ ତାରିଖ ଗୁରୁବାର ସ୍ନାନଯାତ୍ରା ଦିନ (ଇଂରାଜୀ ୩୧ ମେ ୧୮୫୫ ଖ୍ରୀ.) । ଶ୍ରୀ ରାମକୃଷ୍ଣଙ୍କ ବଡ଼ଭାଇ ପଣ୍ଡିତ ରାମକୁମାର କାଳୀମନ୍ଦିରର ପ୍ରଥମ ପୂଜକ ରୂପେ ନିଯୁକ୍ତ ହେଲେ । ରାମକୃଷ୍ଣ ମଧ୍ୟ ବେଳେ ବେଳେ କଲିକତାରୁ ସେଠାକୁ ଆସୁଥିଲେ ଏବଂ ଘଟଣାଚକ୍ରରେ କିଛି ଦିନ ପରେ ନିଜେ ମଧ୍ୟ ପୂଜା-କାର୍ଯ୍ୟରେ ବ୍ରତୀ ହେଲେ । ସେତେବେଳେ ତାଙ୍କର ବୟସ ମାତ୍ର ୨୧/୨୨ ବର୍ଷ ।

କେତେ ଦିନ ପୂଜା କଲା ପରେ ଶ୍ରୀରାମକୃଷ୍ଣଙ୍କ ମନରେ ପ୍ରଶ୍ନ ଉଠିଲା- ‘ମୁଁ କାହାର ପୂଜା କରୁଛି? ମା’ ପାଷାଣମୟୀ ନା ଚିନ୍ମୟୀ? ଯଦି ଚିନ୍ମୟୀ, ତା’ ହେଲେ ମୋତେ କାହିଁକି ଦେଖା ଦେଉ ନାହାନ୍ତି । ଏତେ ତ ଡାକୁଛି, କେତେ ତ କାନ୍ଦୁଛି ।’

କ୍ରମଶଃ ତାଙ୍କ ମନର ଅବସ୍ଥା ଅନ୍ୟ ପ୍ରକାର ହୋଇଗଲା । ସବୁବେଳେ ‘ମା’ ଦେଖା ଦିଅ, ମା’ ଦେଖା ଦିଅ’ କହି ଅତି ବ୍ୟାକୁଳ ହୋଇ କାନ୍ଦୁଥିଲେ । ଜଙ୍ଗଲ ଭିତରକୁ ଯାଇ ଧ୍ୟାନରେ ବସି କେତେ ରାତି କଟାଇ ଦେଉଥିଲେ । ଦିନ ଶେଷରେ ଗଙ୍ଗାକୂଳ ଭୂଇଁ ଉପରେ ମୁହଁ ଘଷି ଘଷି ଆର୍ତ୍ତନାଦ କରି ଡାକୁଥିଲେ, ‘ଏତେ ଦିନ ତ ବିତିଗଲା ମା’, ତଥାପି ତୋର ଦେଖା ପାଇଲି ନାହିଁ । ତୋତେ ନ ଦେଖିଲେ ମୋର ବଞ୍ଚି ରହିବା ବୃଥା ସିନା!’ ଭୂଇଁରେ ଏତେ ଜୋର୍‌ରେ ମୁହଁ ଘଷୁଥିଲେ ଯେ, ମୁହଁ ରକ୍ତାକ୍ତ ହୋଇଯାଉଥିଲା । ସେଥିପ୍ରତି ଏହି ଦିବ୍ୟ-ଉନ୍ମାଦଙ୍କର ଆଦୌ ଖିଆଲ ରହୁ ନ ଥିଲା । ଆହାର ନିଦ୍ରା ତ୍ୟାଗ କରି ଭବତାରିଣୀଙ୍କ ପ୍ରତିମା ସମ୍ମୁଖରେ ବସି ଛାତି ବାଡ଼େଇ କାନ୍ଦୁଥିଲେ । ତାଙ୍କର ସାଧନା ଓ ବ୍ୟାକୁଳତା ଚରମ ସୀମାରେ ପହଞ୍ଚିଗଲା । ଦିନେ ମନ୍ଦିରରେ ବସି କାନ୍ଦୁ କାନ୍ଦୁ ତାଙ୍କର ମନେ ହେଲା- ‘ମା’ଙ୍କର ଦର୍ଶନ ଯେତେବେଳେ ପାଇଲି ନାହିଁ, ସେତେବେଳେ ଏ ଜୀବନ ରଖି ଆଉ ଲାଭ କ’ଣ? ହଠାତ୍‌ ସେ ଉନ୍ମାଦ ଭଳି ମନ୍ଦିର କାନ୍ଥରୁ ମା’ଙ୍କ ଖଣ୍ଡାଟି ଟାଣି ଆଣି କହିଲେ, ‘ଆଜି ଏଇଠି ଏ ଜୀବନ ବଳି ଦେବି ।’ ଏହା କହି ନିଜକୁ ବଧ କରିବା ପାଇଁ ଯେତେବେଳେ ସେ ଖଣ୍ଡା ଉଠାଇଲେ, ସେତେବେଳେ ହଠାତ୍‌ ମା’ କାଳୀ ଜ୍ୟୋତିର୍ମୟୀ ମୂର୍ତ୍ତି ଧରି ତାଙ୍କୁ ଦର୍ଶନ ଦେଲେ । ଅନ୍ତରରେ ଓ ବାହାରେ ବରାଭୟା ମୂର୍ତ୍ତିରେ ମା’ଙ୍କୁ ଦେଖି ରାମକୃଷ୍ଣ ସଂଜ୍ଞାଶୂନ୍ୟ ହୋଇ ପଡ଼ିଗଲେ । ଦୁଇ ତିନି ଦିନ ସେହି ଅବସ୍ଥାରେ ଆନନ୍ଦରେ ଆତ୍ମହରା ହୋଇ ରହିଲେ ।

ଏହି ପ୍ରଥମ ଦର୍ଶନ ପରେ ଶ୍ରୀରାମକୃଷ୍ଣଙ୍କ ବ୍ୟାକୁଳତା ଆହୁରି ବଢ଼ି ଉଠିଲା; ସତେ ଯେପରି ମା’ଙ୍କୁ ଛାଡ଼ି ମୂହୁର୍ତ୍ତେ ମଧ୍ୟ ରହିପାରିବେ ନାହିଁ । ସେ ଚିନ୍ମୟୀ ମା’ଙ୍କ ଛାଡ଼ି ମୂହୁର୍ତ୍ତେ ମଧ୍ୟ ରହିପାରିବେ ନାହିଁ । ସେ ଚିନ୍ମୟୀ ମା’ଙ୍କ ସାଙ୍ଗରେ କଥା କହୁଥିଲେ, ହସୁଥିଲେ । ନାନା ଭାବରେ ମା’ଙ୍କୁ ପାଇ ଆନନ୍ଦରେ ବିଭୋର ହୋଇ ରହୁଥିଲେ । ମନ୍ଦିରର ଭବତାରିଣୀ ପାଷାଣ ପ୍ରତିମା ହୋଇ ଆଉ ନାହାନ୍ତି । ସେ ଚିନ୍ମୟୀରୂପରେ, ଆନନ୍ଦମୟୀ ରୂପରେ ରାମକୃଷ୍ଣଙ୍କ ନିକଟରେ ଧରା ଦେଇ ଲୀଳାନନ୍ଦ-ରସରେ ତାଙ୍କୁ ବୁଡ଼ାଇ ରଖିଲେ । ରାମକୃଷ୍ଣଙ୍କ ଜୀବନରେ ଚିନ୍ମୟୀଙ୍କର ନାନା ଭାବର ବିଳାସ ଆଧ୍ୟାତ୍ମିକ ଇତିହାସରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଘଟଣା ।

ବିବାହ[ସମ୍ପାଦନା]

ଗଦାଧର ଉନ୍ମାଦ ହୋଇଯାଇଛି; ମନ୍ଦିରରେ ଆଉ ପୂଜାର୍ଚ୍ଚନା କରୁ ନାହିଁ; ସବୁବେଳେ ମା’, ମା’, ମା’, ବୋଲି କାନ୍ଦୁଛି; ଆହାର ନିଦ୍ରା ଛାଡ଼ିଛି; ପାଗଳଭଳି କାନ୍ଧରେ ଠେଙ୍ଗା ଧରି ଘୂରି ବୁଳୁଛି; କାଙ୍ଗାଳୀମାନଙ୍କ ଅଇଁଠା ଖାଉଛି-ଏହିସବୁ କଥା ଶୁଣି କାମାରପୁକୁରରେ ତାଙ୍କ ଜନନୀ ଚନ୍ଦ୍ରମଣି ବିଶେଷ ଉଦ୍‌ବିଗ୍ନ ହୋଇପଡ଼ିଥିଲେ । ସେ ଭାବିଲେ, ଗଦାଇର ପିଲାବେଳର ବାୟୁରୋଗ ପୁଣି ହୁଏତ ବାହରିଛି । ତେଣୁ ଚିକିତ୍ସା ପାଇଁ ଗଦାଧରକୁ କାମାରପୁକୁରକୁ ଡକାଇ ଆଣିଲେ । ନାନା ଚିକିତ୍ସା ସତ୍ତ୍ୱେ ରୋଗର ସାମାନ୍ୟ ଉପଶମ ମଧ୍ୟ ହେଲା ନାହିଁ । ତେଣୁ ଆତ୍ମୀୟସ୍ୱଜନଙ୍କ ପରାମର୍ଶରେ ବିବାହର ଚେଷ୍ଟା ଚାଲିଲା । କିନ୍ତୁ କେଉଁଠି ହେଲେ ମନଲାଖି ପାତ୍ରୀ ମିଳିଲା ନାହିଁ । ଏସବୁ ଦେଖି ଶ୍ରୀରାମକୃଷ୍ଣ ନିଜେ ପାତ୍ରୀର ସନ୍ଧାନ ଦେଲେ-‘ଜୟରାମବାଟୀରେ ରାମଚନ୍ଦ୍ର ମୁଖୋପାଧ୍ୟାୟଙ୍କ ଘରେ ପାତ୍ରୀ କୁଟାବନ୍ଧା ହୋଇ ରହିଛି, ସେଇଠି ଯାଇ ଦେଖ ।’

ଲୋକ ପଠାଇ କନ୍ୟାର ସନ୍ଧାନ ନେଲେ । ଦୁଇ ତରଫର ସମ୍ମତି ହେଲା; ପରବର୍ତ୍ତୀ ବୈଶାଖ ମାସର ଏକ ଶୁଭଲଗ୍ନରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା । ଶ୍ରୀରାମକୃଷ୍ଣଙ୍କର ତେଇଶ ବର୍ଷ ପୂର୍ଣ୍ଣ ହୋଇଛି, ସାରଦାମଣି ମାତ୍ର ପାଞ୍ଚ ବର୍ଷର ବାଳିକା । ଜୟରାମବାଟୀର ନାରୀଗଣ କୁହାକୁହି ହେଲେ ‘ଆହା! ସାରଦାର କପାଳ ଖରାପ, ବରର ପୁଣି ମୁଣ୍ଡ-ପାଗଳ ଦୋଷ ଅଛି ।’

ବିବାହ ପରେ ଶ୍ରୀରାମକୃଷ୍ଣ କେତେଦିନ କାମାରପୁକୁରରେ ଥିଲେ ଏବଂ ନିକଟବର୍ତ୍ତୀ ଶ୍ମଶାନକୁ ଯାଇ ନାନା ସାଧନା କରୁଥିଲେ । ରାତି ପାହି ଯାଉଥିଲା ସେ ସାଧନାରେ । ସେତିକିବେଳେ କୁଳପ୍ରଥାନୁସାରେ ତାଙ୍କୁ କିଛି ଦିନ ପାଇଁ ଶ୍ୱଶୁରଘର ଜୟରାମବାଟୀକୁ ଯିବାକୁ ପଡ଼ିଥିଲା । ଏକ ଶୁଭ ଦିନରେ ସ୍ୱାମୀ ସ୍ତ୍ରୀ ଦୁହେଁ କାମାରପୁକୁରକୁ ଫେରି ଆସିଥିଲେ । ସେତେବେଳକୁ ସାରଦାଦେବୀ ସପ୍ତମ ବର୍ଷରେ ପଦାର୍ପଣ କରିଥାଆନ୍ତି । ପାଲିଙ୍କିରେ ବସି ଆସିଲାବେଳେ ଶ୍ରୀରାମକୃଷ୍ଣ ସ୍ତ୍ରୀଙ୍କୁ କହିଲେ-‘କେହି ଯଦି ପଚାରେ, ତୁମକୁ ମୁଁ ଭଲ ପାଏ କି ନାହିଁ, କହିବ ଖୁବ୍‌ ଭଲ ପାଏ ।’ ସାତ ବର୍ଷ ବୟସର ବଧୂ ସାରଦାମଣି କେବଳ ମୁଣ୍ଡ ହଲାଇ ସ୍ୱାମୀଙ୍କ କଥା ଅନୁମୋଦନ କଲେ ।

ଏହାର କେତେ ଦିନ ପରେ ପ୍ରାୟ ସୁସ୍ଥ ଶରୀରରେ ଶ୍ରୀରାମକୃଷ୍ଣ ତାଙ୍କର ସାଧନାପୀଠ ଦକ୍ଷିଣେଶ୍ୱରକୁ ଫେରିଆସିଲେ, ଏବଂ ସାରଦାମଣି ବାପଘରକୁ ଫେରିଯାଇ ନିଜ ପିତାମାତାଙ୍କ ସେବାରେ ବ୍ରତୀ ହେଲେ । ଦକ୍ଷିଣେଶ୍ୱରକୁ ଫେରିଆସି ଶ୍ରୀରାମକୃଷ୍ଣ ପୁଣି ତୀବ୍ର ସାଧନା ଆରମ୍ଭ କଲେ; ଫଳରେ ତାଙ୍କର ଉନ୍ମାଦନା ଆରମ୍ଭ ହେଲା ଆହୁରି ତୀବ୍ର ରୂପରେ-ସେହି ଗାତ୍ରଦାହ, ସେହି ଅସ୍ଥିରତା, ସବୁବେଳେ ଛାତି ଲାଲ ହୋଇ ରହୁଥିଲା, ଆଖିର ପଲକ ପଡ଼ୁ ନଥିଲା, ସବୁବେଳେ ମା’ ମା’ ବୋଲି ଡାକି କାନ୍ଦୁଥିଲେ ।...

ମନ୍ଦିରର କର୍ମଚାରୀ ଓ ବିଶେଷତଃ ରାଣୀ ରାସମଣିଙ୍କ ଜାମାତା ମଥୁରବାବୁ ବିସ୍ମୟ ପ୍ରକାଶ କଲେ । ବାହା ହେଲା ପରେ ତ ମନଟା ବାଗକୁ ଆସିବା କଥା, କିନ୍ତୁ ବର୍ତ୍ତମାନ ଦେଖୁଛୁ ଠିକ୍‌ ତା’ର ଓଲଟା ହେଉଛି । ଏଥିରେ ଶ୍ରୀରାମକୃଷ୍ଣଙ୍କ ପ୍ରତି ମଥୁରବାବୁଙ୍କର ଶ୍ରଦ୍ଧା-ଭକ୍ତି ଆହୁରି ବଢ଼ିଗଲା । ସେ କଲିକତାର ବିଖ୍ୟାତ ବୈଦ୍ୟମାନଙ୍କୁ ଡାକି ତାଙ୍କ ଚିକିତ୍ସାର ବ୍ୟବସ୍ଥା କରାଇଲେ । ଜନୈକ ପ୍ରବୀଣ ବୈଦ୍ୟ କହିଲେ, ‘ଏହାଙ୍କର ତ ଦିବ୍ୟଉନ୍ମାଦ ଅବସ୍ଥା, ଏହା ଯୋଗଜ ବ୍ୟାଧି! ଔଷଧରେ ଏ ତ ଭଲ ହେବ ନାହିଁ ।’ ତାହା ହିଁ ସତ୍ୟ ହେଲା । ରୋଗର ଉପଶମ ହେବା ଦୂରେ ଥାଉ, ବରଂ ଦିନକୁ ଦିନ ସେହି ଉନ୍ମାଦ ଅବସ୍ଥା ବଢ଼ି ଚାଲିଲା ।

ଇତି ମଧ୍ୟରେ ମଥୁରବାବୁଙ୍କର ଏକ ଅଲୌକିକ ଦର୍ଶନ ହେଲା । ସେ ଶ୍ରୀରାମକୃଷ୍ଣଙ୍କ ଭିତରେ ମା’କାଳୀ ଓ ଦେବାଦିଦେବ ମହାଦେବଙ୍କର ଦର୍ଶନ ପାଇଲେ । ଏହି ଦର୍ଶନ ପରେ ମଥୁରବାବୁଙ୍କର ସନ୍ଦେହ ଭାଙ୍ଗିଲା । ସେହିଦିନଠାରୁ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ସେ ଶ୍ରୀରାମକୃଷ୍ଣଙ୍କୁ ନରଦେହଧାରୀ ଦେବତା ଜ୍ଞାନ କରି ଭକ୍ତି ଓ ସେବା କରୁଥିଲେ ।

ଦକ୍ଷିଣେଶ୍ୱରକୁ ଫେରିଆସି ଶ୍ରୀରାମକୃଷ୍ଣ ମନ୍ଦିରରେ ଭବତାରିଣୀଙ୍କ ପୂଜାରେ ବ୍ରତୀ ହେଲେ । କାଳୀବିଗ୍ରହ ପୂଜା କରୁ କରୁ ଅଦ୍ଭୁତ ଈଶ୍ୱରୀୟ ରୂପମାନ ଦର୍ଶନ କରୁଥିଲେ । ଆଳତି କରୁଛନ୍ତି ତ କରୁଛନ୍ତି; ଆଳତି ଆଉ ଶେଷ ହେଉ ନାହିଁ । ପୂଜା କରିବାକୁ ବସିଲେ ପୂଜା ଆଉ ଶେଷ ହୁଏ ନାହିଁ ।... ହୁଏତ ଦେବୀଙ୍କ ପାଦରେ ଫୁଲ ଦେବାକୁ ଯାଇ ନିଜ ମୁଣ୍ଡ ଉପରେ ଫୁଲ ରଖନ୍ତି । ଦେବୀଙ୍କୁ ନୈବେଦ୍ୟ ନିବେଦନ କରି କହନ୍ତି, ‘ମୋତେ ଖାଇବାକୁ କହୁଛୁ! ହଉ, ମୁଁ ତା’ ହେଲେ ଖାଉଛି, ଆଉ ତୁ ବି ଖାଆ!’ କହି ନିଜେ ଟିକିଏ ଖାଇ ସେହି ନୈବେଦ୍ୟ ଦେବୀଙ୍କ ମୁହଁ ନିକଟରେ ଟେକି ଧରନ୍ତି । ଦେବୀଙ୍କୁ ଶଯ୍ୟା ନିବେଦନ କରିବାକୁ ଯାଇ ନିଜେ ସେହି ଶଯ୍ୟାରେ ଶୋଇ ପଡ଼ନ୍ତି! ଏପରି କେତେ କଥା ।

ସାଧନା[ସମ୍ପାଦନା]

କ୍ରମେ ସେ ଆଉ ପୂଜା କରିପାରିଲେ ନାହିଁ, ଉନ୍ମାଦ ଭଳି ବ୍ୟବହାର କରିବାକୁ ଲାଗିଲେ । ମଥୁରବାବୁ ତାଙ୍କୁ ମହାପୁରୁଷ ଜ୍ଞାନ କରି ତାଙ୍କର ସେବାଯତ୍ନ କରିବାକୁ ଲାଗିଲେ ଓ ଅତଃପର ଅନ୍ୟ ବ୍ରାହ୍ମଣଙ୍କଦ୍ୱାରା ମା’ କାଳୀଙ୍କ ନିତ୍ୟପୂଜାର ବ୍ୟବସ୍ଥା କଲେ ।

ଏହାପରେ ଶ୍ରୀରାମକୃଷ୍ଣ ବହୁ କଠୋର ସାଧନାରେ ବ୍ରତୀ ହେଲେ । ‘ଲୋଷ୍ଟ୍ର ଓ କାଞ୍ଚନ ସମାନ’ ଏହି ଜ୍ଞାନରେ ପ୍ରତିଷ୍ଠିତ ହେବା ପାଇଁ ସେ ‘ଟଙ୍କା-ମାଟି ମାଟି-ଟଙ୍କା’ କହି ସମବୁଦ୍ଧିରେ ଟଙ୍କା ଓ ମାଟି ଗଙ୍ଗାଜଳରେ ନିକ୍ଷେପ କଲେ । କାଞ୍ଚନ ପ୍ରତି ଆସକ୍ତି ତାଙ୍କର ଚିରଦିନ ପାଇଁ ଦୂର ହେଲା । ଦିନେ ଶ୍ରୀରାମକୃଷ୍ଣ ମା’ କାଳୀଙ୍କୁ କହିଲେ, ‘ମା’, ମୁଁ ଲେଖାପଢ଼ା ଜାଣେ ନାହିଁ, ଶାସ୍ତ୍ର ଜାଣେ ନାହିଁ । ତୁ ଦୟା କରି ମୋତେ ସବୁ ଧର୍ମର, ସବୁ ଶାସ୍ତ୍ରର ସାର କହି ଦେ ।’ ଜଗଜ୍ଜନନୀଙ୍କ ଇଚ୍ଛାରେ ସେହି ଦିନଠାରୁ ନାନା ଭାବର ନାନା ଧର୍ମର ଆଚାର୍ଯ୍ୟଗଣ ଦକ୍ଷିଣେଶ୍ୱରକୁ ଆଗମନ କରି ଶ୍ରୀରାମକୃଷ୍ଣଙ୍କୁ ବିଭିନ୍ନ ଧର୍ମର ସାଧନାରେ ଦୀକ୍ଷିତ କଲେ । କ୍ରମେ କ୍ରମେ ସକଳ ସାଧନାରେ ସିଦ୍ଧିଲାଭ କରି ସେ ଉପଲବ୍‌ଧି କଲେ ଯେ ସବୁ ଧର୍ମ ସତ୍ୟରେ ପ୍ରତିଷ୍ଠିତ, ସବୁ ଧର୍ମର ଲକ୍ଷ୍ୟ ଈଶ୍ୱରଲାଭ । ‘ଯେତେ ମତ, ସେତେ ପଥ’-ସବୁ ଧର୍ମ ସେହି ଏକ ପରମେଶ୍ୱରଙ୍କ ନିକଟକୁ ନେଇ ଯାଏ ।...

