କୁବେର

ଉଇକିପିଡ଼ିଆ ରୁ
Jump to navigation Jump to search
କୁବେର
Lord of Wealth and the North-direction
ଉପାଧିଦେବ, ଲୋକପାଳ, ଦିଗପାଳ
ବାସସ୍ଥାନଅଳକାପୁରୀ (ସ୍ୱର୍ଗରେ)
ମନ୍ତ୍ରOṃ Shaṃ Kuberāya Namaḥ
ଅସ୍ତ୍ରGadā (Mace)
ସାଥିRiddhi or Bhadra/Kauberi/Charvi
ବାହନମଣିଷ/ହାତୀ

ଯୁଗେ ଯୁଗେ ମନ୍ୟୁଷ୍ୟ ଧନକୁ ପୂଜା କରି ଆସିଛି ଓ ଧନପତିର ଦାସତ୍ୱ ସ୍ୱୀକାର କରିଛି । ଏହି ମର୍ମରେ ବୋଧହୁଏ ନରବାହାନ , ଧନପତି କୁବେରଙ୍କ ପରିକଳ୍ପନା । ବୈଦିକ ବିଶ୍ୱାସରେ ଦିବପାଳମାନଙ୍କ ମଧ୍ୟରେ ସେ ଉତ୍ତର ଦିଗର ଅଧିପତି । କୁବେର ପୁଲଶ୍ୟଙ୍କ ପୁତ୍ର ହୋଇଥିବାରୁ ତାଙ୍କ ଅନ୍ୟନାମ ବୈଶ୍ରବଣ । ଏହା ବ୍ୟତିତ ତାଙ୍କ କୁତ୍ସିତ ରୂପଯୋଗୁଁ ସେ କୁବେର , ଧନପତି ଯୋଗୁ ଧନଦ, ଅଷ୍ଟନିଧିର ପ୍ରଭୁ ହେଇଥିବାରୁ ନିଧିପତି, ଯକ୍ଷମାନଙ୍କ ରାଜା ହେଇଥିବାରୁ ଯକ୍ଷପତି ବା ଯକ୍ଷେନ୍ଦ୍ର, ଗୁହ୍ୟିକମାନଙ୍କ ସ୍ୱାମୀ ହେଇଥିବାରୁ ଗୁହ୍ୟପତି ନାମରେ ମଧ୍ୟ ପରିଚିତ । [୧]

ପରିଚୟ[ସମ୍ପାଦନା]

କୁବେରଙ୍କ ପତ୍ନୀଙ୍କ ନାମ ରିଦ୍ଧି ଓ ରାଜା ଜନ୍ନଭି ତାଙ୍କ ପୁତ୍ର ଅଟନ୍ତି । ତେବେ ଉତ୍ତର ଭାରତରେ କେତେକ ହିନ୍ଦୁମୂର୍ତ୍ତି କଳାରେ କୁବେରଙ୍କ ସହିତ ଲକ୍ଷ୍ମୀଙ୍କୁ ମଧ୍ୟ ଦେଖିବାକୁ ମିଳେ । କେତେକ ଗ୍ରନ୍ଥରେ କୁବେରଙ୍କୁ ଶିବଙ୍କ ଭ୍ରାତା ବୋଲି ମଧ୍ୟ କୁହାଯାଇଛି । କୈଳାସ ତାଙ୍କର ବାସସ୍ଥାନ ହୋଇଥିବାରୁ ତାହାଙ୍କୁ କୁବେରାଦ୍ରି ମଧ୍ୟ କୁହାଯାଏ । [୨] ଅନ୍ୟକେତେକ ସ୍ଥାନରେ ଅଳକାପୁରୀ ତାଙ୍କର ରାଜଧାନୀ ବୋଲି ବର୍ଣ୍ଣିତ ହେଇଥିବାରୁ ତାହା କୁବେରାଚଳ ନାମରେ ଖ୍ୟାତ । ବ୍ରାହ୍ମଣ ଗ୍ରନ୍ଥମାନଙ୍କରେ କୁବେରଙ୍କୁ ଯକ୍ଷ ଓ ଗୁହ୍ୟିକ ଓ ତସ୍କରଙ୍କ ରାଜା ବୋଲି ବର୍ଣ୍ଣନା କରାଯାଇଛି ଏବଂ ଗଣମାନେ କୁବେରଙ୍କ ଆଜ୍ଞାଧୀନ ଭୃତବୋଲି କୁହାଯାଇଛି । [୩] କେତେକ ପ୍ରାଚୀନ ମନ୍ଦିରରେ ଲକ୍ଷ୍ମୀଙ୍କ ସହିତ କୁବେରଙ୍କୁ ଦେଖିବାକୁ ମିଳେ ।