ଜଣେ ଭୈରବୀ ବ୍ରାହ୍ମଣୀ ଦକ୍ଷିଣେଶ୍ୱରକୁ ଆସି ଶ୍ରୀରାମକୃଷ୍ଣଙ୍କୁ ତନ୍ତ୍ରମତରେ ବହୁ ସାଧନା କରାଇଲେ ଏବଂ ତାଙ୍କୁ ଗୌରାଙ୍ଗ ଭାବି ଶ୍ରୀଚୈତନ୍ୟଚରିତାମୃତ ପ୍ରଭୃତି ବୈଷ୍ଣବ ଗ୍ରନ୍ଥସବୁ ପଢ଼ି ଶୁଣାଇଲେ । ଏହି ସନ୍ନ୍ୟାସିନୀ ତନ୍ତ୍ରଶାସ୍ତ୍ରରେ ବିଶେଷ ପାରଦର୍ଶିନୀ ଥିଲେ ଓ ସବୁ ସାଧନାରହସ୍ୟ ମଧ୍ୟ ଜାଣିଥିଲେ । ତାଙ୍କ ଉପଦେଶାନୁଯାୟୀ ଶ୍ରୀରାମକୃଷ୍ଣ ପ୍ରଧାନ ଚୌଷଠି ପ୍ରକାର ତନ୍ତ୍ର-ସାଧନାରେ ସିଦ୍ଧିଲାଭ କଲେ । କୌଣସି ସାଧନାରେ ସିଦ୍ଧିଲାଭ କରିବାକୁ ତାଙ୍କୁ ତିନି ଦିନରୁ ବେଶୀ ସମୟ ଲାଗି ନାହିଁ । ଏହି ସମୟରେ ଦଶଭୁଜାଠାରୁ ଆରମ୍ଭ କରି ଦ୍ୱିଭୁଜା ପର୍ଯ୍ୟନ୍ତ କେତେ ଯେ ଦେବଦେବୀଙ୍କ ମୂର୍ତ୍ତି ସେ ଦର୍ଶନ କରିଥିଲେ ତା’ର ଠିକଣା ନାହିଁ ।

ଗଙ୍ଗାକୂଳରେ ପଞ୍ଚବଟୀ, ତୁଳସୀକାନନ ଓ ପଞ୍ଚମୁଣ୍ଡିର ଆସନ ପ୍ରଭୃତି ପ୍ରସ୍ତୁତ କରି ଶ୍ରୀରାମକୃଷ୍ଣ ନାନା ସାଧନାରେ ରତ ଥିଲେ । ତାନ୍ତ୍ରିକ ସାଧନାରେ ସିଦ୍ଧିଲାଭ କରି ସେ ବୈଷ୍ଣବ-ତନ୍ତ୍ର ସାଧନାରେ ବ୍ରତୀ ହେଲେ ଏବଂ ଶାନ୍ତ, ଦାସ୍ୟ ପ୍ରଭୃତି ଭାବ ସାଧନା କରି ଭଗବାନଙ୍କର ଦର୍ଶନ ଲାଭ କଲେ । ପୁଣି ପଞ୍ଚରାତ୍ର ଗୌଡ଼ୀୟ ପ୍ରଭୃତି ବିଭିନ୍ନ ପନ୍ଥାର ମଧ୍ୟ ଅନୁସରଣ କରିଥିଲେ । ମଧୁରଭାବ ସାଧନା କାଳରେ ସେ ଶ୍ରୀରାଧାଙ୍କ ସଖୀ ଭାବରେ ନାରୀପୋଷାକ ପରିଧାନ କରି ରହୁଥିଲେ । ଏହି ସମୟରେ ତାଙ୍କ ଶ୍ରୀରାଧା-ଦର୍ଶନ ହେଲା ଏବଂ ଶ୍ରୀରାଧା ତାଙ୍କ ଅଙ୍ଗରେ ବିଲୀନ ହୋଇଗଲେ । ସେ କହିଥିଲେ, ‘ଶ୍ରୀମତୀଙ୍କ ଅଙ୍ଗକାନ୍ତି ନାଗକେଶର ଫୁଲ ଭଳି ଗୌରବର୍ଣ୍ଣ ।’ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ଶ୍ରୀରାମକୃଷ୍ଣ ମଧୁରଭାବ ସାଧନା କରିଥିଲେ ଓ ରାଧାରାଣୀଙ୍କ ଭାବରେ ପ୍ରେମୋନ୍ମତ୍ତ ହୋଇ ସ୍ୱଳ୍ପକାଳ ଅବସ୍ଥାନ କରି ଅବଶେଷର ଶ୍ରୀକୃଷ୍ଣଙ୍କର ଦର୍ଶନ ମଧ୍ୟ ପାଇଥିଲେ । ସେହି ଦିବ୍ୟମୂର୍ତ୍ତି ଶ୍ରୀରାମକୃଷ୍ଣଙ୍କ ଅଙ୍ଗରେ ବିଲୀନ ହୋଇଗଲେ । ସେତେବେଳେ ଛ’ ମାସ ପର୍ଯ୍ୟନ୍ତ ସେ ସର୍ବତ୍ର ଶ୍ରୀକୃଷ୍ଣଙ୍କୁ ଦେଖୁଥିଲେ । ଶ୍ରୀଗୌରାଙ୍ଗଙ୍କୁ ଧ୍ୟାନଚିନ୍ତା କରି ଶ୍ରୀରାମକୃଷ୍ଣ ତାଙ୍କର ମଧ୍ୟ ଦର୍ଶନ ଲାଭ କଲେ । ଭାବଚକ୍ଷୁରେ ଶ୍ରୀଗୌରାଙ୍ଗଙ୍କ ମହାସଂକୀର୍ତ୍ତନ ଦଳକୁ ମଧ୍ୟ ଦେଖିଲେ ।

ତା’ପରେ ହନୁମାନଙ୍କ ଭାବରେ ଶ୍ରୀରାମଚନ୍ଦ୍ରଙ୍କର ଉପାସନା କଲେ । ପୁଣି ରାମମନ୍ତ୍ରରେ ଦୀକ୍ଷିତ ହୋଇ ବାତ୍ସଲ୍ୟଭାବରେ ସାଧନା କରି ରାମଲାଲା ମୂର୍ତ୍ତି ମଧ୍ୟରେ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନ ପାଇଥିଲେ । ଏହି ସମୟରେ ବୈଷ୍ଣବ ସାଧକଗଣ ତାଙ୍କ ନିକଟକୁ ଆସିବା ଆରମ୍ଭ କଲେ । ବୈଷ୍ଣବ ପଣ୍ଡିତ ବୈଷ୍ଣବଚରଣ ଶ୍ରୀରାମକୃଷ୍ଣଙ୍କୁ କଲୁଟୋଲାସ୍ଥିତ ଚୈତନ୍ୟସଭାକୁ ନେଇଯାଇଥିଲେ । ଏହି ସଭାରେ ଶ୍ରୀରାମକୃଷ୍ଣ ଭାବାବିଷ୍ଟ ହୋଇ ଶ୍ରୀଚୈତନ୍ୟଦେବଙ୍କ ଆସନରେ ଯାଇ ବସିଥିଲେ । ଏହା ଦେଖି ବୈଷ୍ଣବଚରଣ ମଥୁରାନାଥଙ୍କୁ କହିଥିଲେ, ‘ଏ ଉନ୍ମାଦ ସାମାନ୍ୟ ବା ତୁଚ୍ଛ ନୁହେଁ, ଏହା ପ୍ରେମୋନ୍ମାଦ ଅବସ୍ଥା । ସେ ଈଶ୍ୱରଙ୍କ ପାଇଁ ପାଗଳ- ଚୈତନ୍ୟଦେବଙ୍କ ଆସନରେ ବସିବାର ଯୋଗ୍ୟ ।’ ଭୈରବୀ ବ୍ରାହ୍ମଣୀ, ବୈଷ୍ଣବଚରଣ, ଗୌରୀ ପଣ୍ଡିତ ପ୍ରଭୃତି ଦେଖିଲେ ଶ୍ରୀରାମକୃଷ୍ଣଙ୍କର ମହାଭାବର ଅବସ୍ଥା । ଶ୍ରୀଚୈତନ୍ୟଦେବଙ୍କ ଭଳି କେତେବେଳେ ଅନ୍ତର୍ଦ୍ଦଶା, କେତେବେଳେ ଜଡ଼ବତ ସମାଧିସ୍ଥ, କେତେବେଳେ ବା ଅର୍ଦ୍ଧବାହ୍ୟଦଶା, ପୁଣି କେତେବେଳେ ବାହ୍ୟଦଶା ।

ସକଳ ପ୍ରକାର ଦ୍ୱୈତ ସାଧନାରେ ସିଦ୍ଧି ଲାଭ କରି ଶ୍ରୀରାମକୃଷ୍ଣଙ୍କ ମନରେ ଭାବାତୀତ ଅଦ୍ୱୈତ-ସାଧନାର ଇଚ୍ଛା ବଳବତୀ ହେଲା । ଦକ୍ଷିଣେଶ୍ୱର କାଳୀବାଡ଼ିରେ ସଦାବ୍ରତର ବ୍ୟବସ୍ଥା ଥିଲା । ବହୁ ସାଧୁ ସନ୍ନ୍ୟାସୀ ସେଠାକୁ ଆସୁଥିଲେ । ସେତିକିବେଳେ ପୁରୀ ସଂପ୍ରଦାୟର ଜଟାଜୁଟଧାରୀ ବ୍ରହ୍ମଦର୍ଶୀ ନାଗା (ଉଲଙ୍ଗ) ସନ୍ନ୍ୟାସୀ ତୋତାପୁରୀ ଦକ୍ଷିଣେଶ୍ୱରକୁ ଆସିଲେ । ଶ୍ରୀରାମକୃଷ୍ଣଙ୍କୁ ଦେଖି ସେ ବେଦାନ୍ତ ସାଧନାର ଉତ୍ତମ ଅଧିକାରୀ ବୋଲି ଚିହ୍ନିପାରିଲେ ଏବଂ ତାଙ୍କୁ ବେଦାନ୍ତ-ସାଧନ କରିବେ କି ନାହିଁ ବୋଲି ପଚାରିଲେ । ଶ୍ରୀରାମକୃଷ୍ଣ ମା’ ଭବତାରିଣୀଙ୍କ ଆଦେଶ ନେଇ ତୋତାପୁରୀଙ୍କ ନିକଟରୁ ବିଧିବଦ୍ଧ ସନ୍ନ୍ୟାସ ଗ୍ରହଣ କରି ବେଦାନ୍ତସାଧନର ଉପଦେଶ ଗ୍ରହଣ କଲେ ଓ ସେଥିରେ ମନ ନିବିଷ୍ଟ କଲେ । ଅଳ୍ପ ସମୟ ମଧ୍ୟରେ ଶ୍ରୀରାମକୃଷ୍ଣଙ୍କ ମନ ନିର୍ବିକଳ୍ପ ସମାଧିରେ ଲୀନ ହୋଇଗଲା । ଯେଉଁ ସମାଧିଭୂମିରେ ଅଧିଷ୍ଠିତ ହେବାକୁ ତାଙ୍କୁ ଦୀର୍ଘ ଚାଳିଶ ବର୍ଷ କଠୋର ସାଧନା କରିବାକୁ ପଡ଼ିଥିଲା, ଶିଷ୍ୟ ଅନାୟାସରେ କେଇଦିନ ଭିତରେ ସେହି ଅବସ୍ଥା ଲାଭ କରିବା ଦେଖି ତୋତାପୁରୀ ଚମତ୍କୃତ ହୋଇଗଲେ । ଆପଣା ଶିଷ୍ୟକୁ ତିନିଦିନ କାଳ ସେହି ନିର୍ବିକଳ୍ପ ସମାଧିରେ ଅବସ୍ଥାନ କରିବା ଦେଖି ତୋତାପୁରୀ ଯୌଗିକ ପ୍ରକ୍ରିୟାରେ ଶିଷ୍ୟଙ୍କ ମନକୁ ସହଜ ଅବସ୍ଥାକୁ ଫେରାଇ ଆଣିଲେ । ତା’ପରେ ନିର୍ବିକଳ୍ପ ସମାଧିରେ ସ୍ଥିତ ହେବା ଶ୍ରୀରାମକୃଷ୍ଣଙ୍କ ପକ୍ଷରେ ସହଜ ହୋଇଗଲା । ସେ ଏକଦା ଛଅ ମାସ କାଳ ନିର୍ବିକଳ୍ପ ସମାଧିରେ ମଗ୍ନ ଥିଲେ ।

ଏହିଭଳି ଭାବରେ ଦୀର୍ଘ ବାର ବର୍ଷ ନିରନ୍ତର ସାଧନାଦ୍ୱାରା ହିନ୍ଦୁଧର୍ମର ସକଳ ପ୍ରକାର ଧର୍ମମତର ସାଧନାରେ ସିଦ୍ଧିଲାଭ କରି ସେ ପରମହଂସ ଶ୍ରୀରାମକୃଷ୍ଣ ହେଲେ । ଗୋଟିଏ ଗୋଟିଏ ମତରେ ସିଦ୍ଧିଲାଭ କରି ସେ କିଛି କାଳ ସେହି ଭାବରେ ତନ୍ମୟ ହୋଇ ରହୁଥଲେ । ସେତେବେଳେ ସେହିସବୁ ମତର ସାଧକଗଣ ଭାରତର ନାନା ପ୍ରାନ୍ତରୁ ଆସି ଶ୍ରୀରାମକୃଷ୍ଣଙ୍କ ନିକଟରୁ ସାଧନୋପଦେଶ ଗ୍ରହଣ ନିମନ୍ତେ ଦକ୍ଷିଣେଶ୍ୱରରେ ସମବେତ ହେଉଥିଲେ । ଏହି ବାରବର୍ଷ କାଳ ସେ ନିମିଷକ ପାଇଁ ମଧ୍ୟ ଶୋଇ ନାହାନ୍ତି । ଏହି ଦୀର୍ଘ ସମୟରେ ତାଙ୍କର ଆହାରାଦିର ମଧ୍ୟ କୌଣସି ନିୟମ ନ ଥିଲା । ଦିନରାତି ଯେ କିଭଳି କଟି ଯାଉଥିଲା ସେ ଆଡ଼କୁ ତାଙ୍କର ଦୃଷ୍ଟି ନ ଥିଲା । ସେ ବହୁ ଦିବ୍ୟଶକ୍ତିର ଅଧିକାରୀ ହୋଇଥିଲେ, ଇଚ୍ଛାମାତ୍ରକେ ଯେ କୌଣସି ଲୋକର ମନରେ ଧର୍ମଭାବର ସଞ୍ଚାର କରିପାରୁଥିଲେ, ସ୍ପର୍ଶମାତ୍ରକେ ଲୋକଙ୍କୁ ସମାଧିସ୍ଥ କରି ଦେଉଥିଲେ । ତାଙ୍କର ଆଶୀର୍ବାଦରୁ ଅନେକ ଲୋକ କଠିନ ରୋଗରୁ ଆରୋଗ୍ୟ ଲାଭ କରୁଥିଲେ; କିନ୍ତୁ ଏ ସବୁଥିରେ ତାଙ୍କର ବିନ୍ଦୁମାତ୍ର ଅହଂକାର ନ ଥିଲା ।

ସେ ସମାଧିଭୂମିରୁ ତାଙ୍କ ମନକୁ ଜୀବକଲ୍ୟାଣ ପାଇଁ ତଳକୁ ଟାଣି ଆଣି ମା’ ମା’ ବୋଲି କାନ୍ଦୁଥିଲେ । ସର୍ବଦା ମା’ଙ୍କ ସଂଗେ କଥା କହୁଥିଲେ । ମା’ଙ୍କ ନିକଟରୁ ଉପଦେଶ ମାଗୁଥିଲେ-ମଣିଷର ଆଧ୍ୟାତ୍ମିକ କଲ୍ୟାଣ ନିମନ୍ତେ ମା’ଙ୍କ ନିକଟରେ କେତେ ପ୍ରାର୍ଥନା କରୁଥିଲେ । କହୁଥିଲେ, ‘ମା’, ତୋ’ରି କଥା କେବଳ କହ, କେବଳ ତୋ’ରି କଥା ଶୁଣିବି । ମୁଁ ଶାସ୍ତ୍ର ଜାଣେ ନାହିଁ, ସାହିତ୍ୟ ଜାଣେ ନାହିଁ, ତୁ ବୁଝାଇଲେ ଯାଇ ବିଶ୍ୱାସ କରିବି ।’ ଶ୍ରୀରାମକୃଷ୍ଣ ଜାଣିଥିଲେ, ଯିଏ ପରଂବ୍ରହ୍ମ ଅଖଣ୍ଡ ସଚ୍ଚିଦାନନ୍ଦ ସେ ହିଁ ମା’, କାଳୀ ।

ଜଗନ୍ମାତା ଶ୍ରୀରାମକୃଷ୍ଣଙ୍କୁ କହିଥିଲେ, ‘ତୁ ଆଉ ମୁଁ ଏକ । ତୁ ଭକ୍ତି ଘେନି ଭାବମୁଖରେ ଥା, ଜୀବ ମଙ୍ଗଳ ପାଇଁ ତୋ ନିକଟକୁ ବହୁ ଭକ୍ତ ଆସିବେ, ତୁ ସେମାନଙ୍କର କଲ୍ୟାଣ କର । କେତେ ଶୁଦ୍ଧସତ୍ତ୍ୱ, କାମନାଶୂନ୍ୟ ଭକ୍ତ ତୋ ନିକଟକୁ ଆସିବେ ।... ତୋ ନିକଟକୁ ଆସି ସେମାନେ ଭକ୍ତିଲାଭ କରିବେ, ଜ୍ଞାନଲାଭ କରିବେ ।’

ତୀର୍ଥଯାତ୍ରା[ସମ୍ପାଦନା]

ଶ୍ରୀରାମକୃଷ୍ଣଙ୍କ ମାତୃଭକ୍ତି ଅନନ୍ୟାସାଧାରଣ । ସେ ମାତା ଚନ୍ଦ୍ରମଣିଙ୍କୁ ଜଗଜ୍ଜନନୀଙ୍କ ରୂପାନ୍ତର ଜ୍ଞାନରେ ସେବାପୂଜାଦି କରୁଥିଲେ । ଜ୍ୟେଷ୍ଠଭ୍ରାତା ରାମକୁମାର ଓ ରାମେଶ୍ୱରଙ୍କ ସ୍ୱର୍ଗଲାଭ ପରେ ମାତା ଚନ୍ଦ୍ରାମଣି ପୁତ୍ରଶୋକରେ ଅଧୀର ହୋଇ ପଡ଼ିଥିଲେ । କେତେ କାଳ ପରେ ଶ୍ରୀରାମକୃଷ୍ଣ ତାଙ୍କ ମା’ଙ୍କୁ ଦକ୍ଷିଣେଶ୍ୱର କାଳୀବାଡ଼ିକୁ ନେଇ ଆସି ନିଜ ପାଖରେ ରଖିଥିଲେ । ପ୍ରତିଦିନ ପ୍ରତ୍ୟୁଷରେ ଉଠି ପ୍ରଥମେ ମା’ଙ୍କ ନିକଟକୁ ଯାଉଥିଲେ ଏବଂ ଅସୀମ ଶ୍ରଦ୍ଧା ସହକାରେ ତାଙ୍କ ପଦଧୂଳି ଗ୍ରହଣ କରି କୁଶଳ ପ୍ରଶ୍ନ ପଚାରୁଥିଲେ । ନାନା ଭାବରେ ସେବାଯତ୍ନ କରି ଜନନୀଙ୍କୁ ପ୍ରସନ୍ନ ରଖିବା ନିମନ୍ତେ ତାଙ୍କର ଚେଷ୍ଟା ଥିଲା ଅନ୍ତହୀନ ।

ଶ୍ରୀରାମକୃଷ୍ଣ ତୀର୍ଥଦର୍ଶନ ପାଇଁ ବାହାରିଥିଲେ ୧୮୬୮ ଖ୍ରୀଷ୍ଟାବ୍ଦରେ । ସସ୍ତ୍ରୀକ ମଥୁରବାବୁ ଓ ଭଣଜା ହୃଦୟ ତାଙ୍କ ସଙ୍ଗରେ ଯାଇଥିଲେ । ବୈଦ୍ୟନାଥ, କାଶୀ, ପ୍ରୟାଗ ଓ ଶ୍ରୀବୃନ୍ଦାବନ ଦର୍ଶନ କଲେ । ବୈଦ୍ୟନାଥରେ ଶତ ଶତ ଗରିବ ସାନ୍ତାଳଙ୍କୁ ଦେଖି ତାଙ୍କ ଅନ୍ତରରେ ଦୟାର ଉଦ୍ରେକ ହେଲା । ସେ ମଥୁରାନାଥଙ୍କୁ କହି ସେମାନଙ୍କୁ ନାରାୟଣ ମନେକରି ଅନ୍ନବସ୍ତ୍ରାଦିଦ୍ୱାରା ସେବାର ବ୍ୟବସ୍ଥା କଲେ । କାଶୀର ମଣିକର୍ଣ୍ଣିକାରେ ବିଶ୍ୱନାଥଙ୍କ ଗମ୍ଭୀର ଚିନ୍ମୟ ରୂପ ଦର୍ଶନ କରି ସେ ସମାଧିସ୍ଥ ହୋଇଗଲେ । ସେ ଦେଖିଥିଲେ ମା’ କାଳୀଙ୍କୁ ସଙ୍ଗରେ ଘେନି ବିଶ୍ୱନାଥ ପ୍ରତ୍ୟେକ ଶବ’ର କାନେ କାନେ ତାରକବ୍ରହ୍ମନାମ ଦେଉଛନ୍ତି ଏବଂ ମା’ କାଳୀ ଚିତା ଉପରେ ବସି ଜୀବର କର୍ମବନ୍ଧନ ମୁକ୍ତ କରି ଦେଉଛନ୍ତି । କାଶୀରେ ଶ୍ରୀରାମକୃଷ୍ଣ ମୌନବ୍ରତଧାରୀ ତ୍ରୈଲଙ୍ଗସ୍ୱାମୀଙ୍କ ସଙ୍ଗରେ ସାକ୍ଷାତ କରି ତାଙ୍କୁ ପାୟସ ନିବେଦନ କରିଥିଲେ । କାଶୀରୁ ମଥୁରବାବୁଙ୍କ ସହିତ ସେ ପ୍ରୟାଗକୁ ଯାଇଥିଲେ ଓ ସଙ୍ଗମରେ ସ୍ନାନ କରି ସେଠାରେ ତ୍ରିରାତ୍ର ବାସ କରିଥିଲେ । ସେଠାରୁ କାଶୀ ଫେରି ଆସି ବୃନ୍ଦାବନକୁ ଗଲେ ।

ବୃନ୍ଦାବନରେ ଶ୍ରୀକୃଷ୍ଣଙ୍କ ଲୀଳାସ୍ଥଳ ଦେଖି ‘କୃଷ୍ଣ’ ‘କୃଷ୍ଣ’ ଉଚ୍ଚାରଣ କରି ସେ କାନ୍ଦି କାନ୍ଦି ଆକୁଳ ହୋଇଗଲେ । ମଥୁରାର ଧ୍ରୁବଘାଟରେ ବସୁଦେବଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ସେ ଭାବସ୍ଥ ହେଲେ । ଶ୍ରୀବୃନ୍ଦାବନରେ ସନ୍ଧ୍ୟାବେଳେ ଗୋଧୂଳି ଲଗ୍ନରେ ଗୃହମୁଖୀ ଧେନୁପଲ ସହ ଶ୍ରୀକୃଷ୍ଣ ଯମୁନା ପାର ହୋଇ ଆସୁଥିବା ପ୍ରଭୃତି ଲୀଳା ସେ ଭାବଚକ୍ଷୁରେ ଦର୍ଶନ କରିଥିଲେ । ନିଧୁବନରେ ରାଧାପ୍ରେମରେ ବିଭୋର ଗଙ୍ଗାମାତାଙ୍କ ସହ ସାକ୍ଷାତ ହେଲାକ୍ଷଣି ସେହି ବୃଦ୍ଧା ତପସ୍ୱିନୀ ତାଙ୍କୁ ସେଠାରେ ରହିବା ପାଇଁ ଜିଦ୍‌ କଲେ । ଶ୍ରୀରାମକୃଷ୍ଣ ମଧ୍ୟ ରହିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ; କିନ୍ତୁ ତାଙ୍କ ଅଦର୍ଶନରେ ବୃଦ୍ଧା ଜନନୀ ଶୋକାନ୍ୱିତା ହେବେ ଭାବି ସେ ବୃନ୍ଦାବନରେ ରହିଲେ ନାହିଁ । ଏଥିରୁ ଶ୍ରୀରାମକୃଷ୍ଣଙ୍କ ଗଭୀର ମାତୃଭକ୍ତିର ପରିଚୟ ମିଳେ । ସେ ବୃନ୍ଦାବନର ଧୂଳି ସଙ୍ଗରେ ଆଣି ଦକ୍ଷିଣେଶ୍ୱରରେ ପଞ୍ଚବଟୀର ଚାରିଆଡ଼େ ବିଞ୍ଚିଦେଲେ ଓ କିଛି ଧୂଳି ଆପଣା ସାଧନକୁଟୀରରେ ପ୍ରୋତ୍‌ଥିତ କଲେ ଏବଂ ଆନନ୍ଦରେ ଉତ୍‌ଫୁଲ୍ଲ ହୋଇ କହିଲେ, ‘ଆଜିଠାରୁ ଏହି ସ୍ଥାନ ଶ୍ରୀବୃନ୍ଦାବନ ଭଳି ଦେବଭୂମି ହେଲା ।’ ଏହା ଶ୍ରୀକୃଷ୍ଣଙ୍କ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧାର ନିଦର୍ଶନ ।

ଅଣହିନ୍ଦୁ ଧର୍ମ ସାଧନା[ସମ୍ପାଦନା]

ଶ୍ରୀରାମକୃଷ୍ଣ କହିଥିଲେ, ‘ମୋତେ ସବୁ ଧର୍ମ ଥରଟିଏ କରି ଗ୍ରହଣ କରିବାକୁ ପଡ଼ିଥିଲା । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟାନ, ପୁଣି ବୈଷ୍ଣବ, ବେଦାନ୍ତ, ଏହିସବୁ ପଥ ଧରି ମଧ୍ୟ ଆସିବାକୁ ପଡ଼ିଛି । ସବୁଠି ସେହି ଏକ ଈଶ୍ୱରଙ୍କୁ ଦେଖିଲି; ତାଙ୍କରି ପାଖକୁ ସଭିଏଁ ଆସୁଛନ୍ତି ଭିନ୍ନ ଭିନ୍ନ ପଥ ଧରି ।’ ଶ୍ରୀରାମକୃଷ୍ଣ ଜଗନ୍ମାତାଙ୍କୁ କହିଲେ, ‘ମା’ ଅନ୍ୟାନ୍ୟ ଧର୍ମାବଲମ୍ବୀଗଣ ତୋତେ କିପରି ଭାବରେ ଭଜନ କରନ୍ତି, ତା’ ମୋତେ ଜଣାଇ ଦେ ।‘ ଏହାର କିଛି ଦିନ ପରେ ଦକ୍ଷିଣେଶ୍ୱରକୁ ସୁଫୀ ସଂପ୍ରଦାୟର ମୁସଲମାନ ଫକିର ଆସିଲେ, ନାମ ଗୋବିନ୍ଦ ରାୟ । ଫକିରଙ୍କ ଈଶ୍ୱରପ୍ରେମ ଓ ସରଳତା ଶ୍ରୀରାମକୃଷ୍ଣଙ୍କୁ ଖୁବ୍‌ ମୁଗ୍‌ଧ କଲା । ସେ ତାଙ୍କ ନିକଟରୁ ଦୀକ୍ଷା ଓ ଶିକ୍ଷା ଗ୍ରହଣ କରି ଇସ୍‌ଲାମ ଧର୍ମସାଧନାରେ ପ୍ରବୃତ୍ତ ହେଲେ । ସେ ସେତେବେଳେ କେବଳ ଆଲ୍ଲାଙ୍କ ନାମ ଜପ କରୁଥିଲେ, ନମାଜ ପଢ଼ୁଥିଲେ ଏବଂ ଆହାର ବିହାରରେ ସଂମ୍ପୂର୍ଣ୍ଣ ମୁସଲମାନଭାବାପନ୍ନ ହୋଇ ଯାଇଥିଲେ । ମନ୍ଦିରକୁ ଯିବା ବନ୍ଦ କରିଦେଲେ । ଏହି ଭାବରେ ତିନୋଟି ଦିନ ସାଧନା କଲାପରେ ଏକ ଦୀର୍ଘ ଶ୍ମଶ୍ରୁଧାରୀ ସୁଗମ୍ଭୀର ଜ୍ୟୋତିର୍ମୟ ପୁରୁଷପ୍ରବରଙ୍କ ଦିବ୍ୟଦର୍ଶନ ସେ ଲାଭ କରିଥିଲେ । ତା’ପରେ ତାଙ୍କ ମନ ତୁରୀୟ ନିର୍ଗୁଣ ବ୍ରହ୍ମରେ ଲୀନ ହୋଇ ଯାଇଥିଲା ।

ତେରଶହ ବର୍ଷ ପୂର୍ବେ ମହମ୍ମଦ ସଗୁଣ ଏକେଶ୍ୱରବାଦ ପ୍ରଚାର କରିଥିଲେ । ତାଙ୍କର ପ୍ରଧାନ ଉପଦେଶ, ‘ଏକ ଈଶ୍ୱର, ଏକ ଧର୍ମ ।’ ତାହା ବେଦାନ୍ତର ସଗୁଣ ବ୍ରହ୍ମର ନାମାନ୍ତର ମାତ୍ର । ଆପାତଃଦୃଷ୍ଟିରେ ଯାହା ବହୁ ଧର୍ମ, ତାହା ହିଁ ପାରମାର୍ଥିକ ଦୃଷ୍ଟିରେ ଏକ ଧର୍ମ । ମହମ୍ମଦ ଶ୍ରୀରାମକୃଷ୍ଣଙ୍କୁ ଆଲିଙ୍ଗନ କରି ତାଙ୍କ ଭିତରେ ସମାହିତ ହୋଇଗଲେ । ଶ୍ରୀରାମକୃଷ୍ଣ ହେଲେ ସର୍ବଧର୍ମର ସମନ୍ୱୟସ୍ୱରୂପ ମହଦ୍ଧର୍ମର ପ୍ରତୀକ । ଜୀବନର ଶେଷ ଭାଗରେ କାଶୀପୁର ଉଦ୍ୟାନରେ ଅବସ୍ଥାନ କାଳରେ ଶ୍ରୀରାମକୃଷ୍ଣ ଆପଣା ଛବିକୁ ଦେଖାଇ କହିଥିଲେ, ‘ଏହି ମୂର୍ତ୍ତିର ପୂଜା ଘରେ ଘରେ ହେବ ।’ ଆଉ ତାଙ୍କର ଅଭୟ ବାଣୀ-‘ଯାହାଙ୍କର ଶେଷ ଜନ୍ମ, ସେମାନଙ୍କୁ ଏଠାକୁ (ତତ୍‌ ପ୍ରଚାରିତ ଉଦାର ଧର୍ମ ମତକୁ ) ଆସିବାକୁ ପଡ଼ିବ ।’

ଏହାର ପ୍ରାୟ ସାତବର୍ଷ ପରର ଘଟଣା । ଶ୍ରୀରାମକୃଷ୍ଣ ଦିନେ ବ୍ୟାକୁଳ ହୋଇ ଭବତାରିଣୀ ମା’ଙ୍କୁ କହିଲେ, ‘ମା’, ତୋର ଖ୍ରୀଷ୍ଟିୟାନ ଭକ୍ତଗଣ ତୋତେ କିପରି ଡାକନ୍ତି, ତାହା ମୁଁ ଦେଖିବି, ମୋତେ ଦେଖା ।’ କେଇଟା ଦିନ ପରେ ଶ୍ରୀରାମକୃଷ୍ଣ କଲିକତା ଯାଇ ଏକ ଗୀର୍ଜାର ଦ୍ୱାରରେ ଛିଡ଼ା ହୋଇ ଉପାସନା ଦେଖି ଫେରିଆସି କହିଲେ, ‘ମୁଁ ଖାଜାଞ୍ଚି ଡରରେ ଭିତରକୁ ଯାଇ ବସିଲି ନାହିଁ; ଭାବିଲି କେଜାଣି ଅବା ମୋତେ କାଳୀଙ୍କ ଘରେ ଆଉ ପଶିବାକୁ ଦେବ ନାହିଁ ।’ ଏତିକି ବେଳେ ଦିନେ ସେ ମନ୍ଦିର ନିକଟସ୍ଥ ଯଦୁ ମଲ୍ଲିକଙ୍କ ବଗିଚାକୁ ଯାଇ ବୈଠକଖାନାରେ ବସି ମେରୀଙ୍କ କୋଳରେ ଯୀଶୁଙ୍କ ଛବିଟିକୁ ତନ୍ମୟ ହୋଇ ଦେଖୁଥିଲେ । ହଠାତ୍‌ ଦେଖିଲେ ଛବି ଖଣ୍ଡକ ଜ୍ୟୋତିର୍ମୟ ହୋଇ ଉଠୁଛି ଏବଂ ଦେବଜନନୀ ଓ ଦେବଶିଶୁଙ୍କ ଅଙ୍ଗରୁ ଦିବ୍ୟ ଜ୍ୟୋତି ବିଚ୍ଛୁରିତ ହୋଇ ତାଙ୍କ ମଧ୍ୟରେ ପ୍ରବେଶ କରୁଛି । ଏହି ଭାବମଗ୍ନ ଅବସ୍ଥାରେ ସେ କାଳୀବାଟୀକୁ ଫେରି ଆସିଲେ ।

ତିନି ଦିନ କାଳ ସେହି ତନ୍ମୟତା ରହିଲା । ଏହି କେତୋଟି ଦିନ ସେ କାଳୀମନ୍ଦିରକୁ ଯାଇ ନାହାନ୍ତି । ଶେଷଦିନ ଯୀଶୁଙ୍କ ଭାବରେ ବିଭୋର ହୋଇ ପଞ୍ଚବଟୀ ତଳେ ସେ ପଦଚାରଣ କରୁଛନ୍ତି, ଦେଖିଲେ ଗୌରବର୍ଣ୍ଣ ଏକ ଦେବମାନବ ମୂର୍ତ୍ତି ତାଙ୍କ ଆଡ଼କୁ ଆଗେଇ ଆସୁଛନ୍ତି । ତାଙ୍କ ହୃଦୟରେ ଧ୍ୱନିତ ହେଲା, ଏହି ଯେ ସେହି ଈଶାମସି । ସେହି ପରମପୁରୁଷ ଧୀର ପଦଚାଳନାରେ ଆଗେଇ ଆସି ଶ୍ରୀରାମକୃଷ୍ଣଙ୍କୁ ଆଲିଙ୍ଗନ କରି ତାଙ୍କର ଶରୀର ମଧ୍ୟରେ ଲୀନ ହୋଇଗଲେ । ଶ୍ରୀରାମକୃଷ୍ଣଙ୍କ ମନ ବ୍ରହ୍ମସମୁଦ୍ରରେ ନିମଗ୍ନ ହେଲା ।

ଭଗବାନ ବୁଦ୍ଧଙ୍କ ସମ୍ବନ୍ଧରେ ଶ୍ରୀରାମକୃଷ୍ଣ କହିଥିଲେ- ‘ସେ ଦଶାବତାରଙ୍କ ମଧ୍ୟରୁ ଜଣେ । ବ୍ରହ୍ମ ଅଟଳ ଅଚଳ ନିଷ୍କ୍ରିୟ ବୋଧସ୍ୱରୂପ । ବୁଦ୍ଧି ଯେତେବେଳେ ଏହି ବୋଧସ୍ୱରୂପରେ ଲୀନ ହୁଏ, ସେତେବେଳେ ବ୍ରହ୍ମଜ୍ଞାନର ଉଦୟ ହୁଏ, ସେତେବେଳେ ମଣିଷ ବୁଦ୍ଧ ହୋଇଯାଏ ।’ ଜୈନଧର୍ମର ପ୍ରବର୍ତ୍ତକ ତୀର୍ଥଙ୍କରଗଣଙ୍କ ଉପରେ ଏବଂ ଶିଖ୍‌ଗୁରୁ ନାନକଙ୍କ ଉପରେ ମଧ୍ୟ ତାଙ୍କର ଗଭୀର ଶ୍ରଦ୍ଧା ଥିଲା ଏବଂ ଏହି ସବୁ ଧର୍ମକୁ ମଧ୍ୟ ଭଗବତ୍‌ ପ୍ରାପ୍ତିର ପଥ ବୋଲି ସେ ନିର୍ଦ୍ଦେଶ କରୁଥିଲେ । ତାଙ୍କ କୋଠରୀରେ ଅନ୍ୟାନ୍ୟ ଦେବଦେବୀଙ୍କର ଆଲେଖ୍ୟ ସହ ମହାବୀର ତୀର୍ଥଙ୍କରଙ୍କର ଗୋଟିଏ ପ୍ରସ୍ତରମୂର୍ତ୍ତି ମଧ୍ୟ ସ୍ଥାପିତ ହୋଇଥିଲା ।

ଷୋଡ଼ଶୀ ପୂଜା[ସମ୍ପାଦନା]