ପୁରାଣ ଓ ଗ୍ରନ୍ଥ[ସମ୍ପାଦନା]

ବିଭିନ୍ନ ପୁରାଣ ଓ ଗ୍ରନ୍ଥମାନଙ୍କରେ କୁବେରଙ୍କ ରୂପ , ଆୟୁଧ ଓ ବାହାନ ବର୍ଣ୍ଣନାରେ କେତେକ ପାର୍ଥକ୍ୟ ଥିବା ସତ୍ତ୍ୱେ ସେ ପୃଥୁଳ ଶରୀର ଓ କଦାକାର । ମହାଭାରତରେ ତାଙ୍କ ବର୍ଣ୍ଣ ସୂର୍ଯ୍ୟଙ୍କ ସଦୃଶ୍ୟ ଉଜ୍ଜ୍ୱଳ ଓ ତାଙ୍କ ବାମ ଭାଗରେ ବାମା ରିଦ୍ଧି ରହିବା କୁହାଯାଇଛି । ବୃହତ ସଂହିତାରେ ଲମ୍ବୋଦର ଏବଂ ମସ୍ତକରେ କିଞ୍ଚିତ ବାମକୁ ଢ଼ଳିପଡ଼ିଥିବା ହୀରକଯୁକ୍ତ ମୁକୁଟ , ହସ୍ତମାନଙ୍କରେ ଶଙ୍ଖ ଓ ପଦ୍ମନିଧି ସହିତ ମୁଦ୍ଗର ଧାରଣ କରିଥିବା ବର୍ଣ୍ଣିତ ହେଇଛି । ଏଠାରେ ତାହାଙ୍କ ବାହାନ ମନ୍ୟୁଷ୍ୟ । ପ୍ରାଚୀନ ଗ୍ରନ୍ଥ ଅଂଶୁମଦ୍ଭେଦାଦଗମର ବର୍ଣ୍ଣନା ଅନୁଯାୟୀ ତାହାଙ୍କ ଦୁଇ ହସ୍ତରୁ ବାମ ହସ୍ତରେ ମୁଦ୍ଗର ଓ ଦକ୍ଷିଣ ହସ୍ତ ବରଦ କିମ୍ବା ଅଭୟ ମୁଦ୍ରାରେ ରହିବା ସହିତ ତାଙ୍କ ନିକଟରେ ଶଂଙ୍ଖ ଓ ପଦ୍ମନିଧି କିମ୍ବା ଅଷ୍ଟନିଧି ପାତ୍ର ରହିବା ବର୍ଣ୍ଣିତ ହୋଇଛି । ଏଠାରେ ତାଙ୍କ ବାହାନ ମେଷ ଓ ଯକ୍ଷମାନେ ତାଙ୍କ ଅନୁଚର ଅଟନ୍ତି ।[୪] ରୂପମଣ୍ଡନ ଗ୍ରନ୍ଥର ବର୍ଣ୍ଣନାନୁସାରେ ସେ ଚତୁର୍ଭୁଜ ଏବଂ ତାଙ୍କର ହସ୍ତରେ ନିଧିପାତ୍ର, ମୁଦ୍ଗର , ଅର୍ଦ୍ଧଚନ୍ଦ୍ର ଓ କମଣ୍ଡଳୁ ରହିଛି । ଏଠାରେ ସେ ନର କିମ୍ବା ଗଜାରୁଢ଼ । ଶିଳ୍ପଶାସ୍ତ୍ର ଶିଳ୍ପରତ୍ନରେ କୁବେରଙ୍କ କଦାକର ରୂପ , ଲୋମ୍ବୋଦର , ଆଜାନୁଲମ୍ବିତ ବାହୁ, ଅଷ୍ଟନିଧି ପାତ୍ର ସହିତ ତାହାଙ୍କ ରଥକୁ ମନ୍ୟୁଷ୍ୟ କିମ୍ବା ଗୁହ୍ୟିକମାନେ ବହନ କରୁଥିବା ବର୍ଣ୍ଣନା ରହିଛି । ହେମାଦ୍ରିଙ୍କ ରଚିତ ମୟସମାଗ୍ରହ ଶିଳ୍ପଶାସ୍ତ୍ରରେ ସେ ହସ୍ତରେ ନିଧିପାତ୍ର , ମଦ୍ୟପାତ୍ର ଧାରଣ କରିବା ସହ ପରିଚାରିକାମାନଙ୍କ ଗ୍ରହଣରେ ନିଶାଗ୍ରସ୍ତ ଦେଖାଯାଉଥିବା ଉଲ୍ଲେଖ ଅଛି । ଉତ୍ତର ଓ ଉତ୍ତର-ପଶ୍ଚିମାଞ୍ଚଳ ଅର୍ଥାତ ଗାନ୍ଧାର ଶୈଳୀର ଅନେକ ପ୍ରାଚୀନ ମୂର୍ତ୍ତି ଏହି ଭାବକୁ ନେଇ ନିର୍ମିତ ହୋଇଥିବା ଦେଖାଯାଏ ।