ଆପାତଃଦୃଷ୍ଟିରେ ମନେ ହୁଏ, ଶ୍ରୀରାମକୃଷ୍ଣ ବିବାହ କରିଥିଲେ; କିନ୍ତୁ ସେ ସଂସାରଧର୍ମ ସଂସାରୀଭାବରେ ପାଳନ କରି ନାହାନ୍ତି । ସ୍ତ୍ରୀଙ୍କ ସହିତ ତାଙ୍କର କୌଣସି ଦୈହିକ ସମ୍ପର୍କ ନ ଥିଲେ ମଧ୍ୟ ତାଙ୍କ ପ୍ରତି ସେ କେବେହେଲେ ବିନ୍ଦୁମାତ୍ର ଔଦାସୀନ୍ୟ ଦେଖାଇ ନାହାନ୍ତି । ସ୍ତ୍ରୀଙ୍କୁ ସେ ଖୁବ୍‌ ଭଲ ପାଉଥିଲେ, ନାନାଭାବରେ ସ୍ତ୍ରୀଙ୍କ ସୁଖସ୍ୱାଚ୍ଛନ୍ଦ୍ୟ ବିଧାନରେ ସଦା ତତ୍ପର ରହୁଥିଲେ ଏବଂ ସ୍ତ୍ରୀଙ୍କୁ ଖୁବ୍‌ ସମ୍ମାନ ଦୃଷ୍ଟିରେ ଦେଖୁଥିଲେ ଓ ଦେବୀଜ୍ଞାନ କରୁଥିଲେ । ସେ କହୁଥିଲେ, ‘ଏ ଯେ ସାରଦା, ସରସ୍ୱତୀ, ସେଥିପାଇଁ ତ ସାଜସଜ୍ଜାକୁ ଏତେ ଭଲପାଏ ।’ ତେଣୁ ସ୍ତ୍ରୀଙ୍କ ପାଇଁ ସେ ଯତ୍ନ ସହକାରେ ସୁନାର ଗହଣା ଗଢ଼ାଇ ଦେଇଥିଲେ । ଦେହସ୍ପର୍ଶ- ନିରପେକ୍ଷ ଏ ଯେପରି କେବଳ ଦୁଇଟି ଆତ୍ମାର ଅମୃତ ମିଳନ ! ସ୍ତ୍ରୀଙ୍କୁ ସେ ଖୁବ୍‌ ଶ୍ରଦ୍ଧା କରୁଥିଲେ । ସାରଦାଦେବୀ ଅଠର ବର୍ଷ ବୟସରେ ଯେତେବେଳେ ଦକ୍ଷିଣେଶ୍ୱରକୁ ସ୍ୱାମୀ-ସାହଚର୍ଯ୍ୟ ଲାଭ ପାଇଁ ଆସିଲେ, ଶ୍ରୀରାମକୃଷ୍ଣ ତାଙ୍କୁ ଅତି ସମାଦରରେ ଗ୍ରହଣ କଲେ ଏବଂ ତାଙ୍କୁ ଦେବୀ ଷୋଡ଼ଶୀ ତ୍ରୀପୁରାସୁନ୍ଦରୀ ଜ୍ଞାନରେ ଯଥାବିଧି ପୂଜା କରିଥିଲେ ଏବଂ ଅତି ଯତ୍ନ ସହକାରେ ଆପଣା ନିକଟରେ ରଖିଥିଲେ । ତାଙ୍କ ସୁଖସ୍ୱାଚ୍ଛନ୍ଦ୍ୟର ବ୍ୟବସ୍ଥା କରି ଧର୍ମଜୀବନ-ଯାପନରେ ନାନାଭାବରେ ସାହାଯ୍ୟ କରିଥିଲେ । ପରସ୍ପର ମଧ୍ୟରେ ସେମାନଙ୍କର ନିବିଡ଼ ପ୍ରୀତିବନ୍ଧନ ଥିଲା । ସାରଦାଦେବୀ ଏକଦା କହିଥିଲେ, ‘ଆହା, ସେ ମୋ ସହିତ କିପରି ବ୍ୟବହାର କରିଛନ୍ତି! ଦିନେହେଲେ ମୋ ମନରେ ବ୍ୟଥା ଲାଗିଲା ଭଳି କିଛି କହିନାହାନ୍ତି । ଗୋଟିଏ ଫୁଲର ଆଘାତ ମଧ୍ୟ ମୋତେ ଦେଇନାହାନ୍ତି ।...ଯେଉଁଥିରେ ମୁଁ ଭଲରେ ରହିବି, କେବଳ ସେହି ବ୍ୟବସ୍ଥା ହିଁ କରିଛନ୍ତି ।’

ନାରୀଗଣଙ୍କ ପ୍ରତି ଶ୍ରୀରାମକୃଷ୍ଣଙ୍କର ମାତୃବୁଦ୍ଧି । ...ସେ କହିଥିଲେ, ‘ଆମେ ଦିହେଁ ମା’ଙ୍କର ସଖୀ । ତା’ନ ହେଲେ ସ୍ତ୍ରୀକୁ ପାଖରେ ରଖି ଆଠ ମାସ କାଳ କିପରି ରହି ପାରିଲି?’ ଶ୍ରୀରାମକୃଷ୍ଣଙ୍କ ସହ ଏକତ୍ରବାସ ଫଳରେ ସାରଦାଦେବୀଙ୍କ ଅନ୍ତରରେ ବିଶ୍ୱମାତୃତ୍ୱର ଅକୁଣ୍ଠ ଚେତନା ଜାଗ୍ରତ ହୋଇଥିଲା । ସେ ଯେ ଜଗଜ୍ଜନନୀ । ଶ୍ରୀରାମକୃଷ୍ଣଦେବ ନିଜର ଦେହତ୍ୟାଗ ପୂର୍ବରୁ ସାରଦାଦେବୀଙ୍କ ଉପରେ ଜୀବତ୍ରାଣ ଓ ଜୀବକଲ୍ୟାଣ-କାର୍ଯ୍ୟର ସମ୍ପୂର୍ଣ୍ଣ ଭାର ଅର୍ପଣ କରିଥିଲେ । ସେ ମଧ୍ୟ ଆଦେଶ ମନେକରି ସେହି ସମସ୍ତ ଦାୟିତ୍ୱ, ଆନ୍ତରିକତା ସହ ପୂର୍ଣ୍ଣ କରିଥିଲେ । ସେହି ମାତୃତ୍ୱରେ ଧନୀ-ନିର୍ଦ୍ଧନ, ପଣ୍ଡିତ-ମୂର୍ଖ, ବ୍ରାହ୍ମଣ-ଚଣ୍ଡାଳ, ସନ୍ନ୍ୟାସୀ-ଗୃହୀ, ସ୍ତ୍ରୀ-ପୁରୁଷ ତଥା ସଜ୍ଜନ-ଦୁର୍ଜ୍ଜନ ଭେଦ ନ ଥିଲା । ସେ ଥିଲେ ସଭିଙ୍କର ମା’, ସେ ଥିଲେ ପ୍ରକୃତ ମା’ ।...

ଭକ୍ତ ଆଗମନ[ସମ୍ପାଦନା]

ଶ୍ରୀରାମକୃଷ୍ଣଙ୍କ ନିକଟକୁ ସବୁ ଧର୍ମର ସାଧକଗଣ ଆସୁଥିଲେ । ସେ ମଧ୍ୟ ସେମାନଙ୍କୁ ପରମ ଆତ୍ମୀୟ ମନେକରି ସାଧନା ପଥରେ ସାହାଯ୍ୟ କରୁଥିଲେ । କେଶବ ଚନ୍ଦ୍ର ସେନ ୧୮୭୫ ଖ୍ରୀଷ୍ଟାବ୍ଦରେ ଯେତେବେଳେ ବେଲଘରିଆ ଉଦ୍ୟାନରେ ଭକ୍ତମଣ୍ଡଳୀ ସହ ଈଶ୍ୱରଙ୍କ ଧ୍ୟାନଚିନ୍ତାରେ ନିମଗ୍ନ ଥିଲେ, ସେତେବେଳେ ଶ୍ରୀରାମକୃଷ୍ଣ ତାଙ୍କ ସହିତ ଦେଖା କରିବାକୁ ଗଲେ । ସେହି ପରିଚୟ କ୍ରମେ ଗଭୀର ଆତ୍ମୀୟତାରେ ପରିଣତ ହେଲା । ପରେ ଶ୍ରୀରାମକୃଷ୍ଣ କେଶବଙ୍କୁ ବ୍ରାହ୍ମମନ୍ଦିର ଓ ସାଧାରଣ ସମାଜ ଉପାସନା ସମୟରେ ଦେଖିବାକୁ ଯାଇଥିଲେ । ସେ କେଶବଙ୍କ ଘରକୁ ମଧ୍ୟ ଯାଉଥିଲେ । ବ୍ରାହ୍ମଭକ୍ତଙ୍କ ସହ କେତେ ଆନନ୍ଦ କରୁଥିଲେ । କେଶବ ମଧ୍ୟ ବେଳେବେଳେ ଭକ୍ତଗଣଙ୍କ ସହିତ, କେତେବେଳେ ବା ଏକାକୀ ଦକ୍ଷିଣେଶ୍ୱରକୁ ଆସୁଥିଲେ ଏବଂ ଶ୍ରୀରାମକୃଷ୍ଣଙ୍କ ପଦପ୍ରାନ୍ତରେ ବସି ବହୁ ଶିକ୍ଷା ଲାଭ କରୁଥିଲେ । ଶ୍ରୀରାମକୃଷ୍ଣଙ୍କ ପୁଣ୍ୟଦର୍ଶନ ଓ ଜ୍ଞାନଗର୍ଭ ବାଣୀରେ କେଶବ ଜୀବନ-ପଥରେ ଯେତେ ନୂତନ ଆଲୋକ ଦେଖିବାକୁ ପାଇଲେ, ସେତେ ବକ୍ତୃତା ତଥା ବ୍ରାହ୍ମସମାଜର ପତ୍ରିକାଗୁଡ଼ିକରେ ମୁକ୍ତ କଣ୍ଠରେ ଶ୍ରୀରାମକୃଷ୍ଣଙ୍କ ମହିମା ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବାକୁ ଲାଗିଲେ । ଶ୍ରୀରାମକୃଷ୍ଣ କେଶବଙ୍କୁ ଏତେ ଭଲ ପାଇଥିଲେ ଯେ, ତାଙ୍କର ଅନ୍ତିମ ଅସୁସ୍ଥତା ସମୟରେ ରୋଗମୁକ୍ତି ପାଇଁ ମା’ କାଳୀଙ୍କ ନିକଟରେ ମାନସିକ କରିଥିଲେ ।

ବ୍ରାହ୍ମସମାଜର ଅନେକେ ଶ୍ରୀରାମକୃଷ୍ଣଙ୍କ ନିକଟକୁ ସର୍ବଦା ଯାଉଥିଲେ । ତାଙ୍କ ମଧ୍ୟରୁ ବିଜୟକୃଷ୍ଣ, ପ୍ରତାପଚନ୍ଦ୍ର, କାଳୀ (ବସୁ), ଶିବନାଥ ଶାସ୍ତ୍ରୀ, ଅମୃତ, ତ୍ରେିଲୋକ୍ୟ ପ୍ରଭୃତିଙ୍କ ନାମ ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ । ଶ୍ରୀରାମକୃଷ୍ଣ ମଧ୍ୟ ବ୍ରାହ୍ମଗଣଙ୍କୁ ଦେଖିବାକୁ ଯାଉଥିଲେ ଏବଂ ବହୁ ଧର୍ମାଳାପ କରି ସେମାନଙ୍କୁ ଆନନ୍ଦ ଦେଉଥିଲେ । ଶ୍ରୀରାମକୃଷ୍ଣ ବହୁପୂର୍ବେ ଦେବେନ୍ଦ୍ରନାଥ ଠାକୁରଙ୍କୁ ତାଙ୍କ ଘରେ ଓ ଆଦି ବ୍ରାହ୍ମସମାଜରେ ଉପାସନା ବେଳେ ଦେଖିବାକୁ ଯାଇଥିଲେ ।

ଭାରତର ତତ୍‌କାଳୀନ ବହୁ ସାଧକ, ସିଦ୍ଧପୁରୁଷ, ଭକ୍ତ ଓ ପଣ୍ଡିତ ଶ୍ରୀରାମକୃଷ୍ଣଙ୍କ ସଙ୍ଗଲାଭ କରି ଆପଣାକୁ ଧନ୍ୟ ମନେ କରୁଥିଲେ । ଅନ୍ତରଙ୍ଗ ପାର୍ଷଦ ଓ ଭକ୍ତଗଣ ଶ୍ରୀରାମକୃଷ୍ଣଙ୍କ ନିକଟକୁ ଆସିବା ପୂର୍ବରୁ କୃଷ୍ଣକିଶୋର, ମଥୁର, ଶମ୍ଭୁ ମଲ୍ଲିକ, ନାରାୟଣ ଶାସ୍ତ୍ରୀ, ଇଂଦେଶର ଗୌରୀ ପଣ୍ଡିତ, ଚନ୍ଦ୍ର, ଅଚଳାନନ୍ଦ ପ୍ରଭୃତି ବହୁ ସାଧକ ଶ୍ରୀରାମକୃଷ୍ଣଙ୍କୁ ଦର୍ଶନ କରି ତାଙ୍କୁ ଈଶ୍ୱରଙ୍କ ଅବତାର ଭାବି ସମ୍ମାନ କରୁଥିଲେ । ବର୍ଦ୍ଧମାନର ରାଜପଣ୍ଡିତ ପଦ୍ମଲୋଚନ ଓ ବୈଷ୍ଣବ ସାଧକ ବୈଷ୍ଣବଚରଣ ଶ୍ରୀରାମକୃଷ୍ଣଙ୍କୁ ଅବତାର ବୋଲି ଘୋଷଣା କଲେ । ବୈଷ୍ଣବଚରଣ ପଣ୍ଡିତସଭାରେ କହିଲେ, ‘ଏ ଉନ୍ମାଦ ସାମାନ୍ୟ ନୁହେଁ, ଏହା ପ୍ରେମୋନ୍ମାଦ ।’ ସେ ଦେଖିଲେ-ଶ୍ରୀରାମକୃଷ୍ଣଙ୍କର ମହାଭାବର ଅବସ୍ଥା । ଚୈତନ୍ୟଦେବଙ୍କ ଭଳି କେତେବେଳେ ଅନ୍ତର୍ଦ୍ଦଶା, କେତେବେଳେ ଜଡ଼ବତ୍‌ ସମାଧିସ୍ଥ; କେତେବେଳେ ବା ଅର୍ଦ୍ଧବାହ୍ୟ, ପୁଣି କେତେବେଳେ ବାହ୍ୟଦଶା ।

ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ଶଶଧର ପଣ୍ଡିତ, ଡାକ୍ତର ରାଜେନ୍ଦ୍ର, ଡାକ୍ତର ସରକାର, ବଙ୍କିମ ଚାଟାର୍ଜୀ, ଆମେରିକାର କୁକ୍‌ ସାହେବ, ଭକ୍ତ ଉଇଲିୟମ୍‌, ମିଶର୍‌ ସାହେବ, ମାଇକେଲ୍‌ ମଧୁସୂଦନ, କୃଷ୍ଣଦାସ ପାଲ୍‌, ପଣ୍ଡିତ ଦୀନବନ୍ଧୁ, ନୀଳକଣ୍ଠ ପ୍ରଭୃତି ସାଧକଗଣ ଶ୍ରୀରାମକୃଷ୍ଣଙ୍କୁ ମହାମାନବ ଜ୍ଞାନରେ ଦର୍ଶନ କରି ତାଙ୍କର କୃପା ଲାଭ କରିଥିଲେ ଏବଂ ତାଙ୍କର ସମାଧି ଅବସ୍ଥା ଦେଖି ମୁଗ୍‌ଧ ହୋଇଥିଲେ । କାଲ୍‌ନାର ଭଗବାନଦାସ ବାବାଜୀ ଜଣେ ଉଚ୍ଚକୋଟୀର ସାଧକ ରୂପେ ବୈଷ୍ଣବ ସମାଜରେ ବିଶେଷ ସମ୍ମାନର ପାତ୍ର ଥିଲେ । ସେ ଶ୍ରୀରାମକୃଷ୍ଣଙ୍କ ନିକଟରୁ ବହୁ ଶିକ୍ଷା ଲାଭ କରିଥିଲେ ଏବଂ ଶେଷରେ କହିଥିଲେ, ‘ମହାପୁରୁଷ ଶ୍ରୀଚୈତନ୍ୟଦେବ ହିଁ ଆପଣଙ୍କ ଦେହରେ ଆବିର୍ଭୂତ ହୋଇଛନ୍ତି ।’

ଏମାନେ ଯେତେବେଳେ ଶ୍ରୀରାମକୃଷ୍ଣଙ୍କ ନିକଟକୁ ଆସନ୍ତି, ସେତେବେଳେ ତାଙ୍କର ଭାବୋନ୍ମାଦ ଅବସ୍ଥା କଟିଯାଇଛି । ସେତେବେଳେ ଶାନ୍ତ ସଦାନନ୍ଦ ଶିଶୁର ଅବସ୍ଥା; କିନ୍ତୁ ସବୁବେଳେ ପ୍ରାୟ ସମାଧିସ୍ଥ- କେତେବେଳେ ଜଡ଼ ସମାଧି ତ ଆଉ କେତେବେଳେ ଭାବ-ସମାଧି । ସମାଧି ଭାଙ୍ଗିଲା ପରେ ଭାବରାଜ୍ୟରେ ବିଚରଣ କରୁଥିଲେ । ସତେ ଯେପରି ପାଞ୍ଚ ବର୍ଷ ବୟସର ବାଳକ! ସବୁବେଳେ ମା’ ମା’ ବୋଲି ଡାକୁଥିଲେ ।

୧୮୭୫ ଖ୍ରୀଷ୍ଟାବ୍ଦରୁ ତାଙ୍କ ନିକଟକୁ ଅନ୍ତରଙ୍ଗ ଭକ୍ତଗଣ ଆସିବା ଆରମ୍ଭ କଲେ । ବିଶ୍ୱନାଥ ଉପାଧ୍ୟାୟ, ସିଁଥିର ଗୋପାଳ, ମହେନ୍ଦ୍ର କବିରାଜ, କିଶୋରୀ ଓ ମହିମା ଚରଣ ପ୍ରଭୃତି ଶ୍ରୀରାମକୃଷ୍ଣଙ୍କୁ ଦର୍ଶନ କରିବାକୁ ଆସିଥିଲେ । ତା’ପରେ ରାମ ଓ ମନମୋହନ ୧୮୭୯ ଖ୍ରୀ: ସୁଦ୍ଧା ଏବଂ କେଦାର, ସୁରେନ୍ଦ୍ର ପ୍ରଭୃତି ଓ ଚୁନୀ, ଲାଟୁ, ତାରକ ପରେ ଆସିଥିଲେ । ୧୮୮୧ ଖ୍ରୀଷ୍ଟାବ୍ଦରୁ ନରେନ୍ଦ୍ର, ରାଖାଲ, ଭବନାଥ, ବାବୁରାମ, ବଳରାମ, ନିରଞ୍ଜନ, ମାଷ୍ଟର, ଯୋଗେନ୍‌ ପ୍ରଭୃତି ଦକ୍ଷିଣେଶ୍ୱରକୁ ଆସି ଶ୍ରୀରାମକୃଷ୍ଣଙ୍କ ପଦପ୍ରାନ୍ତରେ ମିଳିତ ହେଲେ । ସେତିକିବେଳୁ ଶ୍ରୀରାମକୃଷ୍ଣ ଏହି ତ୍ୟାଗୀ ଓ ଗୃହୀ ଭକ୍ତଗଣଙ୍କ ଧର୍ମଜୀବନ ଗଠନରେ ବ୍ରତୀ ହେଲେ । ଭଜନ, କୀର୍ତ୍ତନ, ରାତି ରାତି ଜପଧ୍ୟାନ, ତପସ୍ୟା ଓ ଧର୍ମାଲୋଚନା ପ୍ରଭୃତିରେ ଶ୍ରୀରାମକୃଷ୍ଣଙ୍କ କ୍ଷୁଦ୍ର ପ୍ରକୋଷ୍ଠଟି ସର୍ବଦା ମୁଖରିତ ରହୁଥିଲା ।

ଶ୍ରୀରାମକୃଷ୍ଣ କହୁଥିଲେ-‘ଫୁଲ ଫୁଟିଲେ ଭ୍ରମର ଆପେ ଆପେ ଆସେ ମଧୁପାନ କରିବାକୁ; ତାକୁ ଡାକିବାକୁ ପଡ଼େ ନାହିଁ ।’...କେଉଁ ଏକ ଅଜ୍ଞାତ ଆକର୍ଷଣରେ ଦକ୍ଷିଣେଶ୍ୱରକୁ ଛୁଟି ଆସିଲେ ଆବାଳ ବୃଦ୍ଧ-ବନିତା, ସମାଜର ସବୁ ସ୍ତରର, ସବୁ ଧର୍ମର ଲୋକେ । ଉଚ୍ଚ-ନୀଚ, ବ୍ରାହ୍ମଣ-ଚଣ୍ଡାଳର କୌଣସି ଭେଦ ନ ଥିଲା । ସେ ଥିଲେ କରୁଣାସାଗର । ସଭିଙ୍କ ପ୍ରତି ତାଙ୍କର ସମାନ କରୁଣା, ସମାନ ଦୟା । ସଭିଙ୍କୁ ସେ ଭଗବତ୍‌-ପ୍ରାପ୍ତି ନିମନ୍ତେ ସାହାଯ୍ୟ କରୁଥିଲେ । ସେ ଥିଲେ ତ୍ରିକାଳଦର୍ଶୀ ମହାପୁରୁଷ । ଅନ୍ତର ଭିତରେ ପଶି କିଏ କେଉଁ ଭାବର ଲୋକ, ତାହା ଜାଣି ସେହି ଭାବରେ ସଭିଙ୍କୁ ଉପଦେଶ ଦେଉଥିଲେ । ତାଙ୍କ ଭିତରେ ଏପରି ଆଧ୍ୟାତ୍ମିକ ଶକ୍ତିର ବିକାଶ ହୋଇଥିଲା ଯେ ଥରଟିଏ ମାତ୍ର ସ୍ପର୍ଶ କରି ଭକ୍ତଗଣଙ୍କୁ ସମାଧିସ୍ଥ କରି ଦେଇପାରୁଥିଲେ, ଈଶ୍ୱର ଦର୍ଶନ କରାଇ ପାରୁଥିଲେ । ଦିନେ ଭାବାବେଶରେ କହିଥିଲେ, ‘ବର୍ତ୍ତମାନ ମାଆଙ୍କୁ (ଜଗଜ୍ଜନନୀଙ୍କୁ) କହୁଥିଲି-ମା’ ! ଥରଟିଏ ଛୁଇଁଦେଲେ ଯେପରି ଲୋକଙ୍କର ଚୈତନ୍ୟ ଉଦୟ ହୁଏ ।’ ଜୀବର ଦୁଃଖରେ ସେ କାନ୍ଦୁଥିଲେ-ଆର୍ତ୍ତଗଣଙ୍କ ଦୁଃଖରେ ପ୍ରାଣରେ ଗଭୀର ବେଦନା ଅନୁଭବ କରୁଥିଲେ ଏବଂ ତା’ର ପ୍ରତିକାର କରୁଥିଲେ । ଥରେ ମଥୁରନାଥଙ୍କ ଜମିଦାରୀକୁ ଯାଇ ପ୍ରଜାଙ୍କ ଦୁଃଖ ଦେଖି ସେ ମଥୁରବାବୁଙ୍କୁ କହି ପ୍ରଜାମାନଙ୍କର ଖଜଣା ଛାଡ଼ କରାଇ ଦେଇଥିଲେ ଏବଂ ମରୁଡ଼ି ପାଇଁ ଫସଲ ହୋଇ ନାହିଁ ଦେଖି ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିଥିଲେ ।

ସେ ସାଧକଗଣଙ୍କୁ ବିମୁଖ କରୁ ନ ଥିଲେ । ତାଙ୍କ କୃପାଦୃଷ୍ଟିରେ ମଣିଷର ମନ ପରିବର୍ତ୍ତିତ ହୋଇ ଯାଉଥିଲା, ଅନ୍ତରରେ ଐଶୀ ଭାବ ଜାଗ୍ରତ ହୋଇ ଉଠୁଥିଲା ଏବଂ ଫଳରେ କାହାରି କାହାରି ଦିବ୍ୟଜ୍ୟୋତି ବା ଦେବଦେବୀଙ୍କ ଜ୍ୟୋତିର୍ମୟ ରୂପ ଦର୍ଶନ ହେଉଥିଲା; କେହି ଗଭୀର ଧ୍ୟାନରେ ମଗ୍ନ ହୋଇ ଯାଉଥିଲେ, କେହି ବା ଈଶ୍ୱରଲାଭ ପାଇଁ ବ୍ୟାକୁଳ ହୋଇ ଉଠୁଥିଲେ । ସେହି ମହାଶକ୍ତିର ଆକର୍ଷଣରେ କେବଳ କଲିକତା ବା ପାର୍ଶ୍ୱବର୍ତ୍ତୀ ସ୍ଥାନରୁ ନୁହେଁ, ବହୁ ଦୂର ଦୂର ସ୍ଥାନରୁ ବିବିଧ ଭାଷାଭାଷୀ, ବିଭିନ୍ନ ଧର୍ମର ଅନୁରାଗୀ ଓ ମୁକ୍ତିକାମୀ ଲୋକ ଆସି ସମବେତ ହେଉଥିଲେ ଦକ୍ଷିଣେଶ୍ୱରର ଏହି ପୂଜକ ବ୍ରାହ୍ମଣଙ୍କ ପାଦତଳେ । ସେ ଦିନେ ଭାବାବେଶରେ କହିଥିଲେ, ‘ଯେଉଁମାନେ ଆନ୍ତରିକ ଧ୍ୟାନ-ଜପ କରିଛନ୍ତି, ଭଗବାନଙ୍କୁ ଡାକିଛନ୍ତି, ସେମାନଙ୍କୁ ଏଠାକୁ (ଅର୍ଥାତ୍‌ ତାଙ୍କ ନିକଟକୁ) ଆସିବାକୁ ପଡ଼ିବ ।’

ଶ୍ରୀରାମକୃଷ୍ଣ ତାଙ୍କ ଦେହତ୍ୟାଗର ସମୟ ଜାଣିପାରି ଏକ ଶ୍ରେଣୀର ତ୍ୟାଗୀ ଶିଷ୍ୟଗଣଙ୍କୁ ତାଙ୍କ ନିକଟରେ ସମବେତ କରାଇଲେ ଏବଂ ତ୍ୟାଗ, ତପସ୍ୟା, ପବିତ୍ରତା ଓ ବିଭିନ୍ନ ସାଧନାର ସାହାଯ୍ୟରେ ‘ଆତ୍ମନଃ ମୋକ୍ଷାର୍ଥଂ ଜଗଦ୍ଧିତାୟ ଚ’ ବ୍ରତରେ ଜୀବନ ଉତ୍ସର୍ଗ କରିବା ପାଇଁ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ । ସେହି ତ୍ୟାଗୀ ଯୁବକ-ଭକ୍ତଗଣଙ୍କର ନେତା କଲେ ତାଙ୍କ ପ୍ରିୟ ଶିଷ୍ୟ ନରେନ୍ଦ୍ରନାଥଙ୍କୁ, ପରବର୍ତ୍ତୀ କାଳରେ ଯିଏ ବିବେକାନନ୍ଦ ନାମରେ ସମଗ୍ର ବିଶ୍ୱରେ ଶ୍ରୀରାମକୃଷ୍ଣ-ଆଚରିତ ବିଶ୍ୱଧର୍ମର ବାଣୀ ପ୍ରଚାରିତ କରିଥିଲେ ।

‘ଯେତେ ମତ ସେତେ ପଥ’-ବିଶ୍ୱଧର୍ମର ଏହି ନବ ରୂପ ।

ଶ୍ରୀରାମକୃଷ୍ଣଙ୍କ କଥା ‘ଯିଏ ରାମ, ଯିଏ କୃଷ୍ଣ, ଏବେ (ଆପଣା ଶରୀରକୁ ଦେଖାଇ) ସେ ଏହି ଦେହକୁ ଆସିଛନ୍ତି । ...କିନ୍ତୁ ଏଥର ଛଦ୍ମବେଶରେ ଆସିଛନ୍ତି; ଯେପରି ଜମିଦାର ଗୋପନରେ କେବେ କେବେ ଜମିଦାରୀ ଦେଖିବାକୁ ଯାଆନ୍ତି, ଠିକ୍‌ ସେହିଭଳି ।’ ଶ୍ରୀରାମକୃଷ୍ଣଙ୍କର କୌଣସି ପ୍ରକାର ଐଶ୍ୱର୍ଯ୍ୟ ନ ଥିଲା । ସେ ଏକ ପ୍ରକାର ନିରକ୍ଷର ହୋଇ ଆସିଥିଲେ । ଜଟା ବଳ୍‌କଳ ମଧ୍ୟ ଧାରଣ କରି ନାହାନ୍ତି । ହିମାଳୟର ଗହ୍ୱରକୁ ମଧ୍ୟ ତପସ୍ୟା କରିବାକୁ ଯାଇ ନାହାନ୍ତି । ବାହ୍ୟତଃ ସେ ଥିଲେ ଅତି ସାଧାରଣ ମଣିଷ । କେବଳ ପରାଭକ୍ତି, ପରମ ଜ୍ଞାନ, ଅପୂର୍ବ ତ୍ୟାଗ, ଜ୍ୱଳନ୍ତ ବୈରାଗ୍ୟ ଉଦ୍‌ବେଳ ଈଶ୍ୱରପରାୟଣତା ଓ ବିଶ୍ୱପ୍ଳାବୀ ପ୍ରେମ-ଏହା ହିଁ ଥିଲା ତାଙ୍କର ଏକମାତ୍ର ଐଶ୍ୱର୍ଯ୍ୟ । ସେ ଦିନେ ଭକ୍ତମାନଙ୍କୁ କହିଥିଲେ, ‘ବହୁ ଲୋକ ଯେତେବେଳେ ଈଶ୍ୱରଜ୍ଞାନରେ ଶ୍ରଦ୍ଧାଭକ୍ତି କରିବେ, ସେତେବେଳେ ଏହାର (ଶରୀରର) ଅନ୍ତର୍ଦ୍ଧାନ ହେବ ।’

ବ୍ୟାଧିର କାରଣ[ସମ୍ପାଦନା]

୧୮୮୫ ଖ୍ରୀ:ର ଏପ୍ରିଲ ଶେଷ ଆଡ଼କୁ ଶ୍ରୀରାମକୃଷ୍ଣଙ୍କ ଶରୀରରେ କଠିନ ରୋଗର ସଞ୍ଚାର ହେଲା । ଗଳାଭିତର ଫୁଲିଯାଇ କ୍ରମେ ସେଥିରେ ଘାଆ ହେଲା । କଥା କହିବା ମଧ୍ୟ କଷ୍ଟକର ହୋଇ ପଡ଼ିଲା । ଏଡ଼େ ଅସୁସ୍ଥ ଶରୀରରେ ମଧ୍ୟ ସେ ଲୋକମାନଙ୍କୁ ଉପଦେଶ ଦେବାରୁ ବିରତ ହେଉ ନ ଥିଲେ । ଧର୍ମପିପାସୁ କେହି ଆସିବା ମାତ୍ରକେ ଅବିରାମ ଭଗବତ୍‌ଚର୍ଚ୍ଚା କରୁଥିଲେ । କାହାକୁ ବା ସ୍ପର୍ଶ କରି, କାହାପ୍ରତି କୃପାଦୃଷ୍ଟି ଢାଳି, କାହାକୁ ବା ଆଶୀର୍ବାଦ କରି ମନରେ ଧର୍ମଭାବର ସଞ୍ଚାର କରିଦେଉଥିଲେ । ଏଣେ ସାମାନ୍ୟ ଭଗବତ୍‌ଚର୍ଚ୍ଚାରେ ହିଁ ସେ ଗଭୀର ସମାଧିସ୍ଥ ହୋଇ ପଡ଼ୁଥିଲେ ଏବଂ ସେହି ଭାବାବସ୍ଥାରେ ସ୍ତ୍ରୀ-ପୁରୁଷ ସଭିଙ୍କୁ କୃପା କରି ସଭିଙ୍କ ଅନ୍ତରରେ ଧର୍ମଭାବ ଉଦ୍‌ବୁଦ୍ଧ କରି ଦେଉଥିଲେ । ଚିକିତ୍ସା ପାଇଁ ଭକ୍ତଗଣ ତାଙ୍କୁ ପ୍ରଥମେ କଲିକତାର ଶ୍ୟାମପୁକୁରକୁ ଓ ପରେ କାଶୀପୁର ଉଦ୍ୟାନବାଟୀକୁ ନେଇ ଆସିଲେ । ନାନା ଚିକିତ୍ସା ସତ୍ତ୍ୱେ ରୋଗର ଉପଶମ ହେଲା ନାହିଁ । ଦିନେ ଭାବାବେଶରେ ସେ କହିଲେ, ‘ମା’ ଦେଖାଇ ଦେଲେ-କେତେ ପ୍ରକାର ଭାବର ଲୋକ ଆସି ଛୁଅଁନ୍ତି, ତାଙ୍କର ଦୁର୍ଦ୍ଦଶା ଦେଖି ମନରେ ଦୟା ହୁଏ; ସେସବୁର (ଦୁଷ୍କର୍ମର) ଫଳ ତ ଭୋଗିବାକୁ ହେବ । ସେହିସବୁ ଗ୍ରହଣ କରି ଏ ଅବସ୍ଥା ହେଲା । ନ ହେଲେ ଏ ଶରୀର କେବେ କିଛି ଅନ୍ୟାୟ କରି ନାହିଁ-ସେଥିରେ ରୋଗ ହେବ କାହିଁକି ?’ ଜୀବର ପାପଭାର ଗ୍ରହଣ କରି ତାଙ୍କ ଦେହରେ ଏହି କଠିନ ରୋଗ ହୋଇଥିଲା ।

ପରମହଂସଦେବ ଅସୁସ୍ଥ ହୋଇ କଲିକତା ଆସିଛନ୍ତି-ଏ ସମ୍ବାଦ ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ଦଳ ଦଳ ହୋଇ ଲୋକେ ତାଙ୍କୁ ଦର୍ଶନ ପାଇଁ ଆସିବାକୁ ଲାଗିଲେ । ସେ ସଭିଙ୍କୁ ଆଶାର ବାଣୀ ଶୁଣାଉଥିଲେ, ନାନା ଭାବର କୃପା କରୁଥିଲେ ଏବଂ ଏହି ଦେହର ଅସୁସ୍ଥତା ଅବଲମ୍ବନ କରି ଠାକୁର ଶ୍ରୀରାମକୃଷ୍ଣ କାଶୀପୁର-ଉଦ୍ୟାନରେ ତ୍ୟାଗୀ ଶିଷ୍ୟଗଣଙ୍କୁ ନେଇ ଭାବୀ ‘ଧର୍ମସଂଘ’ର ସୂଚନା କରିଥିଲେ । ତ୍ୟାଗୀଗଣଙ୍କର ପ୍ରଥମ ଶିକ୍ଷା ହେଲା କାମ-କାଞ୍ଚନ ତ୍ୟାଗ । ତ୍ୟାଗ-ବୈରାଗ୍ୟ, ପ୍ରେମ-ଦୟା, ଭକ୍ତି-ବିଶ୍ୱାସ, ସାରଲ୍ୟ-ସତ୍ୟନିଷ୍ଠାର ପ୍ରତିମୂର୍ତ୍ତି ଓ ସର୍ବଜୀବଙ୍କ ସୁହୃଦ୍‌ ଶ୍ରୀରାମକୃଷ୍ଣ ଦେହତ୍ୟାଗ ପୂର୍ବରୁ ତାଙ୍କ ଶିଷ୍ୟଗଣଙ୍କ ମଧ୍ୟରେ ବିଶେଷ ଆଧ୍ୟାତ୍ମିକ ଶକ୍ତି ସଂଚାରିତ କରି ଜୀବ-କଲ୍ୟାଣ ପାଇଁ ସେମାନଙ୍କର ଜୀବନ-ଉତ୍ସର୍ଗ କରିବାକୁ ନିର୍ଦ୍ଦେଶ ଦେଲେ ।

୧୮୮୬ ଖ୍ରୀଷ୍ଟାବ୍ଦରେ ଜାନୁଆରୀ ପହିଲା ଏକ ବିଶେଷ ସ୍ମରଣୀୟ ଦିନ । ସେଦିନ କୃପାମୂର୍ତ୍ତି ଶ୍ରୀରାମକୃଷ୍ଣ କାଶୀପୁର ଉଦ୍ୟାନରେ ଯେତେ ଭକ୍ତ ଥିଲେ, ସମସ୍ତଙ୍କୁ ଭାବାବେଶରେ କହିଥିଲେ, ‘ତୁମ ସମସ୍ତଙ୍କର ଚୈତନ୍ୟ ହେଉ ।’ ଏତିକି କହି ସମସ୍ତଙ୍କ ବକ୍ଷସ୍ଥଳ ସ୍ପର୍ଶ କରି ସେମାନଙ୍କର ଚୈତନ୍ୟ ସମ୍ପାଦନ କରି ସଭିଙ୍କୁ ବନ୍ଧନରୁ ମୁକ୍ତ କରି ଦେଇଥିଲେ । ଏହି ଶକ୍ତିପୂର୍ଣ୍ଣ ସ୍ପର୍ଶର ଫଳସ୍ୱରୂପ ଭକ୍ତଗଣଙ୍କ ଅନ୍ତର ଭୂମାନନ୍ଦରେ ପ୍ରତିଷ୍ଠିତ ହୋଇଥିଲା ।

ଦିନେ ଭାବାବେଶରେ ଶ୍ରୀରାମକୃଷ୍ଣ କହିଲେ, ‘ଅବତାରଙ୍କୁ ଦେଖିବା ଯାହା, ଭଗବାନଙ୍କୁ ଦେଖିବା ମଧ୍ୟ ସେଇଆ ।’ ଅନ୍ୟ ସମୟରେ ଗଭୀର ସମାଧିରୁ ବ୍ୟୁତ୍‌ଥିତ ହୋଇ କହିଥିଲେ, ‘ଏହା ଭିତରେ (ଅର୍ଥାତ୍‌ ତାଙ୍କ ଶରୀରରେ) ଦୁହେଁ ଅଛନ୍ତି-ଜଣେ ସେ ସ୍ୱୟଂ, ଆଉ ଜଣେ ଭକ୍ତ ହୋଇ ରହିଛନ୍ତି, ଯାହାଙ୍କ ହାତ ଭାଙ୍ଗିଥିଲା ଦକ୍ଷିଣେଶ୍ୱରରେ ।’...ଦିନେ ଭାବାବେଶରେ ପଡ଼ିଯାଇ ଶ୍ରୀରାମକୃଷ୍ଣଙ୍କର ହାତ ଭାଙ୍ଗିଯାଇଥିଲା । ବହୁ ଦିନ ଧରି ପଟା ବାନ୍ଧି ହାତକୁ ରଖିବାକୁ ପଡ଼ିଥିଲା । ସେହି ଘଟଣା ଉଲ୍ଲେଖ କରି ସେ ଏକଥା କହିଥିଲେ । ‘ତାଙ୍କରି ପୁଣି ରୋଗ ହୋଇଛି ।...ସେ ଅବତାର ହୋଇ ମଣିଷ ରୂପରେ ଭକ୍ତ ମେଳକୁ ଆସନ୍ତି । ଭକ୍ତଗଣ (ପାର୍ଷଦଗଣ) ତାଙ୍କ ସଙ୍ଗରେ ଆସି ପୁଣି ଚାଲିଯାଆନ୍ତି ।’

ନରେନ୍ଦ୍ରନାଥ[ସମ୍ପାଦନା]