ବିଶ୍ୱାସ[ସମ୍ପାଦନା]

ବିଶ୍ୱାସ କରାଯାଏ ଯେ କୁବେର ତାଙ୍କ ଧନରାଶି ଓ ଅଷ୍ଟନିଧିର ରକ୍ଷାନିମନ୍ତେ ବିଭିନ୍ନ ଯୁଦ୍ଧାସ୍ତ୍ର ଧାରଣ କରିବା ସଙ୍ଗେ ସଙ୍ଗେ ଯକ୍ଷ ଓ ଗୁହ୍ୱିକଗଣଙ୍କୁ ଅନୁଚର ଭାବେ ନିଯୁକ୍ତ କରିଥାନ୍ତି । ମାର୍କଣ୍ଡେୟ ପୁରାଣ ଅନୁଯାୟୀ କୁବେରଙ୍କ ଅଷ୍ଟନିଧି ହେଲା - ପଦ୍ମ, ମହାପଦ୍ମ, କପଚ୍ଛ, ମୁକୁନ୍ଦ, ନୀଳ, ନଳ, ଶଙ୍ଖ ଓ ରତ୍ନ । କୁବେର ତାହାଙ୍କ ପତ୍ନୀ , ସମୃଦ୍ଧିର ଦେବୀ ରିଦ୍ଧୀଙ୍କ ସହିତ ପୂଜା ହୁଅନ୍ତି । କୌଟିଲ୍ୟ ତାହାଙ୍କ ଅର୍ଥଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି ଯେ ଶ୍ରୀ ଓ ସମୃଦ୍ଧି ପ୍ରାପ୍ତି ନିମନ୍ତେ ରାଜପ୍ରାସାଦମାନଙ୍କର ଉତ୍ତର ଦିଗରେ କୁବେରଙ୍କ ମନ୍ଦିର ରହିବା ବିଧେୟ । ଏହି ବିଶ୍ୱାସରେ ପୂଜିତ ହେଉଥିବା ପ୍ରାଚୀନ ଭାରତର ନଗର, ନଗରୀ ଓ ପ୍ରାସାଦମାନଙ୍କରୁ ବହୁ ମୂର୍ତ୍ତି ପ୍ରାପ୍ତ ହେଉଛି ।

ଧର୍ମଧାରଣା[ସମ୍ପାଦନା]

ପ୍ରାଚୀନ ଧର୍ମ ଧାରଣାର ଲୋକପାଳ ପରମ୍ପରାରେ ପୂର୍ବ ଦିଗର ଦିଗପାଳ ହେଉଛନ୍ତି ଧୃତରାଷ୍ଟ୍ର, ପଶ୍ଚିମର ବିରୂପାକ୍ଷ, ଦକ୍ଷିଣର ବିରୂତକ ଓ ଉତ୍ତରର କୁବେର ଅଟନ୍ତି । ଏମାନେ ନିଜନିଜ ଦିଗର ରକ୍ଷାକର୍ତ୍ତା ଦେବତା । ବୌଦ୍ଧ ଧର୍ମ ଓ ଜୈନମାନେ ମଧ୍ୟ ଏହି ମର୍ମରେ କୁବେରଙ୍କୁ ବିଶ୍ୱାସ କରିବା ବେଳେ ଏହି ଧର୍ମ ଗ୍ରନ୍ଥମାନଙ୍କରେ ସେ ବୈଶ୍ରବଣ ଓ ଜାମ୍ବେଳ ନାମରେ ପରିଚିତ । ଏହା ବ୍ୟତିତ ସେ ପ୍ଣ୍ୟଜନ ଓ ପୂଜ୍ୟଜନ ଭାବରେ ସମ୍ମାନିତ । [୫]

ବୌଦ୍ଧ[ସମ୍ପାଦନା]