ଶ୍ରୀରାମକୃଷ୍ଣ କ୍ରମେ ମହାଯାତ୍ରା ପାଇଁ ପ୍ରସ୍ତୁତ ହେଲେ ଏବଂ ତ୍ୟାଗୀ ଅନ୍ତରଙ୍ଗ ପାର୍ଷଦଗଣଙ୍କୁ ସଂଘବଦ୍ଧ କରି କିପରି ଭାବରେ ଯୁଗବାଣୀ ଓ ମହଦ୍ଧର୍ମ ଜଗତରେ ପ୍ରଚାର କରିବାକୁ ହେବ, ତାହା ଶିକ୍ଷା ଦେବାକୁ ଲାଗିଲେ । ନରେନ୍ଦ୍ରନାଥଙ୍କୁ ଲକ୍ଷ୍ୟ କରି କହିଲେ, ‘ନରେନ୍‌ ଲୋକଶିକ୍ଷା ଦେବ ।’ ଅନ୍ୟାନ୍ୟ ଶିଷ୍ୟମାନଙ୍କୁ ମଧ୍ୟ ନାନା ଭାବରେ ‘ଲୋକଶିକ୍ଷାର’ ନିର୍ଦ୍ଦେଶ ଓ ଶିକ୍ଷା ଦେଲେ । ସେତେବେଳେ ତାଙ୍କ ଶରୀର ଅତି ଦୁର୍ବଳ-କଙ୍କାଳସାର; କେଇଟା ଦିନ ପରେ କଥା ମଧ୍ୟ ଅସ୍ପଷ୍ଟ ହୋଇଗଲା । ସେହି ଅବସ୍ଥାରେ ମଧ୍ୟ ପ୍ରତ୍ୟେକଙ୍କୁ ପୃଥକ୍‌ ପୃଥକ୍‌ ଭାବରେ ଗୁହ୍ୟ ସାଧନାର ଉପଦେଶ ଦେଉଥିଲେ । ମୁହୁର୍ମୁହୁଃ ଭାବସମାଧି ହେଉଛି-ତାହାରି ଭିତରେ ତ୍ୟାଗୀ ସନ୍ତାନଗଣଙ୍କୁ ନିକଟକୁ ଡାକି ନିଭୃତରେ କେତେ ଶିକ୍ଷା ଦେଇଛନ୍ତି । ଏଥିପୂର୍ବରୁ ସେ ଏଗାର ଜଣ ଶିଷ୍ୟଙ୍କୁ ଗୈରିକବସ୍ତ୍ର, ଜପମାଳା ଇତ୍ୟାଦି ଦେଇ ସନ୍ନ୍ୟାସଧର୍ମରେ ଦୀକ୍ଷିତ କରିଥିଲେ ।

ନରେନ୍ଦ୍ରନାଥଙ୍କ ପ୍ରାଣ ନିର୍ବିକଳ୍ପ ସମାଧିରେ ସ୍ଥିତ ହେବା ପାଇଁ ଅତିଶୟ ବ୍ୟାକୁଳ । ଅସ୍ଥିର ପ୍ରାଣରେ ସେ ଦିନେ ଶ୍ରୀରାମକୃଷ୍ଣଙ୍କ ନିକଟରେ ଅଳି କଲେ । ‘ତୁ କଅଣ ଚାହୁଁ, କହ ତ?’ ସ୍ମିତମୁଖରେ ଶ୍ରୀରାମକୃଷ୍ଣ ପଚାରିଲେ । ଛଳ ଛଳ ଆଖିରେ ନରେନ୍ଦ୍ରନାଥ କହିଲେ, ‘ମୋର ଇଚ୍ଛା ହେଉଛି, ସମାଧିରେ ବୁଡ଼ି ରହିବି ।’ ଏହା ଶୁଣି ଶ୍ରୀରାମକୃଷ୍ଣ ଗମ୍ଭୀର ହୋଇଗଲେ । ପରେ ତିରସ୍କାର ସ୍ୱରରେ କହିଲେ, ‘ଛି ଛି’। ତୁ ଏତେ ବଡ଼ ଆଧାର ! ତୋ ମୁହଁରେ ଏଇ କଥା? ତା’ଠାରୁ ମଧ୍ୟ ଉଚ୍ଚ ଅବସ୍ଥା ଯେ ରହିଛି!’ ଆହୁରି ମଧ୍ୟ କହିଲେ- ‘ମୁଁ ଭାବିଥିଲି, ତୁ କେଉଁଠି ଏକ ବିଶାଳ ବଟବୃକ୍ଷ ଭଳି ହେବୁ । ତୋର ଛାୟାରେ ହଜାର ହଜାର ଲୋକ ଆଶ୍ରୟ ପାଇବେ, ତା’ ନ ହୋଇ ତୁ କେବଳ ନିଜର ମୁକ୍ତି ଚାହୁଁଛୁ?’ ଏହା ଶୁଣି ନରେନ୍ଦ୍ର ମୁହଁ ତଳକୁ ପୋତି ଅଶ୍ରୁ ବିସର୍ଜନ କଲେ; ଭାବିଲେ-ଆହା, ତାଙ୍କ ହୃଦୟ କେଡ଼େ ବିଶାଳ!

ଏହାର କିଛି ଦିନ ପରେ ସନ୍ଧ୍ୟାବେଳେ ଧ୍ୟାନ କରୁ କରୁ ନରେନ୍ଦ୍ରଙ୍କ ମନ ନିର୍ବିକଳ୍ପ ସମାଧିରେ ମଗ୍ନ ହୋଇଗଲା । ସେହି ଅବସ୍ଥାରେ ବହୁ ସମୟ ରହିଲା ପରେ ଗଭୀର ରାତ୍ରିରେ ନିର୍ବିକଳ୍ପ ନିର୍ବିଷୟରୁ ନରେନ୍ଦ୍ରଙ୍କ ମନ ବାହ୍ୟ ଜଗତକୁ ଫେରି ଆସିଲା । ନରେନ୍ଦ୍ର ଧ୍ୟାନରୁ ଉଠି ଶ୍ରୀରାମକୃଷ୍ଣଙ୍କ ରୋଗଶଯ୍ୟା ନିକଟକୁ ଯାଇ ଉପସ୍ଥିତ ହେଲା ମାତ୍ରକେ ସେ ଗମ୍ଭୀର ସ୍ୱରରେ କହିଲେ, ‘କିରେ, ଏଥର ତ ମା’ ତୋତେ ସବୁ ଦେଖାଇ ଦେଇଛନ୍ତି, ପୂର୍ଣ୍ଣଜ୍ଞାନରେ ପ୍ରତିଷ୍ଠିତ କରିଛନ୍ତି । ଯାହା ଦେଖୁଛୁ ସେସବୁ ବର୍ତ୍ତମାନ ବନ୍ଦ ରହିବ । ଚାବିକାଠି ମୋ ହାତରେ ରହିଲା । ଏଥର ତୋତେ ମା’ଙ୍କ କାମ କରିବାକୁ ପଡ଼ିବ । କାମ ଶେଷ ହେଲେ ପୁଣି ଏ ଅବସ୍ଥା ଫେରି ପାଇବୁ ।’ ନରେନ୍ଦ୍ର ନୀରବରେ ମୁଣ୍ଡ ନୁଆଁଇ ବସି ରହିଲେ ।

ଦେହତ୍ୟାଗର ଛ’ ସାତ ଦିନ ପୂର୍ବେ ସେ ପାଞ୍ଜି ଦେଖି ମହାପ୍ରସ୍ଥାନ ପାଇଁ ଦିନ ସ୍ଥିର କଲେ । ଶ୍ରାବଣ ସଂକ୍ରାନ୍ତି, ତିନି ଚାରି ଦିନ ମାତ୍ର ବାକି । ଶ୍ରୀରାମକୃଷ୍ଣ ନରେନ୍ଦ୍ରଙ୍କୁ ନିଜ ଶଯ୍ୟାପାର୍ଶ୍ୱକୁ ଡାକିଲେ ଏବଂ ଦ୍ୱାର ବନ୍ଦ କରିବାକୁ କହିଲେ । କୋଠରୀଟି ନିସ୍ତବ୍‌ଧତାରେ ଭାରାକ୍ରାନ୍ତ । ନରେନ୍ଦ୍ରଙ୍କୁ ସମ୍ମୁଖରେ ବସିବାକୁ ଇଙ୍ଗିତ କରି ସେ ନରେନ୍ଦ୍ରଙ୍କ ଆଖି ଉପରେ ଦୃଷ୍ଟି ନିବଦ୍ଧ କରି କ୍ରମେ ସମାଧିସ୍ଥ ହେଲେ । ସେତେବେଳେ ନରେନ୍ଦ୍ର ଅନୁଭବ କଲେ-ଶ୍ରୀରାମକୃଷ୍ଣଙ୍କ ଦେହରୁ ଯେପରି ଗୋଟିଏ ସୂକ୍ଷ୍ମ ତେଜରଶ୍ମି ତାଙ୍କ ଭିତରକୁ ଆସି ପ୍ରବେଶ କରୁଛି । କ୍ରମେ ବାହ୍ୟ ଚେତନା ବିଲୁପ୍ତ ହୋଇ ତାଙ୍କ ମନ ଗଭୀର ସମାଧିରେ ଲୀନ ହୋଇଗଲା । ବହୁ ସମୟ ପରେ ନରେନ୍ଦ୍ରଙ୍କ ବାହ୍ୟ ଚେତନା ଫେରି ଆସିଲା । ଶ୍ରୀରାମକୃଷ୍ଣ କହିଲେ, ‘ଆଜି ତୋତେ ସବୁ ଦେଇ ମୁଁ ଫକିର ହେଲି । ତୁ ଏହି ଶକ୍ତିବଳରେ ଜଗତର ପ୍ରଭୂତ କଲ୍ୟାଣ କରିବୁ । କାମ ଶେଷ ହେଲେ ସ୍ୱଧାମକୁ ଫେରିଯିବୁ ।’

ଦେହତ୍ୟାଗର ଦୁଇ ଦିନ ମାତ୍ର ବାକୀ । ଶ୍ରୀରାମକୃଷ୍ଣ ଅସହ୍ୟ ରୋଗ ଯାତନାରେ କାତର; ତା’ରି ଭିତରେ ସେ ବାରମ୍ବାର ସମାଧିମଗ୍ନ ହେଉଛନ୍ତି । ଭକ୍ତଗଣ ନୀରବରେ ଅଧୋବଦନ ହୋଇ ଚାରିଆଡ଼େ ଘେରି ବସିଛନ୍ତି । ନରେନ୍ଦ୍ରନାଥ ମଧ୍ୟ ମ୍ଳାନମୁଖରେ ଗଭୀର ଚିନ୍ତାମଗ୍ନ ହୋଇ ବସିଛନ୍ତି । ଶ୍ରୀରାମକୃଷ୍ଣଙ୍କୁ ଶତ ଶତ ଲୋକ ଅବତାର ବୋଲି ଘୋଷଣା କରିଛନ୍ତି । ଭକ୍ତଗଣଙ୍କ ମଧ୍ୟରୁ ଅନେକଙ୍କର ବିଶ୍ୱାସ ଯେ ସେ ଭଗବାନଙ୍କର ଅବତାର । ନରେନ୍ଦ୍ରଙ୍କ ମନ କିନ୍ତୁ ସେତେବେଳେ ସୁଦ୍ଧା ଦ୍ୱିଧାଶୂନ୍ୟ ହୋଇନାହିଁ । ନିଜେ ତା’ର ପ୍ରମାଣ ନ ପାଇଲେ ସେ ପାଞ୍ଚଜଣଙ୍କ କଥାରେ ବିଶ୍ୱାସ କରିବା ଲୋକ ନୁହନ୍ତି । ଏତିକିବେଳେ ହଠାତ୍‌ ତାଙ୍କର ମନେ ହେଲା ଏହି ନିଦାରୁଣ କଷ୍ଟବେଳେ ଯଦି ସେ କହିବେ ଯେ ‘ମୁଁ ସ୍ୱୟଂ ଭଗବାନ‘, ତା’ ହେଲେ ମୁଁ ବିଶ୍ୱାସ କରିବି । ଆଶ୍ଚର୍ଯ୍ୟ ! ନରେନ୍ଦ୍ରଙ୍କ ମନରେ ଏହି ଚିନ୍ତା ଉଦୟ ହେବା ମାତ୍ରକେ ଶ୍ରୀରାମକୃଷ୍ଣ ନରେନ୍ଦ୍ରଙ୍କ ଆଡ଼କୁ ମୁହଁ ବୁଲାଇ ସ୍ୱାଭାବିକ କଣ୍ଠରେ କହିଲେ, ‘ଯିଏ ରାମ ପୁଣି ଯିଏ କୃଷ୍ଣ, ବର୍ତ୍ତମାନ ସେ ନିଜେ (ଏହି ଦେହରେ) ରାମକୃଷ୍ଣ ରୂପେ ଅବତୀର୍ଣ୍ଣ ।’ ନରେନ୍ଦ୍ର ଅପରାଧୀ ଭଳି ମୁହଁ ପୋତି ରହିଲେ । ତାଙ୍କର ମନ ସଂଶୟ-ମେଘମୁକ୍ତ ହେଲା । ସେ ଶ୍ରୀରାମକୃଷ୍ଣଙ୍କୁ ଅବତାର ବୋଲି ଗ୍ରହଣ କଲେ ।

ମହାସମାଧି[ସମ୍ପାଦନା]

୧୨୯୩ ସାଲର ୩୧ ଶ୍ରାବଣ ଆଗତ । ନିଦାରୁଣ ରୋଗଯନ୍ତ୍ରଣାରେ ସେ କାତର । ଭକ୍ତଗଣ ନୀରବରେ ଅଶ୍ରୁ ବିସର୍ଜନ କରୁଛନ୍ତି । କିନ୍ତୁ ସନ୍ଧ୍ୟାର କିଛିକ୍ଷଣ ପରେ ଶ୍ରୀରାମକୃଷ୍ଣ ଗଭୀର ସମାଧିମଗ୍ନ ହେଲେ । ଶରୀର ନିସ୍ପନ୍ଦ, ସ୍ଥିର । ଭକ୍ତଗଣ ସ୍ତବ୍‌ଧ ହୋଇ ସମାଧିରୁ ତାଙ୍କର ବ୍ୟୁତ୍‌ଥାନ ପାଇଁ ଅପେକ୍ଷା କରିଛନ୍ତି ।

ମଝି ରାତିରେ ତାଙ୍କର ସମାଧିଭଙ୍ଗ ହେଲା । ଭକ୍ତଗଣ ତାଙ୍କୁ ତକିଆରେ ଆଉଜାଇ ବସାଇଦେଲେ । ସେ ସମବେତ ଭକ୍ତଙ୍କ ଉପରେ ସସ୍ନେହ ଦୃଷ୍ଟିପାତ କରି ସ୍ୱାଭାବିକ କଣ୍ଠରେ ତିନିଥର ‘କାଳୀ’ ନାମ ଉଚ୍ଚାରଣ କରି ପୁନର୍ବାର ସମାଧିମଗ୍ନ ହେଲେ । ରାତି ଗୋଟାଏ ଦୁଇ ମିନିଟ୍‌ ବେଳେ ହଠାତ୍‌ ତାଙ୍କ ସର୍ବାଙ୍ଗରେ ମୁହୁର୍ମୁହୁଃ ପୁଲକ ଓ ରୋମାଞ୍ଚ ହେବାକୁ ଲାଗିଲା । ଦୃଷ୍ଟି-ନାସାଗ୍ର-ନିବଦ୍ଧ । ମୁଖମଣ୍ଡଳରେ ଦିବ୍ୟାନନ୍ଦର ଦୀପ୍ତି । ଶ୍ରୀରାମକୃଷ୍ଣ ଗଭୀର ସମାଧିମଗ୍ନ ହେଲେ । ଭକ୍ତଗଣ ଭାବିଲେ ଶୀଘ୍ର ପୁଣି ବାହ୍ୟଜ୍ଞାନ ଫେରି ଆସିବ । ରାତି ଶେଷ ହୋଇଗଲା, କିନ୍ତୁ ତାଙ୍କ ସମାଧି ଭଙ୍ଗ ହେଲା ନାହିଁ । ଏହି ସମାଧି ପର୍ଯ୍ୟବସିତ ହେଲା ମହାସମାଧିରେ ।  ୧୮୮୬ ଖ୍ରୀ: ଅଗଷ୍ଟ ୧୬ ତାରିଖ ଶ୍ରୀରାମକୃଷ୍ଣ ସ୍ୱ-ସ୍ୱରୂପରେ ଲୀନ ହେଲେ । ତା’ ପରଦିନ ଅପରାହ୍ନରେ ପୁଣ୍ୟତୋୟା ଗଙ୍ଗାକୂଳରେ ତାଙ୍କ ଦେହର ସଂସ୍କାର କରାଗଲା ।

ଶ୍ରୀରାମକୃଷ୍ଣ ନରଦେହ ତ୍ୟାଗ କରିଛନ୍ତି । ତାଙ୍କ ଭାବରାଶି ଦ୍ରୁତଗତିରେ ଦିଗଦିଗନ୍ତକୁ ପକ୍ଷ ବିସ୍ତାର କରି ଚାଲିଛି-ଉତ୍ତର-ଦକ୍ଷିଣ, ପୂର୍ବପଶ୍ଚିମ, ଦେଶଦେଶାନ୍ତର, ଦୂରଦୂରାନ୍ତରକୁ-ଚାଲିଛି ବିଶ୍ୱମାନବର ସକଳ ଚେତନା ଭିତରେ, ନାନା ଛନ୍ଦରେ, ବିଚିତ୍ର ଭଙ୍ଗୀରେ ପ୍ରାଣଶକ୍ତି ସଞ୍ଚୟ କରି, ଅଭିନବ ଚେତନା ଉଦ୍‌ବୁଦ୍ଧ କରି । ସ୍ୱାମୀ ବିବେକାନନ୍ଦ ପୃଥିବୀର ସର୍ବତ୍ର ବୁଲି ତାଙ୍କ ଗୁରୁଦେବଙ୍କର ଭାବ ପ୍ରଚାର କରିବାକୁ ଲାଗିଲେ । ଶ୍ରୀରାମକୃଷ୍ଣଙ୍କର ସନ୍ନ୍ୟାସୀ ଓ ଭକ୍ତମଣ୍ଡଳୀ ଭାରତ ଓ ଭାରତ ବାହାରେ ନାନା ସ୍ଥାନରେ ମଠ ଓ ମିଶନର ବହୁ କେନ୍ଦ୍ର ସ୍ଥାପନ କରି ଶ୍ରୀରାମକୃଷ୍ଣଙ୍କ ଜୀବନ-ବେଦ ଓ ଭାବଧାରା ପ୍ରଚାର କରି ଚାଲିଛନ୍ତି ।

ଉପଦେଶ[ସମ୍ପାଦନା]

୧. ଈଶ୍ୱରଙ୍କ ନାମଗୁଣ ଗାନ ସର୍ବଦା କରିବାକୁ ହୁଏ ଏବଂ ସତ୍‌ସଙ୍ଗ ମଧ୍ୟ କରିବାକୁ ହୁଏ ।

୨. ବେଳେବେଳେ ନିର୍ଜନକୁ ଯାଇ ତାଙ୍କର ଧ୍ୟାନ ଓ ଚିନ୍ତା କରିବା ଦରକାର । ପ୍ରଥମ ଅବସ୍ଥାରେ ବେଳେବେଳେ ନିର୍ଜନ ନ ହେଲେ ଈଶ୍ୱରଙ୍କ ଉପରେ ମନୋନିବେଶ କରିବା କଠିନ ହୋଇଥାଏ ।

୩. ଧ୍ୟାନ କରିବ ମନରେ, କୋଣରେ ଓ ବନରେ ।

୪. ସର୍ବଦା ସତ୍‌ ଅସତ୍‌ ବିଚାର କରିବ । ଈଶ୍ୱର ହିଁ ସତ୍‌, ଅର୍ଥାତ୍‌ ନିତ୍ୟ ବସ୍ତୁ; ଆଉସବୁ ଅସତ୍‌, ଅନିତ୍ୟ ।

୫. ବିଚାର କରୁ କରୁ ମନ ଭିତରୁ ଅନିତ୍ୟ ବସ୍ତୁ ତ୍ୟାଗ କରିବ ।

୬. ସବୁ କାମ କରିବ, କିନ୍ତୁ ମନ ଈଶ୍ୱରଙ୍କ ନିକଟରେ ରଖିବ ।

୭. ଈଶ୍ୱରଙ୍କ ପାଦପଦ୍ମରେ ଭକ୍ତିଲାଭ ନ କରି ଯଦି ସଂସାର କରିବାକୁ ଯାଅ, ତା’ ହେଲେ ଆହୁରି ବନ୍ଧନରେ ପଡ଼ିବ ।