ବୌଦ୍ଧ ଗ୍ରନ୍ଥମାନଙ୍କର ବିଭିନ୍ନ ସ୍ଥାନରେ ବୈଶ୍ରବଣ ବା ଜାମ୍ବେଳଙ୍କ ବିଷୟରେ ବର୍ଣ୍ଣନାମାନ ଦେଖାଯାଏ । ବଜ୍ରଜାନ ମତାବଲମ୍ବୀ ଅଭୟକ ଗୁପ୍ତଙ୍କ ରଚିତ ନିଷ୍ପନ୍ନ ଯୋଗାବଳି ଗ୍ରନ୍ଥରେ ଅଷ୍ଟଯକ୍ଷଙ୍କ ନାମ ମଧ୍ୟରେ ଧନଦ ଓ ବୈଶ୍ରବଣଙ୍କ ନାମ ଭିନ୍ନ ଭିନ୍ନ ଭାବରେ ରହିଛି । ଲଳିତବିସ୍ତାର ଗ୍ରନ୍ଥରେ ତାହାଙ୍କୁ ନିଧ୍ରଶ କୁହାଯିବା ସହିତ ତାଙ୍କୁ ଅଳକାପୁରୀ ନିବାସୀ ଦେବତା ଭାବରେ ଅବିହିତ କରାଯାଇଛି । ପାଲିଗ୍ରନ୍ଥ ଅତ୍ୟନିତ୍ୟାୟ ସୁତାନ୍ତରେ ସେ ଉତ୍ତରରୁ ଅଧୀଶ୍ୱର , ଅଳକାପୁରୀ ନିବାସୀ ବୁଦ୍ଧଙ୍କ ମୂଖ୍ୟ ସହଚର ବୋଲି ବର୍ଣ୍ଣନା ଦେଖାଯାଏ । କେତେକ ବୌଦ୍ଧଗ୍ରନ୍ଥରେ ଜାମ୍ବେଳଙ୍କ ପତ୍ନୀଙ୍କ ନାମ ହରତୀ ବୋଲି ଉଲ୍ଲେଖ ଅଛି । ହରତୀ ଲୋକଦେବତୀ ଅଟନ୍ତି । ସେ କୋପକଲେ ଶିଶୁମାନଙ୍କର ପ୍ରାଣନାଶ ହୋଇଥାଏ । କେତେକ ବୌଦ୍ଧ ମୂର୍ତ୍ତିକଳାରେ ଜାମ୍ବେଳ ଓ ହରତୀଙ୍କ ଯୁଗଳ ମୂର୍ତ୍ତି ଦେଖିବାକୁ ମିଳେ । [୬]

ଜୈନ[ସମ୍ପାଦନା]

ଜୈନ ବିଶ୍ୱାସରେ ଜାମ୍ବେଳ ମହାବୀରଙ୍କ ମୂଖ୍ୟ ସହଚର । ସେ ଯକ୍ଷମାନଙ୍କ ରାଜା ହେଇଥିବାରୁ ପ୍ରତ୍ୟେକ ତୀର୍ଥଙ୍କରମାନଙ୍କ ସହିତ ଜଣେ ଜଣେ ଯକ୍ଷ ଓ ଯକ୍ଷଣୀ ଅନୁଚର ଭାବରେ ଥାଆନ୍ତି । ଜୈନ କୁବେର ବା ଜାମ୍ବେଳ ଅଧିକାଂଶ କ୍ଷେତ୍ରରେ ପୃଥୁଳ ଓ ଏବଂ ତାଙ୍କର ହସ୍ତରେ ମୁଦ୍ଗର ଓ ରତ୍ନ ପରିଲକ୍ଷିତ । ଏହାଙ୍କ ବାହାନ ମନୁଷ୍ୟ । କେତେକ ସ୍ଥାନରେ ମୁର୍ତ୍ତିର ପୃଷ୍ଠଭାଗରେ କଳ୍ପବୃକ୍ଷ ଦେଖାଯାଏ । ଜୈନ ଜାମ୍ବେଳଙ୍କ ମୁକୁଟରେ ତୀର୍ଥଙ୍କରଙ୍କର ଗୋଟିଏ ଗୋଟିଏ ପ୍ରତିମା ରହିଥାଏ ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

  • Hopkins, Edward Washburn (1915). Epic mythology. Strassburg K.J. Trübner. ISBN 0-8426-0560-6.
  • Sutherland, Gail Hinich (1991). The disguises of the demon: the development of the Yakṣa in Hinduism and Buddhism. SUNY Press. ISBN 0-7914-0622-9.
  • କୁବେର