୮. ତେଲ ଲଗାଇ ପଣସ ଭାଙ୍ଗିବାକୁ ହୁଏ, ତା’ନ ହେଲେ ହାତରେ ଅଠା ଲାଗିବ । ଈଶ୍ୱର-ଭକ୍ତିର ତେଲ ଲଗାଇ ସଂସାର କାର୍ଯ୍ୟରେ ହାତ ଦେବାକୁ ହୁଏ ।

୯. ସଂସାର ହେଉଛି ପାଣି, ଆଉ ମନ ହେଉଛି ଦୁଧ । ତା’କୁ ଯଦି ପାଣିରେ ଢାଳିଦେବ, ତା’ ହେଲେ ଦୁଧ ଓ ପାଣି ମିଶିଯିବ । ଦୁଧକୁ ବସାଇ ସେଥିରୁ ଲହୁଣୀ ବାହାର କରି ସଂସାର-ପାଣିରେ ରଖିଲେ ତାହା ମିଶିବ ନାହିଁ, ଭାସି ଉଠିବ ।

୧୦. ବିଚାର କରିବା ଖୁବ୍‌ ଦରକାର । କାମ-କାଞ୍ଚନ ଅନିତ୍ୟ, ଈଶ୍ୱର ଏକମାତ୍ର ନିତ୍ୟ ବସ୍ତୁ-ଏହାର ନାମ ବିଚାର ।

୧୧. ଈଶ୍ୱର-ଦର୍ଶନ ନିଶ୍ଚିତ ସମ୍ଭବ । ବେଳେବେଳେ ନିର୍ଜନ-ବାସ, ତାଙ୍କର ନାମଗୁଣ ଗାନ, ବସ୍ତୁ-ବିଚାର-ଏହିସବୁ ଉପାୟ ଅବଲମ୍ବନ କରିବାକୁ ହୁଏ ।

୧୨. ଖୁବ୍‌ ବ୍ୟାକୁଳ ହୋଇ କାନ୍ଦିଲେ ତାଙ୍କୁ ଦେଖିପାରିବ ।

୧୩. ବିଷୟୀର ବିଷୟ ଉପରେ, ମା’ର ସନ୍ତାନ ଉପରେ, ଆଉ ସତୀର ପତି ଉପରେ ଆକର୍ଷଣ-ଏହି ତିନି ଆକର୍ଷଣ ଏକ ହେଲେ ଯାଇ ଭଗବାନ ଦେଖା ଦିଅନ୍ତି ।

୧୪. ଅସଲ କଥା, ଈଶ୍ୱରଙ୍କ ପ୍ରତି ପ୍ରୀତିର ଟାଣ ରଖିବାକୁ ହେବ ।

୧୫. ବିଶ୍ୱାସ ଆସିଲେ ହେଲା । ବିଶ୍ୱାସଠାରୁ ଅଧିକ କିଛି ନାହିଁ ।

୧୬. ଜ୍ଞାନୀଗଣ ଯାହାକୁ ବ୍ରହ୍ମ କହନ୍ତି, ଯୋଗୀଗଣ ତାହାଙ୍କୁ ହିଁ ଆତ୍ମା କହନ୍ତି, ଆଉ ଭକ୍ତଗଣ ତାହାଙ୍କୁ ହିଁ ଭଗବାନ କହନ୍ତି ।

୧୭. କାଳୀ କ’ଣ କଳା ! ଦୂରରେ, ତେଣୁ କଳା; ବୁଝିପାରିଲେ କଳା ନୁହନ୍ତି ।

୧୮. ମନ ହେଉଛି ସବୁ । ମନରେ ବଦ୍ଧ, ମନରେ ହିଁ ମୁକ୍ତ । ମନକୁ ଯେଉଁ ରଙ୍ଗରେ ରଙ୍ଗେଇବ, ତାହା ସେହି ରଙ୍ଗ ଧରିବ ।

୧୯. ଭଗବାନ ନାମ ଜପିଲେ ମଣିଷର ଦେହ ମନ ସବୁ ଶୁଦ୍ଧ ହୋଇଯାଏ ।

୨୦. ସଂସାରରେ ରହି ଈଶ୍ୱର ଲାଭ ହେବ ନାହିଁ କାହିଁକି ? ଜନକଙ୍କର ତ ହୋଇଥିଲା ।

୨୧. ବିବେକ-ବୈରାଗ୍ୟ ଲାଭ କରି ସଂସାର କରିବାକୁ ହୁଏ । ଈଶ୍ୱରଙ୍କ ପ୍ରତି ଅନୁରାଗ ହେଲେ ହେଲା ।

୨୨. ସଚ୍ଚିଦାନନ୍ଦ ଅସଲ ଗୁରୁ; ସେ ଶିକ୍ଷା ଦେବେ ।

୨୩. କର୍ମ ତ୍ୟାଗ କରିବ କାହିଁକି ? ଈଶ୍ୱରଙ୍କ ଚିନ୍ତା, ତାଙ୍କ ନାମଗୁଣ ଗାନ, ନିତ୍ୟକର୍ମ-ଏହିସବୁ କଲେ ହେଲା ।

୨୪. କର୍ମଯୋଗ ଅତ୍ୟନ୍ତ କଠିନ । ଭକ୍ତିଯୋଗ ହିଁ ଯୁଗଧର୍ମ ।

୨୫. ଚୈତନ୍ୟଦେବ କହିଥିଲେ-ଈଶ୍ୱରଙ୍କ ନାମର ମାହାତ୍ମ୍ୟ ବହୁତ; ଶୀଘ୍ର ଫଳ ନ ମିଳିପାରେ, କିନ୍ତୁ କେବେ ନା କେବେ ତା’ର ଫଳ ନିଶ୍ଚୟ ମିଳିବ ।

୨୬. ପୂର୍ଣ୍ଣଜ୍ଞାନର ଲକ୍ଷଣ-ପୂର୍ଣ୍ଣଜ୍ଞାନରେ ମଣିଷ ଚୁପ୍‌ ହୋଇଯାଏ ।

୨୭. କବୀର କହୁଥିଲେ ନିରାକାର ମୋର ବାପ, ସାକାର ମୋର ମା’ । ଯେ ସାକାର, ସେ ହିଁ ନିରାକାର ।

୨୮. ତୁମମାନଙ୍କ ପାଇଁ ଭକ୍ତିପଥ ଉତ୍ତମ ଓ ସହଜ ।

୨୯. ପୂର୍ବଜନ୍ମର ସଂସ୍କାର ମାନିବାକୁ ହୁଏ ।

୩୦. ଯାହାର ବୈରାଗ୍ୟ ତୀବ୍ର, ସେ ଭଗବାନ ବ୍ୟତୀତ ଆଉ କିଛି ଚାହେଁ ନାହିଁ ।

୩୧. ଯେ ଈଶ୍ୱର ଲାଭ କରିଛନ୍ତି, ସେ ଠିକ୍‌ ଦେଖନ୍ତି ନାରୀଗଣ ମା’ ବ୍ରହ୍ମମୟୀଙ୍କ ଅଂଶ, ତେଣୁ ମା’ ଭାବି ସେମାନଙ୍କୁ ପୂଜା କରନ୍ତି ।

୩୨. ‘ମୁଁ’ ମଲେ ଜଞ୍ଜାଳ ଯିବ । ‘ମୁଁ ଅକର୍ତ୍ତା’ ଏହି ବୋଧ ଆସିଲେ ସେ ଜୀବନ୍ମୁକ୍ତ ହୋଇଯିବ ।

୩୩. ‘ପ୍ରଭୁ, ବିନା ଅନୁରାଗ, କରି ଯଜ୍ଞଯାଗ, ତୁମକୁ କି ଜାଣି ହେବ ? ଏହି ଅନୁରାଗ, ଏହି ପ୍ରେମ, ଏହି ପରାଭକ୍ତି, ଏହି ପ୍ରୀତି ଯଦି ହୁଏ, ତା’ ହେଲେ ସାକାର ନିରାକାର ଉଭୟର ସାକ୍ଷାତକାର ହୁଏ ।

୩୪. ଅଭିମାନଶୂନ୍ୟ ହେବା ବଡ଼ କଠିନ । ପିଆଜ ରସୁଣକୁ କୌଣସି ପାତ୍ରରେ ରଖିବା ପରେ ପାତ୍ରଟିକୁ ଶହେଥର ଧୋଇଲେ ମଧ୍ୟ ତା’ର ଗନ୍ଧ ଯେପରି କୌଣସିମତେ ଯାଏ ନାହିଁ, ସେହିପରି ଅଭିମାନର ଲେଶ କିଛି ନା କିଛି ରହିଯାଏ ।

୩୫. ସହସ୍ର ଚେଷ୍ଟା କର, କିନ୍ତୁ ତାଙ୍କର କୃପା ନ ହେଲେ କିଛି ହେବ ନାହିଁ । କୃପା ନ ହେଲେ ତାଙ୍କର ଦର୍ଶନ ମିଳିବ ନାହିଁ । କୃପା ହେଲେ ଦର୍ଶନ ମିଳିବ । ସେ ଜ୍ଞାନସୂର୍ଯ୍ୟ । ଚିତ୍ତଶୁଦ୍ଧି ପ୍ରୟୋଜନ । ଈଶ୍ୱରଙ୍କୁ ପ୍ରାର୍ଥନା କର । ପ୍ରାର୍ଥନାରେ ଶକ୍ତି ବହୁତ ।

୩୬. ମିଥ୍ୟା ଆଦୌ ଭଲ ନୁହେଁ । ଯେଉଁମାନେ ସତ୍‌, ଅଭିନୟରେ ମଧ୍ୟ ତାଙ୍କ ପକ୍ଷରେ ମିଥ୍ୟା କଥା ବା କାର୍ଯ୍ୟ ଭଲ ନୁହେଁ ।

୩୭. ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଯେଉଁ କାମ କରୁଛି, ସେସବୁ ଭଲ । ଦୟା ଅତି ଭଲ, ସର୍ବଭୂତରେ ସମାନ ପ୍ରୀତି ହିଁ ଦୟା ।

୩୮. ଯାହାର ମନ, ପ୍ରାଣ, ଅନ୍ତରାତ୍ମା ଈଶ୍ୱରଙ୍କ ନିକଟରେ ଅର୍ପିତ, ସେ ପ୍ରକୃତ ସାଧୁ ।

୩୯. ସାଧୁସଙ୍ଗ, ତାଙ୍କର ନାମ, ଗୁଣଗାନ, ତାଙ୍କୁ ସର୍ବଦା ପ୍ରାର୍ଥନା କରିବା ଈଶ୍ୱର ଲାଭରେ ସାହାଯ୍ୟ କରେ ।

୪୦. ଯଦି ପାଗଳ ହେବ ତ ସାଂସାରିକ ବସ୍ତୁ ପାଇଁ ପାଗଳ ହେବ କାହିଁକି ? ଯଦି ପାଗଳ ହେବ ତ ଭଗବାନଙ୍କ ପାଇଁ ପାଗଳ ହୁଅ ।

୪୧. ଅନାସକ୍ତ ଭାବରେ କର୍ମ କରିଯିବାର ନାମ କର୍ମଯୋଗ । ବଡ଼ କଠିନ । ଏବେ ତ କଳିଯୁଗ, -ସହଜରେ ଆସକ୍ତି ଆସିଯାଏ ।

୪୨. କଳିରେ ଭକ୍ତିଯୋଗ, ନାରଦୀୟ ଭକ୍ତି । ଭଗବାନଙ୍କ ନାମ, ଗୁଣଗାନ ଓ ବ୍ୟାକୁଳ ହୋଇ ପ୍ରାର୍ଥନା କର, ‘ହେ ପ୍ରଭୁ ମୋତେ ଜ୍ଞାନ ଦିଅ, ଭକ୍ତି ଦିଅ, ମୋତେ ଦେଖା ଦିଅ ।‘

୪୩. ଜୀବନର ଉଦ୍ଦେଶ୍ୟ ଭଗବତ୍‌ ପ୍ରାପ୍ତି । କର୍ମ ତ ଆଦିକାଣ୍ଡ; ତାହା ଜୀବନର ଉଦ୍ଦେଶ୍ୟ ନୁହେଁ । ତେବେ ନିଷ୍କାମ କର୍ମ ଗୋଟିଏ ଉପାୟ କିନ୍ତୁ ଉଦ୍ଦେଶ୍ୟ ନୁହେଁ ।

୪୪. ଜ୍ଞାନଯୋଗରେ ଜ୍ଞାନୀ ବ୍ରହ୍ମକୁ ଜାଣିବାକୁ ଚାହେଁ-ବ୍ରହ୍ମ ସତ୍ୟ ଜଗତ୍‌ ମିଥ୍ୟା-ଏହି ବିଚାର କରେ । ବିଚାରର ଶେଷ ଯେଉଁଠି, ସେଠାରେ ସମାଧି ହୁଏ ଓ ବ୍ରହ୍ମଜ୍ଞାନ ଲାଭ ହୁଏ ।

୪୫. କର୍ମଯୋଗ-କର୍ମ କଲାବେଳେ ଭଗବାନଙ୍କ ନିକଟରେ ମନକୁ ଅର୍ପିତ କରିବା । ଭଗବାନଙ୍କ ନିକଟରେ ଫଳ ଅର୍ପଣ କରି ପୂଜା-ଜପ କରିଯିବାର ନାମ ମଧ୍ୟ କର୍ମଯୋଗ । ଭଗବତ୍‌-ଲାଭ କର୍ମଯୋଗର ଉଦ୍ଦେଶ୍ୟ ।

୪୬. ଭକ୍ତିଯୋଗ-ଭଗବାନଙ୍କ ନାମଗୁଣ କୀର୍ତ୍ତନ ପ୍ରଭୃତି କରି ତାଙ୍କ ନିକଟରେ ମନକୁ ନିବିଷ୍ଟ କରିବା ।

୪୭. ଭଗବତ୍‌-ଲାଭ ପାଇଁ ସଂସାରରେ ରହି ଗୋଟିଏ ହାତରେ ଭଗବତ୍‌ ପାଦପଦ୍ମ ଧରି ରଖିଥିବ, ଅନ୍ୟ ହାତରେ କର୍ମ ।

୪୮. ଅଧର୍ମ ଅର୍ଥାତ୍‌ ଅସତ୍‌ କର୍ମ । ଧର୍ମ ଅର୍ଥାତ୍‌ ବୈଧୀ କର୍ମ- ଏତେ ଦାନ କରିବାକୁ ହେବ, ଇତ୍ୟାଦି ।

୪୯. ଅବତାରଙ୍କ ଭିତରେ ତାଙ୍କର ବିଶେଷ ଶକ୍ତିର ପ୍ରକାଶ; ସେହି ଶକ୍ତି ବେଳେବେଳେ ପୂର୍ଣ୍ଣଭାବରେ ଥାଏ । ଶକ୍ତି ହିଁ ଅବତାର । ଅବତାରଙ୍କୁ ଦେଖିବା ଅର୍ଥ ତାଙ୍କୁ ଦେଖିବା ।

୫୦. କେବଳ ପାଣ୍ଡିତ୍ୟରେ କ’ଣ ହେବ ? ବହି, ଶାସ୍ତ୍ର-ଏସବୁ କେବଳ ଭଗବାନଙ୍କ ନିକଟରେ ପହଞ୍ଚିବାର ବାଟ ବତାଇଦିଏ । ଶାସ୍ତ୍ରର ମର୍ମ ଗୁରୁଙ୍କ ମୁହଁରୁ ଶୁଣି ସାଧନ କରିବାକୁ ହୁଏ ।

୫୧. ସେ ଶୁଦ୍ଧ ବୁଦ୍ଧିର ଗୋଚର । ଶୁଦ୍ଧ ବୁଦ୍ଧି, ଶୁଦ୍ଧ ଆତ୍ମା ଏକ । ଋଷିଗଣ ଶୁଦ୍ଧ ବୁଦ୍ଧି, ଶୁଦ୍ଧ ମନଦ୍ୱାରା ଶୁଦ୍ଧ ଆତ୍ମାର ସାକ୍ଷାତକାର କରିଥିଲେ ।

୫୨. ବ୍ରହ୍ମ ଓ ଶକ୍ତି ଅଭେଦ । ତାଙ୍କୁ ହିଁ ମୁଁ ଶକ୍ତି କହେ, କାଳୀ କହେ ।...ବ୍ରହ୍ମ ଓ କାଳୀ ଅଭେଦ, ଯେପରି ଅଗ୍ନି ଓ ଦାହିକା ଶକ୍ତି । ଅଗ୍ନି କଥା ଭାବିଲେ ହିଁ ଦାହିକା-ଶକ୍ତିର କଥା ଭାବିବାକୁ ହୁଏ ।

୫୩. ଜନକ ନିର୍ଲିପ୍ତ ବୋଲି ତାଙ୍କର ଅନ୍ୟ ନାମ ବିଦେହ, ଅର୍ଥାତ୍‌ ତାଙ୍କର ଦେହବୁଦ୍ଧି ନାହିଁ । ସେ ସଂସାରରେ ରହି ମଧ୍ୟ ଜୀବନ୍ମୁକ୍ତ ହୋଇଥିଲେ ।

୫୪. ଜପଦ୍ୱାରା ଭଗବତ୍‌-ପ୍ରାପ୍ତି ହୁଏ । ନିର୍ଜନରେ, ଗୋପନରେ ତାଙ୍କର ନାମ ଜପୁ ଜପୁ ତାଙ୍କ କୃପା ମିଳେ । ତା’ପରେ ଦର୍ଶନ ।

୫୫. ସବୁ କାମ ଛାଡ଼ି ସନ୍ଧ୍ୟାବେଳେ ତୁମେ ତାଙ୍କୁ ଡ଼ାକ ।

୫୬. ଭକ୍ତିଦ୍ୱାରା ସବୁ ମିଳେ । ଯେଉଁମାନେ ବ୍ରହ୍ମଜ୍ଞାନ ଚାହାନ୍ତି, ସେମାନେ ଯଦି ଭକ୍ତିପଥ ଧରି ଥାଆନ୍ତି, ତା’ହେଲେ ବ୍ରହ୍ମଜ୍ଞାନ ମଧ୍ୟ ପାଆନ୍ତି ।

୫୭. ଅସଲ କଥା ହେଲା ବିଶ୍ୱାସ । (ଗୁରୁବାକ୍ୟରେ) ବିଶ୍ୱାସ ହେବା ଦରକାର, ବାଳକର ବିଶ୍ୱାସ ଭଳି ।

୫୮. ନାମ କଅଣ କମ୍‌ ? ସେ ଏବଂ ତାଙ୍କ ନାମରେ ଫରକ୍‌ ନାହିଁ । ନାମ ଓ ନାମୀ ଅଭେଦ ।

୫୯. ଯେ ପାପ ହରଣ କରନ୍ତି ସେ ହରି । ହରି ତ୍ରିତାପ ହରଣ କରନ୍ତି । ଚୈତନ୍ୟଦେବ ହରିନାମ ପ୍ରଚାର କରିଥିଲେ । ହରିନାମର ଅପାର ମାହାତ୍ମ୍ୟ ।

୬୦. କାହାରି ନିନ୍ଦା କର ନାହିଁ-ପୋକ ମାଛିର ମଧ୍ୟ ନୁହେଁ । ଯେପରି ଭକ୍ତି ପ୍ରାର୍ଥନା କରିବ, ସେହିପରି ଏହା ମଧ୍ୟ କହିବ-‘ମୁଁ ଯେପରି କାହାରି ନିନ୍ଦା ନ କରେ ।‘

୬୧. ଅନ୍ନ ଦାନ ଠାରୁ ଜ୍ଞାନ ଦାନ, ଭକ୍ତି ଦାନ ଆହୁରି ବଡ଼ । ଚୈତନ୍ୟଦେବ ସେଥିପାଇଁ ଆଚଣ୍ଡାଳ ଭକ୍ତି ବିତରଣ କରିଥିଲେ ।

୬୨. ନାରୀଙ୍କର ଲଜ୍ଜା ହିଁ ଭୂଷଣ ।

୬୩. ସତ୍ୟ ହିଁ କଳିର ତପସ୍ୟା । ଯେଉଁମାନେ ବିଷୟକର୍ମ କରନ୍ତି-ଅଫିସ କାମ ହେଉ ବା ବ୍ୟବସାୟ ହେଉ-ସେମାନେ ମଧ୍ୟ ସତ୍ୟରେ ରହିବା ଉଚିତ୍‌ ।

୬୪. ଯେପରି ପାଦରେ ଜୋତା ଥିଲେ ଲୋକ ସ୍ୱଚ୍ଛନ୍ଦରେ କଣ୍ଟା ଉପରେ ମଧ୍ୟ ଚାଲିଯାଏ, ସେହିପରି ତତ୍ତ୍ୱଜ୍ଞାନ ଲାଭ କଲେ ମଣିଷ ଏହି କଣ୍ଟକମୟ ସଂସାରରେ ଅନାୟାସରେ ବିଚରଣ କରିପାରେ ।

୬୫. ସାକାର ଓ ନିରାକାର କିପରି ଜାଣ ? ଯେପରି ପାଣି ଓ ବରଫ । ଯେତେବେଳେ ପାଣି ଜମାଟ ବାନ୍ଧି ରହେ, ସେତେବେଳେ ସାକାର, ଆଉ ଯେତେବେଳେ ତରଳି ପାଣି ହୁଏ, ସେତେବେଳେ ନିରାକାର ।

୬୬. ପାଣି ଗୋଳିଆ ଥିଲେ ଚନ୍ଦ୍ର-ସୂର୍ଯ୍ୟର ପ୍ରତିବିମ୍ବ ସେଥିରେ ଠିକ୍‌ ଦେଖାଯାଏ ନାହିଁ । ସେହିଭଳି ‘ମାୟା’ ଅର୍ଥାତ୍‌ ‘ମୁଁ’ ଓ ‘ମୋର’ ଏହି ବୋଧ ଯେତେବେଳ ଯାଏ ନ ଯିବ, ସେତେବେଳ ଯାଏ ଆତ୍ମାର ସାକ୍ଷାତ୍‌କାର ହେବ ନାହିଁ ।

୬୭. ରେଳଗାଡ଼ିର ଇଞ୍ଜିନ ଆପେ ଚାଲିଯାଏ ଏବଂ କେତେଗୁଡ଼ିଏ ମାଲଗାଡ଼ିକୁ ମଧ୍ୟ ଟାଣି ନେଇଯାଏ । ଅବତାରଗଣ ସେହିପରି ସହସ୍ର ସହସ୍ର ଲୋକଙ୍କୁ ଭଗବାନଙ୍କ ନିକଟକୁ ନେଇଯାଆନ୍ତି ।

୬୮. ଯେ ମୂଳା ଖାଇଥାଏ, ତା’ର ହାକୁଟିରେ ମୂଳାର ଗନ୍ଧ ମିଳେ । ସେହିପରି ଯେ ଧାର୍ମିକ ତା’ ସହିତ ଆଳାପ କଲେ ସେ କେବଳ ଧର୍ମପ୍ରସଙ୍ଗ କରେ ଏବଂ ଯେ ବିଷୟୀ, ସେ କେବଳ ବିଷୟ ଚର୍ଚ୍ଚା କରେ ।

୬୯. ସୂର୍ଯ୍ୟର କିରଣ ସବୁ ଜାଗାରେ ସମାନ ଭାବରେ ପଡ଼ିଲେ ମଧ୍ୟ ପାଣି, ଦର୍ପଣ ବା କୌଣସି ସ୍ୱଚ୍ଛ ପଦାର୍ଥରେ ବେଶୀ ପ୍ରକାଶିତ ହୁଏ । ସେହିପରି ଭଗବାନ ସକଳ ହୃଦୟରେ ସମାନ ଥିଲେ ମଧ୍ୟ ସାଧୁମାନଙ୍କ ହୃଦୟରେ ତାଙ୍କର ବେଶି ପ୍ରକାଶ ଦେଖାଯାଏ ।

୭୦. ବାଘ ଭିତରେ ମଧ୍ୟ ଭଗବାନ ଅଛନ୍ତି, କିନ୍ତୁ ବାଘ ମୁହଁକୁ ଯିବା ଉଚିତ୍‌ ନୁହେଁ । ସେହିଭଳି ଦୁଷ୍ଟ ଲୋକଙ୍କ ଭିତରେ ମଧ୍ୟ ଭଗବାନ ଅଛନ୍ତି, କିନ୍ତୁ ତାଙ୍କର ସଙ୍ଗ କରିବା ଉଚିତ୍‌ ନୁହେଁ ।

୭୧. ସତ୍‌ଲୋକର ରାଗ କିଭଳି ଜାଣ ? ଯେପରି ପାଣିର ଗାର । ପାଣି ଉପରେ ଗାର କାଟିଲେ ଯେପରି ସଙ୍ଗେ ସଙ୍ଗେ ମିଳେଇଯାଏ, ସେହିପରି ସତ୍‌ ଲୋକର ରାଗ କ୍ଷଣକ ପରେ ଶାନ୍ତ ହୋଇଯାଏ ।

୭୨. ମଣିଷ ଓ ମାନହୁଁସ୍‌ । ଯେଉଁମାନେ ଭଗବାନଙ୍କ ପାଇଁ ବ୍ୟାକୁଳ ସେମାନେ ମାନହୁଁସ୍‌ । ଆଉ ଯେଉଁମାନେ କାମ-କାଞ୍ଚନରୂପକ ବିଷୟରେ ମତ୍ତ, ସେମାନେ ସବୁ ସାଧାରଣ ମଣିଷ ।

୭୩. ‘ତାକ୍‌ ତେରେ କେଟେ ତାକ୍‌’ ତାଳ ମୁହଁରେ କହିବା ସହଜ, କିନ୍ତୁ ହାତରେ ବଜାଇବା କଠିନ । ସେହିଭଳି ଧର୍ମକଥା ମୁହଁରେ କହିବା ସହଜ, କିନ୍ତୁ କାମରେ କରିବା କଠିନ ।

୭୪. ଲୁଚକାଳି ଖେଳରେ ଯେପରି ବୁଢ଼ୀକୁ ଛୁଇଁଲେ ଚୋର ହୁଅନ୍ତି ନାହିଁ, ସେହିପରି ଭଗବାନଙ୍କ ପାଦପଦ୍ମ ଛୁଇଁଲେ ଆଉ ସଂସାରରେ ଆବଦ୍ଧ ହେବାକୁ ପଡ଼େ ନାହିଁ ।

୭୫. ସଂସାରରେ ଥାଇ ମଧ୍ୟ ଯିଏ ସାଧନା କରିପାରନ୍ତି, ସେ ବୀର ସାଧକ । ବୀର ପୁରୁଷ ଯେପରି ମୁଣ୍ଡରେ ବୋଝ ବୋହି ମଧ୍ୟ ଚାରିଆଡ଼କୁ ଅନାଇଁ ପାରନ୍ତି, ବୀର ସାଧକ ମଧ୍ୟ ସେହି ଭଳି ସଂସାରର ବୋଝ କାନ୍ଧରେ ବୋହି ଭଗବାନଙ୍କ ନିକଟରେ ମନ ନିବିଷ୍ଟ କରିପାରନ୍ତି ।

୭୬. ପାଣିରେ ନୌକା ରହିଲେ କ୍ଷତି ନାହିଁ । କିନ୍ତୁ ନୌକା ଭିତରେ ପାଣି ଯେପରି ନ ପଶେ, ତା’ ହେଲେ ନୌକା ବୁଡ଼ିଯିବ । ସାଧକ ସଂସାରରେ ରହୁ, କ୍ଷତି ନାହିଁ, କିନ୍ତୁ ସାଧକର ମନ ଭିତରେ ଯେପରି ସଂସାର ନ ରହେ ।

୭୭. ମନ ମୁହଁ ଏକ କରିବା ହେଉଛି ପ୍ରକୃତ ସାଧନା । ନ ହେଲେ ମୁହଁ କହୁଛି- ‘ହେ ଭଗବାନ, ତୁମେ ମୋର ସର୍ବସ୍ୱ ଧନ’-ଆଉ ମନ ଭିତରେ ବିଷୟକୁ ସର୍ବସ୍ୱ ଜ୍ଞାନ କରି ବସି ରହିଛି । ଏଭଳି ଲୋକଙ୍କ ସକଳ ସାଧନା ବିଫଳ ହୁଏ ।

୭୮. ବାସନାର ଲେଶ ମାତ୍ର ଥିଲେ ଭଗବାନଙ୍କୁ ଲାଭ କରି ହୁଏ ନାହିଁ, ଯେପରି ସୂତା ଭିତରେ କେଉଁଠି ଟିକେ ଆଁଶୁଥିଲେ ଛୁଞ୍ଛିରେ ଗଳେ ନାହିଁ । ମନ ଯେତେବେଳେ ବାସନା ଶୂନ୍ୟ ହୋଇ ଶୁଦ୍ଧ ହୁଏ, ସେତେବେଳେ ଯାଇ ସଚ୍ଚିଦାନନ୍ଦ ପ୍ରାପ୍ତି ହୁଏ ।

୭୯. ଯେପରି ପବନ ବାଜି ପାଣି ହଲିଲେ ପ୍ରତିବିମ୍ବ ଠିକ୍‌ ଦେଖାଯାଏ ନାହିଁ, ସେହିପରି ମନ ସ୍ଥିର ନ ହେଲେ ସେଥିରେ ଭଗବାନଙ୍କର ପ୍ରକାଶ ହୁଏ ନାହିଁ ।

୮୦. ସହ୍ୟ ଗୁଣଠାରୁ ଆଉ ଗୁଣ ନାହିଁ । ଯେ ସହେ, ସେ କେବଳ ରହେ । ଯେ ନ ସହେ, ସେ ନାଶ ହୁଏ । ସକଳ ବର୍ଣ୍ଣ ଭିତରେ ‘ସ’ ତିନୋଟି-ଶ, ଷ, ସ ।

୮୧. ଲକ୍ଷ ଲକ୍ଷ ଟଙ୍କାର ହୀରା, ମୋତି ବଜାରରେ ମିଳିବ, କିନ୍ତୁ କୃଷ୍ଣଙ୍କୁ ଅର୍ପିତ ମନ କେତୋଟି ମିଳିବ ?

୮୨. ସନ୍ଧ୍ୟା ଆହ୍ନିକ ସେତିକି ଦିନ ଯାଏ ଦରକାର, ଯେତେ ଦିନ ଯାଏ ତାଙ୍କ ପାଦପଦ୍ମରେ ଭକ୍ତି ପ୍ରେମ ନ ହୋଇଛି ଓ ତାଙ୍କ ନାମ ଜପୁ ଜପୁ ଆଖିରୁ ଅଶ୍ରୁ ନ ଝରିଛି, ଆଉ ଶରୀର ରୋମାଞ୍ଚିତ ନ ହୋଇଛି ।

୮୩. ଅହଲ୍ୟା କହିଥିଲେ-‘ହେ ରାମ ! ଯଦି ଶୂକର ଯୋନିରେ ମୋର ଜନ୍ମ ହୁଏ, ତା’ ବି ମୁଁ ସ୍ୱୀକାର କରିବି, କିନ୍ତୁ ଯେପରି ତୁମର ଶ୍ରୀପାଦପଦ୍ମରେ ମୋର ଅଚଳା ଶ୍ରଦ୍ଧାଭକ୍ତି ରହେ । ଆଉ ଅଧିକ କିଛି ମୁଁ ଚାହେଁ ନାହିଁ ।’

୮୪. ଯେପରି ଆମ୍ବ ପାଚିଲେ ଡେମ୍ଫରୁ ଆପଣା ଛାଏଁ ଖସି ପଡ଼େ, ସେହିପରି ଜ୍ଞାନ ଲାଭ ହେଲେ ଆତ୍ମାଭିମାନ ଆପଣା ଛାଏଁ ଚାଲିଯାଏ । ଜୋର କରି ଜାତି ତ୍ୟାଗ କରିବା ଉଚିତ ନୁହେଁ ।

୮୫. ଛାତ ଉପରକୁ ଉଠିବାକୁ ହେଲେ ନିଶୁଣି, ବାଉଁଶ, ପାହାଚ ପ୍ରଭୃତି ନାନା ମାଧ୍ୟମରେ ଉଠିବାକୁ ପଡ଼େ; ସେହିପରି ପରମେଶ୍ୱରଙ୍କ ନିକଟକୁ ଯିବାର ବହୁ ଉପାୟ ରହିଛି । ପ୍ରତ୍ୟେକ ଧର୍ମ ହେଉଛି ତାହାର ଗୋଟିଏ ଉପାୟ ।

୮୬. ଯେପରି କାଳୀ ମନ୍ଦିରକୁ ଆସିବାକୁ ହେଲେ କିଏ ନୌକାରେ, କିଏ ଗାଡ଼ିରେ, କିଏ ବା ପାଦରେ ଚାଲି ଆସନ୍ତି, ସେହିପରି ଭିନ୍ନ ଭିନ୍ନ ମତ ଆଶ୍ରୟ କରି ମଣିଷ ସଚ୍ଚିଦାନନ୍ଦ-ଲାଭ ହୋଇଥାଏ । ଯେତେ ମତ ସେତେ ପଥ ।

୮୭. ଯେଉଁମାନଙ୍କର ସଂକୀର୍ଣ୍ଣ ଭାବ ସେହିମାନେ ହିଁ କେବଳ ଅନ୍ୟମାନଙ୍କ ଧର୍ମକୁ ନିନ୍ଦା କରନ୍ତି ଓ ଆପଣା ଧର୍ମକୁ ଶ୍ରେଷ୍ଠ ବୋଲି କହନ୍ତି ।

୮୮. ଭଗବାନ ଏକ, ସାଧକ ଓ ଭକ୍ତଗଣ ଭିନ୍ନ ଭିନ୍ନ ଭାବରେ ଓ ରୁଚି ଅନୁସାରେ ତାଙ୍କର ଉପାସନା କରନ୍ତି ।

୮୯. ଭଗବାନଙ୍କ ନାମ ଓ ଚିନ୍ତା ଯେଉଁଭାବରେ କରନା କାହିଁକି, ସେଥିରେ କଲ୍ୟାଣ ହେବ । ଯେପରି ମିଶ୍ରିର ରୁଟି ସିଧା କରି ଖାଅ ବା ଆଡ଼ ପଟୁ ଖାଅ, ମିଠା ଲାଗିବ ହିଁ ଲାଗିବ ।

୯୦. ହାତ ତାଳି ମାରି ସକାଳ ଓ ସନ୍ଧ୍ୟାରେ ହରି ନାମ କର, ତା’ହେଲେ ସବୁ ପାପତାପ ଦୂର ହେବ ।

୯୧. ଗୀତାର ସାର ଅର୍ଥ-ହେ ଜୀବ, ସବୁ ତ୍ୟାଗ କରି ଭଗବାନଙ୍କୁ ପାଇବା ପାଇଁ ସାଧନା କର ।

୯୨. ବ୍ରହ୍ମ ଯେ କି ବସ୍ତୁ, ମୁହଁରେ କହିହେବ ନାହିଁ । ସବୁ ଜିନିଷ ଅଇଁଠା ହୋଇଛି (ଅର୍ଥାତ୍‌ ମୁହଁରେ କୁହାଯାଇଛି)-କିନ୍ତୁ ବ୍ରହ୍ମ କଅଣ, ତା’ କେହି ମୁହଁରେ କହିପାରି ନାହାନ୍ତି । ତେଣୁ ତାହା ଅଇଁଠା ହୋଇ ନାହିଁ ।

୯୩. ମୁଁ ‘ରାମ ରାମ’ କରି ପାଗଳ ହୋଇଥିଲି ।...ରାମଲାଲା -ରାମଲାଲା କହି କହି ପାଗଳ ହୋଇଗଲି ।

୯୪. ଭକ୍ତି ଘେନି ରହିଲେ ଜ୍ଞାନ ଭକ୍ତି ଉଭୟ ହୁଏ । ଦରକାର ହେଲେ ସେ ବ୍ରହ୍ମଜ୍ଞାନ ମଧ୍ୟ ଦିଅନ୍ତି । ଖୁବ୍‌ ଉଚ୍ଚ ଆଧାର ହେଲେ ଉଭୟ ଦିଅନ୍ତି ।

୯୫. ବ୍ରହ୍ମ ବାକ୍ୟ ଓ ମନର ଅତୀତ । ଲୁଣର ପିତୁଳା ସମୁଦ୍ର ମାପିବାକୁ ଯାଇଥିଲା, କିନ୍ତୁ ଖବର ଦେବା ପାଇଁ ଆଉ ଫେରିଲା ନାହିଁ- ସମୁଦ୍ରରେ ମିଶିଗଲା ।

୯୬. ବ୍ୟାକୁଳତା ଦରକାର । ବ୍ୟାକୁଳ ହେଲେ ସେ ଶୁଣିବେ ନିଶ୍ଚୟ । ସେ ତୁମର ବାପ, ସେ ତୁମର ମା’-ତାଙ୍କ ଉପରେ ଜୋର କରିବା ଚଳେ ।

୯୭. କୁମାରୀ-ପୂଜା କରନ୍ତି କାହିଁକି ? ସବୁ ସ୍ତ୍ରୀ ଲୋକ ଭଗବତୀଙ୍କର ଗୋଟିଏ ଗୋଟିଏ ରୂପ । ଶୁଦ୍ଧାତ୍ମା କୁମାରୀ ଭିତରେ ଭଗବତୀଙ୍କର ବେଶି ପ୍ରକାଶ ।

୯୮. ଭଗବାନ ହିଁ କେବଳ ବସ୍ତୁ, ଆଉ ସବୁ ଅବସ୍ତୁ । ସର୍ବାନ୍ତଃକରଣରେ ତାଙ୍କର ଆରାଧନା କରିବା ଉଚିତ ।

୯୯. ପାନ ଗୁଣ୍ଡି ଛାଡ଼ିଲେ କଅଣ ହେବ ? କାମ-କାଞ୍ଚନ ତ୍ୟାଗ ହିଁ ତ୍ୟାଗ ।

୧୦୦. ଜ୍ୱଳନ୍ତ ବିଶ୍ୱାସ ଦରକାର । କଅଣ ଥରେ କାଳୀନାମ, ଦୁର୍ଗାନାମ ଜପିଛି, ଥରେ ରାମନାମ ଜପିଛି, ମୋର ପୁଣି ପାପ !

୧୦୧. ମୁଁ ମା’ଙ୍କୁ ଏପରି ଡାକୁଥିଲି ‘ମା’ ଆନନ୍ଦମୟୀ ! ଦେଖା ଦେବାକୁ ହେବ ।’ ପୁଣି କହୁଥିଲି-‘ହେ ଦୀନନାଥ, ଜଗନ୍ନାଥ, ମୁଁ ତ ଜଗତଛଡ଼ା ନୁହେଁ ନାଥ ! ମୁଁ ଜ୍ଞାନହୀନ, ଭକ୍ତିହୀନ, ମୁଁ କିଛି ଜାଣେ ନାହିଁ-ଦୟାକରି ମୋତେ ଦେଖା ଦିଅ!’

ରାମକୃଷ୍ଣ ମିଶନର ମୂଖ୍ୟାଳୟ ବେଲୁଡ଼ ମଠରେ ଥିବା ଶ୍ରୀରାମକୃଷ୍ଣଙ୍କ ମାର୍ବଲ ପ୍ରତିମୂର୍ତ୍ତି

ଆଧାର[ସମ୍ପାଦନା]

  1. ଶ୍ରୀଶ୍ରୀରାମକୃଷ୍ଣ କଥାମୃତ,ଶ୍ରୀ ମ,ଉଦ୍ୱୋଧନ , କଲିକତା,୨୦୧୦
  2. ରାମକୃଷ୍ଣ ଲୀଳାପ୍ରସଙ୍ଗ,ସ୍ୱାମୀ ସାରଦାନନ୍ଦ ,ପ୍ରଥମ ଭାଗ,ଉଦ୍ୱୋଧନ କଲିକତା,୨୦୦୮

ବାହାର ଆଧାର[ସମ୍ପାଦନା]

ଛାଞ୍ଚ:ସ୍ୱାମୀ ବିବେକାନନ୍ଦ